ଛାତ୍ର ଆନ୍ଦୋଳନ

ସ୍ମୃତିକଥା କେବଳ ଗୋଟେ ନିର୍ଦ୍ଦିଷ୍ଟ ଜୀବନ କାହାଣୀ କହେ ନାହିଁ, ଏହା ନିଜ ସମୟର ସଙ୍କେତମାନଙ୍କୁ ମଧ୍ୟ ପ୍ରକଟିତ କରିଥାଏ । ବିଶିଷ୍ଟ ପ୍ରଶାସକ ଓ କଥାକାର ପ୍ରସନ୍ନ କୁମାର ହୋତାଙ୍କ ସ୍ମୃତିକଥାରେ ଆମେ ସମୟର ସେଇ ସଙ୍କେତମାନଙ୍କୁ ଦେଖିଚାଲିଛୁ ।


ଫଟୋ - ବାଟୋଇ ସ୍ପେସ

ଛାତ୍ରମାନେ ବିଶିଷ୍ଟ ଗୋଷ୍ଠୀ । ଭାରତର ଗଣତାନ୍ତ୍ରିକ ରାଜନୀତି କଲେଜ ଛାତ୍ରଗୋଷ୍ଠୀଙ୍କୁ ରାଜନୈତିକ ଆୟୁଧରେ ପରିଣତ କରି ଦେଇଛି । ମଜାରେ କୁହାଯାଏ ଯେ ପ୍ରତ୍ୟେକ ନେତାଙ୍କର ଆତ୍ମପ୍ରଚାର ପାଇଁ କିଛି ଟୋକା ଓ ବୋକା ଦରକାର । କଲେଜ ଛାତ୍ର ଏକ ସହଜଲବ୍ଧ ଓ ସଂଘବଦ୍ଧ ଗୋଷ୍ଠୀ । ‘ଛାତ୍ର ଏକତା ଜିନ୍ଦାବାଦ’-ଏହି ସ୍ଲୋଗାନ ବର୍ତ୍ତମାନ ସର୍ବବ୍ୟାପୀ । ବୋଧହୁଏ ସବୁକାଳେ ଥିଲା । ପ୍ରଶାସନ ପାଇଁ କିନ୍ତୁ ଛାତ୍ରଗୋଷ୍ଠୀ ବିରାଟ ଆହ୍ୱାନ । ବିଶେଷ କରି ବିଦିତ ସହର ଓ ଅନୁଷ୍ଠାନର ଛାତ୍ରମାନେ ଅଧିକ ତତ୍ପର; ତାଙ୍କୁ ସମ୍ଭାଳିବା ସହଜସାଧ୍ୟ ନୁହେଁ ।

କଟକରେ ମୋର ପୋଷ୍ଟିଙ୍ଗ ୧୯୭୯ ଜୁନ ମାସବେଳକୁ ହେଲା । ସେ ବର୍ଷ କିଛି ଛାତ୍ର ଆନ୍ଦୋଳନ ହେଲା । କୌଣସି ଏକ ବାହାନାରେ କିଛି ଛାତ୍ର ଗୋଟିଏ ସରକାରୀ ବସକୁ ଖ୍ରୀଷ୍ଟକଲେଜ ପଡ଼ିଆକୁ ନେଇଗଲେ ଏବଂ ମୋର ଉପସ୍ଥିତି ପାଇଁ ଦାବିକଲେ । ମୁଁ ଧୈର୍ଯ୍ୟ ଧରି ଗଲି; ବୁଝାଶୁଝା କଲି - ପୋଲିସକୁ ଦୂରରେ ରଖି ଆଗଚଲା ହୋଇ ଛାତ୍ରଙ୍କ ଭିତରକୁ ପଶିଯାଇ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କଲି । କିନ୍ତୁ କେତେକ ‘କୁଜି ନେତା’ ବଡ଼ ଛାତ୍ରନେତା ହେବାର ମୂଳଦୁଆ ଗଢ଼ୁଥାନ୍ତି । ସେମାନେ ସହଜରେ ବୋଲ ମାନିବା ଅବସ୍ଥାରେ ନଥାନ୍ତି । ତାଙ୍କ ଭିତରୁ ଜଣେ ମୋ ମୁଣ୍ଡ ପଛପଟେ ଗୋଟିଏ ଅଧା ଇଟାଖଣ୍ଡ ଧରି ପ୍ରହାର କରିବାକୁ ଉଦ୍ୟତ । ଭାଗ୍ୟ ଭଲ ମୁଁ ଠିକ୍ ସମୟରେ ଦେଖିନେଲି । ନ ଡରି ତାଙ୍କ ଆଡ଼କୁ ବୁଲିପଡ଼ି କହିଲି : ‘ପଛରୁ କାହିଁକି ମାରିବ ? ସାମନାରୁ ମାର । ତେବେ ମୋର ଦୋଷ କ’ଣ ଟିକେ କହିଦିଅ । ମୁଁ ତୁମ ଡାକରା ପାଇ ତୁମ କଥା ଶୁଣିବାକୁ ଆସିଛି । ମତେ ମାରିଲେ ଯଦି ସମସ୍ୟା ସମାଧାନ ହେବ, ତାହା କରିପାର ।’ ଏପରି କଥା ଶୁଣି ଅନ୍ୟ ଛାତ୍ରମାନେ ତାକୁ ଗାଳିକଲେ । କିଛି ପୋଲିସ ଆକ୍ସନ୍ ନେଇଥିଲେ ଆନ୍ଦୋଳନ ବଢ଼ିଯାଇଥାନ୍ତା । ଅଧିକାଂଶ ଛାତ୍ର ଆନ୍ଦୋଳନରେ ଆଗ୍ରହୀ ନୁହନ୍ତି । କିନ୍ତୁ ଥରେ କୌଣସି ଛାତ୍ର ପୋଲିସଠାରୁ ଲାଠିମାଡ଼ ଆଦି ଖାଇଲେ ଚାହୁଁ ଚାହୁଁ ‘ଇନ୍‌କିଲାବ୍ ଜିନ୍ଦାବାଦ’, ‘Long Live Student Unity’ ସ୍ଲୋଗାନ ଆରମ୍ଭ ହୋଇଯାଏ । ଯାହାହେଉ ଆଉ ଛାତ୍ର ଆନ୍ଦୋଳନ ସେବର୍ଷ ହେଲା ନାହିଁ ।

ଛାତ୍ରମାନଙ୍କ ସଙ୍ଗେ ବିଚିତ୍ର ଅନୁଭୂତି ଆଠଗଡ଼ରୁ ହିଁ ଆରମ୍ଭ ହେଲା । କଲେଜ ଫଙ୍କସନ୍ ସଭାକୁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ହୋଇ ଗଲେ। ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ଉପନିର୍ବାଚନ ପାଇଁ ଇସ୍ତଫା ଦେଇ ଆସେମ୍ୱଲି ସିଟ୍ ଖାଲି କରିଥିବା ଶ୍ରୀ ସାହୁ ସେହି କଲେଜ ସଭାରେ ମଧ୍ୟ ଉପସ୍ଥିତ ଥିଲେ । ଝିମିଟି ଖେଳରୁ ମହାଭାରତ ହେବାପରି କୌଣସି ଅତ୍ୟନ୍ତ ଛୋଟ କାରଣରୁ ଶ୍ରୀ ସାହୁ ଜନୈକ ଅଧ୍ୟାପକଙ୍କୁ ‘ନନ୍ ସେନ୍‌ସ’ ବୋଲି କହିଦେଲେ । ବାସ୍ ଏତିକି । ଏଥିରୁ ସଭାସ୍ଥଳ ପଛଆଡ଼େ କିଛି ଛାତ୍ର ଏକାଠି ହୋଇ ଗୁଞ୍ଜରଣ ଆରମ୍ଭ କରିଦେଲେ । ମୁଁ ମଞ୍ଚ ଛାଡ଼ି ଧାଇଁ ଯାଇ ଅବସ୍ଥା ସମ୍ଭାଳିବାକୁ ଚେଷ୍ଟାକଲି -ମୋ କଥାରେ ଅନିଚ୍ଛା ସତ୍ତ୍ୱେବି ଶ୍ରୀସାହୁ ଭୁଲ ମାଗିଲେ । କଥା ସରିଲା - ବୁଲିପଡ଼ି ଅନ୍ଧାରରୁ ସଭାର ଆଲୋକକୁ ଆସିବାବେଳକୁ ମୋ ଅଣ୍ଟାରେ ଏକ ଶକ୍ତ ଜୋତା ଗୋଇଠା ପଡ଼ିଲା । ମୁଁ କୌଣସି ଆକାର ବିକାର ନ ଦେଖାଇ ଚାଲି ଆସି ମୁଖ୍ୟମନ୍ତ୍ରୀଙ୍କ କାନରେ କହିଦେଲି, ‘ସାର୍ ଏଠାରେ ସଂକ୍ଷେପରେ ଭାଷଣ ସାରି ଚାଲିଯିବା ଭଲ ହେବ ।’ ଶ୍ରୀଯୁକ୍ତ ପଟ୍ଟନାୟକ ଦକ୍ଷ ଓ ବିଚକ୍ଷଣ । ସେ ମୋର ଏପ୍ରକାର ଅହେତୁକ ଉପଦେଶ ପାଇଁ କ୍ରୋଧ ନ କରି ଅଳ୍ପରେ ଭାଷଣ ସାରିଲେ; ସଭା ସାରି ଆମେ ସେ ଜାଗା ଛାଡ଼ି ଚାଲିଗଲୁ । ଅବସ୍ଥା ସମ୍ଭଳା ପଡ଼ିଲା ।

