ସଆଦତ ହାସନ ମଣ୍ଟୋ ଏବଂ ଭାରତୀୟ ଆତ୍ମା

ମଣ୍ଟୋଙ୍କ ଯେଉଁ କାହାଣୀକୁ ନେଇ ଅତୀତରେ ତାଙ୍କ ନାମରେ ମକଦ୍ଦମା ରୁଜୁ କରାଯାଇଥିଲା । ଆଜି ବି ଦେଶରେ ସେହି ଗଳ୍ପକୁ ନେଇ ନାଟକ ପରିବେଷଣ ହେଉଛି । ଗଳ୍ପ ‘ବୁ’ ।


ଫଟୋ - ୱିକିପିଡିଆ

ଆଦତ୍ ହାସନ ମଣ୍ଟୋ । ହିନ୍ଦ ଉପମହାଦୀପର ବେମିସାଲ୍ କାହାଣୀକାର । ହିନ୍ଦୀ ସାହିତ୍ୟରେ ପ୍ରେମଚାନ୍ଦଙ୍କ ପରେ ପରେ ଏପରି ରଚନାକାର ତଥା ଏକମାତ୍ର ରଚନାକାର, ଯାହାଙ୍କ ରଚନାକୁ ଆଜି ପର୍ଯ୍ୟନ୍ତ ପଠନ କରାଯାଇଥାଏ । ଆଜି ବି ଜାତୀୟ ସ୍ତରରେ ତାଙ୍କ ରଚିତ ନାଟକ, ତାଙ୍କ ଗଳ୍ପର ନାଟ୍ୟ ରୂପାୟନ କରାଯାଇ ମଞ୍ଚସ୍ଥ କରାଯାଇଥାଏ । ଆଜି ବି ନିଶ୍ଚିତ ଭାବେ ତାଙ୍କ ପୁସ୍ତକ ଓ ରଚନା ପ୍ରତି ପାଠକଙ୍କ ଧ୍ୟାନ ଆକର୍ଷିତ ହୋଇଥାଏ । ୪୩ ବର୍ଷର ଛୋଟିଆ ସମୟ । ହଁ ଏତିକି ବର୍ଷ ସେ ଜିଇଁଥିଲେ । ୧୧, ମେ’ ୧୯୧୨ରେ ବ୍ରିଟିଶ୍ ଇଣ୍ଡିଆର ପଞ୍ଜାବ ପ୍ରାନ୍ତର ସରମାଲା ସହରରେ ଜନ୍ମିତ ଏହି ମହାନ ରଚନାକାରଙ୍କ ଦେହାନ୍ତ ଘଟିଥିଲା ମାତ୍ର ୪୩ ବର୍ଷ ବୟସରେ ୧୮ ଜାନୁଆରୀ ୧୯୫୫ ମସିହାରେ ପାକିସ୍ତାନର ପଞ୍ଜାବ ପ୍ରଦେଶର ଲାହୋର ସହରରେ । ମାତ୍ର ୪୩ ବର୍ଷର ଜୀବନ ଜିଇଁଥିବା ଏହି ମହାନ୍ ଲେଖକ ଜୀବନର ୨୨ ବର୍ଷ କଥାସାହିତ୍ୟ ରଚନାରେ ହିଁ ବ୍ୟତୀତ କରିଥିଲେ । ଲେଖିବା ତାଙ୍କର ଝୁଙ୍କ୍ ଥିଲା । ଥିଲା ବଞ୍ଚିବାର ସାହାରା । ଯଥାର୍ଥରେ ସେ ଠାଏ କହିଥିଲେ କି ‘ମୁଁ କାହାଣୀ ଲେଖେ ନାହିଁ, ବରଂ କାହାଣୀ ମୋତେ ବାରମ୍ବାର ଲେଖି ଚାଲୁଥାଏ ।’ ସେ ଯାହାବି ଲେଖିଛନ୍ତି ଆଜି ଊର୍ଦ୍ଧୁ ସାହିତ୍ୟ ପାଇଁ ଧରୋହର ପାଲଟିଛି ।

