ଫଟୋ - ୱିକିପିଡିଆ

ଚରିତ୍ରମୟ ସଂସାରରେ ତମ ଆମ ପରି ଲେଖକ ବି ତା'ର ସର୍ଜକ ଜୀବନ ବଞ୍ଚୁଥାଏ । କିଛି ଚରିତ୍ରଙ୍କ ପ୍ରାଣ ସ୍ପନ୍ଦନର ଆକର୍ଷଣ ସେମାନଙ୍କୁ ଅଲଗା ଚରିତ୍ରଙ୍କଠୁ ଭିନ୍ନ କରେ ଏବଂ ସେମାନେ କ୍ରମଶଃ ଲେଖକର ଏକ ଏକ ଦୁର୍ବଳତା ସାଜନ୍ତି । ସେହି ପ୍ରିୟ ଚରିତ୍ରଙ୍କୁ ନେଇ ରହିଥିବା ଦୁର୍ବଳତାର ପ୍ରଖରତା ହିଁ ଲେଖକକୁ ଭିନ୍ନ ଘଟଣା, ଭିନ୍ନ କାହାଣୀରେ ଭିନ୍ନଭିନ୍ନ ଭୂମିକାରେ ସେମାନଙ୍କୁ ବାରମ୍ବାର ଅବତାରଣ କରେଇବାକୁ ପ୍ରବର୍ତ୍ତାଏ । ଲେଖକ ଫକୀରମୋହନ ବି ଯେ ସେହି ଦୁର୍ବଳତାଠୁ ଆଦୌ ମୁକ୍ତ ନୁହଁନ୍ତି । ଚମ୍ପା, ନିମା, ମାଳତୀ, ଗୁରୁବାରୀ, ମୁକୁନ୍ଦା, ଲଳିତା ଦାସ ପ୍ରମୁଖ ଚରିତ୍ର ତାର ସାକ୍ଷ୍ୟ । ଫକୀରମୋହନଙ୍କ କଥାକୁଟୁମ୍ବ ଭିତରେ ଏହି ଚରିତ୍ରଙ୍କୁ ପାଠକେ ଭିନ୍ନ ଭିନ୍ନ ଭୂମିକାରେ ଭିନ୍ନ ଭିନ୍ନ ଜାଗାରେ ଭେଟିଥିବେ ନିଶ୍ଚୟ । ସେହିପରି ଫକୀରମୋହନଙ୍କ ଏକ ଚରିତ୍ରକୁ ଅନୁସରୀ ଗଲାବେଳେ ଯେଉଁସବୁ ଦୃଶ୍ୟବୋଧ ହୃଦୟକୁ ଆହ୍ଲାଦିତ କରେ ତାକୁ ନେଇ ପଦେଅଧେ କହିବାର ଇଚ୍ଛାକୁ ମନରେ ମାରିଦେଇ ଏଡାଇ ଯାଇ ହେଉନି ।

ଚିତ୍ରାନାଗ ଭୟରେ ପଳାୟନ କଲାବେଳେ ଆପଣ ତାକୁ ଶେଷଥର ପାଇଁ ଦେଖିଥିବେ । ନାଁ'ଟି ତାର ପଦୀ । ଫକୀରମୋହନଙ୍କ ଖୁବ୍ ଗେହ୍ଲୀ ଝିଅ । ସେନାପତିଏ ଯେତେବେଳେ ଯଉ ଦାୟିତ୍ବ ଦେଇ ଦିଅନ୍ତି ଆଉ କୁହନ୍ତି ନିଖୁଣ ଭାବରେ ତୁଲେଇଦବାକୁ, ସେ ଖୁବ୍ ସରାଗର ସହ କୁହେ "ଆଜ୍ଞା ମଣିମା ! ଏ କଥା କଣ ଆଜି ପଦୀକୁ ଶିଖାଇଦେବେ ?" କୁହନ୍ତା ନାଇଁ କେମିତି ଯେ ସେତକ ତ ତାର ଗରବର ବିଷୟ ।

