​ସାହିତ୍ୟର ପ୍ରାସଙ୍ଗିକତା ପ୍ରସଙ୍ଗ ଓ ଫକୀରମୋହନ

ସେନାପତିଙ୍କ ଗପରେ ନାରୀଶିକ୍ଷା ଓ ତଦଜନିତ ଅନ୍ଧତାରୁ ଜନ୍ମିତ ଯନ୍ତ୍ରଣା ରହିଛି , ଧୂଳିଆବାବାଙ୍କ ଧୁନିରେ ଆଜିବି ଶଠତାର ହୋମ ଜଳୁଛି , ସମାଜରେ ଗୋପାଳ ସିଂ ମାନେ ବାପାଙ୍କୁ ଆଜି ବି ଅତ୍ୟାଚର କରୁଛନ୍ତି ଓ ହରିସିଂ ମାନେ ଆଜିବି ଇଂରାଜୀ ଘୁଷିଖାଇବାର ନିଦର୍ଶନ ଘଟଣା ଆମ ପାଖରେ ରହିଛି ।


ଫଟୋ -ୱିକି କମନ୍ସ

ପବିତ୍ର ମକର ସଂକ୍ରାନ୍ତିରେ ଓଡିଆ କଥାସାହିତ୍ୟର ଜନକ ଫକୀରମୋହନ ସେନାପତିଙ୍କ ଜନ୍ମଦିନ । ଏହି ଅବସରରେ ସମଗ୍ର ଉତ୍କଳୀୟମାନେ ପ୍ରଣମ୍ୟ ସ୍ରଷ୍ଟାଙ୍କ ଦ୍ବାରା ପ୍ରତିଷ୍ଠିତ ଅସ୍ମିତାବୋଧର ଗୌରବକୁ ମନେ ପକାଇ ହୃଦୟରୁ ଅଭିନନ୍ଦନ ଜଣାଉଛନ୍ତି । ଶତାଧିକ ବର୍ଷ ପରେ ବି ସେ ଆମ ଭିତରେ ସତେଜ ସ୍ମୃତି ହୋଇ ରହିଛନ୍ତି , ତାଙ୍କର ଶବ୍ଦ ସବୁ ସୁଖଦୁଃଖ ମିଶ୍ରିତ ଲୁହ ଟୋପେ ହୋଇ ଆଜିବି ଆମ ଆଖି କଣରେ ଢଳଢଳ ହେଉଛି , ସେ ସବୁକୁ ମନେ ପକାଇ ଆମେ ତାଙ୍କୁ ଓ ତାଙ୍କ ସୃଷ୍ଟିର ଆଲୋଚନା ପର୍ଯ୍ୟାୟଲୋଚନା କରି ତାଙ୍କୁ ଅର୍ଘ୍ୟ ଅର୍ପଣ କରୁଛୁ । ଆସନ୍ତା କିଛିଦିନ ଫକୀରମୋହନୀୟ ସାହିତ୍ୟ ଦିଗ ଦିଗନ୍ତରେ ସାହିତ୍ୟିକ ସଭାସମିତି ଖୁବ୍ ଆଲୋଡିତ ହେବେ । ସବୁଆଡେ ତାଙ୍କ ଜୀବନ ଓ ସୃଜନର ନବ ନବ ଦିଗ ଓ ବାଗର ଚର୍ଚ୍ଚା ହେବ । ସେହି ଚର୍ଚାକୁ ଯଦି ଆମେ ଅନୁଧ୍ୟାନ କରିବା ତେବେ ଜାଣିବା ଯେ ଅଧିକାଂଶ ଆଲୋଚକଙ୍କ ଆଲୋଚନାର ମୁଖ୍ୟ ବିଷୟ ହେଉଛି 'ସାମ୍ପ୍ରତିକ କାଳ ପରିପ୍ରେକ୍ଷୀରେ ଫକୀରମୋହନଙ୍କ ସାହିତ୍ୟର ପ୍ରାସଙ୍ଗିକତା' । ଉତ୍କଳୀୟ ଭାଷା ସାହିତ୍ୟ ଓ ସଂସ୍କୃତିର ସେନାପତି ଫକୀରମୋହନଙ୍କ ସାହିତ୍ୟର ପ୍ରାସଙ୍ଗିକତା ଆଲୋଚନା ସମୟରେ ଆମ ଆଲୋଚକମାନେ ଭାବପ୍ରବଣତାର ବଶ ହୋଇ କେତେଗୁଡିଏ ପ୍ରମାଦପୂର୍ଣ୍ଣ ଓ ଭ୍ରମାତ୍ମକ ବିଷୟ ଉପସ୍ଥାପନା କରିଯାନ୍ତି ।ଏହି ଭାବପ୍ରବଣତା ଫଳରେ ଆମେ କେବଳ ଫକୀରମୋହନଙ୍କୁ ନୁହଁ ତାଙ୍କ ପରି ଅନେକ ସ୍ରଷ୍ଟାଙ୍କ ସାହିତ୍ୟର ପ୍ରକୃତ ପ୍ରାସଙ୍ଗିକତା ବା କାଳୋତୀର୍ଣ୍ଣ ଉପାଦାନର ଜଡକୁ ପହଞ୍ଚିପାରୁନା । ଆବେଗପ୍ରବଣ ଭାବରେ ଚିରାଚରିତ କେତୋଟି ସୁତ୍ରର ଅବଲମ୍ବନରେ ଆମର କାବ୍ୟପୁରୁଷଙ୍କର ସାହିତ୍ୟର ସାମ୍ପ୍ରତିକତା ଚିହ୍ନାଇବାକୁ ଟଣାଓଟାର କରୁ । ତେଣୁ ସାହିତ୍ୟର ପ୍ରାସଙ୍ଗିକତା ଦୃଷ୍ଟିରୁ ଫକୀରମୋହନଙ୍କ ବିଷୟରେ ଆଲୋଚନା କରିବା ନିହାତି ଆବଶ୍ୟକ ।

ସାହିତ୍ୟର ସନ୍ଧର୍ଭରେ ପ୍ରାସଙ୍ଗିକତାର ପ୍ରଶ୍ନ ବାରମ୍ବାର ଉଠେ ଏବଂ ସିଦ୍ଧାନ୍ତ ଦିଆଯାଏ ଶ୍ରେଷ୍ଠ ଓ ସାମ୍ପ୍ରତିକ ସାହିତ୍ୟ ହେବା ପାଇଁ ସାହିତ୍ୟ ସମକାଳ ପାଇଁ ପ୍ରାସଙ୍ଗିକ ହେବା ନିହାତି ଆବଶ୍ୟକ । ଅର୍ଥାତ ପ୍ରାସଙ୍ଗିକତା ଏକ ମାନଦଣ୍ତ ଯାହା ମାଧ୍ୟମରେ ଲେଖକକୁ ଉତ୍ତମ କିମ୍ବା ଅଧମ ପର୍ଯ୍ୟାୟଭୁକ୍ତ କରିପାରିବ । ଆମେ ପ୍ରାୟତଃ ଏହି ମାନଦଣ୍ତ ଧରି ଆମର ପ୍ରତିଟି ପୂର୍ବସୂରୀଙ୍କ ଶ୍ରେଷ୍ଠତ୍ବକୁ ପ୍ରତିପାଦନ କରି ଆସିଛେ । କିନ୍ତୁ ଅଭିବ୍ୟକ୍ତିର ଅନ୍ୟାନ୍ୟ ନାନ୍ଦନିକ ମାଧ୍ୟମ ସବୁ ଯେମିତିକି ଲଳିତ କଳା , ମୂର୍ତ୍ତିକଳା , ନୃତ୍ୟ ସଙ୍ଗୀତ ଇତ୍ୟାଦିର ପ୍ରାସଙ୍ଗିକତା ନିର୍ଣ୍ଣୟରେ ଏମିତି କୌଣସି ମାନଦଣ୍ତ ଆମେ ସ୍ଥିରୀକୃତ କରୁନା ।

ତେବେ ପ୍ରଶ୍ନ ଉଠିବା ସ୍ବଭାବିକ ଯେ ପ୍ରାସଙ୍ଗିକତା କଣ କେବଳ ଏକ ସାହିତ୍ୟିକ ମାନଦଣ୍ତ ଅଟେ ନା ସାହିତ୍ୟର ସ୍ବଭାବ ? ସାହିତ୍ୟ ସ୍ବଭାବରୁ ଯେମିତି ପ୍ରଗତୀଶୀଳ ସେମିତି ସ୍ବଭାବରୁ ପ୍ରାସଙ୍ଗିକ ହୋଇପାରିବନି କି ? ବିଜ୍ଞାନ କ୍ଷେତ୍ରରେ ଗୋଟେ ବିଷୟ ଉପରେ ନୂତନ ସିଦ୍ଧାନ୍ତ ଆସିଲା ପରେ ପୁରୁଣାର ଆବଶ୍ୟକତା ତଥା ମହତ୍ତ୍ବ ରୁହେ ନାହିଁ କିନ୍ତୁ ସାହିତ୍ୟ କ୍ଷେତ୍ରରେ ଏମିତି ଆଦୌ ଘଟେନି । ସାହିତ୍ୟ ଜୀବନର ସାର୍ବକାଳିକ ଭାବରାଶିର ପରିପ୍ରକାଶ କରେ ବୋଧେ ସେଥିପାଇଁ ତାହା ଚିରକାଳ ପ୍ରାସଙ୍ଗିକ ।

ତେବେ ସାହିତ୍ୟର କାଳଜୟୀ ହେବାରେ କେଉଁ ଉପାଦାନଟି ଗୁରୁତ୍ବପୂର୍ଣ୍ଣ ? ଏଥିପାଇଁ ଲେଖକର ଜନ୍ମଦିନ କିମ୍ବା ଶ୍ରାଦ୍ଧଦିବସରେ ନିଜର ବକ୍ତବ୍ୟ ପ୍ରସ୍ତୁତ କରୁଥିବା ଆଲୋଚକ ମୁଖ୍ୟତଃ ସାହିତ୍ୟର ବିଷୟବସ୍ତୁକୁ ଆଧାର କରି ଏବଂ ତାର ସାମାଜିକ ଉପଯୋଗିତାକୁ ମୂଲ୍ୟାଙ୍କନ କରନ୍ତି । କିନ୍ତୁ ତାହା କେତେଦୂର ଯୁକ୍ତିଯୁକ୍ତ ତାହା ବିଚାରଯୋଗ୍ୟ ।

