ଗଳ୍ପ ଅତ୍ୟଧିକ ଚରିତ୍ରଙ୍କ ମେଳିକୁ ସମ୍ଭାଳିପାରେ ନାହିଁ; ତେଣୁ ଗଳ୍ପରେ ଚରିତ୍ର ସ୍ବଳ୍ପ । କାହାଣୀଭାଗର ଗତିଶୀଳତା ପାଇଁ ପ୍ରମୁଖ ଚରିତ୍ରଙ୍କ ସହ ତାଙ୍କ ସଂସ୍ପର୍ଶରେ ଆସି ଘଟଣାକୁ ବେଗଟିଏ ଦେଉଥିବା ଚରିତ୍ରର ଲୋଡା ପଡେ । ସେହିପରି ଚରିତ୍ରଙ୍କୁ ଆଲୋଚନା ଭାଷାରେ ସହାୟକ ଚରିତ୍ର ବା ଗୌଣଚରିତ୍ର କୁହାଯାଏ । ମାତ୍ର ସ୍ରଷ୍ଟା ପାଖରେ ଏ ପ୍ରଭେଦ ନଥାଏ । ସ୍ରଷ୍ଟାଟିଏ ସୃଷ୍ଟିର ଖଣ୍ତ ବିଖଣ୍ତିତ ରୂପ ଦେଖେ ନାହିଁ, ତା ଆଖିରେ ସଦାସର୍ବଦା ପୂର୍ଣ୍ଣାଙ୍ଗ ସ୍ଥାପତ୍ୟ ହିଁ ଦେଖାଯାଏ । ସେ ଭଲ ଭାବରେ ଜାଣେ କଳାର ସୌନ୍ଦର୍ଯ୍ୟ ବିଖଣ୍ତନରେ ନୁହଁ ସଂପୂର୍ଣ୍ଣତାରେ ଥାଏ, ସାମଗ୍ରିକତାରେ ଥାଏ । ମୁଖ୍ୟ ଚରିତ୍ର, ସହାୟକ ଚରିତ୍ର, ନାରୀ ଚରିତ୍ର, ପୁରୁଷ ଚରିତ୍ର, ଶୋଷକ ଶୋଷିତ ଚରିତ୍ର ସମସ୍ତେ ମିଶିଗଲା ପରେ ହିଁ ଗଳ୍ପ ପୂର୍ଣ୍ଣତା ଲାଭ କରେ ।

ପ୍ରବାହିତ ଛୋଟ ଛୋଟ ଜଳଧାରା ନିରର୍ଥକ ନହୋଇ ଯେମିତି ଏକ ପୂର୍ଣ୍ଣାଙ୍ଗ ନଈର ଜଳ ପ୍ରବାହ ସୃଷ୍ଟି କରନ୍ତି, ସମାଜର ଅଗଣିତି ଜନସାଧାରଣ ଯେମିତି ମାନବର ଜୀବନ ଜାତକ ପ୍ରସ୍ତୁତ କରନ୍ତି, ଠିକ୍ ସେହିପରି କାହାଣୀଟିଏ ବିଭିନ୍ନ ଘଟଣାଦେଇ ସଞ୍ଚରିତ ହେଲାବେଳେ ପ୍ରବାହର ଗତିଶୀଳତାକୁ ଅନାହତ ରଖିବା ପାଇଁ ଯେଉଁ ଚରିତ୍ରମାନେ ଅଚାନକ ଅଦୃଶ୍ୟରୁ ଦୃଶ୍ୟ ହୋଇ ଘଟଣାର ପ୍ରବାହରେ ନିଜକୁ ସାମିଲ୍ କରନ୍ତି ସେମାନେ ହିଁ ଗୌଣ / ସହାୟକ ଚରିତ୍ର । ଏ ପ୍ରକାର ଚରିତ୍ରଙ୍କ ଗତି ନଥାଏ କି ପରିଣତି ବି ନଥାଏ । ଅଚାନକ ଅବତୀର୍ଣ୍ଣ ହୋଇ ନିଜର ଭୂମିକା ନିର୍ବାହ କରିସାରି ଅଚାନକ ପ୍ରତ୍ୟାବର୍ତ୍ତନ କରନ୍ତି । କିନ୍ତୁ ତାରି ଭିତରେ ମୁଖ୍ୟ ଚରିତ୍ରମାନଙ୍କର ମହତ୍ତ୍ବ ପ୍ରତିପାଦନ ସହ କଥାଭାଗର ବିଭିନ୍ନ ଗ୍ରନ୍ଥିମୋଚନ କରିଦେଇ ଯାଆନ୍ତି । ସୁତରାଂ ଗପ ହେଉକି ଜୀବନ ବ୍ୟାପ୍ତି ପାଇଁ ସହାୟକ ଚରିତ୍ରଙ୍କ ଆବଶ୍ୟକତା ନିହ‍ାତି ଜରୁରୀ ।