ଆପଣ ଭାବୁଥିବେ ପଦୀଟା ଗଣ୍ତମୂର୍ଖ, ନୂଆ କଥା, ନୂଆ ଶିକ୍ଷା, ନୂଆ ଦୀକ୍ଷା ତା' ଦିହକୁ ଯାଏନି, ଆଉ କେତେ କୁସଂସ୍କାର ତା ଭିତରେ ପୂରିଛି, ଫେର୍ ଫକୀରମୋହନଙ୍କର ଏତେ ଗେହ୍ଲା କାଇଁ ହେବ ଯେ ? ଦେଖନ୍ତୁ ଆଜ୍ଞା ! ବିଶ୍ବାସ ଅବିଶ୍ବାସ, ତର୍କ ବିତର୍କ, ଚିନ୍ତନ ମନନଗତ ପାର୍ଥକ୍ୟ ଉପରେ ପଦୀ ବି ମଣିଷଟେ । ଯଦି ସେ ଅନ୍ଧତାକୁ ନିଜର ଦାନାପାଣି ପାଇଁ ଜାବୁଡି ଧରିଥାଏ ସେଥିରେ ଅପରାଧ କଣ ? ପେଟ ପାଇଁ ସବୁ ନାଟଟି ! ସେ ତ କାହାକୁ ହତ୍ୟା କରୁନି, ଜାଣିଶୁଣି କାହାରି ଅନିଷ୍ଟ ତ କରୁନି, ଅୟୁତ ଅୟୁତ ବର୍ଷ ଧରି ସମାଜ ତା କାନରେ ଯାହା ସବୁ ଶିଖେଇଛି ସେ ମାନି ନେଇଛି, ଏତକ ତ ? ସବୁଠୁ ବଡ କଥା ତମକୁ ଆମକୁ ସିନା ସେ ଅନ୍ଧବିଶ୍ବାସ, କୁ - ସଂସ୍କାର ତା ବୋଲି ତ ପଦୀ ପାଇଁ ବି ତା ହେଉ ଏ କଥା ତ ହୋଇ ପାରିବନି । ତେମେ ଆମେ ଜାଣୁ କି ନଜାଣୁ କିନ୍ତୁ ଫକୀରମୋହନ ଠିକ୍ ଜାଣନ୍ତି ସବୁ ଆଧୁନିକତା ଗ୍ରାହ୍ୟ ନୁହଁ କି ସବୁ ପ୍ରାଚୀନତା ଅଗ୍ରାହ୍ୟ ନୁହଁ । ତେବେ ପୁରାତନମୁଖୀ, ମୂର୍ଖ କହି ପଦୀକୁ କାହିଁକି ବା ହତାଦର କରନ୍ତେ । ସେ ପଦୀର ମୁର୍ଖତା ଓ ପରସ୍ତ ପରସ୍ତ ପ୍ରାଚୀନତା ଭିତରେ ବି ଦେଖି ପାରିଥିଲେ ନିରୀହ ମୁହଁ ଓ ସେନେହୀ ହୃଦୟଟେ । ସେଥିପାଇଁ ପଦୀ ତାଙ୍କର ଖୁବ୍ ପ୍ରିୟ, ହଜାରେ ତ୍ରୁଟି ପରେ ବି ତାକୁ ଲୋଡୁଥାନ୍ତି ।

ପଦୀକୁ ଆଦର କରୁଥିବା ଫକୀରମୋହନ ତାର ଋଢ଼ିବାଦୀ ଚିନ୍ତାଚେତନା ପାଇଁ କମ ହଟହଟା ଯେ କରିନାହାନ୍ତି ତାହା ନୁହଁ । ପ୍ରଥମଥର ପାଇଁ ଯେତେବେଳେ ତମ ଆମ ସହ ଲେଖକ ତାକୁ ପରିଚିତ କରାଉଛନ୍ତି ସଭ୍ୟ ଜମିଦାରଙ୍କ ଉଆସରେ "ତେତେବେଳେ ପଦୀ ହାଣ୍ତିଏ ଗୋବର ପାଣି ଧରି କନା ଖଣ୍ତକରେ ଚୁଲି ଲିପୁଥିଲା । ଜୋତାର ଠକ୍ ଠକ୍ ଶବ୍ଦ ଶୁଣି ଯିମିତି ମୁହଁ ବଙ୍କାଇ ପଛକୁ ଚାହିଁ ଦେଇଛି, ଭାରି ପାଟିଟାଏ କଲା, 'ଆଲୋ ମୋ ମାଲୋ ! ଆଲୋ ବୋପାଲୋ ! ଜୋତା ମାଡି ହାଣ୍ତିଶାଳରେ ପଶିଲା ଲୋ ! ହାଣ୍ତିପାଗ ମାରା ଗଲା ଲୋ ! କନାଖଣ୍ତ ଫୋପାଡି ଦେଇ ଏକାମୁହଁ ଧାଇଁଛି । ଆଉ ଉଆସରେ କେହି କେବେ ତାକୁ ଦେଖି ନାହିଁ ।'

