ପିଲାଙ୍କ ସହ ଏକ ସମନ୍ବିତ ଶିକ୍ଷଣ କ୍ଲାସ୍ - ୨

ଶିକ୍ଷାର ବିକଳ୍ପ ବ୍ୟବସ୍ଥାକୁ ନେଇ ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।


ଫଟୋ - ସୁମିତ୍ରା ପାଢୀ

ନିଜେ କିଛି ବତେଇ ଦେବା ଆଗରୁ ପିଲାଙ୍କୁ ଭାବିବାକୁ ଦେବା ଦରକାର ବୋଲି ମୁଁ ସବୁବେଳେ ଶିକ୍ଷକ ଓ ଅଭିଭାବକମାନଙ୍କୁ କହେ । ତେବେ ଯାଇ ସିନା ପିଲାର ସାମର୍ଥ୍ୟକୁ ବଡ଼ମାନେ ବୁଝିପାରିବେ । ମୁଁ ଆଜି ପିଲାଙ୍କୁ ଭାବିବାକୁ କହିବା ପରି ମୋର ସେଇ କଥାଟିକୁ ସବୁବେଳେ କାମରେ ଲଗାଏ । ଆଜି ବି ପିଲାଏ ପନ୍ଦର କୋଡିଏ ମିନିଟ୍ ଧରି ଭିନ୍ନ ଭିନ୍ନ ପ୍ରକାରର ଗଛ ବିଷୟରେ କଥାହେଲେ । ତାଙ୍କ ଅନୁସାରେ ଗଛକୁ ପୁଣି ଭିନ୍ନ ଭିନ୍ନ ପ୍ରକାର ଅନୁସାରେ ଭାଗ କରିବାକୁ ହେବ । ଏଇ ଯେମିତି - ଘାସ ଜାତୀୟ ଗଛ (ଦୁବ, ମୁଥା, ଫୁଲ ଥିବା ଘାସ); କାହ୍ନା, ହଳଦି, ସପର କୋଚ, ସଚ୍ଚିଦାନନ୍ଦ, ଆମ୍ୱ ଅଦା, ଗୁଜୁରାତି ଆଦି ଗଛ; ନଡିଆ, ତାଳ, ଗୁଆ ଆଦି ଗଛ; ଲେମନ୍ ଗ୍ରାସ୍ ପରି ବୁଦା ଗଛ; କାନ କୋଳି, ବଇଁଚ ଆଦି କଣ୍ଟା ଗଛ; ସପ୍ତଫେଣୀ, ନାଗଫେଣୀ, କିଆ ଆଦି କାକ୍ଟସ୍; ଓହଳ ଥିବା ଗଛ; ଜାମୁ, ଆକାଶି, ଝାଉଁ, ଇଉକ୍ଲିପଟସ୍, ଆମ୍ୱ ଆଦି ଡେଙ୍ଗା ଗଛ, ରାଧାତମାଳ, ଗୁଡୁମାରୀ ଆଦି ଲତା ଗଛ ।

ସବୁ ଗଛଗୁଡିକ ନିଜ ପରିବେଶରୁ ଠିଆ ହୋଇ ଆଖି ବୁଲେଇ ଆଣିଲେ ତାଙ୍କୁ ଦିଶୁଥିଲା । ତେଣୁ ଏହି ପରିଚିତ ଗଛମାନଙ୍କୁ ଆଧାର କରି ସେମାନେ ଚିତ୍ର ଆଙ୍କିଲେ ।

ପ୍ରଥମ ଦଳର ପିଲାମାନଙ୍କୁ ଚିତ୍ର ଆଙ୍କିବା ଲାଗି ରଙ୍ଗବେରଙ୍ଗ କାଗଜ ଦିଆଯାଇଥିବା ବେଳେ ଅନ୍ୟମାନଙ୍କୁ ସାଦାକାଗଜ ଦିଆ ଯାଇଥିଲା, ଯେଉଁଟିକୁ ନିଜେ ରଙ୍ଗ କରିବା ପରେ ସେମାନେ ଚିତ୍ର ଆଙ୍କିଥିଲେ । ଏହାଦ୍ୱାରା ଯେଉଁ ପିଲାମାନେ ଜାଣି ଜାଣି ଅବହେଳା କରି କାମଟିକୁ ଡେରିରେ କରନ୍ତି ସେମାନଙ୍କୁ ଆଗ୍ରହୀ କରାଇବା ଥିଲା ଲକ୍ଷ୍ୟ ।