ଗୌଣ ଚରିତ୍ରର ବୈଶିଷ୍ଟ୍ୟ -

୧ - ମୁଖ୍ୟ ଚରିତ୍ରର ସହାୟକ ପୂର୍ବକ ଲେଖକର ଇପ୍ସିତ ଲକ୍ଷ୍ୟ ଯାଏଁ କଥାଭାଗକୁ ପହଞ୍ଚାଇବାରେ ସାହାଯ୍ୟ କରିଥାନ୍ତି ।

୨ - ଏ ପ୍ରକାର ଚରିତ୍ର ବହୁମୁଖି ବ୍ୟକ୍ତିତ୍ବର ଅଧିକାରୀ ନହୋଇ ଏକ ଜୀବନ ତଥା କାହାଣୀ ପ୍ରତି ତାଙ୍କର ଏକ ବା ଦିଓଟି ଲକ୍ଷଣ ହିଁ ପ୍ରକାଶ ପାଏ ।

୩ - କାହାଣୀରେ ଏ ପ୍ରକାର ଚରିତ୍ରଙ୍କ ଚାରିତ୍ରିକ ଲକ୍ଷଣ ଅପରିବର୍ତ୍ତନୀୟ ରହେ

୪ - ଏ ପ୍ରକାର ଚରିତ୍ରଙ୍କ ଜୀବନର ପିଛିଲା ଇତିହାସ ନଥାଏ ତେଣୁ ତାଙ୍କ ସଂପର୍କିତ ବିଶେଷ ଅବଧାରଣା ପାଠକ ପାଏ ନାହିଁ

୫ - ମୁଖ୍ୟଚରିତ୍ରମାନଙ୍କ ପରି ଏ ଚରିତ୍ରଙ୍କ ଭିତରେ ଭାବନାର ଜଟିଳତା ନଥିବାରୁ ତାଙ୍କ ଭିତରେ ଅନ୍ତରୀଣ ଦ୍ବ ନ୍ଦ୍ବ ବି ନଥାଏ

କାହାଣୀର କେନ୍ଦ୍ରବିନ୍ଦୁରେ ମୁଖ୍ୟ ଚରିତ୍ର ଥିବାରୁ ଗାଳ୍ପିକଙ୍କ ପାଖରେ ଅଧିକ ସୁଯୋଗ ଥାଏ ସେ ଚରିତ୍ରର ଦିଗ ବିଦିଗ ଦେଖାଇ ତାର ମହତ୍ତ୍ବ ପ୍ରତିପାଦିତ କରିବାର । ଆରମ୍ଭରୁ ସମାପ୍ତି ଯାଏଁ ମୁଖ୍ୟ ଚରିତ୍ରକୁ କେନ୍ଦ୍ରକରି କଥାଭାଗର ପରିବେଷଣ କରାଯାଉଥିବାରୁ ପାଠକ ସାମ୍ନାରେ ସେ ଚରିତ୍ରର ପରିଚୟ ଓ ଗୁଣାବଳୀକୁ ସ୍ପଷ୍ଟ ଓ ପ୍ରାଂଜଳ ଭାବେ ଉପସ୍ଥାପନ କରାଯାଇଥାଏ । ଏ ଦୃଷ୍ଟିରୁ ସହାୟକ ଚରିତ୍ରମାନେ ଅଲଗା, ସ୍ଥିତିଶୀଳ ଚରିତ୍ର ହୋଇଥିବାରୁ ଗଳ୍ପର ଏକ ନିର୍ଦ୍ଦିଷ୍ଟ ଘଟଣାରେ ସେମାନେ ସ୍ଥିର ରହି କଥାଭାଗର ଗତିଶୀଳତାରେ ସାହାଯ୍ୟ କରନ୍ତି ଏବଂ ସେତକ ପରେ କାହାଣୀର ପ୍ରବାହରେ ଲୀନ ହୋଇଯାନ୍ତି । କ୍ଷୀଣ ସମୟ ଓ ମୂହୁର୍ତ୍ତକର ଘଟଣାରେ ତାଙ୍କର ଉପସ୍ଥିତିକୁ ଚମକପ୍ରଦ କରିବା ସହ ତାଙ୍କର ଚାରିତ୍ରିକତା ସଂର୍ପକରେ ସବିଶେଷ ବିବରଣୀ ଦେବାର ସୁଯୋଗ ନଥାଏ, ମାତ୍ର ଜଣେ ପ୍ରଭାବଶାଳୀ ତଥା କୁଶଳୀ ସ୍ରଷ୍ଟା ତାର ଲେଖନୀ ଚାତୁରୀ ଏବଂ କଥନୀର ଭବ୍ୟଶୈଳୀରେ ସଂକୀର୍ଣ୍ଣ ମନେ ହେଉଥିବା ଚରିତ୍ରକୁ ବ୍ୟାପକତା ପ୍ରଦାନ କରିପାରେ । ସ୍ଥିର ଚରିତ୍ର ଭିତରେ ସଞ୍ଚରିଯିବାର ଔଜ୍ଜ୍ବଲ୍ୟ ଭରିଦିଏ ।

