ଫଟୋ - ୱିକି କମନ୍ସ

ତାଂକୁ ଦେଖିଲାବେଳଠୁ ହିଁ ଲାଗୁଥିଲା ଯେ ସେ ଜଣେ ସାଧାରଣ ଡ୍ରାଇଭର ନୁହନ୍ତି । ବୟସ ଷାଠିଏ ପାଖାପାଖି ହେବ, ପୋଷାକ ପରିପାଟୀ ମାର୍ଜିତ ଓ କଥାବାର୍ତ୍ତା ସମ୍ପୂର୍ଣ୍ଣ ଶାଳୀନ । କିଛି ବାଟ ଗଲା ପରେ ସେ ପଚାରିଲେ, ହାବିଟାଟ୍ ସେଣ୍ଟରରେ କି କନଫରେନସ ଅଛି ? ମୁଁ ଉତ୍ତର ଦେଲାପରେ ତାଂକର ପରବର୍ତ୍ତୀ ପ୍ରଶ୍ନ, ଏଇଟା ୟୁଏନଡିପି କରୁଛି କି ? ମିଲେନିୟମ ଡେଭେଲପମେଣ୍ଟ ଗୋଲ ସମ୍ପର୍କିତ ନା ? ଏଥର ମୁଁ ନିଶ୍ଚିତ ହେଇଗଲି ଉବର’ର ଏହି ଭଡା ଗାଡିଟିକୁ ଚଳାଉଥିବା ଲୋକଜଣକ ଖାଲି ଜଣେ ଡ୍ରାଇଭର କେବେ ହୋଇନଥିବେ । କଥାବାର୍ତ୍ତା ଆଗକୁ ବଢେଇବା ପାଇଁ ମୁଁ ପ୍ରଶ୍ନ କଲି ଆପଣ କେମିତି ଜାଣିଲେ ? ନିର୍ଲିପ୍ତ ଭାବେ ସେ ଉତ୍ତର ଦେଲେ ଯେ ସେ ସାମାଜିକ କଲ୍ୟାଣ ବିଭାଗରେ କାମ କରୁଥିଲେ ଓ ପାଖାପାଖି ବର୍ଷେ ତଳେ ଅବସର ନେଇଛନ୍ତି ।

ତାଂକର ଏ ପରିଚୟଟି ମୋ ଭିତରେ ଉତ୍କଣ୍ଠା ବଢେଇ ଦେଲା । ସେମିତି ବି ପୂରା କାହାଣୀ ନଶୁଣି ନିଷ୍କର୍ଷରେ ପହଂଚିଯିବା, କାହା ବିଷୟରେ ଜଜମେଣ୍ଟାଲ ହେଇଯିବା, ଆମ ଭିତରୁ ଅନେକଙ୍କ ଗୁଣସୁତ୍ରରେ । ମୋ ମନ ଭିତରେ ଅନେକ ପ୍ରଶ୍ନ, ଯେମିତି କି ଚାକିରିରେ କିଛି ଅସୁବିଧା ଲାଗି ପେନସନ୍ ମିଳୁନି କି ? ପୁଅ ବୋହୁ ପଚାରୁ ନାହାନ୍ତି କି ? ଘରେ କିଏ ଗୁରୁତର ଅସୁସ୍ଥ ଅଛନ୍ତି କି ଯାହା ପାଇଁ ଭଦ୍ରବ୍ୟକ୍ତିଙ୍କୁ ଏ ବୟସରେ ଗାଡି ଚଲେଇବାକୁ ପଡୁଛି ? ଆଉ ଅଧିକ କିଛି ପ୍ରଶ୍ନ ମନକୁ ଆସିବା ପୂର୍ବରୁ ଭାବିଲି ଯେ ପଚାରି ଦେଲେ ଅସୁବିଧା କଣ ? ସେତେବେଳକୁ କଥାବାର୍ତ୍ତା ସହଜ ହେଇ ସାରିଥିଲା, ସେଇ ସୁଯୋଗରେ ପଚାରିଲି ଅଙ୍କଲ ଘରେ ଆଉ କିଏ କିଏ ଅଛନ୍ତି ?

ଭଦ୍ରବ୍ୟକ୍ତି ଜଣକ ନିଜ ନିର୍ଲିପ୍ତ ଢଙ୍ଗରେ ସ୍ୱାଭାବିକ ଭାବେ ଉତ୍ତର ଦେଲେ ପତ୍ନୀଙ୍କ ଛଡା ସମସ୍ତେ ଅଛନ୍ତି । ଦୁଇ ବର୍ଷ ତଳେ ପତ୍ନୀଙ୍କର ଦେହାନ୍ତ ହୋଇଯାଇଛି । ତାପରେ ମୁଁ ପଚାରିଲି ପିଲାପିଲି କଣ କରୁଛନ୍ତି ? ଭଦ୍ରବ୍ୟକ୍ତି ଜଣକ ଉତ୍ତରରେ କହିଲେ ତାଙ୍କର ପୁଅଟିଏ ଝିଅଟିଏ । ପୁଅ ବାଙ୍ଗାଲୋରରେ କୌଣସି ଏକ ଆଇଟି ଫାର୍ମରେ କାମ କରୁଛି, ଝିଅଟି ବିବାହିତ, ଦିଲ୍ଲୀରେ ହିଁ ରୁହେ ନିଜ ପରିବାର ସହ। ଏହାପରେ ଭଦ୍ରବ୍ୟକ୍ତିଙ୍କ ପାଇଁ ଗୋଟିଏ ଅସହଜ ପ୍ରଶ୍ନ ମୋ ପାଟିରୁ କେମିତି ବାହାରି ଆସିଲା ମୁଁ ନିଜେ ଜାଣି ପାରିଲିନି । ବୋଧହୁଏ କିଛି ସମୟ ପୂର୍ବରୁ ମୋ ମୁଣ୍ଡରେ ଯେଉଁ ପ୍ରଶ୍ନଗୁଡିକ ଖେଳି ବୁଲୁଥିଲା ତାହାରି ଫଳାଫଳ ସେଇଟା । ମୁଁ ପଚାରିଲି, ଆପଣଙ୍କ ପେନସନ ଠିକ ସମୟରେ ମିଳୁନି କି ? ଭଦ୍ରବ୍ୟକ୍ତିଙ୍କ ମୁହଁରେ ଆଶ୍ଚର୍ଯ୍ୟର ରେଖା । କହିଲେ, ହଁ ମିଳୁଛି, ଏମିତି କାହିଁକି ପଚାରିଲେ ଯେ ? ଏ ପ୍ରଶ୍ନର ଉତ୍ତର କଣ ଦେବି ଭାବିଲା ପୂର୍ବରୁ ମୋ ମୁହଁରୁ ସ୍ୱତଃ ବାହାରି ଯାଇଥିଲା, ପେନସନ ତ ମିଳୁଛି, ପୁଅ ବି ଚାକିରିଆ, ଝିଅ ବାହା ହେଇ ସାରିଲାଣି, ଘରେ ଆରାମ ନକରି ଗାଡି କାହିଁକି ଚଲଉଛନ୍ତି ?

