"ଲୋ ରେବୀ ଲୋ ନିଆଁ ଲୋ ଚୂଲୀ"

ଆହାଃ, ଅପ୍ରମିତ ଯନ୍ତ୍ରଣାର କି ଆରତ ଏ ଶବ୍ଦ ସବୁ ।

ଫକୀର ମୋହନଙ୍କ 'ରେବତୀ' ରଚନାର ଉଦ୍ଦେଶ୍ୟ ଦିଗରୁ ଦେଖିଲେ ଗଳ୍ପର ରେବତୀ, ବାସୁ ଓ ଶ୍ୟାମବନ୍ଧୁ ମହାନ୍ତିଙ୍କ ଅପେକ୍ଷା ଜେଜୀମା ଚରିତ୍ର ହିଁ ଗୁରୁତ୍ବପୂର୍ଣ୍ଣ ମନେହୁଏ । କାରଣ ଦ୍ବନ୍ଦ୍ବର ଉଭୟ ପକ୍ଷରେ ଜେଜୀମା ହିଁ ଠିଆ ହୋଇଛି । ଏକପକ୍ଷରେ ଗତାନୁଗତିକ ଜୀବନଚର୍ଯ୍ୟା ପ୍ରତି ଅହେତୁକ ବିଶ୍ବାସବୋଧ ଓ ଅପରପକ୍ଷରେ ନୂତନ ଚିନ୍ତାଦର୍ଶୀ ନାତୁଣୀର କୋମଳ ହୃଦୟ ପ୍ରତି ସ୍ନେହ କାଙ୍ଗାଳୁଣୀପଣ ଘେନି ଜେଜୀମା ଗଳ୍ପର ଶେଷଯାଏ ନିଜ ସହ ନିଜେ ହିଁ ଲଢେଇ କରିଛି । ଜେଜୀମାର ଏହି ଦ୍ବନ୍ଦ୍ବ ହିଁ ଗଳ୍ପର ଗତିଶୀଳତାର ନିୟନ୍ତ୍ରଣ ଏବଂ ଗଳ୍ପର ଭାଗ୍ୟ ନିର୍ଦ୍ଧାରଣ କରିଛି ।

ସାଧାରଣ ମଣିଷଟିଏ ପରି ଜେଜୀମାର ଚିନ୍ତାଧାରାରେ ମଧ୍ୟ ନିଜ ସମୟର ଚିତ୍ତବୃତ୍ତି, ଚାଲିଚଳଣି, ସଂସ୍କାର ଭର୍ତ୍ତି । ସେ ଜାଣେ ନା ପାଠ କ'ଣ, ସେଥିରୁ ତିରିଲା ଝିଅର ଲାଭ କଣ ? କେମିତି ବା ଜାଣିବ ନିଜ ସମୟରେ ଜେଜୀମା ପାଠ ପଢିନି କି ଆଉ କୋଉ ଝିଅପିଲା ପାଠ ପଢିବାର ଦେଖିନି, ତେଣୁ ନାତୁଣୀର ପାଠପଢାକୁ ଗ୍ରହଣ ବି କରିନେଇନି । ନିଜେ ବଞ୍ଚୁଥିବା ସମାଜ ପାଠପଢାକୁ ନେଇ ବିଶ୍ବାସବୋଧ ନାଁରେ ଯେଉଁସବୁ ଅନ୍ଧତା, କୁ-କଥା, ପ୍ରଚାର କରିଥିଲା ତାକୁ ହିଁ ଜେଜୀମା ଜୀବନର ଶ୍ରେଷ୍ଠ ମାର୍ଗ ମନେ କରିନେଇଥିଲା ଓ କହୁଥିଲା "ପାଠ କଣ ଲୋ ! ତିରିଲା ଝିଅଟା ପାଠ କଣ ? ରନ୍ଧାବଢା ଶିଖ, ପିଠାପଣା କରିବାକୁ ଶିଖ, ଝୁଟି ଦିଆ ଶିଖ, ଦହିମୁହାଁ ଶିଖ, ପାଠ କ'ଣ ?" ସେଇ ସମାଜଠୁ ଜେଜୀମା ଆଉ ବି ଶୁଣିଛି ଝିଅଟିଏ ପାଠ ପଢିଲେ କଉ ଅମଲାଗିରି କରିବ କି ନଉକିରୀ ଚାକିରି କରିବ ବରଂ ତାର ହାତରନ୍ଧା ତିଅଣ ଅଲଣା ହେବ, ଘର ସୁଖଶାନ୍ତିରେ ଅମଙ୍ଗଳ ପଶିବ ।

