ଓଡ଼ିଆ ସାହିତ୍ୟରେ ଫକୀରମୋହନ ଏମିତି ଜଣେ ବ୍ୟକ୍ତିତ୍ବ ଥିଲେ ଯିଏ ସାହିତ୍ୟ ପରମ୍ପରାକୁ ଏକ ନୂଆ ମୋଡ ପ୍ରଦାନ କରିଥିଲେ । ତାଙ୍କ ପୂର୍ବବର୍ତ୍ତୀ ସାହିତ୍ୟର ବିଷୟ ମୁଖ୍ୟତଃ ରାଜସତ୍ତା, ରାଜପୁରୁଷ ଓ ଦରବାରୀ ଆଭିଜାତ୍ୟ ବର୍ଗର ସୌନ୍ଦର୍ଯ୍ୟବୋଧ ଆଶ୍ରିତ ଥିଲା । ଫକୀରମୋହନ ପ୍ରଥମ କରି ଏହି ପରମ୍ପରାକୁ ସାମାନ୍ୟ ଜନତାଙ୍କ ଆଡକୁ ମୋଡିଲେ । ତାଙ୍କ ସହିତ ଓଡ଼ିଆ ସାହିତ୍ୟରେ ମଧ୍ୟ ଏକ ନବୀନଯୁଗର ଆରମ୍ଭ ହେଲା । ସାହିତ୍ୟିକ ନାୟକ ପରିକଳ୍ପନାଠୁ ବିଷୟ ସଂଯୋଜନ ଯାଏ ସେ ଏକ ନୂତନଧାରାର ନିର୍ମାତା । କହି ପାରିବା ଫକୀରମୋହନ ଓଡ଼ିଆ ସାହିତ୍ୟର ପ୍ରଥମ ଲେଖକ ଯିଏ ସାଧାରଣ ଜନସମାଜର ସମସ୍ୟା, ସୁଖଦୁଃଖ ଓ ସଂଘର୍ଷର ଅଜୟଗାଥାକୁ ନିଜର ସାହିତ୍ୟର ବିଷୟ ଭାବରେ ନେଲେ । ସେହି ସବୁ ବିଜୟଗାଥାର ନିଦର୍ଶନ ହେଉଛି ଫକୀରମୋହନ ସେନାପତିଙ୍କ କଥା ସାହିତ୍ୟ ।

ପାଶ୍ଚାତ୍ୟ ଗଳ୍ପଲିଖନ କଳାକୌଶଳକୁ ମାନଦଣ୍ତ ଦୃଷ୍ଟିରେ ରଖି ଫକୀରମୋହନଙ୍କ କ୍ଷୁଦ୍ରଗଳ୍ପକୁ ଆଲୋଚନା କଲେ ସେଥିରେ ଅନେକ ପ୍ରକାର କଳାତ୍ମକ ତ୍ରୁଟି ବିଚ୍ୟୁତି ଦେଖିବାକୁ ମିଳିପାରେ । ତାଙ୍କ ଗଳ୍ପକଳା ସଂପର୍କିତ ବିଚାର ବିମର୍ଶ ସମୟରେ ନଟବର ସାମନ୍ତରାୟ, ସୁରେନ୍ଦ୍ର ମହାନ୍ତି, ଚିନ୍ତାମଣି ଦାସ, ମାୟାଧର ମାନସିଂଙ୍କ ପରି ସମାଲୋଚକମାନେ ଦୋଷପୂର୍ଣ୍ଣ ଶିଳ୍ପବିଧି ଏବଂ ଅତିନାଟକୀୟ ପ୍ରସଙ୍ଗକୁ ସୂଚିତ କରିଥାନ୍ତି । ଅନେକେ ତାଙ୍କ କ୍ଷୁଦ୍ରଗଳ୍ପର ବିଚିତ୍ର ସଂଯୋଗ, ଅସମ୍ଭବ ପରିସ୍ଥିତି, ଦୀର୍ଘ ବକ୍ତବ୍ୟ, ନିରର୍ଥକ ପ୍ରସଙ୍ଗର ବର୍ଣ୍ଣନାକୁ ଗଳ୍ପକଳାର ବାଧକ ଭାବରେ ବିବେଚନା କରନ୍ତି । ଦୋଷଦୁର୍ବଳତା ସହ ତା ପଛରେ ରହିଥିବା କାରଣଗୁଡିକ ସଂପର୍କରେ ମଧ୍ୟ ସ୍ପଷ୍ଟ କରିନ୍ତି । ୧ - ଅତିକ୍ରାନ୍ତ ବୟସ ସହ ରୋଗଗ୍ରସ୍ତ ଜୀବନ, ୨ - ଗଳ୍ପ ପରମ୍ପରାର ଶକ୍ତିଶାଳୀ ନିଦର୍ଶନର ଅଭାବ, ୩ - ପତ୍ରପତ୍ରିକାକୁ ଲେଖା ଯୋଗାଇଦେବା ପ୍ରତି ରହିଥିବା ଦାୟିତ୍ବବୋଧ ଇତ୍ୟାଦି । ଏକ ନିର୍ଭୁଲ୍ ଓ ଶାସ୍ତ୍ରୀୟ ବ୍ୟାକରଣ ଧରି ଫକୀରମୋହନଙ୍କ ଗଳ୍ପରେ ତାର ସାର୍ଥକ କଳାତ୍ମକ ପ୍ରୟୋଗ ଖୋଜି ବସିଲେ ନିରାଶ ହେବା ସ୍ବାଭାବିକ । ତେଣୁ ଗଳ୍ପକଳା ଦୃଷ୍ଟିରେ ଫକୀରମୋହନଙ୍କୁ ମୂଲ୍ୟାଙ୍କନ କରିବା ଅପେକ୍ଷା ଫକୀରମୋହନଙ୍କ ଦୃଷ୍ଟିରେ ଗଳ୍ପକଳାର ପରିଭାଷାଟି କ'ଣ ତାହା ବିଚାର କରିବା ଯୁକ୍ତିଯୁକ୍ତ ହେବ ।