ତା’ ଆରଦିନ ମୁଖ୍ୟମନ୍ତ୍ରୀ ଫୋନ କରି କହିଲେ, ‘ତୁମ ଅଣ୍ଟାରେ ଜୋରରେ ମାଡ଼ ହୋଇଛି ବୋଲି ଶୁଣିଲି ।’ ମୁଁ ସେ କଥା ସଂପୂର୍ଣ୍ଣ ଏଡ଼ାଇଗଲି; କାରଣ ମୁଁ ଜାଣିଲି ସେ ତାଙ୍କ ସୌଜନ୍ୟତା ଦେଖାଇଲେ । ମୁଁ ମୋର କର୍ତ୍ତବ୍ୟ ଧୈର୍ଯ୍ୟ ଦ୍ୱାରା ପ୍ରତିପାଦିତ କରିବି । ସେତେବେଳକୁ ଅନେକ କଲେଜ ଉତ୍ସବରେ ବିଭିନ୍ନ ଜାଗାରେ ମୁଁ ଅତିଥି ଆଦି ହୋଇ ଛାତ୍ରଙ୍କ ସଙ୍ଗେ ସୌଖ୍ୟ ହୋଇଥାଏ । ଅତି କମରେ ଦଶବାର ଫୁଲମାଳ ମିଳି ସାରିଥାଏ ।

କୌତୁକ ପାଇଁ ଗୋଟିଏ ଛୋଟ ଘଟଣା ବର୍ଣ୍ଣନା କରୁଛି । ଡାଃ ମହତାବ ମୁଖ୍ୟ ଅତିଥି ଓ ମୁଁ ଅତିଥି । ସ୍ଥାନ ମୋର ଛାତ୍ରବେଳର ରେଭେନ୍‌ସା କଲେଜ ଖେଳପଡ଼ିଆ (ଏବେ ବିଦିତ ରେଭେନ୍‌ସା ବିଶ୍ଵବିଦ୍ୟାଳୟ, ଶ୍ରୀଯୁକ୍ତ ଦେବଦାସ ଛୋରାୟଙ୍କ ପ୍ରଥମ କୁଳପତି ହିସାବରେ ଅପୂର୍ବ କୃତ୍ତି) । ବାର୍ଷିକ କ୍ରୀଡ଼ା ବିତରଣୀ ସଭା । ମୁଁ ସୁଟ୍ ଟାଇ ପିନ୍ଧି ମୋର ପୁରୁଣା କଲେଜରେ ଉତ୍ସାହରେ ପହଞ୍ଚିଲି । ସଭା ଆରମ୍ଭରେ ଅଧ୍ୟାପକ ଅଥବା ଖେଳ ସମ୍ପାଦକ ଘୋଷଣା କଲେ, ଏବଂ ଜଣେ ଲମ୍ୱା ଯୁବକ (କାରଣ ଡାଃ ମହତାବ ଦୀର୍ଘକାୟ ବିଶିଷ୍ଟ ବ୍ୟକ୍ତିତ୍ୱ) ଡାଃ ମହତାବଙ୍କୁ ଫୁଲମାଳ ପିନ୍ଧାଇଲେ; କିଛି କରତାଳି ହେଲା । ତା’ପରେ ମୋ ନାମ ଘୋଷଣା ହେଲା । ବଗୁଲିଆ ଦଳ ଜନୈକା ସୁଦର୍ଶନା ସ୍ମାର୍ଟ ଶାଢ଼ିପିନ୍ଧା ଛାତ୍ରୀଙ୍କୁ ଫୁଲମାଳା ଦେଇ ପଠାଇଲେ । ସେ ବି ମୋ ଗଳାରେ ପୁଲମାଳା ପିନ୍ଧାଇବାକୁ ତିଆର । ଉତ୍ସୁକ ଛାତ୍ରଦଳ ଜୋରରେ କରତାଳି ଦେବା ଆରମ୍ଭ କଲେ । ମୁଁ ଠିକ୍ ଶେଷ ମୁହୂର୍ତ୍ତରେ ମୋ ବେକ ଅନ୍ୟ ଆଡ଼କୁ ବଙ୍କେଇ ଦେଲି; ମୋ ଦୁଇ ଉଦ୍ୟତ ହାତରେ ସୁଦର୍ଶନା ଫୁଲମାଳା ଗଳାଇବାକୁ ବାଧ୍ୟ ହେଲେ । ଛାତ୍ରଦଳ ମହାଖୁସି, ତାଳି ସଙ୍ଗେ ହୁଇସିଲ ବଜାଇଲେ । ମୁଁ ବସିଗଲାରୁ ଡାଃ ମହତାବ କିଛି ନ ଜାଣିବା ପରି ପଚାରୁଛନ୍ତି -‘ହଇହୋ କ’ଣ ହେଲା ? ତୁମେ ବଡ଼ ପପୁଲାର ଦେଖୁଛି ।’ ମୁଁ ତାଙ୍କ ମୁହଁର ସ୍ମିତହାସ୍ୟରୁ ଜାଣିପାରିଲି ସେ ମଧ୍ୟ ସେ ଚଟୁଳ ମୁହୂର୍ତ୍ତକୁ ଉପଭୋଗ କରିଛନ୍ତି ।

ଏ କଥା କହିବାର ତାତ୍ପର୍ଯ୍ୟ ହେଲା - ଜଣେ ଜିଲ୍ଲାପାଳ ଫୁଲମାଳା ସ୍ନେହରେ ଜନସାଧାରଣଙ୍କ ଠାରୁ ଅବା ଛାତ୍ରଙ୍କ ଠାରୁ ପାଇଥାଏ । ଯଦି ସେଥିପାଇଁ ସେ ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୋଇଯାଏ ଯେ ସେ ଫୁଲମାଳାର ହକ୍‌ଦାର, ତେବେ କଥା ସରିଲା ! ଅନେକ ସମୟରେ ଫୁଲମାଳ ମିଳେ; ନିଜକୁ ନିମିତ୍ତମାତ୍ର ଭାବିବା କଥା । ଜୋତା ଗୋଇଠା ବି ମିଳିପାରେ । ଜନସାଧାରଣଙ୍କ ମଙ୍ଗଳ ପାଇଁ ସେତକ ମଧ୍ୟ ଧୈର୍ଯ୍ୟ ଧରି ହଜମ କରିବା ଦରକାର । ପ୍ରଶାସନର ସମ୍ମାନ ପାଇଁ ସଚେତନ ରହିବାକୁ ହେବ - କିନ୍ତୁ ପ୍ରଶାସନର ପ୍ରକୃତ ସମ୍ମାନ ତୁମର ଜନସାଧାରଣଙ୍କ ପାଇଁ ସମର୍ପିତ କାର୍ଯ୍ୟରେ । ନିଜ ବ୍ୟକ୍ତିଗତ ମାନ ଅପମାନକୁ ବଡ଼ କଲେ ସାଧାରଣ ଲୋକେ ସମ୍ମାନ ଦେବେ ନାହିଁ ।

ଏପରି ଛୋଟବଡ଼ ଅନେକ ଘଟଣା ଛାତ୍ରମାନଙ୍କ ସଙ୍ଗେ ଚାଲିଥାଏ । ସୌଭାଗ୍ୟକୁ ସଂପୂର୍ଣ୍ଣ ଆନ୍ଦୋଳନ ହେଉ ନଥାଏ । ଏହି ସମୟରେ ସୁଦୂର ବଲାଙ୍ଗୀରରେ ଅବା ସମ୍ୱଲପୁରରେ (ଠିକ୍ ମନେନାହିଁ) ଛାତ୍ର ଓ ବ୍ୟବସାୟୀଙ୍କ ମଧ୍ୟରେ ବଚସା, ଠେଲାପେଲା ହୋଇଗଲା । ବୋଧହୁଏ ସ୍ଥାନୀୟ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ଛାତ୍ରମାନେ ଚାନ୍ଦା ଏକାଠି କରୁଥିଲେ । ସେ ଗଣ୍ଡଗୋଳ ପଶ୍ଚିମ ଓଡ଼ିଶାକୁ ପକାଇଲା ଉଠାଇଲା । କିନ୍ତୁ ଯେହେତୁ ଗୋଳମାଳର କାରଣ କଟକରୁ ଆରମ୍ଭ ହୋଇନଥିଲା, ତାହା ସର୍ବ ଓଡ଼ିଶା ଛାତ୍ର ଆନ୍ଦୋଳନରେ ପରିଣତ ହୋଇ ପାରିଲା ନାହିଁ । ଛାତ୍ରମାନେ ସ୍ଥିର କଲେ ଯେ ପଶ୍ଚିମ ଓଡ଼ିଶା ଛାତ୍ରସମାଜ ପ୍ରତି ସମବେଦନା ଜଣାଇବାକୁ ସେମାନେ ପ୍ରତ୍ୟେକ ଜିଲ୍ଲାପାଳ ଦପ୍ତରକୁ ଦିନକ ପାଇଁ ଘେରାଉ କରିବେ; କାମ କରାଇ ଦେବେ ନାହିଁ ।