ଓଡିଆ କଥା ସାହିତ୍ୟର ନିର୍ମାତା ଫକୀରମୋହନ ସେନାପତିଙ୍କ ସୃଷ୍ଟିକୁ ଅନୁଧ୍ୟାନ କଲେ ଗୌଣଚରିତ୍ରଗୁଡିକର ପ୍ରଭାବଶାଳୀ ଚିତ୍ରାୟନ ଦେଖିବାକୁ ମିଳିଥାଏ । କ୍ଷଣିକ ପାଇଁ ଗଳ୍ପର କଥାଭାଗର ନିର୍ଦ୍ଦିଷ୍ଟ ଘଟଣାରେ ଅବତୀର୍ଣ୍ଣ ହୋଇଥିଲେ ମଧ୍ୟ ଫକୀର ମୋହନଙ୍କ ଲେଖନୀରେ ସେ ଚରିତ୍ରମାନେ ଏକ ଅପୂର୍ବ ଚମକରେ ଚମତ୍କୃତ ହୁଅନ୍ତି । ଫକୀର ମୋହନଙ୍କ ମୁଖ୍ୟ ଚରିତ୍ରଙ୍କ ପରି ତାଙ୍କର ଗୌଣଚରିତ୍ରମାନେ ମଧ୍ୟ ଆଜିସୁଦ୍ଧା ପାଠକଙ୍କ ଦୃଷ୍ଟିରୁ ଲିଭିଯାଇ ନାହାନ୍ତି । ଗଭୀର ଜୀବନାନୁଭୂତିର ଫଳସ୍ବରୂପ ଚରିତ୍ର ନିର୍ମାଣ କ୍ଷେତ୍ରରେ ଫକୀର ମୋହନଙ୍କ ସୂକ୍ଷ୍ମଦୃଷ୍ଟି ଏବଂ ତାଙ୍କ ଗଳ୍ପର କଥନଧର୍ମୀତା ଯୋଗୁଁ ଗୌଣ ତଥା ସହାୟକ ଚରିତ୍ରମାନେ ସଫଳ ଭାବରେ ଗଳ୍ପରେ ରୂପାୟିତ ହୋଇଥାନ୍ତି । ଚରିତ୍ରଙ୍କୁ ନେଇ ଏମିତି କିଛି ସୂକ୍ଷ୍ମ ଅନୁଭୂତି ଥାଏ ଯାହା ଲେଖିହୁଏନି କିନ୍ତୁ କହି ହୋଇଯାଏ ଯେହେତୁ ଫକୀର ମୋହନ ଗଳ୍ପରେ ଏକ କଥକ ରୂପରେ ଘଟଣା ପରିବେଶ ଓ ଚରିତ୍ର ବିବରଣୀ ପାଠକକୁ ଶୁଣାନ୍ତି ତାହା ଚରିତ୍ର ସଂପର୍କିତ ସେହି ସୂ୍କ୍ଷ୍ମାତିସୂକ୍ଷ୍ମ ଅବଧାରଣାକୁ ମଧ୍ଯ କଥାର ପ୍ରବାହରେ ପ୍ରାଞ୍ଜଳ ଭାବରେ କହିଦେଇଥାନ୍ତି ଯାହା ଫଳରେ କାହାଣୀର ମୁଖ୍ୟ ଗୌଣ ସମସ୍ତ ଚରିତ୍ର ସମ ଆବେଦନରେ ପ୍ରକାଶ ପାଆନ୍ତି । ମଣିଷ - ଚିହ୍ନରା ଗୁଣରେ ମାହିର ଫକୀର ମୋହନଙ୍କ ଗଳ୍ପଜଗତରେ ବିଚରଣ କରୁଥିବା ସମସ୍ତ ଚରିତ୍ରଙ୍କୁ ଲେଖକ ଭଲଭାବରେ ଜାଣନ୍ତି, ନିକଟରୁ ଚିହ୍ନନ୍ତି । ସେଥିପାଇଁ ଗଳ୍ପ ରଚନା ସମୟରେ ସେ କୌଣସି ଚରିତ୍ରକୁ ଏଡିଯାନ୍ତି ନାହିଁ । ଅଳ୍ପରେ ହେଉ ପଛେ ପାଠକଙ୍କ ସହ ସେ ଚରିତ୍ରର ପରିଚୟ କରାଇ ଦିଅନ୍ତି । ସେ ପରିଚୟ କରାଇବାର ଢଙ୍ଗ ଏତେ ନିଆରା ଯେ ଅଳ୍ପ ଭିତରେ ପାଠକ ଚରିତ୍ର ସମ୍ପର୍କିତ ଏକ ବିରାଟ ଅବଧାରଣାକୁ ଉପଲବ୍ଧି କରେ । ଏହି ଆଲୋଚନାରେ ଆମେ ଫକୀର ମୋହନଙ୍କ ସେହିପରି କିଛି ପ୍ରଭାବଶାଳୀ ସହାୟକ ଚରିତ୍ରଙ୍କ ଅବଲମ୍ବନରେ ଫକୀରମୋହନଙ୍କ ଗଳ୍ପକାରିତାକୁ ମୂଲ୍ୟାଙ୍କନ କରିବା ।

