'ରାଣ୍ତିପୁଅ ଅନନ୍ତା' ଗପ ପଢିସାରିଲା ପରେ

ଓଡିଆ ଗଳ୍ପର କଥନଶୈଳୀ ଓ କାରିଗରୀକୁ ନେଇ "ଗଳ୍ପଶିଳ୍ପ"ର ପରିକଳ୍ପନା । ଓଡିଆ ଗପର ନିର୍ମାଣ ଓ ଶୈଳିତାତ୍ତ୍ଵିକ ବିଶ୍ଳେଷଣ ପାଇଁ ଏହି ସ୍ତମ୍ଭରେ ଆଲୋଚନା କରୁଛନ୍ତି ତରୁଣ ଗବେଷକ ଓ ଆଲୋଚକ ଆଲୋକ ରଞ୍ଜନ ଷଡଙ୍ଗୀ ।


କିଛି ନ କହି ନୀରବରେ ଚାଲିଯାଇଥିବା ଦେବକୀ ଗଉଡୁଣୀ ମୋ ଛାତି ଭିତରେ କୋଳାହଳଟିଏ ଭର୍ତ୍ତି କରିଦେଇ ଯାଇଛି ଯେ ତା'ଠୁ ନିସ୍ତାର ପାଇବା ସହଜ ଲାଗୁନି । କାହିଁକି ଗଗନ ପବନ ଏକାକାର କରି କହିଲାନି "ମୋ ପୁଅକୁ କଉଠି ଲୁଚାଇଛ ଆଣିଦିଅ, ନହେଲେ ଜାଣିଥାଅ କାଲି ସକାଳେ ପିତଳ ବାହିରେ ତମ ମୁଣ୍ତ ସବୁ ଚୁନା କରିଦେବି । କାହିଁକି କହିଲାନି ଦେବକୀ ? କାହିଁକି ? କାହିଁକି ?

ଠାକୁରାଣୀ ମଇଁଷିପଳରେ ପଶି ଛିନ୍ ଛତର୍ କରିଦେଲା ପରେ ଅଣ୍ଟାଭାଙ୍ଗି ବସିପଡିଥିବା ସୁବଳକୁ ଏ ଦେବକୀ କହିଥିଲା ଟି "କିରେ ମହାକୁଡ ତୁ ଏମିତି ବସି ଭାବୁଛୁ କ୍ୟାଁ ? ଅଣ୍ଟା ବସିଗଲାଣି ! ଓ ହୋ । ଏ ଲାଗି ଗୋଟେ ଭାବନା ? ଯା ହବାର ହେଲା । ଆରେ ମୋ ଭାଇ ଗୋଠରୁ, ବୃନ୍ଦା ବାରିକ ଗୋଠରୁ ଦୁଧ କାଟ ଆଣି ଲଗାଇ ଦେବି ବେପାର । ବର୍ଷ ଦି'ଟା ଭିତରେ ଯେ ପଲକୁ ସେ ପଲ ଗୋଟି ଗୋଟି ଗଣିନେ ।' ଦେବକୀର ଏମିତି ଦମ୍ଭୋକ୍ତିରେ ସଳଖି ଉଠିଥିଲା ସୁବଳ ମହାକୁଡ । ଅସୀମ ଧୈର୍ଯ୍ୟ ଓ ସାହସକୁ ଆଶ୍ରେ କରି ଜୀବନଟିଏ ତୋଳିବାର ଅଦ୍ଭୁତ କାରିଗରୀ ଶିଖିଥିବା ଗଉଡୁଣୀ ପଛକୁ କେବେ ଫେରି ଚାହିଁନି କି କଉଠି ସ୍ଥିର ହୋଇ ସ୍ଥାଣୁ ହୋଇଯାଇନି । ସେଠାଣୀରୁ ସିଂହାଣୀ ହବାର ଚରମ ସଫଳତା ପରେ ଅଚାନକ ମାଡ଼ି ଆସିଥିବା କାଳଜରରେ ସୁବଳ ମହାକୁଡ ଚାଲିଗଲା । ବୈଧବ୍ୟ ଯନ୍ତ୍ରଣା, ରାଣ୍ତ ବୋଲ‍ାଇବାର କଳଙ୍କିତ ପରିଚୟକୁ ବି କଠୋର ଛାତିରେ ଚାପି ରଖିଲା ସିନା ହାର୍ ମାନି ନଥିଲା କି ଏମିତି ନୀରବି ଯାଇ ନଥିଲା । ବରଂ ଚାରି ବର୍ଷର ପୁଅ ଅନନ୍ତାକୁ ଧରି ଗାଁ ମୁଣ୍ତ ନିଛାଟିଆ ଘରେ ସ୍ବପ୍ନ ଦେଖେ ରଜାଘର ଦୁଆରେ ବନ୍ଧା ପାଟହାତି ପିଠିରେ ତା ପୁଅ ବସି ନଗର ବୁଲୁଛି, ଜୟ ଜୟ କାରରେ ରାଇଜଟା ପ୍ରକମ୍ପିତ ହଉଛି । ମଝିରେ ମଝିରେ ନିଦ ଭାଙ୍ଗିଗଲେ ଅଧ‍ ସପନରୁ ଉଠି ଘଡିଏ ଯାଏ ପୁଅ ମୁହଁକୁ ମମତାର ଚକ୍ଷୁରେ ଅନାଇ ବିଭୋର ହେଉଥିଲା ଦେବକୀ ଗଉଡୁଣୀ । ଜିଭ କାମୁଡି କହୁଥିଲା 'ମା ଡାହାଣୀ ! ସୁନ୍ଦର ମୁହଁଟିକୁ ମୁଁ ଚାହୁଁଛି । ତାହା ବାଦେ ପୁଅ ଉପରକୁ ଛେପଟିକିଏ ପକାଇ ଦେଇ ତେତିଶିକୋଟି ଦେବଦେବୀକୁ ସୁମରଣା କରି ମଙ୍ଗଳ ମନାସୁଥିଲା ।