ବାଲ୍ମୀକି , ଭବଭୂତି , ବଳରାମ ଦାସ , ଗଙ୍ଗାଧର ମେହେର ଆଦି କବିଙ୍କ ଦ୍ବାରା ରାମଚନ୍ଦ୍ରଙ୍କ ଜୀବନଗାଥା କାବ୍ୟର ଆଧାର ସାଜିଛି । ଏହି ବିଷୟ ତଥା କାହାଣୀକୁ ନେଇ ଆହୁରି ଅନେକ ସୃଷ୍ଟି କରାଯାଇଛି ଆଗକୁ ମଧ୍ୟ କରାଯାଇପାରେ । କିନ୍ତୁ ସମସ୍ତ ରଚନା ମହତ୍ତ୍ବପୂର୍ଣ୍ଣ ହୋଇପାରେ ନହୋଇବି ପାରେ । ତେଣୁ ରଚନାର ଶ୍ରେଷ୍ଠତ୍ବ ବିଷୟ ଅପେକ୍ଷା କବିତ୍ବ ଉପରେ ବେଶୀ ନିର୍ଭରଶୀଳ । ଯଦି ବିଷୟ ହିଁ ଉତ୍କୃଷ୍ଟତା ତଥା କାଳଜୟୀର ମୂଖ୍ୟ ଉପାଦନ ହୋଇଥାନ୍ତା ତେବେ ପ୍ରତ୍ୟେକ କାଳଜୟୀ ରଚନା ଏକନିର୍ଦ୍ଦିଷ୍ଟ ବିଷୟ ଉପରେ ହିଁ ଆଧାରିତ ହୋଇଯାନ୍ତା । କିନ୍ତୁ ଆମ ସାହିତ୍ୟର କାଳଜୟୀ ବିବେଚିତ ରଚନାର ବିଷୟ ବହୁଧା ଓ ଭିନ୍ନ ଭିନ୍ନ ।