ସବୁଠୁ ମଜାର କଥା ଥିଲା, ତ୍ରିଭୁଜ, ଚତୁର୍ଭୁଜ ଆଦିରେ ଗଛ ଆଙ୍କିସାରି କଇଁଚିରେ ସେସବୁକୁ କାଟି ଅଲଗା କରି ଅନ୍ୟ କାଗଜରେ ଲଗାଇବାକୁ ଯିବା ବେଳେ କାଗଜଟି ସିନା ଭର୍ତ୍ତି ହୋଇଯାଉଥିଲା ଯଥାକଥେ, ଏପଟେ ଚିତ୍ର କିନ୍ତୁ ବଳିପଡୁଥାଏ । ଏକା ମାପର କାଗଜଟି ଅନ୍ୟ କାଗଜଟିରେ ନ ଧରିବାର ଦେଖି କେହି କେହି ଆଶ୍ଚର୍ଯ୍ୟ ମଧ୍ୟ ହେଉଥାଆନ୍ତି । କିଛି ପିଲା କିନ୍ତୁ ଏହି କୋଲାଜ୍ କାମଟିକୁ ଖୁବ୍ ସହଜରେ କମ୍ ସମୟରେ କରିଦେଉଥାନ୍ତି । ସବୁଠୁ ଆଗ ଅଠାରେ ଚିତ୍ର ଲଗେଇସାରି ତାର ବାରୋଟି ଯାକ ଚିତ୍ର ଗୋଟିଏ ଚିତ୍ର ପରି ଦିଶିବାରୁ ମନମାରି ବସିଥିବା କ କୁ ଦେଖି ତା ପାଖପିଲା ସବୁ ଚିତ୍ରରେ ବର୍ଡର୍ ଦେଇଦେବାକୁ କହିଲାରୁ ସେ ଖୁସି ହୋଇଗଲା । ଚିତ୍ରଗୁଡିକ ବି ଏଥର ସୁନ୍ଦର ବାରି ହୋଇପଡିଲେ । ତା ଦେଖା ଦେଖି ସମସ୍ତେ ସ୍କେଚ୍ ଧରି ବର୍ଡର୍ କରିବାରେ ଲାଗିପଡିଲେ ।

ଏଥର ତୃତୀୟ ଦଳକୁ ଯାଇଥିବା ଓ ଖୁବ୍ ଆଗ୍ରହରେ ବେଶୀ ଶବ୍ଦ ଲେଖିଥିବା ପିଲାମାନଙ୍କର ତ୍ରୁଟି ବାଛୁଥିବା ‘ତ’, ‘ର’, ଓ ‘ଜ’ ହିଁ ସବା ଆଗ ନିଜ କାମ ସାରିଥିଲେ । ‘ର’ ସବୁଠୁ ଆଗ ନିଜ କାମ ସାରି ଅନ୍ୟ ପିଲାମାନଙ୍କ କାମ ଗୁଡିକୁ ସଂଗ୍ରହ କରି ଫାଇଲ୍‌ରେ ରଖିବା କାମଟି ବି ଖୁବ୍ ସୁନ୍ଦର ଭାବେ ସମ୍ପନ୍ନ କରିଥିଲା ।

୭.୩୦ରୁ ୧୨.୦୦ ହୋଇଯାଇଥାଏ ଏ ଭିତରେ । କେହି ବି ବାହାରକୁ ଯିବାକୁ ବାହାରିନଥାନ୍ତି । ପାଣି ତ ପାଖରେ ଥାଏ ସମସ୍ତଙ୍କର । ଟିଫିନ୍ ଆଣି ମୁଁ ସେଇଠି ହିଁ ବାଣ୍ଟିଦେଇଥାଏ । କିଏ କେତେବେଳେ ଏକ ପାଇଁ ଯାଇଥାଆନ୍ତି ତ ଗୋଟିଏ ମିନିଟ୍ ଭିତରେ ଫେରିଆସି ଲାଗିପଡିଥାନ୍ତି କାମରେ । ଏମିତି ସରିଗଲା ପ୍ରଥମ କ୍ଲାସ; ଯେଉଁଥିରେ ସମସ୍ତଙ୍କର ଆଗ୍ରହ ଓ ଭିନ୍ନ ଭିନ୍ନ କାମରେ ଲାଗିରହିବା ହିଁ ମୋତେ ସବୁଠୁ ବେଶୀ ଉତ୍ସାହିତ କରିଥିଲା ।

