ଫଟୋ - ୱିକି କମନ୍ସ

ତା ଘରେ ମୋ ସାଙ୍ଗରେ ସାଙ୍ଗ ନହେବାକୁ ତାକୁ ଲକ୍ଷେ ଥର କହିଥିବେ, ଆଉ ମୋ ଘରେ ବି ମତେ ପାଖାପାଖି ସେତିକି ଥର । ହେଲେ ମନ ମାନିଲା ବାଲା, ନା ସେ ଥିଲା ନା ଥିଲି ମୁଁ । ମୋର ସବୁ ସିକ୍ରେଟ ତା ପାଖରେ ଆଉ ତାର ସବୁ ମୋ ପାଖରେ । ମୋ ମିଛକୁ ସେ ଧରେ ଫଟକିନା, ତା ମିଛକୁ ମୁଁ । ଅବକାରୀର ଚାଟଶାଳୀରେ ଦୁହିଁଙ୍କ ଖଡ଼ି ଛୁଆଁ ଏକା ସାଙ୍ଗରେ । ଏମିତି କୌଣସି ବାଳୁଙ୍ଗାମି ନାହିଁ ଯାହା ସିଏ ଆଉ ମୁଁ ମିଶିକି କରିନୁ । ଜାପୁ କଥା କହୁଛି ମ, ଛ ଫୁଟର ଗୋରା ତକତକ ଚେହେରା, ଜହ୍ନରେ ଦାଗ ଭଳିଆ ଓଠ ତଳେ ବିଲେଇ ଆଁପୁଡା ସମ ଚିହ୍ନଟେ । ଚମତ୍କାର ସେନ୍ସ ଅଫ ହ୍ୟୁମର ତାର । ଦୁନିଆରେ ଏମିତି କୌଣସି ଲୋକ ନାହିଁ କି ଘଟଣା ନାହିଁ ଯାହାକୁ ଜାପୁ କାର୍ଟୁନ ବନେଇ ପାରିବନି ।

ଜାପୁର ଆଉ ଗୋଟେ ଟ୍ୟାଲେଣ୍ଟ ହେଲା ଶବ୍ଦ ବନେଇବାର କଳା । ସିଏ ଖାଲି ଶବ୍ଦ ତିଆରି କରେନି, ଶବ୍ଦଟି ଆମ ବଜାରରେ ଟ୍ରେଣ୍ଡ ନକରିବା ଯାଏ ସେ ଶାନ୍ତିରେ ନିଶ୍ୱାସ ମାରେନି । ଯେମିତି ସିଏ ଗୋଟେ ଶବ୍ଦ ଫାନ୍ଦି ଥିଲା - କାଚଖିଆ । ବିଅର ପିଇବା ଉଦ୍ଦେଶ୍ୟରେ ସଂଯୋଜିତ ହେଇଥିଲା ଶବ୍ଦଟି । ବୁଝିଲା ଲୋକ ବୁଝିଯିବ, ଆଉ କଥାବାର୍ତ୍ତା ସମୟରେ ଯଦି ବଡ ଲୋକ/ଗୁରୁଜନ କିଏ ଥିବେ ଯାହାଙ୍କ ଆଗରେ ଶବ୍ଦଟି କେଉଁ ଅର୍ଥରେ ବ୍ୟବହାର ହେଉଛି କହି ହେବନି, ତାହାଲେ ତାଙ୍କୁ ବୁଝେଇବା ପାଇଁ ଜାପୁ 'କାଚ' ଶବ୍ଦ ଉପରେ ଜୋର ଦେଇ କୁହେ । ବଡ଼ଲୋକ ଜଣଙ୍କ ଭାବନ୍ତି ପିଲାମାନେ ବୋଧେ ଜବରଦସ୍ତ/ଚୋଖା ଖାଇବା ବିଷୟରେ କଥା ହେଉଛନ୍ତି ।

