(ପୂର୍ବ ପ୍ରକାଶିତ ଉତ୍ତାରୁ)

ବିଷ୍ଣୁଙ୍କର ଦଶ ଅବତାର । ପ୍ରତି ଅବତାର ମର୍ତ୍ତ୍ୟରେ ବିଷ୍ଣୁଙ୍କର ଏକ ନିର୍ଦ୍ଦିଷ୍ଟ ରୂପ ଏବଂ ପ୍ରତି ରୂପରେ ବିଷ୍ଣୁ ବିରାଜମାନ । ଅର୍ଥାତ୍ ବିଷ୍ଣୁ ସ୍ୱୟଂ ଦେବଲୋକରେ ଥିଲାବେଳେ ତାଙ୍କ ଇଚ୍ଛା ଅନୁସାରେ ମର୍ତ୍ତ୍ୟଲୋକରେ ତାଙ୍କ ଲୀଳା ପ୍ରଦର୍ଶନ କରୁଥିବା ତାଙ୍କ ଅଂଶ ହେଲେ ଅବତାର । ମର୍ତ୍ତ୍ୟଲୋକକୁ "ଅବତରଣ" କରୁଥିବାରୁ ନାଁ ହେଇଚି ଅବତାର । ତେବେ ସଂସ୍କୃତର ଏଇ ଶବ୍ଦଟି ପରେ ପରେ ଇଂରାଜୀକୁ ଯାଇଚି । କେମ୍ବ୍ରିଜ୍ ଡିକ୍ସିନାରୀରେ ଦେଖନ୍ତୁ "avatar" ଶବ୍ଦର ଅର୍ଥ: "character or creature that you create to represent yourself in a computer game, on the internet, etc"। ହଲିଉଡର ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଜେମ୍ସ କ୍ୟାମେରନ, ଯିଏ 'ଟାଇଟାନିକ୍' ଓ 'ଟର୍ମିନେଟର' ପରି ଫିଲ୍ମ ତିଆରି କରିଚନ୍ତି, ତାଙ୍କର ଏକ ବହୁଚର୍ଚ୍ଚିତ ଫିଲ୍ମର ନାଁ ବି 'ଅବତାର' । ଏ ଫିଲ୍ମଟିର କଥାବସ୍ତୁ ଗତିଶୀଳ ହଉଚି ଦ୍ବାବିଂଶ ଶତାବ୍ଦୀର ମଧ୍ୟଭାଗରେ ଯେତେବେଳେ ପୃଥିବୀର ମଣିଷମାନେ ଏଠୁ ଶକ୍ତି ସରିଗଲା ପରେ ଆଉ ଏକ ଦୂର ଗ୍ରହର ଉପଗ୍ରହରେ ନିଜର ଉପନିବେଶ ସ୍ଥାପନା କରିଚନ୍ତି । ଏବଂ ସେଠିକାର ମୂଳନିବାସୀ ବେଶର ଅବତାର ନେଇ ଭିତିରି ଗୁପ୍ତ ଖବର ସବୁ ଆଣିବା ପାଇଁ ଯାଉଚି ମଣିଷଟିଏ । ଯାଉଚି କହିଲେ ବରଂ ଭୁଲ ହବ । ସେ ବସି ରହୁଚି ବିଜ୍ଞାନାଗାରରେ ହିଁ । ସେମିତି ବି ସେ ଚଳତ୍ ଶକ୍ତି ବିହୀନ ବାସ୍ତବ ଜୀବନରେ । ହେଲେ ତା' ଦ୍ୱାରା ପରିଚାଳିତ ଅବତାରଟି ଯିଏ ଉପଗ୍ରହର ମୂଳନିବାସୀ ପରି ଦିଶୁଚି, ସେ ଯୁଦ୍ଧ ବି କରୁଚି ।