'ଗଳ୍ପ ଲେଖିବା କିଛି ଗୁରୁତର କାର୍ଯ୍ୟ ନୁହଁ, ପୃଥିବୀ ଗଳ୍ପମୟ' ଏହି ପରି ଅବଧାରଣାରେ ବିଶ୍ବାସ ରଖୁଥିବା ଫକୀରମୋହନଙ୍କ ଗପରେ ପରିପକ୍ବ ଜୀବନର ପାକଳ ଅନୁଭୂତି ସବୁକୁ ବଖାଣିବାର ପ୍ରୟାସ ଦେଖିବାକୁ ମିଳେ । ଘଟଣାଠୁ କେଇ ପାଦ ଦୂରରେ ଥାଇ ତା'ର ଧାରା ବିବରଣୀ ପ୍ରସ୍ତୁତ କଲାପରି ଫକୀରମୋହନଙ୍କ ଗଳ୍ପଗୁଡିକ ପଢିଲେ ଅନୁଭବ ହୁଏ । ନିଜର ଦୀର୍ଘ କର୍ମମୟ ଜୀବନର ଅନୁଭବ ଜନିତ ପୁଞ୍ଜିକୁ ଖଟେଇ ବିଭିନ୍ନ ଘଟଣାର ଚୟନ ଓ ତାର ସଂଯୋଜନା କରିଛନ୍ତି । ସେଥିପାଇଁ ଲାଗେ ଗଳ୍ପର ବିଷୟବସ୍ତୁୁ ତାଙ୍କ ଅଙ୍ଗେନିଭା ଅନୁଭୂତି ନିସୃତ ।

ଫକୀରମୋହନଙ୍କ ଗଳ୍ପକଳାରେ କଥାଭାଗର ଗୁରୁତ୍ବ ବେଶୀ କାରଣ ତାଙ୍କ ସାହିତ୍ୟରେ ଯୁଗଧର୍ମର ନୂତନ ଚଳଣି ପ୍ରତି ବକ୍ତବ୍ୟ ରହିଛି । ସେନାପତିଙ୍କ ବିଷୟଶିଳ୍ପ ସଂପର୍କରେ ଆମେମାନେ ସମସ୍ତ ଜାଣୁ । ଇଂରାଜୀ ଶିକ୍ଷା ଓ ସଂସ୍କାର, ନାରୀଶିକ୍ଷାର ପ୍ରଚାର, ଧର୍ମନାମରେ ଭଣ୍ତାମି, କନ୍ୟାସୁନାର ମରମଭେଦୀ ଯନ୍ତ୍ରଣା, ସୁରା ସାକୀର ପ୍ରଭାବ ଇତ୍ୟାଦି ଇତ୍ୟାଦି । ମାତ୍ର ତାଙ୍କ ଗପରେ ମୁଖ୍ୟ ବିଷୟ ଭାବରେ ସ୍ଥାନ ପାଇଥିବା ମହାମାରୀର କରାଳ ରୂପ ଓ ତଦଜନିତ ଆର୍ଥିକ ସଙ୍କଟାବସ୍ଥା ପରିସ୍ଥିତିକୁ ଅଣଦେଖା କରିଥାଉ । ରୋଗଗ୍ରସ୍ତ ସମୟରେ କିପରି ଭାବରେ ଆଧୁନିକତାର ନନ୍ଦିଘୋଷ ରଥ ଅଟକି ଯାଇଛି ତାହା ହିଁ ଫକୀରମୋହନଙ୍କ ଅଧିକାଂଶ ଗପର କଥାଭାଗ । ରେବତୀ ପରି ଗପକୁ ଦେଖିଲେ ନାରୀଶିକ୍ଷା ପ୍ରେମ ବାତ୍ସଲ୍ୟ ଏ ସବୁ ପ୍ରାସଙ୍ଗିକ ଭାବରେ ଆସିଛନ୍ତି । ଏଥିରେ ଗୁରୁତ୍ବପୂର୍ଣ୍ଣ ହେଉଛି ମହାମାରୀ । ମହାମାରୀ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଶ୍ୟାମବନ୍ଧୁ ମହାନ୍ତିଙ୍କ ପରିବାରର ଜୀବନଧାରା ହିଁ ଗଳ୍ପର ମୁଖ୍ୟ ବିଷୟ । ତା'ରି ପ୍ରଭାବରେ କିପରି ରେବତୀର ପ୍ରେମ ଶିକ୍ଷା ଅଧାରହୁଛି, ଜମିଦାର, ହରିସାହୁ ପରି ଶୋଷକମାନେ କିପରି ନିଜ ନିଜ ମାର୍ଗ ଅବଲମ୍ବନରେ ଶୋଷଣ କରୁଛନ୍ତି ଏ ସମସ୍ତ ଘଟଣା ପ୍ରାସଙ୍ଗିକ ଭାବରେ ମୁଖ୍ୟକଥା ଭାଗ ସହ ଜଡିତ ହେଉଛନ୍ତି ।