ସେହି ଉଦ୍ଭାବନ କ୍ରମରେ ଶବ୍ଦଟିଏ ହେଲା ଫାକୁଲା । କୋଉ ଅଭିଧାନରେ ଏ ଶବ୍ଦ ଅଛି ଯେ ତା ଅର୍ଥ ବୁଝି ହେବ ? ତାକୁ ବୁଝିବା ପାଇଁ ଶବ୍ଦ ତିଆରିର ପୃଷ୍ଠଭୂମିକୁ ବୁଝିବାକୁ ହେବ । ୨୦୦୬ବେଳକୁ ଜାପୁ ଆରମ୍ଭ କଲା ମୋବାଇଲ ଦୋକାନ, ମୋବାଇଲ ସେଟ ଓ ରିଚାର୍ଜ ଭାଉଚର ବିକ୍ରି କାରବାର । ବହୁ ଝିଅ ଆସନ୍ତି ତା ଦୋକାନକୁ ଭାଉଚର କିଣିବାକୁ । କେବଳ ସେଇଥିପାଇଁ ଆଠ ଦଶଟି କଲେଜ ପଢୁଆ ଛୁଆ ବିନା ଖିଆପିଆରେ ଦିନରାତି ଅଧିଆ ପଡ଼ିଥାନ୍ତି ଜାପୁ ଦୋକାନରେ । ସେହି କର୍ମଠ ଯୁବକମାନଙ୍କ ପାଇଁ ଜାପୁ ବ୍ୟବହାର କଲା ଫାକୁଲା ଶବ୍ଦଟି । ଶବ୍ଦଟି ସେତେବେଳେ ତା ଆଉ ମୋ ଭିତରେ ଥାଏ, ଟ୍ରେଣ୍ଡ କରିବା ପ୍ରକ୍ରିୟା ଜୋର ଧରି ନଥାଏ । ତାକୁ ଟ୍ରେଣ୍ଡ କରାଇବାରେ ଅସୁବିଧାଟିଏ ବି ଥିଲା । କାରଣ ଜାପୁ ଦୋକାନରେ ବସୁଥିବା ବା ସେଠିକି ଆସୁଥିବା ନବେ ଭାଗ ଲୋକଙ୍କ ପାଇଁ ଶବ୍ଦଟି ଯଥାର୍ଥ ମନେ ହେଉଥିଲା । ତେଣୁ ଏପରି ଏକ ଶବ୍ଦର ବହୁଳ ପ୍ରଚଳନ ତା ବ୍ୟବସାୟ ପାଇଁ କ୍ଷତିକାରକ ହୋଇପାରେ ବୋଲି ତାର ଆଶଙ୍କା ଥିଲା । କିନ୍ତୁ କସ୍ତୁରୀକୁ ଯେତେ ଲୁଚେଇଲେ ବି ସିଏ କ'ଣ ଲୁଚେ । 'ଫାକୁଲା'ର ବାସ୍ନା ଚହଟିବା ଆରମ୍ଭ ହେଇଗଲା ।

