ପରଂବ୍ରହ୍ମ ତ୍ରିପାଠୀଙ୍କ ଲଳିତ ନିବନ୍ଧ କିମାଶ୍ଚର୍ଯ୍ୟମ୍ ସମ୍ପର୍କରେ କିଛିକଥା

ସମସ୍ୟାର ଗାମ୍ଭୀର୍ୟ୍ଯକୁ ବଜାୟ ରଖି ରମଣୀୟ ବାକ୍ୟବିନ୍ୟାସ ଓ ସୁଚିନ୍ତିତ ତର୍କ ଖଞ୍ଜିବା ଲଳିତ ନିବନ୍ଧର ସବୁଠୁ ବଡ ବିଶେଷତ୍ବ । ପରଂବ୍ରହ୍ମ ତ୍ରିପାଠୀଙ୍କ ଲଳିତ ନିବନ୍ଧ ପୁସ୍ତକ 'କିମାଶ୍ଚର୍ଯ୍ୟମ୍' ସେହି ସବୁ ଦୃଷ୍ଟିରୁ ଖୁବ୍ ସଫଳ ।


କ୍ରମଶଃ ସ୍ଥାଣୁରେ ରୂପାନ୍ତରିତ ହେବା ରାସ୍ତାରେ ଅଗ୍ରସର ଜନସମୂହକୁ 'ପ୍ରଶ୍ନ'ର ମହୌଷଧି ଭେଟିଦେଇଛି ପରଂବ୍ରହ୍ମ ତ୍ରିପାଠୀଙ୍କ ଲଳିତ ନିବନ୍ଧ 'କିମାଶ୍ଚର୍ଯ୍ୟମ୍' । ପ୍ରଶ୍ନ ପଚାରିବାର ପ୍ରବଣତାରେ ଜଗତ ଜୀବନର ସକଳ ରହସ୍ୟକୁ ଉନ୍ମୋଚନ କରିବାକୁ ଚାହୁଁଥିବା ଭାରତବର୍ଷର ମୁନିଋଷିଙ୍କ ଉତ୍ତରାଧିକାରୀ ହୋଇ ବି ଆଜି ଆମେ ପ୍ରଶ୍ନ କରିବା ଭୁଲିସାରିଛେ । ଏହି ସମୟରେ କିମାଶ୍ଚର୍ଯ୍ୟମ୍ ଆମ ଭିତରେ ପ୍ରଶ୍ନକରିବାର ସେହି ଆଦିମ ପ୍ରବଣତାକୁ ଉଜ୍ଜିବୀତ କରିବ, ଅସ୍ବାଭାବିକତା ବିରୁଦ୍ଧରେ ପ୍ରତିବାଦର ସ୍ବରଟିଏ ନିର୍ମାଣ କରିବ ।