ଆଚ୍ଛା କହିଲେ, ଯେତେ ଶିକ୍ଷିତ ହେଲେ ବି ହାଣ୍ତିଶାଳକୁ କେହି କେବେ ଜୋତା ପିନ୍ଧି ଯାଏ । କେତେକେତେ ଗୁହମୁତ ଅସନା ଜାଗାରେ ପହଁରା ମାରି ନଥିବ, ବିଚାରୀ ପଦୀ କିମିତି ତାକୁ ବରଦାସ୍ତ କରିବ ଭଲା ? ଯଦି ସେ ବରଦାସ୍ତ ନକରି ପାରି ପ୍ରତିକ୍ରିୟାଟେ ଦେଲା ବୋଲି ତାକୁ ପରିହାସ କରି ମୂର୍ଖ କହିବା, ତେବେ 'ନୟନତାରା ଦୁଃଖ ପାସୋରା' ପାଠ ଦି ଅକ୍ଷର ପଢିଛି ବୋଲି ଠାକୁରଘର ରୋଷେଇଘର ଯୁଆଡେ ପାରିଲା ସିଆଡେ ଜୋତା ପିନ୍ଧି ପଶିଯିବାକୁ ଶିକ୍ଷିତା କହିବା କି ?

ସଭ୍ୟ ଜମିଦାରଙ୍କ ଉଆସ ଛାଡିଯିବାର ବରଷେ କାଳେ ହେବ ଫକୀରମୋହନ ପଦୀକୁ ପୁଣିଥରେ ଠାବ କଲେ ମାଧବ ମହାନ୍ତିଙ୍କ ଘର ମଧୁପୁରରେ । ଲେଖକ ଦେଖିଲେ ମାଧବ ମହାନ୍ତି କନ୍ୟାସୁନା ହାତେଇବାକୁ ଖୁବ୍ ବ୍ୟସ୍ତ ଓ ବିବ୍ରତ । ମହାନ୍ତିଏ ସ୍ତ୍ରୀ ମରିବାର ଚାରି ମାସ ଆଗେ ମହାନ୍ତିଏ ସାତଶହ ଟଙ୍କା କନ୍ୟାସୁନାରେ ଷାଠିଏ ବର୍ଷର ଗୋଟିଏ ବୁଢା ବରକୁ ସାଢେ ଆଠ ବରଷର କନ୍ୟାକୁ ଟେକି ଦେଇ ଗୌରୀଦାନର ଫଳ ଷୋଳପଣି ଅର୍ଜିଥିଲେ । ସେ କନ୍ୟାଟି ଏଗାର ବର୍ଷ ବୟସରୁ ବିଧବା । ତାପରଠୁ ସେ ଆଉ କେବେ ବାପଘର ଦେଖିନି । ବଡ ଝିଅ ସହ ଏମିତି କରୁଣଭରା ଘଟଣା ଘଟିଗଲା ପରେ ବି ମାଧବ ମହାନ୍ତିଙ୍କ ପଥୁରିଆ ଛାତି ଟିକେ ତରଳିନି । ସେଥିରେ ପୁଣି ସାନ ଝିଅ ମାଳତୀର ବାହାଘର କରି ସାତଶହ କନ୍ୟାସୁନା ପାଇବେ ବୋଲି କାମନା ପାଳିଛନ୍ତି । ସେ ଅତି ନିର୍ଲଜ ଓ ଅମଣିଷ ପରି କୁହନ୍ତି - "ଏତେ କଥା କିଏ ପଚାରୁଛି ହେ ? ପୁରୁଷ ପୁଅର ବୟସ କ'ଣ ଧରୋଟ ଭିତରେ ? ଅଶୀ ବର୍ଷର ପୁରୁଷ ବି ବିଭା ହୋଇପାରେ । ମୂଳ କଥାଟା ବୋଲନ୍ତୁ - ମୁଁ ଏବେ ଆପଣଙ୍କ କଥାରେ ଖାତରଜମା ହୋଇ ରହିଲିଟି ?"