ଜେଜୀମାର ହଜାରେ ବାରଣ ସତ୍ତ୍ବେ ନାତୁଣୀ ରେବତୀ ପଢିଛି, ବାସୁଦେବ ପଢାଇଛି ଓ ପୁଅ ଶ୍ୟାମବନ୍ଧୁ ମହାନ୍ତି ସମର୍ଥନ ଜଣାଇଛନ୍ତି । ଅମାନିଆ ପୁଅ ବୋହୂ ନାତୁଣୀ କେହି ବି ତା କଥା ଶୁଣିଲେନି ତେଣୁ ସମର୍ଥନ ନକରିବା ସତ୍ତ୍ବେ ନୀରବ ରହିଲା ଜେଜୀମା । ଏଠାରେ ମୌନତା ସମ୍ମତିର ଲକ୍ଷଣ ବୋଲି କୁହାଯାଇ ପାରିବନି । ଜେଜୀମାର ମୌନତା ଆପଣା ପରିବାରର ପ୍ରତିଟି ଅମାନିଆପଣକୁ ବରଦାସ୍ତ କରିନେବାର ଆତ୍ମିୟତା କେବଳ ।

ଜେଜୀମା ମଣିଷର ମନ ଚିହ୍ନେ । ପାଠପଢାକୁ ତାର ପରମ୍ପରା ଓ ଆଦର୍ଶ ଗ୍ରହଣ କରିବାକୁ ମନାକରିଛି ବୋଲି ସିନା ନାକଟେକେ ନହେଲେ ବାସୁକୁ ରେବତୀକୁ ଶ୍ୟମାବନ୍ଧୁ ମହାନ୍ତିଙ୍କୁ ସେ କଣ କମ୍ ଭଲପାଏ ?

ମାତାପୁତ୍ରର ସଂର୍ପକରେ ରହିଥିବା ଅହେତୁକ ସମ୍ମାନବୋଧ ଅଳ୍ପରେ ହେଲେ ମଧ୍ୟ ରେବତୀ ଗଳ୍ପରେ ସ୍ପଷ୍ଟ ଓ ପ୍ରାଞ୍ଜଳ । ନାତୁଣୀର ପାଠ ପ୍ରତି ନିଜର ଅସମ୍ମତିକୁ ପୁଅ ଶ୍ୟାମବନ୍ଧୁ ପାଖରେ ପ୍ରକାଶ କରିବା ପାଇଁ ମାଁର ମୁରବିପଣରେ କୁହେ "ହଁରେ ଶ୍ୟାମ ! ରେବତୀ ପାଠ ପଢିବ, ପାଠ କଣ କିରେ, ତିରିଲା ଝିଅର ପାଠ କଣ ?" ସାଧାରଣ କଥନଭଙ୍ଗୀରେ ଶ୍ୟ‍ାମବନ୍ଧୁଙ୍କ ଉତ୍ତର "ହେଉ, ପଢିବି କହୁଛି ତ ପଢୁ । ଝଙ୍କଡ ପଟ୍ଟନାୟକ ଘର ଝିଅମାନେ ଯେ ଭାଗବତ ବୋଲି ପାରନ୍ତି, ବୈଦେହୀଶ ବିଳାସ ଛାନ୍ଦ ଗାଇ ପାରନ୍ତି ।" ମୁରବୀପଣ ଦେଖାଇ ଜେଜୀମା ପୁଅ କଥାରେ ଜିଦିକରି ବସିନି କି ପୁଅ ବି ମା'ର ଅସମ୍ମତିରେ ବିଗିଡିଯାଇ ଦି ଚାରିପଦ ଶୁଣାଇ ପକାଇନି । ବାପା ଓ ଜେଜୀମାର ୟେ କଥା ଶୁଣି ରେବତୀ ରାଗିଯାଇ ଯେତେବେଳେ ଗାଳି କରିଛି, "ଯା ଲୋ ବୁଢୀ ଡୁଗୁରୀଟା" ସେତେବେଳେ ବି ଜେଜୀମ‍ା ନାତୁଣିକୁ ଖପା ହୋଇନି । ତହିଁ ଆର ଦିନ ବାସୁ ଆଣିଦେଇଥିବା ସୀତାନାଥ ବାବୁଙ୍କ ପ୍ରଥମପାଠ ଖଣ୍ତିକରେ ଥିବା ଛବି ଘରଯାକ ଲୋକଙ୍କୁ ଦେଖାଇ ସାରିଲା ପରେ ଜେଜୀମାଁକୁ ବି ଦେଖାଇଛି । "ଜେଜୀ କିଞ୍ଚିତ ବିରକ୍ତରେ କହିଲା -"ହଁ ଯା ଯା" । ରେବତୀ 'ଦୂର ଦୂର' ଗାଳିଦେଇ ଫେରି ଆସିଲା ।" ଗଳ୍ପର ଏଇ ଭାଗ ଯାଏ ଜେଜୀମା ପାଠକୁ ନେଇ ନିଜର ସ୍ବାଭାବିକ ମତ ରଖୁଥିଲା । ମତକୁ ପୁଅ ନାତୁଣୀ ଅମାନ୍ୟ କଲେ ବୋଲି ମାନ ଅଭିମାନ କରି ଝଗଡା କି ରାଗିଯାଉ ନଥିଲା । ରେବତୀକୁ ପାଠ ପଢାଇବା ପଛରେ ବାସୁର ହାତ ଥିବା ସତ୍ତ୍ବେ ତା ସହ ରେବତୀର ବିବାହ ପ୍ରସ୍ତାବରେ ନିଜର ସମ୍ମତି ଓ ଆଗ୍ରହ ଦେଖାଇଛି ଜେଜୀମା । ଆମେ ନିସଂକୋଚରେ କହିପାରିବା ଯେ ଜେଜୀମାର ତା ପରିବାର ସହ ବିଶେଷ କରି ରେବତୀ ସହ କେବଳ ମତାନ୍ତର ଥିଲା ମନାନ୍ତର ନୁହଁ ।

