ପେଶାଦାର ମଞ୍ଚର ଅଭାବ

ଏଠାରେ ପ୍ରଫେସନାଲିଜିମ୍‌ର ଘୋର ଅଭାବ । ପ୍ରଫେସନାଲ୍ ଟେକ୍ନିସିଆନ୍‌ଙ୍କ ଅଭାବ । ଗୋଟିଏ ନାଟକକୁ ନ୍ୟାୟ ଦେବା ପାଇଁ ଯଥେଷ୍ଟ ଅଭ୍ୟାସ ହୋଇପାରେ ନାହିଁ କି ଟେକ୍ନିକାଲ୍ ଅଭ୍ୟାସ ମଧ୍ୟ କରାଯାଇପାରେ ନାହିଁ ।


ସାଧାରଣତଃ ନାଟକ ଲେଖାଯାଇଥାଏ ମଞ୍ଚସ୍ଥ ହେବା ପାଇଁ । ନାଟକର ମଞ୍ଚାୟନରେ ହିଁ ନାଟକ ପୂର୍ଣ୍ଣତା ପାଇଥାଏ । ନାଟକର ମଞ୍ଚାୟନ ପାଇଁ ନାଟକ, ନିର୍ଦ୍ଦେଶକ, ଅଭିନେତା ସମେତ ଅନେକ ଟେକ୍ନିସିଆନ୍‌ଙ୍କ ଆବଶ୍ୟକତା ରହିଥାଏ । ସାଧାରଣତଃ ଗୋଟିଏ ଦଳ ନାଟକ ପରିବେଷଣ କରିଥାନ୍ତି । ଗାଁ ଗହଳିରେ ବିଭିନ୍ନ କ୍ଲବ୍ ଆଦି ନାଟକ ପରିବେଷଣ କରିଥାନ୍ତି । ସେହି କିଛିଦିନ ଗୋଟିଏ ପର୍ବ ପରି ଲାଗିଥାଏ । ନାଟକ ପରିବେଷଣ ପାଇଁ ଅର୍ଥ ଯୋଗାଡ଼ଠାରୁ ଆରମ୍ଭ କରି ନାଟକ ଅଭ୍ୟାସ ପାଇଁ ଆନୁଷଙ୍ଗିକ କାର୍ଯ୍ୟ ସମ୍ପନ୍ନ କରିବା ଅନେକାଂଶରେ ନାକେଦମ୍ ହୋଇଥାଏ । ଆଜିକାଲି ତ ଗାଁ ଗହଳିରେ ଆଉ ନାଟକ ପରିବେଷଣ ସେତେ ହେଉନାହିଁ । ତେବେ ବ୍ୟବସାୟିକ ଯାତ୍ରା ଦଳ ବିଭିନ୍ନ ସମୟରେ ଅର୍ଥାତ୍ ପର୍ବପର୍ବାଣୀ ସମୟରେ ନାଟକ ପରିବେଷଣ କରିଥାନ୍ତି । କିଛି ସ୍ଥାନରେ ଫ୍ରି ସେଲ୍ ନାଟକ ପରିବେଷଣ ହେଉଥିବା ବେଳେ କିଛି କିଛି ଗାଁରେ ଗୋଟିଏ ଗୋଷ୍ଠୀ କରି ଟଙ୍କା ଠୁଳ କରି ନାମକରା ଯାତ୍ରା ପାର୍ଟିଙ୍କୁ ଡକାଇ ଟିକେଟେଡ୍ ନାଟକ ପରିବେଷଣ କରାଯାଇଥାଏ । ତେବେ ସବୁରି ମୂଳରେ ଗୋଟିଏ ଦଳର ଆବଶ୍ୟକତା ପଡ଼ିଥାଏ । ଯେଉଁ ଦଳ ବା ଗୋଷ୍ଠୀ ଏହି ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପନ୍ନ କରିଥାଏ ।

