ପିଲାଙ୍କ ସହ ଏକ ସମନ୍ବିତ ଶିକ୍ଷଣ କ୍ଲାସ୍ - ୩

ଶିକ୍ଷାର ବିକଳ୍ପ ବ୍ୟବସ୍ଥାକୁ ନେଇ ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।


ଫଟୋ - ସୁମିତ୍ରା ପାଢୀ

ବିଭିନ୍ନ ପ୍ରକାର ଆକ୍ଟିଭିଟି ସରୁସରୁ ପିଲାଙ୍କର ଗଦାଏ ପ୍ରଶ୍ନ ଓ ଯୋଜନା ମୋ ଆଗରେ ଥାକ ମରା ହୋଇଗଲେ । ଏଇ ଯେମିତି; ଆମର ଆବଶ୍ୟକତା ଯେଉଁ ଜାଗାରେ ନାହିଁ, ଆମେ ସେଠାରୁ ଗଛ କାଟିବା କାହିଁକି ? ବଡମାନେ କ'ଣ ଠିକ୍ ଭୁଲ୍ ଜାଣିପାରୁ ନାହାନ୍ତି କି ? Oxygen mask ପିନ୍ଧିବା ସମୟ ଆସିବା ଆଗରୁ ଆମେମାନେ ଚେଷ୍ଟା କରି କ'ଣ କିଛି କରିପାରିବାନି ? ମାଟିଠୁ ଧୈର୍ଯ୍ୟ, ପର୍ବତଠୁ ଶୀର୍ଷ ଉଠାଇ ଚାଲିବା, ଆକାଶଠୁ ବିସ୍ତୃତି, ସାଗରଠୁ ମନର ଗଭୀରତା ପରି ଏତେ କଥା ଶିଖିବା ଲାଗି ଥାଉ ଥାଉ ଆମେ ବହି ପଢି, ଘୋଷି ଏତେ ସମୟ କାହିଁକି ନଷ୍ଟ କରୁଛନ୍ ତି? ଗଛକୁ କ'ଣ ସତରେ କଷ୍ଟ ହୁଏ ?

ସେମାନଙ୍କର ପ୍ରଶ୍ନ “ଭାଷା ତାଙ୍କ ବୁଝିବାରେ ବାଧକ ହୋଇନି” କଥାଟିକୁ ମୋତେ ବେଶ୍ ବୁଝେଇଦେଲା । ଅଥଚ ସେମାନେ ବର୍ଷ ବର୍ଷ ଧରି ଇଂରାଜୀ ଲେଖିପାରୁନାହାନ୍ତି, ଟ୍ରାନ୍ସଲେସନ କରିପାରୁନାହାନ୍ତି ବୋଲି ଘରେ, ଟ୍ୟୁସନ ସାରଙ୍କ ପାଖେ ମାଡ ଖାଇଖାଇ ଯନ୍ତ୍ରଣା ତ ଯାହା ପାଇଛନ୍ତି, ଇଂରାଜୀକୁ ଡରିବାର ବୋନସ୍ ବି ପାଇସାରିଛନ୍ତି ଏ ଭିତରେ ।

