ଫଟୋ - ୱିକି ମିଡିଆ

କୋଡିଏ ଓଭରିଆ ବିଶ୍ୱକପ୍ ଚାଲିଛି । ଏକଦା ଚମ୍ପିୟାନ ଭାରତ ତା’ର ପ୍ରଥମ ଦୁଇଟି ଯାକ ମ୍ୟାଚ୍ ହାରି ସାରିଛି । ପ୍ରଥମଟି ହାରିଛି ପାକିସ୍ଥାନ ପାଖରୁ ଓ ଦ୍ୱିତୀୟଟି ହାରିଛି ନ୍ୟୁଜିଲ୍ୟାଣ୍ଡ ପାଖରୁ । ପ୍ରଥମରୁ ବିଶ୍ୱକପ୍ ର ଦାବିଦାର କୁହାଯାଉଥିବା ଭାରତ ଏବେ ବ୍ୟାକ୍ଫୁଟ୍‌ରେ । ସେଥିପାଇଁ ଭାରତୀୟ କ୍ରିକେଟ୍‌ପ୍ରେମୀମାନେ କାହିଁରେ କେତେ ହଙ୍ଗାମା କରିଛନ୍ତି । ଖେଳାଳିଙ୍କ ଧର୍ମଠୁ ଆରମ୍ଭ କରି ସେମାନଙ୍କ ସ୍ତ୍ରୀ ପିଲାଙ୍କୁ ଖରାପ କରି ଗାଳିଦେବା ଯାଏଁ କଥା ଯାଇଛି । ମୁଁ ଅବଶ୍ୟ ବୁଝିପାରୁନି; କିନ୍ତୁ ସରକାର କହୁଛନ୍ତି ଯେ ଏମିତି ଖେଳରେ ଦୁଇ ଦେଶ ଭିତରେ କୁଆଡେ ସଦ୍ ଭାବନା ବଢୁଛି । ଭାରତରେ କ୍ରିକେଟ ବାଇଆଙ୍କ ସଂଖ୍ୟା କିଛି କମ୍ ନୁହେଁ । କେବଳ ଭାରତ ନୁହେଁ ଭାରତର ପଡୋଶୀ ଦେଶ ଯଥା; ପାକିସ୍ଥାନ, ବାଂଲାଦେଶ ଓ ଶ୍ରୀଲଙ୍କାରେ ମଧ୍ୟ ସମଦଶା । ଭାରତ ଓ ପାକିସ୍ଥାନ ଭିତରେ ଯଦି ଖେଳ ହେଇଛି ତେବେ କଥା ସରିଲା । ଆମକୁ ଲାଗେ ଆମକୁ ଆମ ଜାତୀୟତାବୋଧର ପ୍ରମାଣ ଦେବାର ପ୍ରକୃଷ୍ଠ ସମୟ ଆସିଯାଇଛି । ଆମେ ଭୁଲିଯାଉ ଆମେ ଆମ ବୈଠକ ଘରେ ଚା’ କପ୍ ହାତରେ ଧରି ଟି.ଭିରୁ ଖେଳ ଦେଖୁଛୁ, ଲାଗେ ଆମେ ବନ୍ଧୁକ ଧରି ଏକଦମ୍ ଭାରତ ପାକିସ୍ଥାନର ବର୍ଡରରେ । ମଝିରେ ଖାଲି ‘ନୋ ମ୍ୟାନ୍ସ ଲ୍ୟାଣ୍ଡ’ । ଜିତିଲେ ସୁନା ପୁଅ । ହାରିଲ ମାନେ କଥା ସରିଲା । ଭାରତରେ କ୍ରିକେଟ ଏତେ ମାତ୍ରାରେ ଲୋକପ୍ରିୟ ଯେ ଲୋକମାନେ କାମଧନ୍ଦା ଛାଡି ସାରାଦିନ ଖେଳ ଦେଖନ୍ତି ଓ ସେଦିନ ସାନ୍ଧ୍ୟ ଚା’ ଖଟିରେ ପ୍ରତି ବଲ୍ ଓ ରନ୍ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରନ୍ତି । ବାଣୀବିହାରରେ ପଢିଲାବେଳେ ଥରେ ବିଶ୍ୱକପରେ ଭାରତ ପାକିସ୍ଥାନକୁ ହରେଇ ଦେଲା । ଆମେ ସବୁ ଉତ୍ତେଜନା ଓ ଆନନ୍ଦରେ ଚିତ୍କାର କରି ଅଧରାତିରେ ଶୋଭାଯାତ୍ରା ବାହାରକଲୁ । କ୍ୟାମ୍ପସ୍ ସାରା ବୁଲି ଲେଡିଜ୍ ହଷ୍ଟେଲ ହେଇ ବାଣୀବିହାର ଛକକୁ ଗଲୁ । ପୋଲିସ ଆମର ରାତିଅଧିଆ ଶୋଭାଯାତ୍ରାକୁ ଅଟକାଇ ଦେଲା । ନ ହେଇଥିଲେ ପିଲାଏ ଯୋଉ ମୁଡ୍ ରେ ଥିଲେ ସେଦିନ ସାରା ଭୁବନେଶ୍ୱର ବୁଲିଥା’ନ୍ତେ । ଏବେ ଶୁଣିଲି ଏଇ ଗଲା ଖେଳରେ ଭାରତ ପାକିସ୍ଥାନ ପାଖରୁ ହାରିବାର ଖେଦରେ ପିଲାଏ ତାଙ୍କ ହଷ୍ଟେଲ୍ କମନରୁମ୍‌ର ଟି.ଭିକୁ ବାଡେଇ ଭାଙ୍ଗି ଦେଇଛନ୍ତି ।

ଭାରତୀୟ ଦଳ ପ୍ରଥମ କରି ୧୯୩୨ ମସିହାରେ ତା’ର ପ୍ରଥମ ଆର୍ନ୍ତଜାତିକ ଟେଷ୍ଟ ମ୍ୟାଚ୍ ଖେଳିଥିଲା ଓ ୧୯୮୩ରେ ଦିନିକିଆ ବିଶ୍ୱକପ୍ ଜିତିଥିଲା । ତେବେ ଅଷ୍ଟାଦଶ ଶତାବ୍ଦୀବେଳକୁ ଭାରତକୁ ୟୁରୋପୀୟ ବଣିକମାନେ କ୍ରିକେଟ ଆଣିଥିଲେ ଓ ଭାରତରେ ପ୍ରଥମ କ୍ରିକେଟ୍ କ୍ଲବ ଗଠିତ ହେଇଥିଲା ୧୭୯୨ରେ । ଭାରତ ତା’ର ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତିଥିଲା ୧୯୫୨ରେ ।

କକା ଆମର ପ୍ରବଳ କ୍ରିକେଟପ୍ରେମୀ ଥିଲେ । ଆମ ଗାଁରେ ତାଙ୍କ ପରି ମାତ୍ର ତିନି କି ଚାରିଜଣ ସେତେବେଳେ କ୍ରିକେଟ୍ ବିଷୟରେ କିଛି ବୁଝୁଥିଲେ ଓ ମ୍ୟାଚ୍ ହେଲେ ରେଡିଓ ଧରି ବସିପଡୁଥିଲେ । ସେବେ ଦିନିକିଆ ଠାରୁ ପାଞ୍ଚ ଦିନିଆ ଟେଷ୍ଟ ଖେଳ ଅଧିକ ହେଉଥିଲା । ମୋର ମନେଅଛି କିରମାନି, ବେଦୀ, ବିଶ୍ୱନାଥ, କପିଲ୍‌ ଦେବ, ଗାଭାସ୍କର, ଶ୍ରୀକାନ୍ତ ଆଦିଙ୍କ ନାଁ ପିଲାଦିନୁ ମୁଁ ଶୁଣିଥିଲି । ଏବେ ଭାବୁଛି ହଜାରେ ନିୟମ କାନୁନ ବାଲା କ୍ରିକେଟ୍ ଖେଳକୁ ସତରେ ସେମାନେ ରେଡିଓରୁ ଧାରା ବିବରଣୀ ଶୁଣି ଜାଣି ପାରୁଥିଲେ ? ଧାରା ବିବରଣୀ ହିନ୍ଦୀ ଅବା ଅଂଗ୍ରେଜୀରେ ହେଉଥିଲା । ମୁଁ ସେଥିରୁ ବିନ୍ଦୁ ବିସର୍ଗ କଛି ବୁଝି ପାରୁନଥିଲି । ହଁ କେବେକେବେ କଟକ ବାରବାଟୀ ଷ୍ଟାଡିୟମ୍ ରେ ଖେଳ ହେଲେ ଓଡ଼ିଆରେ ଧାରା ବିବରଣୀ ଦେଉଥିଲା । ଅନ୍ୟ କିଛି ବୁଝି ହେଉ ନଥିଲେ ମଧ୍ୟ, କିଏ କେତେ ରନ୍ କଲା, କିଏ ଆଉଟ୍ ହେଲା, କିଏ ଛକା କି ଚଉକା ମାରିଲା ଓ ଶେଷକୁ କିଏ ଜିତିଲା ବୁଝି ହେଉଥିଲା । ବୋଧେ ୨୦୦୩ ମସିହାରେ ମୁଁ ବାରବାଟୀରେ ଭାରତ ୱେଷ୍ଟ ଇଣ୍ଡିଜ୍ ଦିନିକିଆ ଖେଳ ଦେଖିବାକୁ ଯାଇଥିଲି । ପ୍ରବଳ ହୋ ହଲ୍ଲା ଭିତରେ ଭାରତ ଅବଶ୍ୟ ମ୍ୟାଚ୍ ଜିତିଥିଲା କିନ୍ତୁ ସେଠିକୁ ଯାଇଁ ମୁଁ ଜାଣିଲି ଷ୍ଟାଡିୟମ ଠାରୁ ଘରେ ବସି ଟି.ଭିରେ ବେଶୀ ଭଲରେ କ୍ରିକେଟ ଦେଖିହେବ ।

ଆମେସବୁ ସାନବେଳେ କ୍ରିକେଟ କହିଲେ ବ୍ୟାଟ୍‌ରେ ବଲ୍‌କୁ ପିଟିବା ହିଁ ବୁଝୁଥିଲୁ । ବ୍ୟାଟ୍ ଭାବରେ ନଡିଆ ବାହୁଙ୍ଗା ଓ ବଲ୍ ଭାବରେ ଗଛରୁ ଅବେଳରେ ଖସିପଡିଥିବା କଷି ବାତାପି ଅବା ପୁରୁଣା ଲୁଗା ଧଡିକୁ ଗୁଡେଇ ଗୁଡେଇ ବଲ୍ ତିଆରି କରୁଥିଲୁ । କିଏ କିଏ ବଢେଇ ପାଖରେ ପଟାରେ ବ୍ୟାଟ୍ ବି ତିଆରି କରନ୍ତି । ଆମେ ଆମ ଇଚ୍ଛା ଓ ସୁବିଧା ଅନୁସାରେ କ୍ରିକେଟର ନିୟମ କାନୁନ୍ ତିଆରି କରୁଥିଲୁ । ଥରେ ମୁଁ କକାଙ୍କ ସାଙ୍ଗରେ ମା ଓ ମମତା ସିନେମା ଦେଖିବାକୁ ଯାଇଥିଲି । ସିନେମା ଆରମ୍ଭ ହେବା ଆଗରୁ କ’ଣ ଗୋଟେ ବିଜ୍ଞାପନ ବୋଧେ ଚାଲିଲା । ସେଥିରେ ଭାରତୀୟ ଦଳର ଖେଳାଳିମାନେ କ୍ରିକେଟ ଖେଳୁଥିଲେ । ଯିଏ ବୋଲିଂ କରୁଥିଲେ ସେ ବଲ୍ ଫିଙ୍ଗିଲା ପରେ ମାଟିରେ ପଡି ଶୋଇପଡୁଥିଲେ । ମୁଁ ପରଦିନ ଖେଳ ପଡିଆରେ ନିୟମ ବଦଳେଇ ଦେଲି । କହିଲି ବୋଲିଂ କରିବ ମାନେ ପଡିଆରେ ବଲ୍ ଫିଙ୍ଗିଲା ପରେ ଶୋଇବାକୁ ହେବ ।

ମାମୁଁ ଘର ଗାଁରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପଢିଲାବେଳକୁ ବଡ ପିଲାମାନେ ଗାଁ ଗାଁରେ କ୍ରିକେଟ ଟିମ୍ ଗଢିଲେଣି । ଗାଁ ଗାଁ ଭିତରେ ମ୍ୟାଚ୍ ଓ ଟୁର୍ଣ୍ଣାମେଣ୍ଟ ହେଲାଣି । ଖେଳାଳିମାନେ କିଣା ବ୍ୟାଟ୍, ପ୍ୟାଡ୍, ଗ୍ଳୋଭସ୍ ଓ ଗାର୍ଡ ବ୍ୟବହାର କଲେଣି । ହେଲମେଟ୍ ଅବଶ୍ୟ ଆସି ନଥାଏ । କର୍କ ବଲ୍ ଆସି ସାରିଥାଏ । ଗାଁର ଗଳି କନ୍ଦି, ଗାଁ ଦାଣ୍ଡ, ସ୍କୁଲ୍ ପଡିଆରେ ବୟସ ଅନୁସାରେ ଯିଏ ଯାହାର ସାଙ୍ଗସାଥି ଧରି ଆପଣା ଆପଣା ସକ୍ଷମ ଅନୁସାରେ ସରଞ୍ଜାମ ଧରି କ୍ରିକେଟ ଖେଳନ୍ତି । ମ୍ୟାଚବେଳକୁ ସେଇମାନଙ୍କ ଭିତରୁ ଖେଳାଳି ବଛା ଯାଆନ୍ତି । ଚୂଡାନ୍ତ ତାଲିକାରେ କିନ୍ତୁ କେବଳ ଭଲ ଖେଳୁଥିବା ପିଲା ରହିବେ ସେକଥା ନୁହେଁ । ଅନ୍ୟାନ୍ୟ ବିଭିନ୍ନ କାରଣରୁ ଖେଳାଳି ବଛା ଯାଆନ୍ତି । ଥରେ ଆମର ଜଣେ ସାଙ୍ଗ ତା’ ଭଉଣୀ ବାହାଘରରେ କୁଣିଆ ହେଇ ତା’ ଭଉଣୀ ସାଙ୍ଗରେ ଗଲା ଓ ତା’ ନୂଆ ଭିଣେଇ ପାଖରୁ ଗୋଟେ ନୂଆ କିଣା ବ୍ୟାଟ୍ ଧରି ଫେରିଲା । ଖରାପ ଖେଳୁଥିଲେ ବି ଖାସ୍ ସେଇ ନୂଆ ବ୍ୟାଟ ପାଇଁ ସେ ପ୍ରଥମେ ଆମ ଟିମ୍‌ର କ୍ୟାପଟେନ୍ ହେଇଗଲା ଓ ସବୁଦିନ ପ୍ରଥମେ ବ୍ୟାଟିଂ କଲା । ଏମିତିକି କେବେକେବେ ତା’ ଇଚ୍ଛା ନହେଲେ ସେ ଆଉଟ୍ ବି ହେଲାନି । ତା’ ତିଆରି ନିୟମକୁ ଆମ ସମସ୍ତିଙ୍କି ମାନିବାକୁ ପଡିଲା । ମୋର ଯାହା ମନେ ପଡୁଛି ସେ କହୁଥିଲା ତା’ ବ୍ୟାଟ୍ ଶହେ ଟଙ୍କାରେ କିଣା ହେଇଛି । ଇଏ ସେଇ ସମୟ ଯେତେବେଳେ ମୋତେ ସ୍କୁଲ୍‌ରେ କିଛି କିଣି ଖାଇବାକୁ ପ୍ରତିଦିନ କୋଡିଏ ପଇସା ମିଳୁଥିଲା ।

ମୋର ବହୁତ ଇଚ୍ଛା ଭଲ ଖେଳିବାକୁ ହେଲେ ମୁଁ ମୋ ଦୁର୍ବଳିଆ ଶରୀରରେ ନା’ ଭଲ ବ୍ୟାଟିଂ କରିପାରେ ନା’ ବୋଲିଂ । ଫିଲ୍‌ଡିଂ କଥା ଛାଡ । ବଲ୍ ପଛରେ ଧାଇଁଲାବେଳକୁ ମୁଁ ଚାରିଖୋଜରେ ହାଲିଆ ହେଇଯାଏ । ତେଣୁ ମ୍ୟାଚ୍ ଫ୍ୟାଚ୍ ହେଲେ ମୁଁ ଚୂଡାନ୍ତ ତାଲିକାରୁ ସବୁବେଳେ ବାଦ୍ ପଡିଯାଏ । ଥରେ କିନ୍ତୁ ସେ ସୁଯୋଗ ଆସିଲା । କଥା କ’ଣକି ଯେବେ ମ୍ୟାଚ ହୁଏ ଯିଏ ସବୁ ଖେଳନ୍ତି ସେମାନେ ନୂଆ ବଲ୍ ପାଇଁ ପଇସା ଦିଅନ୍ତି । ଆମେ ସବୁ ପିଲାଏ ସେଯାଏଁ କର୍କ ବଲରେ ଖେଳିନଥାଉ । ଗୋଟେ ପ୍ରକାର ନିଦା ନରମ ବଲ୍ ଆସୁଥାଏ । ଯାହାକୁ ଆମେ କପିଲ୍ ଦେବ ବଲ୍ କହୁ । ସେଥର ବଲ୍ କିଣିବାକୁ ପଇସା ନିଆ ହେଲା ତେଣୁ ମୋତେ ମାଗିଲେ । ମୁଁ ସର୍ତ୍ତ ରଖିଲି ମାଗଣାରେ ପଇସା ଦେବିନି । ମ୍ୟାଚ୍ ଖେଳିଲେ ପଇସା ଦେବି ।

