ହାତ ଧୋଇବାର ବେଳ ଅଥବା ଏକ୍ ଡାକ୍ତର କି ମୌତ୍

ପୃଥିବୀର ଚିକିତ୍ସା ଶାସ୍ତ୍ରର ଇତିହାସକୁ ଯଦି ପ୍ରମୁଖ ଦଶଜଣ ଚିକିତ୍ସକଙ୍କ ଅବଦାନରେ ବିନ୍ୟସ୍ତ କରାଯାଏ ତାହାହେଲେ ଏହି ସଂପୃକ୍ତ ଡାକ୍ତରଙ୍କ ପ୍ରସଙ୍ଗ ନିଶ୍ଚୟ ଆସିବ । ଜର୍ମାନୀର ହଙ୍ଗେରୀରେ ଜନ୍ମିତ ଏହି ଡାକ୍ତର ଜଣକ ୧୮୧୦ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ।


ଫଟୋ - ୱିକିପିଡିଆ

ଏଇଠି ପ୍ରମୁଖ ପ୍ରସଙ୍ଗ ହେଉଛି ହାତ ଧୋଇବା ବେଳର ଉହାଡରେ ଥିବା କିଛି ଆଶ୍ଚର୍ଯ୍ୟ ଅଦ୍ଭୁତ କଥା । ଅନ୍ୟଭାବରେ କହିଲେ ହାତ ଧୋଇବା ଭଳି ସାମାନ୍ୟ ଘଟଣାକୁ ନେଇ ବା ତାହାର ପ୍ରତିକ୍ରିୟା ହିସାବରେ ଆଉ କିଛି କିଛି ଘଟଣା ଘଟିଛି ଯାହାର ଏକ ଉଲ୍ଲେଖ ଏବେ ଏଇଠି ।

ମଣିଷ ହେଉଛି ଏକମାତ୍ର ପ୍ରାଣୀ ଯିଏ କେବଳ ନିଜର ହାତକୁ ବେଳେବେଳେ ଧୋଇଥାଏ । ଯଦି ତାହାର ଇଚ୍ଛା ହୁଏ ତେବେ ସେ ଅନ୍ୟର ହାତକୁ ଧୋଇଥାଏ ବା ଧୋଇବାରେ କାରକ ହୋଇଥାଏ ।

କହିବାକୁ ଗଲେ ଗାଧୁଆ ବେଳ ବୋଲି ଯେମିତି ଗୋଟିଏ ବେଳ ଆମର ନିର୍ଦ୍ଧାରିତ ରହିଛି ଠିକ୍ ସେହିଭଳି ହାତ ଧୋଇବା ପାଇଁ ବି ଆମର ବିଶେଷ ସମୟ ବା ବେଳ ମାନ ଆମର ଆବଶ୍ୟକତା ଅନୁସାରେ ଆସିଥାଏ । ଆମେ କିନ୍ତୁ ଏଇଠି ହାତ ଧୋଇବା ବେଳର କଥାକୁ ଠିକ୍ ସେଇଠୁ ଆରମ୍ଭ କରିବା ଯେତେବେଳେ ହାତ ଧୋଇବା ପାଇଁ ଆମ ପାଖରେ ସାବୁନ ଆଉ ପାଣି ଉପଲବ୍ଧ ଥିଲା ଏବଂ ଆମେ ସେତିକି ପରିମାଣର ସଭ୍ୟ ବା ଶିକ୍ଷିତ ଥିଲେ ଯେତେବେଳେ ଆମେ ଆମ ଦେହରୁ ହାତରୁ ଧୂଳିମଳିଆଦି ଯାହା ଲାଗିଥାଏ ତାହାକୁ ପରିଷ୍କାର କରିଦେବା ପାଇଁ ଗାଧୋଇବା ଆଉ ହାତ ଧୋଇବା ଭଳି କାର୍ଯ୍ୟ ଏକାନ୍ତ ଆବଶ୍ୟକ ବୋଲି ଜାଣିଥିଲେ । ମାତ୍ର ଆମକୁ ଜଣା ନଥିଲା "ବିଶୋଧନ" ବା "ଡିସିନଫେକ୍ସନ" ବା "ସାନିଟାଇଜେସନ୍" କହିଲେ କ'ଣ ବୁଝାଏ ? ଅନ୍ୟ ଭାବରେ କହିଲେ ଆମେ ସେତେବେଳେ ଜୀବାଣୁତତ୍ତ୍ୱ କଥା ଆଦୌ ଜାଣିନଥିଲେ । ଜୀବାଣୁଜନିତ ବିଷକ୍ରିୟାର କଥା ଆମର ଜ୍ଞାନର ପରିସରକୁ ଆସି ନଥିଲା । ହାତ ଧୋଇବା ଦ୍ୱାରା ଖାଲି ଧୂଳିମଳି ନୁହଁ ହାତକୁ ଯେ ଜୀବାଣୁମୁକ୍ତ କରାଯିବାର ପ୍ରୟୋଜନ ରହିଛି ସେକଥାକୁ ଆମେ ସେତେବେଳେ ଜାଣିନଥିଲେ । ଏଇଠି ଆମର ହାତ ଧୋଇବା ବେଳର କଥାଟି ଠିକ୍ ସେଇ ସମୟରୁ ଆରମ୍ଭ ହେବ । ଇତିହାସ ଦୃଷ୍ଟିକୋଣରୁ କହିଲେ ଊନବିଂଶ ଶତାବ୍ଦୀର ଠିକ୍ ମଧ୍ୟଭାଗ ହେଉଛି ସେଇ ସମୟ ।

ତାହାହେଲେ ଏଇଠି ଏକ୍ ଡାକ୍ତର କି ମୌତ୍ ସହଶୀର୍ଷକ ଭାବରେ ରହିବାର କାରଣ କ'ଣ ଆଉ କାହିଁକି ?

ଏକ୍ ଡାକ୍ତର କି ମୌତ୍ ଶୀର୍ଷକରେ ପ୍ରଖ୍ୟାତ ବଙ୍ଗୀୟ ନିର୍ଦ୍ଦେଶକ ତପନ ସିହ୍ନା ୧୯୯୦ ସାଲରେ ପଙ୍କଜ କାପୁର୍ ଏବଂ ଶବନା ଆଜମୀ ଅଭିନୀତ ଛବି ତିଆରି କରିଥିଲେ । ଛବିରେ ପଙ୍କଜ କାପୁର ଜଣେ ଡାକ୍ତର ଅର୍ଥାତ୍ ଡାକ୍ତର ଦୀପଙ୍କର ରାୟଙ୍କ ଭୂମିକାରେ ଅଭିନୟ କରିଥିଲେ । ଅତି ସଂକ୍ଷେପରେ ସେଇ ଛବିର କାହାଣୀ ହେଉଛି,ଡାଃ ରାୟ ଜଣେ ସାଧାରଣ ଡାକ୍ତର କିନ୍ତୁ ତାଙ୍କର ଅନୁସନ୍ଧିତ୍ସା ପ୍ରବଳ । ଜଣେ ଚିକିତ୍ସକ ଅପେକ୍ଷା ଜଣେ ଗବେଷକ ହିସାବରେ ଚିକିତ୍ସାବିଜ୍ଞାନର ଗବେଷଣା ଦିଗରେ ତାଙ୍କର ପ୍ରବଳ ଆଗ୍ରହ । ନିଜର ବୃତ୍ତିଗତ ଚିକିତ୍ସାକର୍ମ ପରେ ସେ ନିଜର ବାକି ସମୟକୁ ଗବେଷଣାରେ ବିନିଯୋଗ କରିଥାନ୍ତି । ତାଙ୍କର ଉଦ୍ଦେଶ୍ୟ ସେ କୁଷ୍ଠ ରୋଗର ପ୍ରତିଷେଧକ ଟିକା ଉଦ୍ଭାବନ କରିବେ । ଡାଃ ରାୟଙ୍କର ଏହି ଗବେଷଣା ଯୋଗୁ ସେ ତାଙ୍କର ସହକର୍ମୀ ତଥା ଚିକିତ୍ସାବିଭାଗର କର୍ମକର୍ତ୍ତାଙ୍କର ଅସହିଷ୍ଣୁତା ତଥା ରୋଷର ଶିକାର ହୋଇଛନ୍ତି । ସମସ୍ତେ ଏକଜୁଟ୍ ହୋଇ ସେ ଯେମିତି ଗବେଷଣାରେ ସଫଳ ହୋଇନପାରନ୍ତି ସେଇ ଭଳି ବ୍ୟବସ୍ଥା କରିଛନ୍ତି । ତାଙ୍କୁ ଏକ ଦୂର ସ୍ଥାନକୁ ବଦଳି କରାଯାଇଛି ଯେଉଁଠି କୌଣସି ପ୍ରକାର ଗବେଷଣା କରିବା ସମ୍ଭବପର ନୁହଁ । ତଥାପି ଡାଃ ଦୀପଙ୍କର ରାୟ ଗବେଷଣାରେ ସଫଳ ହୋଇଛନ୍ତି । ମାତ୍ର ସେ କୁଷ୍ଠ ରୋଗର ପ୍ରତିଷେଧକ ଟୀକା ବାହାର କରିବାର ପ୍ରଣାଳୀକୁ ଆନ୍ତର୍ଜାତିକ ସ୍ତରରେ ଉପସ୍ଥାପନ କରିବା ପୂର୍ବରୁ ବିଦେଶରେ ଏହି ଭଳି ଟୀକା ପ୍ରସ୍ତୁତହେବାର ଖବର ଆସିଛି । ଛବିର କାହାଣୀରେ ଡାଃ ରାୟଙ୍କ ଜୀବନବ୍ୟାପୀ ସାଧନା ହଠାତ୍ ବିଫଳ ହୋଇଯିବାର ପ୍ରସଂଗକୁ ସୁଖାନ୍ତକ କରିବା ପାଇଁ ଡାଃ ରାୟଙ୍କୁ ବିଦେଶରେ ଅନ୍ୟ ପ୍ରକଳ୍ପରେ କାମ କରିବାପାଇଁ ଅଫର୍ ଆସିଛି ଏବଂ ସେ ବିଦେଶ ଯାତ୍ରା କରିଛନ୍ତି ।