ଏତେ ନିର୍ଦ୍ଦୟ ପ୍ରଥାକୁ ଫକୀରମୋହନଙ୍କ ଲେଖକୀୟ ପ୍ରାଣ କିମିତି ବା ସହିଥାନ୍ତା ଭଲା । ଫକୀରମୋହନ ଚିନ୍ତିଲେ ୟାର କିଛି ଗୋଟେ ଫଇସଲା କରିବାକୁ ହେବ ? ହେଲେ କରିବ କିଏ ? କିଏ ଏହି ଘୃଣ୍ୟ ବ୍ୟବସ୍ଥା ବିରୁଦ୍ଧରେ ଲଢେଇ ଲଢ଼ି ପାରିବ ? କିଏ କଳେବଳେ ଅବା କଉଶଳେ ଏ ଅମାନୁଷିକ ପଥରପଣକୁ ଭାଙ୍ଗି ସେଥିରୁ ସ୍ନେହ ପ୍ରେମର ଝରଣା ଝରାଇ ପାରିବ ? ସେନାପତିଙ୍କ ତୀକ୍ଷ୍ଣ ଦୃଷ୍ଟି ଓ ପ୍ରଖର ମସ୍ତିଷ୍କ ସେହି ମଧୁପୁର ଗାଁରେ ଠାବ ହୋଇଥିବା ପଦୀକୁ ନିର୍ବାଚନ କଲେ । ପଦୀକୁ ପୁଣିଥରେ ଭୂମିକାଟିଏ ଦବାକୁ ମନସ୍ଥ କରାଗଲା । ଏଥରକ କିନ୍ତୁ ନୂଆ ଭୂମିକା, ନୂଆ ପରିଚୟ । "ପଦୀ ଭଣ୍ତାରୁଣୀ ବିଧବା - ଘରକୁ ଏକୁଟିଆ । ଗୋଟିଏ ବୋଲି ଝିଅ ଥିଲା, ପାଞ୍ଚବର୍ଷ ହେଲା ବିଭାହୋଇ ଶାଶୁଘରେ ଅଛି ଗାଁ ମଝିରେ ଘର । ହେଲେ ତା'ର ବଡ ଛାତି, ଘରେ ଏକୁଟିଆ ଥାଏ, କାହାରିକୁ ଡରେ ନାହିଁ । ଗାଁ ଗୋଟାକ ଖଟେ । ମାଇକିନିଆମାନଙ୍କ ନଖ କାଟେ, ଗୋଡ଼ରେ ଅଳତା ଦିଏ । ପଦୀର ବୁଦ୍ଧି ଖୁବ୍ ଟାଣ, ପୁଣି ପାଞ୍ଚ ମାଇକିନିଆଙ୍କ ସାଙ୍ଗରେ ସବୁବେଳେ ରଜଘଷ ହେବାରୁ ସେ ଭାରି ଝିଟି ହୋଇଯାଇଛି । ସାକୁଲା ସାକୁଲି କରି ଗାଁ ଗୋଟାକ ମାଇକିନିଆଙ୍କୁ ପଟେଇ ରଖିଛି । ତାକୁ ସମସ୍ତେ ଭଲପା'ନ୍ତି । ଆଉ କଥା ଯାହାହେଉ, ତାର ମନ୍ଦ ଆଚରଣ ବୋଲି କେହି କେବେ ପଦେ ବୋଲି କହିନାହିଁ ।" ୟେ ହଉଛି ପଦୀର ନୂଆ ପରିଚୟ ।

ନୂଆ ପରିଚୟ ସହ ପଦୀ ପାଇଛି ନୂତନ ଦାୟିତ୍ବ । ସ୍ନେହ ସରାଗ ଟିକକ ପାଇବାକୁ ଝୁରି ହେଉଥିବା କଅଁଳିଲତା 'ମାଳତୀ' ହାତରେ ମୁଠାଏ ଅନ୍ନ ପ୍ରସାଦ ଗୁଞ୍ଜିଦେଇ ତା'ର ମାଆ ପାଲଟିଛି । ସୁଖରେ ଦୁଃଖରେ ପିଠି ଆଉଁସି ଆହା ମାଆରେ - ସୁନାରେ - ଚାନ୍ଦମଣିରେ କହି ବୋଧ କରାଇଛି ।ମାଳତୀ ଜୀବନରେ ଘଟିବାକୁ ଥିବା ସବୁଠୁ ବଡ ଅଘଟଣ ସମୟରେ ଢାଲ ପରି ଠିଆ ହୋଇ ମଠ ମହନ୍ତଙ୍କ ସହ ଉପାୟ ପାଞ୍ଚି କୋଠଚାକର ବିନୋଦିଆ ସହ ହାତଗଣ୍ଠି ପକାଇ ଦେଇଛି, ପଅଁଷଠି ବରଷର ବୁଢାବର ପାଇ ଭୋଗିବାକୁ ଥିବା ନର୍କମୁଖରୁ ନିରିମାଖି ଝିଅଟିକୁ ଉଦ୍ଧାରିଛି । ସତରେ ପଦୀର ଏ ପାରିବାପଣରେ ଫକୀରମୋହନ କେତେ ଆଶ୍ବସ୍ତି ଅନୁଭବ କରି ନଥିବେ ? ପାଠକମାନେ ବି ପଦୀର ମହତ କାମ ଦେଖି କଣ ଖୁସିରେ ବିଭୋର ହୋଇ ନଥିବେ ? ଜୟଜୟକାରରେ ପଦୀର ଗୁଣଗାନ କରି ବିଜୟ ଉତ୍ସବ ପାଳି ନଥିବେ ?