ତେବେ ଆମେ ଯୋଉ ମେଟାଭର୍ସ ବିଷୟରେ କଥା ହଉଚେ, ଯୋଉଟି ଆଭାସୀ ମାଧ୍ୟମରେ ଏକ ବିକଳ୍ପ ବିଶ୍ବ ହେଇ ଉଭା ହବ ବୋଲି ପ୍ରଯୁକ୍ତିବିଦ୍ୟା କମ୍ପାନୀମାନେ ସୁନିଶ୍ଚିତ, ସେ ମେଟାଭର୍ସରେ ବି ଏଇ ଅବତାରମାନଙ୍କର ବେଶ୍ ଗୁରୁତ୍ୱ ରହିଚି । ଧରନ୍ତୁ, ଆଜିଠୁ ଅଳ୍ପ କିଛି ବର୍ଷ ପରେ ଆପଣ ଭି.ଆର୍. ହେଡସେଟ ଲଗେଇ ଫେସବୁକ ଖୋଲିଲେ । ଯଦି ଫେସବୁକ ୱାଲକୁ ଏକ ଗଳି ଭଳି କଳ୍ପନା କରାଯିବ ତାହେଲେ ଆପଣଙ୍କ ଫେସବୁକ ଅବତାରଟି ସେଠି ଚାଲି ଚାଲି ଯିବ । ଏବଂ ଆପଣଙ୍କୁ ଦୃଶ୍ୟ ଓ ଶ୍ରାବ୍ୟ ଜରିଆରେ ସେଇଟି ଏକ ବାସ୍ତବ ଗଳି ପରି ଲାଗିବ, ଲାଗିବ ଆପଣ ନିଜେ ହିଁ ଚାଲୁଚନ୍ତି ସେଠି । ଚାଲୁଚାଲୁ ଆପଣ ଦେଖିବେ କୋଉ ଗୋଟେ ଘର ବାହାରେ ଆପଣଙ୍କର ଫେସବୁକ ବନ୍ଧୁ (ଅର୍ଥାତ୍ ତାଙ୍କର ଅବତାର) ଜଣେ ଜଗିଙ୍ଗ୍ କରୁଥିବାର । ସେ ହୁଏତ ନିଜ ଫେସବୁକ ପ୍ରୋଫାଇଲରେ ଜଗିଙ୍ଗ୍ କରୁଥିବାର ଏକ ପୋଷ୍ଟ ଦେଇଥିବେ । ସତରେ ଜଗିଙ୍ଗ୍ କରୁଥିବେ କି ନା ସେ ଏକ ଭିନ୍ନ କଥା । ଆପଣ ଚାହିଁଲେ ତାଙ୍କ ସହ କଥା ହେଇପାରିବେ, ତାଙ୍କ ସହ ଦୌଡ଼ି ପାରିବେ ବି (ନିଜ ଘରୁ ଥାଇ ହିଁ) । ଆଉ ଟିକେ ଆଗକୁ ଗଲେ ଆପଣ ଦେଖିବେ ଆଉ କୋଉ ଫେସବୁକ ବନ୍ଧୁ ଜଣଙ୍କର ଅବତାର ବିବାହ କରୁଚି । ଏକଥା ଆପଣ ଦେଖିବେ କାରଣ ସେ ହୁଏତ ଫେସବୁକରେ ଏ ସମ୍ବଳିତ ପୋଷ୍ଟଟିଏ ଦେଇଥିବେ । ଆପଣ ସେଠି ରହିପାରିବେ କି ଶୁଭେଚ୍ଛା ଜଣେଇ ଆଗକୁ ବଢ଼ିପାରିବେ । ଆପଣ ହୁଏତ ବୁଝିପାରୁଥିବେ ଏ ଆଗକୁ ଆଗକୁ ବଢ଼ିବା ହଉଚି ବର୍ତ୍ତମାନର ସ୍କ୍ରଲ୍ କରିବା ଭଳି ।

