
କୁଆଡ଼େ ଗଲା ସେ ଜୀବନ
ଯାହା ବାହୁଡ଼ି ନୋହିଲା ।
କୁଆଡ଼େ ଗଲା ପୁରୁଣା ବସ୍ଷ୍ଟେଣ୍ଡର ସେ ଖଟି
ଅଛିଣ୍ଡା ତର୍କ ସହ ଗରମ ଚା ର ସୁସ୍କି
ବୁକ୍ଷ୍ଟଲ୍ରେ ପତ୍ରିକାର ପୃଷ୍ଠା ଓଲଟଉ ଥିବାବେଳେ
କୋଉ ଏକ ଧାଡ଼ିରେ ଲାଖି ଯାଉଥିବା ଆଖିର ସେ
ସହଜ ସରଳ ସ୍ୱାଭାବିକ ଦିନ ମାନ କୁଆଡ଼େ ଗଲା ?
କେତେ ଦିନ ହେଲା ପୁଅ ଯାଇନି ନାଚ କ୍ଳାସ
କେହି ଆସୁନି ଡ଼୍ରଇଁକ୍ଳାସ ତ ଖାଲି ପଡ଼ିଛି କାନ୍ଭାସ
ମଂଚ ଅନ୍ଧାର ଆଉ ଶୂନଶାନ୍
କେତେଦିନ ହେଲା ସେ ଦେଖିନି ଆଲୁଅ
ଶୁଣିନି ସଂଳାପ, ସଂଗୀତ ତାଳି କରତାଳି ଗାଳି
କେତେଦିନ ହେଲା ଦାମ ମୁହଁରେ ଲଗେଇନି ରଂଗ
ନୀତା ପାଦରେ ବାନ୍ଧିନି ଘୁଂଗୁର
ପରଦା ଅଢୁଆଳରୁ
ନିର୍ଦ୍ଦେଶକ ପାଇନି ନାୟକକୁ ଠାରିବାର ଅବସର
ବାଦ୍ୟଯନ୍ତ୍ରରେ ଦେଖିଲ କେମିତି ଜମିଯାଇଛି ଧୂଳି
ହାତମାନେ ଆଂଗୁଠି ଚାଳନା ତ ଯିବେ ନାହିଁ ଭୁଲି ?
କହିଲ ଦେଖି କେତେଦିନ ହେଲା ହାଟପଦାରେ
ପଡ଼ି ନାହିଁ କୌଣସି ଅପେରା
କୋଉଠି ନାୟକ ନାୟିକା କରୁଥିବେ ପ୍ରେମାଳାପ
କାହାକୁ ଡ଼ାଇଲଗ୍ ମାରି ଖଳନାୟକ କରୁଥିବ ଆତଙ୍କିତ
ଚରିତ୍ର ଅଭିନେତାର ‘ଚରିତ୍ର’ ଥିବ ତ ସହି ସଲାମତ ?
କୁଆଡ଼େ ଗଲା ସେ ମୀନାବଜାର
ସେ ବାଇକ୍ଚାଳକ ମୌତ କା କୂଆଁର
ପସରା ମେଲିଥିବା ଦୋକାନୀ ହରେକମାଲର
ଆମ କାନମୁଣ୍ଡକୁ ଭାଇଁଭାଇଁ କରି ଦେଉଥିବା
ସେ ରାମଦୁଲି, ଡ଼ିସ୍କୋ, ଡ଼୍ରାଗନ୍ର ଚାଳକମାନେ
କେମିତି ବାହୁଥିବେ ନିଜ ଭୋକର ବହଳ ଅନ୍ଧାର ?
ତୁମେ ଯେଉଁ ବନ୍ଧୁମାନେ ଚାଲିଗଲ ଅବେଳା
କେମିତି କହିବି ମୋ ଭିତରୁ କିଛି ସରିଗଲା
କଲିଜାର କେତେ ଅଂଶ ମରିଗଲା
ସେ ଯେଉଁ ଜୀବନ ଥିଲା ଆଉ ବାହୁଡ଼ି ନୋହିଲା ।
ତୁମେ ଯେଉଁମାନେ କାମ ଖୋଜି ଗାଁ ଛାଡ଼ିଥିଲ
କେମିତି କହିବି ତୁମ ସହ ଗୋଟେ ଦେଶ ଚାଲୁଥିଲା
ଦେଶର ପାଦରୁ ଛାଲ ଉତୁରୁଥିଲା
ତୁମର ନୁହଁ ଦେଶର ପେଟ ଜଳୁଥିଲା
ତୁମ ସହ ଗୋଟେ ଦେଶ ମରୁଥିଲା
ତୁମକଥା ନ କହିବା ଭଲ
ବିଶ୍ୱଗୁରୁ ସାଜିଥିବା ଦେଶକୁ ଅଯଥା ବଦନାମ କଲ !!!