ଏହି ଯୁକ୍ତିଟିକୁ ଆମେ ଫକୀରମୋହନଙ୍କ ସାହିତ୍ୟ ଆଧାରରେ ବୁଝିବା । ସେନାପତିଙ୍କ ଗପରେ ନାରୀଶିକ୍ଷା ଓ ତଦଜନିତ ଅନ୍ଧତାରୁ ଜନ୍ମିତ ଯନ୍ତ୍ରଣା ରହିଛି , ଧୂଳିଆବାବାଙ୍କ ଧୁନିରେ ଆଜିବି ଶଠତାର ହୋମ ଜଳୁଛି ଅମୁକ ଅମୁକ ଉଦାହରଣରୁ ସ୍ପଷ୍ଟ , ସମାଜରେ ଗୋପାଳ ସିଂ ମାନେ ବାପାଙ୍କୁ ଆଜି ବି ଅତ୍ୟାଚର କରୁଛନ୍ତି ଓ ହରିସିଂ ମାନେ ଆଜିବି ଇଂରାଜୀ ଘୁଷିଖାଇବାର ନିଦର୍ଶନ ଘଟଣା ଆମ ପାଖରେ ରହିଛି । ଏମିତି ଏମିତି ଅନେକ ଚରିତ୍ର ଓ ଘଟଣାର ସାମଞ୍ଜସ୍ୟ ସହ ସାମ୍ପ୍ରତିକ ଜୀବନର କିଛି ଚରିତ୍ର ଓ ଘଟଣାକୁ ଯୋଡି ଆଲୋଚକମାନେ ଫକୀରମୋହନଙ୍କୁ ସମକାଳୀନ ଚିନ୍ତାଚେତନାର ଲେଖକ କହିବା ସହିତ କାଳଜୟୀ ଗଳ୍ପର ସ୍ରଷ୍ଟା କୁହନ୍ତି । ବିଷୟ ଆଧାରରେ ରଚନାର ଉତ୍କୃଷ୍ଟତା କିମ୍ବା ନିକୃଷ୍ଟତା ପ୍ରତିପାଦନର ମୂଳରେ ପ୍ରାସଙ୍ଗିକତାକୁ ହିଁ ସେମାନେ ମାନଦଣ୍ତ ଭାବେ ଗ୍ରହଣ କରନ୍ତି । ଏହି ମାନଦଣ୍ତକୁ ସମୀକ୍ଷକଙ୍କ ଦ୍ବାରା ବ୍ୟାପକ ସ୍ବୀକୃତି ମିଲେ କାରଣ ଏଥିରେ ଆଲୋଚନା କରିବା ଅତିସହଜ ହୋଇଯାଏ । ଏହା ଏମିତି ଏକ ସହଜ ସୁତ୍ର ଯେ ଏଥିରେ ଜଟିଳରୁ ଜଟିଳ ରଚନା ଉପରେ ନିର୍ଦ୍ବନ୍ଦ୍ବରେ ଭଲମନ୍ଦର ସିଦ୍ଧାନ୍ତ ଶୁଣାଇ ଦିଆଯାଇପାରେ । ସମକାଳୀନ ଲେଖା ହେଉ କି ପୂର୍ବବର୍ତ୍ତୀ ଲେଖା ଆଲୋଚକ କେବଳ ଏତିକି ଦେଖିବେ ଯେ ଲେଖାରେ ବର୍ଣ୍ଣିତ ଘଟଣା ବା ସମସ୍ୟାର ସଂର୍ପକ ଆମ ସମୟରେ ଅଛି କି ନାହିଁ ।ଯଦି ଅଛି ତେବେ ଲେଖା ଉତ୍କୃଷ୍ଟ ଯଦି ନାହିଁ ତ ନିକୃଷ୍ଟ । ଏହାପରେ ଲେଖାର ଭିତରକୁ ପ୍ରବେଶ କରିବାର ଆବଶ୍ୟକତା ହିଁ କିଛି ନଥାଏ । ତେବେ ଏଠି ସେହି ସମୀକ୍ଷଙ୍କ ପାଇଁ ଗୋଟେ ପ୍ରଶ୍ନ ଉଠେ ଯେ ଶଠବାବାର ଚରିତ , ପୁଅ ବାପକୁ ହତାଦର କରିବା ସମସ୍ୟା , ନାରୀଶିକ୍ଷାର ଯନ୍ତ୍ରଣା , ମଦ୍ୟପ ସ୍ବାମୀକୁ ସାବଡ୍ କରିବା ଘଟଣା ଇତ୍ୟାଦିକୁ ନେଇ ଲେଖାଯାଇଥିବାରୁ ଗପଟି ପ୍ରାସଙ୍ଗିକ କହୁଛେ ସୁତରାଂ ଏମିତି ଏକ ସିଦ୍ଧାନ୍ତ ଦେଇ ପାରିବା କି ଯେ ଉପରୋକ୍ତି ବିଷୟକୁ ନେଇ ଲେଖାଯାଇଥିବା ପ୍ରତିଟି ଗଳ୍ପ ବା ସାହିତ୍ୟ କାଳଜୟୀ ? ବୋଧେ ସେମାନେ ବି କହିବେ ନା ? କାରଣ ସେ ସମୟରେ ନନ୍ଦକିଶୋର ବଳ କନ୍ୟାସୁନାକୁ ନେଇ ଲକ୍ଷ୍ମୀଗଳ୍ପ ଲେଖିଛନ୍ତ ଏବଂ ଫକୀରମୋହନ ସେନାପତି ମଧ୍ୟ ବୀରେଇ ବିଶାଳ ଓ ମାଧବମହାନ୍ତିଙ୍କ କନ୍ୟାସୁନା ଗଳ୍ପ ଲେଖିଛନ୍ତି । ଆମେ ଯଦି ବିଷୟ ଆଧାରରେ କାଳଜୟୀ ଓ ପ୍ରାସଙ୍ଗିକ ସାହିତ୍ୟ ନିରୂପଣ କରିବା ତେବେ ଏ ସମସ୍ତ ଲେଖା ସେଥିରେ ଉତୀର୍ଣ୍ଣ ହେବ ନଚେତ୍ ସମସ୍ତ ଲେଖା ଉତୀର୍ଣ୍ଣ ହେବେନି । କିନ୍ତୁ ଆମେ ଫକୀରମୋହନଙ୍କ ବୀରେଇବିଶାଳକୁ ହିଁ କେବଳ ସଫଳ ଓ କାଳଜୟୀ ଗପ ଭାବରେ ଗ୍ରହଣ କରିଛୁ । ଏବେ ସମସାମୟିକ ସାମଞ୍ଜସ୍ଯ ସଂର୍ପର୍କିତ ଯେଉଁ ଅବଧାରଣାକୁ ନେଇ ପ୍ରାସଙ୍ଗିକତା ଓ କାଳଜୟୀ ସାହିତ୍ୟର ଚିହ୍ନଟ କରାଯାଏ ସେ ଦିଗକୁ ଆଲୋକପାତ କରିବା । ସେହି ବିରେଇ ବିଶାଳ ଗପକୁ ନିଆଯାଉ । ବୀରେଇ ବିଶାଳରେ ବର୍ଣ୍ଣିତ କନ୍ୟାସୁନା ପ୍ରଥା ଏବେ ସମାଜରେ ଆଦୋନାହିଁ । ପୁଅଘରେ ଝିଅଘରକୁ ଝିଅର ମୂଲ୍ୟଦେଇ ବାହା କରିବା କନ୍ୟାସୁନା ପ୍ରଥା ସାମ୍ପ୍ରତିକ ସମାଜରେ ସଂପୂର୍ଣ୍ଣ ଭାବରେ ଓଳଟିଯାଇଛି । ଏବେ ତ ସମାଜରେ ଝିଅକୁ ଯୌତୁକ ଦେବାର ପ୍ରଥା ପ୍ରଚଳିତ । ତେବେ ବୀରେଇ ବିଶାଳରେ ବର୍ଣ୍ଣିତ ସମସ୍ୟ ଆଜିକା ଦିନରେ ସମାଜରେ ବିଲକୁଲ ନାହିଁ । ତେଣୁ ଆମେ ଏହା କହିବାକି ଯେ ତାହା ଏକ ସଫଳ ତଥା କାଳଜୟୀ ଗପ ନୁହଁ ? ଏ ପ୍ରଶ୍ନର ଉତ୍ତର ଆପଣଙ୍କ ହାତରେ ଛାଡିଦିଆଗଲା ।

