କବିତା

କବିତା ଏମିତି ଜନ୍ମନିଏ ଗୋଟେ ଜଳୁ ନଥିବା ଚୁଲିର ପାଉଁଶରୁ ।


ଚୁଲି ଉପରେ ପଡ଼ିଲାଣି କଅଁଳ ଖରା
ସକାଳୁ ସକାଳୁ ଖଣ୍ଡେ ଭସା ବାଦଲ
ବର୍ଷିଯାଇଛି କିଛି ମୁହୂର୍ତ୍ତ
ଚାଳିଆରୁ ଖସିପଡୁଛି
ବିନ୍ଦୁ ବିନ୍ଦୁ ପାଣି ଟପ୍ ଟପ୍
ବେଶ୍ ଅନ୍ୟମନସ୍କ ହେବାର ଦୃଶ୍ୟ !!

ଆନମନା ହେବାକୁ ବେଳ ନଥିଲା
ଶୀଲୁର
ବର୍ଷା ଛିଟାରେ ଓଦା ଚୁଲି
ନିଆଁ ଧରେଇବା କଷ୍ଟ !

ହୁତ୍ ହୁତ୍ ଚୁଲିରେ
ହାଣ୍ଡି ବସେଇଲା ଶୀଲୁ
ମାଟିର ଚୁଲି
ଝିଙ୍କା ତିନିଟା ଗୋଟେ ମୁହଁ
ମୁହେଁଇଦିଏ କିଛି ସ୍ଵପ୍ନ
କିଛି ସନ୍ତାପ
ସକାଳକୁ ସବୁ ପାଉଁଶ

ପାଉଁଶ ନଷ୍ଟ କରେନା ଶୀଲୁ
ଅଜାଡ଼ିଦିଏ ସଜନା ମୂଳରେ
ତଥାପି ବି ସ୍ବପ୍ନ ଥାଏ
ଗୋଟେ ଫୁଲଭର୍ତ୍ତି ଡାଳ !!

Report an Error