ପ୍ରଶ୍ନ ପରେ ନିଜେ ନିଜେ ଏବର୍ଷ କେତେ ଲେଖାଏଁ ଗଛ ଲଗାଇବେ ତାର ବି ଗୋଟିଏ ତାଲିକା କରିଦେଲେ । କିଏ ୨୫୦, ୩୦୦ତ କିଏ ୫୦୦ । ମୁଁ ଆଶ୍ଚର୍ଯ୍ୟ ହୋଇଗଲି ତାଙ୍କର ସଂଖ୍ୟା ଶୁଣି । ସମସ୍ତଙ୍କ କିନ୍ତୁ ମୁହଁ ଖୁବ୍ ଗମ୍ଭୀର ଥିଲା ଏସବୁ କଥାବାର୍ତ୍ତା ହେଉଥିବା ବେଳେ । ତା ଭିତରେ କେହି ଜଣେ କହିଲା, “ଆମେ ଚାଲ ଗଛ ବିଷୟରେ ଗୋଟିଏ ନାଟକ ଲେଖିବା ।” ଅନେକ କଥା ଆଗରୁ ଜାଣିଥିଲେ ଯଦିଓ ନୂଆ କଥା କିଛି ସେଥିରେ ଯୋଡି ହୋଇଯାଇଥିଲା ଏଥର । ସେମାନଙ୍କର ଆଗ୍ରହ ଦେଖି ମୁଁ ନାଟକ ଲେଖିବା ପାଇଁ ତାଙ୍କୁ ଛାଡିଦେଇ ଅନ୍ୟ ପିଲାଙ୍କ ପାଖକୁ ଆସିଲି । ମୋର ସହଯୋଗୀ ଶିକ୍ଷକ ନିଜ ଲେଖା ସାରିବା ପରେ ଜଣକ କାମ ସାରୁଥିବା ପିଲାଙ୍କର ଲେଖାଗୁଡ଼ିକ ଶୁଣୁଥାନ୍ତି । ପଢିସାରିଥିବା ପିଲାଙ୍କୁ ନେଇ ଦ୍ୱିତୀୟ ଗ୍ରୁପ୍ ତିଆରି କରି ନିଜ ନିଜର ଲେଖାଗୁଡ଼ିକୁ ସୁନ୍ଦର ଅକ୍ଷରରେ ଟିପିଦେବାକୁ ସାଦା କାଗଜ ଦେଲି ।

ଦିନ ୧୨ଟା ବେଳକୁ ପ୍ରଥମ ଗ୍ରୁପ୍‌ର ପିଲାମାନେ ତୃତୀୟ ଦୃଶ୍ୟ ଯାଏ ଲେଖିସାରିଥାନ୍ତି । ଅନ୍ୟ ପିଲାଙ୍କୁ ଦେଖି ନିଜ ଲେଖାଗୁଡ଼ିକ ବି ଅଳ୍ପ ସମୟରେ ଉଠାଇ ଦେଇଥାନ୍ତି କାଗଜକୁ ରଂଗବେରଙ୍ଗ ଅକ୍ଷରରେ । ପ୍ରଥମ ଜଳର ପିଲାଙ୍କ ସହ ବାକିତକ ନାଟକ କ’ଣ ଲେଖାଯିବ ଆଲୋଚ଼ନା କରୁକରୁ ସମୟ ସରିଗଲା ।

ଏ ତ ଗଲା ମାତ୍ର ଦୁଇଦିନର କଥା ଗଛ ଉପରେ ଆମେ ପ୍ରାୟ ଆହୁରି ୩୦, ୪୦ ଦିନ ଜାଣିଲୁ । ଏଥର ଶିଖିବାର ଅନେକ ଯୋଜନା ପିଲା ନିଜେ କରି ପକାଉଥାନ୍ତି । ସେ ମାସଟେ ଭିତରେ ଆମେ ଅନେକ କାର୍ଯ୍ୟକ୍ରମ କରିଛୁ । ଯାହା ଶିଖିଛୁ ସେସବୁ ଆମର ଧାରଣାକୁ ଟିକେ ସ୍ପଷ୍ଟ କରିବାକୁ ଏଠାରେ ଲେଖୁଛି ।