ସେ ଲେଖିଛନ୍ତି ୧୫୦ରୁ ଊର୍ଦ୍ଧ୍ୱ ଗଳ୍ପ । ବ୍ୟକ୍ତିଚିତ୍ର, ସଂସ୍ମରଣ, ସିନେମା ପାଇଁ ଚିତ୍ରନାଟ୍ୟ ଓ ସଂଳାପ । ଲେଖିଛନ୍ତି ରେଡିଓ ପାଇଁ ଅନେକ ନାଟକ ଓ ଏକାଙ୍କୀକା । ଲେଖିଛନ୍ତି ଅନେକ ଚିଠି, ସ୍ତମ୍ଭ ଓ ଖବର । ହଁ ସାମ୍ବାଦିକତା କରିଛନ୍ତି । ଖବର ସଂଗ୍ରହ କରିଛନ୍ତି । ହିନ୍ଦୁସ୍ତାନର ବିଭାଜନକୁ ନେଇ ଅନେକ ଲୋମଟାଙ୍କୁରା ଗଳ୍ପ ଲେଖିଛନ୍ତି । ବ୍ୟଙ୍ଗ ଲେଖିଛନ୍ତି । ବିଭାଜନର ତ୍ରାସଦୀକୁ ନେଇ ଲଘୁକଥା ଲେଖିଛନ୍ତି, ଟିପ୍ପଣୀ କରିଛନ୍ତି, ବ୍ୟବସ୍ଥାକୁ ବିଦ୍ରୁପ କରିଛନ୍ତି । ମଣ୍ଟୋଙ୍କ କାହାଣୀ ‘ଟୋବା ଟେକ୍ ସିଂହ’ର କୌଣସି ଜବାବ୍ ନାହିଁ, କୌଣସି ବିକଳ୍ପ ନାହିଁ । ଏହି କାହାଣୀରେ ବିଭାଜନର ଯେଉଁ ଚିତ୍ରକଳ୍ପ ତଥା ତ୍ରାସଦୀ ସେ ବ୍ୟାଖ୍ୟା କରିଛନ୍ତି ତାହା ଅତୁଳନୀୟ, ଅକଳ୍ପନୀୟ ।

ସେ ଭାରତ ପରିତ୍ୟାଗ କରି ପାକିସ୍ତାନ ଯିବାକୁ ହିଁ ଚାହୁଁ ନଥିଲେ । କିନ୍ତୁ ପରିସ୍ଥିତିର ତାଡ଼ନାରେ ମଣ୍ଟୋ ସାହେବଙ୍କୁ ପାକିସ୍ତାନରେ ମୁଣ୍ଡ ଗୁଞ୍ଜିବାକୁ ପଡ଼ିଲା । ମଣ୍ଟୋ ପାକିସ୍ତାନ ଚାଲିଗଲେ । ହେଲେ ତାଙ୍କ ଆତ୍ମା ଏଇଠି ରହିଗଲା । ଭାରତରେ । ହିନ୍ଦୁସ୍ତାନରେ । 'ମୋ ଦେଶର ଭୂମିର ବିଭାଜନର ରେଖା ଟଣାଗଲା, ଦେଶ ସ୍ୱାଧୀନତା ପାଇଲା । ଠିକ୍ ସେହିପରି ମୋର ଆତ୍ମା ଦୁଇଖଣ୍ଡ ହେଲା ଓ ମୋତେ ସ୍ୱାଧୀନତା ମିଳିଲା । ଚାଚା ସାମ୍ ଆପଣଙ୍କ ପରି ସର୍ବଗୁଣସମ୍ପନ୍ନ ବ୍ୟକ୍ତି ତ ନିଶ୍ଚିତ ଭାବେ ଜାଣିଥିବେ କି ପକ୍ଷୀ ପକ୍ଷ ଛେଦନ କରି ପଞ୍ଜୁରୀରୁ ମୁକ୍ତି ଦିଆଯିବା କୌଣସି ପ୍ରକାରର ସ୍ୱାଧୀନତା ନୁହେଁ’ ଏହା ଥିଲା ତତ୍‌କାଳୀନ ଆମେରିକାର ରାଷ୍ଟ୍ରପତି ଚାଚାସାମ୍‌ଙ୍କ ଉଦ୍ଦେଶ୍ୟରେ ମଣ୍ଟୋଙ୍କ ଦ୍ୱାରା ଲିଖିତ ଚିଠିର କେଇ ଧାଡ଼ି । ଏହି ଊଦ୍ଧୃତାଂଶରୁ ହିଁ ଦେଶ ବିଭାଜନ, ମଣ୍ଟୋଙ୍କ ଆତ୍ମାକୁ କିପରି ଖଣ୍ଡ ବିଖଣ୍ଡିତ କରିଥିଲା ଜଣାପଡ଼େ ।