ଜୀବନର ଶାଶ୍ବତ ମୂଲ୍ୟବୋଧ, ରାଷ୍ଟ୍ରନୀତିର ପ୍ରସାରିତ ଦିଗବିଦିଗ, ସାଂସ୍କୃତିକ ଗୌରବବୋଧ, ଜାତୀୟ ଅସ୍ମିତାବୋଧ ଇତ୍ୟାଦିର ସଶକ୍ତ ଜଗୁଆଳ ଭାବରେ ଗଦ୍ୟସାହିତ୍ୟ ନିଜର ଉପସ୍ଥିତି ଜାହିର୍ କରି ଆସିଛି । ଅସଙ୍ଗତି ଦେଖି ବାଟଭାଙ୍ଗି ଚାଲିଯିବାର କାତରତାପଣରୁ ମୁକ୍ତ ହୋଇ ଅସଙ୍ଗତିର ଜଡକୁ ପହଞ୍ଚିବାର ପ୍ରୟାସରୁ ପରଂବ୍ରହ୍ମ ତ୍ରିପାଠୀଙ୍କ 'କିମାଶ୍ଚର୍ଯ୍ୟମ୍'ର ସୃଷ୍ଟି । ଏ ସମ୍ପର୍କରେ ଲେଖକୀୟ ମନ୍ତବ୍ୟରେ ସେ କୁହନ୍ତି - "ଭେଡା ଫାଙ୍କରେ ଲୁଚି ଆମ ବାଡିରେ ଗାଈ, ଷଣ୍ତ କି ମଇଁଷି ପଶୁଛନ୍ତି କି ନାହିଁ ସେ କଥା ଦେଖିବା ଓ ଆସି ବୋଉ କି ନନାଙ୍କ ଆଗରେ କହିବା ଅଭ୍ୟାସ ମୋର ଛୋଟ ବେଳଠୁ ନାହିଁ । ଅନୁଚିତ, ଅନଧିକାର ଅନୁପ୍ରବେଶ ଦେଖିଲେ ଟେକା ପକାଇବା, ବାଡି ଉଠେଇବା କିଛି ନହେଲେ ହୋ ହୋ ହେଇ ଦଉଡିଯିବା ମୋ ପ୍ରବୃତ୍ତି । ପାଚେରୀ ଉପରେ ସୁରକ୍ଷିତ ଭାବେ ବସି ଅସୁରକ୍ଷା ଉପରେ ପ୍ରତିକ୍ରିୟା ଦେବା ଏକ ଅସହଜ ପ୍ରକ୍ରିୟା । ଏକ ବିଡମ୍ବନା ବି । ହେଲେ ଏ ବିଡମ୍ବନା ପରା ଆଜିର ଟ୍ରେଣ୍ତ । ସେଥିପାଇଁତ ଏ 'କିମାଶ୍ଚର୍ଯ୍ୟମ୍' ।

କିମାଶ୍ଚର୍ଯ୍ୟମ୍ ପୁସ୍ତକରେ ୨୭ଟି ଲେଖା ରହିଛି । ସେଗୁଡିକ ହେଲେ 'ଲୋକେ ଚାହୁଁଛନ୍ତି ବୋଲି' , 'ଆପଣ ଖବର ନୁହନ୍ତି !' , 'ଭାଟଗିରି', 'କ୍ବାକ୍', 'ଗୋସେଇଁ ମାନସିକତା', 'ଦୋଷମୁଣ୍ତିଆ', 'ପ୍ରିୟାପ୍ରୀତି' , 'ଗୁଆ, କୁହା,କାର୍ଡ', 'ଆପଣଙ୍କ ଟୁଥ୍ ପେଷ୍ଟରେ ରସୁଣ ଅଛି କି ?', 'ଅବସର ପରେ ଗାଁରେ ଖୁସିରେ ରହିବାର ସରଳ ଉପାୟ', 'ଚପଳ ମନରେ ବିଷ', 'ମୃତ୍ୟୁଭୋଜି', ମେଘଡମ୍ବରୁ', 'କେତେଦିନ ଆଉ କାଳିଆଘୋଡାରେ ଚଢିବା ?', 'ଖେଳକୁ କାଳ', 'ମଣିଷ ଚାଉଳ ନୁହେଁ !', 'ଦୁର୍ବଳର ବିଜୟରେ ଅଧିକ ଆନନ୍ଦ', 'କ୍ଷମତାର ଡିଆଁ ରୋଗ', 'ଜଣେ ନିନ୍ଦୁକ(ଟ୍ରୋଲ୍)ର ସ୍ବୀକାରୋକ୍ତି' , 'ସେତେବେଳେ କେଉଁଠି ଥିଲ ?', 'ଇନ୍ଦ୍ରଧନୁର କେତେ ଯେ ରଙ୍ଗ !', 'କିଏ ନେହେରୁ ?', 'ବିକାଶର ନଳଅଙ୍କ', ଖୁଣ ବି ମୋର, ଜହ୍ନ ବି ମୁଁ', 'ଆନ୍ଦୋଳନ ସପକ୍ଷରେ', 'ମୁଁ ନାସ୍ତିକ କିନ୍ତୁ ଗର୍ବିତ ହିନ୍ଦୁ', 'କେମିତି ଥିବ ୨୦୭୦ର ପୃଥିବୀ ?' । ଏହି ୨୭ଟି ପ୍ରବନ୍ଧ ମଧ୍ୟରୁ ଗୋଟାକୁ ଚୟନ କରି ସଂକଳନର ନାମକରଣ ନକରି ଲେଖକ 'କିମାଶ୍ଚର୍ଯ୍ୟମ୍' ରଖିଛନ୍ତି । କାରଣ ବି ସ୍ପଷ୍ଟ । ପ୍ରତିଟି ଲେଖାରେ ରହିଛି ସାଂପ୍ରତିକ ଜୀବନରେ ଘଟୁଥିବା ଭିନ୍ନ ଭିନ୍ନ ବିଡମ୍ବନା ଓ ଅସ୍ବାଭାବିକତାର କଥା । ସମାଜ ଏତେ ଏତେ ବିଡମ୍ବନାକୁ ଜୀବନର ନବଚଳଣି ବା ଟ୍ରେଣ୍ତ ବିବେଚନା କରିବାକୁ ନେଇ ଲେଖକ ଆଶ୍ଚର୍ଯ୍ୟ ଅନୁଭବ କରିଛନ୍ତି । ସେହି ଆଶ୍ଚର୍ଯ୍ଯବୋଧରୁ ଉଚ୍ଛାରିତ ହୋଇଛି କିମାଶ୍ଚର୍ଯ୍ୟମ୍ ।