ତପନ ସିହ୍ନାଙ୍କ ଏକ୍ ଡାକ୍ତର କି ମୌତ୍ ଛବିର ଏହିପରି କାହାଣୀର ମୂଳ ଲେଖକ ହେଉଛନ୍ତି ବିଶିଷ୍ଟ ବଂଗୀୟ ଔପନ୍ୟାସିକ ସଦ୍ୟପ୍ରୟାତ ରମାପଦ ଚୌଧୁରୀ । ଏହି ଛବି କାହାଣୀର କଳ୍ପିତ ଡାଃ ଦୀପଙ୍କର ରାୟ ଚରିତ୍ରଟିର ଆଧାର ଚରିତ୍ରଟି କିନ୍ତୁ ଭିନ୍ନ । ଶ୍ରୀଯୁକ୍ତ ଚୌଧୁରୀ ଯେଉଁ ଅସଲ ଚରିତ୍ରକୁ ଆଧାର କରି ଏହି କାହାଣୀ ରଚନା କରିଥିଲେ ତାଙ୍କର ନାଆଁ ଡାଃ ସୁଭାଷ ମୁଖୋପାଧ୍ୟାୟ । ସେ ଭାରତରେ ଟେଷ୍ଟଟ୍ୟୁବ୍ ବେବିର ଜନ୍ମପଦ୍ଧତିର ଆଦ୍ୟପ୍ରବର୍ତ୍ତକ । ତାଙ୍କର ଉଦ୍ୟମରେ ୧୯୭୮ ମସିହାରେ କଲିକତାରେ ସର୍ବପ୍ରଥମ ଟେଷ୍ଟଟ୍ୟୁବ୍ ବେବି ଜନ୍ମଗ୍ରହଣ କରିଥିଲା । ତାହାର ନାଆଁ ଥିଲା ଦୁର୍ଗା (ଅନୁପ୍ରିୟା ଅଗ୍ରୱାଲ୍ ପୂରା ନାଆଁ)। ଦୁର୍ଗା ହେଉଛି ଲୁଇସା ବ୍ରାଉନ୍ ପରେ ପୃଥିବୀର ଦ୍ୱିତୀୟ ଟେଷ୍ଟଟ୍ୟୁବ୍ ବେବି । ଏକ୍ ଡକ୍ଟର କି ମୌତ୍ ଛବିର ଡାଃ ଦୀପଙ୍କରଙ୍କ ଭଳି ଡାଃ ସୁଭାଷ ମୁଖୋପାଧ୍ୟାୟଙ୍କୁ ତାଙ୍କର ସହକର୍ମୀ ଆଉ ଚିକିତ୍ସକଜଗତ ଆଦୌ ଗ୍ରହଣ କରିନଥିଲେ । ତାଙ୍କର ଗବେଷଣାକୁ ସମସ୍ତେ ଏକ ମୂଲ୍ୟହୀନ କାଳ୍ପନିକ ଏବଂ ଅବାସ୍ତବ ଅନୁମାନ ବୋଲି କହି ସଂପୂର୍ଣ୍ଣ ବାତିଲ୍ କରିଦେଇଥିଲେ । ଅନ୍ୟପକ୍ଷରେ ସମସ୍ତଙ୍କ ସାମ୍ନାକୁ ଡାଃ ମୁଖୋପାଧ୍ୟାୟ ଟେଷ୍ଟଟ୍ୟୁବ୍ ବେବି ଦୁର୍ଗାକୁ ନିଜ ଗବେଷଣାର ଫଳଶ୍ରୁତି ଆକାରରେ ଉପସ୍ଥାପନ କରିବାକୁ ଅସମର୍ଥ ହୋଇଥିଲେ । ଦୁର୍ଗାର ପରିବାର ଜରାୟୁର ବାହାରେ ଏହିଭଳି ଏକ ଗର୍ଭାଧାନ ପ୍ରକ୍ରିୟାକୁ ତାଙ୍କର ସମାଜ ଗ୍ରହଣ କରିବ ନାହିଁ ଆଉ ସେଇଥିପାଇଁ ସାମାଜିକ ବାସନ୍ଦ ହେବା ଭୟର କାରଣରୁ ଦୁର୍ଗାର ପରିଚୟକୁ ପୂର୍ଣ୍ଣତଃ ଗୋପନ ରଖିବାକୁ ଚାହୁଁଥିଲେ । ଫଳତଃ ନିଜର ଗବେଷଣାରେ ସଫଳ ହେବା ସତ୍ତ୍ୱେ ଡାଃ ମୁଖୋପାଧ୍ୟାୟଙ୍କୁ ତାଙ୍କର ପ୍ରାପ୍ୟ ସମ୍ମାନ ମିଳିଲା ନାହିଁ । ନିଜର ଜୀବନବ୍ୟାପୀ ଗବେଷଣା ଅସ୍ୱୀକୃତ ହେବା କାରଣରୁ ସେ ଅତ୍ୟନ୍ତ ବ୍ୟଥିତ ହୋଇପଡିଥିଲେ । ଶେଷରେ ଟେଷ୍ଟଟ୍ୟୁବ୍ ବେବି ଦୁର୍ଗାର ଜନ୍ମର ତିନିବର୍ଷ ପରେ ଅର୍ଥାତ୍ ୧୯୮୧ରେ ସେ ଆତ୍ମହତ୍ୟାର ପଥ ବାଛିନେଇଥିଲେ । ଛବି କାହାଣୀ ଭଳି ବାସ୍ତବ ସୁଖାନ୍ତକ ନୁହଁ । ମାତ୍ର ଏଘଟଣାର ବହୁବର୍ଷ ପରେ ଆଉ ଜଣେ ଡାକ୍ତର ଡାଃ ଆନନ୍ଦକୁମାରଙ୍କ ପ୍ରଚେଷ୍ଟା ବଳରେ ୨୦୦୨ ମସିହାରେ ଡାଃ ସୁଭାଷ ମୁଖାେପାଧ୍ୟାୟଙ୍କୁ ମରଣୋପରାନ୍ତ ଭାରତରେ ଟେଷ୍ଟଟ୍ୟୁବ୍ ବେବିର ଜନକ ହିସାବରେ ଆନୁଷ୍ଠାନିକ ସ୍ୱୀକୃତି ମିଳିଛି ।

ବର୍ତ୍ତମାନ ସମୟରେ କୋଭିଡ୍ ମହାମାରୀ କବଳରୁ ସୁରକ୍ଷିତ ରହିପାରିବାର ପ୍ରମୁଖ ଉପାୟ ହିସାବରେ ନିଜ ହାତକୁ ବାରଂବାର ଧୋଇବା ଭଳି କାମକୁ ଗୁରୁତ୍ୱ ଦିଆଯାଉଛି । ଆଜି କିନ୍ତୁ ଆମେ ଆମର ହାତକୁ ଧୋଇବାବେଳରେ ଏକଥାର ବୈଜ୍ଞାନିକ ପରିପ୍ରେକ୍ଷ୍ୟକୁ ବୁଝିବା ପାଇଁ ଆମକୁ ଏହିଭଳି ଜଣେ ଡାକ୍ତରର ଅବଦାନ ଏବଂ ତାହାପରେ ତାହାର ମୃତ୍ୟୁକାହାଣୀକୁ ସ୍ମରଣ କରିବା ଆବଶ୍ୟକ ।