ଆପଣ ଜାଣିଚନ୍ତି କି ନା ମୁଁ ଜାଣେନା, କିନ୍ତୁ ଜାଣିରଖିବା କଥା ଯେ ଫେସବୁକର ମୂଳ ଆୟସ୍ରୋତ ହଉଚି ବିଜ୍ଞାପନ । ଏ ବିଜ୍ଞାପନ ପୁଣି ଟିଭି କି ଖବରକାଗଜ ପରି ସମସ୍ତଙ୍କ ପାଇଁ ଏକା ପ୍ରକାରର ବିଜ୍ଞାପନ ନୁହେଁ । ଫେସବୁକ ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟର ପସନ୍ଦ ନାପସନ୍ଦର ହିସାବ ରଖେ । ଏବଂ ଆପଣଙ୍କ ପସନ୍ଦ ନାପସନ୍ଦକୁ ସୁହାଇଲା ପରି ବିଜ୍ଞାପନ ହିଁ ଆପଣଙ୍କୁ ଦେଖାଏ । ଆପଣ ହୁଏତ ଭାବୁଥିବେ ଭଲ ତ ! ମୋ ଇଚ୍ଛା ଅନୁସାରେ ହିଁ ବିଜ୍ଞାପନ ଦିଶୁଚି ମତେ ! କିନ୍ତୁ ମୂଳ କଥାଟି ହେଲା ଏଠି କିଣାବିକାର ଜିନିଷ ଆପଣଙ୍କ ପସନ୍ଦ ଆଉ ନାପସନ୍ଦର ହିସାବ । ସେଇତକ ବିକ୍ରି କରି କଂପାନୀମାନଙ୍କଠାରୁ ବିଜ୍ଞାପନ ଦେଖେଇବା ପାଇଁ ପଇସା ନିଏ ଫେସବୁକ । ଏବେ ଯେମିତି ଆପଣଙ୍କ ପସନ୍ଦର ଭିଡ଼ିଓଟିଏ ଦେଖିଲାବେଳେ ମଝିରେ ବିଜ୍ଞାପନ ଆସୁଚି ସେବେ ବି ସେମିତି ଆସିବ । ଖାଲି ସେତେବେଳେ ହୁଏତ ଭିଡ଼ିଓଟି ଦିଶିବ ମେଟାଭର୍ସ ଭିତରେ ରାସ୍ତାକଡ଼ରେ କୋଉ ଏକ ହୋର୍ଡିଂରେ । ଏବଂ ଭିଡ଼ିଓଟି ପୂରା ଦେଖିବାକୁ ହେଲେ ଆପଣଙ୍କୁ ମଝିରେ ଆସୁଥିବା ବିଜ୍ଞାପନ ବି ଦେଖିବାକୁ ପଡ଼ିବ । ଆପଣ ଚାହିଁଲେ ହୋର୍ଡିଂଟିକୁ ହିଁ ଏଡ଼େଇ ଆଗକୁ ଚାଲିଯାଇପାରନ୍ତି କିନ୍ତୁ ଆପଣ ଯିବେ ନାହିଁ । ଏକଥା ଫେସବୁକ ଭଲ ଭାବରେ ଜାଣିସାରିଥିବ କାରଣ ଆପଣ କୋଉଥିରେ କେତେ ସମୟ ଦିଅନ୍ତି, କୋଉ ପୋଷ୍ଟକୁ ଦେଖିଲା କ୍ଷଣି ଲାଇକ କରନ୍ତି, କୋଉ ଭିଡ଼ିଓ ଶେଷଯାଏ ଖୋଜି ଖୋଜି ଦେଖନ୍ତି ଅଥଚ ଲାଇକ କରନ୍ତି