  • ପରିବେଶରେ ଥିବା ଭିନ୍ନଭିନ୍ନ ପ୍ରକାର ଗଛର ବିଭାଗୀକରଣ ଓ ଗଣନା ।

  • ଏଯାବତ୍ ଶୁଣିଥିବା ଗଛ ସଂପର୍କତ ସବୁ ଗପକୁ ସଂଗ୍ରହ କରି ଲେଖିବା ।

  • ପାଠାଗାରରେ ଥିବା ହଜାର ହଜାର ବହି ଭିତରୁ ଗଛ ସଂପର୍କତ କଥାର ସଂଗ୍ରହ ।

  • ଔଷଧିୟ ବୃକ୍ଷର ତାଲିକା କରିବା ସହ ତାର ପ୍ରୟୋଗ ବିଧି ।

  • ଓଡ଼ିଆ, ହିନ୍ଦୀ, ଇଂରାଜୀ, ସଂସ୍କୃତରେ ଗଛର ବିଭିନ୍ନ ଅଂଗ ପ୍ରତ୍ୟଙ୍ଗ ର ନାଁ ଜାଣିବା ।

  • ଗଛ, ପତ୍ର, ଡାଳ, ଫୁଲର ଉଚ୍ଚତା ମୋଟେଇ ବ୍ୟବଧାନ ମାପିବା ସହ ବିଭିନ୍ନ ପ୍ରକାର ହିସାବ ନିକାସ ଖେଳ ଖେଳିବା ।

  • ବିଭିନ୍ନ ଗଛର ପତ୍ର ସଂଗ୍ରହ କରି ତା ଉପରେ ରବର ଘଷି ସେମାନଙ୍କର textureକୁ ନିଜ ଖାତାକୁ ଉଠାଇବା ।

  • ଶହ ଶହ ଗପ, କବିତା, ଧନ୍ଦା, ପହଳି, ନାଟକ ପ୍ରବନ୍ଧ, ଆତ୍ମକାହାଣୀ ଆଦି ଲେଖିବା ।

  • ବିଭିନ୍ନ ଜଳବାୟୁରେ ହେଉଥିବା ଗଛପତ୍ରର ପ୍ରକାର ଭେଦ ଜାଣିବା ।

  • ନିର୍ଦ୍ଧିଷ୍ଟ ଗୋଟିଏ ଗଛର ପ୍ରତିଦିନ ହେଉଥିବା ପରିବର୍ତ୍ତନକୁ ନଜର କରିବା (ପତ୍ରର ଆକାର, ରଂଗ ଠୁ ଆରମ୍ଭ କରି ଫୁଲର କଢ଼ ଓ ଫୁଟିଥିବା ଫୁଲ ଯାଏ ସବୁ ।)

  • ଅତୀତରୁ ଏଯାଏଁ ଆଦିମାନବ ଠୁ ଆରମ୍ଭ କରି ମଣିଷ ଯାଏ ଗଛଠୁ ନେଉଥିବା ସାହାଯ୍ୟର କାହାଣୀ ସଂଗ୍ରହ ।

  • ଗଛରୁ ନଷ୍ଟ ହୋଇଯାଉଥିବା ଜିନିଷରୁ ହସ୍ତକର୍ମ କରିବା ।

  • ଗଛ ଚ଼ଢା ଗଛରେ ଝୁଲିବା ଗଛ ଲଗେଇବା ପରି କାମ ।

  • ଏଥିସହିତ ଆହୁରି ଅନେକ ଛୋଟ ବଡ଼ କାମ ଯାହା ଖୁବ୍ ଆଗ୍ରହରେ ସ୍ୱତଃସ୍ଫୁର୍ତ୍ତତା ସହ ପିଲାମାନେ କରୁଥିଲେ ।

ପ୍ରାୟ ୨୦, ୩୦ ଦିନ ପରେ ହଠାତ୍ ଦିନେ ‘ର’ କହିଲା “ଆରେ, ଆମେ ଗଛ ବିଷୟରେ ଜାଣୁଜାଣୁ ଅଙ୍କ, ଇଂରାଜୀ ବିଜ୍ଞାନ, ସାମାଜିକ, ସଂସ୍କୃତ, ଓଡ଼ିଆ, ଡ୍ରଇଁ, ହସ୍ତକର୍ମ, ଗୀତ, ସାଧାରଣଜ୍ଞାନ, ନାଚ, ଡ଼୍ରିଲ୍ ଖେଳ ସବୁ ଶିଖି ସାରିଲେଣି ତ ।" ଏକଥା ଶୁଣି ସମସ୍ତେ ଗୋଟିଏ ମୁହୂର୍ତ୍ତ ଲାଗି କାବା ହୋଇ ଅନେଇଲେ ଓ ପରେ ଜୋର୍ ପାଟିରେ ହସିଲେ, ମୋତେ ବି ଖୁସି ଲାଗିଲା । ମନେ ପଡ଼ିଗଲା ଏମିତି ପ୍ରୟୋଗଟିଏ ଆରମ୍ଭ କରିଥିବାର କାରଣ ।