ଜାପୁ ଦୋକାନର ଆଉ ଜଣେ ନିୟମିତ ଅତିଥି ହେଲେ ବୁଲା ବାବୁ । ତାଙ୍କ ଜେଜେ ଅଣଜେଜେ କେବେ ଜମିଦାର ଥିଲେ, ହେଲେ ଏବେ ବାଡ଼ି ଗୋବରେ ଗୋବେ ଜାଗା ନାହିଁ । ସମ୍ପୂର୍ଣ୍ଣ ମୁତଫରକା, କିନ୍ତୁ ଥାଟ ଯାଇନି। ଏବେ ବି କିଏ ଅଜଣା ଲୋକ ପଚାରିଲେ ସେ ନିଜ ନାଁ ବୁଲା ନକହି ବୁଲା ବାବୁ ବୋଲି କୁହନ୍ତି । ଯେହେତୁ ଘରେ କିଛି କାମ ନାହିଁ ସବୁବେଳେ ସେ ଜାପୁ ଦୋକାନରେ । ତାଙ୍କ ନିଶିଦିନ ଉପସ୍ଥିତିରେ ଜାପୁ ଅତିଷ୍ଠ, ହେଲେ ବେପାର ଦାୟରେ କହି ପାରୁନଥାଏ । ଦିନେ କାହା ଆଗରେ କହୁ କହୁ ବୋଧେ କହି ଦେଇଛି ଫାକୁଲା ବୁଲା ବାବୁ । କଥାଟି ପଡିଲା ବୁଲାବାବୁଙ୍କ କାନରେ । ଶବ୍ଦଟିର ଅର୍ଥ ଜଣା ନଥାଏ ତାଙ୍କୁ । ତେଣୁ ରାଗିବେ କି ଖୁସି ହେବେ ଜାଣି ପାରିଲେନି। ପଚାରିଲେ କିରେ ଜାପୁ, ଏ ‘ଫାକୁଲା’ ମାନେ କଣ କିରେ ? ସତେ ଯେମିତି ଉତ୍ତର ଆଗରୁ ଭାବିକି ରଖିଥିଲା, ସେଇ ଅନ୍ଦାଜରେ ଜାପୁ ତତକ୍ଷଣାତ ଉତ୍ତର ଦେଲା ଫାକୁଲା ମାନେ ଖାନଦାନୀ ଲୋକ ଯାହାର ମନ ଭାରି ଖୋଲା । ବୁଲା ବାବୁ ଖୁସ ।

ଏଇ କଥାର ମାସେ କି ଦୁଇ ମାସ ପରର କଥା । ସେତେବେଳକୁ ବଜାରରେ ‘ଫାକୁଲା’ର ଟ୍ରେଂଡିଙ୍ଗ ସ୍କୋର ୧୦୦ରୁ ପାଖାପାଖି ୬୦ ହେଲାଣି । ଦିନ ଦିଇଟା ହେବ । ଜାପୁ ଦୋକାନରେ ମୁଁ ଆଉ ଆଠ ଦଶ ଜଣ ପରିଚିତ ଲୋକ । ପହଁଚିଲେ ବୁଲା ବାବୁ । ଜମିଦାରିଆ ଢଙ୍ଗରେ ନିଶରେ ହାତ ମାରି କହିଲେ, ବୁଝିଲ ପିଲାଏ, ଆଜି ମୋ ପୁଅ ଜନ୍ମଦିନ । ସମସ୍ତେ ଆସିବ ଆଜି ଆମ ଘରକୁ । ଫାକୁଲା ବୁଲା ବାବୁ ଘରେ ଆଜି କାଚଖିଆ ହେବ । ତମ ବାପ ଅଜା ଚଉଦ ପୁରୁଷରେ ଏମିତି ଖାଇବା ଖାଇ ନଥିବ କି ଦେଖି ନଥିବ ।

ଏତିକି କହି ବୁଲା ବାବୁ ତ ବୀରଦର୍ପରେ ଚାଲିଗଲେ, ତାପରେ ଜାପୁ ଦୋକାନରେ ଥିବା ଆମେ ସମସ୍ତେ ବୋଧେ ସନ୍ଧ୍ୟା ଯାଏ ପେଟକୁ ଧରି ବସିଛୁ । ଅଜଣା ଶବ୍ଦଟିଏ, ଭାବନାଟିଏ ବା କଥାଟିଏ ଯଦି ଆମ ଅହଂକୁ ଛୁଇଁଗଲା, ତା ଅର୍ଥ ବୁଝିବାକୁ ଆମ ଭିତରୁ ଅନେକ ପ୍ରଚେଷ୍ଟା କରନ୍ତି ନାହିଁ । ନବୁଝିବା କାରଣରୁ ଉପହାସିତ ହେଲେ ବି ପରବାୟ ନାହିଁ । କିନ୍ତୁ ସତ କଥାଟି ଯଦି ଅହଂକୁ ଟିକେ ଚିମୁଟି ଦେଲା, ତାର ମୂଳ ଉତ୍ପାଟନ ନହେବା ଯାଏ କଣ ଶାନ୍ତିରେ ନିଶ୍ୱାସ ମାରି ହୁଏ ?