ଏହି ପୁସ୍ତକରେ ଲେଖକ କେବଳ ଚିରାଚରିତ ମହତ୍ତ୍ବପୂର୍ଣ୍ଣ ଏବଂ ବ୍ୟାପକ ସମ୍ଭାବନାର ବିଷୟ ଭାବରେ ଜନମାନସରେ ଗୃହୀତ ବିଷୟକୁ କେନ୍ଦ୍ର କରିନାହାନ୍ତି ବରଂ ସାଧାରଣ ମନେ ହେଉଥିବା ବିଷୟ ଭିତରେ କେମିତି ଅସାମାନ୍ୟ ଓ ଗୁରୁତ୍ବପୂର୍ଣ୍ଣ କଥାମାନ ଲୁଚି ରହିଛି ଦେଖାଇ ଦେଇଛନ୍ତି । ଉପେକ୍ଷିତ କଥାକୁ ଅପେକ୍ଷା କରାଇପାରିଲା ପରି କଥାରେ କହିବାର କୌଶଳ ତାଙ୍କୁ ଜଣା । 'ଗୁଆ, କୁହା, କାର୍ଡ', କେତେଦିନ ଆଉ କାଳିଆ ଘୋଡାରେ ଚଢିବା, ଖେଳକୁ କାଳ ଇତ୍ୟାଦି ନିବନ୍ଧରେ ଜୀବନର ଯଉ ସବୁ ଦିଗକୁ ଆମେ ଦୃଷ୍ଟି ମଧ୍ୟ ଦେଉନା ତା ଅନ୍ତରାଳେ ରହିଥିବା ଏକ ବୃହତ୍ତର ସତ୍ୟକୁ ଲେଖକ ଆମ ସାମ୍ନାରେ ରମଣୀୟ ଢଙ୍ଗରେ ଉପସ୍ଥାପନ କରି ଦେଇଛନ୍ତି ।

'କିମାଶ୍ଚର୍ଯ୍ୟମ୍'ର ବିଷୟ ନିର୍ବାଚନରେ ଲେଖକଙ୍କ ବ୍ୟାପକତାକୁ ଆମେ ହୃଦୟଙ୍ଗମ କରିପାରିବା । ଏହି ବିଷୟ ଖୋଜିବା ପାଇଁ ତାଙ୍କୁ ବେଶୀ କିଛି କରିବାକୁ ପଡିନି । ସମକାଳର ସାମାଜିକ ରାଜନୈତିକ ସାହିତ୍ୟିକ ଆର୍ଥନୀତିକ ଓ ବୈଜ୍ଞାନିକ ସ୍ଥିତାବସ୍ଥାରୁ ସେ ଉପାଦାନ ସଂଗ୍ରହ କରିଛନ୍ତି । ଏହି ପୁସ୍ତକର ସବୁଠୁ ବଡକଥା ହେଉଛି ଯେ ସାମାଜିକ ମନେହେଉଥିବା ସମସ୍ୟାଗୁଡିକ କିପରି ଭାବରେ ପ୍ରତିଟି ବ୍ୟକ୍ତିକୁ ଏବଂ ବ୍ୟକ୍ତିଗତ ହେଉଥିବା ସମସ୍ୟା କେମିତି ସାମଗ୍ରିକ ସମାଜ ଜୀବନକୁ ପ୍ରଭାବିତ କରପାରନ୍ତି ସେ ଦିଗକୁ ସ୍ପଷ୍ଟ ଓ ସଚେତନ ଭାବରେ ଲେଖକ ପରିପ୍ରକାଶ କରିଛନ୍ତି ।