ପୃଥିବୀର ଚିକିତ୍ସା ଶାସ୍ତ୍ରର ଇତିହାସକୁ ଯଦି ପ୍ରମୁଖ ଦଶଜଣ ଚିକିତ୍ସକଙ୍କ ଅବଦାନରେ ବିନ୍ୟସ୍ତ କରାଯାଏ ତାହାହେଲେ ଏହି ସଂପୃକ୍ତ ଡାକ୍ତରଙ୍କ ପ୍ରସଙ୍ଗ ନିଶ୍ଚୟ ଆସିବ । ଜର୍ମାନୀର ହଙ୍ଗେରୀରେ ଜନ୍ମିତ ଏହି ଡାକ୍ତର ଜଣକ ୧୮୧୦ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ପଞ୍ଚାବନ ବର୍ଷ ବୟସରେ ଅର୍ଥାତ୍ ୧୮୬୫ ଖ୍ରୀଅ ରେ ତାଙ୍କର ଅପଘାତ ମୃତ୍ୟୁ ଘଟିଥିଲା । ବସ୍ତୁତଃ ହାତ ଧୋଇବା କଥାର ଉଦ୍ଭାବକ ହିସାବରେ ଯେଉଁ ଡାକ୍ତରଙ୍କ କଥା ଆମର ମନେ ରଖିବାର ପ୍ରୟୋଜନ ରହିଛି ସେ ହେଉଛନ୍ତି ଏଇ ଡାକ୍ତର ଜଣକ ଆଉ ତାଙ୍କର ନାଆଁ ହେଉଛି ଡାଃ ଇଗନାକ୍ ସେମେଲୱିସ୍ ।

ଡାଃ ଇଗନାକ୍ ସେମେଲୱିସ୍ ଙ୍କ ଜୀବନ କାହାଣୀ ବା ବାରାନ୍ତରରେ ତାଙ୍କର ମୃତ୍ୟୁକାହାଣୀ ଭିତରକୁ ପ୍ରବେଶ କରିବା ପୂର୍ବରୁ ଆମକୁ କେତୋଟି ବିଷୟରେ ଦୃଷ୍ଟି ଦେବାକୁ ହେବ । ପ୍ରଥମତଃ ସେମିତି ସାଧାରଣ ଦୃଷ୍ଟିରେ ଦେଖିଲେ ଆମର ହାତ ଧୋଇବା ଏକ ସାଧାରଣ କଥା । ମାତ୍ର ହାତଧୋଇବା ଭଳି କାମଟିଏ ଆମର ଜୀବନଚର୍ଯ୍ୟାରେ ଅତ୍ୟନ୍ତ ସାଧାରଣ କାମ ହିସାବରେ ଗୃହୀତ ହେବାର ଆଢୁଆଳରେ ଯେଉଁ ବିବର୍ତ୍ତନଟି ଘଟିଅଛି ତାହା କିନ୍ତୁ ସାଧାରଣ ବା ସ୍ୱତଃସ୍ଫୁର୍ତ୍ତ ଭାବରେ ଘଟିନାହିଁ । ଏହି ବିବର୍ତ୍ତନ ପ୍ରକ୍ରିୟା ଅସାଧାରଣ । ଏମିତି କହିଲେ ଆଦୌ ଭୁଲ୍ ହେବନାହିଁ ଯେ ଆମର ସମସ୍ତ ସାଧାରଣ କାମ ନିଜ ସହିତ ଏକ ବିପୁଳ ଅସାଧାରଣକୁ ଧାରଣ କରି ବିଦ୍ୟମାନ ରହିଥାଏ । ଦ୍ୱିତୀୟତଃ ଯେଉଁମାନେ ଆମ ସାମ୍ନାରେ କିଛି ବୈପ୍ଳବିକ ତଥା ଯୁଗାନ୍ତକାରୀ ନୂତନତାର ବାହକ ହୋଇ ଉପସ୍ଥିତ ହୋଇଥାଆନ୍ତି ସେମାନଙ୍କୁ ସମକାଳର ବିଚାରବୋଧ ବା ପ୍ରଚଳିତ ବସ୍ତୁସ୍ଥିତି ସହିତ ସଂଘର୍ଷ କରିବାକୁ ପଡିଥାଏ । ଏହି ସଂଘର୍ଷର ପରିସର ବିସ୍ତୃତ । ମାତ୍ର ଯେଉଁ ନୂତନତ୍ୱର ବାହକମାନେ ଉଚ୍ଚବର୍ଗରୁ ଆସିଥାନ୍ତି ନିମ୍ନବର୍ଗରୁ ଆସିଥିବା ବିଜ୍ଞାନୀମାନଙ୍କର ତୁଳନାରେ ସେମାନଙ୍କର ଏହିଭଳି ସଂଘର୍ଷର ପରିମାଣ କମ୍ ହୋଇଥାଏ । ତୃତୀୟତଃ ପୃଥିବୀର ଇତିହାସରେ ଯେଉଁମାନେ ନୂତନତାର ବାହକ ସେମାନେ ପ୍ରାୟତଃ ଆମକୁ କୌଣସି ଟ୍ରାଜେଡିର ନାୟକ ଚରିତ୍ର ଆକାରରେ ଦେଖାଯିବେ । ଟ୍ରାଜେଡିର ନାୟକମାନେ ବିଶେଷତଃ ଦୁଇ ପ୍ରକାରର । ସେମାନଙ୍କ ଭିତରୁ କେତେକ ଗ୍ରୀକ୍ ନାଟକକାର ଏଶ୍ଚିଲାସ୍ ଙ୍କ ଚରିତ୍ର ଭଳି ଆଉ କେତେକ ଗ୍ରୀକ୍ ନାଟକକାର ସଫୋକ୍ଲିସ୍ ଙ୍କ ଚରିତ୍ର ଭଳି ଦିଶୁଥାନ୍ତି । ଏଶ୍ଚିଲାସ୍ ଙ୍କ ଚରିତ୍ର ଭଳି ଯେଉଁ ନାୟକମାନେ ଦିଶନ୍ତି ସେମାନଙ୍କ କ୍ଷେତ୍ରରେ ସେମାନଙ୍କର ସାମର୍ଥ୍ୟର ବାହାରେ ବିଦ୍ୱେଷକାମୀ ଶକ୍ତିମାନେ ଏକତ୍ରିତ ହୋଇ ସାଧାରଣତଃ ସେମାନଙ୍କର ପତନ ଘଟାଇଥାନ୍ତି । ସଫୋକ୍ଲିସ୍ ଙ୍କ କ୍ଷେତ୍ରରେ ଟ୍ରାଜେଡିର ନାୟକମାନେ ନିଜର ଆବିଷ୍କୃତ ସତ୍ୟକୁ ନିଜର ଏକମାତ୍ର ଲକ୍ଷ୍ୟ ହିସାବରେ ଆଚ୍ଛନ୍ନ ଭାବରେ ଜାବୁଡି ଧରି ରହିଥାନ୍ତି । ସେମାନେ ବାହ୍ୟଶକ୍ତି ପ୍ରତି ନିର୍ବିକାର । ନିଜର ସତ୍ୟ ପ୍ରତି ଏକମାତ୍ର ଅନୁରକ୍ତି ସେମାନଙ୍କର ପତନର କାରଣ ହୁଏ ।

ଏହି କଥା କେତୋଟିକୁ ଆଧାର କରି ଦେଖିଲେ ଜଣାଯିବ ଯେ ଡାଃ ଇଗନାକ୍ ସେମେଲୱିସ୍ ହେଉଛନ୍ତି ଜଣେ ହଙ୍ଗେରୀର ଅଧିବାସୀ ଆଉ ସେ ସମୟର ଜର୍ମାନୀର ହାବସବର୍ଗ ସାମ୍ରାଜ୍ୟରେ ହଙ୍ଗେରୀକୁ ଏକ ଅଧୀନସ୍ଥ ନ୍ୟୁନ ସାମ୍ରାଜ୍ୟ ବୋଲି ବିବେଚନା କରାଯାଉଥିଲା । ଜଣେ ହଙ୍ଗେରୀୟ ଅଧିବାସୀ ହିସାବରେ ସେମେଲୱିସ୍ ନିଜକୁ ହୀନ ମନେକରିବାର ଅନ୍ୟ କାରଣ ଥିଲା ଯେ ସେ ଭଲଭାବରେ ଜର୍ମାନୀ କହିପାରୁନଥିଲେ ଏବଂ ସେ ଭିଏନା ମେଡିକାଲ୍ ସ୍କୁଲ୍ ରୁ ପାଶ୍ କରିଥିବା ଜଣେ ଡାକ୍ତର ହୋଇଥିଲେ ବି ତାଙ୍କର ପୃଷ୍ଠଭୂମି ନିମ୍ନସ୍ତରର ଥିଲା । ତାଙ୍କର ବାପା ଥିଲେ ଜଣେ ତେଜରାତି ଦୋକାନୀ । ତେଣୁ ନିଜର ଜନ୍ମସ୍ଥାନ ଏବଂ ପରିବାରକୁ ନେଇ ତାଙ୍କ ଭିତରେ ଥିବା ହୀନମନ୍ୟତାର ପ୍ରତିଫଳନ ଅନେକ ସମୟରେ ଦେଖିବାକୁ ମିଳୁଥିଲା । ଏବଂ ଯଦି ଜଣେ ଟ୍ରାଜେଡିର ନାୟକ ଚରିତ୍ର ହିସାବରେ ଆମେ ଡାଃ ସେମେଲୱିସ୍ ଙ୍କ ଜୀବନକୁ ବିଚାର କରିବା ତେବେ ସେ ଆମକୁ ସଫୋକ୍ଲିସ୍ ଙ୍କ ନାଟକର ଏକ ଚରିତ୍ର ହିସାବରେ ଦେଖାଯିବେ । ନିଜ ଜୀବନରେ ସେ ନିଜର ଆବିଷ୍କାରକୁ ଏକମାତ୍ର ସତ୍ୟ ବୋଲି ପୂରା ବେପରୁଆ ଭାବରେ ଜାବୁଡି ଧରିଛନ୍ତି ଶେଷ ଯାଏଁ ଏବଂ ତାହାପଛରେ ପାଗଳ ଭଳି ଉତ୍ସୃଙ୍ଖଳତା ହିଁ ଡାକ୍ତର ଚରିତ୍ର ସେମେଲୱିସ୍ କୁ ଟ୍ରାଜେଡିର ଅତ୍ୟନ୍ତ କରୁଣ ନାୟକ ହିସାବରେ ଇତିହାସରେ ସ୍ଥାପନ କରିଛି । ଜିନିଅସ୍ ମାନଙ୍କ ସଂପର୍କରେ କୁହାଯାଏ ଯେ ସେମାନେ ବ୍ୟବହାରିକ ଜୀବନରେ ଭାରି ନିଷ୍ଠୁର ମାତ୍ର ଜଣେ ଜିନିଅସ୍ ଯେତେବେଳେ ନିଜକୁ ନେଇ ଆଚ୍ଛନ୍ନ ହୋଇପଡେ ସେତେବେଳେ ସେ ଭାରି ଅସହାୟ ।

ଡାକ୍ତର ସେମେଲୱିସ୍ ଙ୍କର ଚିକିତ୍ସକ ହେବାର ସମୟ ହେଉଛି ଏମିତି ଏକ ସମୟ ଯେଉଁ ସମୟରେ ଅସୁଖର କାରଣ ହିସାବରେ ଜୀବାଣୁ ବା ବାକଟେରିଆକୁ ଚିହ୍ନିତ କରିବା ଭଳି ଧାରଣା ଚିକିତ୍ସା ଶାସ୍ତ୍ରକୁ ଆସି ନଥିଲା । ସେ ହସପିଟାଲ୍ ରେ ମୃତ୍ୟୁ ଆଉ ହସପିଟାଲ୍ ର ରେକର୍ଡ ତଥା ଚିକିତ୍ସାଶାସ୍ତ୍ର ବା ମେଡିକାଲ୍ ଲିଟେରେଚର୍ ଆଦିକୁ ନିୟମିତ ଆଉ ବିଧିବଦ୍ଧ ଅନୁଧ୍ୟାନ ଏବଂ ଅଧ୍ୟୟନ ବଳରେ ଅସୁଖର କାରଣ ଏକ ଜୀବାଣୁ ବୋଲି ଏକ ସିଦ୍ଧାନ୍ତରେ ପହଞ୍ଚିଥିଲେ । କିନ୍ତୁ ଅସୁଖର ଏହି ଜୀବାଣୁ ତତ୍ତ୍ୱ ବା "ଜର୍ମ ଥିଓରି" ତାହାକୁ ଏକ ତର୍କ ସଂଗତ ଏବଂ ଗବେଷଣାମୂଳକ ପ୍ରାମାଣିକତାର ପରିଣତି ଦେବାକୁ ସେ ସକ୍ଷମ ହୋଇ ନଥିଲେ । ତେଣୁ ସେମେଲୱିସ୍ ଙ୍କ ଜୀବାଣୁ ତତ୍ତ୍ୱ ଉପରେ ପ୍ରଶ୍ନଚିହ୍ନ ଲାଗିଥିଲା । ସେମେଲୱିସ୍ ହସପିଟାଲ୍ ରେକର୍ଡ ଏବଂ ରୋଗୀମାନଙ୍କୁ ଅନୁଧ୍ୟାନ କରି ସେମିତି ଏକ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ସତ ମାତ୍ର ଏହା ଉପରେ ଅଧିକ ଗବେଷଣାମୂଳକ କାର୍ଯ୍ୟ ଆବଶ୍ୟକ ଥିଲା । ଏଇଠି କହିବା ପ୍ରାସଙ୍ଗିକ ହେବ ଯେ ଲୁଇ ପାସ୍ତର ବୋଲି ଜଣେ ଫରାସୀ ରସାୟନବିତ ୧୮୫୭ରେ ପ୍ରାମାଣିକ ଭାବରେ ଉପସ୍ଥାପନ କରିଥିଲେ ଯେ, ବାକଟେରିଆ ହେଉଛି ପଚନ ବା ପୁଟ୍ରେଫାକ୍ସନର ମୂଳ କାରଣ । ଲୁଇ ପାସ୍ତରଙ୍କର "ବିଟରୁଟ୍ ଆଲକହଲ୍" ଉପରେ ଗବେଷଣା ଅର୍ଥାତ୍ ପଦାର୍ଥକୁ ପଚାଇ ଆଲକହଲ୍ କରିବା ପଛରେ ବାକଟେରିଆ ରହିବା କଥା ଦ୍ୱାରା ପ୍ରଥମଥର ପ୍ରାମାଣିକ ଭାବରେ କୁହାଯାଇଥିଲା ଯେ ଜୀବାଣର ଉପସ୍ଥିତି ଅଛି ଆଉ ତାହା ପଚନ କାର୍ଯ୍ୟକୁ ସଂପାଦନ କରିଥାଏ, ମାତ୍ର ଏହି ଜୀବାଣୁ ଯେ ରୋଗର ବି କାରଣ ହୋଇପାରେ ସେଇକଥା ଲୁଇ ପାସ୍ତରଙ୍କ ଗବେଷଣାର ପରିଧି ଭିତରେ ନଥିଲା । ପାସ୍ତରଙ୍କ ବାକଟେରିଆ ତତ୍ତ୍ୱର ପ୍ରାୟ ନଅ ବର୍ଷ ଆଗରୁ ଅର୍ଥାତ୍ ୧୮୪୮ ଖ୍ରୀଅରେ ଡାଃ ସେମେଲୱିସ୍ ଆଶ୍ଚର୍ଯ୍ୟଜନକ ଭାବରେ ନିଜର ଅନୁଧ୍ୟାନରୁ ଅସୁଖର କାରଣ ହିସାବରେ ଏକ ଜୀବାଣୁ ବୋଲି ଥିଓରୀର କଥା କହିଥିଲେ । ସେହି ଜୀବାଣୁକୁ ସେ "କାଡାଭର୍ ପାର୍ଟିକ୍ଲ" ବା "ଶବ - ଅଣୁ" ବୋଲି କହୁଥିଲେ । କାଡାଭର୍ ବା ଶବରୁ ସୃଷ୍ଟି ହେଉଥିବା ଉକ୍ତ ଜୀବାଣୁ ଯାହା ଅସୁଖର କାରଣ ସେହି "କାଡାଭର-ପାର୍ଟିକ୍ଲ" ବିଷୟରେ ସେ କିନ୍ତୁ ତାହାର ଯାହା ଆଗରୁ କୁହାଯାଇଛି ଅର୍ଥାତ୍ ତାହାର କୌଣସି ପରୀକ୍ଷାଗାରର ପ୍ରାମାଣିକତା ପ୍ରଦାନ କରିନଥିଲେ ।

ଏହି କାଡାଭର୍ - ପାର୍ଟିକ୍ଲ ସିଦ୍ଧାନ୍ତରେ ଡାଃ ସେମେଲୱିସ୍ କେମିତି ପହଞ୍ଚିଗଲେ ସେ ବିଷୟ ଆଗ ଦେଖାଯାଉ ।