ଜୀବନର ପ୍ରଥମ କ୍ରିକେଟ ମ୍ୟାଚ୍‌ରେ ଖେଳିବି ବୋଲି ମୁଁ ସେଦିନ ବଡ ଖୁସି ଥାଏ । ସେଦିନ ଥାଏ ରବିବାର । ମୁଁ ଗାଧେଇ ପାଧେଇ ପଡିଆରେ ପହଞ୍ଚିଗଲି । ଆମ ଦଳ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ହେଲା । ହେଲେ ଦଳ ଆମର ଆଶାନୁରୂପ ପ୍ରଦର୍ଶନ କରିପାରିଲାନି । ଅଳ୍ପ ରନ୍‌ରେ ଜଣେ ପରେ ଜଣେ ଫେରିଆସିଲେ । ମୋର ଶେଷ ଆଡକୁ ବ୍ୟାଟିଂ କରିବାର ଥାଏ । ଶେଷକୁ ମୋ ପାଳି ଆସିଲା । ହେଲେ ଆମ କ୍ୟାପ୍ଟେନ୍ ଆଉ କେତେ ଜଣ ମୋତେ ଆସି ଅନୁରୋଧ କଲେ ଯେ ଏତେ କମ୍ ରନ୍ ହେଇଛି, ଦଳ ହାରିବା ଥୟ । ତୁ ଆଜିକ ରହିଯା, ତୋ ଯାଗାରେ ଅମୁକ ଖେଳିବ । ଅମୁକମାନେ ଅନ୍ୟ ଏକ ପଡାର ଗୋଟେ ପିଲା ଖେଳ ଦେଖିବାକୁ ଆସିଥାଏ । ସେ ତାଙ୍କ ପଡା କ୍ରିକେଟ୍ ଟିମ୍‌ର ଅଲରାଉଣ୍ଡର । ମୁଁ ହଁ କି ନା କହିବା ଆଗରୁ ସେ ଟୋକା ଖେଳିବାକୁ ବୀରଦର୍ପରେ ପଡିଆକୁ ପଶି ତୁରନ୍ତ ଶୂନ୍‌ରେ ଆଉଟ୍ ହେଇ ଫେରିଆସିଲା । ଅନ୍ୟ ଦଳର ଓପନର୍ ଦୁଇଜଣ ଆମର ସମୁଦାୟ ଦଳ ବାଡେଇଥିବା ରନ୍‌କୁ ବାଡେଇ ଦେଲେ । ସେଦିନ ଆମ ଦଳ ଶୋଚନୀୟ ଭାବରେ ହାରିଲା । ସମସ୍ତେ ମନଦୁଃଖ କଲେ । ମୁଁ କିନ୍ତୁ ମନେ ମନେ ବଡ ଖୁସି ହେଲି । ବଡ କଥା ହେଲା, ପିଲାଦିନେ ମୋ ଜୀବନରେ ସେଇ ଯାହା ଥରେ ମାତ୍ର କୌଣସି କ୍ରିକେଟ ମ୍ୟାଚରେ ଖେଳିବାର ସୁଯୋଗ ଆସିଥିଲା, ଯାହାକୁ ମୁଁ ହାତଛଡା କରିଥିଲି । ନାଁ, ମୁଁ ନିଜେ ହାତଛଡା କରିନଥିଲି ବରଂ ମୋ ହାତରୁ ବିଧାତା ଛଡେଇ ନେଇଥିଲେ । ତାପରେ ବାଣୀବିହାରରେ ପଢିଲାବେଳେ ଆଉ ଥରେ ସୁଯୋଗ ଆସିଲା । ଆମ ଓଡିଆ ଡିପାର୍ଟମେଣ୍ଟର ମ୍ୟାଚ୍ ପଡିଲା ଏମ୍.ସି.