କିନ୍ତୁ, ଦେଖୁଦେଖୁ ଗୋଟେ ଦିନରେ ଜେଜୀମା ପୁଅ ବୋହୂକୁ ହରାଇବା, ପୁଅ ଯିବାପରେ ଜମିଦାର ଘର ଲୋକେ ତହବିଲ ବାକି ଟଙ୍କା ସକାଶେ ଗାଈ ଦୁଇଟାକୁ ନେଇଯିବା, ଜମିଦାର ଚଷିବାକୁ ଦେଇଥିବା ତିନିମାଣ ଜମି ଛଡାଇ ନେବା, ତାର ନିଜ ଆଖି ଝାପ୍ସା ଦିଶିବା, ଏତେ ଏତେ ଅଘଟଣ ପରେ ଜେଜୀମା ରେବତୀର ପାଠପଢାକୁ ଖୋଲାଖୋଲି ଭାବରେ ନିନ୍ଦିବା, ଦାୟୀକରିବା ଆରମ୍ଭ କରିଦେଇଛି । ସାମ୍ନାରେ କହିପାରେନି ସିନା ହେଲେ ବାସୁକୁ ବି ସେ ଦାୟୀ କରେ କାରଣ ସେ ଆସିବାରୁ ହିଁ ରେବତୀ ପାଠ ପଢିଲା । ବାରଣ ସତ୍ତ୍ବେ ଅମାନିଆ ହୋଇ କରାଯାଇଥିବା କାମର ଫଳ ଓଲଟା ହେଲେ ବାରଣ କରୁଥିବା ମଣିଷର ଆକ୍ରୋଶ ବଢିବା ଆମର ନିତିଦିନିଆ ଜୀବନରେ ଏକ ସ୍ବାଭାବିକ କଥା । ଯଦିଓ ରେବତୀର ବାପା ବୋଉ ମରିବାର ସଂର୍ପକ ରେବତୀର ପାଠପଢା ସହ କିଛି ନାହିଁ କିନ୍ତୁ ଜେଜୀମାର ମନର ଦୃଢ ବିଶ୍ବାସ ଯେ ସବୁ ଅଘଟଣ ମୂଳରେ ରେବତୀର ପାଠପଢା ହିଁ ଦାୟୀ । ରୋଗର ବିପର୍ଯ୍ୟସ୍ତ ପରିବେଶ ଭିତରେ ଜେଜୀମାର ଆକ୍ରୋଶ ଚରମ ସୀମାରେ ପହଞ୍ଚିଛି । ଏ ଭାଗରେ ଜେଜୀମାର ପାଠପଢାକୁ ନେଇ ଅସମ୍ମତି ଏକ ତିକ୍ତ ଓ ରୁକ୍ଷ ବାତାବରଣ ସୃଷ୍ଟି କରିଛି । ଅନ୍ଧତା, ସଂକୀର୍ଣ୍ଣ ଦୃଷ୍ଟିଭଙ୍ଗୀରେ ଜେଜୀମାର କୋମଳତା ଭାଂଗିଦେଇଛି ।