ପାକିସ୍ତାନରେ ଅବସ୍ଥାନ କରିବା ପରେ ମଣ୍ଟୋ ମାତ୍ର ୭ ବର୍ଷ ବଞ୍ଚିଥିଲେ । ଶରୀର ସିନା ପାକିସ୍ତାନରେ ରହିଥିଲା, ରହିଗଲା, ହେଲେ ତାଙ୍କ ଆତ୍ମା ଏଇଠି, ଏଇ ଭାରତର ସିନେମା ଓ ସାହିତ୍ୟ ଖଟିରେ ଘୁରି ବୁଲୁ୍‌ଥିଲା । ଖୋଜୁଥିଲା ନିଜ ଶରୀରକୁ । ଯାହା ପାକିସ୍ତାନରେ ଥିଲା । ସ୍ୱାଧୀନତାର ପଞ୍ଜୁରୀରେ ବନ୍ଦୀ ହୋଇ ।

ସେ ବିଭଜାନର ଦୁଃଖ ନିଜେ ସହିଥିଲେ । ଭୋଗିଥିଲେ ନିଜର ଲୋକଙ୍କୁ ନିଜ ପରିବେଶକୁ ନିଜ ମାଟିକୁ ଛାଡ଼ି ଯିବାର ଯନ୍ତ୍ରଣା । ସେ ବିଭାଜନର ବିରୋଧୀ ଥିଲେ । ହେଲେ ନାଚାର ଥିଲେ । ଯାହା ଅବସ୍ୟମ୍ଭାବୀ ତାକୁ ପରିବର୍ତ୍ତନ କରିବାର ସାମର୍ଥ୍ୟ ତାଙ୍କର ନଥିଲା । ସେଥିଲାଗି ଯେ ବିଭାଜନର ଯନ୍ତ୍ରଣାରେ ନିଜେ ପ୍ରତି କ୍ଷଣ ସଢ଼ୁଥିଲେ । ବିଭାଜନ ବିରୋଧରେ ତାଙ୍କର କ୍ଷୋଭ, କ୍ରୋଧ ଅନେକ ପ୍ରସଙ୍ଗରେ ଉତ୍‌ଥାପନ ହେଉଥିଲା । ବିଭାଜନ ଯୋଗୁଁ ମଣିଷପଣିଆ ଲହୁଲୁହାଣ, ହେଲେ ସରକାରଙ୍କୁ ଏହାର ସମ୍ୟକ ଧାରଣା ନାହିଁ । ସରକାର ବେଖାତିର, ସମ୍ବେଦନହୀନ । ଟୋବା ଟେକ୍ ସିଂହ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରୁଛି । ତା ପାଇଁ ହିନ୍ଦୁସ୍ତାନ ଓ ପାକିସ୍ତାନର କୌଣସି ମାନେ ନାହିଁ । ତାକୁ ତା ନିଜ ମାଟିରୁ ଦୂର କରିଦିଆଯିବା କଥା ବାଧୁଛି । ଜନ୍ମଭୂମି ଓ କାର୍ଯ୍ୟଭୁମି ହିଁ ଟେକ୍ ସିଂହର ଦେଶ । ସେ ଏପରି ବିଭାଜନକୁ ସ୍ୱୀକାର କରେନା, ଯେଉଁଥିରେ ନିଜ ଭିଟାମାଟିରୁ ବେଦଖଲ ହେବାକୁ ପଡ଼ିବ । ଟୋବା ଟେକ୍ ସିଂହକୁ ଯୋର ଜବରଦସ୍ତି ହିନ୍ଦୁସ୍ତାନ ପଠାଯିବାକୁ ସେ ଘୋର ବିରୋଧ କରେ । ଏହା ଥିଲା ଟୋବା ଟେକ୍ ସିଂହର କଥା । ମଣ୍ଟୋଙ୍କ ଆତ୍ମାର କଥା ।