ହରି ସା (ରେବତୀ):-

" ହରି ସା ଘର ଗ୍ରାମ ମଝିରେ, ତାହାର ରୀତିମତ ଦୋକାନ ନାହିଁ, ଚାଉଳ ଡାଲି ଲୁଣ ତେଲ ରଖିଥାଏ; କୌଣସି ଦିନ ବିଦେଶୀ ଲୋକ ପହଞ୍ଚିଗଲେ କିଣନ୍ତି - କେବେ ହେଲେ ଗ୍ରାମଲୋକଙ୍କର ଦରକାର ହେଲେ କିଣନ୍ତି । ବୁଢୀ ଢାଳଟିଏ ଧରି ହରି ସା ଦୁଆରରେ ପହଞ୍ଚିଲା । ହରି ସା ବୁଢ଼ୀ ହାତରେ ଢାଳଟା ଦେଖି ଅର୍ଥଟା ବେଶ୍ ବୁଝିଗଲା । ବୁଢୀ ଆପଣାର ଅଭିପ୍ରାୟ ଜଣାଇବାରୁ ହରି ଢାଳଟା ହାତରେ ଧରି ଚାରିପାଖ ଦେଖି କହିଲା "ନାହିଁ ନାହିଁ, ମୋ ଘରେ ଚାଉଳ ନାହିଁ, ଆଉ ଏ କ'ଣା ରଖି କିଏ ଚାଉଳ ଦେବ । ହରି ଘରେ ଯେ ଚାଉଳ ନଥିଲା ତା ନୁହେଁ, ଦେବାକୁ ମଧ୍ୟ ଇଚ୍ଛା , ତେବେ ଶସ୍ତାରେ ନବା କଥା । *** ଢାଳଟି ଧରି ଉଠୁଛି ହରି କହିଲା "ଦିଅ ଦିଅ, ଢାଳଟି ଦିଅ, ଦେଖେ ଘରେ କ'ଣ ଅଛି । ହରି ଢାଳଟି ରଖି ଚାରିମାଣ ଚାଉଳ ଅଧମାଣ ଜାଇ କିଛି ଲୁଣ ଦେଲା ।"

ଉପରୋକ୍ତ ଘଟଣାର ବର୍ଣ୍ଣନାଟି ହେଉଛି ରେବତୀ ଗଳ୍ପର ଶେଷଭାଗର । ଚରିତ୍ର ହରି ସା କାହାଣୀର ଶେଷଭାଗ ବେଳକୁ କ୍ଷଣିକ ପାଇଁ ଅବତୀର୍ଣ୍ଣ ହୋଇ ପାଠକ ମାନସରେ ଯେଉଁ ଗଭୀର ରେଖାପାତ କରି ପାରିଛି ତାହା ଦେଖିବା ଯୋଗ୍ୟ । ଏହି ସଂକ୍ଷିପ୍ତ ଘଟଣା ପରିସର ଭିତରେ ଫକୀର ମୋହନ ହରି ସା ର ଯେଉଁ ଚାରିତ୍ରିକ ବିଶେଷତାକୁ ଦେଖାଇ ପାରିଛନ୍ତି ତାରି ଫଳସ୍ବରୂପ ହରି ସା ଏକ ପ୍ରଭାଶାଳୀ ଖଳନାୟକର ଭୂମିକାରେ ଅବତୀର୍ଣ୍ଣ ହେଲା ପରି ମନେ ହୁଏ । ହରି ସା ମାଧ୍ୟମରେ ଗଳ୍ପର କାହାଣୀ ପ୍ରବାହରେ ଲେଖକ ଆଉ ଏକ ଦୃଢ ଦ୍ବନ୍ଦ୍ବ ସୃଷ୍ଟିକରି ପାଠକର ଉତ୍କଣ୍ଠାକୁ ତୀବ୍ର କରିଛନ୍ତି । ଫକୀରମୋହନଙ୍କ ଚରିତ୍ର ନିର୍ମାଣର ଅଭିନବ କୌଶଳ ଏବଂ ଭାଷା ପ୍ରୟୋଗର ତୀକ୍ଷ୍ଣତା ଯୋଗୁଁ ହରି ସା ଏକ କଠୋର ଶୋଷକ ଶ୍ରେଣୀର ପ୍ରତିନିଧି ଭାବରେ ଗପରେ ଠିଆ ହୋଇ ପାରିଛି । ରେବତୀ ଗଳ୍ପରେ ମହାମାରୀ ଏକ ଅଦୃଶ୍ୟ ଖଳନାୟକ, ତେଣୁ ହୁଏତ ଗଳ୍ପରେ ଏକ ଦୃଶ୍ୟମାନ ଖଳଚରିତ୍ରର ଆବଶ୍ୟକତାକୁ ଉପଲବ୍ଧ କରି ଫକୀରମୋହନ ହରି ସା କୁ ଆଣିଛନ୍ତି । ହରି ସା ଚରିତ୍ର ଗପରେ ନ ଆସିଥିଲେ ବି ରେବତୀ ଗଳ୍ପ ପୂର୍ଣ୍ଣାଙ୍ଗ ହୋଇ ପାରିଥାନ୍ତା ମାତ୍ର ଗଳ୍ପରେ କେବଳ ଏକ ପ୍ରାକୃତିକ ବିପର୍ଯ୍ୟୟକୁ ଖଳନାୟକ ଭାବରେ ଦେଖାଇ ଦେଇଥିଲେ ଗଳ୍ପଟି ସେତିକି ଜୀବନ୍ତ ଲାଗିଥାନ୍ତା କି ଯେତିକି ହରି ସା ର ଉପସ୍ଥିତିରେ ଜୀବନ୍ତ ଲାଗେ ? ହରି ସା ଯଦିଓ ଗୌଣଚରିତ୍ରଟିଏ, ମାତ୍ର ତାର ଚାରିତ୍ରିକ ପ୍ରଭାବ ଖୁବ୍ ଶକ୍ତିଶାଳୀ ଓ ମର୍ମଭେଦି ।