'କିମାଶ୍ଚର୍ଯ୍ୟମ୍'ର ଲେଖା ସବୁ ସମାଜର ନଗ୍ନ ଚିତ୍ରକୁ କେବଳ ଦର୍ପଣ ଭାବରେ ଆମ ଆଗରେ ପ୍ରତିଫଳିତ କରନ୍ତି ନାହିଁ ବରଂ ହାତୁଡିରେ ଆଘାତ କରି ଆମ ତମ ଚେତନାକୁ ଜାଗ୍ରତ କରିଦିଅନ୍ତି । 'ଲୋକେ ଚାହୁଁଛନ୍ତି' କହି ଖସି ଯାଉଥିବା ଲୋକ ପାଇଁ ଆମ ମୁହଁରେ ପ୍ରଶ୍ନ ଖଞ୍ଜିଦିଅନ୍ତି 'ଲୋକ ଚାହିଁବାରେ କଳାର ନିର୍ମାଣ ହୁଏ ନା କଳା ଜନତାର ରୁଚିକୁ ନିର୍ମାଣ କରେ', 'ଆପଣ ଖବର ନୁହନ୍ତି' କହି ସେ କେବଳ ଆମକୁ ସୂଚନା ଦିଅନ୍ତି ନି ବରଂ ଆମେ କାହିଁକି ଖବର ନୁହଁ ପଚାରିବାକୁ ଉସକାନ୍ତି । ଏହା ହିଁ ହେଉଛି ଜଣେ ଲଳିତ ନିବନ୍ଧ ଲେଖକର ମୁଖ୍ୟ ବିଶେଷତ୍ବ ।

ରାଜନୀତି ହେଉ କି ପରିବାର ନୀତି ହେଉ ପରଂବ୍ରହ୍ମଙ୍କ ପ୍ରବେଶ ଖୁବ୍ ଗଭୀର । ମଣିଷ ସହ ମଣିଷର ସମ୍ପର୍କର ଶାଶ୍ବତ ମୂଲ୍ୟବୋଧର ଅବକ୍ଷୟରେ ସେ ଯେମିତି ପ୍ରତିକ୍ରିୟାଶୀଳ, ମାମୁଲି ଲାଗୁଥିବା ଦଶମ ଶ୍ରେଣୀ ଛାତ୍ରୀର ଛତୁଆ ଖିଆ କଥା ପଛରେ ରହିଥିବା ଗୋସେଇଁ ମାନସିକତାକୁ ଉନ୍ମୋଚନ କରିବାରେ ମଧ୍ୟ ସେତିକି ତତ୍ପର ।