ଏଇଠି ସରିନି ମଣ୍ଟୋଙ୍କ ଟେକ୍ ସିଂହ କାହାଣୀ । ଶେଷ ଅବିସ୍ମରଣୀୟ । ଟୋବା ଟେକ୍ ସିଂହ ଆଜି ବି ନିତି ନିୟମକୁ ଓ ସରକାରଙ୍କୁ ପ୍ରଶ୍ନ ପଚାରି ଚାଲିଛି କି ବିଭାଜନରୁ କ’ଣ ମିଳିଲା । କ୍ଷମତାର ମୋହରେ ସେମାନେ ଯେଉଁ ନିଷ୍ପତ୍ତି ନେଲେ ତାହା କେତେ ଠିକ୍‌ ? ଦେଖ, ଟୋବା ଟେକ୍ ସିଂହ ହିନ୍ଦୁସ୍ତାନ ଚାଲିଯାଇଛି । ଯଦି ଯାଇନଥିବ ତେବେ ତାକୁ ଖୁବ୍ ଶୀଘ୍ର ପଠାଇ ଦିଆଯିବ । କିନ୍ତୁ ସେ ମାନିଲା ନାହିଁ । ତାକୁ ଯୋର ଜବରଦସ୍ତି ପଠାଯିବାର ବ୍ୟବସ୍ଥା କରାଯିବାରୁ ସେ ସୀମାରେଖାର ଏପରି ଏକ ସ୍ଥାନରେ ଠିଆ ହୋଇଗଲା, ଯେପରି କୌଣସି ଶକ୍ତି ନାହିଁ ଯାହା ତାକୁ ସେ ସ୍ଥାନରୁ ହଲାଇ ପାରିବ । ବିତିଗଲା କିଛି ଦିନ ଠିଆ ହୋଇଥିବା ସ୍ଥାନରୁ ଇଞ୍ଚେ ବି ହଲିଲା ନାହିଁ ଟୋବା ଟେକ୍ ସିଂହ । ସେଇ ଯାଗାରେ ଶେଷ ନିଃଶ୍ୱାସ ତ୍ୟାଗକଲା । ଟୋବା ଟେକ୍ ସିଂହର ଶରୀର ଦୁଇଦେଶର ସୀମାରେଖାରେ ଟଳିପଡ଼ିଲା । ଫାଳେ ହିନ୍ଦୁସ୍ତାନରେ ତ ଫାଳେ ପାକିସ୍ତାନରେ । ଯେଉଁ ସ୍ଥାନର କୌଣସି ନାମ ହିଁ ନଥିଲା ।

ରଙ୍ଗମଞ୍ଚ ନାଟକରେ ତ ସେ ଯାଦୁ କରିଛନ୍ତି । ପାଖାପାଖି ଦେଢ଼ବର୍ଷ କାଳ ଦିଲ୍ଲୀରେ ଅବସ୍ଥାନ ସମୟରେ ସେ ୧୦୦ରୁ ଊର୍ଦ୍ଧ୍ୱ ନାଟକ ଲେଖିଛନ୍ତି । ପରନ୍ତୁ ରଙ୍ଗମଞ୍ଚରେ ମଣ୍ଟୋଙ୍କୁ ଅଧିକ ଲୋକପ୍ରିୟ କରିଛି ତାଙ୍କର ଗଳ୍ପ । ତାଙ୍କ ଗଳ୍ପରେ ଭରି ରହିଥିବା ନାଟକୀୟତା । ମଣ୍ଟୋଙ୍କ ତିନୋଟି ଗଳ୍ପକୁ ନେଇ ନାଟକ କରିଥିବା ଆଗ୍ରାର ଗରିମା ମିଶ୍ର କହନ୍ତି କି ମଣ୍ଟୋଙ୍କ ଏହି ଗଳ୍ପରେ ପ୍ରେମର କଥା କୁହାଯାଇଛି, ଆମେ ତାଙ୍କ ଗଳ୍ପରେ ଥିବା ଭିନ୍ନ ଏକ ପ୍ରେମର ସ୍ୱରୂପକୁ ଦର୍ଶକଙ୍କ ସାମ୍ନାକୁ ଆଣିବାକୁ ଚାହିଁଥିଲୁ । ସମୁଦାୟ ନାଟକରେ ଦୁଇଟି ରଙ୍ଗ କଳା ଓ ଧଳାର ବହୁଳ ବ୍ୟବହାର ସମ୍ପୂର୍ଣ୍ଣ ପୋଷାକ ଓ ସେଟ୍‌ରେ ପରିଲକ୍ଷିତ ହୋଇଥିଲା । ଏହା ବ୍ୟତୀତ ମଣ୍ଟୋଙ୍କର ଅନ୍ୟ କିଛି ଗଳ୍ପକୁ ନେଇ ଏକକ ନାଟକ ପରିବେଷଣ ମଧ୍ୟ କରାଯାଇଛି । ପୂର୍ବରୁ କହିଛି ଆଜି ମଧ୍ୟ ଜାତୀୟ ସ୍ତରରେ ମଣ୍ଟୋଙ୍କ ଗଳ୍ପକୁ ନେଇ ରଙ୍ଗମଞ୍ଚରେ ପରୀକ୍ଷା ନିରୀକ୍ଷା ଜାରି ରହିଛି ।