ଆମ ରାଜ୍ୟରେ ଅନ୍ନପୂର୍ଣ୍ଣା, ଜନତା ଆଦି ବ୍ୟବସାୟିକ ରଙ୍ଗମଞ୍ଚର ପତନ ପରେ ଅନେକ ସୌଖିନ ନାଟ୍ୟସଂସ୍ଥା ମୁଣ୍ଡ ଟେକିଲେ । ପୌରାଣିକ, ଐତିହାସିକ ତଥା କାଳ୍ପନିକ ନାଟକ ପରିବର୍ତ୍ତେ ଧୀରେ ଧୀରେ ସାମାଜିକ ନାଟକ ପ୍ରାଧାନ୍ୟ ବିସ୍ତାର କରିବା ଆରମ୍ଭକଲା । ସୌଖିନ ନାଟ୍ୟସଂସ୍ଥାମାନେ ଏହାକୁ ସମକାଳୀନ ନାଟକ ବୋଲି କହିଲେ । ସାମାଜିକ ନାଟକର ଅତ୍ୟାଧୁନିକ ରୂପ । ବିଭିନ୍ନ ଦେଶରେ ତଥା ଜାତୀୟସ୍ତରରେ ନାଟକ ଶିକ୍ଷା କରି ନାଟ୍ୟକର୍ମୀମାନେ ନାଟକକୁ ଅନେକ ପରୀକ୍ଷାନିରୀକ୍ଷା କରିବା ଆରମ୍ଭ କଲେ । ଯଦିଓ ଏହି ସୌଖିନ ନାଟ୍ୟସଂସ୍ଥା ପରିବର୍ତ୍ତେ ପ୍ରଖ୍ୟାତ ମଞ୍ଚଶିଳ୍ପୀ ଅସୀମ ବସୁ ଏହାକୁ ଅଙ୍ଗୀକାରବଦ୍ଧ ନାଟ୍ୟସଂସ୍ଥା ବୋଲି କହିଆସୁଥିଲେ । ଆଜିର ଆଲେଖରେ ଏହି ନାଟ୍ୟସଂସ୍ଥାମାନଙ୍କ ଭୂମିକା ଉପରେ ଆଲୋଚନା ।

ଓଡ଼ିଶାରେ ଏପରି ଶହ ଶହ ନାଟ୍ୟସଂସ୍ଥା ଅଛନ୍ତି, ଯେଉଁମାନେ ନିତ୍ୟ ନିୟମିତ ନାଟକ ପରିବେଷଣ କରିଆସୁଛନ୍ତି । ଏଇ ଜାନୁଆରୀରୁ ଆରମ୍ଭ ହୋଇଯାଏ ନାଟକର ଋତୁ । ଆରମ୍ଭ ହୁଏ ନାଟକଉତ୍ସବ । ଧାଡ଼ି ଲାଗିଯାଏ ଭୁବନେଶ୍ୱରର ରବୀନ୍ଦ୍ରମଣ୍ଡପ ଆଗରେ ଦର୍ଶକଙ୍କ ଆଗମନ । କେବଳ ଭୁବନେଶ୍ୱର ନୁହେଁ, ରାଉର୍‌କେଲା, ଅନୁଗୁଳ, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, କରଞ୍ଜିଆ, ଭବାନୀପାଟଣା, କୋରାପୁଟ୍ ଓ କେନ୍ଦ୍ରାପଡ଼ା ଆଦି ଅନେକ ସ୍ଥାନରେ ନାଟକ ଉତ୍ସବମାନ ଆୟୋଜିତ ହୋଇଥାଏ । ଓଡ଼ିଶାରେ ବିିଭନ୍ନ ନାଟକ ଦଳଙ୍କୁ ନେଇ ଗଠିତ ହୋଇଛି ଓଡ଼ିଶା ନାଟ୍ୟ ସଂଘ । ଯାହା ନିୟମିତ ଭାବେ ସରକାରଙ୍କ ସହିତ ଯୋଗାଯୋଗ କରି ନାଟକର ଉନ୍ନତି ନିମନ୍ତେ ବିଭିନ୍ନ ଉପଯୋଗୀ ପଦକ୍ଷେପ ନେଇଥାଏ । ରାଜ୍ୟର ନାଟକଦଳମାନେ ସାଧାରଣତଃ ସରକାରୀ ପ୍ରୋତ୍ସାହନ ଉପରେ ଅଧିକ ନିର୍ଭରଶୀଳ । ରାଜ୍ୟର ବିଭିନ୍ନ କର୍ପୋରେଟ୍ ସଂସ୍ଥାମାନେ ସମୟେ ସମୟେ କିଛି କିଛି ପ୍ରୋତ୍ସାହନ ରାଶି ଯୋଗାଇ ଦେଇଥାନ୍ତି । ଯାହା ସମୁଦ୍ରକୁ ଶଙ୍ଖେ ପରି ।