ଡାକମୁନସୀର ପିଅନ-

ବାସୁଦେବ, ଅନନ୍ତା, ମଦନମୋହନ ପରି ଚରିତ୍ରଙ୍କୁ ଫକୀର ମୋହନ କେତେ ଘଟଣ ଅଘଟଣ ସହିତ ଲଢେଇ ନକରାଇଛନ୍ତି ? ତାଙ୍କ ପାଇଁ କେତେ ଅନୁକୂଳ ପ୍ରତିକୂଳ ପରିବେଶର ସର୍ଜନା ନକରିଛନ୍ତି ? ତାପରେ ଯାଇ ସିନା ସେମାନେ ପାଠକର ହୃଦୟରେ ଆଦର୍ଶବାଦୀ ମାନବତାବାଦୀ ମହତ୍ତର ଚରିତ୍ର ଭାବରେ ଅଧିଷ୍ଠିତ ହୋଇପାରଛନ୍ତି । ଏବେ ମନେପକାନ୍ତୁ ଡାକମୁନସୀ ଗଳ୍ପର ସେଇ ପିଅନ ଚରିତ୍ରଟିକୁ ଯାହାର ଆତ୍ମା ନିସୃତ ଗୋଟିଏ ଧାଡିରେ ପାଠକର ପ୍ରାଣ ତଲ୍ଲୀନ ହୋଇଯାଏ ।
ଗୋପାଳବାବୁ ବୁଢାକୁ କିଆବାଡରେ ଫିଙ୍ଗିଦେବା ଆଦେଶରେ ବ୍ୟଥିତ ପାଠକ ପ୍ରାଣକୁ ପିଅନର ସେଇ କଥା ପଦକ ବ୍ରହ୍ମାନନ୍ଦ ସହୋଦର ପରି ମନେହୁଏ ନାହିଁକି ? "କ'ଣ ଏ ? ବୁଢା ରୋଗୀଟାକୁ କିଆବାଡିରେ ଶୁଆଇ ଦେବି !" ଏଇ ଛୋଟ ସଂଳାପ ଭିତରେ ମଣିଷପଣିଆର ମହାଦ୍ରୁମଟେ ନିଜର ଶାଖା ପ୍ରଶାଖା ମେଲିଦେଲା ପରି ଅନୁଭବ ହୁଏ । ବାବୁଙ୍କ ଆଦେଶରେ ପିଅନ ବୁଢାକୁ ଫିଙ୍ଗିଦେଇ ପାରିଥାନ୍ତା ମାତ୍ର ଫକୀରମୋହନଙ୍କ ପରି ସ୍ରଷ୍ଟାମାନେ ମଣିଷପଣିଆକୁ ନେଇ ଖୁବ୍ ଆଶାବାଦୀ । ସକଳ ଜୀବନ ଯନ୍ତ୍ରଣାର ହତାଶା ନିରାଶା ସତ୍ତ୍ବେ ସେମାନଙ୍କ ଦୃଷ୍ଟି ଆଶାର କଅଁଳ କିରଣ ଆଡେ ନିବଦ୍ଧ ଥାଏ । ପିଅନ ଚରିତ୍ରଟି ସେହି ମାନବୀୟ ଭାବାବେଗର ସଫଳ ବାହକ ହୋଇପାରିଛି ।

