ଚିତ୍ର - ରମାକାନ୍ତ ସାମନ୍ତରାୟ

ଦଶହରା ଯିବାର ପାଞ୍ଚ ଦିନ ପରେ ପଡେ଼ କୁଆଁର ପୁନେଇଁ । ସାରାବର୍ଷର ପୁନେଇଁଠାରୁ କୁଆଁର ପୁନେଇଁର ଜହ୍ନ ବେଶୀ ତୋଫା । ଦଶହରା ପରେ ପରେ ଜହ୍ନ ସଫା ହେବାକୁ ଆରମ୍ଭ ହୁଏ । ଆମେ ସବୁ ପିଲାଦିନେ ଦଶହରା ଅପେକ୍ଷା କୁଆଁର ପୁନେଇଁକୁ ବେଶୀ ବେଶୀ ଅପେକ୍ଷା କରିଥାଉ । କାରଣ କୁଆଁର ପୁନେଇଁ ବେଳକୁ ଆମ ଗାଁକୁ ଭୂତ ଆସନ୍ତି । ଗୋଟେ ଦିଇଟା ନୁହେଁ ପୂରା ପଚିଶ ସରିକି ବିଭିନ୍ନ ଆକାରର ଛୋଟ ବଡ଼ ଭୂତ । କିଛି ସମୟ ପାଇଁ ପୂରା ଗାଁ ଦାଣ୍ଡକୁ ନିଜ ଅକ୍ତିଆରକୁ ନେଇଯାଆନ୍ତି ସେମାନେ ।

କୁଆଁର ପୁନେଇଁ ବେଳକୁ ଆମ ଗାଁ ପୂରାପୂରି ବଦଳି ଯାଏ । ବାହାରେ ପାଠଶାଠ ପଢୁଥିବା ଓ ଚାକିରି ବାକିରି କରୁଥିବା ପିଲାଏ ଖାସ୍ କୁଆଁର ପୁନେଇଁ ପାଇଁ ଗାଁକୁ ଫେରନ୍ତି । ସେମାନଙ୍କ ପାଇଁ ଗାଁରେ ଅପେକ୍ଷା କରି ରହିଥାଏ କାହିଁରେ କେତେ ଆକର୍ଷଣ ।

ଝିଅମାନେ ସଞ୍ଜ ଗଡୁ ଗଡୁ ଦାଣ୍ଡ ପିଣ୍ଢାରେ ମେଳି ହେଇ ବସି କୁଆଁର ପୁନେଇଁ ଗୀତ ଗାଆନ୍ତି । “କଦମ୍ବ ଗଛର ଛାଇଗୋ ଫୁଲ ବଉଳ ବେଣୀ.. .. .. କୃଷ୍ଣ ଯେତେବେଳେ କଦମ୍ବ ତୋଳନ୍ତି ଏ ଡାଳ ସେ ଡାଳ ଡେଇଁ ଗୋ ଫୁଲ ବଉଳ ବେଣୀ.. ..”

ତାସ୍ ପଶାପାଲିର ଆସର ଚାଲେ । ଗାଁ ଠାକୁରାଣୀ ଦାଣ୍ଡରେ ଝିଅ ଓ ବୋହୁମାନଙ୍କ ଘରୁ ଭାର ବେଭାରରେ ଆସିଥିବା କୁଆଁର ପୁନେଇଁ ଚିନି ଉଖୁଡ଼ା ତିନି ଚାରିଟା ହେଂସ ଉପରେ ପାହାଡ଼ ପ୍ରମାଣେ ଗଦା ହୁଏ ଓ ଘରପିଛା ବଣ୍ଟା ହୁଏ । ଗାଁ ଦାଣ୍ଡସାରା କୋଉଠି ପଞ୍ଝାଏ ପିଲା ବାଗୁଡ଼ି ଖେଳନ୍ତି ତ କୋଉଠି କିଶୋରୀମାନେ ବୋହୁଚୋରୀ ଖେଳନ୍ତି । ପ୍ରାୟତଃ କରେଣ୍ଟ ଠିକ୍ ସଞ୍ଜକୁ ନିୟମିତ ଭାବରେ ପଳାଏ ଓ କେବେ ରାତି ଅଧକୁ ଆସେ ନହେଲେ ଆସେ ତା’ ପରଦିନ ସକାଳକୁ ।