ଏଠାରେ ଟିକେଟ୍ କାଟି ନାଟକ ଦେଖିବା ପରମ୍ପରା ହଜି ଗଲାଣି କହିଲେ ଚଳେ । ଫଳରେ ରାଜ୍ୟରେ ନାଟକ ବିଦ୍ୟାଳୟ ଥିବା ସତ୍ତ୍ୱେ ନାଟକ ବିଭାଗରେ ପଠନରତ ଛାତ୍ରଛାତ୍ରୀମାନେ ଉତ୍ତୀର୍ଣ୍ଣ ହେବା ପରେ ଟିଭି ସିରିଏଲ୍‌ରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଉଚିତ୍ ମଣନ୍ତି । ଆଉ ନାଟକ ସଂସ୍ଥାମାନେ ସୌଖୀନ ନାଟକର୍ମୀଙ୍କ ଉପରେ ନିର୍ଭରଶୀଳ ହୋଇରହିଥାନ୍ତି । ଓଡ଼ିଶାରେ ମଞ୍ଚନାଟକରେ ମହିଳା ଅଭିନେତ୍ରୀଙ୍କ ସଂଖ୍ୟା ମଧ୍ୟ ନଗଣ୍ୟ । ଅନେକ ସମୟରେ ତ ମହିଳାପ୍ରାଧାନ୍ୟ କିମ୍ବା ଅଧିକ ମହିଳା ଚରିତ୍ର ଥିବା ନାଟକକୁ ଅଣଦେଖା କରିଥାନ୍ତି ନାଟଦଳମାନେ । କାମଚଳା ନାଁରେ ଜଣେ ଅଧେ ମହିଳା ଚରିତ୍ର ଥିବା ନାଟକ ଚୟନ କରିଥାନ୍ତି । ଯଦିଓ ସାମ୍ପ୍ରତିକ ସମୟରେ କିଛି କିଛି ଛାତ୍ରୀ ନାଟକକୁ ଆଦରିଛନ୍ତିି । ହେଲେ ସେମାନଙ୍କ ମନରେ ସିରିଏଲ୍‌, ସିନେମା ଏପରିକି ୱେବ୍ ସିରିଜ୍ ଅଧିକ ଲୋଭ ସୃଷ୍ଟି କରିପାରିଛି । ନାଟକ ସେମାନଙ୍କ ପାଇଁ ଅଭିନେତା ହେବାର ପ୍ରଥମ ମାଧ୍ୟମଟିଏ ହୋଇ ହିଁ ରହିପାରିଛି । ଅର୍ଥ ନଥିବାରୁ ସେମାନେ ଏହାକୁ ସମ୍ପୂର୍ଣ୍ଣ ରୂପେ ଆଦରି ପାରିନାହାନ୍ତି । ଅର୍ଥ ନଥିବାରୁ ପୁରୁଷ ଅଭିନେତା ମଧ୍ୟ କମିଟେଡ୍ ହୋଇପାରୁନାହାନ୍ତି । ଯାବତୀୟ ଦୈନନ୍ଦିନ କାର୍ଯ୍ୟ ସମ୍ପନ୍ନ କରିବା ପରେ ହିଁ କେବଳ ସଞ୍ଜରେ ସେମାନେ ନାଟକ ଅଭ୍ୟାସ କରିବାକୁ ଆସିଥାନ୍ତି । ଆଜି କିଏ ଆସିଛି ତ କାଲି କିଏ ଆସିନି । ଏପରି ଚାଲେ ନାଟକ ଅଭ୍ୟାସ ।