ପୂର୍ବ ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁଯାୟୀ ମୁଁ ସକାଳ ନଅଟାବେଳକୁ ଅଫିସରେ ଉପସ୍ଥିତ । ସାଢ଼େ ନଅଟାବେଳେ ଛାତ୍ରସାଥୀଦଳ ପହଞ୍ଚି ଦେଖିଲେ ଯେ ମୁଁ ନିରୁଦବିଗ୍ନ ଭାବେ ନିଜ ବଡ଼ କୋର୍ଟରୁମ ପ୍ରକୋଷ୍ଠରେ ମୋ ଚୌକୀରେ ବସି କିଛି କାମ କରୁଛି । ସେମାନେ ପ୍ରଥମେ ତାଙ୍କ ଭାଷଣ ଆରମ୍ଭ କଲେ, ‘ଆପଣ କାମ ବନ୍ଦ କରନ୍ତୁ ।’ ମୁଁ ସଙ୍ଗେ ସଙ୍ଗେ କଲମ ବନ୍ଦ କରି ତାଙ୍କ ଆଡ଼କୁ ଏକାଗ୍ରତାରେ ଚାହିଁଲି । ସେମାନେ ଆଉ କ’ଣ କହିବେ, ‘ଆମେ ଆପଣଙ୍କୁ କାମ କରେଇ ଦେବୁନାହିଁ, ଯେ ପର୍ଯ୍ୟନ୍ତ ସେ ବ୍ୟବସାୟୀମାନେ ଜେଲକୁ ଯାଇ ନାହାନ୍ତି ।’ ମୁଁ ଧୀର ସ୍ୱରରେ କହିଲି, ‘ସେ କଥା କରିବା ମୋ କ୍ଷମତା ବାହାରେ କାରଣ ସେସବୁ ଜିଲ୍ଲାରେ କଟକ କଲେକ୍ଟରଙ୍କ କ୍ଷମତା ନାହିଁ ।’ ସେମାନେ ପରସ୍ପର ମୁହଁ ଚାହଁଚୁହିଁ ହୋଇ କହିଲେ, ‘ଆମେ ସରକାରଙ୍କୁ ଅଚଳ କରିଦେବୁ, ଆପଣଙ୍କୁ କାମ କରେଇ ଦେବୁନାହିଁ ।’ ମୁଁ ତିଳେମାତ୍ର ବିରକ୍ତି ପ୍ରକାଶ ନକରି ଅଧିକ ଚୌକୀ ମଗାଇ ସମସ୍ତଙ୍କୁ ବସାଇଦେଲି ଓ କହିଲି,-‘ଲମ୍ୱା ସମୟ ଯଦି ଏଠି ବିତାଇବେ ଆରାମରେ ବସନ୍ତୁ ଏବଂ ମତେ ଜଗନ୍ତୁ ଯେପରି ମୁଁ କିଛି କାମ ନ କରିପାରେ ।’ ଏହି ସମୟରେ ସାଧା ପୋଷାକରେ ଏସ୍.ପି. ଆସି ମୋ ସଙ୍ଗେ କାନପାଖେ ମନ୍ତ୍ରଣା ଆରମ୍ଭ କଲେ: ‘ଛେଚି କରି ଏଗୁଡ଼ାଙ୍କୁ ଭଗେଇ ଦେବିକି ?’ ବାସ୍ତବରେ ଛାତ୍ରଙ୍କ ସଂଖ୍ୟା ମାତ୍ର ଚାଳିଶ ପାଖାପାଖି । ପୋଲିସ ତାଙ୍କୁ ସହଜରେ ତଡ଼ିଦେଇ ପାରିଥାନ୍ତେ ବା ‘ପ୍ରିଭେଣ୍ଟିଭ ଆରେଷ୍ଟ’ କରି ନେଇଯାଇ ପାରିଥାନ୍ତେ । କାଳେ ସେପରି କଲେ କଥା ବଢ଼ିଯିବ ଏବଂ କଟକ ଆନ୍ଦୋଳନର ମୂଳକେନ୍ଦ୍ର ହୋଇଯିବ ଭାବି ମୁଁ ସେଥିରୁ ବିରତ ହେଲି । ତାଙ୍କୁ ଚୁପ୍ କରି କହିଲି, ‘ଆପଣ ଯାଇ ଅନ୍ୟ କାମ କରନ୍ତୁ । ଲାଲବାଗ ପୋଲିସ୍ ଷ୍ଟେସନରେ ତିନି ପ୍ଲାଟୁନ୍ ଫୋର୍ସ ସଂଧ୍ୟାବେଳକୁ ତିଆର ରଖିବେ । ଶ୍ରୀଯୁକ୍ତ ହରି ପଣ୍ଡାଙ୍କୁ ଡିଉଟିରେ ଲଗାନ୍ତୁ, ସିଟି ଡି.ଏସ୍.ପି. ମଝିରେ ମଝିରେ ଥରେ ଅଧେ ଆସି ବୁଲିଯିବେ, ଆଉ ସେଟା ବି ପାଞ୍ଚଟା ପରେ । ଏବେ କୌଣସି ପରିସ୍ଥିତି ସୃଷ୍ଟି କରିବା ନାହିଁ ।’

ଆମ ଡି.ପି.ଆର.ଓ. ଶ୍ରୀ ବିଶ୍ୱମ୍ଭର ଦେ ଅତ୍ୟନ୍ତ କର୍ମଠ ଓ ଭଦ୍ର; ସେ ଫଟୋଗ୍ରାଫର ନେଇ ଆସି ପହଞ୍ଚିଲେ । ମୋ ଇଙ୍ଗିତରେ ଛାତ୍ରମାନେ ମୋ ଚୌକୀ ଚାରିପଟେ ଘେରି ରହିଲେ; ତାଙ୍କର ଫଟୋ ଉଠାଗଲା । ମୁଁ ବସିବସି ବୋର୍ ହେଉଥିଲି । ମତେ ମୌକା ମିଳିଲା, କହିଲି- ‘କାଲି ଯେପରି ସବୁ କାଗଜରେ ଛାତ୍ରଭାଇଙ୍କ ଏ ଫଟ ବାହାରିବ ।’ ଛାତ୍ରମାନେ ଖୁସି । କିନ୍ତୁ ତାଙ୍କ ଟାଣୁଆ ନେତା ଚାରିପାଞ୍ଚଜଣ ସହଜରେ ପଟିବା ଜନ୍ତୁ ନୁହନ୍ତି । ସେମାନେ ଆରମ୍ଭ କରିଦେଲେ, ‘ଆମେ କ’ଣ ଏଠି ଫଟ ଉଠାଇବାକୁ ଆସିଛୁ ? Long Live Student Unity, ଇନ୍‌କିଲାବ୍ ଜିନ୍ଦାବାଦ’ । ଚାରିନେତାଙ୍କ ସଙ୍ଗେ ସ୍ୱର ମିଳାଇ ବାକି ଛତିଶ ‘ଜିନ୍ଦାବାଦ’ ‘ଜିନ୍ଦାବାଦ’ ପୁନରାବୃତ୍ତି କଲେ । ମୁଁ ଅବିଚଳିତ ଚିତ୍ତରେ ବସି ରହିଲି । ତା’ପରେ ଏମର୍ଜେନ୍‌ସି ଅଫିସର ଶ୍ରୀଯୁକ୍ତ ଗୋପାଳପଟ୍ଟନାୟକଙ୍କୁ ଇସାରା କରିବାରୁ ସେ ଯାଇ ଅନେକ ଗୁଡ଼ିଏ ବରା, ସିଙ୍ଗଡ଼ା ଓ ଶୁଖିଲା ମିଠା ଆଣିଲେ । ମୁଁ ଛାତ୍ରଦଳଙ୍କୁ କହିଲି, ‘ଭୋକ ଲାଗିବଣି, ଏବେ କିଛି ଖାଆନ୍ତୁ, ଘେରାଉ ଚାଲୁ ରଖନ୍ତୁ ।’ ସେତେବେଳକୁ ଦିନ ପ୍ରାୟ ଦୁଇଟା; କେତେ ଆଉ ସ୍ଲୋଗାନ ଦେବେ, ଥକି ଯାଇଥିଲେ । ତେବେ ବରା-ସିଙ୍ଗଡ଼ା ଆଦି ଖାଇ, ସରବତ ପିଇ ଟିକେ ସାଷ୍ଟାମ ହେଲେ । ନେତା ଚାରିଜଣ ଦୃଢ଼ତା ଦେଖାଇ ଖାଉନଥିଲେ । ମୁଁ ନିଜେ ଉଠି ତାଙ୍କ ପାଟିରେ ମିଠା ଗୁଞ୍ଜିଦେଲି ଆଉ କହିଲି, ‘ଆପଣ ନ ଖାଇଲେ ମୁଁ ତ କିଛି ଖାଇବି ନାହିଁ '। ଏତିକିରେ ସେମାନେ ତରଳିଗଲେ ଓ କିଛି ଖାଇଲେ ।’