କିଛିଦିନ ତଳେ ଦଳେ ଶିକ୍ଷାବିତ୍ ବସି କିଛି ନୂଆ କରିବାର ଚ଼ିନ୍ତା ନେଇ ସମନ୍ୱିତ ପୁସ୍ତକ ତିଆରି କରିବାର ଯୋଜନା କରି କିଛି ବହି ତିଆରି କରିଥିଲେ, ଯେଉଁଥିରେ ବହି ଗୁଡ଼ିକରେ କେଉଁ କଥାଟିକୁ ସମନ୍ୱିତ କରାଯାଇଛି ମୁଁ ଅଧମ ବୁଝି ପାରିନଥିଲି । ଅନେକ ଥର ପୃଷ୍ଟା ପୃଷ୍ଟା କରି ଓଲଟାଇ ମୁଁ ବହିଟିକୁ ପଢ଼ିଥିଲି । ଗୋଟିଏ ବହି ଭିତରେ (ଗଣିତ, ଇଂରାଜୀକୁ ବାଦ୍ ଦେଇ) ସାହିତ୍ୟ, ବିଜ୍ଞାନ, ସାମାଜିକର ଏହି ଏହି ବିଷୟ ସବୁ ଅଛି ବୋଲି ଲେଖାଯାଇଥାଏ । କେଉଁଠି ବିଷୟ ସହ ଅଭ୍ୟାସ କାର୍ଯ୍ୟର ସଂପର୍କ ନଥାଏ ତ କେଉଁଠି ଆକ୍ଟିଭିଟି ନାଆଁରେ ଓ ତଥାକଥିତ ଅଭ୍ୟାସକାର୍ଯ୍ୟମାନ । ଅନେକ ଗୁଡ଼ିଏ ତଥ୍ୟ ଭର୍ତ୍ତି ହୋଇ କେଉଁଠି ବିଷୟଟେ ନିଜ ଧାରଣାକୁ ସ୍ପଷ୍ଟ କରିବାରେ ଅକ୍ଷମ ତ କେଉଁଠି ଖୁବ୍ କମ୍ ବିଷୟରେ ପିଲାଙ୍କ ଲାଗି ବ୍ୟାକରଣର କ୍ଲିଷ୍ଟ ଧାରଣା ଗୁଡ଼ିକର ଅବତାରଣା । ଯେଉଁଠି ପିଲା ଭିତରେ ଏକାଗ୍ରତା ବଢାଇବା ନିହାତି ଆବଶ୍ୟକ ସେଠି ପରସ୍ପର ଭିତରେ ସଂପର୍କ ନଥିବା ବିଭିନ୍ନ ପ୍ରକାରର ପ୍ରଶ୍ନମାନଙ୍କର ଭିଡ଼ । ମୋ ଭିତରେ ବି ସମନ୍ୱିତ ଶିକ୍ଷଣ କଣ, କାହିଁକି, କେମିତି, କେବେଠୁ ପରି ଅନେକ ପ୍ରଶ୍ନର ଭିଡ଼କୁ ସଫା କରିବାକୁ ଯାଇ ବିଭିନ୍ନ ବହି ଓ ଇଣ୍ଟରନେଟ୍ ଖୋଜିଲି । ନିଜର ଧାରଣା ଓ ଖୋଜି ପାଇଥିବା କଥାଗୁଡ଼ିକର ସାରାଂଶ ନିମ୍ନମତ୍ତେ ।