ସାନ ଥିବାବେଳେ ଆମମାନଙ୍କର ଆଖିକୁ ନିଦ ଆସେନି । ଆମେ ଖାଲି ଦାଣ୍ଡ ଘର ହେଇଥାଉ ଓ ଭୟ ଏବଂ ଉତ୍ତେଜନାରେ ଅପେକ୍ଷା କରି ରହିଥାଉ କେତେବେଳେ ଭୂତ ସବୁ ଆସିବେ । ଘରେ କହୁଥିବେ ଶୋଇପଡ଼, ଭୂତ ଆସିଲେ ଡାକିଦେବୁ । ହେଲେ ବଡ଼ମାନଙ୍କ ଉପରେ କି ବା ବିଶ୍ୱାସ ? ଯଦି ନ ଡାକିଲେ କିମ୍ବା ଡାକିଲା ପରେ ବି ନିଦ ଯଦି ଆମର ନଭାଙ୍ଗିଲା ? ତେଣୁ ଆମେ ଆଉ ଶୋଉନା । ବେଶ୍ ଡେରୀରେ ଭୂତମାନେ ଆସନ୍ତି । କିଏ ଜଣେ ଗୋଟେ ଘଣ୍ଟ ପିଟି ପିଟି ଗାଁ ଦାଣ୍ଡରେ ଆଗ ଯାଏ । ତାପରେ ଗୋଟା ଗୋଟା ହେଇ ଓ ଦଳ ଦଳ ହେଇ ଭୂତମାନେ ଦାଣ୍ଡକୁ ଗଡ଼ନ୍ତି । ହୋ ହୋ ଘୋ ଘୋ ସାଙ୍ଗକୁ ଭୂତମାନଙ୍କର କିଳି କିଳା ରଡି । ଭୂତ ଡରରେ ଆମେ ସବୁ ଚିରିଚିରେଇ ମା’ମାନଙ୍କ ପଣତ ତଳେ ଲୁଚିଯାଉ ।

ଭୂତମାନେ ପାଳରେ ତିଆରି ହେଇଥାନ୍ତି । ପାଦରୁ ମୁଣ୍ଡ ଯାଏ ପାଳସବୁ ବଡ଼ ସାଇଜରେ ବନ୍ଧା ହେଇଥାନ୍ତି । ମୁଣ୍ଡ ଉପରକୁ ଦିଇ ହାତ ଯାଏଁ ବେଣୀ ଉଠିଥାଏ । ତେଣୁ ସାଢେ଼ ପାଞ୍ଚ ଫୁଟିଆ ଟୋକାଟେ ପାଳଭୂତ ବେଶରେ ସାଢେ଼ ସାତ ଫୁଟିଆ ଦିଶେ । ସାନବେଳେ ତ ଆମେ ଭାବୁଥିଲୁ ଏମାନେ ସତ ସତିକା ଭୂତ । ବଡ ହେଲାପରେ ଜାଣିଲୁ ଆମ ଗାଁ ପିଲାଏ ହିଁ ଦେହରେ ପାଳ ବାନ୍ଧି ଭୂତ ହେଉଛନ୍ତି ।

ମ୍ୟାଟ୍ରିକ୍ ପାସ୍ କଲାପରେ ମୁଁ ଓ ମୋ ସାଙ୍ଗମାନେ କଲେଜ ଗଲୁ । ଆମେ ଏଥର ମାତବର ଓ ବଡ଼ ହୋଇଗଲୁ ବୋଲି ପ୍ରମାଣ ଦେବାକୁ ଗାଁ ଦାଣ୍ଡରେ ଲୁଙ୍ଗି ପିନ୍ଧି ଯିବା ଆସିବା କଲୁ ଓ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ବାହାରେ ବୁଲିବାର ଲାଇସେନ୍ସ ବି ପାଇଗଲୁ । କୁଆଁର ପୁନେଇଁ ସମୟରେ ଏଇ ବାହାରେ ବୁଲିବାର ଅଧିକାରକୁ ଆମେସବୁ ଟିକେ ଅଧିକ ଉପଭୋଗ କରୁ ।