ଆଜି ଆମେ ଯେଉଁ ପ୍ରାସଙ୍ଗିକତାର ପ୍ରଶ୍ନ ପଚାରୁଛେ ତାହା ସାହିତ୍ୟ ଓ ସମାଜ ସମ୍ବନ୍ଧିତ ପ୍ରଶ୍ନ ନୁହେଁ । ଏହା ହେଉଛି ସାହିତ୍ୟର ସାମାଜିକ ଉପଯୋଗିତାର ପ୍ରଶ୍ନ । ଆମେ କହିପାରିବା ଏହା ଏକ ପ୍ରକାର ସାହିତ୍ୟକୁ ସାମାଜିକ ଏବଂ ରାଜନୀତି ପାଇଁ ଉପଯୋଗୀ ଉତ୍ପାଦରେ ରୂପାନ୍ତରିତ କରିଦେବାର ସୁନିୟୋଜିତ ପରିଯୋଜନରା ଏକ ଅଂଶ ବିଶେଷ । ସାହିତ୍ୟର ଏହିପରି ହୀନ ଉପଯୋଗ ଆଉ କିଛି ହୋଇ ନପାରେ ଯାହା ରାଜନୀତି ପାଇଁ ଏକ ଉପଯୋଗୀ ଉପାଦାନ ଭାବରେ ବ୍ୟବହୃତ ହେବ ।

ପ୍ରାସଙ୍ଗିକତା ସନ୍ଧର୍ଭରେ ସବୁଠୁ ମଜାକଥା ହେଉଛି ଯେ ଯେତେବେଳେ ବି ଲେଖା କିମ୍ବା ଲେଖକକୁ ପ୍ରାସଙ୍ଗିକତାର ଆଧାରରେ ମହାନ ବିବେଚିତ କରାଯାଏ ସେତେବେଳେ ସେ ସମଗ୍ର ପ୍ରକ୍ରିୟାରେ ଲେଖା କିମ୍ବା ଲେଖକର ଦୂରଦୂରାନ୍ତରଯାଏ ସଂର୍ପକ ନଥାଏ । ସବୁକିଛି ସାମାଜିକ ରାଜନୈତିକ ପରିବର୍ତ୍ତନ ଯୋଗୁଁ ହୋଇଥାଏ । ଅର୍ଥାତ୍ ସେ ସ୍ଥଳରେ ପ୍ରାସଙ୍ଗିକତାର ମାନଦଣ୍ତ ରଚନା କିମ୍ବା ରଚୟିତା ସାକ୍ଷେପ ନୁହଁ ବରଂ ତାହା ସମାଜ ସାକ୍ଷେପ ହୋଇଥାଏ । ଆମେ କହିପାରିବା ଏହିପରି ସାହିତ୍ୟର ପ୍ରାସଙ୍ଗିକତା ଆଲୋଚନା ଏକ ଅଣସାହିତ୍ୟିକ ମାନଦଣ୍ତ ଅଟେ ଏହି ମାନଦଣ୍ତ ଆଧାରରେ ସାହିତ୍ୟର ମୂଲ୍ୟଙ୍କାନ କରିବା ଅତ୍ୟନ୍ତ ବିପଦଜନକ ।

ସାହିତ୍ୟର ପ୍ରାସଙ୍ଗିକତା ନିର୍ଣ୍ଣୟ ତୀକ୍ଷ୍ମ ଖଣ୍ତାଧାରେ ବାଟ ଚାଲିବା ସହ ସମାନ । କୌଣସି ସାମାଜିକ ରାଜନୈତିକ ପରିବେଶ ବିଶେଷରେ କୌଣସି କୃତି ତଥା ଲେଖକର ପ୍ରାସଙ୍ଗିକତା କାରଣରୁ ତାକୁ ମହତ୍ତ୍ବପୂର୍ଣ୍ଣ ମାନି ନେବା ଦ୍ବାରା ଏହା ମଧ୍ୟ ସମ୍ଭବ ଅଟେ ଯେ କିଛି ବର୍ଷ ପରେ ସାମାଜିକ ରାଜନୈତିକ ପରିବେଶର ପରବର୍ତ୍ତନ ଯୋଗୁ ଉକ୍ତ ଲେଖକ କିମ୍ବା ଲେଖା ମହତ୍ତ୍ବହୀନ ମନେ ହେବେ । ସୁତରାଂ ସାହିତ୍ୟ ପାଇଁ ସାମାଜିକ ରାଜନୈତିକ ପ୍ରାସଙ୍ଗିକତା ଅନାବଶ୍ୟକ ।