ଫକୀରମୋହନଙ୍କୁ ସେତେବେଳେ ସତୁରୀ ଉପରେ ହେଲାଣି । ସଂସାରର ଲଢ଼େଇରେ ସଂସ୍କାରକଟିଏ ଭାବରେ ଲଢ଼ି ଲଢ଼ି ତାଙ୍କ ଅସ୍ଥି ମଜ୍ଜାରେ ଥକାପଣ ଆସିଗଲାଣି । ବ୍ୟାଧିର ଯନ୍ତ୍ରଣା, ସଂସାରର ନାନା ଜଞ୍ଜାଳ ଓ ପୀଡନ ପୁଣି ନିଃସଙ୍ଗ ରୋଗଶଯ୍ୟାର ହତାଶଜନକ ପରିସ୍ଥିତି ମଧ୍ୟରେ କଲମ ପୋଷିବା କଷ୍ଟକର ବୋଧ ହେଲାଣି । ଆପଣାର କିଛି ଲୋକଙ୍କୁ ଚିଠିପତ୍ର କରିଲାବେଳେ ସେ ଏକଥା ମଧ୍ୟ ଜଣାଇ ଦେଲେଣି ଯେ "ମୁଁ ଜାଣେ ଆପଣ ମୋ ଗଳ୍ପ ପସନ୍ଦ କରନ୍ତି, ଅନ୍ୟ ଲୋକେ ପସନ୍ଦ କରନ୍ତି ଆପଣଙ୍କ ଚିଠିରୁ ଜାଣିଲି । ତେବେ ଆତ୍ମବତ୍ ମନ୍ୟତେ ଜଗତ୍ ଭଳିଆ କଥା ନୁହଁ ତ ? ଗଳ୍ପଟାକୁ ଯେତେ ସାରିବାକୁ ବସିଛି ତେତେ ବଢ଼ି ଯାଉଛି । ଆଉ ଦୁଇଘଣ୍ଟା ସମୟ ପାଇଲେ ସରିଯିବ । ନିରବଚ୍ଛିନ୍ନ ୨ଘଣ୍ଟା ବେଳ ପାଉଛି କାହିଁ ? ୫/୭ ମିନିଟ୍ ଲେଖି ଶୋଇପଡେ । ସବୁବେଳେ ଦେହରେ ଜ୍ବର ଭର୍ତ୍ତି । ପରିଶ୍ରମରେ କାତର । ଗତକାଲି ଗୋଟାକ ରାତି ଶୋଇ ନାହିଁ, ଉଠି ଖାଇ ନାହିଁ ।"

ଏହିପରି ପ୍ରତିକୂଳ ପରିସ୍ଥିତିରେ ଫକୀରମୋହନ ନିଜର ଶେଷ ଗପ ଲେଖୁଛନ୍ତି । ଲେଖିବାକୁ ହଜାରେ କଥା ଅଛି, ହଜାରେ ଦାୟିତ୍ବବୋଧ ଅଛି କିନ୍ତୁ ଦେହରେ ବଳ କ୍ଷୀଣ । ବାକିତକ ଅଳ୍ପ ସମୟରେ କିଛି ଅଧୁରା କାମ ନକଲେ ନଚଳେ । ଜାଳି ଦେଇଥିବା ନିଆଁକୁ ଆଶ୍ରୟ ନଦେଲେ ଡିଆଁ ମାରି ମାରି ସମାଜ ପୋଡି ପକାଇବ । ଉନ୍ନତି ବିମୁଖ ଶକ୍ତିଙ୍କୁ ମୁହଁଟାଣ କରି ଉଚିତ୍ ଜବାବ ନଦେଲେ ସମ୍ଭାବନାର ନୂତନ ସୂର୍ଯ୍ୟ ମ୍ଲାନ ପଡିଯାଇ ସକଳ ଜନ ଜୀବନକୁ ଅନ୍ଧକାରମୟ କରିଦେବ ।