କିନ୍ତୁ, ବାସୁ ଯେଉଁଦିନ ଅବେଳରେ ଆସି ଦିପୋଟି ଇନସପେକ୍ଟର୍ ହରିପୁରର ଥାନାରେ ବସି ପାଠଶାଳା ପିଲାଙ୍କୁ ପାଠ ପଚାରିବେ, ତେଣୁ ପିଲାଙ୍କୁ ନେଇ ଯିବାକୁ ହେବ ବୋଲି ଖବର ଦେଲା ।

ବୁଢୀ ଦୀର୍ଘଶ୍ବାସଟିଏ ମାରିଲା । ପୁଅବୋହୂର ମୃତ୍ୟୁପରେ ବାସୁ ହିଁ ସାହାରା ହୋଇ ଠିଆ ହୋଇଥିଲା । ଅଳ୍ପଦିନ ପାଇଁ ହେଉ ପଛେ ତା ବିନା ଚଲିବା ଖୁବ୍ କଷ୍ଟକର ମନେ ହେଲା ବୁଢୀକୁ । ଜେଜୀମା ସବୁତକ ରାଗରୋଷକୁ ଭୁଲି ମମତାମୟୀ ପରି ବାସୁକୁ କହିଲା "ବାପା ଖରାରେ ବୁଲିବୁ ନାହିଁ, ଦେହପାଆକୁ ଚାହିଁବୁ, ବେଳରେ ଦି'ଟା ମୁହଁରେ ଦେବୁ । "ଛ ଦିନ ପରେ ହରିପୁରରୁ ପିଲାମାନେ ଫେରିଛନ୍ତି ତାଙ୍କ ସହ ଖବରଟିଏ ଆସିଛି" ହରିପୁରରୁ ଫେରିଆସିବା ସମୟରେ ଗୋପଳପୁରର ବରଗଛ ମୂଳରେ ପଣ୍ତିତଙ୍କୁ ବାଡି ଧଇଲା, ଚାରିଥର ପୋଖରୀପାଣି ହେଲା, ଅଧରାତିବେଳେ ଚାଲିଗଲେ ।" କାନ୍ଦିକାନ୍ଦି ବୁଢୀର କଣ୍ଠ ରୁନ୍ଧି ହୋଇଯାଉଥିଲା, କାନ୍ଦି ନପାରି ବାସୁ ପୋଡା କରମକୁ ଅବସୋସ ଭର୍ତ୍ତି କଣ୍ଠରେ ନିନ୍ଦି କହିଲା - ଆହା ବାପା, ବିଦେଶକୁ ଆସି ଆପଣା ବୁଦ୍ଧିରେ ପ୍ରାଣ ହରାଇଲୁରେ । ଏ ଭାଗରେ ଜେଜୀମାର ଆକ୍ରୋଶ ଓ ଅବସୋସ ଏକାକାର ହୋଇଯାଇଛନ୍ତି । ପାଠକ ଜେଜୀମାର କୋମଳତା ଓ ରୁକ୍ଷତା ଉଭୟକୁ ଏଇ ଜାଗାରେ ଭେଟନ୍ତି ।