'ପେଟେଣ୍ଟ ମେଡିସିନ୍'ର ମକରା -

"ଉଠ ଭାଇ ମକ୍ରୁ ! ସାବାସ୍ ବାବା ମକ୍ରୁ ! ମେରି ଦୋସ୍ତ ମକ୍ରାମ୍ । ଶୁଣ ମକ୍ରା, ଉଠ ଉଠ ।" ଆପଣମାନେ ଭାବୁଥିବେ ଏହି ମକ୍ରୁ/ ମକ୍ରାମ୍ ନାମକ ବ୍ୟକ୍ତି ଚରିତ୍ର ଜଣକ ଜଣେ ସାହେବ, ଜମିଦାର ଅଥବା ଜମିଦାର ପୁତ୍ର ହୋଇଥିବ । ଏମିତି ଚିକଣିଆ ସମ୍ବୋଧନ ଶୁଣିଲେ ଯେକୌଣସି ଲୋକର ମନରେ ଏପରି ଭ୍ରମ ସୃଷ୍ଟିହେବା ସ୍ବାଭାବିକ କଥା । ଅସଲରେ ମକ୍ରୁ ଚରିତ୍ର ହେଉଛି ପେଟେଣ୍ଟ ମେଡିସିନ୍ ଗଳ୍ପରେ ଚନ୍ଦ୍ରମଣି ବାବୁଙ୍କ ଚାକର । ଗଳ୍ପରେ ମକରା ହେଉଛି ଏକ ଗୌଣ ଚରିତ୍ର ବା ସହାୟକ ଚରିତ୍ର । ସାଧାରଣତଃ ଗୌଣ ଚରିତ୍ରଙ୍କ ଭାବନାରେ ଜଟିଳତା ନଥିବାରୁ ତାଙ୍କର ଅନ୍ତରୀଣ ଦ୍ବନ୍ଦ୍ବ ବି ନଥାଏ । କିନ୍ତୁ ମକରା ଚରିତ୍ର ଭିତରେ କିଞ୍ଚିତ ଦ୍ବନ୍ଦ୍ବ ରହିଛି । ଗଳ୍ପରେ ମକରାର କାମ ହେଉଛି ବାବୁ ବାବୁଆଣିଙ୍କ ଆଦେଶ ପାଳନ କରିବା । ସ୍ତ୍ରୀ ସୁଲୋଚନାଙ୍କୁ ଠକି ଉସମାନତରା ପାଖକୁ ଚନ୍ଦ୍ରମଣିବାବୁ ଯିବା ସମୟରେ ତାଙ୍କ ବଦଳରେ ମକରା ଶାେଇବା, ସୁଲୋଚନା ଦେବୀଙ୍କ ହାତରେ ଧରାପଡି ସବୁ ସତ କଥା ମାନିଯିବା ଘଟଣା ଭିତରେ ମକରା ପାଠକଙ୍କ ପାଇଁ ହାସ୍ୟରସ ସୃଷ୍ଟିକାରୀ ଚରିତ୍ର ରୂପରେ ପ୍ରତିଷ୍ଠିତ ହୋଇ ସାରିଥାଏ । ଏହା ସହିତ ଫକୀରମୋହନ ସଂକ୍ଷିପ୍ତ ସମୟର ଘଟଣା ଭିତରେ ମକରାର ଯେଉଁ ମନସ୍ତାତ୍ତ୍ବିକ ଚିତ୍ରପଟକୁ ଉପସ୍ଥାପନ କରିଛନ୍ତି ତାହା ମକରାକୁ ଆହୁରି ସ୍ମରଣୀୟ କରେ । ବାବୁ ଚନ୍ଦ୍ରମଣିଙ୍କୁ ମନ୍ଦ କାମରେ ସହାୟତା କରିଥିବାରୁ ଦଣ୍ତ ଦେବା ପରିବର୍ତ୍ତେ ବାବୁଆଣୀ ସୁଲୋଚନା ଦେବୀ କଅଁଳେଇ କହିଛନ୍ତି - "ଆରେ ମକରୁ ! ତୁ ମାମୁଘରକୁ ଯିବୁ କହୁଥଲୁ ପରା ? ଯା - କାଲିଯିବୁ । ଏଇନେ ଚାରିଟଙ୍କା, ବାଟ ଖରଚ କରିବୁ, ଖଜା କିଣି ଖାଇବୁ । କାଲି ତୋତେ ଗୋଟାଏ ମାଣିଆବନ୍ଧ ଯଥା ଦେବି, ପିନ୍ଧିବୁ । ଉଛୁଣି କିଛି ପାଟି କର ନା - ଯା, ରୋଷେଇଘର କୋଣରେ ତୁନି ହୋଇ ବସିଥିବୁ ।"

ଦଣ୍ତ ପରିବର୍ତ୍ତେ ପୁରସ୍କାର ପାଇ ମକରା ପାଠକ ମନରେ କୌତୁକ ସୃଷ୍ଟି କରେ ।' ଖୁଦା ମେହେରବାନ୍ ତୋ ଗଧା ବି ପେହେଲ୍ ବାନ୍' ମକରା ପାଇଁ ଏ ଲୋକୋକ୍ତିଟି ଉପଯୁକ୍ତ ମନେହୁଏ । ଅଭାଗାର ଶିବ ପ୍ରାପ୍ତି ପରେ ତା ମନଭିତରେ କେଉଁ ପରି ପ୍ରତିକ୍ରିୟା ସୃଷ୍ଟହୋଇଥିବ ତାର ଏକ ସୂକ୍ଷ୍ମ ଦୃଷ୍ଟିସମ୍ପନ୍ନ ଚିତ୍ରପଟଟିଏ ଫକୀରମୋହନ ଭାଷାରେ ଆଙ୍କିଛନ୍ତି -"ମକରା ମନରେ କରିଥିଲା, ସାଆନ୍ତାଣି ବାଡ଼େଇ ପକାଇବେ । ଏ' କ'ଣ, ନଗଦ ସାଙ୍ଗେ ସାଙ୍ଗେ ଚାରିଟା ଟଙ୍କା, ପୁଣି ଯୋଡାଏ ଲୁଗା ମିଳିବ । ମନରେ ଆନନ୍ଦଟା ସମ୍ଭାଳି ପାରୁନାହିଁ । ସାଆନ୍ତଙ୍କ ଟଙ୍କା ପୁଞ୍ଜାକ ଅଣ୍ଟିରେ ଖୋସିଥିଲା; କାଢ଼ି ଏ ଟଙ୍କା ସାଙ୍ଗରେ ମିଳେଇ ଦୁଇଥର ତିନିଥର ଗଣିଲା । ଆଠଟଙ୍କା ଭଲରେ ଖୋସି ରୋଷେଇଘର କଣରେ ଲୁଚିଲେ ।"

