ଫଟୋ - ୱିକି କମନ୍ସ

ସକାଳୁ ଉଠି ଫୋନ ପରଦାରେ ଅବିରତ ଆଙ୍ଗୁଠି ଚଲେଇବାର ଅଭ୍ୟାସ ଆମ ଭିତରୁ ଅଧିକାଂଶଙ୍କର ଅଛି । ହୁଏତ ଫେସବୁକରେ, ହୁଏତ ଇନଷ୍ଟାଗ୍ରାମରେ କି ଆଉ କୋଉଠି । ଟିକିଏ ସଂକୋଚ ସହକାରେ ମୁଁ ନିଜେ ବି ବେଳେବେଳେ ଏ ଧରଣର କାମ କରେ ବୋଲି ସ୍ଵୀକାର କରିପାରେ । ଅନେକ ସମୟରେ, ବିଶେଷ କରି ରିଲ୍ସ ଦେଖିଲାବେଳେ, ଜାଣି ବି ହୁଏନି ଫେସବୁକରେ ଦେଖୁଚି କି ଇନଷ୍ଟାଗ୍ରାମରେ । ଅବଶ୍ୟ ଏ ନଜାଣିପାରିବା କଥାଟି ବେଶୀ ବେଶୀ ଘଟୁଚି ଫେସବୁକ ଇନଷ୍ଟଗ୍ରାମକୁ କିଣିନେଲା ପରେ । ଅନେକେ ଜାଣିଥିବେ, କେବଳ ଇନଷ୍ଟାଗ୍ରାମ ନୁହେଁ ବହୁ - ବ୍ୟବହୃତ ହ୍ଵାଟ୍ସଆପ୍ ବି ଫେସବୁକ ଅଧୀନରେ । ଏଇ ନିକଟରେ ଏ ଆପ୍ ସବୁକୁ ଏକ ବଡ଼ କମ୍ପାନୀର ଅଂଶ ବୋଲି ଘୋଷଣା କରିଚନ୍ତି ଫେସବୁକ୍ ସିଇଓ ମାର୍କ୍ ଜୁକରବର୍ଗ । ସେ କମ୍ପାନୀର ନାଁ ଦିଆ ହେଇଚି 'ମେଟା' । ଏବଂ ଏ ବଡ଼ କଂପାନୀକୁ କୁହାଯାଉଚି ମେଟାଭର୍ସ୍ ।

ଯଦିଓ 'ମେଟା' ନାଁଟିର ସର୍ବସ୍ୱତ୍ୱ ଅଛି ଜୁକରବର୍ଗଙ୍କ ପାଖରେ, ତେବେ "ମେଟାଭର୍ସ" ଶବ୍ଦଟି ବେଶ୍ ପୁରୁଣା । ନିଆଲ ଷ୍ଟିଫେନସନ ତାଙ୍କ ଉପନ୍ୟାସ 'ସ୍ନୋ କ୍ୟାଶ୍'ରେ ପ୍ରଥମେ ବ୍ୟବହାର କରିଥିଲେ ଏ ଶବ୍ଦଟି । ୧୯୯୨ ମସିହାରେ ପ୍ରକାଶ ପାଇଥିବା ଏ ବହିଟିରେ ମେଟାଭର୍ସ ବୋଲି ଏକ କାଳ୍ପନିକ ଦୁନିଆଟିର କଥା କହିଥିଲେ ଷ୍ଟିଫେନସନ । ଏ ଦୁନିଆରେ ନିଜ ନିଜ ଜାଗାରୁ ଥାଇ ମଣିଷମାନେ ଭର୍ଚୁଆଲ୍ ମାଧ୍ୟମରେ ପରସ୍ପରକୁ ଭେଟୁଥିଲେ । ଭାବିନିଅନ୍ତୁ ଭିଡ଼ିଓ କଲ୍ ଜାତୀୟ ଜିନିଷ କିଛି । କିନ୍ତୁ କେବଳ ପରଦାରେ ନୁହେଁ, ପ୍ରାୟ ସତସତିକା ଭେଟିଲା ପରି । ଭି.ଆର୍. (VR ବା VIRTUAL REALITY) ଜ୍ଞାନକୌଶଳରେ ପ୍ରଗତି ଆଣିବା ଦିଗରେ ସବୁ ବଡ଼ ପ୍ରଯୁକ୍ତିବିଦ୍ୟା ସଂସ୍ଥା ଅନବରତ କାମ କରିଚାଲିଚନ୍ତି । ଏ ଭିତରେ ଜୁକରବର୍ଗଙ୍କ 'ମେଟା'ର ଆବିର୍ଭାବ ସବୁଠୁଁ ଗୁରୁତ୍ୱପୂର୍ଣ୍ଣ ଘଟଣା । ଗୁରୁତ୍ୱପୂର୍ଣ୍ଣ ସତ, ହେଲେ ଶୁଭଙ୍କର କି ନା ତାହା ଆଉ ଏକ ବିଷୟ ।