ବାସୁର ମୃତ୍ୟୁ ପରେ ରେବତୀ ତ ପଥର ପାଲଟିଗଲା ଅଥଚ ଜେଜୀମା ସେତକ ବି ହୋଇପାରିଲାନି । ପରିଣତ ବୟସରେ ଦାୟିତ୍ବ ପୁଣିଥରେ ତା ଉପରେ । ରେବତୀକୁ ଆହୁରି ରାଗିଛି ଆହୁରି ଗାଳିକରିଛି ଜୋର୍ ରେ ପାଟିକରି ସେଇମିତି ଅନବରତ କହିଚାଲିଛି - 'ଲୋ ରେବୀ ଲୋ ନିଆଁ; ଲୋ ଚୂଲୀ ' । କିନ୍ତୁ ଏ ଭାଗରେ ଜେଜୀମ‍ାର ଆକ୍ରୋଶ ନାହିଁ, ରୁକ୍ଷତା ନାହିଁ, ଅଛି ତ କେବଳ ଏକ ଅସହାୟତା । ରେବତୀ ଜ୍ବର ଭର୍ତ୍ତି ଦେହରେ ଅଚେତ ହୋଇପଡିଥିବା ବେଳେ ଖପା ହୋଇ ଆପଣା କିଆକୁ ଇଲାଜ କିଆଁ କହିଦେଇଛି ସିନା ହେଳେ ଛ'ଦିନ ପରେ ଯେତେବେଳେ ରେବତୀର ଜୀବନ ପ୍ରଦୀପ ଟିକିଏ ତେଜି ଉଠିଛି ଓ ସେ ଦୁଇ ଚାରିଥର ପାଟି କରିଛି ଜେଜୀମା ଭିତରର ପ୍ରେମଶିଳା ମନଟି ଖୁସି ହୋଇଯାଇଛି । ପେଟରେ ଦି ଚାରିଟା ପଥି ପଡିଲେ ରେବତୀ ଉଠି ବସିବ ଭାବି କଣା ଢାଳଟିଏ ଧରି ହରିସାହୁ ପାଖକୁ ଯାଇଛି । ବଡ ଫନ୍ଦିଫିକର ପରେ ହରିସାହୁଠୁ ଚାରିମାଣ ଚାଉଳ ଅଧମାଣ ଜାଇ କିଛି ଲୁଣ ଧରି ଚାରି ପାଞ୍ଚ ଜାଗା ବସି ଉଠି ଘରକୁ ଫେରିଛି । କ୍ଷଣେ ପ୍ରତିକ୍ଷଣେ ରେବତୀକୁ ନିନ୍ଦୁଥିବା, ତାରି ପାଠପଢା ହିଁ ସବୁ ଅନିଷ୍ଟର ମୂଳ କାରଣ ଭାବରେ ଦାୟୀ କରୁଥିବା ଜେଜୀମା ଏଇ ଜାଗାରେ ଆଉ ନାହିଁ । ଜେଜୀମାର ଭିନ୍ନ ଏକ ରୂପାନ୍ତର ରୂପ ପାଠକ ଦେଖେ । ନିଜ ନାତୁଣୀ ରେବତୀର ସ୍ବାସ୍ଥ୍ୟ ପାଇଁ ପଥି ଖୋଜି ଧନ୍ଦି ହେଉଥିବା, କେମିତି ଭଲ ହେବ ସେ ଫିକର କରିବା ଭିତରେ ଜେଜୀମା ଚରିତ୍ର ଏକ ମହନୀୟତା ଆଡକୁ ଗତିକରିଛି ।

ପଥି ଧରି ଘରକୁ ପହଞ୍ଚି ରେବତୀକୁ ଡାକିଡାକି ବାଡି ଦୁଆରକୁ ଗଲା, ଅଣ୍ତାଳି ଅଣ୍ତାଳି ଭୂମିଠାରୁ ଦୁଇହାତ ଉଚ୍ଚ, ହାତେ ଚଉଡା ପିଣ୍ଢାରେ ରେବତୀ ବସିଥିବାର ଦେଖି କହିଲା "ମଲା ତୁ ଏଇଠୁ ବସିଛୁ ?" ଜେଜୀମା ବଞ୍ଚିବାର ଶେଷ ଆଶା ଓ ଭରସା ନାତୁଣୀର ଦେହରେ ହାତଦେଇ ଚମକି ପଡିଛି । ଆଉଥରେ ଗୋଡଠାରୁ ମୁଣ୍ତଯାଏ ଆଉଁସି ଦେଲା, ନାକରେ ହାତ ଦେଇ ଏକ ଉତ୍କଟ ଶବ୍ଦକଲା । ତିନିତିନିଟା ଆତ୍ମୀୟଙ୍କୁ ହରାଇ ସାରିଲା ପରେ ବି ବଞ୍ଚିବାର କାରଣଟିଏ ଥିଲା ରେବତୀ, ଯେତେବେଳେ ସେଇ ରେବତୀର ନିଶ୍ବାସ ବନ୍ଦ ହୋଇଯାଇଛି ଜେଜୀମା ମଧ୍ୟ ପ୍ରାଣ ଛାଡି ଦେଇଛି । ପିଣ୍ଢା ତଳେ ଦୁଲଦାଲ ଶବ୍ଦ ।

ଆଖିର ଲକ୍ଷେ ଶିରାବଣ ଋତୁ ଓ ଅଗଣିତ ଉଜାଗର ରାତିରେ ଦେହର ରକତ ମାଉଁସ ଏକାକାର କରି ସଂସାର ହାଟରେ ଜେଜୀମା ଗଢିଥିବା ସୁନ୍ଦର ଜୀବନ ନାଟକଟିର ଶେଷ ଯବନିକା ସେଦିନ ଶାନ୍ତ ପଲ୍ଲୀ ଆକାଶର ପହରକିଆ ସନ୍ଧ୍ୟାତାରା ତଳେ ପଡିଥିଲା ।