ନାହିଁ ଏସବୁର ହିସାବ ଫେସବୁକ ପାଖରେ ଅଛି ହିଁ । ସେଇ ଅନୁସାରେ ଦିଶିବ ଆପଣଙ୍କୁ ବିଜ୍ଞାପନ ସବୁ । ଏବଂ କେବଳ ବିଜ୍ଞାପନ କାହିଁକି, ମତେ ତ ଲାଗୁଚି ଏ ମେଟାଭର୍ସରେ ଆପଣଙ୍କ ଗଳି ଆପଣଙ୍କୁ ଯେମିତି ଦିଶିବ, ଆଉଜଣକୁ ତା' ଗଳି ସେମିତି ଦିଶିବ ନାହିଁ । ସମାନ ହୋର୍ଡିଂ ସାମ୍ନାରେ ଠିଆ ହେଇ ହୁଏତ ଆପଣ ଦିହେଁ ଦେଖୁଥିବେ ଅଲଗା ଅଲଗା ଦୃଶ୍ୟ । ହୁଏତ ଆପଣଙ୍କ ପାଇଁ ସିଏ ଆପଣଙ୍କର ପ୍ରଥମ ପଡ଼ୋଶୀ ହେଇଥିବ କିନ୍ତୁ ତା' ପାଇଁ ଆଉ କିଏ । କାହିଁକି ନା, ଆପଣ ହୁଏତ ତା'ର ସବୁ ପୋଷ୍ଟରେ ଯେତିକି ଆଗ୍ରହର ସହ ଲାଇକ୍, କମେଣ୍ଟ କରୁଥିବେ ସିଏ ତାହା ଆପଣଙ୍କ ପାଇଁ କରୁନଥିବ । ଏମିତି ଯେ ଅବିକଳ ଘଟିବ ତାହା ମୁଁ କହୁନାହିଁ, ତେବେ ଘଟିବ ନାହିଁ କାହିଁକି ତା'ର କିଛି କାରଣ ବି ଦେଖୁନାହିଁ ।

ଯେହେତୁ ବିଜ୍ଞାପନ ହିଁ ଫେସବୁକର ମୂଳ ବ୍ୟବସାୟ, 'ମେଟା' ମେଟାଭର୍ସରେ ତାହା ବଦଳିଯିବ ଏକଥାର ବି କିଛି କାରଣ ଦିଶୁନାହିଁ । ତେବେ ଯାହା ବଦଳିବ, ତାହା ହୁଏତ ବିଜ୍ଞାପନର ସ୍ୱରୂପ । କେବଳ ହୋର୍ଡିଂରେ ନ ଦିଶି ଆହୁରି ଅନେକ ବାଗରେ ଦିଶିବ ବିଜ୍ଞାପନ । ଏବଂ କେବଳ ବିଜ୍ଞାପନ ହିସାବରେ ନ ଦିଶି ଦିଶିବ ଅନେକ ଭାବରେ । ଧରନ୍ତୁ, ଆପଣ ଜଣେ ପ୍ରସିଦ୍ଧ କ୍ରିକେଟରଙ୍କର ବହୁତ ବଡ଼ ପ୍ରଶଂସକ ଓ ତାଙ୍କୁ ଫେସବୁକରେ ଫଲୋ କରୁଚନ୍ତି । ତ ତାଙ୍କ ଫେସବୁକ ଅବତାର (ଯାହା ପଛରେ ସିଏ ନିଜେ ନଥିବେ ଅବଶ୍ୟ, ଥିବ ଖାଲି କମ୍ପ୍ୟୁଟର ପ୍ରୋଗ୍ରାମଟିଏ) ସହ ଆପଣ ଘରୁ ଥାଇ ନିଜ ଫେସବୁକ ଅବତାର ଜରିଆରେ ଚାଲୁଚାଲୁ କୋଉ ଗୋଟେ ଛକରେ ଭେଟ ହେଇଯିବେ ଏବଂ ପ୍ରତ୍ୟକ୍ଷ କଥାବାର୍ତ୍ତା କରିପାରିବେ କି ଅଭିବାଦନ ଜଣେଇପାରିବେ । ସେ ବ୍ୟବସ୍ଥା ଭି.