ଫକୀରମୋହନଙ୍କ କଥାଭାଗ ପ୍ରୟୋଗ ମୁଖ୍ୟତଃ ଦୁଇଟି ପର୍ଯ୍ୟାୟରେ ହୁଏ । ପ୍ରଥମ ପର୍ଯ୍ୟାୟର କଥାଭାଗରେ ସାଧାରଣ ଜୀବନ ପ୍ରବାହ ଏବଂ ଦ୍ବିତୀୟ ପର୍ଯ୍ୟାୟର କଥାଭାଗରେ ଆକସ୍ମିକ ଏକ ଚମକପ୍ରଦ ମୋଡ ଆସି ଗଳ୍ପକୁ ଚରମ ଆଡକୁ ନେଇଯାଏ । କଥକର ବିଭିନ୍ନ ଘଟଣା ଅବତାରଣା ଭିତରେ ମୁଖ୍ୟ କଥାଭାଗଟି ନିଜକୁ ବିସ୍ତାରିତ କରେ । କଥାଛଳରେ ଅନେକ କଥା କହିଗଲାବେଳେ ମୁଖ୍ୟ କଥାଭାଗଟି ସମତାଳ ରକ୍ଷା କରି ଚାଲେ । ମଣିଷ କେତେ ରକମ କାର୍ଯ୍ୟ କରିପାରେ କଥା ଛଳରେ ସେହି ଚରିତ ବର୍ଣ୍ଣନ ହିଁ ଫକୀରମୋହନଙ୍କ କଥାଭାଗ । ଏହି ବିଶିଷ୍ଟତା ପ୍ରତି ଇଙ୍ଗିତ କରି ଜେ.ଭି.ବୋଲଟନ୍ ଙ୍କ ମନ୍ତବ୍ୟ ହେଉଛି - "ମଣିଷର ମନ କେମିତି ଗଢି ଉଠେ ଏବଂ କେଉଁ କେଉଁ ସାମାଜିକ ଶ୍ରେଣୀଗତ, ସାଂସ୍କୃତିକ, ଅର୍ଥନୀତିକ ଓ ରାଜନୀତିକ ପରିସ୍ଥିତି ଯୋଗୁଁ ଭଲଗୁଣ ଫୁଟି ଉଠେ କିମ୍ବା ଲୁଚି ହୋଇପଡେ । ଅର୍ଥାତ୍ ଫକୀରମୋହନଙ୍କ ଗଦ୍ୟରଚନା ସାମୁହିକ ଭାବରେ କଲେ ଜଣାଯାଉଛି ଯେ ତାଙ୍କ ଗୋଟିଏ ମାତ୍ର ଚରିତ୍ର - ମଣିଷ ଏବଂ ଗୋଟିଏ ମାତ୍ର ପ୍ଲଟ୍ (Plot) - ମଣିଷ ମନ କେମିତି ଭଲ କିମ୍ବା ଖରାପ ଦିଗକୁ ଗଡି ଯାଇଛି ।" ମଣିଷ ମନର ଭଲ - ମନ୍ଦ ପ୍ରତି ଅତିକ୍ରମଣ ହିଁ ହେଉଛି ଫକୀରମୋହନଙ୍କ ଗଳ୍ପର କଥ୍ୟ ଏବଂ କଥାଭାଗ ହେଉଛି କଥ୍ୟକୁ ପରିପୃଷ୍ଟ କରୁଥିବା ବାହକ ମାତ୍ର । ଯେହେତୁ କଥ୍ୟ ହିଁ ମଣିଷ ମନର ଦୁଇଟି ପ୍ରତ୍ୟୟ (ଭଲମନ୍ଦ, ପାପପୁଣ୍ୟ ନୀତିଅନୀତି) ଆଧାରିତ କଥାଭାଗର ବିସ୍ତାର ମଧ୍ୟ ଦ୍ବିପାକ୍ଷିକ ହେବା ସ୍ବାଭାବିକ । ଏହି ପ୍ରକାର କଥାଭାଗ ସଂଯୋଜନ ଫଳରେ କାହାଣୀରେ ଉତ୍କଣ୍ଠା ଜନିତ ମୋଡ ବୁଲାଣି ଆସେନି କେବଳ ବର୍ଣ୍ଣନାରେ ହିଁ ଗପ ସରେ । ଅନେକ ସମୟରେ କଥାଭାଗର ଏହି ବିସ୍ତାର ଏକ ସରଳରୈଖିକ ଗତିରେ ପ୍ରବାହିତ ହୁଏ । ମୌନାମୌନୀ ପରି ଗପର ପ୍ଲଟ ଏକ ସରଳରେଖାରେ ଘଟଣାକୁ ଆରମ୍ଭରୁ ଶେଷଯାଏ କହିଚାଲେ ଏବଂ ଶେଷ ଆଡକୁ ମନ୍ଦମାନଙ୍କ ପାଇଁ ଦଣ୍ତବିଧାନ କରି ସମାପ୍ତି ଘଟାଏ । ଘଟଣାର ବହୁପାକ୍ଷିକ ଦିଗ ସବୁ ଦେଖାଇ ନଦେବା ଫଳରେ କଥାଭାଗର କଳାତ୍ମକତା ଜନିତ ଦୁର୍ବଳତା ପାଠକ ଅନୁଭବ କରନ୍ତା ମାତ୍ର ବୈଦ୍ୟରାଜ ଫକୀରମୋହନଙ୍କ ପାଖରେ ସେଥିପାଇଁ ବି ଇଲମ ଥିଲା ତାଙ୍କ କଥନଧର୍ମୀ କଥକତା । ଗଳ୍ପସାଗର ପରି ନାଟକୀୟ ଭାବାବେଗ ଘେନି ସେ ଗଳ୍ପକୁ ଶୁଣାନ୍ତି । ଅର୍ଥାତ କହିପାରିବା ଫକୀରମୋହନ ଗଳ୍ପ ଲେଖୁଥିଲେ ବି ଗପ ଭିତରୁ 'ଶୁଣେଇବା' ପ୍ରବୃତ୍ତିଟିକୁ ଜୀବିତ ରଖିଛନ୍ତି ଏବଂ ତାହାହିଁ ଫକୀରମୋହନଙ୍କ ଗଳ୍ପକାରିତାର ମୁଖ୍ୟ ଗୁଣ । ଏହିଁ ଶିଳ୍ପଧର୍ମ ଦୃଷ୍ଟି ଯୋଗୁ ତାଙ୍କ କିଛି ଗପର କଥାଭାଗ ଏକ ଏକ କ୍ଷୁଦ୍ରାୟତନ ଉପନ୍ୟାସ ପରି ମନେ ହେଲେ ମଧ୍ୟ ପାଠକ ଏକ ନିଶ୍ବାସରେ ପରିଣତି ଆଡକୁ ଟାଣି ହୋଇଯାଏ । ଆଧୁନିକ କ୍ଷୁଦ୍ରଗଳ୍ପ ଯେଉଁ ରସଘନ ମୁହୂର୍ତ୍ତର କଥାକୁ ଉପଜୀବ୍ୟ କରି ଗଢିଉଠିବା କଥା କହେ ତାହା ଫକୀରମୋହନଙ୍କ ଗଳ୍ପକାରିତାରେ ପୂର୍ଣ୍ଣାଙ୍ଗ ମଣିଷ ଜୀବନ ବିସ୍ତାରିତ ସମୟ ଆଧାରରେ ଗଢେ ।

( ୨ )