ସମସ୍ୟାର ଗାମ୍ଭୀର୍ୟ୍ଯକୁ ବଜାୟ ରଖି ରମଣୀୟ ବାକ୍ୟବିନ୍ୟାସ ଓ ସୁଚିନ୍ତିତ ତର୍କ ଖଞ୍ଜିବା ଲଳିତ ନିବନ୍ଧର ସବୁଠୁ ବଡ ବିଶେଷତ୍ବ । ପରଂବ୍ରହ୍ମ ତ୍ରିପାଠୀଙ୍କ ଲଳିତ ନିବନ୍ଧ ପୁସ୍ତକ 'କିମାଶ୍ଚର୍ଯ୍ୟମ୍' ସେହି ସବୁ ଦୃଷ୍ଟିରୁ ଖୁବ୍ ସଫଳ । ଏହିପରି ସମସ୍ୟାକୁ ଆଧାରିତ ଲେଖାର ପୁସ୍ତକ ପ୍ରକାଶନ ସମୟରେ ଲେଖକ ଓ ପ୍ରକାଶକଙ୍କ ମନରେ ପୁସ୍ତକର କାଳୋତୀର୍ଣ୍ଣତାକୁ ନେଇ ଆଶଙ୍କା ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ । ସେହି ଆଶଙ୍କାର ମୁକୁଳିବାର ସବୁଠୁ ବଡ ମାଧ୍ୟମ ହେଉଛି କଳାତ୍ମକତା । ଏହି ସଂକଳନରେ ଲେଖକଙ୍କ ସେହି କଳାତ୍ମକତା ଆମେ ସ୍ପଷ୍ଟ ଓ ପ୍ରାଞ୍ଜଳ ଭାବରେ ଉପଲବ୍ଧି କରିପାରିବା । ଅଭିଧାନିକ ବାକ୍ୟବିନ୍ୟାସ ବଦଳରେ ଲେଖକଙ୍କ ବ୍ୟଞ୍ଜନାତ୍ମକ ବାକ୍ୟବିନ୍ୟାସ, ସମ୍ବାଦ ହେଲେ ବି ତହିଁରେ ଜୀବନ ଚୈତନ୍ୟର ପରିପ୍ରକାଶ, ସତକୁ କଥାନି ଶୈଳୀରେ ସ୍ଥାପନା କରିବାର କୌଶଳ ପରମବ୍ରହ୍ମ ତ୍ରିପାଠୀଙ୍କ କଳାତ୍ମକତାର ଏକ ଏକ ପ୍ରମୁଖ ଦିଗ ।

ପରଂବ୍ରହ୍ମ ତ୍ରିପାଠୀଙ୍କ ଲଳିତ ନିବନ୍ଧ ପୁସ୍ତକ 'କିମାଶ୍ଚର୍ଯ୍ୟମ୍'ର ସମୀକ୍ଷା କରିବା ଖୁବ୍ ବିପଦଜନକ । କାରଣ ସେ ନିଜେ ପୁସ୍ତକର ଲେଖକୀୟରେ କହି ସାରିଛନ୍ତି - "ମୁଁ ବେଶୀ କିଛି କରିନି । ସମସ୍ତେ ଜାଣିଥିବା ନଗ୍ନ ସତ୍ୟଟିକୁ ମୁଁ କେବଳ ମୋ ନିଜ ବାଗରେ ଗୋଟେ ଟ୍ରାନ୍ସପରେଣ୍ଟ୍ ରେନକୋଟ୍ ପିନ୍ଧେଇ ଦେଖାଇବାର ପ୍ରୟାସ କରିଛି କିମାଶ୍ଚର୍ଯ୍ୟମ୍ ସହ ମୋର ସମସ୍ତ ଲଳିତ ନିବନ୍ଧ ସଂକଳନରେ । ଆଉ ସେ ରେନକୋଟ୍ ପାଇଁ ଯେତେବେଳେ କିଛି ପାଠକ ମୋତେ ପ୍ରଶଂସା କରିଛନ୍ତି, ଆଶ୍ଚର୍ଯ୍ୟ ଚକିତ ବି ହୋଇଛି । ମୋ ମୁହଁରେ କଳାଜାଇ ଅଛି କି ନାହିଁ, ତାହା କ'ଣ ମୁଁ ନିଜେ ଆଇନା ଦେଖେଇଲେ ହିଁ ଯାଇ ମୁଁ ବିଶ୍ବାସ କରିବି ଯେ ମୋ ମୁହଁରେ କଳାଜାଇ ଅଛି ବୋଲି ?" ଜଣେ ଆବଶ୍ୟକଠୁ ଅଧିକ ସଚେତନ ଲେଖକର ବହି ସମୀକ୍ଷା କରିବା ବା ପାଠକ ପ୍ରତିକ୍ରିୟା ରଖିବା ବିପଦଜନକ ଜାଣି ବି ସମୀକ୍ଷାରେ ହାତ ଦେବାର ସୁସାହାସ ପାଇଁ ନିଜ ପାଇଁ ନିଜେ କହୁଛି କିମାଶ୍ଚର୍ଯ୍ୟମ୍ ! କିମାଶ୍ଚର୍ଯ୍ୟମ୍ !