କ’ଣ

  • ଅନେକ ବିଷୟରେ ସମଷ୍ଟି (କେତେବେଳେ ବହି ବିଷୟ ତ କେତେବେଳେ ବୟସ ନହେଲେ ଦକ୍ଷତା)

  • ପ୍ରକଳ୍ପ ଉପରେ ପ୍ରାଧାନ୍ୟ

  • Text bookରୁ ବାହାରୁ ବି ଜାଣିବାର ଅବସର ଗୋଟାଇବା

  • ବିଭିନ୍ନ ଧାରଣା ମଧ୍ୟରେ ସଂପର୍କ ।

  • ପାଠ୍ୟକ୍ରମର ବିଭିନ୍ନତାକୁ ସଂଯୋଗ କରେ ।

କାହିଁକି

  • ଶିଖିବାକୁ ଅର୍ଥପୂର୍ଣ୍ଣ କରେ ।

  • ମଣିଷର ମସ୍ତିଷ୍କ କେମିତି କାର୍ଯ୍ୟକରେ ତାହାକୁ ଆଇନା ପରି ଦେଖାଇଦିଏ ।

  • ଅନେକ ପ୍ରକାର ଶିକ୍ଷଣ ଶୈଳୀକୁ ଅନ୍ତର୍ଭୁକ୍ତ କରେ ।

  • ଶିକ୍ଷଣରେ ବ୍ୟାପ୍ତି ଓ ଗଭୀରତା ଆଣିବାରେ ସାହାଯ୍ୟ କରେ ।

  • ବୋଧଗମ୍ୟତା ବଢାଇବା ସହ ସାଧାରଣ ଧାରଣା ଗୁଡ଼ିକରେ ପ୍ରୟୋଗିକତା ବଢ଼ାଏ ।

  • ଦୈନନ୍ଦିନ ଅସୁବିଧାଗୁଡ଼ିକ ସମାଧାନ କରିବା ଲାଗି ଦରକାର ତଥ୍ୟଗୁଡ଼ିକୁ ଚ଼ିହ୍ନଟ କରିବା ସହ ଜଣାଇ ଦେଇ ପାରେ ।

  • ନିଷ୍ପତ୍ତି ନେବାର ଦକ୍ଷତା ସହ ତୁଳନାତ୍ମକ ଓ ସୃଜନାତ୍ମକ ଭାବନାର କ୍ଷମତା ବୃଦ୍ଧି କରେ ।

  • ପାରସ୍ପରିକ ଶିକ୍ଷଣର ଅବସର ମିଳିବା ସହ ଶିକ୍ଷାର୍ଥୀ ହିସାବରେ ନିଜପ୍ରତି ସମାଜର ଜଣେ ସକ୍ରିୟ କର୍ମା ହିସାବରେ ମନୋଭାବର ପରିବର୍ତ୍ତନ ଘଟେ ।

  • ପ୍ରେରଣା ବଢ଼େ ।

  • ସକାରାତ୍ମକ, ଗ୍ରହଣଶୀଳତା, ଯୁକ୍ତିଶୀଳ, ବିଶ୍ଲେଷଣ, ପର୍ଯ୍ୟବେକ୍ଷଣ ଆଦି ଦକ୍ଷତାକୁ ବଢ଼ାଇବା ନିମନ୍ତେ ଏହା ଏକ ଫଳପ୍ରଦ ପଦ୍ଧତି

  • ଜୀବନବ୍ୟାପୀ ଶିକ୍ଷଣକୁ ଉତ୍ସାହିତ କରେ ।

  • ପ୍ରକୃତ ଜୀବନରେ ଅନୁଭୂତି କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରାଏ ।

  • ବିଷୟର ଗଭୀର ବୋଧଗମ୍ୟତା ଆଣିଦିଏ ।