ଫକୀରମୋହନଙ୍କୁ କିଛି ବଡ କରିବାର ଥିଲା । 'ନିଜେ ଆରମ୍ଭ କରିଥିବା ଯୁଦ୍ଧକୁ ଅଧାରେ ଛାଡି ଦେଇ ଉତ୍ତରାଧିକାରୀଙ୍କ ପାଇଁ ବିଷମଞ୍ଜି ପୋତିଦେଇଛନ୍ତି' ଏପରି ନିନ୍ଦା ଅପବାଦରୁ ମୁକୁଳି ଯିବା ସହ ଏକ ସୁସ୍ଥସମାଜ ଗଠନର ଚରମ ବାଣୀ ଲିପିବଦ୍ଧ କରିବାର ଥିଲା । ସେହି ପରିପ୍ରେକ୍ଷୀରେ ପୁଣିଥରେ ପୋଇଲି ପଦୀକୁ ଦାୟିତ୍ବ ଦିଆଗଲା । ଦାୟିତ୍ବଟା ହେଉଛି ଉଚ୍ଚଶିକ୍ଷିତ ମଦନମୋହନଙ୍କ ନବବିବାହିତ ସ୍ତ୍ରୀ ମୋହିନୀକୁ ସଣ୍ଠଣା ଶିଖାଇବା । ନିତାନ୍ତ ପରିତାପର ବିଷୟ, ଶିକ୍ଷାର ବିଶେଷ ପ୍ରଚଳନରେ ସ୍ତ୍ରୀଶିକ୍ଷାର ବହୁଳ ପ୍ରଚାର ପ୍ରସାର ଯୋଗୁଁ ପଦୀ - ଶ୍ରେଣୀ ଗୁଣବତୀମାନଙ୍କ ଦାନାପାଣି ସେତେବେଳକୁ ପ୍ରାୟ ଉଠିଗଲାଣି । ପଦୀକୁ ତା ଦାୟିତ୍ବ ଖୁବ୍ ଜଣା ତଥାପି ମଙ୍ଗଳପୁର ତାଲୁକର ଜମିଦାରାଣୀ ପଣତକାନିରେ ଆଖି ପୋଛି ପକାଇ କୁହନ୍ତି - "ଶୁଣ ପଦୀ, ମନି ତୋତେ ଲାଗିଲା । ବୁଝି ସାବଧାନ ! ଝିଅର ଢ଼ଙ୍ଗଢ଼ାଙ୍ଗ, ଲାଜ - ସରମ କଥାରେ ଯେମନ୍ତ କେହି ତୁଣ୍ତ ନ ଫିଟାଏ, ଆମ ବଂଶକୁ ନିନ୍ଦା ବୋଲଣା ନ ଆସେ !" ଏକରେ ତ ପାଠୁଆ ଗୁଡାଏ ସମାଜରେ ବାହାରିଯିବାରୁ ଧନ୍ଦା ମାନ୍ଦା ଚାଲୁଛି ଉପରେ ପୁଣି ସାଆନ୍ତାଣୀଙ୍କ ତାଗିଦା, ପଦୀ ନିଜ କାମରେ ଲାଗିପଡିଲା । ବାହାଘର ଦଶପନ୍ଦର ଦିନ ପୂର୍ବରୁ ପହଞ୍ଚିଯାଇ ଝିଅ କାହାକୁ ଧରି କି କଥା କହି କିପରି ବାହୁନିବ, ଶାଶୁଘରେ କେତେ ଓଢ଼ଣା ପକାଇ କିପରି ନଇଁନଇଁ ଚାଲିବ, କିପରି ଚୁ ଚୁ କଥା କହିବ ସବୁକଥା ଶିଖାଇ ଦେଇଥିଲା । ବାହାଘର ପରେ ଶାଶୁଘରେ ମୋହିନୀ ପାଖରେ ଜୋକ ପରି ଲାଗି ରହିଥାଏ ।