ଏଠାରେ ପ୍ରଫେସନାଲିଜିମ୍‌ର ଘୋର ଅଭାବ । ପ୍ରଫେସନାଲ୍ ଟେକ୍ନିସିଆନ୍‌ଙ୍କ ଅଭାବ । ଗୋଟିଏ ନାଟକକୁ ନ୍ୟାୟ ଦେବା ପାଇଁ ଯଥେଷ୍ଟ ଅଭ୍ୟାସ ହୋଇପାରେ ନାହିଁ କି ଟେକ୍ନିକାଲ୍ ଅଭ୍ୟାସ ମଧ୍ୟ କରାଯାଇପାରେ ନାହିଁ । ନାଟକ ପରେ ଖୁବ୍ ଆଲୋଚନା ହୁଏ, ମାତ୍ର ନାଟକ ପୂର୍ବରୁ ନାଟକର ବିଭିନ୍ନ ଦିଗରେ ଆବଶ୍ୟକୀୟ ଆଲୋଚନା ହୁଏନାହିଁ । ମୁଁ ନୁହେଁ, ଆମେ ଯେ ଦଳର ସଫଳତାର ମୂଳମନ୍ତ୍ର । ଏହା ଦେଖାଯାଏନାହିଁ । ତଥାପି ଦଳ ସଂଗ୍ରାମ କରିଚାଲିଥାଏ । ଅର୍ଥ ଯୋଗାଡ଼ଠାରୁ ଆରମ୍ଭ କରି ଟେକ୍ନିସିଆନ୍ ଓ ଅଭିନେତ୍ରୀ ଖୋଜିବା ସହିତ ଦର୍ଶକ ଯୋଗାଡ଼ । ଗୋଟିଏ ସୁହୃଦ ଦର୍ଶକମଣ୍ଡଳୀ ସୃଷ୍ଟି କରିବା ଜରୁରୀ । ଜରୁରୀ ନିୟମିତ ଭଲ ନାଟକ ପରିବେଷଣ କରିବା । ଯାହା ଗୋଟିଏ ଦଳ ସର୍ବଦା ଏଥିପାଇଁ ତତ୍ପରତା ପ୍ରକାଶ କରିଥାଏ ।

ଅତୀତରେ ଥରେ ପ୍ରଖ୍ୟାତ ନାଟ୍ୟକାର ବିଜୟ ମିଶ୍ର କହିଥିଲେ କି ନାଟ୍ୟକାରକୁ ଏକ ଦଳ ସହିତ ଯୋଡ଼ି ହୋଇ ରହିବା ଉଚିତ୍ । ଫଳରେ ନାଟ୍ୟକାରର ନାଟକ ଯଥେଷ୍ଟ ପରିମାଣରେ ପରିବେଷଣ ହୋଇପାରିବ ।

ପୂର୍ବରୁ କହିଛି, ଜାନୁଆରୀରୁ ରାଜ୍ୟରେ ଆରମ୍ଭ ହୋଇଯାଏ ନାଟକର ଋତୁ । ଏବେ ଭୁବନେଶ୍ୱରର ଅନ୍ୟତମ ନାଟ୍ୟସଂସ୍ଥା ମନନ ରବୀନ୍ଦ୍ରମଣ୍ଡପରେ ଜାରିରଖିଛି ମନନ ନାଟ୍ୟଉତ୍ସବ । ପରେ ପରେ ଏଇ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଉତ୍ତରପୁରୁଷ, ଅସୀମ ବସୁ ଫାଉଣ୍ଡେସନ୍‌, ମୁକ୍ତି, ପଞ୍ଚମବେଦ, ଶତାବ୍ଦୀରକଳାକାର ଆଦି ଅନେକ ନାଟ୍ୟସଂସ୍ଥା ନାଟକ ଉତ୍ସବ କରିବେ । ସମ୍ପ୍ରତି ନାଟକ ଉପରେ କରୋନାର କଳାବାଦଲ ଘେରିଛି । ତଥାପି ସରକାରଙ୍କ ସମସ୍ତ କୋଭିଡ୍ ନିୟମ ମାନି ଜାରିରହିଛି ନାଟକ ପରିବେଷଣ । ଆସନ୍ତୁ ନାଟକ ଦେଖିବା । ବହୁ କଷ୍ଟରେ ନାଟକ ଆୟୋଜନ କରୁଥିବା ଦଳଙ୍କୁ ଉତ୍ସାହିତ କରିବା ।

Report an Error