ଫଟୋ - ୱିକି କମନ୍ସ

ମୁଁ ଜାଣେନା, ତମେ ବି ଜାଣ ନାହିଁ, ଏ ଭିତରେ
ଆମେ ହଜାଇ ଦେଲେଣି କି ପରସ୍ପରକୁ ?

କାହାକୁ ପଚାରିବା ଏବେ ?
ଆମର ଅସାମାନ୍ୟ
ରାତିମାନଙ୍କର ପ୍ରବେଶ ପଥରେ
ଜଗିଥିବା ପକ୍ଷୀଟି ତ ମୂକ ହୋଇଯାଇଛି କେବେଠୁ ।
ପଚାରି ଥାନ୍ତେ ବା ଏ ରାତି ପୂର୍ବର ସନ୍ଧ୍ୟାକୁ
ସନ୍ଧ୍ୟା ପୂର୍ବ ଏକାକୀ ମଧ୍ୟାହ୍ନମାନଙ୍କୁ
ମଧ୍ୟାହ୍ନ ପୂର୍ବ ଭୋର୍ ଶେଜକୁ,
କିନ୍ତୁ ସେମାନେ ତ ଆଉ ନିଜର ନୁହନ୍ତି ଆଜିକାଲି ।

ଠିକ୍ ଅଛି, ଯିବା ଚାଲ ଧୀରେ ଧୀରେ
ସେ କାନ୍ଥର ଛାଇ ଆଡକୁ ଓ ପଚାରିବା ।
ଗତକାଲି ଥିଲା ସେ କାନ୍ଥ,
ଆଜି ବି ଅଛି, ଦୃଶ୍ୟମାନ ବି ଆମ ଭବିଷ୍ୟତରେ,
ବେଳେବେଳେ ଛାଇଟି ଛାଡ଼ି ଉଭେଇ ଯାଏ କୁଆଡେ ।

ଦେଖନା ଏବେ, ଏତେ ବଡ ଆକାଶଟା
ଖସି ପଡୁଛି ବୁନ୍ଦା ବୁନ୍ଦା ହୋଇ ।
ମୁଁ ମୋର ପାପୁଲିରେ ସଂଚି ରଖୁଛି କିଛି,
ମେଲାଣି ବେଳାରେ ଉପହାର ଦେବି ନା ତମକୁ ।

ତମେ ମୋତେ କଣ ଦେଇ ପାରିବ ଆଜି ?
ଚୁମ୍ବନ - ସିକ୍ତ ମୋର ଅତୀତ,
ପରାଗ ଜର୍ଜରିତ ଏକ ନିବୁଜ ଆଲିଙ୍ଗନ, ?
ନା, ତମେ ତ କହୁଛ ଏବେ
ଅତିକ୍ରମ କରିଯାଇଛ ଦେହ ତତ୍ତ୍ୱ,
ନିଶ୍ଚେ କହିଛ ଏକଥା ତମେ, କହିଛ ।

ମୁଁ ତମ ରାସ୍ତାକୁ ପଚାରିଲି, ମୋତେ ଠେଲିଦେଇ
ସେ କୁଆଡେ ନେଇଯାଉଚି ତମକୁ,
ମୋ ରାସ୍ତା ଅଥଚ କେତେ ବୃଥା ଆଶାରେ ଚିକ୍ ଚିକ୍ ।

ଏବେ କି ଯେ କଳା ରଙ୍ଗ ବୋଳି ହୋଇଯାଇଛି
ଆମ ଚକ୍ରବାଳରେ,
ଘନଘୋର ଝଞ୍ଜା ଆସୁଛି, ଶୁଣୁଛି
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ସାରା ସୌର ମଣ୍ଡଳ ଫଟାଇ
ଆସୁଛି ଏ ସୌର ଝଡ ।

ମଝିରେ ମଝିରେ ଉଭେଇ ଯାଉଥିବା
ଗୋଟିଏ ନିର୍ବିକାର କାନ୍ଥ ଓ
ତାର ନିବିଡ଼ ଛାଇ
ଆମ ବନ୍ଦ ରାତି ଦୁଆରରେ ସେଇ ମୂକ ପକ୍ଷୀ,
ଚରମ ଏକ ଅନୁଭବର ରକ୍ତାକ୍ତ ବିଫଳତା,
ଏ ପ୍ରାଣାନ୍ତକ ସୌର ଝଡ,

ଆମେ କଣ ପଳାୟନ କରିବା ଏଇନା
ଯେ ଯାହା ବାଟରେ?
ଭେଦି ଯାଇପାରିବା ନାହିଁ,
ଏ ସବୁକିଛି କୁ
ପାରି ହୋଇ ଯାଇ ପାରିବା ନାହିଁ, ଏକାଠି,

ହଁ କହନ୍ତ ଯଦି
ଚାହନ୍ତ ଯଦି !