ଏକାଥରେ ଏତେ ଭୂତ ତିଆରି ହେଉଥିଲେ ମଧ୍ୟ, ସେମାନେ ଗୋଟେ ଯାଗାରେ ବନ୍ଧା ହେଉନଥିଲେ । ବୟସ ଅନୁସାରେ ଓ ସାଙ୍ଗ ସୁଖଙ୍କ ଦଳ ଅନୁସାରେ ତିନି ଚାରି କରି ଭୂତମାନେ ବିଭିନ୍ନ ବାଡ଼ି ବଗିଚାର ଗୁପ୍ତ ସ୍ଥାନମାନଙ୍କରେ ସଜ ହେଉଥିଲେ । ପାଳରେ ଭୂତ ତିଆରିବା ଏତେ ସହଜ କାମ ନଥିଲା । ସେଥିପାଇଁ ଦିନ ବେଳୁ ଯୋଜନା କରିବାକୁ ହେଉଥିଲା । ପ୍ରଥମ କାମ ଥିଲା ପାଳର ସନ୍ଧାନ । କୁଆଁର ପୁନେଇଁ ବେଳକୁ ଶାରଦ ଧାନ ଅମଳ ହେଇନଥାଏ । କେବଳ ବିଅଳି ଧାନ ଅମଳ ହେଉଥାଏ । ବିଅଳି ଧାନ ମୁଖ୍ୟତଃ ବେଙ୍ଗଳା ପଡେ଼ ଓ ପାଳ ତକ ଖଳା ଅବା ଖଳା ବାଡିରେ ଗଦା ହେଇକି ରହେ । ଭୂତ ତିଆରି ଗୋଷ୍ଠୀଙ୍କର ପ୍ରଥମ କାମ ହେଲା କାହାର ବିଅଳି ଧାନ ବେଙ୍ଗଳା ପଡିଛି ଓ କାହା କାହା ବାଡିରେ ପାଳ ଗଦା ହେଇଛି ତା’ର ସନ୍ଧାନ କରିବା । ଦିନରେ ସନ୍ଧାନ କରାଯାଏ ଓ ରାତିରେ ହାତ ସଫେଇ ହୁଏ । ଏଇ ପାଳ ଚୋରି ପାଇଁ କେବେ କେବେ ଆମେ ଜହ୍ନ ରାତିରେ ବିଲ ପରେ ବିଲ ଡେଇଁ ପାଖ ଗାଁରେ ବି ଯାଇ ପହଞ୍ଚି ଯାଉଥିଲୁ ।

ପାଳ ଚୋରି ହେଇ ଆସିଲା ପରେ ତାକୁ ଉଂଛିବାକୁ ହେଉଥିଲା । ଉଂଛିବା ହେଲା ଅଡୁଆ ନଡାକୁ ସାଇଜ୍ କରିବା । ପାଳ ସାଇଜ୍ ହେଲା ପରେ ତାକୁ ସଜେଇ ରଖାଯାଉଥିଲା । ତାପରେ ପାଳରେ ଦଉଡ଼ି ବଳା ଯାଉଥିଲା । ସବୁ କିଛି ରେଡି ହେଲାପରେ ଭୂତ ହେବାକୁ ତୟାର ପିଲା ତା’ ପିନ୍ଧା ଲୁଙ୍ଗିକୁ କଛା ମାରିଦେଉଥିଲା । ମୁଁ ଯୋଉ ସମୟ କଥା କହୁଛି ସେତେବେଳେ ଗାଁକୁ ବରମୁଣ୍ଡା ପ୍ୟାଣ୍ଟ ଆସିନି । ଭୂତ ଦେହରେ ଗଞ୍ଜି ଖଣ୍ଡେ ରହୁଥିଲା । ପାଳରେ ଭୂତ ଭିଡିବା ପାଦ ପାଖରୁ ଆରମ୍ଭ ହେଉଥିଲା । ବେକାଏ କରି ଉଂଛି ପାଳକୁ ଜଣେ ଗୋଡ଼ ଚାରିକତି ସଜେଇ ଧରୁଥିଲା ଓ ଅନ୍ୟଜଣେ ପାଳ ଦଉଡିରେ ତାକୁ କସିକି ବାନ୍ଧୁଥିଲା । ବନ୍ଧା ଉପରକୁ ଆଉ ବେକାଏ ପାଳ ପୁଣି ବନ୍ଧା ଯାଉଥିଲା । ଅଧା ରାସ୍ତାରେ ଭୂତ ଦେହରୁ ପାଳ ଖସିଯିବାର ଭୟରୁ ଚଉକସ କରି ଭଲରେ ପାଳ ଦଉଡି ବାନ୍ଧିବାକୁ ହେଉଥିଲା । ପାଳ ଦୁଇ ଗୋଡ଼ ଜଙ୍ଘ ଉପର ଯାଏ ବନ୍ଧା ହେଲା ପରେ ଅଧିକ ଲମ୍ବାବାଲା ପାଳ ପୁଳାକୁ ଘାଗରା ପରି ଅଣ୍ଟା ଚାରିକତି ବନ୍ଧା ଯାଉଥିଲା । ତାପରେ ପେଟ ଓ ଛାତିରେ ପାଳ ଭିଡ଼ା ହେଉଥିଲା । ବାହା ମୂଳରୁ ହାତ ପାଇଁ ପାଳ ଭିଡ଼ାହେଇ ପାପୁଲି ହେଇ ତଳକୁ ଖସୁଥିଲା । ପାପୁଲି ପାଖରୁ ପାଳକୁ ବେଣୀ କରି କ୍ରମଶଃ ସରୁ କରିଦିଆ ଯାଉଥିଲା । ଫଳରେ ଭୂତର ହାତ ପୂରା ମାଟି ଯାଏଁ ଲମ୍ବି ଯାଉଥିଲା । ଭୂତମାନେ ଦାଣ୍ଡ ପିଣ୍ଢା ତଳେ ଥାଇ ତେଣୁ ଅନାୟସରେ ସେମାନଙ୍କ ଲମ୍ବ ହାତରେ ପିଣ୍ଢା ଉପରେ ଛିଡା ଦେଖଣାହାରୀଙ୍କୁ ଛୁଇଁ ପାରୁଥିଲେ କି ପିଟି ପାରୁଥିଲେ । ଏଇ ଅବସ୍ଥାରେ ଚାରି ପାଞ୍ଚ ଭୂତ ବେଶ ହେଇ ନଙ୍ଗର ପଙ୍ଗର ହେଇ ଅପେକ୍ଷା କରନ୍ତି ମୁଣ୍ଡ ବସିବା ଯାଏଁ । ପାଳଭୂତର ମୁଣ୍ଡ ତିଆରି ଟିକେ ସମୟ ସାପେକ୍ଷ କାମ । ଲମ୍ବା ଲମ୍ବା ଉଂଛି ପାଳରୁ ତିନି ବେକାକୁ ମିଶେଇ ଧରି ଅଧାରୁ ବେଣୀ ପକାଯାଏ । ବେଣୀ ପଡିଗଲା ପରେ ତାକୁ ନେଇ ଭୂତ ମୁଣ୍ଡରେ ଖେପେଇ ଦିଆଯାଏ । ବେଣୀ ତଳକୁ ଝୁଲିକି ରହିଥିବା ପାଳତକ ବେକ ତଳ ଯାଏଁ ଲମ୍ବିଯାଏ । ତାପରେ ବେକ ପାଖରେ ଗୋଟେ ଓ କପାଳ ପାଖରେ ଆଉଗୋଟେ ପାଳ ଦଉଡି ବାନ୍ଧିଦିଆଯାଏ । କେବେ କେବେ ପାଖ ଗାଡିଆରେ ଜହ୍ନ ରାତିରେ ଫୁଟିଥିବା ଧଳା କଇଁ ଗୋଟେ ତୋଳିଆଣି ଭୂତ ମୁଣ୍ଡ ଉପରେ ଆଣ୍ଟେନା ପରି ଆକାଶ ଆଡକୁ ଉଠିଥିବା ବେଣୀ ଅଗରେ ଖୋସିଦିଆଯାଏ । ବାସ୍ ଭୂତ ଏଥର ରେଡି । ମୁହଁରେ ଥିବା ପାଳ ଭିତରେ ଆଖିପାଇଁ ଯାଗା କରାଯାଏ । ଭୂତ ଅନ୍ୟମାନଙ୍କୁ ଦେଖିପାରେ କିନ୍ତୁ ପାଳ ପୋଷାକ ଭିତରେ ଭୂତ ହେଇଥିବା ପିଲାକୁ କେହି ଚିହ୍ନି ପାରନ୍ତିନି । ନାଚ ପରେ ଭୂତ ଦେହରୁ ପାଳ ଖୋଲିଦେଲା ପରେ କୁଟାର ଆଂଶ ଆଉ ଝାଳ ମିଶି ପ୍ରବଳ କଣ୍ଟି କଣ୍ଟି ହୁଏ । ନିରୋଳା ଆନନ୍ଦ ଆଗରେ ଏ କଷ୍ଟ ଅବଶ୍ୟ ସାମାନ୍ୟ ।