ଉଦାରମନା ଭାବକୁ ନେଇ ଫକୀରମୋହନଙ୍କ ଚରିତ୍ରଗୁଡିକ ଚିତ୍ରିତ । ଭଲମନ୍ଦ ପାପପୁଣ୍ୟ ନୀତିଅନୀତିର ଉର୍ଦ୍ଧ୍ବକୁ ଯାଇ ସେ ମଣିଷକୁ ମଣିଷ ଭାବରେ ହିଁ ଦେଖନ୍ତି । ଜୀବନ ଓ ସାହିତ୍ୟରୁ ଉପେକ୍ଷିତ ମଣିଷଙ୍କୁ ସେ ଦେଇଛନ୍ତି ସାମାଜିକ ଦାୟିତ୍ବବୋଧର ଶିକ୍ଷା । ତାଙ୍କ ଗପର ଚରିତ୍ର ବ୍ୟକ୍ତିକ ନହୋଇ ଏକ ଏକ ବର୍ଗର ପ୍ରତିନିଧିତ୍ବ କରନ୍ତି । କାହାଣୀ ପୂର୍ବରୁ ଚରିତ୍ରଟିଏ ହିଁ ଫକୀରମୋହନଙ୍କୁ ଗପ ଲେଖିବାକୁ ପ୍ରବର୍ତ୍ତାଏ । କହିପାରିବା କାହାଣୀ ତାଙ୍କ ନିକଟରେ ଦେଖାଦିଏ ବ୍ୟକ୍ତି ଭାବରେ ଯାହାକୁ ଘଟଣାମାନଙ୍କ ମଧ୍ୟରେ ସନ୍ଦର୍ଶନ କରିବା ପାଇଁ ଲେଖକଙ୍କ ପ୍ରବଳ ଉତ୍ସାହ ସ୍ବରୂପ ଗଳ୍ପଟିଏ କାୟାବିସ୍ତାର କରେ । ଚରିତ୍ରଭିତ୍ତିକ ଗଳ୍ପ ରଚନା ହିଁ ଫକୀରମୋହନଙ୍କ ଗଳ୍ପକାରିତାର ମୁଖ୍ୟ ବୈଶିଷ୍ଟ୍ଯ ।

ଗଳ୍ପର ଚରିତ୍ର ଓ ଲେଖକର ଜୀବନ ପ୍ରଣାଳୀ ଓ ଜୀବନ କ୍ଷେତ୍ର ମଧ୍ୟରେ ବଡ ବ୍ୟବଧାନଟିଏ ନଥିବାରୁ ଚରିତ୍ରଙ୍କ ସୁଖଦୁଃଖକୁ ଲେଖକ ଘନିଷ୍ଠ ଭାବରେ ଅନୁଭବୀ ପାରିଛନ୍ତି । ମୁଖ୍ୟ ଚରିତ୍ର ହେଉକି ଗୌଣ ଚରିତ୍ର ଫକୀରମୋହନଙ୍କ ହାତରେ ସମସ୍ତେ ଚମକ ପାଅ‍ନ୍ତି, ଜୀବନ୍ତ ଜୀବନ୍ତ ଲାଗନ୍ତି । ତାଙ୍କ ଚରିତ୍ର ଚୟନକୁ ଦେଖିଲେ ମନେହୁଏ ଏ ଚରିତ୍ରଗୁଡିକ ଖୁବ୍ ସହଜରେ ଆମ ଚାରିପାଖରେ ଘୂରି ବୁଲୁଛନ୍ତି । ଚରିତ୍ରଟିଏ ଗଢିବାର ସବୁଠୁ କଷ୍ଟସାଧ୍ଯ କାମ ହେଉଛି ସେମାନଙ୍କ ଭିତରେ ମଣିଷ ସୁଲଭ ଗୁଣାବଳୀ ଭରି ଶବ୍ଦରେ ଶବ୍ଦରେ ତାଙ୍କ ଦେହରେ ରକ୍ତସଞ୍ଚାଳନ କରିବା । ମାନବୀୟ ସଂବେଦନାକୁ ଆୟତ୍ତ କରି ନପାରିଲେ ଚରିତ୍ର ଗଢଣ ପରେ ସେମାନେ ପ୍ରାଣଶୂନ୍ୟ ଓ ନିର୍ଜୀବ ମନେହେବେ । ମାନବୀୟ ସଂବେଦନାକୁ ଆୟତ୍ତ କରିବା ଦୃଷ୍ଟିରୁ ମଧ୍ୟ ଫକୀରମୋହନ ଶ୍ରେଷ୍ଠ ବିନ୍ଧାଣୀ । ବେଦନାରେ ରେବତୀ ଆଖିର ଲୁହ ଝରିଲେ ପାଠକ ଅନୁଭବେ ଯେମିତି ତା ଛାତିରେ ଲୁହ ସବୁ ବୁନ୍ଦା ବୁନ୍ଦା ହୋଇ ନିଥୁରୁଛି, ଅନନ୍ତା ପକାଅ ମାଟି ପକାଅ ମାଟି କହିଲାବେଳେ ପାଠକ ରୋମାଞ୍ଚିତ ହୋଇ ଭାବେ ଅନନ୍ତା ତା ପାଇଁ ନିଜକୁ ଉତ୍ସର୍ଗ କରିଦେଉଛି, ଗୋପାଳସିଂର ଇଂରାଜୀ ଘୁଷି ହରିସିଂର ପିଠିରେ ପଡିଲାବେଳକୁ ପାଠକ ନିଜ ପିଠିକୁ ଆଉଁସେ ସତେ ଯେମିତି ତା ପିଠିରେ ଗୋପାଳସିଂ ଇଂରାଜୀ ବିଧା ବରଷାଇଛି, ଏହିପରି ଅନେକ ଦୃଷ୍ଟାନ୍ତ ନିଆଯାଇପାରେ ଫକୀରମୋହନଙ୍କ ଗଳ୍ପଜଗତରୁ ।