ପ୍ରାଣୀର ଭଲମନ୍ଦ ବାଣୀ ମରଣ କାଳେ ତାହା ଜାଣି । ମୃତ୍ୟୁପରେ ହିଁ ଜେଜୀମା ଚରିତ୍ର ଭଲମନ୍ଦକୁ ଏକାଠିକରି କିଛି ଗୋଟେ ନିଷ୍କର୍ଷ ବାହାର କରାଯାଇପାରେ । ଜେଜୀମା ପରମ୍ପରା ଓ ନୂତନାର ପ୍ରତୀକ ନାତୁଣୀ ଉଭୟଙ୍କ ପ୍ରେମରେ ଅନ୍ଧ । ଯୁଗଯୁଗର ଚଳଣି ଓ ମନୋବୃତ୍ତିକୁ ଆପଣାଇ ପରିଣତ ବୟସରେ ପହଞ୍ଚିଲା ପରେ ତାକୁ ହିଁ ଜୀବନର ଧର୍ମ, ଜୀବନର ବ୍ରତ ମଣିଛି ଜେଜୀମା । ସେଇ ଧର୍ମର ରକ୍ଷା ପାଇଁ ତାକୁ ତା ସମୟ ଦେଇଛି ଏକ ଯୁଗୀୟ ବିଶ୍ବାସ । ବିଶ୍ବାସେ ମିଳଇ ହରି ତର୍କେ ବହୂଦୂର ପରି ଅକାଟ୍ୟ ବଚନ ହିଁ ତାର ଅସ୍ତ୍ର । ଯୁକ୍ତିତର୍କହୀନ ବିଶ୍ବାସବୋଧରେ ଜେଜୀମା ଅନ୍ଧ । ଅପରପକ୍ଷରେ ପାଠପଢା ପ୍ରତି ଆଗ୍ରହୀ ନାତୁଣୀ ରେବତୀ । ନାତି ନାତୁଣୀ ପ୍ରତି ରହିଥିବା ପ୍ରେମ ଓ ଶ୍ରଦ୍ଧାଶୀଳ ମନୋଭାବରେ ତ ଜେଜୀମାମାନେ ତ ଚିରକାଳ ଅନ୍ଧ । ଗୋଟେ ପଟେ ନିଜ ସମୟ ଓ ସମାଜର ଆହ୍ବାନ ନାରୀଶିକ୍ଷା ପ୍ରତି ଘୃଣ୍ୟ ଭାବ ପୋଷଣ କର ଏବଂ ଆରପଟେ ନାତୁଣୀ ରେବତୀ ପ୍ରତି ରହିଥିବା ମମତ୍ବର ପ୍ଲାବନ ମଧ୍ୟରୁ ଜେଜୀମା ଫି'ଥର ମମତ୍ବକୁ ବାଛିଛି । ଜେଜୀମା ସଂର୍ପକରେ ନଟବର ସାମନ୍ତରାୟଙ୍କ କହିଥିବା କଥା ପଦୁଏ ନିଜର ନିଷ୍କର୍ଷ ଭାବରେ ଉଦ୍ଧାର କରଯାଇପାରେ -

"ସ୍ତ୍ରୀ - ଶିକ୍ଷା ପ୍ରତି ମନୋବୃତ୍ତିର ଅନ୍ଧତାକୁ ଆମେ ହାତଦର କରିପାରୁ, ଉପହାସ କରିପାରୁ; କିନ୍ତୁ ଝିଅପ୍ରତି ସ୍ନେହର ଅନ୍ଧତାକୁ ଆମେ ସମଧିକ ସମ୍ମାନ ଦେଖାଇବାକୁ ବାଧ୍ୟ । କାରଣ ଏଇ ଅନ୍ଧତା ଭିତରେ ଅଛି ପ୍ରକୃତ ମାନବିକତା । ବୁଢୀ ଏଇ ଅନ୍ଧତା ଭିତରେ ଠିଆ ହୋଇଅଛି ଏକ ଜୀବନ୍ତ ମାନବୀ ରୂପେ । ଏଇଠି ହିଁ ଆମେ ଅନୁଭବ କରୁଁ ତା ସତ୍ତାର ସାର୍ଥକ ପରିଚୟ ।"