ଏବେ କିନ୍ତୁ ଦେବକୀର କୋଳଶୂନ୍ୟ । ଏବେ ଅନନ୍ତା ରାଣ୍ତିଦେବକୀର କେବଳ ନୁହଁ । ସେ ସର୍ବଜନ ସକଳ ହୃଦୟ ପ୍ରାଣର ପିତୁଳା । ସମସ୍ତଙ୍କର ଏକଇ କାମନା ଅନନ୍ତା ପରି ପୁଅ । ଅନନ୍ତା ଆଉ ସମାଜର ହୁଣ୍ତା - ଗୁଣ୍ତା, ଅଳପଇସିଆ କି ରାଣ୍ତିପୁଅ ନୁହେଁ ସେ ସର୍ବମଙ୍ଗଳର ପ୍ରତୀକ, ବିଶ୍ବମଙ୍ଗଳ ନିମିତ୍ତ ଜନ୍ମନେଇଥିବା ଅବତାରୀ । ତା ପାଇଁ ଚାରିଆଡେ ଧନ୍ୟ ଧନ୍ୟର ପ୍ରତିଧ୍ବନି । ସେ ଧନ୍ୟ ଧନ୍ୟର କୋଳାହଳ ଦେବକୀକୁ ନୀରବ କରିଛି ।

ଏମିତି କାଇଁ ଲାଗୁଛି ଦେବକୀକୁ ସଂପୂର୍ଣ୍ଣ ବୁଝି ନପାରିଲା ପରି । ଦେବକୀର ସେହି ନିରବତା ମତେ ବାଧ୍ୟ କରୁ୍ଛି ତାକୁ ଆଉଥରେ ନୂଆ ଭାବରେ ଚିହ୍ନିବାକୁ । ତାର କଠିନ ଆବରଣ ତଳେ ନିରୀହତାର ଝରଣାରୁ ଆଞ୍ଜୁଳାଏ ପବିତ୍ରତା ପାଇବାକୁ । ସାଧାରଣ ସିଂହାଣୀ ସମ୍ବୋଧନରେ ତାର ଖୁସି କେବେ ଦେଖିଛନ୍ତି ? କେମିତି ନିରୀହ ସେ ହସ ? କେତେ ନିରୀହ ସେ ବିଶ୍ବାସ ? ଆମ ଭିତରେ ଆମ ସହ ବଞ୍ଚୁଥିବା ମଣିଷମାନେ ସେ ନିରୀହତାର କ'ଣ କମ୍ ଫାଇଦା ଉଠାଇନାହାନ୍ତି ? ଛଳ କରି ଏ ସିଂହାଣୀ ଦହି ଦେଇ ଯା କହି ଆମେ କ'ଣ କମଥର ଦୁଇଚାରି ସଢେଇ ଦହି ଅଧିକ ମାଗିଛେ ? ତା ପିଠି ପଛେ ଆମେ ତାକୁ ତାଚ୍ଛଲ୍ଯ କରି ନାମ ଦେଇଛେ - ଦେବକୀ ଗଉଡୁଣୀ, ମହାକୁଡଣୀ, ତାଡକା ଅସୁରୀ, ନନ୍ଦିଘୋଷ ରଥ ଇତ୍ୟାଦି ଇତ୍ୟାଦି ଆଉ କେତେ କଣ ?

ପରିସ୍ଥିତି ଦେବକୀକୁ ଦମ୍ଭିଲା ହବା ଶିଖାଇଛି । ଘନଘନ ବିପଦ ମୁଣ୍ତରେ ପଡି ତାକୁ ଶକ୍ତ କରିଛି, ଜୀବନ ବଞ୍ଚିବାର ଇଚ୍ଛା ତାକୁ କଠୋର କରିଛି କିନ୍ତୁ ସ୍ନେହରେ ପଦେ କଥା ଶୁଣିଲେ ସେ ତରଳିଯାଇ ନିଜକୁ ସମର୍ପି ଦେଇଛି ? ପୁଅ ଅନନ୍ତାକୁ ଅପବାଦରେ ପୋତିଦଉଥିବା ଗାଁ ଲୋକଙ୍କ ମୁହଁରେ ଧନ୍ୟ ଅନନ୍ତା ଧନ୍ୟ ଧନ୍ୟ ଶୁଣି ତା କଠୋର ଆବରଣ ସ୍ନେହର ଧାରାରେ ରୂପାନ୍ତରିତ ହୋଇଛି । ସେ ସବୁ ମଣିଷଙ୍କୁ ଭଲପାଏ ନିଜର ଭାବେ ସେଥିପାଇଁ ବୋଧେ ପ୍ରାଣର ପିତୁଳାର ବଳିଦାନକୁ ନୀରବରେ ସ୍ବୀକାରି ନେଇଛି ।

ଏବେ ଏବେ ଭାର୍ଗବୀ ନଦୀର ସୁଅର ଦଶହାତ ତଳକୁ ମଇଁଷିମଣା ବାଉଁଶ ଠେଙ୍ଗାଟି ଭାସିଯାଉଥିବାର ଦେଖି ଫେରୁଛି । ଛାତିର କୋହ ଆଖିର ନିରବତା ଧରି ନଇକୁ ଡେଇଁଥିବା ଦେବୀଟିଏର ବିଶ୍ବମଙ୍ଗଳର ପ୍ରାର୍ଥନା ଶୁଣି ଫେରୁଛି ।