ଚରିତ୍ରଙ୍କର ଚାରିତ୍ରିକ ଗଭୀରତାକୁ ଫକୀରମୋହନ ପାଠକଙ୍କ ସାମ୍ନାରେ ଯେପରି ଭାବରେ ଉପସ୍ଥାପନ କରିଛନ୍ତି ତାହା ପ୍ରକୃତରେ ପ୍ରଶଂସାଯୋଗ୍ୟ । ଜେଜୀମା, ସୁଲୋଚନା, ଦେବକୀ ପରି ନାରୀ ଚରିତ୍ରଙ୍କୁ ଉପର ଠାଉରିଆ ଦେଖିଲେ ସେମାନେ ଯେତିକି କଠିନ ଲାଗନ୍ତି ଟିକେ ଗଭୀର ଚାହାଣୀରେ ନିରେଖି ଚାହିଁଲେ ତାଠୁ ଢେର୍ ନରମ ମନେ ହୁଅନ୍ତି । ନାତୁଣୀର ପାଠପଢାକୁ ନେଇ ଲୋ ରେବି ଲୋ ନିଆଁ ଲୋ ଚୁଲି କହି ଭର୍ତ୍ସନା କରୁଥିବା ଜେଜୀମା ସେଇ ନାତୁଣୀର ସ୍ବାସ୍ଥ୍ୟ ପାଇଁ ପଥି କରି ଖୁଆଇବାର ମମତା ଦିଶେ, ସ୍ବାମୀକୁ ଝାଡୁ ମାରିଥିବା ସୁଲୋଚନା ଅନୁତାପରେ ଲୁହ ଲୁଚାଇବା, ପୁଅ ପାଇଁ ମନ୍ଦ ଭାଷା ପଦୁଏ ଶୁଣୁ ନଥିବା ଦେବକୀ ଗାଁ'ର ମଙ୍ଗଳ ପ‍ଇଁ ପୁଅ ଅନନ୍ତାର ମୃତ୍ୟୁ ହୋଇଥିବା ଖବର ଶୁଣିଲା ପରେ ପୁଅର ମହାନତା ଆଗରେ ନୀରବି ଯିବା ଏ ସବୁ ଚାରିତ୍ରିକ ରୂପାନ୍ତର ଫକୀରମୋହନଙ୍କ ଚରିତ୍ର ଚିତ୍ରଣ ଜନିତ ଗଭୀରତାକୁ ସୂଚିତ କରିଥାଏ । ମଣିଷର ବାହ୍ୟ ପରିଚୟ ଅପେକ୍ଷା ତାର ଅନ୍ତରୀଣ ଗୁଣାବଳୀରେ ଗଢା ପରିଚୟକୁ ସ୍ବକୀୟ ଅନୁଭୂତି ବଳରେ ଚିହ୍ନି ଆମକୁ ଚିହ୍ନାଇ ପାରିଛନ୍ତି ।

(୩)

ଫକୀରମୋହନ ହାସ୍ୟ ଓ ବ୍ୟଙ୍ଗର ମୁକୁଟ ବିହୀନ ରଜା । ତାଙ୍କ ହାସ୍ୟ ସବୁ ବେଦନାରୁ ଜାତ । ସମାଜର ଅନ୍ଧତା ମୂର୍ଖତା ଅନାଚାର ଅପଚାର ଓ ନୈତିକ ଦୁର୍ଗତି ହିଁ ହେଉଛି ସେହି ବେଦନାର ହେତୁ । ଫକୀରମୋହନଙ୍କ ଗଳ୍ପକାରିତାରେ ହାସ୍ୟ କେବଳ ଉପାଦାନ ମାତ୍ର ନୁହଁ ବରଂ ହାସ୍ୟ ହେଉଛି ତାଙ୍କ ଗଳ୍ପକଳା ଓ କାରିଗରୀର ସାମଗ୍ରିକ ରୂପ । ସେ ହାସ୍ୟକୁ ନିଜ ଗଳ୍ପକାରିତାରେ ଶୈଳୀ ଭାବରେ ବ୍ୟବହାର କରିଛନ୍ତି । ତାଙ୍କ ଗପର ବିଷୟ ସାମାଜିକ କୁସଂସ୍କାର, ଅନ୍ଧତା, ଅଶିକ୍ଷା ପରି ଜଟିଳ ସମସ୍ୟା ଉପରେ ଆଧାରିତ, ତାଙ୍କ ଚରିତ୍ରମାନେ ଜୟ ପରାଜୟ, ମାନ ଅପମାନ, ପ୍ରାପ୍ତି ଅପ୍ରାପ୍ତି, ଶୋକସନ୍ତାପ, ପାପପୁଣ୍ୟର ଗୋଲକଧନ୍ଦାରେ ଜର୍ଜରିତ କିନ୍ତୁ ଜଟିଳ ଓ ଗୁରୁଭାବାପନ୍ନ ଜୀବନଗାଥାର ପରିବେଷଣ ଶୈଳୀରେ ଫକୀରମୋହନ ଆଦୌ ଗୁରୁଗମ୍ଭୀର ନହୋଇ ଚଟୁଳ ହାସ୍ୟରସକୁ ଆପଣାଇଛନ୍ତି । ଦୁଃଖକୁ ବି ହସିହସି କହିଯିବାର ଅପୂର୍ବ କାରିଗରୀ ତାଙ୍କୁ ଜଣା । ତାଙ୍କ ଗପକୁ ବୁଝିବାକୁ ହେଲେ ତାଙ୍କ ହସର ଆବରଣ ପିନ୍ଧିଥିବା ଦୁଃଖକୁ ଚିହ୍ନିବାକୁ ହେବ । ତାଙ୍କ ବ୍ୟଙ୍ଗାସ୍ତ୍ରକୁ ସହନ କରିବାକୁ ହେଲେ ସେଥିପାଇଁ ଲେଖକ ଭୋଗିଥିବା ଯନ୍ତ୍ରଣାକୁ ଅନୁଭବ କରିବାକୁ ହେବ । ଫକୀରମୋହନଙ୍କ ଗଳ୍ପର ଜୀବନଶକ୍ତି ଯାଏଁ ପହଞ୍ଚିବାର ଏକମାତ୍ର ବାହାକ ହେଉଛି ତାଙ୍କ ହାସ୍ୟର ମାର୍ଗ । ସେ ମାର୍ଗରେ ହିଁ ହସି ହସି ପହଞ୍ଚାଯାଇପାରେ ରେବତୀ, ଦେବକୀ, ସୁଲୋଚନା ପରି ଜୀବନର କାରୁଣ୍ୟ ଭରା ନିରବତା ଯାଏଁ । ହସାଇ ହସାଇ ଆଖିରେ ଦି'ଧାର ଲୁହ ଦେଇପାରୁଥିବା ଗଳ୍ପର ଏକମାତ୍ର ସ୍ରଷ୍ଟା ହେଉଛନ୍ତି ଫକୀରମୋହନ ସେନାପତି ।