ମଦନବାବୁଙ୍କ ଇଚ୍ଛା ବୋହୂକୁ ପାଠ ପଢ଼ାଇବେ, ଦି ଜଣ ବସି ଟିକେ ହସଖୁସି ହେବେ, ସଞ୍ଜବେଳେ ତୋଟାରେ ବୁଲିବେ । ହେଲେ ପଦୀଟା ସବୁଥିରେ କଣ୍ଟା ହୋଇ ଠିଆ ହୁଏ । ମଦନବାବୁ ଶୁକ୍ରି ସହ ମିଶି ବୋହୂର ଲାଜସରମ ଦୂର କରି, ପଦୀକୁ ପାନେ ଦବାକୁ ଗାରୁଡିମନ୍ତ୍ର ପରି ଚକ୍ରବ୍ୟୁହଟେ ରଚୁଛନ୍ତି, ଏ କଥା ବିଚାରୀ ପଦୀ ଜାଣେ ନାହିଁ । ଦିନେ ଅନ୍ଧାର ସମୟରେ କବାଟକୋଣରୁ ଦେଢହାତ ଲମ୍ବା ସାପଟିଏ ବାହାରି ବୋହୂମାଁକୁ କାମୁଡିଛି, ମଦନବାବୁ ଗାରୁଡିମନ୍ତ୍ର ସାତଥର ଫୁଙ୍କି ବୋହୂ ଦେହରେ ସୂତାଟିଏ ବାନ୍ଧିଦେଲେ । କହିଲେ 'ଚିତ୍ରାନାଗ ସାପ ବିଷ ପାଞ୍ଚଦିନ ରହେ - ପାଞ୍ଚଦିନ ସକାଳ - ସଞ୍ଜ ମନ୍ତ୍ର ଫୁଙ୍କାଯିବ । ବୋହୂ ବେକରେ ଯେଉଁ ସୂତା ବନ୍ଧା ହୋଇଛି, ଶନିବାର ବଡି ସକାଳେ ଜଣେ ବିଧବା ସ୍ତ୍ରୀ ଅଧୁଆ ମୁହଁରେ ଡେବିରି ହାତରେ ସେ ସୂତା ଛିଣ୍ତେଇ ନେଇ ଏକମୁହାଁ ହୋଇ ଚାଲିଯିବ, ତିନିମାସ ତିନିପକ୍ଷ ତିନିଦିନ ଦେଖାଦବ ନାହିଁ ।" ମଦନବାବୁ ଯେ ଖଣ୍ତେ କାଗଜରେ କଳା ଆଉ ହଳଦୀରେ ଚିତ୍ର କରି ମିଛ ସାପଟିଏ ଗଢି ଏତେ କଥା ଭିଆଇଛନ୍ତି ଖାସ୍ ତାକୁ ତଡିଦବାକୁ ଏକଥା ନିଷ୍କପଟ ପଦୀ କାହୁଁ ଜାଣନ୍ତା । ଆତୁରରେ କହି ପକାଇଲା "ଆଉ କାହା ହାତରେ ହେବନାହିଁ, ମୁଁ ସୂତା ଛିଣ୍ତେଇ ନେଇ ଯିବି ।"

ଓଃ ! ଫକୀରମୋହନଙ୍କ କେତେବଡ ଦାୟିତ୍ବକୁ ପଦୀ ହାଲକା କରିଦେଲା । ନିଜେ ନୂତନ ଚେତନା ସାମ୍ନାରେ ହାରିଯାଇ ଫକୀରମୋହନଙ୍କ ବାଞ୍ଛିତ ନୂତନ ସଂସ୍କାରିତ ସମାଜ ଗଠନର ମୂଳପିଣ୍ତ ଥାପି ସେ ମୂଲକରୁ ଚାଲିଗଲା ।

ପଦୀର ଅନୁପସ୍ଥିତିରେ ମଦନମୋହନମାନେ ମୋହିନୀମାନଙ୍କୁ ପାଠ ପଢାଇ ଖୁସିରେ ଜୀବନଯାପନ କରୁଥିବାର ଦେଖି ପାଠକମାନେ ବେଶ୍ ଆନନ୍ଦିତ । ନିଜର ଦାୟବଦ୍ଧତାକୁ ସଫଳ ଭାବରେ ତୁଳାଇ ପାରିଥିବାରୁ ଲେଖକ ବି ଆତ୍ମାଶାନ୍ତି ଅନୁଭବ କରୁଥିବେ ନିଶ୍ଚୟ କିନ୍ତୁ କଉଠି ନା କଉଠି ପଦୀର ମୁର୍ଖତା, କୁ - ସଂସ୍କାରୀ ଚିନ୍ତାଚେତନା ସତ୍ତ୍ବେ ତାର ନିରୀହ ମଣିଷପଣର ଅଭାବରେ ଦୁଃଖିତ ମଧ୍ୟ ହେଉଥିବେ ।