'ଭର୍ଚୁଆଲ୍' ଶବ୍ଦଟି ସହ ଏଇ କରୋନା କାଳରେ ଆମ ଭିତରୁ ଅଧିକାଂଶ ସୁପରିଚିତ ହେଇସାରିଚେ । କବିତା ଆସର ହଉ କି ଜରୁରୀ ସଭା, ଭର୍ଚୁଆଲ୍ ମାଧ୍ୟମ ହିଁ ଲକଡାଉନବେଳେ ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଇ ଉଭା ହେଇଚି । ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ପରୀକ୍ଷା ବି ଭର୍ଚୁଆଲ ମାଧ୍ୟମରେ ହିଁ ହେଇଚି । ଏ ମାଧ୍ୟମରେ ଅବଶ୍ୟ ସେଇମାନେ ଅଧିକ କ୍ଷତିଗ୍ରସ୍ତ ହେଇଚନ୍ତି ଯୋଉମାନେ ପ୍ରଯୁକ୍ତିବିଦ୍ୟା ସହ ଅଭ୍ୟସ୍ତ ନୁହନ୍ତି ବା ଏ ଦିଗରେ କାମ ଚଳେଇ ପାରିଲା ପରି ସାଧନ ମଧ୍ୟ ଯାହାର ନାହିଁ । ସେ ବିଷୟରେ କହିଲେ ଏକ ବିରାଟ ଆଲୋଚନା ହେଇଯିବ ଏବଂ ପରେ କେବେ କରିବା ବି ସେ ଆଲୋଚନା । ତେବେ ବର୍ତ୍ତମାନ ପାଇଁ, 'ଭର୍ଚୁଆଲ' ଶବ୍ଦଟିର ବହୁପ୍ରଚଳିତ ଓଡ଼ିଆ ଅନୁବାଦଟିକୁ ଦେଖାଯାଉ । ଏ ଶବ୍ଦଟି ହେଲା 'ଆଭାସୀ' । କେମ୍ବ୍ରିଜ୍ ଡିକ୍ସିନାରୀରେ 'virtual'ର ମୂଳ ଅର୍ଥଟି ଦେଖନ୍ତୁ: "almost complete" / "almost, but not exactly or in every way" । ଅର୍ଥାତ୍ 'ଭର୍ଚୁଆଲ' ଶବ୍ଦଟି ଲାଗିଲେ ପ୍ରଥମ ସଂଜ୍ଞା ଅନୁସାରେ ପ୍ରାୟ ଗୋଟିଏ ଜିନିଷ ପରି ଯଦିଓ ତାହା ନୁହଁ ଜାତୀୟ ଅର୍ଥଟିଏ ବାହାରେ । 'ଭର୍ଚୁଆଲ୍ ରିଅଲିଟି' କହିଲେ ପ୍ରାୟ ବାସ୍ତବତା ପରି ହିଁ ଯଦିଓ ବାସ୍ତବତା ନୁହେଁ । ଅପରପକ୍ଷରେ, 'ଆଭାସ' ଶବ୍ଦଟିର ଅର୍ଥ ହୁଏତ ଏମିତି କରାଯିବ: ପ୍ରାୟ ଗୋଟିଏ ଜିନିଷ ପରି ଅଥଚ ତାହା ନୁହଁ । 'ଭର୍ଚୁଆଲ' ଶବ୍ଦର ଉପରୋକ୍ତ ଦ୍ଵିତୀୟ ଅର୍ଥଟି ବି କିଛି କିଛି ଏଇପରି । ପ୍ରଥମ ଅବଧାରଣାର 'ଯଦିଓ' ଏବଂ ଦ୍ବିତୀୟର 'ଅଥଚ' ଭିତରର ଫରକ ଟିକକ ବୁଝିବା ଦରକାର । ଅସୁବିଧା ହେଲେ ଅମରକୋଷରେ 'ଆଭାସ' ଶବ୍ଦର ଅର୍ଥ ଦେଖାଯାଇପାରେ: 'ମିଥ୍ୟା ଜ୍ଞାନ' ।