ହାସ୍ୟ ସୃଷ୍ଟି ସମ୍ବନ୍ଧୀ କିଛି କଥା ସହ ଫକୀରମୋହନଙ୍କ ହାସ୍ୟ ସୃଷ୍ଟିର କେତୋଟି ତରିକା ବିଷୟରେ ଆଲୋଚନା କରାଯାଉ। ପ୍ରାଚୀନ ରସପ୍ରବକ୍ତା ଆଚାର୍ଯ୍ୟମାନେ ହାସ୍ୟକୁ ମୁଖ୍ୟତଃ ଶୃଙ୍ଗାରରସର ଅନୁକୃତି ଭାବରେ ଗ୍ରହଣ କରୁଥିଲେ । ଦଶରୂପକର ରଚୟିତା ଧନଞ୍ଜୟ ହାସ୍ୟ ସୃଷ୍ଟିର କାରଣ ଭାବରେ ବେଶଭୂଷା, ଶବ୍ଦାବଳୀ କିମ୍ବା କାର୍ଯ୍ୟକଳାପକୁ ଗ୍ରହଣ କରିଥିବାବେଳେ ବିଶ୍ବନାଥ କବିରାଜ ସାହିତ୍ୟ ଦର୍ପଣରେ ବାଣୀ ଚେଷ୍ଟା ତଥା ରୂପର ବିକୃତିକୁ ହାସ୍ୟ ସୃଷ୍ଟିର କାରଣ ବିବେଚନା କରିଛନ୍ତି । ବିଶ୍ବନାଥ ଯଉ ବିକୃତିକୁ ହସର ମୁଖ୍ୟ ହେତୁ ମାନିଛନ୍ତି ନାଟ୍ୟଶାସ୍ତ୍ରରେ ଭରତ ମଧ୍ୟ କିଛି ବିକୃତିର ଉଲ୍ଲେଖ କରିଛନ୍ତି ଯଥା - ଅଳଙ୍କାରକୁ ବିପର୍ଯ୍ୟସ୍ତ ଭାବରେ ପରିଧାନ, ବିଭିନ୍ନ ପ୍ରକାର ଅଙ୍ଗ ବିକୃତି, ଆଚାର ନାମ ବା ବଚନ, ବେଶ ବିକୃତ ଇତ୍ୟାଦି । ସ୍ପେନସର୍ ନାମକ ଜଣେ ଲେଖକ ହାସ୍ୟର ସୃଷ୍ଟିବହେତୁ ଭାବରେ ଅସଙ୍ଗତିର ନିରୀକ୍ଷଣ (Perception of in courage )କୁ ଗ୍ରହଣ କରିଛନ୍ତି । କିନ୍ତୁ ଗୋଟେ କଥାକୁ ଗୁରୁତ୍ବ ଦେବାକୁ ହେବ ଯେ ବିକୃତି ହେଉ କି ଅସଙ୍ଗତି ହେଉ ଏକ ନିର୍ଦ୍ଦିଷ୍ଟ ସୀମା ଭିତରେ ଆବଦ୍ଧ ରହିବା କଥା କାରଣ ସମସ୍ତ ବିକୃତି ଓ ଅସଙ୍ଗତି ହାସ୍ୟ ସୃଷ୍ଟି କରନ୍ତିନି କିଛି ମଣିଷର ଅନିଷ୍ଟ କରି ଭୟ ବି ସୃଷ୍ଟି କରିଥାନ୍ତି ।

ଏହା ଫକୀରମୋହନଙ୍କ ସୌଭାଗ୍ୟ ନିଶ୍ଚୟ ଯେ ବ୍ରଜନାଥ ବଡଜେନାଙ୍କ ସେ ଉତ୍ତରସୂରୀ । କଥାଗ୍ରନ୍ଥ 'ଚତୁର ବିନୋଦ'ର ପ୍ରଥମ ବିନୋଦ 'ହାସ୍ୟବିନୋଦ'କୁ ଯଦି ଆମେ ପଢିବା ସେଥିରୁ ହାସ୍ୟ ସୃଷ୍ଟିର ପୃଷ୍ଟି ସାଧନ ସକାଶେ ଯଉ କିଛି ରୀତିର ଅବଲମ୍ବନ କରିଛନ୍ତି ତାକୁ ଦେଖିପାରିବା । ବଡଜେନା ମୁଖ୍ୟତଃ ହାସ୍ୟରସର ଅବଲମ୍ବନ ଭାବରେ ନାରୀର ଅବୟବର ବିକୃତିକୁ ଓ ଅପ୍ରତ୍ୟାଶିତ ଅତିରଞ୍ଜନତାକୁ ଗୁ୍ରୁତ୍ବ ଦେଇଛନ୍ତି । ଉଦାହରଣ -

ନୀଳାମ୍ବରୀ ନାମେ ସେ ରାଜାଙ୍କର ରାଣୀ
ସୁନ୍ଦର ପଣରେ ରମ୍ଭା ବୃକ୍ଷର ଠାଣି
ତାଙ୍କର ତ ଲମ୍ବ ଲମ୍ବ କୁଚ
ଭାଲପଟ ଉଚ୍ଚ
ମନ୍ଦାର ଫୁଲ ନେତ୍ର
ହୀରା ସମାନ ଗାତ୍ର
ଶଙ୍ଖ ସିନ୍ଦୁର ନାସା
ମୟୂର କଣ୍ଠ ଭାଷା
ବିପୁଳ ଚାରୁ ପାଦ
ଗମନେ ଟେକ ନାଦ
ମୃଦଙ୍ଗ ମୋଟ କଟି
ଦଶ ମାସ ଗର୍ଭେ ହେଲା ପରି ବନ୍ଧ୍ୟାରାଣୀର ସର୍ବଦାକାଳେ
ଆଗକୁ ବାହାରିଥାଏ ଥନ୍ତଲପେଟ ଗୋଟି ।