ଭିଏନା ମେଡିକାଲ୍ ସ୍କୁଲ୍ ରୁ ଡାକ୍ତରୀ ଶିକ୍ଷା ଲାଭ କରିବା ପରେ ଡାଃ ସେମେଲୱିସ୍ ସେ ସମୟର ସେଠିକାର ତିନିଜଣ ପ୍ରଖ୍ୟାତ ତଥା କିମ୍ବଦନ୍ତୀ ପର୍ଯ୍ୟାୟର ଚିକିତ୍ସକଙ୍କ ଦ୍ୱାରା ବିଶେଷଭାବରେ ଅନୁପ୍ରାଣିତ ହୋଇଥିଲେ । ସେଇ ତିନିଜଣ ପ୍ରଖ୍ୟାତ ଜର୍ମାନ୍ ଚିକିତ୍ସାବିତ୍ ହେଉଛନ୍ତି କାର୍ଲ ଭନ୍ ରକିଟାନସ୍କି,ଜୋସେଫ ସ୍କୋଡା ଏବଂ ଫର୍ଡିନାଣ୍ଡ ଭନ୍ ହେବ୍ରା । ଜଣେ ଡାକ୍ତର ହିସାବରେ ଡାଃ ସେମେଲୱିସ୍ ଙ୍କର ଚିକିତ୍ସା - ପଦ୍ଧତିକୁ ବୁଝିବାକୁ ହେଲେ ଆମକୁ ଜର୍ମାନୀର ଏହି କିମ୍ବଦନ୍ତୀ ତିନି ଚିକିତ୍ସକଙ୍କ କାର୍ଯ୍ୟଧାରାକୁ ଟିକିଏ ବୁଝିବାକୁ ହେବ । ରକିଟାନସ୍କି ଭିଏନା ମେଡିକାଲ୍ ସ୍କୁଲ୍ ର ପାଥୋଲୋଜି ଏବଂ ଆନାଟୋମି ର ପ୍ରଫେସର୍ ଥିଲେ । ଅସୁଖ ସଂପର୍କରେ ତାଙ୍କର ମତ ଥିଲା ଯେ ଅସୁଖର ଯାହା ଯାହା ଲକ୍ଷଣ ଆମକୁ ଦେଖାଯାଏ ତାହା ଅସଲରେ ହେଉଛି ଶରୀରର ବିଭିନ୍ନ ଅଂଗର ଏବଂ ତନ୍ତୁର ନିଦାନଗତ ବା ପାଥୋଲୋଜିକାଲ୍ ପରିବର୍ତ୍ତନର ବାହ୍ୟ ପରିପ୍ରକାଶ । ତେଣୁ ତାଙ୍କ ମତରେ ଜଣେ ରୋଗୀର ଶବ ବା କାଡାଭର୍ କୁ ବ୍ୟବଚ୍ଛେଦ କରି ଅଂଗ ଏବଂ ତନ୍ତୁ ର ପରିବର୍ତ୍ତନକୁ ଗଭୀର ଅନୁଧ୍ୟାନ କରିବା ଆବଶ୍ୟକ । ଖାଲି ସେତିକି ନୁହଁ ଏହି ପରିବର୍ତ୍ତନକୁ ଦେଖି ସେଥିରୁ ସେହି ଅଂଗ ଏବଂ ତନ୍ତୁର ମୂଳରୂପକୁ ଓ ତାହାର ପରବର୍ତ୍ତୀ ପରିବର୍ତ୍ତନକୁ ପୁନର୍ନିମାଣ କରି ଅସୁଖର ସ୍ୱରୂପକୁ ବୁଝିବା ଆବଶ୍ୟକ । ରକିଟାନସ୍କି ଯୋଗୁ ଜର୍ମାନୀର ଚିକିତ୍ସାକ୍ଷେତ୍ରରେ ପାଥୋଲୋଜି ହିଁ ପ୍ରମୁଖ ଆସ୍ଥାନ ଗ୍ରହଣ କରିଥିଲା । ସେତେବେଳେ ସେଠାରେ ଯେଉଁମାନେ ରୋଗୀର ଚିକିତ୍ସା କରୁଥିଲେ ଅର୍ଥାତ୍ କ୍ଲିନିକାଲ୍ ଫିଜିସିଆନ୍ ମାନେ କୌଣସି ଶବ - ବ୍ୟବଚ୍ଛେଦ କରୁନଥିଲେ । ତେଣୁ ସେମାନେ ରୋଗର ଅସଲ ସ୍ୱରୂପକୁ ବୁଝିବା ପାଇଁ ପାଥୋଲୋଜିଷ୍ଟ ବା ଯେଉଁମାନେ ନିୟମିତ ଶବବ୍ୟବଚ୍ଛେଦ କରୁଥିଲେ ସେମାନଙ୍କ ଉପରେ ନିର୍ଭରଶୀଳ ଥିଲେ । ରକିଟାନସ୍କି ଅନ୍ୟ ସମସ୍ତ ଚିକିତ୍ସକମାନଙ୍କ ସମ୍ମୁଖରେ ଡେମୋନଷ୍ଟ୍ରେସନ୍ ଆକାରରେ ଅନେକ ଶବ ବ୍ୟବଚ୍ଛେଦର ଆୟୋଜନ କରୁଥିଲେ । ଡାଃ ସେମେଲୱିସ୍ ରକିଟାନସ୍କିଙ୍କ ଦ୍ୱାରା ପ୍ରଭାବିତ ହୋଇ ନିୟମିତ ଶବବ୍ୟବଚ୍ଛେଦ କରୁଥିଲେ ଏବଂ ଶବ ବ୍ୟବଚ୍ଛେଦ ଏବଂ ଅସୁଖକୁ ଅନୁଧ୍ୟାନ କରି ସେଥିରୁ ଏକ "ଏକକ ରୋଗଚିହ୍ନଟ ତତ୍ତ୍ୱ" ବା "ୟୁନିଟାରି ଥିଓରୀ ଅଫ୍ ଡାଇଗୋନିସ୍" ବିକଶିତ କରିବା ପଦ୍ଧତିର ଶିକ୍ଷା ଗ୍ରହଣ କରିଥିଲେ ।

ସେମେଲୱିସ୍ ଙ୍କର ଅନ୍ୟତମ ଶିକ୍ଷକ ଥିଲେ ସେ ସମୟ ଅନ୍ୟତମ ପ୍ରଖ୍ୟାତ କିମ୍ବଦନ୍ତୀ ଡାଃ ଜୋସେଫ ସ୍କୋଡା । ଡାଃ ସ୍କୋଡା ସେ ସମୟରେ ଭିଏନାର ଶ୍ରେଷ୍ଠ ଚିକିତ୍ସକ ବା କ୍ଲିନିସିଆନ୍ । ରୋଗକୁ ଯଥାଯଥ ଚିହ୍ନଟ କରି ତାହାର ପ୍ରତିଷେଧକ ବିଧାନ କରୁଥିବା ଚିକିତ୍ସକକୁ କ୍ଲିନିସିଆନ୍ ବୋଲି କୁହାଯାଏ । ଡାଃ ସ୍କୋଡା "ପରକ୍ୟୁସନ୍" (ଶରୀରର ବିଭିନ୍ନ ଅଂଶରେ ମୃଦୁ ଆଘାତ କରି ଡାକ୍ତରମାନେ ସେ ଅଂଶଟି ଫୁଲିଛି କି ନାହିଁ ଜାଣିବା ଭଳି କାମକୁ ପରକ୍ୟୁସନ କୁହାଯାଏ।) ଏବଂ ଅସକୁଲେସନ୍" (ହୃତପିଣ୍ଡ ଏବଂ ଶ୍ୱାସକ୍ରିୟାକୁ ଶୁଣିବା ଭଳି କାମକୁ ଅସକୁଲେସନ୍ କୁହାଯାଏ।) ଦ୍ୱାରା ରୋଗର ନିଦାନ ନିରୂପଣ କରିପାରୁଥିଲେ । ସେ ରୋଗକୁ ସଂକୁଚିତ କରିବାପାଇଁ ପ୍ରତିଷେଧକ ଉପରେ ବିଶ୍ୱାସ କରୁଥିଲେ । ତାଙ୍କର ମତ ଅନୁସାରେ, ସବୁବେଳେ କୌଣସି ରୋଗକୁ ପ୍ରୋଫିଲାଇଟିକ୍ ବା ମାରାତ୍ମକ ହେବାରୁ ଦୂରେଇ ରଖିବା ଉଚିତ୍ । ଡାଃ ସ୍କୋଡା ସେଇଥିପାଇଁ କଲେରା, ଟାଇଫଏଡ୍ ଭଳି ମହାମାରୀ ଉପରେ ଗୁରୁତ୍ୱ ଦେଉଥିଲେ ।

ସେ ସମୟର ଜର୍ମାନୀରେ ଅନ୍ୟତମ କିମ୍ବଦନ୍ତୀ ତଥା ତୃତୀୟ ପ୍ରଭାବଶାଳୀ ଚିକିତ୍ସକ ଥିଲେ ଫର୍ଡିନାଣ୍ଡ ଭନ୍ ହେବ୍ରା । ଡାଃ ହେବ୍ରା ଜଣେ ଚର୍ମରୋଗ ବିଶେଷଜ୍ଞ । ସେ ରକିଟାନସ୍କି ଏବଂ ସ୍କୋଡାଙ୍କ ଅନୁସୃତ ପଦ୍ଧତିକୁ ଚର୍ମରୋଗ କ୍ଷେତ୍ରରେ ବ୍ୟବହାର କରିଥିଲେ । ସେ ସେମେଲୱିସ୍ ଙ୍କର ଶ୍ରେଷ୍ଠ ବନ୍ଧୁ ଥିଲେ । ଶେଷଯାଏଁ ସେ ସେମେଲୱିସ୍ ଙ୍କ ମତର ସମର୍ଥନ କରିଆସିଛନ୍ତି ।