ଏଇ 'ଯଦିଓ' ଏବଂ 'ଅଥଚ' ଭିତରର ଫରକକୁ ନେଇ ହିଁ ଯେତେ ସବୁ କଥା । ଏବଂ ଏଇ ସକାଶେ ମୁଁ 'ଭର୍ଚୁଆଲ ରିଅଲିଟି'ର ଓଡ଼ିଆ ଅନୁବାଦ ସିଧାସିଧା 'ଆଭାସୀ ବାସ୍ତବତା' ବୋଲି ଲେଖିବା ପାଇଁ ନିଶ୍ଚିତ ହେଇପାରୁନି । ସେ ଯାହା ହଉ, ଜୁକରବର୍ଗଙ୍କ 'ମେଟା' ଏଇ ନିକଟରେ କେଇ ବିଲିଅନର ବେଶ୍ ମୋଟା ଅଙ୍କର ଡଲାର୍ ଦେଇ କିଣିଚି ବିଶ୍ବର ସବୁଠୁଁ ପ୍ରଭାବଶାଳୀ ଭର୍ଚୁଆଲ୍ ରିଅଲିଟି ନିର୍ମାଣକାରୀ କମ୍ପାନୀକୁ ଯାହାର ନାଁ ହେଲା 'ଅକ୍ୟୁଲସ୍' । ଅକ୍ୟୁଲସ୍ ବିଶ୍ବ ପ୍ରସିଦ୍ଧ ନିଜର ଭି.ଆର୍. ହେଡସେଟ୍ ସବୁ ପାଇଁ । ଏ ହେଡସେଟରେ ଉଭୟ ଚଷମାଟିଏ ଏବଂ ଶୁଣିବା ପାଇଁ ହେଡଫୋନ ଥାଏ । କିନ୍ତୁ ଏହା ଉଭୟ ଆଖିକୁ ଏକା ଜିନିଷ ଦେଖାଏନି ବରଂ ଦିଶିବାକୁ ଥିବା ଚିତ୍ର ସମୂହକୁ ବାଣ୍ଟିଦେଇ ଦୁଇଟି ଆଖି ପାଇଁ ଅଲଗା ଅଲଗା ଚିତ୍ର ଦେଖାଏ । ଏଇ କୌଶଳରେ ଭିଆର୍ ଯନ୍ତ୍ରଟିରେ ଗୋଟିଏ 2D ଚିତ୍ରକୁ ଗଭୀରତା ଦେଇ 3D ବୋଲି ଆଭାସ ଦେଇହୁଏ । ଏ ପ୍ରକ୍ରିୟାର ବୈଜ୍ଞାନିକ ନାଁ ହେଲା 'ଷ୍ଟେରିଓସ୍କୋପିକ୍ ଇଫେକ୍ଟ୍' । ଏହା ସାଙ୍ଗରେ ଭିଆର୍ ଆଉ ଗୋଟିଏ ଜିନିଷ ବି ସୁନିଶ୍ଚିତ କରେ ଯାହା ହେଲା ଦେଖିବା ଲୋକର ଦୃଷ୍ଟିକୋଣ । ଭିଆର ସେନ୍ସର ସବୁ ଦେଖିଲା ଲୋକର ମୁହଁ ବା ମୁଣ୍ଡର ଗତିଦିଗ ଅନୁସାରେ ଦୃଶ୍ୟ ସବୁକୁ ସଜାଡେ । ସର୍ବୋପରି surround sound ତ ଥାଏ ହିଁ ଯାହା ଦେଖିଲା ଲୋକକୁ ଶବ୍ଦ ଜରିଆରେ ଦୃଶ୍ୟ ଭିତରକୁ ଚାଲିଯିବାର ଅନୁଭବ ଦିଏ ।