କ୍ଲାସ ସରିବା ଆଗରୁ ପରଦିନ ପାଇଁ ଗଛକୁ ନେଇ କ’ଣ କରିବା ବୋଲି କେହି ଜଣେ ପଚାରିଲାରୁ ସମସ୍ତେ ସେ ବିଷୟରେ ଆଲୋଚନା କଲୁ । ଗଛକୁ କେନ୍ଦ୍ରରେ ରଖି କିଛି ଲେଖା ଲେଖିବୁ ବୋଲି ସ୍ଥିର ହେଲା । କେଉଁଠି ନା କେଉଁଠି ପ୍ରତିଯୋଗିତାର ଭାବଟିଏ ତିଆରି ହୋଇଯାଇଛି ବୋଲି ଭିନ୍ନ ଭିନ୍ନ ପ୍ରକାରର ଲେଖା ପାଇଁ କିଛି ନିର୍ଦ୍ଦିଷ୍ଟ ନମ୍ବର ସେମାନଙ୍କୁ ଦିଆଯିବା ଦରକାର ବୋଲି ପିଲାଏ ଚାହିଁଲେ । ମୁଁ ଆରମ୍ଭରୁ ସେମାନଙ୍କ ଆଗ୍ରହରେ ବନ୍ଧ ପକେଇବିନି ବୋଲି ରାଜି ହୋଇଗଲି ତାଙ୍କ କଥାରେ । ଏଇ ଯେମିତି: ଇଂରାଜୀ କବିତା ପାଇଁ ୪୦ ମାର୍କ, ୨୦ଟି ଇଂରାଜୀ ଶବ୍ଦ ପାଇଁ ୫ ମାର୍କ, ୫୦ଟି ଓଡିଆ ଶବ୍ଦ ପାଇଁ ୫ ମାର୍କ, ଧନ୍ଦା ପାଇଁ ୫ ମାର୍କ, ପହଳି ପାଇଁ ୫ ମାର୍କ, ଗପ ପାଇଁ ୨୦ ମାର୍କ, କବିତା ପାଇଁ ୨୦ ମାର୍କ । ସର୍ବମୋଟ ୧୦୦ ମାର୍କ ।

ଏହି ସାତ ପ୍ରକାର କାମ ଭିତରୁ ନିଶ୍ଚିତ ଭାବେ ସମସ୍ତେ ପାଞ୍ଚୋଟି ବିଭାଗକୁ ଛୁଇଁବୁ ବୋଲି ସ୍ଥିର କରିବା ସହ ଅଧିକ ଭଲ ଲାଗୁଥିବା ବା ଭଲ କରିପାରୁଥିବା ବିଭାଗଟିରେ ଦୁଇ, ତିନୋଟି ଅଧିକ କାମ କରି ୧୦୦ ମାର୍କର କାମ ପୁରା କରି ଆଣିବୁ ବୋଲି ସମସ୍ତେ ନିଷ୍ପତ୍ତି ନେଲୁ । ମେଳ ଭାଙ୍ଗି ଫେରିବା ବେଳକୁ ତୁ ବି କରିକି ଆଣିଥିବୁ, ଆମେ ମାର୍କ ଦେବୁ କହି ମୋତେ ସବୁ ପିଲା ଘେରିଗଲେ।

ପରଦିନ ସକାଳେ ମୋ ସମେତ ଯେଉଁ ସାତ ଜଣ ପିଲା ପୁରା ୧୦୦ ମାର୍କର କାମ କରିସାରିଥିଲୁ ନିଜ ନିଜ ଲେଖା ପଢିଲୁ ଓ ଅନ୍ୟମାନେ ଶୁଣିଲେ । ପିଲାଏ ବେଶୀ ଧନ୍ଦା ଓ ପହଳି ଲେଖିଥିଲେ । ଆମ ଲେଖା ଶୁଣିସାରିବା ପରେ ଯେଉଁମାନେ ଲେଖି ସାରିନଥିଲେ ସେମାନେ ବାକିଆ କାମ ସାରିବାରେ ଲାଗିପଡିଲେ । ଆଉ ଆମେ ଆଠ ଜଣ (ଗତକାଲି ୨ୟ ଓ ୩ୟ ଗ୍ରୁପ୍‌ରେ ଥିବା ପିଲା ଓ ଆଠ ବର୍ଷର ସେ ଝିଅଟି) ଚାଲିଲୁ ଇଣ୍ଟର୍‌ନେଟ୍‌ରୁ ଖୋଜି ଗଛ ସଂପର୍କିତ କିଛି ଭିଡିଓ ଦେଖିବାକୁ । ପ୍ରାୟ ଚାରୋଟି କାର୍ଯ୍ୟକ୍ରମ ଆମେ ଦେଖିଲୁ ।