୧୮୪୪ ମସିହାରେ ଡାଃ ସେମେଲୱିସ୍ ପ୍ରଫେସର ରକିଟାନସ୍କି ଙ୍କର ଅନ୍ୟତମ ସହଯୋଗୀ ଜାକବ କୋଲେତସ୍କାଙ୍କର ଜଣେ ଆସିଷ୍ଟାଣ୍ଟ ହିସାବରେ ପାଥୋଲୋଜି ବିଭାଗକୁ ଆବେଦନ କରିଥିଲେ । ସେମେଲୱିସ୍ ଙ୍କ ଜୀବନରେ ଜାକବ କୋଲେତସ୍କା ଏକ ଗୁରୁତ୍ୱପୂର୍ଣ୍ଣ ଅବସ୍ଥାନ । କୋଲେତସ୍କା ଙ୍କ ଆସିଷ୍ଟାଣ୍ଟ ହିସାବରେ ତାଙ୍କୁ ନିଯୁକ୍ତି ମିଳିନାହିଁ ଏବଂ ସେହି ସେ ତାହାପରେ ଚାହିଁଥିବା ଜୋସେଫ୍ ସ୍କୋଡାଙ୍କ ଆସିଷ୍ଟାଣ୍ଟ ପଦବୀ ପାଇବା ପାଇଁ ବି ବିଫଳ ହୋଇଥିଲେ ।

ସେ ଯାହାହେଉ ୧୮୪୭ ମସିହାରେ ଡାଃ ଇଗନାକ୍ ସେମେଲୱିସ୍ ଭିଏନା ମେଡିକାଲ୍ କଲେଜ୍ ରେ ପ୍ରଫେସର୍ ଜୋହାନ କ୍ଲେନ୍ ଙ୍କର ଆସିଷ୍ଟାଣ୍ଟ ହିସାବରେ ପ୍ରସୂତି ବିଭାଗରେ ଯୋଗ ଦେବା ଏହି ହାତଧୂଆ ବେଳର ବିଚିତ୍ର କାହାଣୀରେ କହିବାକୁ ଗଲେ ହେଉଛି ଶୀର୍ଷ ବିନ୍ଦୁ ।

ପ୍ରସୂତି ବିଭାଗରେ ଯୋଗଦେବା ପରେ ଡାଃ ସେମେଲୱିସ୍ ଙ୍କ ଦୃଷ୍ଟି ପଡିଥିଲା ଗୋଟିଏ ଅସୁଖ ଉପରେ । ସେହି ଅସୁଖର ଭୟାବହତା ତଥା ସେଥିରେ ମରଣ ହାର ଯଥେଷ୍ଟ ଅଧିକ ଥିଲା । ସେହି ଅସୁଖକୁ ପ୍ରସୂତି - ପର ଜ୍ୱର ବା ଚାଇଲଡବେଡ୍ ଫିଭର ବା ପ୍ୟୁରପେରାଲ୍ ଫିଭର୍ ବୋଲି କୁହାଯାଉଥିଲା । ଏଥିରେ ସନ୍ତାନ ଜନ୍ମର ଠିକ୍ ପରେ ପରେ ପ୍ରସୂତି ଜଣକ ଜ୍ୱରରେ ପଡୁଥିଲା । ତାହାର ଶରୀର ସେପ୍ଟିକ୍ ହୋଇଯାଉଥିଲା ଏବଂ ଅଳ୍ପ ଦିନରେ ତାହାର ମୃତ୍ୟୁ ହେଉଥିଲା । ଏହି ଚାଇଲଡବେଡ୍ ଫିଭର୍ ର କାରଣ ହିସାବରେ ସେ ସମୟରେ ଯେଉଁ ଧାରଣା ପ୍ରଚଳିତ ଥିଲା ତାହା ଏହିପରି । ଏହା ବସନ୍ତ ବା ସ୍ମଲ - ପକ୍ସ ଭଳି ଏକ ମହାମାରୀ ହିସାବରେ ଆସେ ଆଉ ବ୍ୟାପେ । ଏହାର କାରଣ ହେଉଛି ଏକ ପ୍ରକାର ଦୂଷିତ ବାୟୁ ଯାହାକୁ କୁହାଯାଉଥିଲା, "ମିଆଜମା" । ସେମେଲୱିସ୍ ଏହି ଅସୁଖରେ ମୃତ୍ୟୁବରଣ କରୁଥିବା ନାରୀ ଶବଦେହଗୁଡିକୁ ବ୍ୟବଚ୍ଛେଦ କରୁଥିଲେ । ଆଉ ସେହି ବ୍ୟବଚ୍ଛେଦରୁ ତାଙ୍କର ଗଭୀର ଅନୁଶୀଳନର ଆରମ୍ଭ ହୋଇଥିଲା ।

ନିଜର ନିରବଚ୍ଛିନ୍ନ ଅନୁଶୀଳନରୁ ଡାଃ ସେମେଲୱିସ୍ କ୍ରମଶଃ ଏକ ସିଦ୍ଧାନ୍ତ ଆଡକୁ ଅଗ୍ରସର ହେଉଥିଲେ । ସେତେବେଳେ ଭିଏନା ମେଡିକାଲ୍ ସ୍କୁଲ୍ ରେ ପ୍ରସବ ପାଇଁ ଦୁଇଟି ବ୍ୟବସ୍ଥା ଥିଲା । ଗୋଟିଏ ହେଉଛି ଡିଭିଜନ୍ - ଏକ ଯେଉଁଠି ଡାକ୍ତରମାନେ ପ୍ରସବକାମରେ ସହାୟତା କରୁଥିଲେ ଆଉ ଆରଟି ଥିଲା ଡିଭିଜନ୍ - ଦୁଇ ଯେଉଁଠି ଧାଈ ବା ମିଡ - ୱାଇଫ୍ ମାନେ ପ୍ରସବ କାମକୁ ପରିଚାଳନା କରୁଥିଲେ । ସେମେଲୱିସ୍ ନିଜର ଅନୁଧ୍ୟାନରୁ ଦେଖିଲେ ଯେ ଡିଭିଜନ୍ - ଏକ ଯେଉଁଠି ଡାକ୍ତରମାନେ ପ୍ରସବ - ପରିଚାଳନା କରୁଛନ୍ତି ତୁଳନା କଲେ ଦେଖାଯିବ ଯେ ଡିଭିଜନ୍ - ଦୁଇର ତୁଳନାରେ ସେଇଠି ପ୍ୟୁରପେରାଲ୍ ଫିଭର୍ ରେ ମୃତ୍ୟୁ ହାର ଯଥେଷ୍ଟ ଅଧିକ । ତାହା ଛଡା ଯେଉଁ ପ୍ରସୂତିମାନଙ୍କର ଜରାୟୁ - ଦ୍ୱାର ବା ସର୍ଭିକ୍ସ ଏବଂ ଜରାୟୁରେ ଅଧିକ କ୍ଷତ ସେମାନେ ଏହି ଅସୁଖରେ ପୀଡିତ ହେଉଛନ୍ତି । ତେଣୁ ସେମେଲୱିସ୍ ଙ୍କ ମନକୁ ଏଇ ଧାରଣା ଆସିଥିଲା ଯେ, ଡିଭିଜନ୍ - ଏକରେ ଏହି ଅସୁଖର ଅସଲ ରହସ୍ୟ ଲୁଚିଛି ଯାହା ସମ୍ଭବତଃ ଡାକ୍ତରକୁ କେନ୍ଦ୍ରକରି ସଂରଚିତ ହେଉଛି । ତାହାଛଡା ସେ ଦେଖିଥିଲେ ଯେ ଚାଇଲଡବେଡ୍ ଫିଭର୍ ରେ ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ସମସ୍ତଙ୍କ ଶରୀର ସମାନ ଭାବରେ ସେପ୍ଟିକ, ଆଉ ସେଥିରେ ସମାନ ଭାବରେ ପୁଜ ବା ପସ୍ ଦେଖାଯାଉଛି ।

ସେଇ ସମୟରେ ଗୋଟିଏ ଅଭାବିତ ଘଟଣା ଘଟିଥିଲା । ଶବବ୍ୟବଚ୍ଛେଦ କଲାବେଳେ ରାକିଟାନସ୍କି ସହଯୋଗୀ ତଥା ଅନ୍ୟତମ ବିଶିଷ୍ଟ ପାଥୋଲୋଜିଷ୍ଟ ଜାକବ କୋଲେତସ୍କାଙ୍କର ଆଙ୍ଗୁଠିରେ ଛୁରୀ ବାଜି ଗୋଟିଏ କ୍ଷତ ହୋଇଥିଲା ଆଉ ତାହାପରେ ତାଙ୍କୁ ଜ୍ୱର ହେଲା ଆଉ ତାହାର ଅଳ୍ପ କିଛିଦିନ ପରେ ତାଙ୍କର ମୃତ୍ୟୁ ଘଟିଲା । କୋଲେତସ୍କାଙ୍କ ଶବବ୍ୟବଚ୍ଛେଦ ସମୟରେ ସେମେଲୱିସ୍ ସେଇ ପ୍ରକୋଷ୍ଠରେ ଉପସ୍ଥିତ ଥିଲେ । ସେ ଦେଖିଲେ ଯେ କୋଲେତସ୍କାଙ୍କ ଶରୀର ସେପ୍ଟିକ ଆଉ ତାଙ୍କର ଛାତିରେ ପୁଜ ରହିଛି । ହଠାତ୍ ସେମେଲୱିସ୍ ଙ୍କୁ ଯେମିତି ସମସ୍ତ ମିସିଙ୍ଗ୍- ଲିଙ୍କ୍ ମିଳିଗଲା । ସେ ମନେ କଲେ ଶବଦେହରେ ନିଶ୍ଚିତ ଏମିତି କିଛି ଅଣୁ ରହିଛି ଯାହା କୌଣସି କ୍ଷତକୁ ସଂକ୍ରମିତ ତଥା ବିଷାକ୍ତ କରିଦେଇପାରେ ଯାହା ଡାଃ ଜାକବ କୋଲେତସ୍କାଙ୍କ କ୍ଷେତ୍ରରେ ଘଟିଅଛି । ଡାକ୍ତରମାନେ ନିୟମିତ ଶବ ବ୍ୟବଚ୍ଛେଦ କରୁଥିବା କାରଣରୁ ଶବ ଦେହରୁ ଏଇ ଅଣୁ ଡାକ୍ତରମାନଙ୍କ ମାଧ୍ୟମରେ ଆସି ସେମାନେ ଯେତେବେଳେ ପ୍ରସବ କରାଉଛନ୍ତି ସେତେବେଳେ ତାହା ଡାକ୍ତରମାନଙ୍କ ହାତରୁ ପ୍ରସୂତିର କ୍ଷତର ସଂଶ୍ରବରେ ଆସୁଅଛି ।