ଏ ପିଲାଙ୍କ ସାଙ୍ଗରେ । ଆମ ଦଳରୁ ଅନେକ ତାଙ୍କ ଜୀବନରେ କେବେବି କ୍ରିକେଟ୍ ବ୍ୟାଟ୍ ଧରିନଥିଲେ । ଆମେ ପ୍ରଥମରୁ ଜାଣିଥିଲୁ ଆମେ ହାରିବୁ । ମୁଁ ଗୋଟେ ଓଭର ବୋଲିଂ କରିବାକୁ ବାହାରିଲି । ଏତେ ନୋ ଓ ୱାଇଡ୍ ପକେଇଲି ଯେ ତେର କି ଚଉଦ ବଲ୍ ପରେ ଯାଇଁ ମୋ ଓଭର୍ ସରିଲା । ରକ୍ଷା ହେଇଛି ମୋତେ ବ୍ୟାଟିଂ କରିବାକୁ ପଡିଲାନି, ଓଭର୍ ସରିଗଲା । ଆମ ଡିପାର୍ଟମେଣ୍ଟର ଝିଅମାନେ ଆମମାନଙ୍କୁ ଉତ୍ସାହିତ କରିବାକୁ ପଡିଆରେ ଉପସ୍ଥିତି ଥିଲେ କିନ୍ତୁ ଆମମାନଙ୍କ ବୀରଦର୍ପରେ ଛତ୍ରଭଙ୍ଗ ଦେବାର ଦେଖି ଯିଏ ଯାହାର ଲୁଚି ପଳେଇଲେ ।

ପିଲାଦିନେ ମାମୁଁ ଘର ଛାଡି ଆମ ଗାଁକୁ ଆସିଲାପରେ ଗାଁରେ ମଧ୍ୟ ଖେଳ ଚାଲିଲା । କାଠପଟାର ବ୍ୟାଟ୍ । ବ୍ୟାଟ୍‌ର ହ୍ୟାଣ୍ଡଲ୍‌ରେ ସାଇକେଲ୍ ଟ୍ୟୁବ୍ । ମୋ ଠାରୁ ବୟସରେ ବଡ କିନ୍ତୁ ହିସାବରେ ଜଣେ ପୁତୁରା ପିଜୁଳି କାଠରେ ବଲ୍ ତିଆରି କରେ । ବାଉଁଶରେ ତିଆରି ହେଇଥାଏ ଷ୍ଟମ୍ଫ । କାଠ ବଲ୍ ଦେହରେ କୋଉଠି ଶୀତଦିନିଆ ଅପରାହ୍ଣରେ ବାଜିଲା ମାନେ ବାପାକୁ ମଉସା ଡାକିବା କଥା । ସେଇ କାଠ ବଲ୍ ଡରରେ ମୁଁ ଧିରେଧିରେ ଖେଳ ଛାଡି ଦେଲି । ଖେଳ ଛାଡି ଦେଲେ ମଧ୍ୟ ମୁଁ ନିରୋଳା ଦର୍ଶକ ହେବାକୁ ସବୁଦିନ ଠିକଣା ସମୟରେ ପଡିଆରେ ପହଞ୍ଚି ଯାଉଥିଲି । ତାପରେ ପିଲାଏ ମିଳିମିଶି ପଇସା ସଞ୍ଚୟ କରି ଥରେ କଟକରୁ ଦୁଇଟି ବ୍ୟାଟ୍ କିଣିକି ଆଣିଲେ । ସେଦିନ ଖୁସି କଥା କ’ଣ ଆଉ କହିବି ? ବ୍ୟାଟ୍ ଦୁଇଟାକୁ ପ୍ରଥମେ ଗାଁ ଠାକୁରାଣୀଙ୍କ ପାଖରେ ପୂଜା କରାଗଲା । ତାପରେ ପୂରା ପ୍ରୋସେସନ୍‌ରେ ସାରା ଗାଁ ବୁଲାଗଲା । ଦୁଇଟି ବ୍ୟାଟ୍‌ରୁ ଗୋଟେ କଣ ଅଏଲ ବ୍ୟାଟ୍ ଥିଲା । ମୋର ଜଣେ ଆଗ ଚଲା ସାଙ୍ଗ କହିଲା ସବୁଦିନ ଖେଳ ପରେ ବ୍ୟାଟ୍ କୁଆଡେ ଅଧ ଲିଟର ତେଲରେ ମାଲିସ୍ ହେବ । ସେଥିପାଇଁ ତା’ ନାଁ ଅଏଲ୍ ବ୍ୟାଟ୍ । ମୁଁ ଦର୍ଶକରୁ ପରେ କେବେକେବେ ଅମ୍ପେୟାର ବି ହେଲି । କିନ୍ତୁ ଥରେ ଦୁଇଥର ବଲ୍‌ର ଡାଇରେକ୍ଟ ଥ୍ରୋ ମୋ ଠି’ ବାଜିଲା ପରେ ଆଉ ପଡିଆ ଭିତରକୁ ନପଶି ସ୍କୋରର୍ ହେଇଗଲି । ଆମ ଗାଁ ଟିମ୍ ଅନ୍ୟ ଗାଁକୁ ମ୍ୟାଚ୍ କି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଗଲେ ମୁଁ ଅଫିସିଆଲ୍ ସ୍କୋରର୍ ଭାବରେ ସାଇକେଲ୍ ଚଲେଇ ନିଶ୍ଚୟ ପହଞ୍ଚି ଯାଉଥିଲି ।