ଏଥିରେ ଆମେ ଏକ ଅଶ୍ଲୀଳତା ଓ ଶୃଙ୍ଗାରିକତାକୁ ଦେଖିଥାଉ । ବ୍ରଜନାଥଙ୍କ ହାସ୍ୟ ସୃଷ୍ଟିର ଏହି ପ୍ରସଙ୍ଗକୁ ନେଇ ଦେବେନ୍ଦ୍ର ମହାନ୍ତି 'ଚତୁର ବିନୋଦ'ର ଭୂମିକାରେ କୁହନ୍ତି - "ଜୀବନର ଅସଂଗତିରୁ ହାସ୍ୟରସର ସ୍ଫୁରଣ । ମଣିଷର କଥା ଓ କାର୍ଯ୍ୟରେ ଅସଂଗତି, ଉଦ୍ଦେଶ୍ୟ ସହିତ ଉପାୟର ବା ଇଚ୍ଛା ସହିତ ଅବସ୍ଥାର ଅସଂଗତି ହାସ୍ୟରସର ଉପାଦାନ । ଏହାଛଡା ମଣିଷର ସ୍ବାଭାବିକ କଥା ଓ କାର୍ଯ୍ୟ ମଣିଷ ଭିତରେ କୌତୁକ ଭାବ ସଞ୍ଚାର କରେ । ବ୍ରଜନାଥ ମଣିଷ ମନର ଏଇ ସୂକ୍ଷ୍ମ ବିଭାଗ ପ୍ରତି ଥିଲେ ଏକାନ୍ତ ସଚେତନ । ମଣିଷକୁ ଆନନ୍ଦ ଦେବା ଥିଲା ତାଙ୍କ ପେଶା । କିନ୍ତୁ ମାର୍ଜିତ ରୁଚିସଂଗତ ବିଦଗ୍ଧ ରସବିଧର ହାସ୍ୟରସିକ ସ୍ରଷ୍ଟା ହୁଏ ଉଚ୍ଚକୋଟୀର ଶିଳ୍ପୀ । ତା' ହୃଦୟକୁ ଆପ୍ଲୁତ କରି ଝରିଯାଏ ଏକ ପ୍ରସନ୍ନ, ଅନାବିଳ ରସଧାରା । ତାର ଦୃଷ୍ଟି ଉଦାରତାରେ କୋମଳ, ପ୍ରାଣ ନିର୍ଦ୍ଦୋଷ ଉଲ୍ଲାସରେ ଚଟୁଳ । ବ୍ରଜନାଥଙ୍କ ହାସବିନୋଦର ହାସ୍ୟରସରେ ଏହି ବିଭାଗଗୁଡିକ ଅନୁପସ୍ଥିତ । ସୂକ୍ଷ୍ମ ହାସ୍ୟରସ ଅପେକ୍ଷା ସ୍ଥୁଳ ବିକୃତ ହାସ୍ୟରସ ସୃଷ୍ଟିକରି ସାଧାରଣ ଜନତା ମନରେ ସାମୟିକ ଉଲ୍ଲାସ ସୃଷ୍ଟି କରିବାରେ ତାଙ୍କର ସଯତ୍ନ ପ୍ରୟାସ ଲକ୍ଷଣୀୟ ।" କହିପାରିବା ବ୍ରଜନାଥ ବଡ଼ଜେନାଙ୍କ ଉତ୍ତରଦାୟଦ ହୋଇଥିଲେ ଫକୀରମୋହନ ବଡଜେନାଙ୍କ ସ୍ଥୁଳହାସ୍ୟର ପରମ୍ପରାକୁ ଅତିକ୍ରମ କରି ଏକ ରୁଚିସଂଗତ ବିଦଗ୍ଧ ରସବୋଧରେ ସୂକ୍ଷ୍ମ ହାସ୍ୟ ସୃଷ୍ଟି କରିପାରିଥିଲେ ଯେଉଥିରେ ହାସ୍ୟ ଶୃଙ୍ଗାରିକତା ବଦଳରେ ମାନବ ସଂବେଦୀ କରୁଣତାକୁ ବହନ କଲା ।

ଏବେ ଆସନ୍ତୁ ଫକୀରମୋହନଙ୍କ ହାସ୍ୟ ନିର୍ମାଣର କିଛି ତରିକାକୁ ତାଙ୍କ ଗଳ୍ପ ଅବଲମ୍ବନରେ ଦେଖିବା

୧ - ଲୋକପ୍ରିୟ କବିତା କିମ୍ବା ଶ୍ଲୋକର ଛନ୍ଦ ଓ ସ୍ପନ୍ଦ ବ୍ୟବହାର କରି ପକୀରମୋହନ ହାସ୍ୟ ସୃଷ୍ଟ କରିଥାନ୍ତି । ଏହି ରୀତିକୁ ସାହିତ୍ୟରେ ଲାଳିକା ଭାବରେ ଆମେ ଜାଣୁ । ଏପରି ହାସ୍ୟର ଦୃଷ୍ଟାନ୍ତ ଆମେ ତାଙ୍କ ଉପନ୍ୟାସରେ ବହୁଳ ଭାବରେ ପାଇଥାଉ । ଛ'ମାଣ ଆଠଗୁଣ୍ଠର ଚମ୍ପାର ରୂପବର୍ଣ୍ଣନା ୟାର ଏକ ଜ୍ବଳନ୍ତ ନିଦର୍ଶନ । ଗଳ୍ପ କ୍ଷେତ୍ରରେ ଲାଳିକାର ଉଦାରଣ ନାହିଁ କିନ୍ତୁ ଲଘୁକଥାର ପଦ୍ୟମୟ ପ୍ରୟୋଗ ମାଧ୍ୟମରେ ଚଟୁଳ ହାସ୍ୟକାରିତା ଆମେ ତାଙ୍କ ଗଳ୍ପରେ ଦେଖିପାରିବା ।

ଗାରୁଡି ମନ୍ତ୍ରର ଓଡିଆ ପଲ୍ଲୀବଧୂର ରୂପବର୍ଣ୍ଣନା କରି ଲେଖନ୍ତି -

"କୁଜୀ ପରି ନଇଁ ନଇଁ ଗୋଡ ଟିପି ଗମନା,
ମୁଖଚନ୍ଦ୍ର ଆବୃତ୍ତ ହାତେ ଲମ୍ବ ଓଢଣା,
ଚୁ ଚୁ କଥା କହେ ହାଉଡୀ ସାମାନା,
ଘରକୋଣବାସିନୀ ବିରସବଦନା,
ମାର୍ଜାର ଶିଶୁପରି ମୁଦ୍ରିତ ନେତ୍ରା
ତୈଳ ହରିଦ୍ରାବିଲେପିତ ଗାତ୍ରା,"

ଏହା ସହ ବିଭିନ୍ନ ଶ୍ଲୋକର ଅପଭ୍ରଂଶ କରି ମଧ୍ୟ ହାସ୍ୟର ଉଦ୍ରେକ କରିବାର ପ୍ରୟାସ କରନ୍ତି । ଯେମିତି କି ଗାରୁଡି ମନ୍ତ୍ର ଗୋର ଅଂ କାଳନ୍ଦୀ ହ୍ରଦରେ ଥିଲା କାଳୀ, ପାଠୋଇ ବୋହୂର ବୀର ବୀର ହନୁମାନ ମହାବୀର ବୀର ତୁ ବୀର ଥିଲୁ କାହିଁ ଶ୍ଲୋକ ଇତ୍ୟାଦି ।