ଗଳ୍ପକୁ ନିଠେଇ ଦେଖିଲେ ମକରା ଚରିତ୍ରର ବେଶୀକିଛି କାମ ନାହିଁ, ଆଦେଶ ମାନିବା ବ୍ୟତୀତ । ନିଜେ ସହାୟକ ଚରିତ୍ରଟିଏ ମାତ୍ର ତାରି ଚାରିତ୍ରିକ ମହତ୍ତ୍ବକୁ ମୁଖ୍ୟ ଚରିତ୍ରମାନେ ହିଁ ବିଶେଷଭାବରେ ପ୍ରସ୍ଫୁଟିତ କରିଛନ୍ତି । ଏହା ମଧ୍ୟ ଫକୀରମୋହନ ସେନାପତିଙ୍କ ଗଳ୍ପକାରିତାର ଏକ ସ୍ବାତନ୍ତ୍ର୍ୟ । ଏ ମକରା ଚରିତ୍ରର କଥାନକ (plot)ର ଗତିଶୀଳତାରେ ସହାୟକ ହେବା ସହ ମୁଖ୍ୟ ଚରିତ୍ରଙ୍କ ସହାୟତା ଲଭି ଏକ ଅବିସ୍ମରଣୀୟ ଚରିତ୍ରରେ ରୂପାନ୍ତରିତ ହୋଇଛି ।

ପଦୀ (ଗାରୁଡିମନ୍ତ୍ର)-

ଫକୀରମୋହନଙ୍କ ସାର୍ଥକ ଚରିତ୍ର ମଧ୍ୟରୁ ପଦୀ ଜଣେ । ସହାୟକ ଚରିତ୍ରଟିଏ ନିର୍ମାଣ କରିବାର ଅପୂର୍ବ କଳା କାରିଗରୀର ନିଦର୍ଶନ ଭାବରେ ପଦୀ ଚରିତ୍ରର ଦୃଷ୍ଟାନ୍ତ ଦିଆଯାଇପାରେ । ପଦୀ ହେଉଛି ଗାରୁଡିମନ୍ତ୍ର ଗଳ୍ପର ନାୟକ ମଦନମୋହନଙ୍କ ସ୍ତ୍ରୀ ମୋହିନୀର ଦାସୀ । ବାହାଘର ପରେ ମୋହନୀକୁ ଚଳଣି ଶିଖାଇବା ପାଇଁ ତାଙ୍କ ବାପଘର ଲୋକ ପଦୀକୁ ପଠାଇଛନ୍ତି । ମଦନମୋହନଙ୍କର ଇଚ୍ଛା ସ୍ତ୍ରୀ ସହ ସୁଖଦୁଃଖ ହେବେ, ପ୍ରେମପୂର୍ଣ୍ଣ ଭାବ ଦିଆନିଆ ହେବେ ମାତ୍ର ସେଥିରେ ପଦୀ ଚରିତ୍ର ବାଧକ ସାଜି କାହାଣୀରେ ଦ୍ବନ୍ଦ୍ବ ସୃଷ୍ଟି କରିଛି । ଏହି ପଦୀଠୁ ସ୍ତ୍ରୀକୁ ମୁକ୍ତ କରି ମନମୁତାବକ ତାକୁ ଗଢ଼ିବାକୁ ଯାଇ ମଦନମୋହନ ଚିତ୍ରନାଗ ଦଂଶନ ଓ ଗାରୁଡିମନ୍ତ୍ର ଦ୍ବାରା ଉପଶମର ପ୍ରହସନ ରଚିଛନ୍ତି । ଭୟାତୁର ପଦୀ ସାପୁଆ ମୂଲକରୁ ତ୍ରାହି ପାଇବା ପାଇଁ ପଳାୟନ କରିଛି । ପଦୀ ଚରିତ୍ର ଆଗମନ ପୂର୍ବରୁ ଗାରୁଡ଼ିମନ୍ତ୍ର ଗଳ୍ପ ଏକ ସମାନ୍ତରାଳ ଗତିରେ ପ୍ରବାହିତ ହେଲା ପରି ଲାଗେ । ମୁଖ୍ୟଚରିତ୍ର ମଦନମୋହନର ଆଧୁନିକ ଚିତ୍ତବୃତ୍ତି ସହ ପଦୀର ଋଢିବାଦୀ ବିଶ୍ବାସର ସଂଘର୍ଷ ହିଁ ଗଳ୍ପର ଉତ୍କଣ୍ଠାରେ ତ୍ରୀବ୍ରତା ଓ ରୋମାଞ୍ଚ ଆଣେ । ପଦୀର ପ୍ରଭାବ ଏତେ ଯେ, ସେ ଗୌଣଚରିତ୍ର ପରି ଲାଗେ ନାହିଁ ମାତ୍ର ଏକ ସଂକ୍ଷିପ୍ତ ଘଟଣାରେ ଅଚାନକ ଆସିବା, ଚାରିତ୍ରିକ ମହତ୍ତ୍ବରେ ଏକକ ବ୍ୟକ୍ତିତ୍ବର ପରିପ୍ରକାଶ କରିବା, ମୁଖ୍ୟଚରିତ୍ରର ଚାରିତ୍ରିକ ବିଶେଷତ୍ବକୁ ଉଜ୍ଜୀବିତ କରିବା ଇତ୍ୟାଦି ଗୁଣରୁ ସେ ଏକ ଗୌଣଚରିତ୍ର ।

