ଫଟୋ - କବିତା କୋଷ

ସବୁଆଡ଼େ ଧୂଆଁ

ସବୁଆଡ଼େ ଧୂଆଁ
ସବୁଠିଁ କୁହୁଡ଼ି
ଯିଏ ଦାନ୍ତ ଆଉ ପଙ୍କର ଦଲାଲ୍,
ସେ ହିଁ ଦେଶଭକ୍ତ ।

ଅନ୍ଧାରରେ ସୁରକ୍ଷିତ ରହିବାର ନାଁ ହେଲା -
ନିରପେକ୍ଷତା ।
ଏଠି ଭୀରୁତାର ମୁହଁରେ ହିଁ
ସବୁଠୁଁ ଅଧିକା ରକ୍ତ ।
ଯାହା ପାଖରେ ଥାଳି,
ପ୍ରତ୍ୟେକ ଭୋକିଲା ମଣିଷ
ତା' ପାଇଁ, ସବୁଠୁଁ ଅଶ୍ଳୀଳ
ଗାଳି ।

ସବୁଆଡ଼େ କୂଅ
ସବୁଆଡ଼େ ଖାଇ,
ଏଠି ସେଇ, ଖାଲି ସେଇ
ଦେଶର ଏକାନ୍ତ ନିଜର,
ଯେ ହୁଏତ ମୂର୍ଖ
ନହେଲେ ଗରିବ ।

ଦିନଚର୍ଯ୍ୟା

ସକାଳକୁ ଯେତେବେଳେ କୋଉଠି ବି ଅନ୍ଧାର ନଥିବ,
ଆମେ ଲିଭିଯାଇଥିବା ଦୀପ ସବୁ
ଏକାଠି କରିବୁ
ଆଉ ବାଣ୍ଟିନବୁ ନିଜ ନିଜ ଭିତରେ ।

ଦିପହରକୁ ଯେତେବେଳେ କୋଉଠି ବି ବରଫ ନଥିବ,
ନଥିବ ଝଡ଼ାପତ୍ର କୋଉଠି ବି,
ଆକାଶ ନୀଳ ଆଉ ସ୍ୱଚ୍ଛ ଥିବ,
ସହର ଝୁଲୁଥିବ କ୍ରେନ୍ ପଟିରୁ,
ଆମେ ଭେଟ ହବୁ ଛକ ଉପରେ
ଆଉ ଈର୍ଷା କରିବୁ ପରସ୍ପରକୁ ।

ରାତିକୁ ଯେତେବେଳେ ଯୁଦ୍ଧ ଏକ ଗୀତର ଧାଡ଼ି ପରି
ସମସ୍ତଙ୍କର ପ୍ରିୟ ହେଇସାରିଥିବ, ଆମେ ଭାଓଲିନ୍ ଶୁଣିବୁ
କାନ୍ଦୁ କାନ୍ଦୁ
ନିଜ ଭାଙ୍ଗିଯାଇଥିବା ସମ୍ପର୍କମାନଙ୍କ କଥା ଭାବିବୁ,
ଦୁଃଖୀ ହବୁ ।

ଗଣତନ୍ତ୍ର

ସେମାନେ ଘରର କାନ୍ଥ ସବୁ ଉପରେ ସ୍ଲୋଗାନ୍
ଲେଖୁଥିଲେ
ମୁଁ ମୋ' କାନ୍ଥସବୁ ପକେଟରେ ପୂରେଇଦେଲି

ସେମାନେ ମୋ' ପିଠି ଉପରେ ସ୍ଲୋଗାନ୍ ଲେଖିଦେଲେ
ମୁଁ ମୋ' ପିଠି ଚଉକିକୁ ଦେଇଦେଲି ,
ବର୍ତ୍ତମାନ ଥିଲା ପେଟର ପାଳି,
ମୁଁ ଖୁସି ଯେ ମୋ'ର ଥିଲା ଅଜୀର୍ଣ୍ଣ ବେମାରି
ଆଉ ଇଏ ତ ପେଟ

ମୁଁ ତାକୁ ଆଉଁସିଲି
ପେଟ ମୋ'ର
ସମାଜବାଦର ଉପହାର,
ଆଉ ଡାକି ପଠେଇଲି
ବିରୋଧୀମାନଙ୍କୁ ମୋ'ର
ଆସ, ସାହସ ଅଛି ତ ଲେଖ,
ପ୍ରସ୍ତୁତ ମୁଁ

ନା ମୁଁ ପେଟ
ନା କାନ୍ଥ
ନା ପିଠି
ମୁଁ ଏବେ ବିଚାରଟିଏ ।

ଲୁହାର ସୁଆଦ

ଶବ୍ଦ କେମିତି
କବିତା ପାଲଟନ୍ତି
ଦେଖ
ଅକ୍ଷରମାନଙ୍କ ଭିତରେ ଗଳିପଡ଼ିଥିବା
ମଣିଷକୁ ପଢ଼
ତମେ କଣ ଶୁଣିଲ ଏ
ଲୁହାର ଶବ୍ଦ ନା
ମାଟିରେ ପଡ଼ିଥିବା ରକ୍ତର
ରଙ୍ଗ

ଲୁହାର ସୁଆଦ
କମାରକୁ ପଚାରନି
ସେଇ ଘୋଡ଼ାକୁ ପଚାର
ଯାହା ମୁହଁରେ ଲଗାମ୍ ଲାଗିଚି ।