‘ମେରା ନାମ୍ ରାଧା ହୈ’ ଯୁବ ନିର୍ଦ୍ଦେଶିକା ଅମ୍ବିକା କମାଲ୍‌ଙ୍କ ନିର୍ଦ୍ଦେଶିତ ନାଟକ ମଣ୍ଟୋ, ସିନେମା ନିର୍ଦ୍ଦେଶକ ଓ ରାଧା ଚରିତ୍ରକୁ ନେଇ ଗତି କରୁଛି । ନାଟକରେ ମହିଳାମାନଙ୍କ ପ୍ରତି ସମାଜର ଏକପାଖିଆ ମନୋଭାବ, ପୁରୁଷକୈନ୍ଦ୍ରିକ ସମାଜରେ ପ୍ରତି କ୍ଷଣେ ପ୍ରତାଡ଼ିତ ହେଉଥିବା ମହିଳାର କାହାଣୀକୁ ଚମତ୍କାର ଢଙ୍ଗରେ ପରିବେଷଣ କରିଥିଲେ ଅମ୍ବିକା କମାଲ । ଆଜି ବି ମଣ୍ଟୋଙ୍କ କାହାଣୀ ସମକାଳୀନ । ସମସାମୟିକ ପରିସ୍ଥିତି ସହିତ ତୁଳନୀୟ । ମଣ୍ଟୋଙ୍କ ଯେଉଁ କାହାଣୀକୁ ନେଇ ଅତୀତରେ ତାଙ୍କ ନାମରେ ମକଦ୍ଦମା ରୁଜୁ କରାଯାଇଥିଲା । ଆଜି ବି ଦେଶରେ ସେହି ଗଳ୍ପକୁ ନେଇ ନାଟକ ପରିବେଷଣ ହେଉଛି । ଗଳ୍ପ ‘ବୁ’ । ଅଶ୍ଳୀଳତାର ଅଭିଯୋଗ ଥିବା ଏହି କାହାଣୀରେ ସମାଜର ବାସ୍ତବ ଚିତ୍ର ବିଷୟରେ ଆଲୋକପାତ କରାଯାଇଥିଲା । ଆଉ ସମାଜକୁ ନିଜ ବାସ୍ତବତାର ଚିତ୍ର ସାହିତ୍ୟ ଆଇନାରେ ଦେଖିବାକୁ ଭଲ ଲାଗିଲା ନାହିଁ ।

ନାଟକର ଆରମ୍ଭ ଓ ଶେଷ ଜଲ୍‌ଦି କରାଯାଇଥାଏ । ଠିକ୍ ସେପରି ଯଥାର୍ଥରେ କୁହାଯାଇଥାଏ କି ମଣ୍ଟୋ ଏପରି ବ୍ୟକ୍ତି ଥଲେ, ଯାହାଙ୍କୁ ଜୀବନ ଜିଇଁବା ପାଇଁ ଓ ମରିବା କ୍ଷେତ୍ରରେ ଜଲ୍‌ଦି ଥିଲା ।

Report an Error