ସୂର୍ଯ୍ୟୋଦୟକୁ ପଛ କରି ସେମାନେ ଜନ୍ମ ନିଅନ୍ତି
କିଂବା ସେମାନଂକ ଜନ୍ମବେଳରେ
ପଛ କରିଦିଏ ସୁର୍ଯ୍ୟ
ସୂର୍ଯ୍ୟାସ୍ତ ପୂର୍ବରୁ ସେମାନେ ଲିଭିଯାଆନ୍ତି
କିଂବା ଲିଭାଇ ଦିଆଯାଏ ସେମାନଂକୁ ଫୁଂକମାରି

ଝାଟିମାଟିର ନୁଆଁଣିଆ ଚାଳ ଘରେ
ମୂଳ ଅଧିବାସୀ ତ ଅଂଧାର
ଡିବିରି ଆଲୁଅ ଏକ ଅନାହୂତ ଅପ୍ରତ୍ଯାଶିତ
ଅତିଥି ସତେବା
ସକାଳଯାଏ ଜଳିବା ପାଇଁ ଯଥେଷ୍ଟ ନଥାଏ ରକ୍ତ

କଣାଏ ବୋଲି ନିଆଁ ପେଟରେ
ଦାନାଟିଏ ପଡିଲେ ଫଟକିନା ଲିଭିଯାଏ
ଜୁଳୁଜୁଳିଆ ପୋକ ପରି ଦିକ୍ ଦିକ୍ ବିନ୍ଦୁଏ ସ୍ବପ୍ନ
ଚାଟିନିଏ ଅନାଲୋକିତ ଶ୍ମଶାନର ଜିଭ
ଧୂଆଁ ଭିତରେ ଲୁଚି ରହିବା ସେମାନଂକ ଭାଗ୍ୟ
ଉଂକି ମାରିଲେ ଛିଟାଏ ପାଣିରେ
ଲିଭାଇ ଦିଆଯାଏ ସେମାନଂକ ମୁହଁ

ସେମାନଂକ ଗୋଡ଼ ନଥାଏ
ଛାଡି ଯିବାପାଇଁ ପାଦଚିହ୍ନ
ଆଗପଛ ନଥିବା ତୁଚ୍ଛା ଗୁଡାଏ ବିନ୍ଦୁ
ହଜି ଯାଆନ୍ତି ଅକ୍ଷରମାନଂକ ଭିଡ଼ରେ