ଅପରାହ୍ନ ବଢ଼ିଲା । ମୁଁ ତାଙ୍କ ସଙ୍ଗେ ଛୋଟ ଛୋଟ ସାଧାରଣଜ୍ଞାନ ପ୍ରତିଯୋଗିତା ଓ ପଜଲ୍ ଆଦି ଆରମ୍ଭ କଲି । ସମସ୍ତେ ସେଥିରେ ଘଣ୍ଟାଏ ଯୋଗଦେଲେ । ତା’ପରେ ନେତା ଚାରିଜଣ ବିରକ୍ତ ହୋଇଗଲେ; କହିଲେ- ‘ଏଠିକି ଆମେ ଘେରାଉ କରିବାକୁ ଆସିଛୁ, ଖେଳିବାକୁ ନୁହେଁ ।’ ସଂଧ୍ୟା ଛଅଟା ବାଜିଲା -ଅଫିସ ଖାଲି ହୋଇଯିବା କଥା; କିନ୍ତୁ ମୋର ସହକର୍ମୀମାନେ ମତେ ଏକୁଟିଆ ଛାଡ଼ି ଯିବାକୁ ନାରାଜ । ଏପରି ଛକାପଞ୍ଝାରେ ସମୟ ବିତୁଥାଏ । ରାତି ନଅଟା ବାଜିଲା, ଛାତ୍ରସଂଖ୍ୟା କମି ଆସିଲା, ଆଉ ମାତ୍ର ପନ୍ଦରଜଣ ଛାତ୍ର ରହିଲେ । ମୁଁ ଚୁପଚାପ ବସିଥାଏ, ସେମାନଙ୍କ ସଙ୍ଗେ ଜୋକ୍ ସେୟାର କରୁଥାଏ । କୌଣସି ଉଦବିଗ୍ନତା ଦେଖାଉନଥାଏ । ଅନେକ ଖବରକାଗଜର ରିପୋର୍ଟର ଆସି ବୁଲିଗଲେ; ଫଟ ଉଠାଇ ନେଇଗଲେ । ମୁଁ ବସିଥାଏ । ଛାତ୍ରମାନେ ଘୁମଉଥାନ୍ତି । ରାତି ବାରଟା ବାଜିଲା; ମୁଁ ଉଠି ଛିଡ଼ା ହେଲି । ଚୌକୀ ଛାଡ଼ି ଯିବାକୁ ବାହାରିଲି । ଛାତ୍ରମାନେ ମତେ ଘେରିଗଲେ, କହିଲେ - ‘ଆମେ ଛାଡ଼ିବୁ ନାହିଁ ।’ ମୁଁ କହିଲି, ‘ଦେଖନ୍ତୁ ଭାଇମାନେ ଆପଣଙ୍କ ସମ୍ମାନ ପାଇଁ ମୁଁ ଚଉଦ ଘଣ୍ଟା ବାଥରୁମ୍ ବି ନଯାଇ ବସିରହିଲି । ବର୍ତ୍ତମାନ ଆମେ ପରସ୍ପରକୁ ସମ୍ମାନ ଦେଖାଇବା । ମୁଁ କହୁଛି ଯେ ଆପଣଙ୍କ ଘେରାଉ ସଫଳ ହେଲା । ବର୍ତ୍ତମାନ ମୁଁ ଯିବି - ଘର ଅଫିସରେ ଗରିବ ଜନସାଧାରଣଙ୍କ ଆଜିର କାମ ସାରିବି - ଶୋଉ ଶୋଉ ଭୋର ହୋଇଯାଇପାରେ । ବର୍ତ୍ତମାନ ଯାଆନ୍ତୁ ଏବଂ ମତେ ଯିବାକୁ ଦିଅନ୍ତୁ ।’ ଚାରି ନେତାଙ୍କୁ ଛାଡ଼ି ଅନ୍ୟମାନେ କିଛି ପ୍ରତିରୋଧ କଲେ ନାହିଁ । ବାରଟା ବାଜିଲା କ୍ଷଣି ହରି ପଣ୍ଡାଜୀ ଦଳବଳ ଧରି ପଶି ଆସିଲେ । ତାଙ୍କୁ ଦେଖି ଅଧେ ଛାତ୍ର ନିଜେ ପଳାଇଲେ, ବାକି ପାଞ୍ଚସାତଜଣ ଅଟକାଇବାକୁ ପ୍ରୟାସ କରି ଉଚ୍ଚା ଲାଠି ତାଙ୍କ ଆଡ଼କୁ ଉହୁଙ୍କି ଆସୁଥିବା ଦେଖି ପୃଷ୍ଠଭଙ୍ଗ ଦେଲେ । ମୁଁ ନିର୍ବିଘ୍ନରେ ଘରକୁ ଫେରିଲି ।

କଥା ଏତିକିରେ ସରିଲା ନାହିଁ । କଟକର ମୁଖ୍ୟ କଲେଜ - ରେଭେନ୍‌ସା କଲେଜରେ କୌଣସି ଗୋଳମାଳ ହେଉନଥାଏ । ପଶ୍ଚିମ ଓଡ଼ିଶା ଛାତ୍ରନେତାମାନେ ପାର୍ସଲ କରି ଚୁଡ଼ି ଆଦି ରେଭେନ୍‌ସା ଛାତ୍ରନେତାଙ୍କୁ ପଠାଇଲେ । ଇଙ୍ଗିତ କଲେ ଯେ - ‘ତୁମେ ଚୁଡ଼ି ଆଦି ପିନ୍ଧି କାପୁରୁଷଙ୍କ ପରି ଘରେ ବସ । ତୁମ ଦେଇ କିଛି ହେବ ନାହିଁ ।’ ଏ କଥା ଏସ୍.ପି. ମତେ ପାଞ୍ଚଟାବେଳକୁ ଜଣାଇଲେ -ଆସନ୍ତା ଦିନ ରେଭେନ୍‌ସା ଛାତ୍ରମାନେ ଶୋଭାଯାତ୍ରା କରି ସହର ପରିକ୍ରମା କରିବେ ଏବଂ ମୋ ଅଫିସକୁ ଆସି ଦାବିପତ୍ର ଦେବେ । ମୁଁ ଜାଣିପାରିଲି ଯେ ଥରେ ରେଭେନ୍‌ସା କଲେଜର ପାଞ୍ଚଶହ କି ହଜାରେ ଛାତ୍ର ଶୋଭାଯାତ୍ରା କଲେ ସହର ବନ୍ଦ ହୋଇଯିବ ଏବଂ ତା'ଠାରୁ ଅଧିକ ହେଲା ଯେ ଏହି ସୁଯୋଗରେ କିଛି ଅସାମାଜିକ ତତ୍ତ୍ୱ ବଜାର ଦେଇ ଶୋଭାଯାତ୍ରା ଆସିଲାବେଳେ ଭଙ୍ଗାରୁଜା କରି ଗୁରୁତର ପରିସ୍ଥିତି କରିପାରନ୍ତି । ମୁଁ ଏସ୍.ପି. ଶ୍ରୀଯୁକ୍ତ ସେନାପତିଙ୍କ ଅଫିସକୁ ଚାଲିଲି । ସେ ପ୍ରଥମେ ଶଙ୍କା ପ୍ରକାଶ କରୁଥିଲେ; କିନ୍ତୁ ଆମ ଦୁହିଙ୍କ ଭିତରେ ସଂପୂର୍ଣ୍ଣ ବିଶ୍ୱାସ ଓ ବନ୍ଧୁତ୍ୱ ଥିଲା। କେହି ଉଚ୍ଚାନୀଚା କଥା ନାହିଁ । ସେ ସାଧା ପୋଷାକରେ ମୋ ଗାଡ଼ିରେ ବସିଲେ; ତାଙ୍କ ଗାଡ଼ିରେ ପଛରେ ଲୁଚି ଜଣେ ହାବିଲଦାର୍ ରିଭଲଭର୍ ଧରି ବସିଲେ । ମୋ ଗାଡ଼ିର ସାମନା ସିଟରେ ମୋ ଡ୍ରାଇଭରଙ୍କୁ ଦେଖାଇ ଏସ୍.ପି.ଙ୍କ ରିଭଲଭର୍ ତାଙ୍କ ବ୍ରିଫ୍ କେସରେ ଲୁଚାଇ ରଖାଗଲା । ମୋ କଥାରେ ବିଶ୍ୱାସ କରି ସେ ବାହାରିଥିଲେ । ତେଣୁ ତାଙ୍କ ସୁରକ୍ଷା ମୋ ଦାୟିତ୍ୱ । ସଂଧ୍ୟା ସାତଟା ହେବ । ସଂପୂର୍ଣ୍ଣ ଅନ୍ଧାର । ଆମେ ରେଭେନ୍‌ସା କଲେଜରେ ପଶିଲୁ । ପୂର୍ବ ଛାତ୍ରାବାସ (ଇଷ୍ଟ ହଷ୍ଟେଲ)ରେ ସବୁ ଶୁନଶାନ୍ । ଏସ୍.ପି. କହିଲେ, ‘କେହି ତ କୁଆଡ଼େ ନାହାନ୍ତି; ଆପଣ କୁଆଡ଼େ ଆସିଛନ୍ତି ?’ ୧୯୬୪-୬୫ରେ ରେଭେନ୍ସା କଲେଜ ୟୁନିଅନରେ ନିର୍ବାଚନ ଲଢ଼ି ଆସିଷ୍ଟାଣ୍ଟ ସେକ୍ରେଟାରୀ ହୋଇଥିଲି । ଆମବେଳେ ଅକାରଣରେ ଦୀର୍ଘ ଦୁଇମାସ ଧରି ଏକ ଦୁଃଖଦାୟକ ଛାତ୍ର ଆନ୍ଦୋଳନ ଚାଲିଥିଲା । ଗୁଡ଼ିଏ ମୂଲ୍ୟବାନ ଜୀବନ ନଷ୍ଟ ହୋଇଥିଲା । ମୁଁ ସ୍ୱ-ଅଭିଜ୍ଞତାରୁ ଜାଣିଥିଲି ଯେ ଯେଉଁ ଛାତ୍ରମାନେ ଆନ୍ଦୋଳନ କରିବାକୁ ଚାହାନ୍ତି ସେମାନେ ତାଙ୍କ ସାଙ୍ଗସାଥୀଙ୍କୁ ଧରି କଲେଜ୍ ପଛ ନିଉ ହଷ୍ଟେଲ ପାଖରେ ଏକାଠି ହୋଇ ଆଗତ ଦିନର କାର୍ଯ୍ୟକ୍ରମ ସ୍ଥିର କରୁଥିବେ । ସତକୁ ସତ ଆମେ ନିଉ ହଷ୍ଟେଲ ସାମନାରେ ପହଞ୍ଚିଲାବେଳକୁ ଅନ୍ଧାରରେ ପ୍ରାୟ ଚାଳିଶ ଛାତ୍ର ଠିଆରେ ମନ୍ତ୍ରଣା ଚଳାଇଥାନ୍ତି । ଆମ ଗାଡ଼ି ଦେଖି ‘କିଏ ରେ କିଏରେ?’ ବୋଲି ହୁଙ୍କାର ଦେଇ ଉତ୍ସୁକ ଛାତ୍ର ଗାଡ଼ି ଘେରିଗଲେ । ମୁଁ ଓହ୍ଲାଇ ପଡ଼ି ଜୋରରେ କହିଲି -'ଛାତ୍ରଭାଇ ମାନଙ୍କୁ ନମସ୍କାର' । ସେମାନେ କ୍ଷଣେ ଥମିଗଲେ । ମୁଁ ଡ୍ରାଇଭର ଦ୍ୱୟଙ୍କୁ କହିଲି -‘ରାସ୍ତା ଅବରୋଧ କରନ୍ତୁ ନାହିଁ, ଗାଡ଼ି ସାଇଡ୍ କରି ରଖନ୍ତୁ । ଛାତ୍ର ଭାଇଙ୍କର କୌଣସି ଅସୁବିଧା ନହୁଏ ଯେପରି !’ ସମଝନେ ୱାଲେକୋ ଇସାରା କାଫି । ଡ୍ରାଇଭର ବସନ୍ତ ଓ ପୋଲିସ ଡ୍ରାଇଭରଜି ଗାଡ଼ି ବୁଲାଇ ଧୀର ଷ୍ଟାର୍ଟରେ ରାସ୍ତାକଡ଼କୁ ରଖିଲେ । ଦରକାର ପଡ଼ିଲେ ‘ଯ ପଳାୟତି ସ ଜୀବତି’ ପନ୍ଥା ଅନୁସରଣ କରିବାକୁ ସୁବିଧା ।