ପ୍ରଥମଟି ଗୋଟିଏ କ୍ଷୁଦ୍ର ସିନେମା ଥିଲା, ଯେଉଁଥିରେ ଗଛ ଆମକୁ କେତେ ସାହାଯ୍ୟ କରୁଛି ଦର୍ଶାଯାଇଥିଲା । ଗୋଟିଏ କଲୋନୀ ଭିତରେ ଥିବା ଶହେ ବର୍ଷର ପୁରୁଣା ଗଛଟିକୁ ପୁରୁଖା ଲୋକମାନେ କାଟିବାକୁ ଯିବା ବେଳେ, ତାଙ୍କରି ପିଲାମାନେ ପ୍ରତିବନ୍ଧକ ସାଜି ଠିଆ ହୋଇଛନ୍ତି । ନିଜ ଖେଳର ସାଥି ଗଛଟିକୁ ଛାଡିବାକୁ ଚାହିଁନାହାନ୍ତି ସେମାନେ । ଅନେକ ଉପାୟ ଅବଲମ୍ୱନ କରି ଶେଷରେ ଗଛର ଆବଶ୍ୟକତା କଥା ନିଜ ବାପାମାଆଙ୍କୁ ବୁଝାଇବାକୁ ସମର୍ଥ ହୋଇଛନ୍ତି ପିଲାଏ । ଫିଲ୍ମଟି ହିନ୍ଦୀରେ ଥିଲା । ପିଲାଏ ସଂପୂର୍ଣ୍ଣ ଭାବରେ ହିନ୍ଦୀ ଶିଖିନଥିଲେ ମଧ୍ୟ ସବୁ କଥାକୁ ଏତେ ଏକାଗ୍ରତାର ସହ ଦେଖୁଥିଲେ ଯେ ସେ କାଳେ ବୁଝିପାରୁନଥିବେ କଥାଟି ମୁଁ ପୁରା ଭୁଲିଯାଇଥିଲି ।

ଦ୍ୱିତୀୟ କାର୍ଯ୍ୟକ୍ରମଟି ଆଗାମୀ ଦିନରେ ଅମ୍ଳଜାନର ଅଭାବକୁ ନେଇ ଇଂରାଜୀ ଭାଷାରେ ଛୋଟ ଡକ୍ୟୁମେଣ୍ଟାରୀଟିଏ ଥିଲା । ଘର ଭିତରୁ ବାହାରିବା ମାତ୍ରେ ଦୂଷିତ ପରିବେଶ ଯୋଗୁଁ ଲୋକ କେମିତି oxygen mask କିଣି ବ୍ୟବହାର କରୁଛନ୍ତି ସେଇଠୁ ଆରମ୍ଭ ହୋଇଥିଲା କଥା । କିନ୍ତୁ କିଛି ବର୍ଷ ପରେ ଲୋକେ ନିଜର ସମସ୍ତ ଅର୍ଥ ଦେଇଦେଲେ ବି oxygen mask ମିଳୁନଥିଲା । ଏଇ ଯେଉଁ ଅମ୍ଳଜାନ ବିହୀନ ପୃଥିବୀରେ ଆମେ କେମିତି ରହିବାର ପ୍ରଶ୍ନଟି ପାଖେ ଅଟକିଥିଲୁ ସମସ୍ତେ । ପିଲାଏ ଇଂରାଜୀ କହିବାରେ ଓ ଶୁଣି ବୁଝିବାରେ ଆଗରୁ ଜାଣିବା ପରେ ବି ସେ ବୁଝିଲେ କି ନାହିଁ ମୁଁ ସେଇ ମୁହୂର୍ତ୍ତରେ ହଠାତ୍ ପଚାରି ତାଙ୍କ ଗମ୍ଭୀରତା ଓ ବୋଧଗମ୍ୟତା ଉପରେ ଠପ୍ ଲଗାଇବାକୁ ଚାହୁଁନଥିଲି ବୋଲି ଆମେ ତା ପର ଭିଡିଓ ଦୁଇଟି ଦେଖିଲୁ । ଗୋଟିଏ ଥିଲା “ନା କାଟୋ ମୁଝେ, ବଡା ଦୁଖ୍‌ତା ହେ” ନାମକ ହିନ୍ଦୀ ଗୀତ ଓ ଅନ୍ୟଟି ପ୍ରକୃତିରୁ ଆମେ କ'ଣ କ'ଣ ସବୁ ଶିଖୁ ଉପରେ ଗୋଟିଏ ଛୋଟ କବିତା ।

ପିଲାଙ୍କ ସହ ଏକ ସମନ୍ବିତ ଶିକ୍ଷଣ କ୍ଲାସ୍ - ୧