ଆର୍.ରେ ହେଇପାରିବ । କିନ୍ତୁ ତାଙ୍କୁ ଭେଟିଲାବେଳେ ଆପଣ ନିହାତି ଦେଖିବେ ତାଙ୍କ ଅବତାର ପିନ୍ଧିଥିବ ଅମୁକ କମ୍ପାନୀର ଜୋତା, ସମୁକ କମ୍ପାନୀର ଚଷମା । ଏଥିରେ ବି ଆଶ୍ଚର୍ଯ୍ୟ ହବାର ନାହିଁ ଯଦି ତାଙ୍କ ଅବତାର କୋଉଠୁ ଗୋଟେ ବୋତଲ ଇଞ୍ଜିନ ତେଲ (ଯାହା ଏକ ନିର୍ଦ୍ଦିଷ୍ଟ କମ୍ପାନୀର ହେଇଥିବ) ବାହାର କରି ଆପଣଙ୍କୁ ତା'ର ଫାଇଦା ବତେଇବ । ଭାବନ୍ତୁ, ଆପଣ ସାକ୍ଷାତରେ ଆପଣଙ୍କ ଆଦର୍ଶଙ୍କୁ ଭେଟିବାର ଅନୁଭବଟିଏ ପାଉଚନ୍ତି ଅଥଚ କଥାବାର୍ତ୍ତା ଚାଲିଚି ଏଇସବୁ ।

ଏଯାଏଁ ମେଟାଭର୍ସରେ ଘଟିବାକୁ ଥିବା ଘଟଣା ସବୁ କେବଳ ଅବାନ୍ତର ବା କଳ୍ପନାପ୍ରସୂତ ଶୁଭୁଥିବ । କିନ୍ତୁ ଟିକେ ନିରିଖେଇ ଦେଖିଲେ ଆପଣ ବୁଝିପାରିବେ ଯେ ମେଟାଭର୍ସରେ କାହା ପାଇଁ କଣ ଘଟିବ, ସେସବୁ ପଛରେ ଏକ ଅଦୃଶ୍ୟ ଶକ୍ତି ଅଛି । ଆମକୁ ଲାଗୁଚି ଯେ ଆମେ ଦେଖୁଥିବା ଘଟଣା ସବୁ କେବଳ ଆମ ପସନ୍ଦ ଅନୁସାରେ ତିଆରି ହବ, ଅତଏବ ଆମେ ହିଁ କୋଉଠି ନା କୋଉଠି ଉପଭୋକ୍ତା ବା ଅଧିବାସୀ ଏ ଆଭାସୀ ଦୁନିଆର ! କିନ୍ତୁ ଭାବି ଦେଖନ୍ତୁ, ଏ ଆଭାସୀ ଦୁନିଆର ନକ୍ସା କଣ ହବ, କୋଉ ଛକରେ କେତେ ସମୟ ଠିଆ ହେଇ ରହିବ ଆପଣଙ୍କ ପ୍ରିୟ କ୍ରିକେଟରଙ୍କ ଅବତାର, କି ବାଗରେ ଦିଶିବ ଆପଣଙ୍କୁ ଆପଣଙ୍କ ଆଭାସୀ ବାସ୍ତବତା ବା Virtual Reality, ସେକଥା ଆପଣ ସ୍ଥିର କରୁନାହାନ୍ତି । ସେକଥା ସ୍ଥିର କରୁଚି ଆପଣଙ୍କୁ ସର୍ବସାଧାରଣରେ ଦେଖାଉଥିବା ପସନ୍ଦ - ନାପସନ୍ଦର ଆଧାର ଉପରେ ଠିଆହେଇଥିବା ଏକ ଗାଣିତିକ ମଡେଲ୍ । ଏଠି ଆପଣଙ୍କ ପ୍ରତିଟି କାମ କେବଳ ଗୋଟିଏ କୋଡ୍ । ମୁଁ କହୁନି ମେଟାଭର୍ସରେ ନିଜ ନିଜ ଭିନ୍ନ ଭିନ୍ନ ବ୍ୟକ୍ତିଗତ ଅନୁଭୂତିକୁ ନେଇ ଆମେ ଏକବାରେ ଏକୁଟିଆ ହେଇଯିବା ବୋଲି । ନିଶ୍ଚୟ ଅନ୍ୟମାନଙ୍କ ମେଟାଭର୍ସ ଅନୁଭୂତି ଓ ଆମ ଅନୁଭୂତି ଭିତରେ କିଛି ନା କିଛି ସାମଞ୍ଜସ୍ୟ ରହିବ (ଯେମିତି ଆମ ୱାଲରେ ରହୁଚି ବର୍ତ୍ତମାନ, ମ୍ୟୁଚୁଆଲ ଫ୍ରେଣ୍ଡସଙ୍କ ସକାଶେ) । ତେବେ ଯେତେ ଯେତେ ଏ ସାମଞ୍ଜସ୍ୟକୁ ଆମେ ବାସ୍ତବ ଜୀବନର ଏକ ଆଭାସୀ ରୂପ ଭାବରେ ଭି.ଆର୍.ରେ ବଞ୍ଚିବା, ସେତେ ସେତେ ଏ ଅନୁଭବଟି ବି କୋଉଠି ନା କୋଉଠି ମୁଣ୍ଡ ଟେକିବ ଅବଚେତନରେ: ଭି.ଆର୍.ର ଏ ବନ୍ଧୁତ୍ୱ, ଏ ସାଙ୍ଗ ହେଇ ଅମୁକ ଛକରେ ସମୁକ ସେଲିବ୍ରିଟିକୁ ଭେଟିବା କି ସମୁକ ସିନେମାର ଟ୍ରେଲର ଦେଖିବା - ଏସବୁ ପଛର ଏକମାତ୍ର ଉଦ୍ଦେଶ୍ୟ ହେଲା ବିଜ୍ଞାପନ - ଚାଳିତ ମେଟାଭର୍ସଟିର ଏକଛତ୍ରବାଦୀ ମାଲିକଟିର ଲାଭ ।

ଏବେ ଆମ ହସଖୁସି ଓ ପସନ୍ଦ - ନାପସନ୍ଦର ବେପାରରେ ଠିଆହେଇଥିବା ବିଲିଅନ ଡଲାରର ଏ ଅଗଣତାନ୍ତ୍ରିକ ସାମ୍ରାଜ୍ୟର ଅସୁବିଧା ଆମେ ହୁଏତ ବୁଝିପାରିନାହୁଁ । କିନ୍ତୁ ସେ ସାମ୍ରାଜ୍ୟ, ଯାହାକୁ ଏକ ଗଣତାନ୍ତ୍ରିକ ଓ ସ୍ୱାଧୀନ ଅଭିବ୍ୟକ୍ତି ଥିବା ମେଟାଭର୍ସ ନାଁରେ ଆମକୁ ବିକାଯିବ, ସେ ସାମ୍ରାଜ୍ୟ ଭିତରେ ପ୍ରାୟ ଜୀବନ୍ତ ଭାବେ ଚଳପ୍ରଚଳ ହେଲା ପରେ ବି ଯଦି ଆମେ ସେସବୁ ଅସୁବିଧାକୁ ବୁଝିବୁ ନାହିଁ, ତାହେଲେ ହୁଏତ ଶତାବ୍ଦୀ ଶତାବ୍ଦୀର ବିବର୍ତ୍ତନ ପରେ ମଣିଷ ଜାତି ଯେ ପ୍ରଯୁକ୍ତିବିଦ୍ୟାର କ୍ରୀତଦାସ ହେଇଯିବ, ଏକଥା ସୁନିଶ୍ଚିତ ।

(କ୍ରମଶଃ...)