ଅଙ୍କଲ ଆଇନାରେ ମୋ ମୁହଁକୁ ଚାହିଁଲେ । ସ୍ମିତହାସ୍ୟ ଦେଇ କହିଲେ ପେନସନ ମିଳୁଥିବା ଓ ଚାକିରିଆ ପୁଅ ଥିବା ଲୋକଙ୍କୁ କଣ ଓଲା କିମ୍ବା ଉବେର ଗାଡି ଚଲେଇବା ମନା ? ମୁଁ ଟିକେ ଅପ୍ରସ୍ତୁତ ହେଇପଡିଲି । କହିଲି, ନାଇଁ ସେମିତି କିଛି ନାଇଁ ଯେ ? ହେଲେ ଏଇଟା କଣ କିଛି ଅଧିକ ଆମଦାନୀ ପାଇଁ ନା ଅନ୍ୟ କିଛି କାରଣ ଅଛି ? ଭଦ୍ରବ୍ୟକ୍ତି ଜଣଙ୍କ ଉତ୍ତର ଦେଲେ, କେବଳ ସମୟ କାଟିବା ପାଇଁ । ଗାଡିଟି ମୋର ନିଜର । ଘରେ ବସି ବସି କରିବି କଣ ? ପାଞ୍ଚ ଛ ଘଣ୍ଟା ଦିନକୁ ଗାଡି ଚଳେଇଲେ କିଛି ପଇସା ବି ଆସୁଛି, ତା ସହ ତୁମ ଭଳି କିଛି ପିଲାଙ୍କ ସହ କଥାବାର୍ତ୍ତା କରିବାର ସୁଯୋଗ ବି ମିଳି ଯାଉଛି । ସମସ୍ତେ ବ୍ୟସ୍ତ, ମୁଁ ଘରେ ଅଛି, ଏକା ଅଛି ବୋଲି ଲୋକେ କଣ ନିଜ କାମ ଛାଡି ମୋ ସାଙ୍ଗରେ କଥା ହେବାକୁ ମୋ ଘରକୁ ଯିବେ ? ସେଇଥିପାଇଁ ବହୁ ଚିନ୍ତା କରି ମୁଁ ଉବେରରେ ଗାଡି ଲଗେଇଲି ।

ଗାଡି ସେତେବେଳକୁ ମୋ ଲକ୍ଷ୍ୟସ୍ଥଳରେ ପହଂଚିସାରିଥାଏ । ଅଙ୍କଲଙ୍କୁ ପଇସା ଦେଇ ସାରିଲା ପରେ ମୋ ଶେଷ ପ୍ରଶ୍ନଟି ପଚାରିଲି, ଦୁଃଖ ଲାଗେନି ଆପଣଙ୍କୁ ? ଏକା ଏକା ଲାଗେନି ? ପ୍ରଥମ ଥର ପାଇଁ ସେ ଟିକେ ଉଦାସ ଦେଖାଦେଲେ । କହିଲେ, ହଁ ଲାଗେ । ହେଲେ ଉପାୟ କଣ ଯେ ? ପୁଅକୁ ତ ପାଠ ପଢ଼େଇଥିଲି ବଡ କମ୍ପାନୀରେ ଚାକିରି କରିବା ପାଇଁ । ଦିଲ୍ଲୀରେ ତାକୁ ଭଲ କିଛି ମିଳିଲାନି, ବାଙ୍ଗାଲୋର ଗଲା । ଚାକିରି ଆରମ୍ଭରୁ ପଇସା ସଂଚିଥିଲି ଝିଅ ବାହାଘର ପାଇଁ, ସେ ଭଲ ଜାଗାରେ ବାହା ହେଇଗଲା । ଏଇ ନିସଂଗତାକୁ ଅର୍ଜିବି ବୋଲି ତ ଗତ ତିରିଶ ବର୍ଷ ଧରି କାମ କରି ଆସିଛି, ଦୁଃଖ କରି ଲାଭ କଣ ? ବରଂ, ସେଥିରୁ ବାହାରିବାର, ରିହାତି ପାଇବାର ଉପାୟଟେ କାଢି ନେବା ହିଁ ବୁଦ୍ଧିମତା ।

ଖୁସିରେ ବଞ୍ଚିବାର ଅଧିକାର ସମସ୍ତଙ୍କର ଅଛି । ସବୁ ସମ୍ପର୍କ, ସବୁ ବ୍ୟସ୍ତତା, ସବୁ ଜଞ୍ଜାଳ ଭିତରୁ ନିଜ ପାଇଁ ଧାପେ ଖୁସି ଚୋରେଇ ନେବା ଗୋଟେ ମାଷ୍ଟର ଆର୍ଟ । ସେଇ କଳାଟିକୁ ଥରେ ହାତେଇ ନେଲେ ନିଃସଙ୍ଗତା, ଦୁଃଖ, ବାମନ ହେଇଯାନ୍ତି, ନିଜ ଭାଗର ଆୟୁଷ ବଞ୍ଚିହୁଏ ଅପେକ୍ଷାକୃତ ସହଜ ଓ ସରଳ ଭାବେ, ଖୁସିରେ ।