ଫଟୋ - ୱିକି ମିଡିଆ

ଟି’ପୟରେ ଥୋଇଦେଇ ମୋର ମୁଣ୍ଡକୁ, ସେ ପଚାରିଲେ ତୁମର ଦେହ କାହିଁ ? ମୁଁ ମୋର ହାତକୁ ଖୋଜିଲି ଅଣ୍ଡାଳିବାକୁ ଦେହ । ହାତ ଲେଖୁଥିଲା ପ୍ରେମ କବିତା, ଟେବୁଲ ସାରା ରକ୍ତ । ଉକ୍ତ ପଦ୍ୟାଂଶଟି ଅତି ସରଳ ଯେ ରକ୍ତରେ ହିଁ ଗଢା ମୋର ଓ ପୃଥିବୀର ଦେହ ।

ପୃଥିବୀର ମୁଣ୍ଡଟି ଫୁଟୁଥିଲା ଚୁଲିହାଣ୍ଡିରେ । ପ୍ରକାଣ୍ଡ ଖପୁରି ଭିତରେ ମଗଜର ରାଉ ରାଉ ଶବ୍ଦ, ସଢା ବାସ୍ନାର ଭୋକ ଆକାଶରେ । ମୋର ଦେହ ସାରା ଆକାଶ, ଚଢେଇମାନଙ୍କର ତୁମୁଳ କଳରୋଳ ଛାତି ଭିତରେ । ଦେହକୁ ଛୁଇଁବାର ବଳ ପୂରିଲାନି ହାତର ଆଂଗୁଠିମାନଙ୍କର, ଓହୋ ଏତେ ବଡ଼ ଆକାଶ ! ଏତେ ଶବ୍ଦ !

ସେ କହିଲେ ଖାଇନିଅ, କେତେବେଳ ହେଲାଣି ଭୋକରେ ଅଛ । ଦେହ କିଛି ଖାଏ ନାହିଁ, ସେ କେବଳ ଭୋକରେ ଥାଏ । ଭୋକରେ ଥିବା ଯାଏଁ ସେ ଦେହ । ମୋର ଦେହର ଖୋଲ ଚମଡ଼ାରେ ଭିଡ଼ି ହେଲା ପରେ ମୃଦଂଗ, ଆରମ୍ଭ ହେବ ଭୋଗରାଗ ।

ଏମିତି ହୁଏ ମୋର ଗୋଟିଏ ହାତ ପରିବା କିଣୁଥାଏ ଗୋଲବଜାରରେ, ଆର ହାତ ଛିଡ଼ା ହୋଇଥାଏ ବେଙ୍କର କ୍ୟୁ’ରେ । ଗୋଟିଏ ଗୋଡ଼ ଖୋଜୁଥାଏ ଆର ଗୋଡ଼କୁ ମର୍ଣ୍ଣିଂ ୱାକରେ କଦମତାଳ ପାଇଁ, ଆର ଗୋଡ଼ ଫେରୁଥାଏ କଙ୍କାଳଙ୍କ ନୃତ୍ୟ ଆସରରୁ ଝୁଲି ଝୁଲି ନିଶାରେ । ଛାତିକୁ ଛାଡ଼ି ଆସିଥାଏ ମୁଁ ଗାଁ’ର କମାରଶାଳରେ ସଳଖେଇବାକୁ ପୃଥିବୀର ପଞ୍ଜରାକାଠି ।

କଳ୍ପନାରେ ହିଁ ଗଢିଛି ମୁଁ ମୋର ଦେହ ଓ ପୃଥିବୀ । ନିୟୋଜିତ କରିଛି ଅବୟବମାନଙ୍କୁ ଭିନ୍ନାଭିନ୍ନ କର୍ତ୍ତବ୍ୟରେ । କିଏ ଲେହି ହେଉଛି ବିଲେଇମୁହିଁର ଜିଭରେ, କିଏ ପଜାଉଛି ଟାଂଗିଆ ହାଣିବାକୁ ପୃଥିବୀର ମୁଣ୍ଡ । ଭୟଂକରୀ ପ୍ରଳୟବେଳେ କିଏ ବଜାଉଛି ବୀଣା, କିଏ ଆଉଁସି ଆଉଁସି ଆକାଶର ବାଳ ଗାଉଛି ପ୍ରଣୟର ଗୀତ। ଯେ ଝା କର୍ମରେ ମାତିଥାନ୍ତି ସେମାନେ ଓ ତାଙ୍କର ଭୋକ।

ଟି’ପୟ ଉପରେ ପ୍ଲେଟରେ ବଢାହୋଇଛି ମୋର ସଜରନ୍ଧା ମୁଣ୍ଡ ଓ ଥୁଆ ହୋଇଛି ଦୁଇଟି କଣ୍ଟା ଚାମୁଚ୍, ଗୋଟିଏ ତାଙ୍କର ଓ ଅନ୍ୟଟି ମୋର । ଓଃ ହାତମାନ ଏତେବେଳେ ଗଲେ କୁଆଡ଼େ !