କାହାଣୀରେ ଏଇଠି ହାତ ଧୋଇବାର ଗଂଭୀର ବେଳଟି ଉପସ୍ଥିତ ।

ସେତେବେଳେ ସାବୁନପାଣିରେ ହାତ ଧୋଇବା ଭଳି ବ୍ୟବସ୍ଥା ଥିଲା । ଏହା ଯେମିତି ମଇଳା ଛଡାଇବା ଭଳି କଥା । ହାତ ଧୋଇବା ଉପରେ ସେମିତି କେହି ଗୁରୁତ୍ୱ ଦେଉନଥିଲେ । ପ୍ରଫେସର୍ ଜୋହାନ କ୍ଲେନ୍ ଙ୍କ ଆସିଷ୍ଟାଣ୍ଟ ହୋଇଥିବା ଅଧିକାରରେ ସେମେଲୱିସ୍ ଯେଉଁ ଡାକ୍ତରମାନେ ପ୍ରସବ ପରିଚାଳନାକୁ ଯିବାକୁ ହେଉଥିଲା ସେମାନେ ଆଗ ନିଜର ହାତକୁ କ୍ଲୋରିନ୍ - ଯୁକ୍ତ ଜଳରେ ଦୀର୍ଘ ସମୟ ବୁଡାଇ ରଖି ହାତପାପୁଲି ମସୃଣ ହେବା ପରେ ହିଁ ଭିତରକୁ ଯାଇ ପ୍ରସବରେ ସହାୟତା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେମେଲୱିସ୍ ଦେଖିପାରିଥିଲେ, ଏହା ଫଳରେ ଡିଭିଜନ୍ - ଏକ ରେ ଚାଇଲଡବେଡ୍ କାରଣରୁ ମୃତ୍ୟୁ ହାର ଯଥେଷ୍ଟ ହ୍ରାସ ହୋଇଛି । ହାତକୁ ଭଲଭାବରେ ଧୋଇବାଦ୍ୱାରା ଚାଇଲଡବେଡ୍ ଫିଭର୍ ର ମୃତ୍ୟୁହାର ହ୍ରାସ ଘଟଣା ଭଳି ନିଜର ସିଦ୍ଧାନ୍ତରେ ସେମେଲୱିସ୍ ବିହ୍ୱଳ ହୋଇ ଉଠିଥିଲେ । ଏବଂ ହାତ ଧୋଇବା କାମ ଉପରେ ଅଧିକରୁ ଅଧିକ ଗୁରୁତ୍ୱର ନିର୍ଦ୍ଦେଶ ଦେଲାବେଳେ ସେ କ୍ରମଶଃ ଏକ ନିଷ୍ଠୁର ଅଧିକାରୀ ପାଲଟିଯାଉଥିଲେ ।

ତେଣୁ ପ୍ରସବ ବେଳରେ ହେଉଥିବା କ୍ଷତର ସଂକ୍ରମଣର କାରଣରୁ ଚାଇଲଡବେଡ୍ ଫିଭର୍ ହେଉଛି ଆଉ ଏହିଭଳି ଏକ ସଂକ୍ରମଣର ବାହକ ହେଉଛି ସ୍ୱୟଂ ପ୍ରସବ ସହାୟକ ଡାକ୍ତର, ଏହିଭଳି ଏକ ସିଦ୍ଧାନ୍ତରେ ପହଞ୍ଚିଗଲେ ସେମେଲୱିସ୍ । ସେସମୟରେ ଦୂଷିତବାୟୁ ବା ମିଆଜମାର ପ୍ରଭାବରେ ହେଉଥିବା ଗୋଟିଏ ମହାମାରୀ ଭଳି ଏହି ଚାଇଲଡବେଡ୍ ଫିଭର୍ ବିଚାର କରାଯାଉଥିବାବେଳେ ସେମେଲୱିସ୍ ଙ୍କର ଏହିଭଳି ଗୋଟିଏ "କାଡାଭର୍ ପାର୍ଟିକ୍ଲ" ବା ଶବ - ଅଣୁ ଯାହା କ୍ଷତକୁ ସଂକ୍ରମଣ ଆଉ ବିଷାକ୍ତ କରିବାକୁ ସମର୍ଥ, ସେ ଭଳି କଥାକୁ ସେସମୟର ତାଙ୍କର ସମସାମୟିକ ଚିକିତ୍ସକ ମଣ୍ଡଳୀ ଗ୍ରହଣ କରିପାରୁନଥିଲେ । ତାହାଛଡା ଏଥିପାଇଁ ଡାକ୍ତର ଯେ ବାହକ ସେକଥାକୁ ଅନେକେ ନାପସନ୍ଦ କରୁଥିଲେ । ଅବଶ୍ୟ ତାଙ୍କର ଅନୁଧ୍ୟାନ ଏବଂ ଅନୁଶୀଳନ ପଦ୍ଧତିକୁ ଏବଂ ସେଥିରୁ ଉପଜ ଏହିଭଳି ସିଦ୍ଧାନ୍ତଙ୍କୁ ଅନେକ ଗ୍ରହଣ କରୁଥିଲେ । ସେମେଲୱିସ୍ ଙ୍କର ଏହି ହାତଧୁଆ ତତ୍ତ୍ୱର ସମର୍ଥନରେ ଥିଲେ ପ୍ରଖ୍ୟାତ କିମ୍ବଦନ୍ତୀ ରକିନଟାସ୍କି, ସ୍କୋଡା ଏବଂ ହେବ୍ରା ଭଳି ସେ ସମୟର ପ୍ରଖ୍ୟାତ ଜର୍ମାନୀ ଚିକିତ୍ସକ ବୃନ୍ଦ । ତାଙ୍କର ସିଦ୍ଧାନ୍ତ ବିପକ୍ଷରେ ଥିଲା କେବଳ ଗବେଷଣାଗାରର ପରୀକ୍ଷାମୂଳକ ପ୍ରାମାଣିକତାର ସମର୍ଥନ । ସେଇଥିପାଇଁ ତାଙ୍କୁ ଧୈର୍ଯ୍ୟର ସହ ଅପେକ୍ଷା କରିବାର ଥିଲା । ମାତ୍ର ନିଜର "କାଡାଭର୍ - ପାର୍ଟିକଲ୍" ସଂକ୍ରମଣର କାରଣ ଏବଂ ବିଶେଷତଃ ନିଜର ହାତଧୁଆ ତତ୍ତ୍ୱକୁ ନେଇ ସେ ଅଧିକ ଆଚ୍ଛନ୍ନ ହୋଇ ପଡିଥିଲେ । ତାଙ୍କ ପାଖରେ ଧୈର୍ଯ୍ୟ ନଥିଲା ଆଉ ଧୈର୍ଯ୍ୟ ନଥିବା କାରଣରୁ ସେ ଅସହିଷ୍ଣୁ ହୋଇ ଉଠୁଥିଲେ ।

ଏହାପରେ ଆମକୁ ଆଉ ଡାଃ ସେମେଲୱିସ୍ ଦିଶିବେ ନାହିଁ । ତାହା ବଦଳରେ ଆଗରୁ ଯାହା କୁହାଯାଇଛି ସେଇଭଳି ଦିଶିବ ସଫୋକ୍ଲିସ୍ ଙ୍କ କୌଣସି ଟ୍ରାଜେଡିର ନାୟକ ଭଳି ଗୋଟିଏ ଚରିତ୍ର ଯିଏ ନିଜର ସତ୍ୟବୋଧ ପ୍ରତି ଆଚ୍ଛନ୍ନ । ଆଉ ଏଇ ଆଚ୍ଛନ୍ନତା ହିଁ ତାହାର ପତନର କାରଣ ।