ମୋ ପଛେ ପଛେ ଏସ୍.ପି. ଗାଡ଼ିରୁ ଓହ୍ଲାଇ ପଡ଼ି ମୋ ସାଙ୍ଗରେ ଛିଡ଼ାହେଲେ । ଛାତ୍ରମାନେ କହିଲେ, ‘ଆଜି ଆପଣଙ୍କର କିଛି କଥା ଆମେ ଶୁଣିବୁ ନାହିଁ । ଆପଣଙ୍କର କିଛି ଚାଲାକି ଆଉ ଚଳିବ ନାହିଁ ।’

ମୁଁ କହି ଉଠିଲି, ‘ରେଭେନ୍‌ସାଭିଆନ୍‌ସ ସବୁଠାରୁ ପ୍ରତିଭାବାନ ଛାତ୍ର । ଅନ୍ତତଃ ଆମବେଳେ ରେଭେନ୍‌ସାଭିଆନ୍‌ସ ସବୁଠାରୁ ଆଗୁଆ ଥିଲେ । ନେତୃତ୍ୱରେ ତାଙ୍କୁ କେହି ବଳୁନଥିଲେ ।’ ସେମାନେ ମୁହୂର୍ତ୍ତକ ପାଇଁ ଥମିଗଲେ । କହିଲେ, ‘ତେବେ ଆପଣ କାହିଁକି ଆସିଛନ୍ତି ?’ ମୁଁ କହିଲି, 'ଆମେ ଦୁଇଜଣ ପ୍ରାକ୍ତନ ରେଭେନ୍‌ସାଭିଆନ୍‌, ନିଜ ମା ସ୍ୱରୂପ କଲେଜକୁ ବୁଲି ଆସିଛୁ । ତୁମେମାନେ ଯଦି କହିବ ଯେ ପୁରୁଣା ରେଭେନ୍‌ସାଭିଆନ୍‌ଙ୍କ କିଛି ଷ୍ଟାଟସ୍ ନାହିଁ, ସେମାନଙ୍କର ଏହି ମହାନ୍ କଲେଜରେ କୌଣସି ଅଧିକାର ନାହିଁ, ତେବେ ଆମେ ଆଉ କ’ଣ ବା କହିବୁ ! ଆମକୁ ଘଉଡ଼ାଇ ଦେଇପାର '। ସେମାନେ ଘଡ଼ିଏ ଚୁପ ରହି ପୁଣି କହିଲେ, ‘ଆମେ ଏଥର ନିଜେ ଡିସିସନ୍ ନେବୁ । ଆପଣଙ୍କ ନକଲିଆ କଥାରେ ଆମେ ମତ ବଦଳାଇବୁ ନାହିଁ ।’ ମୁଁ ଛାଡ଼ିବା ଜନ୍ତୁ ନୁହେଁ; ତତ୍ କ୍ଷଣାତ୍ କହିଲି, ‘ସେହି କଥା ଦେଖିବାକୁ ଆସିଥିଲି । ରେଭେନ୍‌ସାଭିଆନ୍‌ ନିଜ ମତରେ ଚାଲୁଛନ୍ତି ନା କାହା ଉସକାଇବାରେ ପଡ଼ି ଅନ୍ୟର ନେତୃତ୍ୱ ମାନିବାକୁ ପ୍ରସ୍ତୁତ ?’ ସେମାନେ ତଥାପି ଯୁକ୍ତି କଲେ, ‘ଆମେ କହିଲୁ ପରା ଆପଣଙ୍କ କଥା ଆଦୌ ଶୁଣିବୁ ନାହିଁ ! ଆପଣ କୁଆଡ଼େ ଆସିଛନ୍ତି?’ ମୁଁ ସେତେବେଳକୁ ଆଖିକଣରୁ ଦେଖି ସାରିଲିଣି ଯେ ନିଉ ହଷ୍ଟେଲର ଛୋଟ ଏଣ୍ଟ୍ରାନସ୍ ଲବିରେ ଗୋଟିଏ କ୍ୟାରାମ୍ ବୋର୍ଡ ପଡ଼ିଛି । ଦୁଇ ଚୌକୀରେ ଦୁଇ ଛାତ୍ର ବସି ଠକାଠକ୍ କ୍ୟାରାମ୍ ଗୋଟି ପିଟୁଛନ୍ତି । ମୁନାଭାଇ ଏମ୍.ବି.ବି.ଏସ୍. ସେତେବେଳକୁ ଆସି ନଥାଏ । କଟକୀ ମୁନାଭାଇ ମନରେ ଏକ ଦୁଷ୍ଟ ଚିନ୍ତା ଖେଳିଲା । ମୁଁ କହିଲି, ‘ମୁଁ କ୍ୟାରାମ୍ ଖେଳିବାକୁ ଆସିଛି । ତୁମ ହଷ୍ଟେଲ ଚମ୍ପିୟାନକୁ ଡାକ । ତାକୁ ମୁଁ ତିନ୍ ବୋର୍ଡରେ ‘ନିଲ ଗେମ୍’ ଦେବି ।’ ନେତାମାନେ ଏକଥାର ତାତ୍ପର୍ଯ୍ୟ ବୁଝିବା ପୂର୍ବରୁ ଅଧିକାଂଶ ଛାତ୍ର ହିତାହିତ ଜ୍ଞାନ ଭୁଲି ଚିଲ୍ଲେଇ ଉଠିଲେ, ‘ହଁ ଭାରି ନିଲ ଗେମ୍ ଦେଲାବାଲା ! କ’ଣ ବେଟ୍ ?’ ମୁଁ କହିଲି, ‘ମୁଁ ନିଲ ଗେମ୍ ନଦେଇ ପାରିଲେ ତୁମେ ଯାହା କହିବ ମୁଁ ମାନିଯିବି । ଆମ ଏସ୍.ପି. ସାହେବ ସାକ୍ଷୀ ରହିଲେ ।’ ସେନାପତି ସାର୍ ମତେ ଚକିତ ନୟନରେ ଚାହିଁ ମନେମନେ ଭାବୁଥିବେ: ଏ ପାଗଳ ବର୍ତ୍ତମାନ କ’ଣ କରିବାକୁ ଯାଉଛି ! ମୋ ପକେଟରେ କିଛି ଟଙ୍କା ଥିଲା । ମୁଁ ଜଣେ ଛାତ୍ରଙ୍କ ହାତରେ ନିଉ ହଷ୍ଟେଲ ପଛପଟ ବଜାରରୁ ଦୁଇ ଟଙ୍କାର ବୋରିକ୍ ପାଉଡର ଆଣିବାକୁ କହିଲି । ଛାତ୍ରଦ୍ୱୟ ଶୁଖିଲା କ୍ୟାରାମ ବୋର୍ଡରେ ଖେଳୁଥିଲେ । ପେଶାଦାର କ୍ୟାରାମ୍ ଖେଳାଳି ବୋରିକ୍ ପାଉଡର ବିନା ଖେଳିବେ ନାହିଁ । ସେଇ କଥାଟା ମତେ ସାହାସ ଦେଇଥିଲା । ଆଉ ପଚାଶ ଟଙ୍କା ମୁଁ ଓ ଏସ୍.ପି. ମିଶି ଦେଲୁ । ଆଳୁଚପ୍ ଓ ବରା ଆସିବ । ସମସ୍ତେ ଖାଇବା ।

ଜିତିଲେ ମୁଁ କ’ଣ ମାଗିବି ସେ କଥା କହିନଥାଏ । ସବୁ ସାଜ ସରଞ୍ଜାମ ଆସିଗଲା । ଚମ୍ପିୟାନ୍ ଧରାହୋଇ ଆସି ବସିଲା । ଆଳୁଚପ୍ ବରା ବଣ୍ଟା ହୋଇ ଖେଳିବା ମୁଡ୍ ଜମିଗଲା । ବୋରିକ୍ ପାଉଡର ବାସ୍ନାରେ ସାଜି ହୋଇ କ୍ୟାରାମ୍ ବୋର୍ଡ ମୋ ତରଫକୁ ଢଳିଗଲା । ମାତ୍ର ତିନି ବୋର୍ଡରେ ଚମ୍ପିୟାନ୍ ଧରାଶାୟୀ । ନିଲ୍ ଗେମ୍ ! ଏ ବଗୁଲିଆ ଦଳ ଜାଣି ନଥାନ୍ତି ଯେ ମାତ୍ର ପନ୍ଦରବର୍ଷ ବୟସରେ ମୁଁ ବତିଶିବର୍ଷ ବୟସର ଜଣେ ଗଭର୍ଣ୍ଣମେଣ୍ଟ ପ୍ରେସ କର୍ମଚାରୀଙ୍କୁ ହରାଇ କଟକ ଚମ୍ପିୟାନ୍ ହୋଇଥିଲି ।

ଛାତ୍ରଙ୍କ ଭିତରେ ତୁମୁଳ ଗଣ୍ଡଗୋଳ ଆରମ୍ଭ ହୋଇଗଲା । ଛାତ୍ରନେତାଙ୍କ ଭିତରୁ ଜଣେ ଚିତ୍କାର କଲେ, 'ଆରେ ପ୍ରସନ୍ନ ହୋତା ଚାଲାକିକୁ ଏବେ ସମ୍ଭାଳ । ସେ ପୁଣି ଠକିଦେଲା' । ମୁଁ ସହାସ୍ୟ ବଦନରେ କହିଲି, ‘ଭାଇମାନେ ରେଭେନ୍‌ସା ଛାତ୍ରଙ୍କୁ କିଏ ଠକି ପାରିବ, ଏ ବିଶ୍ୱାସ ଅନ୍ତତଃ ମୋର ନାହିଁ । ମୁଁ ତ ଜିତିକରି ତୁମଠାରୁ କିଛି ମାଗୁନାହିଁ । ଏତେ ବିରକ୍ତ କାହିଁକି ହେଉଛ ? ମୋର ଏବେ ମଧ୍ୟ ବିଶ୍ୱାସ ଯେ ରେଭେନ୍‌ସା ଛାତ୍ରମାନେ ନିଜେ ନିଜର ନେତୃତ୍ୱ ନେବା ଜାଣନ୍ତି । ଆଉ କାହା କଥାରେ ସେମାନେ ଠକିଯିବେ ବୋଲି ମୋର ଆଦୌ ବିଶ୍ୱାସ ନାହିଁ । ତୁମେ କେତେଜଣ ପୁରୁଣା କାଗଜ ଦେଖିଲେ ଜାଣିବ, ମୁଁ ମଧ୍ୟ ଛାତ୍ର ନିର୍ବାଚନରେ ଜିତିଥିଲି । ତେବେ ଆମବେଳେ ଆମେ ନେତା ଥିଲୁ । ବାହାରର କେହି -ସେ କଲେକ୍ଟର ହେଉ ବା ଏସ୍.ପି. ବା ଅନ୍ୟ ଦୂର ଅଞ୍ଚଳର ଛାତ୍ରନେତା -ସେ ରେଭେନ୍‌ସା ଛାତ୍ରଙ୍କୁ କେବେ ମତେଇ ପାରିବ ନାହିଁ । ଚାଲନ୍ତୁ ଏସ୍.ପି. ସାହେବ, ଫେରିବା । ଭାଇମାନେ ଭଲରେ ରହନ୍ତୁ - ଏଇଆ ତ !’

ଛାତ୍ରଗଣ କିଛି କହିବା ପୂର୍ବରୁ ଗାଡ଼ିରେ ବସି ଆମେ ଚମ୍ପଟ । ମୁଁ ଏସ୍.ପି.ଙ୍କୁ କହିଲି, ‘କାଲି ପାଇଁ ସବୁ ବନ୍ଦୋବସ୍ତ କରିବେ । କିନ୍ତୁ ପୋଷାକପିନ୍ଧା ଫୋର୍ସ କଲେଜଛକ ଦୂର ଗଳିରେ ନଜର ଆଢ଼ୁଆଳରୁ ଗାଡ଼ିରେ ରହିବେ; କଲେଜରୁ ଦେଖାଯିବେ ନାହିଁ । ଦରକାର ହେଲେ ଆମେ ଡାକିବା ।’

ତା’ ଆରଦିନ ଏସ୍.ପି. ଖବର କଲେ ଯେ କୌଣସି ଶୋଭାଯାତ୍ରା ବାହାରିଲା ନାହିଁ । କଲେଜ କ୍ୟାମ୍ପସ୍ ଭିତରେ ‘ଅତ୍ୟାଚାରୀ ସରକାର ଡାଉନ୍ ଡାଉନ୍’ ସ୍ଲୋଗାନ୍ ହେଲା । ମାର୍ଚ୍ଚ ପାଷ୍ଟ ପରି କଲେଜ ହତା ଓ ବାରଣ୍ଡାରେ ଛାତ୍ରମାନେ ଧାଡ଼ିବାନ୍ଧି ସ୍ଲୋଗାନ୍ ଦେଇ ଘଣ୍ଟେ ଦୁଇଘଣ୍ଟା ବୁଲିଲେ । ତା’ପରେ ସବୁ ସ୍ୱାଭାବିକ ଚାଲିଲା ।

ଏ କଥାର ଏକ ଚରମ ପର୍ଯ୍ୟାୟ ଅଛି । ବିଶ୍ୱାସଯୋଗ୍ୟ ନହେଲେ ବି ସେବେଳର ପୋଲିସ ଅଫିସର, ଛାତ୍ର ଆଦି ଅଛନ୍ତି ଏବଂ ସେମାନେ ସତ୍ୟକୁ ସ୍ୱୀକାର କରିବେ ।

କାଳୀପୂଜା ସେହିମାତ୍ର ସରିଥାଏ । ଦୁର୍ଗାପୂଜାରେ ବେଶି ଭିଡ଼; କିନ୍ତୁ କାଳୀପୂଜାରେ ରାତିବେଳେ ତାମସିକ କାର୍ଯ୍ୟକଳାପ ବଢ଼ିଥାଏ । ଦିନ ସାଢ଼େ ଚାରି; ଏସ୍.ପି. ଫୋନ୍ କଲେ, ‘ଆଜ୍ଞା ଆଜି ଭୟାନକ ବିପଦ । ଏ ଆଡ଼େ ମେଢ଼ ସବୁ ବାହାରିବାକୁ ଅନୁମତି ଦିଆ ସରିଛି । ସେ ଆଡ଼େ ଏବେ ଏବେ ଖବର ଆସିଛି ଯେ ସନ୍ଧ୍ୟା ହେବାକ୍ଷଣି ଛାତ୍ରମୋର୍ଚ୍ଚା ନିଆଁହୁଳା ଧରି ପ୍ରସେସନରେ ବାହାରି ସହର ପରିକ୍ରମା କରିବେ । ପଶ୍ଚିମ ଓଡ଼ିଶା ଛାତ୍ରମାନେ ତାଙ୍କୁ ପ୍ରଭାବିତ କରିଛନ୍ତି; ଜନତା ଦଳର ନେତା ବି ଏହା ପଛରେ ଥାଇ ପାରନ୍ତି ।’

ମୁଁ ଏସ୍.ପି.ଙ୍କୁ କହିଲି, 'ଆଇ.ଜି. ଓ ଡି.ଆଇ.ଜି ଓଡ଼ିଶା ମିଲିଟେରୀ ପୋଲିସଙ୍କ ସଙ୍ଗେ କଥା ହୋଇ ଦଶ ପ୍ଲାଟୁନ୍ ଫୋର୍ସ ବ୍ୟବସ୍ଥା କରି କଲେଜ ଛକରୁ ଷ୍ଟେସନ୍, ହିନ୍ଦ୍ ସିନେମା ଏପଟେ କିଛି ବାଟ, ଛତ୍ରବଜାର ପୋଲ ପର୍ଯ୍ୟନ୍ତ ଡିପ୍ଲୟ କରନ୍ତୁ । ସବୁ ଥାନା ଇନ୍‌ସପେକ୍ଟର ଦୁଇ ଦୁଇ ପ୍ଲାଟୁନ୍ ଫୋର୍ସର ଓ ନିଜ କନେଷ୍ଟବଲ୍, ଏପିଆର୍ ଅଫିସରଙ୍କୁ ଧରି କଲେଜଛକରେ ମୁତୟନ କରନ୍ତୁ । ମୁଁ ଆସୁଛି । ମିଲିଟେରୀ ପୋଲିସ୍ ଓ APR (ଆର୍ମଡ୍ ପୋଲିସ ରିଜର୍ଭ)ଙ୍କୁ କୁହନ୍ତୁ ସେମାନେ ତାଙ୍କ ରାଇଫଲରେ ବାୟୋନେଟ୍ ଚକ୍ ଚକ୍ କରି ସଫା କରି ମାଉଣ୍ଟ କରି ଜନତା ନଜରରେ ପଡ଼ିବା ପରି ଦେଖାଇ ରଖନ୍ତୁ । ରେଭେନ୍‌ସା କଲେଜ ମେନ୍ ଗେଟ୍ ଓ ଇଷ୍ଟ୍ ହଷ୍ଟେଲ ଗେଟ୍ ପାଖରେ ପୁରା ବନ୍ଦୋବସ୍ତ କରିବେ । ଛାତ୍ରଦଳ ମେନ୍ ଗେଟରୁ ବାହାରିଲେ ପୋଲିସ ଇଷ୍ଟ୍ ହଷ୍ଟେଲ ଗେଟରୁ ଦୂରେଇ ଯାଇ ଠିଆହେବେ । ଛାତ୍ର ଇଷ୍ଟ୍ ହଷ୍ଟେଲ ଗେଟରୁ ବାହାରିଲେ ପୋଲିସ ମେନ୍ ଗେଟରୁ ଦୂରେଇ ହୋଇ ଠିଆହେବେ '। ସେନାପତି ସାର୍ ଆଉ ମୋ ଭିତରେ ସେତେବେଳକୁ ବିଭିନ୍ନ ସମୟରେ ଓ ସଂକଟରେ ଆମେ ଏକାଠି କାମ କରି କରି ପରସ୍ପର ଉପରେ ସଂପୂର୍ଣ୍ଣ ବିଶ୍ୱାସ ଆସି ଯାଇଥାଏ । ସେ ଦ୍ୱିରୁକ୍ତି ନକରି କାମରେ ଲାଗିଗଲେ । ମୁଁ ଛଅଟା ସୁଦ୍ଧା ସୁଟ୍-ଟାଇ ପିନ୍ଧି (ଗହଳିରେ ସହଜରେ ଜଣା ପଡ଼ିବି -ନହେଲେ ଭିଡ଼ରେ ନିଜେ ମାଡ଼ ଖାଇବା ସମ୍ଭାବନା ଅଧିକ) ଛଅଟା ପୂର୍ବରୁ ପହଞ୍ଚିଗଲି । କିତାବ ମହଲ ରାସ୍ତାରେ ଏସ୍.ପି. ଓ ଫୋର୍ସ ଏବଂ ମଙ୍ଗଳାବାଗ ଥାନାର ସୁଦକ୍ଷ ଇନ୍‌ସପେକ୍ଟର ଶ୍ରୀଯୁକ୍ତ ମିଶ୍ର ଠିଆ ହୋଇଥାନ୍ତି । ମୁଁ ଓହ୍ୱାଇ ପଡ଼ି ପଚାରିଲି, ‘କେତେ ଛାତ୍ର ଆସିବେ ବୋଲି ଗୋଇନ୍ଦା ରିପୋର୍ଟ ।’ ଏସ୍.ପି. ଚୁପ୍ ଚୁପ୍ କହିଲେ, ‘ଆଜ୍ଞା ପ୍ରାଣ ଭୟରେ କେହି ଭିତରକୁ ଯାଇ ନାହାନ୍ତି କାଳେ ନିଆଁହୁଳା ମୁହଁରେ ମାଡ଼ିଦେବେ ବୋଲି ।’ ସେ କଥା ସେତିକି ।