ଭି.ଆର୍. ସମ୍ପର୍କରେ ଉଦାହରଣଟିଏ ଦେଲେ ବରଂ ବେଶୀ ଭଲ ବୁଝିହେବ । ଧରନ୍ତୁ ଆପଣ ଭି.ଆର୍. ହେଡସେଟଟିଏ ପିନ୍ଧି ନିଜ ଡ୍ରଇଂରୁମରେ ଠିଆହେଲେ କି ବସିଲେ । ଏବଂ ଭି.ଆର୍. ହେଡସେଟ୍ ପିନ୍ଧିଲା ପରେ ଆପଣଙ୍କର ମନ ହେଲା ଟିକେ ବୁଲିଆସିବେ ପିରାମିଡ୍ ଆଡ଼ୁ । ଆପଣ ଇଜିପ୍ଟର ପିରାମିଡ୍ ଦୃଶ୍ୟ ସମ୍ବଳିତ କେଉଁ ଏକ ଭିଡ଼ିଓ ଲଗାଇଲେ ଏବଂ ଷ୍ଟେରିଓସ୍କୋପିକ୍ ଇଫେକ୍ଟରେ ସେ ଦୃଶ୍ୟ ଛାଇଗଲା ଆପଣଙ୍କ ଦୃଷ୍ଟିର ଚାରିଆଡ଼େ । ଅର୍ଥାତ୍ ଆପଣ ଯେମିତି ଅଛନ୍ତି ଗୋଟେ ପିରାମିଡ୍ ସାମ୍ନାରେ ଆଉ ମୁଣ୍ଡ ବୁଲେଇଲେ ଦେଖୁଛନ୍ତି ଆଉ ଗୋଟେ ପିରାମିଡ୍ ଦିଶୁଚି ଦୂରରେ । ଚାରିପଟେ ଦିଶୁଚି ବିସ୍ତୀର୍ଣ୍ଣ ବାଲି । ଆପଣ ଚାହିଁଲେ ବାଲିରେ ଚାଲି ବି ପାରିବେ । କାନକୁ ପବନର ସୁ - ସୁ ସାଙ୍ଗରେ ଶୁଭିବ ଜୋତା ତଳେ ମଚମଚ ହଉଥିବା ବାଲିର ଶବ୍ଦ । ଏବଂ ହେଡସେଟର ସରାଉଣ୍ଡ ସାଉଣ୍ଡ ଜ୍ଞାନକୌଶଳ ସକାଶେ ଶୁଭିବ ଠିକ୍ ପାଦତଳୁ ଆସିଲା ପରି । ଗେମିଙ୍ଗ୍ ଓ ଅନ୍ୟାନ୍ୟ ଇଣ୍ଟରଆକ୍ଟିଭ କଣ୍ଟେଣ୍ଟ କ୍ଷେତ୍ରରେ ଆଉପାଦେ ଆଗେଇ ଯାଇଚି ଭର୍ଚୁଆଲ ରିଅଲିଟି । ସେଠି କେବଳ ଘଟଣା ଓ ସ୍ଥାନର ମଝାମଝି ଠିଆହେଇ ସବୁକୁ ଉପଭୋଗ କରିବା ନୁହେଁ, ଅଧିକନ୍ତୁ ସେସବୁ ଆଗରେ ଜଣେ କର୍ତ୍ତାର ବ୍ୟକ୍ତିତ୍ୱ ନେଇ ଆପଣ ଉଭା ହେଇପାରିବେ । ଧରନ୍ତୁ କୋଉଠି ଏକ ସୁପ୍ତ ଆଗ୍ନେୟଗିରି ଥିବା ପାହାଡ଼ ଉପରେ ଚାହିଁଲେ ଯୋଗ କି ବ୍ୟାୟାମ କରିପାରିବେ (ଏ ଉଦାହରଣଟି ସିଧାସଳଖ ଅକ୍ୟୁଲସ ୱେବସାଇଟରୁ) କି କୋଉଠି ଆପଣ ହାତରେ ସେନ୍ସର ଲଗା ଜୟଷ୍ଟିକ୍ ଧରିଲେ ଗେମ୍ ଭିତରେ ତାହା ଆପଣଙ୍କ ଟେନିସ ରାକେଟ୍ କି ଖଣ୍ଡା ହେଇଯିବ ଯାହାକୁ ନିଜ ହାତରେ ଏଇଠି ଆପଣ ଚଲେଇପାରିବେ ଗେମରେ ନିଜ ବିରୋଧୀ ଦଳ ବିରୁଦ୍ଧରେ । ଆପଣ ଚାହିଁଲେ ଭି.ଆର୍. ପିନ୍ଧି ଦୌଡ଼ି ପାରିବେ ନିଜ ବଗିଚାରେ କି ଫାଙ୍କା ପଡ଼ିଆରେ । ଆପଣଙ୍କୁ ଦିଶିବ (ଓ ଶୁଭିବ) ଆପଣ ଦୌଡୁଚନ୍ତି କୋଉ ମାରାଥନରେ କି ଏଲିଅନ ଆକ୍ରମଣରୁ ବଞ୍ଚିବା ପାଇଁ ମଣିଷମାନଙ୍କ ରେସରେ ।