୧୮୫୦ ମସିହାରେ ସେମେଲୱିସ୍ ଭିଏନା ମେଡିକାଲ୍ ସ୍କୁଲ୍ କୁ ଛାଡି ବୁଦାପେଷ୍ଟ କୁ ଯାଇଥିଲେ । ହଂଗେରୀର ରାଜଧାନୀ ବୁଦାପେଷ୍ଟ । ନିଜର ଜନ୍ମଭୂମିରେ ତାଙ୍କୁ ଅସଲ ସମ୍ମାନ ମିଳିବ ସେଇଟି ଥିଲା ତାଙ୍କର ଧାରଣା । ସେଠାରେ ସେ ପ୍ରସୂତି ବିଭାଗର ପ୍ରଫେସର୍ ଭାବରେ ଯୋଗଦେଲେ । କ୍ଲୋରିନଯୁକ୍ତ ଜଳରେ ହାତ ଧୋଇବା ଫଳରେ ଚାଇଲଡବେଡ୍ ଫିଭରର ମୃତ୍ୟୁହାରରେ ଅଦ୍ଭୁତପୂର୍ବ ନିୟନ୍ତ୍ରଣ ଆଣି ପାରିଥିବା ସତ୍ତ୍ୱେ ତାଙ୍କର ସିଦ୍ଧାନ୍ତକୁ ସେମିତି ସମର୍ଥନ ମିଳିଲା ନାହିଁ । ତେଣୁ ସେ ନିଜର ହାତ ଧୋଇବା ତତ୍ତ୍ୱ ଆଉ ଶବ - ଅଣୁ ସିଦ୍ଧାନ୍ତକୁ ନେଇ ଗୋଟିଏ ପୁସ୍ତକ ରଚନାକୁ ଠିକ୍ କରିଥିଲେ । ଫଳରେ ୧୮୬୧ ଖ୍ରୀଅରେ ସେ "ଦି ଇଟିଓଲୋଜି, ଦି କନସେପ୍ଟ,ଆଣ୍ଡ ଦି ପ୍ରୋଫିଲାକ୍ସିସ୍ ଅଫ୍ ଚାଇଲ୍ଡବେଡ ଫିଭର" ଶୀର୍ଷକରେ ଗୋଟିଏ ବହି ଲେଖିଥିଲେ । ବହି ଲେଖିଲାବେଳକୁ ତାଙ୍କର ମାନସିକ ଅବସ୍ଥା ଭଲ ନଥିଲା । ଯେଉଁମାନେ ତାଙ୍କ ସିଦ୍ଧାନ୍ତଙ୍କୁ ସମର୍ଥନ କରୁନଥିଲେ ସେମାନଙ୍କୁ ସେ ଚାଇଲଡବେଡ୍ ଫିଭରରେ ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ସେମାନଙ୍କର ହତ୍ୟାକାରୀ ବୋଲି କହୁଥିଲେ । ତାହା ଫଳରେ ସେ ତାଙ୍କର ସମର୍ଥନରେ ଯେଉଁ ଚିକିତ୍ସକ - ପଣ୍ଡିତମାନେ ଥିଲେ ସେମାନଙ୍କର ପ୍ରକାଶ୍ୟ ସମର୍ଥନ ପାଉନଥିଲେ । ସେ ଅଧିକରୁ ଅଧିକ କ୍ଷୁବ୍ଧ ହେଉଥିଲେ । ସମାଜର ଏଇମିତି ନାରୀମାନଙ୍କୁ ମରଣମୁହଁରୁ ରକ୍ଷା କରିବାପାଇଁ ଆବିର୍ଭୂତ ହୋଇଛନ୍ତି ବୋଲି ସେ ସବୁବେଳେ ଏକ ତ୍ରାଣକର୍ତ୍ତା ସୁଲଭ ଆଚରଣ ପ୍ରଦର୍ଶନ କରୁଥିଲେ । କ୍ରମଶଃ ସର୍ବସାଧାରଣରେ ନିହାତି ଉତ୍ସୃଙ୍ଖଳ ଆଚରଣ, ଯୌନ ବିକାର ଆଦି ଘଟଣାଯୋଗୁ ତାଙ୍କୁ ଆଉ ସମ୍ଭାଳି ରଖିବା ସମ୍ଭବ ପର ହେଲା ନାହିଁ। ଶେଷରେ ତାଙ୍କୁ ବୁଦାପେଷ୍ଟରୁ ଭିଏନାର ଗ୍ରାଫେନବର୍ଗର ଏକ ପାଗଳଗାରଦକୁ ନିଆଯାଇଥିଲା । ସେଦିନ ଥିଲା ୧୮୬୫ ମସିହା, ଶନିବାର, ଜୁଲାଇ ମାସର ୨୯ ତାରିଖ । ତାଙ୍କ ସହିତ ସେଦିନ ଟ୍ରେନ୍ ରେ ବୁଦାପେଷ୍ଟରୁ ଯାଇଥିଲେ ତାଙ୍କର ପତ୍ନୀ ମାରିଆ ଆଉ ଆଣ୍ଟୋନିଆ ସେମେଲୱିସ୍, ତାଙ୍କର ପ୍ରଥମ ସନ୍ତାନ । ତାହାର ବୟସ ସେତେବେଳକୁ ମାତ୍ର ପାଞ୍ଚଦିନ ।

ଏଇ ଘଟଣାର ଦୁଇସପ୍ତାହ ପରେ ଅର୍ଥାତ୍ ୧୪ ଅଗଷ୍ଟ ଦିନ ପାଗଳଗାରଦରୁ ତାଙ୍କର ମୃତ୍ୟୁସମ୍ବାଦ ଆସିଥିଲା । ଭିଏନା ମେଡିକାଲ୍ ସ୍କୁଲ୍ ର ସେହି ପରିଚିତ ଶବବ୍ୟବଚ୍ଛେଦ ଗୃହରେ ସେମେଲୱିସ୍ ଙ୍କ ଶବବ୍ୟବଚ୍ଛେଦ ହୋଇଥିଲା । ଅଦ୍ଭୁତ ସଂଯୋଗ ତାଙ୍କର ଶବଚ୍ଛେଦ ସେହି ସମାନ ଟେବୁଲ୍ ରେ ହୋଇଥିଲା ଯେଉଁଠି ଏଇ ଘଟଣାର ଠିକ୍ ଉଣେଇଶ ବର୍ଷ ଆଗରୁ ଅର୍ଥାତ୍ ୧୮୪୭ରେ ବିଶିଷ୍ଟ ଡାକ୍ତର ଜାକବ କୋଲାତସ୍କି ଙ୍କର ଶବ ବ୍ୟବଚ୍ଛେଦ ହୋଇଥିଲା । ଆଉ ଏକଥା ବି ଏକ ଅଦ୍ଭୁତ ସଂଯୋଗ ଯେ ସେମେଲୱିସ ଙ୍କ ଦେହ ବି କୋଲାତସ୍କିଙ୍କ ଭଳି ସେପ୍ଟିକ ହୋଇଯାଇଥିଲା ଆଉ ତାଙ୍କର ଛାତିରେ ଭର୍ତ୍ତି ରହିଥିଲା ଅନେକ ପୁଜ ବା ପସ୍ ।

ବେଶ୍ ଅଂଧାର ଥାଏ ଆଉ ସେତିକିବେଳେ ଆମ ପୃଥିବୀରେ ଯେଉଁମାନେ ଉଠି ପଡନ୍ତି ଆଉ ଆଲୁଅ ଆଲୁଅ ବୋଲି କହିଥାନ୍ତି ସେମାନଙ୍କର ଛାତିରେ ସଂକ୍ରମଣ ଏମିତିରେ କେଉଁ ବଡ କଥା ଯେ !

ସେମେଲୱିସ୍ ଙ୍କ ମୃତ୍ୟୁପରେ ସେଇ ସମାନ ବର୍ଷରେ ଜଣେ ଇଂଲଣ୍ଡର ସର୍ଜନ ଜୋସେଫ ଲିଷ୍ଟର ପ୍ରାମାଣିକ ଭାବରେ ଜୀବାଣୁ - ତତ୍ତ୍ୱକୁ ପ୍ରତିଷ୍ଠିତ କରିଥିଲେ । ବ୍ୟାକଟେରିଆ ଯୋଗୁ ସଂକ୍ରମଣ ଘଟିଥାଏ ଏହାକୁ ସେ ପ୍ରାମାଣିକ ଭାବରେ ପ୍ରତିପାଦନ କରିଥିଲେ । ଲିଷ୍ଟର ତାଙ୍କ ଆଗରୁ ଲୁଇ ପାସ୍ତରଙ୍କ ନିର୍ଦ୍ଦେଶିତ ପଥକୁ ଅନୁସରଣ କରି ପରବର୍ତ୍ତି ଗବେଷଣା କରିଥିଲେ। ସେ ଅବଶ୍ୟ ସେମେଲୱିସ୍ ଙ୍କ ବିଷୟରେ କିଛି ଜାଣି ନଥିଲେ ।