ଆମ ଗାଁ ବଡ ଦଣ୍ଡା ପଡିଆରେ କୋଦାଳରେ ଘାସ ଚାଂଛି ପିଚ୍ ତିଆରି ହେଇଥାଏ । ମଇଁଷି ଗୋବରରେ ତାକୁ ମଝିରେ ମଝିରେ ସାଆରେଇ ଦିଆଯାଏ । ଦୁଇ ପଟରୁ ବ୍ୟାଟିଂ ନହେଇ ଗୋଟେ ପଟରୁ ହିଁ ହୁଏ । ପଡିଆ ଛାତିରେ ଠାଏ ଠାଏ ଚିକିଟା ମାଟି ଉପରେ ମଇଁଷି ଖୋଜର ଆବୁଡା ଖାବୁଡା ଚିହ୍ନ । ଧର ତମେ ଗଲି କି କଭର କି ଏକ୍ସଟ୍ରା କଭର ଅଞ୍ଚଳରେ ଫିଲ୍ଡିଂ କରୁଛ ଓ ବଲ୍ ତମ ଆଡକୁ ଦ୍ରୁତ ଗତିରେ ପଡିଆ ଉପରେ ଗଡି ଗଡି ମାଡି ଆସୁଛି । ତମେ ସଜ ହେଇ ତମ ହାତକୁ ସଜିଲ୍ କରି ଏକ ଲୟରେ ବଲ୍‌କୁ ଧରିବାକୁ ଅନେଇ ରହିଛ । ବଲ ପୂରାପୂରି ପାଖକୁ ଆସିଗଲାଣି । ଖାଲି ହାତରେ ପଡିବାକୁ ବାକି । କିନ୍ତୁ ଠିକ୍ ସେତିକିବେଳକୁ ବଲ୍ ତମ ହାତକୁ ଆସିବନି । ହଠାତ୍ ତମ ସାମ୍ନାରୁ ବାଟ ଭାଙ୍ଗି ତମ ଡାହାଣ କି ବାମ ପଟରେ ଖସି ଯିବ, ଆଉ ବାଉଣ୍ଡରି ଟପି ଚାରି ହେଇଯିବ । କାରଣଟି ହେଲା, ସାମ୍ନାରେ ଥିବା ମଇଁଷି ଖୋଜରେ ବାଜି ବଲ୍ ହଠାତ୍ ତା’ର ଗତିପଥ ବଦଳାଇ ଦେଇଥିବ । ମୁଁ ଏବେ ଭାବୁଛି ଏମିତି ଏକ ପଡିଆରେ ବିନା ଜୋତା, ହେଲମେଟ୍, ପ୍ୟାଡ୍, ଗାର୍ଡ, ହ୍ୟାଣ୍ଡ ଗ୍ଲୋଭସ୍ ଓ ଅନ୍ୟାନ୍ୟ ଅନେକ ସରଞ୍ଜାମ ବିନା ଆମ ପିଲାଙ୍କ ସାଙ୍ଗରେ ବିଶ୍ୱ କପ୍ ଜିତିଥିବା ଦଳ ଯଦି ସେବେ ଖେଳିଥା’ନ୍ତା ନିଶ୍ଚୟ ହାରିଯାଇଥା’ନ୍ତା ।

ଗାଁକୁ ଟି.ଭି ଆସିଲା ପରେ କ୍ରିକେଟକୁ ନେଇ ଧିରେଧିରେ ନୂଆ ଉନ୍ମାଦନା ଆରମ୍ଭ ହେଇଗଲା । ଆମ ଗାଁକୁ ପ୍ରଥମ କରି ଟିଭି ଆସିଲାବେଳକୁ ମୁଁ ପ୍ଳସ୍ ଟୁ ପଢିଲିଣି । ସେତେବେଳେ ଗାଳ୍ପିକ ଔପନାସିକ ବିଭୂତି ଭୂଷଣ ପ୍ରଧାନ ଆମ ଗାଁ ପାଖ ହାଇସ୍କୁଲରେ ଶିକ୍ଷକତା କରୁଥା’ନ୍ତି ଓ ଆମ ଗାଁରେ ସପରିବାର ରହୁଥା’ନ୍ତି । ସାର୍ ହିଁ ପ୍ରଥମ କରି ଟି.