ଇଚ୍ଛାମୃତ୍ୟୁ

ଇଚ୍ଛାର ସାମ୍ରାଜ୍ୟରେ ରାଜରାଜେଶ୍ଵରୀ ହେବାର କଳ୍ପନା ତୀବ୍ରତର ନ ହେଲେ ଏମିତି କବିତା ସମ୍ଭବ ନୁହେଁ । ଭାବ ଓ ଶୈଳୀ ଦୃଷ୍ଟିରୁ ଏ କବିତା ଏକ ବିରଳ ଦୃଷ୍ଟାନ୍ତ ।


"ଏତେବେଳ ଯାଏଁ ଶୋଇନୁ ?
ଶୋଇବାକୁ ଇଚ୍ଛା ହଉନି ?"
ଇଚ୍ଛା ?
ନିଦ ତ ଖାଲି ପ୍ରୟୋଜନ.. ଇଚ୍ଛା ନୁହଁ ।

ଇଚ୍ଛା ସେଇ ନଦୀ, ଯାହାର ପାଦ ଧୋଇବା ପାଇଁ
ଆକୁଳ ସମୁଦ୍ର ।

ସାମ୍ନା ଘର ସୁଦେଶର ସେଇ କାର
ଯୋଉଥିରେ ବସି
ପେଡଲ ମାରିଲେ ଚାଲୁଥିଲା ଘରର ଘର..
ଏବେବି ସ୍ୱପ୍ନରେ ଆସେ... ଇଚ୍ଛା ।

କଲେଜର ସେଇ ପ୍ରଫେସର,
ଯାହାଙ୍କ ମୁରୁକି ହସରେ ପାଣିକୁ ଓହ୍ଲାଉଥିଲା ସିଗଲ ।
ତାଙ୍କ ଆଖିକୁ କେବେ ଅନେଇ ପାରିନି... ଇଚ୍ଛା ।

ଇଗଲର ଓଠରୁ ଗୋଟିଏ ଚୁମାରେ
ଉଠେଇ ଆଣିବି ତା ଯାବତ ଯନ୍ତ୍ରଣା,
ସେ ଦେଇଯାଇଥିବା ପର
ରଖିବି ତକିଆ ତଳେ, ସାରା ରାତି ଅନିଦ୍ରା... ଇଚ୍ଛା ।

ଯୋଉ ଆଖି ଧୋଇଥିଲି ଖରାରେ
ମୋଟା ଚଷମା ତଳେ
ସୂର୍ଯ୍ୟପରାଗ ଦେଖା ପାପରେ ସେ ଆଖି ଏବେବି ନିର୍ମଳ
ସେ ଆଖିତଳ ପତାରେ କିଚ କିଚ ଭଙ୍ଗା ସ୍ବପ୍ନଟିଏ... ଇଚ୍ଛା ।

ସେ ଥରେ ଛୁଇଁଥିଲେ ହାତ
କୋଉଠି ହେଇଥିଲା ଅଗ୍ନି ଉତ୍ପାତ ?
ହୃଦୟର କୋଉ ଗହନରେ ?
ନିଆଁରେ ପଖଳା ସେଇ ମନ, ବାରମ୍ବାର ଝରୁଥାଏ
ଶୁଖିଲା ପାଖୁଡ଼ା ଭଳି ଗୁଣ୍ଡ ଗୁଣ୍ଡ, ରେଣୁ ରେଣୁ... ଇଚ୍ଛା ।

ନିଦ ଖାଲି ପ୍ରୟୋଜନ
ଇଚ୍ଛା ତ ଗୋଟିଏ ନିଃଶ୍ବାସ
ଯୋଉ ନିଃଶ୍ୱାସକୁ ଏ ଯାଏଁ ଖୋଜୁଛି ।
ଯଦି କେବେ ପାଇଯାଏ, ଉଇଁ ଆସୁଥିବା
ଜହ୍ନକୁ ଅନେଇ ଅନ୍ଧାରରେ ଖୋଲିଦେବି ଦୁଆର... ଇଚ୍ଛା ।