ଏବେ ଏତେ କଥା କହିଲା ପରେ ସାହିତ୍ୟର ପ୍ରକୃତ ପ୍ରାସଙ୍ଗିକତା ତଥା କାଳଜୟୀ ହେବାର ଲକ୍ଷଣ କ'ଣ ବୋଲି ପ୍ରଶ୍ନ ଉଠିବା ସ୍ବଭାବିକ କଥା ? ଏ ସଂକ୍ରାନ୍ତରେ ଆମର ସଂସ୍କୃତ ଆଚାର୍ଯ୍ୟମାନେ ବ୍ୟାପକ ଆଲୋଚନା କରିଛନ୍ତି । କାବ୍ୟର ଆତ୍ମା କଣ ଏ ପ୍ରଶ୍ନକୁ ନେଇ ଶତାବ୍ଦୀ ଶତାବ୍ଦୀ ଧରି ଆଲୋଚନା କରିଛନ୍ତି । ଏ ଆତ୍ମା ଆଲୋଚନା କାହିଁକି ?କାରଣ ସମସ୍ତେ ଜାଣୁ ଶରୀର ମରଣଶୀଳ କିନ୍ତ ଆତ୍ମା ଅବିନଶ୍ବର । ତେଣୁ ଆମର ଆଚାର୍ଯ୍ୟମାନେ ହଜାର ହଜାର ବର୍ଷପୂର୍ବରୁ କାବ୍ୟକୁ ସାର୍ବକାଳୀକ କରି ଅମରତ୍ବ ପ୍ରଦାନ କରୁଥିବା ତତ୍ତ୍ବର ଅନୁସନ୍ଧାନ କରିଛନ୍ତି । କେତେବେଳେ ରସ କେତେବେଳେ ରୀତି ,କେତେବେଳେ ଧ୍ବନି ତ ଆଉ କେତେବେଳେ ବକ୍ରୋକ୍ତିକୁ କାବ୍ୟର ଅମରତ୍ବର ଉପାଦାନ ଭାବରେ ବିବେଚନା କରିଛନ୍ତି । କିନ୍ତୁ କଉଠିନା କଉଠି ସମସ୍ତ ସାହିତ୍ୟତତ୍ତ୍ବବିଦ୍ ରସକୁ

ସାହିତ୍ୟର ଆତ୍ମା ଭାବରେ ସ୍ବୀକାର କରିଛନ୍ତି । "ବାକ୍ୟ ରସାତ୍ମକଂ କାବ୍ୟଂ" । ଯେତେ ବି ସାହିତ୍ୟ ରଚନା କରାଯାଏ ପ୍ରତ୍ୟେକ ସାହିତ୍ୟର ଉଦ୍ଦେଶ୍ୟ ହେଉଛି ରସବୋଧର ଅନୁଭବ । ଏହାକୁ ବ୍ରହ୍ମାନନ୍ଦ ସହୋଦର ମଧ୍ୟ କହିଛନ୍ତି । ରୀତି ,ଧ୍ବନୀ ,ବକ୍ରୋକ୍ତି ଅଳଙ୍କାର ଏସବୁ କାବ୍ୟତତ୍ତ୍ବ କାବ୍ୟ ଆହ୍ଲାଦ ନିର୍ମାଣରେ ସହାୟକ ହୁଅନ୍ତି । ଏ ଆହ୍ଲାଦ ହିଁ ହେଉଛି ରସ । ଅର୍ଥାତ ଯେଉଁ ସାହିତ୍ୟ ପାଠକ ପ୍ରାଣରେ ଅହ୍ଲାଦ ସୃଷ୍ଟିରେ ସମର୍ଥ ହୁଏ ତାହା ସାର୍ବକାଳୀକ ।

ଉପରୋକ୍ତ ଆଲୋଚନାକୁ ସହଜରେ କହିଲେ, ପ୍ରାସଙ୍ଗିକତା ବାହାରେ ନଥାଏ ବରଂ ସାହିତ୍ୟର ଅନ୍ତରରେ ନିହିତ ଥାଏ । ଯେକୌଣସି ଶ୍ରେଷ୍ଠକୃତି ଆମର ସମ୍ବେଦନା ସହ ଜଡିତ । ଯେଉଁ ସାହିତ୍ୟ ଜୀବନର ଗଭୀର ମର୍ମକୁ ଜାବୁଡି ଧରେ , ହୃଦୟର ତାରକୁ ତରଙ୍ଗାୟିତ କରି ମଧୁମୟ ସ୍ବନ ଝଙ୍କୃତ କରେ , ନିଜ ସହ ଏକ ଗଭୀର ଆତ୍ମିୟତା ସୃଷ୍ଟି କରେ ସେହି ସାହିତ୍ୟ ଚିରକାଳ ପ୍ରାସଙ୍ଗିକ । ସୁତରାଂ ସାହିତ୍ୟର ପ୍ରାସଙ୍ଗିକତା ଲେଖକ ଓ ପାଠକର ସମ୍ବେଦନଶୀଳତାର ଆଦାନ ପ୍ରଦାନ ସାପେକ୍ଷ ।