ଭି ଆଣିଲେ । ଏବେ ଜାଣୁଛି ଆମ ଗାଁ ଲୋକେ ତାଙ୍କୁ କି ଅତ୍ୟାଚାର କରୁଥିଲେ । ରାମାୟଣ, ଚିତ୍ରାହାର, ରବିବାରିଆ ସିନେମା ଓ କ୍ରିକେଟ୍ ଖେଳ ଦେଖିବାକୁ ଯିଏ ପାଇ ସିଏ ସାର୍‌ଙ୍କ ଘରକୁ ପଶି ଯାଉଥିଲେ । କ୍ରିକେଟ୍ ଦେଖିବାକୁ ପାଖ ଗାଁରୁ ବି ଲୋକେ ଆସୁଥିଲେ ଓ ସାରାଦିନ ତାଙ୍କ ଖଟ, ଟେବୁଲ, ଚେୟାର ସହ ତଳେ ଖୁନ୍ଦିଖାନ୍ଦି ହେଇ ବସି ରହୁଥିଲେ । ସେଇଠି ମୁଁ ପ୍ରଥମ କରି ବିଶ୍ୱକପ୍ ଦେଖିଥିଲି । କପିଲ୍ ଦେବ କ୍ୟାପ୍ଟେନ୍ ଥାଆନ୍ତି । ଭାରତ ଇଂଲଣ୍ଡ ପାଖରୁ ସେଥର ସେମିଫାଇନାଲ୍‌ରେ ବୋଧେ ହାରି ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଥିଲା । ତାପରେ ଅବଶ୍ୟ ଆଉ କିଛି ଟି.ଭି ଗାଁ କୁ ଆସିଲା । କାରଣ କୋଣାର୍କ ରୋହିଣୀ ଡିଲକ୍ସ କଳା ଧଳା ଟିଭି ସେତେବେଳକୁ ବାହାଘର ଯୌତୁକ ତାଲିକାରେ ସାମିଲ୍ ହେଇ ସାରିଥିଲା । ବିଶ୍ୱକପ୍ ପରେ କ୍ରିକେଟ୍‌ର ଲୋକପ୍ରିୟତା ଆହୁରି ବଢିଗଲା । ଆମେ ସବୁ ଭାରତୀୟ ଖେଳାଳିମାନଙ୍କ ସହ ଅନ୍ୟ ଦେଶର ଖେଳାଳିଙ୍କୁ ଜାଣିଲୁ । କ୍ରିକେଟ୍ ବିଷୟରେ ବେଶି ବେଶି କଥା ହେଲୁ । କେବେ ଗାଁରେ ଟ୍ରାନ୍ସଫରମର୍ ପୋଡି ଯୋଗୁଁ ମାସାଧିକ କରେଣ୍ଟ ନଥିବା ଅବଧିରେ କେନ୍ଦ୍ରାପଡା, ପାରାଦୀପ କି ମାର୍ଶାଘାଈ ଗଲୁ ଖାସ୍ ଟି.ଭିରେ ମ୍ୟାଚ୍ ଦେଖିବାକୁ ।

କ’ଣ ପାଇଁ କେଜାଣି ଆଜିକାଲି ଆଉ କ୍ରିକେଟ୍ ଦେଖିବାକୁ କି ସେ ବିଷୟରେ ଜାଣିବାକୁ ଆଉ ଆଗ୍ରହ ରହୁନି । ମୁଁ ଏବର ଅନେକ ଖେଳାଳିଙ୍କ ନାଁ ବି ଜାଣିନି । ଏକଦା କେବଳ ଭାରତ ନୁହେଁ ବିଶ୍ୱର ଅନ୍ୟ ଦେଶର ଖେଳାଳିଙ୍କ ଜନ୍ମ ଜାତକର ଖବର ରଖୁଥିଲି । ଜାଣିନି ଆଜିକାଲି କେବଳ ମୋର ଆଗ୍ରହ କମିଛି ନା ଏକଦା କ୍ରିକେଟ୍ ପାଗଳ ମୋର ଅନ୍ୟ ବନ୍ଧୁମାନଙ୍କର ବି କମିଯାଇଛି ? ପଚାରି ବୁଝିବାକୁ ହେବ ।