ମୁଁ ଚାରିଆଡ଼େ ନଜର ବୁଲାଇଲି; ସେନାପତି ସାର୍ ମୋ ଅନୁରୋଧ ଅନୁସାରେ ସବୁ ବନ୍ଦୋବସ୍ତ କରିଥାନ୍ତି । ବାୟୋନେଟ୍ ସବୁ ରାସ୍ତା ଓ ଦୋକାନ ଆଲୁଅରେ ଚକ୍ ଚକ୍ କରୁଥାନ୍ତି । ମତେ ଦେଖି ଦୋକାନୀମାନେ ତାଟିକବାଟ ବନ୍ଦ ନକରି ଉତ୍ସୁକତାର ସହିତ ସବୁ ଲକ୍ଷ୍ୟ କରୁଥାନ୍ତି । ଏହି ସମୟରେ ଜୋବ୍ରା ଆଡ଼ୁ ରାସ୍ତାରେ ମଶାଲ ଲାଇଟ୍ ପରି ଦେଖାଗଲା । ଏ କି ବିପଦ ! ଜୋବ୍ରା କାଳୀମେଢ଼ ଆସୁଛନ୍ତି, ଲମ୍ୱା ପ୍ରସେସନ୍ ପାଖାପାଖି ଦୁଇଶହ ଲୋକ । ତାଙ୍କୁ ଛକରେ ଅଟକା ଗଲା। ଦେଖୁ ଦେଖୁ ଇଷ୍ଟ ହଷ୍ଟେଲ ଗେଟ୍ ଭିତରୁ ନିଆଁ ମଶାଲ ଦେଖାଗଲା ।

ଘଟଣା ଗୋଟିକ ପରେ ଗୋଟିଏ; ଭାବିବାକୁ ବେଳ ନାହିଁ ! ପୁଣି ବାପାଙ୍କ କଥା ଆଉ ଶ୍ରୀଯୁକ୍ତ ଅକ୍ଷୟ ମହାନ୍ତିଙ୍କ କଥା ସ୍ମରଣ କରି ଆଗେଇଲି, ‘ଆମ ପ୍ରସନ୍ନ ମୁଣ୍ଡରେ ମସଲା ଅଛି ।’ ଇନ୍‌ସପେକ୍ଟର ମିଶ୍ରଙ୍କୁ ଏସ୍.ପି.ଙ୍କ ଓ ଫୋର୍ସ ସାମନାରେ କହିଲି, ‘ଆପଣ ମୋ ପଛେ ପଛେ ରିଭଲଭର୍ କାଢ଼ି ଦେଖାଗଲା ପରି ଆସନ୍ତୁ । ମୁଁ ଆପଣଙ୍କ ସଙ୍ଗେ ଖରାପ ବ୍ୟବହାର କରିପାରେ । ଏ ସବୁ କିନ୍ତୁ ଡ୍ରାମା । ମୁଁ ଏବେଠାରୁ ଆପଣଙ୍କ ହାତଧରି କ୍ଷମା ମାଗି ନେଉଛି । ଯେପରି କହୁଛି ସେପରି କରିବେ ।’ ସେତେବେଳକୁ ଏକାଠି ଅନେକ କାମ କରି ସବୁ ପୋଲିସ ଅଧିକାରୀ ମାନେ ମୋ ସଖା ବନି ସାରିଥାନ୍ତି। ସେ କୌଣସି ସଙ୍କୋଚ ନକରି ମତେ ଗଭୀର ଚାହାଣୀରେ ଦେଖିଲେ । ପ୍ରେମିକ ପ୍ରେମିକା ଠାରୁ ବଳି ସେ ଚାହାଣୀ -ତାହା ହେଉଛି ସମଗ୍ର ସମର୍ପଣର ଭାବ ।