ସାହିତ୍ୟ ଓ ସାହିତ୍ୟିକର ପ୍ରାସଙ୍ଗିକତା ନିର୍ଣ୍ଣୟ ସମୟରେ ଆମେ ପ୍ରାୟତଃ ଅତୀତ ଓ ବର୍ତ୍ତମାନ ମଧ୍ୟରେ ରହିଥିବା ବ୍ୟବଧାନକୁ ନଷ୍ଟ କରିଦେଉ । ତା ସହ ଲେଖକର ମୂଳ ବିଚାରକୁ ନିଜ ବିଚାରକୁ ସୁହାଇଲା ପରି ଢଙ୍ଗରେ ବିଶ୍ଲେଷଣକରୁ । ଏହା କିନ୍ତୁ ସାହିତ୍ୟର ପ୍ରକୃତ ସୌନ୍ଦର୍ଯ୍ୟକୁ ଗାମ୍ଭୀର୍ଯ୍ୟକୁ ନଷ୍ଟ କରେ । ରେବତୀକୁ ସାମ୍ପ୍ରତିକ ବା ସମକାଳୀନ କରିବା ବଦଳରେ ଏକ ବ୍ୟବଧାନରେ ଛିଡା ହୋଇ ଦେଖିଲା ପରେ ଯଦି ରେବତୀ ଆମର ପାଠକୀୟ ପ୍ରାଣକୁ ବେଦନାରେ ଅପ୍ଲୁତ କରିପାରୁଛି ତେବେ ସେ ବେଦନା ହିଁ ରେବତୀକୁ ସାର୍ବକାଳୀକ କରୁଛି ବୋଲି ବୁଝିବା । ଅତୀତର ହତ୍ୟା କରିଦେଇ ଯଦି ଆମେ ସାହିତ୍ୟର ସୌନ୍ଦର୍ଯ୍ୟକୁ ଉପଲବ୍ଧ କରିବାକୁ ଚାହିଁବା ତାହେଲେ ଆମେ ଅସଫଳ ହିଁ ହେବା । ଯଦିଓ 'ରେବତୀ' ଗଳ୍ପ ଗୋଟେ କାଳଖଣ୍ତରେ ବିଦ୍ୟମାନ ସମସ୍ୟା ଦ୍ବାରା ପ୍ରପୀଡିତ ଚରିତ୍ରର କାହଣୀ ତଥାପି ସେ ଆଜି ଆମ ଆଗରେ ସମସ୍ୟାକୁ ନେଇ ବଞ୍ଚିନି । ଯଦି ସେମିତି ହୋଇଥାନ୍ତା ତେବେ ଆଜିର ଯୁଗରେ ଯେତେବେଳେ ନାରୀ ଶିକ୍ଷା କ୍ଷେତ୍ରରେ ପୁରୁଷଠୁ ଆଗରେ , ପ୍ରେମ ସଂର୍ପକ ଡେଟିଙ୍ଗ୍ ଚାଟିଙ୍ଗ୍ ଯାଏଁ ପହଞ୍ଚିଲାଣି ସେତେବେଳେ ବାସୁ ଓ ରେବତୀର ଚାରିଚକ୍ଷୁ ମିଳନର କୋମଳ ଉନ୍ମାଦନାର ପ୍ରେମ କାହାଣୀକୁ ଆଜିର ପାଠକଟିଏ କାହିଁକି ପଢିବ ଏ ପ୍ରଶ୍ନ ଉଠନ୍ତା ଏବଂ 'ରେବତୀ' ଗଳ୍ପର ପ୍ରଭାବରେ ମ୍ଲାନି ଆସିଯାନ୍ତା କିନ୍ତୁ ଓଳଟ ରେବତୀ ଆଜି ଆହୁରି ଜାଜ୍ଜ୍ବଳମାନ ହୋଇଉଠେ । ତାର କାରଣ ମଧ୍ୟ ସ୍ପଷ୍ଟ ସମୟର ବ୍ୟବଧାନ । ଆମେ ରେବତୀଠୁ ଯେତେ ଦୂରେଇ ଦୂରେଇ ଯିବା ତାର ଦୁଃଖ ଆମକୁ ଆହୁରି ବ୍ୟାପକମନେ ହେବ , ଆମେ ସଂର୍ପକର ଯେତେ ନୂତନତା ସହ ଭେଟ ହେବା ରେବତୀ ଓ ବାସୁର ସେହି ନୀରବ ପ୍ରେମକୁ ଦେଖି ବିସ୍ମିତ ହେବା। ରେବତୀର ପ୍ରକୃତ ସୌନ୍ଦର୍ଯ୍ୟ ସମକାଳୀନ ହେବାରେ ନାହିଁ ଅଛି ତାର ସମକାଳରେ । ଆଜି ରେବତୀ ମାନବୀୟ ସମ୍ବେଦନାରେ ଏକ ବିସ୍ମୟବୋଧ ସୃଷ୍ଟିକରେ । ପାଠଟିକିଏ ପଢି ଯେତେବେଳେ ଭାବିବ ଯେ ଆହାଃ ! ଅତୀତରେ ଜୀବନଟିଏ କେତେ ଯନ୍ତ୍ରଣା ନ ସହିଛି , ସେହି ଭାବନା ତାର ପାଠକ ପ୍ରାଣକୁ ବିସ୍ମିତକରେ ତେଣୁ ରେବତୀ ଗୋଟେ ଜାତିର କ୍ରମବିକାଶରେ ସମ୍ବେଦନାକୁ ନେଇ ବଂଚେ ଏବଂ ତା ସବୁକାଳକୁ ପ୍ରାଣପ୍ରାଚୁର୍ଯ୍ୟ ଘେନି ଉଦବୋଧିତ କରିବ । ପାଠକଟିଏ ରସବୋଧରେ ଆପ୍ଲୁତ ହେବାକୁ ସାହିତ୍ୟ ପଢେ । ରେବତୀରେ ରହିଥିବା କଥା ନୁହଁ ବରଂ କଥନି ଓ ମାନବୀୟ ସଂବେଦନାର ସାର୍ବଜନୀନ ପରିପ୍ରକାଶ ଆଜି ବି ପାଠକର ସହୃଦୟ ପଣକୁ ଛୁଏଁ । ରେବତୀରେ ବର୍ଣ୍ଣିତ ନାରୀଶିକ୍ଷାର ସମସ୍ୟା , ଗ୍ରାମୀଣ ଅନ୍ଧବିଶ୍ବାସ ଇତ୍ୟାଦିର ଉର୍ଦ୍ଦ୍ବକୁ ଯାଇ ବିବେକୀ ପାଠକ ନିରିମାଖି ରେବତୀର ସେଇ ନିରିହତା , ବାସୁ ସହ ତାର ନୀରବ ପ୍ରେମ , ଜେଜୀମାର ରାଗମିଶା ସ୍ନେହ , ହରି ସାର କପଟତା ଆଦି ମାନବୀୟ ଭାବରେ ବିଭୋର୍ ହୁଏ ।