ଏହି ସମସ୍ତ ଚରିତ୍ରଙ୍କ ବ୍ୟତୀତ ଫକୀରମୋହନଙ୍କ 'ରେବତୀ' ଗଳ୍ପର ବନାସେଠୀ, ରେବତୀ'ମା , 'ସଭ୍ୟଜମିଦାର'ର ପଦୀ , 'ପାଠୋଇବୋହୂ'ର ଅର୍ଜୁନା, ସୁନାବୋହୂର ଅନିଆଇ, ଗାରୁଡିମନ୍ତ୍ରର ଶୁକ୍ରି ପରି ଅନେକ ଗୌଣ ଚରିତ୍ର ନିଜ ନିଜ ଚମକ ଘେନି ପାଠକୀୟ ଶ୍ରଦ୍ଧା ଲାଭ କରି ପାରିଛନ୍ତି ।

ତେବେ ଏଇଠାରେ ପ୍ରଶ୍ନଟିଏ ମନକୁ ଆସିବା ସ୍ବାଭାବିକ ଯେ ଗୌଣଚରିତ୍ର ନିର୍ମାଣରେ ଫକୀରମୋହନଙ୍କ ବିଶେଷତ୍ବଟି କ'ଣ ?

ଫକୀରମୋହନଙ୍କ ଗୌଣଚରିତ୍ରଙ୍କୁ ସହୃଦୟତାର ସହ ପଢିଲେ ଜାଣି ହେବ ଯେ ଗାଳ୍ପିକ ଗୌଣଚରିତ୍ରଗୁଡିକୁ କାହାଣୀର ଗତିଶୀଳତାର ଅକ୍ଷୁଣ୍ଣତା ପାଇଁ ପ୍ରୟୋଗ ନକରି ସେ ଚରିତ୍ରଙ୍କୁ ଏକ ପ୍ରାଣବନ୍ତ ଚରିତ୍ର କରିବାର ପ୍ରୟାସ କରିଛନ୍ତି । ହରି ସା, ମକରା, ପିଅନ, ପଦୀ, ଅର୍ଜୁନା ଶୁକ୍ରି ଏ ଗୌଣଚରିତ୍ରମାନେ ବ୍ୟବହାର ଯୋଗ୍ୟ ଜଡବସ୍ତୁ ନୁହନ୍ତି । ଅଳ୍ପକାଳ ହେଲେ ମଧ୍ୟ ଜୀବନ୍ତ ରୁହନ୍ତି । ଫକୀରମୋହନ ଗୌଣଚରିତ୍ରଙ୍କୁ ବସ୍ତୁ ନଭାବି ଦୁନିଆରେ ଚଳପ୍ରଚଳ ହେଉଥିବା ଏକ ଏକ ମଣିଷ ଭାବି ଗଳ୍ପରେ ଠିଆ କରାଇଛନ୍ତି । ସବୁଠୁ ବଡ କଥା ହେଲା ଫକୀରମୋହନ ତାଙ୍କର ସମସ୍ତ ଗୌଣଚରିତ୍ରଙ୍କ ଶକ୍ତି ସାମର୍ଥ୍ୟ ଓ ଦୋଷଦୁର୍ବଳତା ସଂର୍ପକରେ ଖୁବ୍ ସଚେତନ । ଚରିତ୍ରମାନଙ୍କର ସେହି ଶକ୍ତି ଓ ଦୁର୍ବଳତା ଜାଣିଗଲା ପରେ ତାଙ୍କୁ ନେଇ ଲେଖକର ଦୃଷ୍ଟିଭଙ୍ଗୀରେ ଗଭୀରତା ଆସିବା ସ୍ବାଭାବିକ କଥା । ଏହାହିଁ ହେଉଛି ଗୌଣଚରିତ୍ର ନିର୍ମାଣ ଜନିତ ସେନାପତୀୟ ଗଳ୍ପକାରିତା ।