ମୁଁ ତାଙ୍କ ଉପରେ ଭରସା କରି ଇଷ୍ଟ ହଷ୍ଟେଲ ଗେଟ୍ ଆଡ଼କୁ ଆଗେଇଲି । ଗେଟରୁ ବାହାରିବାକୁ ଛାତ୍ରମାନେ କିଛି ସମୟ ନେଲେ । ପୋଲିସ୍ ଓ ବାୟୋନେଟ୍ ସେମାନଙ୍କ ନଜରରେ ନିଶ୍ଚୟ ପଡ଼ିଥିବେ । ମୂଳ ନେତାମାନେ ଆଗରୁ ହଟି ଧୀରେ ଧୀରେ ପଛକୁ ଯାଇ ସ୍ଲୋଗାନ୍ ଆରମ୍ଭ କଲେ । ନିରୀହ ଛାତ୍ର କିଛି ଆଗ ଧାଡ଼ିରେ ; ସେମାନେ ଧୀର ପଦକ୍ଷେପରେ ଗେଟରୁ ବାହାରି ରାସ୍ତାର ବର୍ମ ପାଖାପାଖି ହେଲେ । ମୁଁ ତାଙ୍କ ଆଡ଼କୁ ଦୃଢ଼ ପଦକ୍ଷେପରେ ପ୍ରାୟ ଦୌଡ଼ିବା ପରି ଚାଲିଲି । ସେମାନେ ମୋ ଦୌଡ଼ିବା ଦେଖି ଟିକେ ଧୀର ହୋଇଗଲେ । ସବୁ ଦୁଇ ମିନିଟର କଥା । ୟା ଇସ୍ ପାର୍ ୟା ଉସ୍ ପାର୍ । ମୁଁ ରାସ୍ତା ମଝିକୁ ପହଞ୍ଚିଗଲି - ମୋ ପଛରେ ଉଦ୍ୟତ ରିଭଲଭର୍ ଧରି ଦୀର୍ଘକାୟ ଚେହେରାର ଇନ୍‌ସପେକ୍ଟର ଶ୍ରୀଯୁକ୍ତ ମିଶ୍ର । ମୁଁ ହଠାତ୍ ବୁଲିପଡ଼ି ତାଙ୍କୁ ସବୁ ଛାତ୍ର ଦେଖିବା ପରି ଜୋରରେ ଧକ୍କା ପକାଇଲି; ସେ ଅଟକିଗଲେ । ମୁଁ ଗର୍ଜି ଉଠି ଚିତ୍କାର କଲି, ‘ଆପଣ କିଏସେ ମୁଁ ଓ ମୋ ଛାତ୍ରବନ୍ଧୁଙ୍କ ମଧ୍ୟରେ ଠିଆ ହେବାକୁ !’ ପୁଣି ଏଥର ଏକ ମୃଦୁ ଧକ୍କା ଓ ଗର୍ଜନ - 'ମୋ ଛାତ୍ରଭାଇ ମାନଙ୍କ ଦେହରେ ଟିପ ବି ଦେଇ ପାରିବେ ନାହିଁ । Go back!’ ସେ କିଛିବାଟ ଫେରିଗଲେ। ତାପରେ ମୁଁ ଯାଇ ପ୍ରଥମ ଧାଡ଼ିର ଛାତ୍ରଙ୍କ ପାଖରେ ପହଞ୍ଚିଗଲି, କହିଲି, ତୁମେ ତିନିଜଣ ମୋ ପଛରେ ରୁହ । ତୁମ ଦୁଇ ନିଆଁ ମଶାଲ ମୋ ହାତରେ ଦିଅ । ମୁଁ ତୁମ ସଙ୍ଗେ ଆଗରେ ମାର୍ଚ୍ଚ କରିବି । ଏସ୍.ପି. ମୋ କଥା ଅମାନ୍ୟ କରୁଛନ୍ତି । ଦେଖୁନା କେତେ ରାଇଫଲ, ବାୟୋନେଟ୍ ଓ ମିଲିଟେରୀ ପୋଲିସ୍ । ସେଆଡ଼େ ଜୋବ୍ରାବାଲାଙ୍କୁ ସେ ମତେଇ ଦେଲେଣି । ତୁମ ଉପରେ ଆକ୍ରମଣ ହୋଇପାରେ, ଫାୟାରିଙ୍ଗ ହୋଇପାରେ, ବାୟୋନେଟ୍ ଚାର୍ଜ କରି ଭୁଷି ପାରନ୍ତି । ତେବେ ଯେ ପର୍ଯ୍ୟନ୍ତ ମୁଁ କଲେକ୍ଟର ତୁମ ସଙ୍ଗେ ଅଛି, ସେ ମୋ ପ୍ରାଣ କଥା ଭାବି ଏସବୁ କରି ନପାରନ୍ତି; ବିଳମ୍ୱ କର ନାହିଁ । ଦିଅ ହୁଳା; ଦିଅ ସ୍ଲୋଗାନ୍ - ‘ଛାତ୍ର ଏକତା ଜିନ୍ଦାବାଦ’, ‘Long Live Each Student Life'’ . ସେମାନେ ସ୍ଲୋଗାନର ଇଂରେଜୀ ତର୍ଜମାରେ ଏ ପରିବର୍ତ୍ତନ ଦେଖି ଆଉ କିଛି କହିପାରିଲେ ନାହିଁ । ମୁଁ ତାଙ୍କୁ Stand Still କଲି ନାହିଁ । ଧୀରେ ଧୀରେ ଶୋଭାଯାତ୍ରା ଅଗ୍ରଣୀରେ ସ୍ଲୋଗାନ୍ ଦେଇ ଦେଇ ଚାଲିଲି । ସମସ୍ତେ ମୋ ପଛେ ଚାଲିଲେ । ମୁଁ ଜାଣି ଜାଣି ଅତି ଧୀରେ ଧୀରେ ଚାଲିଲି - କିନ୍ତୁ ଚାଲୁଥାଏ । ଶୋଭାଯାତ୍ରା ରିଦିମରେ ବ୍ରେକ୍ କରୁନଥାଏ । ମଝିରେ ମଝିରେ ସ୍ଲୋଗାନ୍ ବି ଦେଉଥାଏ । ଅନ୍ତତଃ ସାମନାରେ ଥିବା ପଚାଶଜଣ ଛାତ୍ର ସଂପୂର୍ଣ୍ଣ ପୋଲିସ ବନ୍ଦୋବସ୍ତ ଦେଖିଦେଲେ । କିତାବ ମହଲ ପାଖରେ ଅଟକି ଥିବା ଜୋବ୍ରା କାଳୀମେଢ଼ ଶୋଭାଯାତ୍ରା ବି ଦେଖିଲେ। ମୁଁ ଧୀରେ ଧୀରେ ଚାଲୁଥାଏ ଓ ମୋ ବକୱାସ ଚିଲ୍ଲେଇ କରି କହୁଥାଏ: "ଦେଖ ଏସ୍.ପି. କଥା ମାନୁ ନାହାନ୍ତି । ତେବେ ମୁଁ ତୁମ ସଙ୍ଗେ ଥିବା ପର୍ଯ୍ୟନ୍ତ ସେ କିଛି କରି ପାରିବେ ନାହିଁ । ଏପରି ଆଗ ପନ୍ଦର ଧାଡ଼ି ଛାତ୍ରମାନଙ୍କୁ କଥାବାର୍ତ୍ତାରେ ମଜ୍ଜାଇ ରଖି ତାଙ୍କୁ ମେନ୍ ଗେଟ୍ ପାଖକୁ ନେଇଗଲି । ଭାଗ୍ୟକୁ ଗେଟ୍ ଖୋଲାଥିଲା । ଆମେ ଗେଟ୍ ରେ ପଶି ଟେନିସ ପଡ଼ିଆ ଆଡ଼କୁ ଆଗେଇଲୁ । ମୁଁ କହିଲି, "ତୁମେ ଏଠି ପୋଲିସର ମାତ୍ରାଧିକ୍ୟ ବନ୍ଦୋବସ୍ତ ବିରୁଦ୍ଧରେ ସଭା କର । ମୁଁ ତାଙ୍କୁ ସମ୍ଭାଳୁଛି ଯେ ସେମାନେ ତୁମର କିଛି କ୍ଷତି କରିବେ ନାହିଁ ।"

ତା’ପରେ ମୁଁ ସେହି ଅନ୍ଧାରରେ କଲେଜର ନୂଆଣିଆ ପାଚେରୀ ଚଢ଼ି ଟପି ମୂଳ ବଡ଼ ରାସ୍ତାକୁ ଯାଇ ଏସ୍ ପି ଙ୍କ ପାଖେ ପହଞ୍ଚିଗଲି । ସେ ମତେ ଦେଖି ଭାବାବେଗରେ କୁଣ୍ଢାଇ ପକାଇଲେ ଯେ ମୁଁ ଅକ୍ଷୁଣ୍ଣ ହୋଇ ଫେରି ଆସିଛି ।
ଛାତ୍ର ଶୋଭାଯାତ୍ରାର ନେତୃବୃନ୍ଦ ସେତେବେଳକୁ ଦଳେବଳେ ପିଛା କରି କଲେଜ ପଡ଼ିଆ ଭିତରେ । ତୁମୁଳ ଗୋଳମାଳ ତାଙ୍କ ଭିତରେ ଆରମ୍ଭ ହୋଇଗଲା । ‘କିଏ ଏଠାକୁ ଆସିବାକୁ କହିଲା ?’ କିନ୍ତୁ ସେଠାରୁ ଆଉ ସେମାନେ ନୂତନ ଉତ୍ସାହରେ ବାହାରି ପାରିଲେ ନାହିଁ । ଅଧିକାଂଶ ଛାତ୍ର ପୋଲିସର ପକ୍କା ବନ୍ଦୋବସ୍ତ ଦେଖି ଆଉ ବାହାରିବାକୁ ଅମଙ୍ଗ ହେଲେ । ମୁଁ ମାଇକ୍ ଧରି ୧୪୪ ଧାରା ଜାରିହେଲା ବୋଲି ଘୋଷଣା କଲି।

ତା’ପରେ ଆରମ୍ଭ ହେଲା ଟେନିସ୍ ପଡ଼ିଆରୁ ଅଶ୍ରାବ୍ୟ ଗାଳିଗୁଳଜ । ଆଗ ମୋ ଉପରେ ଗାଳି ବର୍ଷିଲା; ତା’ପରେ ମୋର ପରିବାର ବର୍ଗଙ୍କ ଉପରେ । ବଂଶର ସ୍ତ୍ରୀଲୋକଙ୍କୁ ଅସମ୍ମାନ କରି ମଧ୍ୟ ଗାଳି ଆସିଲା । ଶ୍ରୀଯୁକ୍ତ ପୂର୍ଣ୍ଣେନ୍ଦୁ ସେନାପତି ସମ୍ଭାଳି ନପାରି କହିଲେ, ‘ଫୋର୍ସ ଟେକ୍ ପୋଜିସନ୍ ଟୁ ଫାୟାର୍ ।’ ମୁଁ ହସିଦେଇ ତାଙ୍କୁ କ୍ଷାନ୍ତ କରାଇଲି । କହିଲି, "ତାଙ୍କ ମନ ପୁରୁ; ଗାଳି ଦେଲେ କ’ଣ ହେବ ?’ କାଲି ସେମାନଙ୍କୁ ଅନ୍ୟ ଛାତ୍ରମାନେ କଲେଜର ଇଜ୍ଜତ ଖରାପ କଲେ ବୋଲି ଗାଳି କରିବେ । ସାମାନ୍ୟ କଥାରୁ ଫାୟାରିଙ୍ଗ କରିବା ଭୁଲ ହେବ । କଥା ବଢ଼ିଯିବ "।

ତା’ ଆରଦିନ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଡକାଇଲେ, କହିଲେ, ଆଇ.ଜି. (ସେକାଳର ଡିଜିପି) ବ୍ୟସ୍ତ ହେଉଥିଲେ ଯେ ତୁମେ ଛାତ୍ର ମାନଙ୍କ ଭିତରକୁ ଚାଲିଗଲ । ସେମାନେ ତୁମକୁ ନିଆଁରେ ପୋଡ଼ି ଦେଇଥିଲେ ପୋଲିସ୍ ଦୋଷୀ ହୋଇଥାନ୍ତା । ମୁଁ ବିଶେଷ ଯୁକ୍ତିତର୍କ କଲିନାହିଁ - କହିଲି, ‘ସାର୍, ମୋ କାମ ଥିଲା ସମସ୍ୟାକୁ ଗୁରୁତର ହେବାରୁ ଅଟକାଇବା । ଛାତ୍ରଙ୍କୁ ମୁଁ କିପରି ମାରି ପାରିଥାନ୍ତି ! ଭାବିଲି ଠିକ୍ କାମରେ ଭାଗ୍ୟ ସହାୟ ହେବ ।’

ଜାନକୀ ପଟ୍ଟନାୟକ ସାର୍ ମୋ ଆଡ଼େ ଘଡ଼ିଏ ଚାହିଁଲେ, କହିଲେ, ‘ଏତେ ବିପଦ ବରଣ କରିବା ଦରକାର ନାହିଁ ।’ ମୁଁ କଟକ ଫେରିଲି । ଛାତ୍ର ଆନ୍ଦଳନ ଆଉ ବଢିଲାନି…..।