ସମସ୍ତଙ୍କ ଜୀବନରେ ସମାନ ଦୁଃଖ ନଥାଏ । ଦୁଃଖକୁ ଲେଖକ ଯେତେ ସାର୍ବଜନୀନ କରିପାରେ ସେ ସେତିକି ଆଦୃତ ଲାଭ କରେ । ହରି ସିଂ ର ବେଦନାକୁ ବୁଝିବା ପାଇଁ ବର୍ତ୍ତମାନ ସେମିତି ଏକ ଘଟଣା ଘଟିବା ନିହାତି ଆବଶ୍ୟକ ନୁହଁ କି ସେଥିପାଇଁ ଜଣେ ବାପା ହେବା ଆବଶ୍ୟକ ନୁହଁ ଲେଖକର ଜୀବନକୁ ଦେଖିବାର ଗଭୀରତା ଓ ତାକୁ ଶବ୍ଦାୟିତ କରିବାର ନିଖୁଣତା ହିଁ ଦୁଃଖକୁ କାଳୋତୀର୍ଣ୍ଣ କରେ । ବେଦନାର କାଳୋତୀର୍ଣ୍ଣ କରିପାରିବାର କାରୀଗରୀ ହିଁ ପ୍ରାସଙ୍ଗିକତା ତିଆରି କରେ । କାଳଜୟୀ ଭାବରେ ବିବେଚିତ ପ୍ରତିଟି ସାହିତ୍ୟରେ ସଂବେଦନା ଲୁଚି ରହିଥାଏ । ମଣିଷର ଗୁଣାବଳୀ ଓ ଭାବର ମୃତ୍ୟୁ ନାହିଁ । ଦୁଃଖ ସୁଖ ହସକାନ୍ଦ ପ୍ରେମ , ପ୍ରତାରଣ ,ବେଦନା,ସମବେଦନା,ସଂବେଗ, ସମ୍ବେଦନଶୀଳତା ପରି ମାନବୀୟ ଭାବ ଚିରକାଳ ମଣିଷ ଭିତରେ ରହିଛି । କୁଶଳୀ ସ୍ରଷ୍ଟା ସ୍ବକୀୟ କାଳଜୟୀ କୃତିରେ ମଣିଷର ସେହି ଭାବାବେଗ ଓ ସଂବେଦନାକୁ ପରିପ୍ରକାଶ କରନ୍ତି । ଧୂଳିଆ ବାବା ତାର ଶଠତା ପାଇଁ ବଞ୍ଚିନି ବଞ୍ଚିଛି ଲେଖକର ଠକାମି ବିପକ୍ଷରେ ଘୋଷଣା କରିଥିବା ନୀରବ ବିପ୍ଲବ ପାଇଁ । ହୁଏତ ଆସନ୍ତାକାଲି ସମାଜରୁ ଠକାମି ହଜିଯାଇ ପାରେ ତା ଅର୍ଥ ନୁହଁ ଯେ ଧୂଳିଆବାବାର ଆବେଦନ କମିଯିବ । ଧୂଳିଆବାବା ଏକ ନିର୍ଦ୍ଦିଷ୍ଟ କାଳଖଣ୍ତର ଏକ ନିର୍ଦ୍ଦିଷ୍ଟ ଭୁଖଣ୍ତରେ ଘଟିଥିବା ମାନବୀୟ ପ୍ରତିକ୍ରିୟାର ନାନ୍ଦନିକ ଇତିହାସ ହୋଇ ରହିଗଲା । ଭବିଷ୍ୟତରେ ମଣିଷ ଯେତେବେଳେ ପଛକୁ ଚାହିଁବ ଏ ସାହିତ୍ୟ କୃତି ତାଙ୍କୁ ତାଙ୍କର କ୍ରମୋନ୍ନତି ସୂଚାଇବ ।

ସୁତରାଂ , ସାହିତ୍ୟର ମୂଳ ଧର୍ମ ହେଉଛି ରସବୋଧ ସୃଷ୍ଟିକରିବା ଏବଂ ତାହା ମାନବୀୟ ସମ୍ବେଦନାକୁ ନେଇ ସଫଳ ପରିପ୍ରକାଶ ଘଟାଇ ପାରିଥିବା ପ୍ରତ୍ୟେକ ସାହିତ୍ୟ ପ୍ରାରୂପ କାଳଜୟୀ ଏବଂ ପ୍ରତ୍ୟେକ କାଳଜୟୀ ରଚନା ଚିରକାଳ ପ୍ରାସଙ୍ଗିକ ।