ପଦୀ ଲୋ, ତୁ ଯଉଠି ଅଛୁ ଭଲରେ ଥା, ସମୟ ସୁବିଧା ଦେଖି ଦି ଚାରି ଅକ୍ଷର ଶିଖୁଥା ! ହଠାତ୍ ଦିନେ ଆତ୍ମଗୋପନରୁ ନିଜକୁ ନିଜଠୁ ମୁକୁଳାଇ ଭୁସ୍ କିନା ତୋରି ଦେଶର ତୋରି ଚିହ୍ନାଲୋକଙ୍କ ସାମ୍ନାରେ ଠିଆ ହୋଇ ଚମକାଇଦବୁ । ତୋର ସ୍ରଷ୍ଟା ପୁରୁଷ ଏବେ ତ ଆଉ ନାହାନ୍ତି ଯେ ତୋ ଫେରିବା ବାଟ ଚାହିଁବେ, ଆମେ ଓଡିଆ ଓଡିଆଣୀମାନେ ନିଜ ନିଜର ସକଳ ବ୍ୟସ୍ତତା ଭିତରୁ ସମୟ କାଢ଼ି ତୋର ସେ ନୂଆ ରୂପକୁ ନୂଆ ଚମକକୁ ଦେଖିବାକୁ ବାଟ ଚାହିଁ ବସିଛୁ ।

ବିଦ୍ର: - ଗାଳ୍ପିକ ଫକୀରମୋହନ ସେନାପତିଙ୍କ ଗପର ଚରିତ୍ରଗୁଡିକ ଏତେ ସାଧାରଣ ଓ ସହଜପ୍ରାପ୍ୟ ଯେ ତାଙ୍କ ସହ ପ୍ରଥମ ଭେଟ ହେଉଥିଲେ ବି ଆଗରୁ କଉଠି ଗୋଟେ ଦେଖିଲା ପରି ମନେହୁଏ । ବୋଧେ ଏହା ହିଁ ଫକୀରମୋହନଙ୍କ କଥାସାହିତ୍ୟର ବଡ ଲକ୍ଷଣ । ସେହିପରି ଏକ ଚିହ୍ନା ମୁହଁ ହେଉଛି 'ପଦୀ' । ଗାଳ୍ପିକ ଫକୀରମୋହନଙ୍କ ତିନୋଟି ଗପ ସଭ୍ୟ ଜମିଦାର, ମାଧବ ମହାନ୍ତିଙ୍କ କନ୍ୟାସୁନା ଓ ଗାରୁଡି ମନ୍ତ୍ରରେ ଏହି ପଦୀକୁ ଆମେ ଭେଟିଥାଉ ଭିନ୍ନ ଭିନ୍ନ ଭୂମିକାରେ । ସଭ୍ୟ ଜମିଦାରର ପଦୀ, ଗାରୁଡିମନ୍ତ୍ରର ପଦୀ ଉଭୟେ ପୋଇଲି ଓ ସହାୟକ ଚରିତ୍ର ହୋଇଥିବାବେଳେ ମାଧବ ମହାନ୍ତିଙ୍କ କନ୍ୟାସୁନାର ପଦୀ ହେଉଛି ବିଧବା ଧୋବଣୀ ଓ ଭୂମିକା ଦୃଷ୍ଟିରୁ ଖୁବ ମହତ୍ତ୍ବପୂର୍ଣ୍ଣ ଚରିତ୍ର । ତିନିଟାଯାକ ଗପରେ ପଦୀର ପରିଚୟ ଓ ଗୁରୁତ୍ବରେ ସାମାନ୍ୟ ପ୍ରଭେଦ ଥିଲେ ହେଁ ପଦୀ ଭିନ୍ନ ଭିନ୍ନ ତିନୋଟି ଚରିତ୍ର ନୁହଁ, ଏକ ଓ ଅଭିନ୍ନ ଚରିତ୍ର ପରି ମନେହୁଏ । ତିନିଗପର ପଦୀକୁ ଏକ ଓ ଅଭିନ୍ନ ମନେ କରି ହିଁ ଏ ପାଠକୀୟ ମନ୍ତବ୍ୟ ପ୍ରସ୍ତୁତ କରାଯାଇଛି ।