ମୁଁ ଜାଣିନି ଆପଣଙ୍କୁ ଏସବୁ କଥା କେତେ ଅବାସ୍ତବ ଶୁଭୁଚି କିନ୍ତୁ ଏଥିରୁ କାଣିଚାଏ କଥା ମିଛ ନୁହେଁ । ଏସବୁ ବାସ୍ତବରେ ଘଟିସାରିଲାଣି । ଭି.ଆର୍. ଆଗାମୀ ବର୍ଷମାନଙ୍କରେ ଆହୁରି ବିକଶିତ ହବ, ଆହୁରି ଜୀବନ୍ତ ହବ ଏବଂ ଆହୁରି ସୁଲଭ ହବ । କେବଳ ଏସବୁ କଥା କାହିଁକି, ଅତି ଗୁରୁତ୍ୱପୂର୍ଣ୍ଣ ଅପରେସନ ବେଳେ ଥିଏଟରରେ ରହିବାର ଅନୁମତି ପାଉନଥିବା ଛାତ୍ରଟିଏ ଏକବାରେ ଜୀବନ୍ତ ଭାବରେ ଦେଖିପାରିବ ଓ ଶିଖିପାରିବ ଅପରେସନର ସୂକ୍ଷ୍ମ ଉପାଦାନ ସବୁ । କି ଦୁନିଆର ଆରପଟେ ଥାଇ ଅପରେସନ କରେଇବାକୁ (କରିବାକୁ ବି) ସମର୍ଥ ହେବେ ଦୁନିଆର ଶ୍ରେଷ୍ଠ ଡାକ୍ତର । ସବୁ ତ ଭଲ ଶୁଭୁଚି । ଶୁଭୁଚି ମାନବୀୟ ଉତ୍କର୍ଷର ଅପୂର୍ବ ଉପଲବ୍ଧି ପରି । ଅସୁବିଧା ତାହେଲେ କୋଉଠି ? ଅସୁବିଧା ଅନେକଠି । ତେବେ ଏଇ ଗୋଟିଏ କଥାରୁ ଆରମ୍ଭ କରାଯାଉ । ଷ୍ଟିଫେନସନଙ୍କ ଯୋଉ ବହି କଥା ଆରମ୍ଭରୁ କହିଥିଲି - 'ସ୍ନୋ କ୍ୟାଶ୍' - ଯୋଉଥିରେ ପ୍ରଥମେ ବ୍ୟବହୃତ ହେଇଥିଲା ମେଟାଭର୍ସ୍ ଶବ୍ଦଟି, ସେ ବହିରେ ମେଟାଭର୍ସ୍ ପରି ବିକଳ୍ପଟିଏ ଦରକାର ପଡ଼ିଥିଲା କାହିଁକି ନା ବାସ୍ତବ ଦୁନିଆଟି ପ୍ରାୟ ନଷ୍ଟ ହେଇସାରିଥିଲା । ଆଜି ଯେତେବେଳେ ଆମେ ମେଟାଭର୍ସ୍ ପାଇଁ ଆହ୍ଲାଦିତ ହେବା, ଆମେ କଣ ତାହେଲେ ମାନିନେବା ଯେ ଏଇ ଯୋଉ ସତସତିକା ଦୁନିଆଟି ଆମର ତାହା ନଷ୍ଟ ହବା ଉପରେ ? ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗ୍ଲୋବାଲ ୱାର୍ମିଂ, ପ୍ରଦୂଷଣ, ଅନାହାର, ସାଂପ୍ରଦାୟିକତା, ଜନସଂଖ୍ୟା ବୃଦ୍ଧି ପରି ଭୟଙ୍କର ବିପଦ ସବୁ ଭିତରକୁ ଆମ ସତସତିକା ଦୁନିଆଟିକୁ ଠେଲିଦେଇ ତା' ପାଖରେ ଉତ୍ତରଦାୟୀ ହବା ପରିବର୍ତ୍ତେ ଆମେ ଲକ୍ଷ ଲକ୍ଷ କୋଟି ଡଲାର ଖର୍ଚ୍ଚ କରି ନୂଆ ଏକ ଆଭାସୀ ଦୁନିଆ ଗଢ଼ି ଲାଗିଚେ ଏ ଦୁନିଆର ମାନବକୃତ କୁତ୍ସିତ ବାସ୍ତବତାକୁ ଘୋଡେ଼ଇ ପକେଇବା ପାଇଁ ?

(କ୍ରମଶଃ...)