ଥରେ ଆମେ ଆମ ଘର ପାଖ ଜଣଙ୍କ ବାଡିରେ ଭୂତ ବାନ୍ଧୁଥାଉ । ଯାହା ବାଡିର ପାଳ ଗଦା ପାଖରେ ଆମେ ଭୂତ ବାନ୍ଧୁଥାଉ ତାକୁ କିଏ ଗୋଟେ ଖବର ଦେଇଦେଲା । ଆମର ଭୁଲ୍ ଯେ ଆମେ ଅଳସୁଆମି କରି ପାଳ ଚୋରି କରି ଆଉ ଠା ଭୂତ ନଭିଡି, ଠିକ୍ ତା’ ପାଳଗଦା ପାଖରେ ଭିଡୁଥିଲୁ । ସେ ଲୋକ ସିଧା ଗୋଟେ କଟୁରି ଧରି ଦୋ ଅକ୍ଷରି ଚାରିଅକ୍ଷରିରେ ଶୋଧି ଶୋଧି ତା’ ବାଡିକୁ ଧାଇଁ ଆସିଲା । ଭୂତ ଭିଡୁଥିବା ଆମେମାନେ ବଗିଚା ଭିତରେ ଗଛ ବୃଛଙ୍କ ଆଢୁଆଳରେ ଲୁଚିଗଲୁ ସିନା ହେଲେ ବନ୍ଧା ସରିଥିବା ଭୂତମାନେ ଯିବେ କୁଆଡେ? ଆଉ ଉପାୟ ନଥିଲା ଚାରି ଭୂତ ସିଧା ସୋଉଠୁ ପାଳଗଦାକୁ ଆଉଜିଗଲେ ଓ ଚୁପ୍ ଚାପ୍ ପଡିରହିଲେ । ସେ ଲୋକ ତା’ ପାଳ ଗଦା ପାଖରେ ପହଞ୍ଚି ଦେଖିଲା କେହି କୋଉଠି ନାହାଁନ୍ତି । ଭୂତମାନେ ପାଳ ଗଦା ସାଙ୍ଗରେ ଏକଦମ ମିଶିଯାଇଥିଲେ । ସେ ତାପରେ ଗାଳି ବନ୍ଦ କରି ଏପାଖ ସେପାଖ ପଡିଥିବା ପାଳ କେଇ କେରାକୁ ଗଦା ଉପରକୁ ଛାଟିଦେଇ ଘରକୁ ପଳେଇଲା । ସେ ଗଲାପରେ ପୁଣି ଭୂତ ଭିଡା ଆମର ଆରମ୍ଭ ହେଲା । ତାପରଦିନ ସକାଳୁ ଯାଇଁ ସେ ଲୋକ ଜାଣିଲା ଗଲା ରାତିର ପଞ୍ଝେ ଭୂତ ତାଆରି ପାଳଗଦାରୁ ହିଁ ଭିଡା ହେଇଛନ୍ତି ।

ହଜାର ଇଛା ଥିଲେ ବି ଖାସ୍ ବାପାଙ୍କ ଡରରେ ମୁଁ ମୋ ଜୀବନକାଳରେ ଥରୁଟେ ବି ଭୂତ ହେଇ ପାରିଲିନି । ଅବସାେସ ରହିଗଲା ।  ଭୂତ ହେଇ ନପାରିଲେ ବି ପାଳ ଚୋରି ଓ ଭୂତ ବାନ୍ଧିବା କାମ ଢେର୍ କରିଛି । ତା’ ସାଙ୍ଗରେ କିଛି ଉତ୍ସାହୀ ବନ୍ଧୁଙ୍କ ସାଙ୍ଗରେ ମିଶି ଅନେକ ଅଭିନବ ପ୍ରୟୋଗ ବି କରିଛି । ଥର କୁଆଁର ପୁନେଇଁ ବେଳକୁ ଗାଁ ମୁଣ୍ଡ ଗଣ୍ଡ ପାଟିଆରେ ଧୁମ୍ ଧଳା କଇଁ ଫୁଟିଥାଏ । ମୋ ମୁଣ୍ଡରେ ପଶିଲା ଧଳା କଇଁ ଭୂତ ଗୋଟେ କଲେ କେମିତି ହୁଅନ୍ତା ? ତାପରେ ଯୋଜନା ଆରମ୍ଭ ହେଲା । ଆମ ଭିତରେ ସବୁଠୁ ବଳୁଆ ସାଙ୍ଗ ଜଣକୁ ରାଜି କରେଇଲୁ । ସମସ୍ତଙ୍କୁ ଦାୟିତ୍ୱ ଦିଆଗଲା ସଞ୍ଜ ବେଳକୁ ଯେଝା ଯେଝା ଘରୁ କିଛି କିଛି ସୁତୁଲୀ ଆଣି ଆସିବ । ସେଦିନ ସମସ୍ତେ ଗଣ୍ଡ ପାଟିଆ ପାଖରେ ପହଞ୍ଚିଲା ବେଳକୁ ରାତି । ମାଈ କାକର ସାଙ୍ଗକୁ ସାମାନ୍ୟ ଶୀତ । ଗଣ୍ଡର ହେମାଳ ପାଣିରେ ପଶି କଇଁ ତୋଳିବାକୁ ସମସ୍ତେ ଅମଙ୍ଗ । ତାପରେ କଥା ହେଲା ସମସ୍ତେ ପାଣିରେ ପଶି କଇଁ ତୋଳିବେ ।  ଅଣ୍ଟାଏ ଉପରକୁ ପାଣିରେ ପଶିଲେ ପିନ୍ଧା ଲୁଗା ଓଦା ହେବା ଭୟରେ ସମସ୍ତେ ଆପଣା ଆପଣା ଲୁଗାଟି ମାନ କୂଳରେ ରଖି ଅଦଭୂତ ଲଙ୍ଗଳା ହେଇ ପାଣିରେ ପଶିଲେ । ରକ୍ଷା ସେ ଦୃଶ୍ୟ କିଏ ଫଟୋରେ କଏଦ୍ କରିନି । ଗାଡିଏ କଇଁ ତା’ ନାଡ଼ ସହ ତୋଳାହେଲା । ତାପରେ ପାଳ ଯେମିତି ପାଦ ପାଖରୁ ବନ୍ଧାଯାଏ ଠିକ ସେମିତି କଇଁ ବନ୍ଧା ଚାଲିଲା । କଇଁଭୂତ ଭିଡା ହେବାକୁ ସାମାନ୍ୟ ଅଧିକ ସମୟ ଅବଶ୍ୟ ଲାଗିଲା । କିନ୍ତୁ ସମସ୍ୟା ହେଲା ଗାଁ ମୁଣ୍ଡ ଗଣ୍ଡ ପାଖରୁ ଗାଁ ଦାଣ୍ଡରେ ପହଞ୍ଚିଲା ବେଳକୁ ଭୂତର ଅବସ୍ଥା ଖରାପ । ଏକରେ ଓଜନ ଓ ତା’ ସାଙ୍ଗରେ ଓଦା ସରସର କଇଁ ନାଡ଼ର ହେମାଳ ଆଲିଙ୍ଗନ । ଭୂତ କହିଲା ମୁଁ ପାରିବିନି, ପ୍ଲିଜ୍ ଏଥର ଫିଟେଇ ଦିଅ । ହେଲେ ଆମମାନଙ୍କର ଏତେ  ଯୋଜନା ଆଉ ପରିଶ୍ରମକୁ ଆମେ କସ୍ମିନ୍ କାଳେ ଏମତି ଫସର ଫାଟିବାକୁ ନଦେଇ ଭୂତକୁ କହିଲୁ ଚୁପ୍ ଚାପ୍ ଚାଲ୍ । ନହେଲେ ତୋତେ ପ୍ରବଳ ପିଟିବୁ । ଫୁଲ ଭୂତ କାନ୍ଦୁଣୁ ମାନ୍ଦୁଣୁ ହେଇ ଗାଁର ଅଧା ବାଟ ଯାଏ ଗଲା ଓ ହୁଦସ୍ତ ଗୋଟେ ଦୋକରୀରେ ପଶି ଫୁଲ ସବୁ ଛିଡେ଼ଇ ପକେଇ ଦୌଡି ତା’ ଘରକୁ ପଳେଇଲା । ଫୁଲ ଭୂତର ଆଂଶିକ ସଫଳତା ପରେ ଆମେ ତାପରେ ତାଳ ବରଡ଼ା ଭୂତ, ମଶାଣୀରେ ପଡିଥିବା ପରିତ୍ୟକ୍ତ ମାଟି ହାଣ୍ଡିକୁ ଭୂତ ମୁଣ୍ଡରେ ପୂରେଇ ସେଥିରେ ବ୍ୟାଟେରୀ ସଂଯୋଗ କରି ଟର୍ଚ୍ଚ ବଲବ ଜଳାଇ ପରୀକ୍ଷା କଲୁ । ଟର୍ଚ୍ଚ ବଲବରେ ନାଲି ଜରି ଗୁଡ଼ା ହେଇଥାଏ ଓ ସୁଇଜ୍ ଥାଏ ଭୂତ ହାତରେ । ସେ ତା’ ଇଛା ଅନୁସାରେ ଲାଇଟ୍ ଧପ୍ ଧପ୍ କରୁଥାଏ । ଭୂତର ଦେହ ଘୋଡ଼ା ହେଇଥାଏ ପୁରୁଣା କଳା ରଙ୍ଗର ଛତା କପଡାରେ । ଏସବୁ ଅଭିନବ ଥିଲେ ବି ପାଳଭୂତ ଆଗରେ ଏତେଟା ହିଟ୍ ହେଉନଥିଲା ।

ଗାଁ ଛାଡିଲା ପରେ କେବେ କେବେ କୁଆଁର ପୁନେଇଁ ବେଳକୁ ଗାଁକୁ କେବେ ଥରେ ଅଧେ ଫେରିଲା ପରେ ଦେଖିଛି ଗାଁ ଆମର ଧିରେ ଧିରେ ବଦଳି ଗଲାଣି । ବିଅଳି ଚାଷ କମି ଗଲାଣି । ବିନା ପାଳରେ ଭୂତମାନେ ଡାଳରେ ସଜେଇ ହେଇ ଭୂତ ହେଉଛନ୍ତି । ତା’ ପୁଣି ଅଳ୍ପ କେଇଜଣ ସାନ ସାନ ପିଲା ସଞ୍ଜ ପହରରେ ଗାଁ ଦାଣ୍ଡରେ ଘେରାଏ ବୁଲି ଯାଉଛନ୍ତି । ମନୋରଞ୍ଜନର ବିକଳ୍ପ ଏବେ ହାତ ପାହାନ୍ତିରେ । ଆଜି ଆଉ କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ ଗୀତ, କିତି କିତି, ବାଗୁଡ଼ି, ବୋହୂ ଚୋରି କି ରାତି ଅଧିଆ ଭୂତ ନାଚରେ ଆଉ କୌତୂହଳ କି ରୋମାଞ୍ଚ ନାହିଁ । ରାଜନୀତିର ପଶାପାଲିରେ ଭାଗ ଭାଗ ହେଇସାରିଛି ଗାଁ । ଅନେକ କିଛି ବଦଳି ଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର କଂକ୍ରିଟ ରାସ୍ତା ଗାଁ ପ୍ରଥମ ମୁଣ୍ଡରୁ ଗାଁର ଶେଷ ଯାଏଁ ଲମ୍ବିଛି । ଦିନେ ପୂରା ଗାଁରେ ଗୋଟେ ଯୋଡେ଼ ମାତ୍ର ସାଇକେଲ ଥିବାବେଳେ ଏବେ ଅନେକଙ୍କ ପାଖରେ ଚାରିଚକିଆ । ମାଟି କାନ୍ଥ ଓ ଚାଳ ଛପର ଘର ପ୍ରାୟ ଆଉ ନାହିଁ । ଗାଁ କ୍ରମେ ସହର ହେଇ ହେଇ ଯାଉଛି । ମୁଁ ଆଉ କୁଆଁର ପୁନେଁଇବେଳକୁ ଗାଁକୁ ଯାଉନି । ହେଲେ ମୁଁ ପିଲାଦିନ ଭୋଗିଥିବା ମୋ ଗାଁ, ସେ ରଣିଫୁଲିଆ ଜହ୍ନ ରାତି ଓ ଭୂତ ନାଚର ରୋମାଞ୍ଚକର ସଜଳ ସ୍ମୃତି ତଥାପି କିନ୍ତୁ ମନେ ଅଛି ।