୨ - ଚରିତ୍ରର ରୂପ ବର୍ଣ୍ଣନାକୁ ଉପଜୀବ୍ୟ କରି ମଧ୍ୟ ସେନାପତି ହସାଇଥାନ୍ତି । ଏଥିରେ ସେ ଶରୀରର ଶୋଭାବର୍ଦ୍ଧକ ଗୁଣଗୁଡିକୁ ବାଦ ଦେଇ ଦୋଷଗୁଡିକୁ ଅତିରଞ୍ଜିତ କରି ବର୍ଣ୍ଣନା କରନ୍ତି । ଶରୀର ଗଠନର ବିକୃତିକୁ ପଢି ପାଠକ ହସେ । ଉଦାହରଣ ଭାବରେ ଦେବକୀ ଗଉଡୁଣୀର ରୂପ ବର୍ଣ୍ଣନା ନିଆଯାଉ -

"ନାହି ତଳକୁ ଲୁଗା ପିନ୍ଧିଥିଲେ ପେଟଟି ଛ' ନଉତିଆ ଧାନ ଉଷୁଁଆ କଳାହାଣ୍ତିପରି ବାହାରି ପଡିଥାଏ । ସିଂହାଣୀ ଅଳଙ୍କାରକୁ ବୋଧହୁଏ ବଡ ଭଲ ପା'ନ୍ତି । ପ୍ରଥମେ ବିଧବା ଦିନ ଦେହରୁ ସବୁ ଅଳଙ୍କାର କାଢି ପକାଇଥିଲେ । ଶୁଦ୍ଧ ବାସିଦିନ ଫେର୍ ହାତଗଣ୍ଠିଠାରୁ କହୁଣିଯାଏ ଦଶବିଶାର ପିତ୍ତଳ ବାହିବଳା ଦୁଇ ହାତରେ ଲଗାଇଦେଲେ । ନାକରେ ତୋଳାଏ ଓଜନର ସୁନାଗୁଣା ଚେପଟା ବିଶାଳ ନାକକୁ କାମୁଡି ଧରିଥାଏ । ବେକରେ ଦଶ ଦଶ ଗଣ୍ତା ଗୋଡଲଗା ଟଙ୍କାମାଳ ନାହିଯାଏ ଲମ୍ବି ପଡ଼ିଥାଏ । ଦୁଇ ହାତରେ ଦି ପୁଞ୍ଜା ଗେଣ୍ତାପରି ଛାପ ମୁଦି ।"

ଏହାବ୍ୟତୀତ ଧୂଳିଆ ବାବାରେ ବାବାଙ୍କ ଶରୀର ବର୍ଣ୍ଣନା ମଧ୍ୟ ହାସ୍ୟ ରସାତ୍ମକ ।

୩ - ଅପ୍ରତ୍ୟାଶିତ ଉପମା କିମ୍ବା ବିଶେଷଣର ପ୍ରୟୋଗ ଫଳରେ ହାସ୍ୟ ସୃଷ୍ଟି । ସୁବଳ ମହାକୁଡକୁ ଚେଙ୍ଗ ମାଛ ସହ, ଦେବକୀକୁ ହାତୁଣୀ ଓ ଅନନ୍ତାକୁ ହାତୀଛୁଆ ସହ, ପୁଣି ଦେବକୀକୁ ବାଘୁଣୀ ଓ ଅବଧାନେଙ୍କୁ ହରିଣୀ ସହ ତୁଳନା କରିବା ଫଳରେ ଏକ ଲାଘବ ଭାବର ପରିବେଶ ତିଆରି ହୋଇଯାଏ ।

୪- ଜଣେ ବ୍ୟକ୍ତି ଅଥବା ବସ୍ତୁକୁ ଆଉ ଜଣେ ବ୍ୟକ୍ତି ବା ବସ୍ତୁ ଭାବି ବସି କିଛି ଅଘଟଣ ବା କଥୋପକଥନରୁ ଜାତ ହାସ୍ୟକୁ ଆମେ ବସ୍ତୁଭ୍ରମ ହାସ୍ୟ କହି ପାରିବା । 'ପେଟେଣ୍ଟ୍ ମେଡିସିନ୍'ରେ ସାଆନ୍ତାଣୀ ଚାକର ମକରାକୁ ଚନ୍ଦ୍ରମଣି ବାବୁ ଭାବିବା ଦ୍ବାରା ଏହି ହାସ୍ୟ ସୃଷ୍ଟି ହୁଏ । ଏହି ପ୍ରକାର ହାସ୍ୟ ମଣିଷକୁ ବେଶ୍ ସମୟ ଯାଏ ମନେ ରୁହେ ।

୫ - ଭାଷାର ବିକୃତ ଉଚ୍ଚାରଣ ମାଧ୍ୟମରେ ମଧ୍ୟ ଫକୀରମୋହନ ଗପରେ ହସ ଫୁଟାଇବାର ଚେଷ୍ଟା କରିଛନ୍ତି । ସଭ୍ୟ ଜମିଦାରରେ ନୂଆବୋହୂ ନୟନତାର ଦୁଃଖ ପାସୋରା ଶାଶୁକୁ ସମ୍ବୋଧନ କରି 'ଆମ୍ଭର ପ୍ରିୟ ଶାଶୁ ! ନମସ୍କାର ! ନମସ୍କାର ! କେମନ୍ତ କର ଆପଣ କର' କହିବା, ମିସେସ୍ ମହାପାତ୍ର ଶବ୍ଦକୁ ଉଚ୍ଚାରଣ କରି ପୋଇଲିମାନେ କିସମିସ୍ ମହାପାତ୍ର, ଫିସଫିସ୍ ମହାପାତ୍ର କହିବା ଫଳରେ ହାସ୍ୟ ସୃଷ୍ଟି ହୋଇଛି ।

୬ - ସର୍ବଜନ ସୁଲଭ ଅର୍ଥାତ ସାଧାରଣ ଜ୍ଞାନ ହୀନତା ଫଳରେ କେତେକ ସ୍ଥଳରେ ସୃଷ୍ଟି ହେଉଥିବା ଅସଂଗତିକୁ ଆଧାର କରି ଫକୀରମୋହନ ହସର ମାହୋଲ ସୃଷ୍ଟି କରିଛନ୍ତି । ଏ କ୍ଷେତ୍ରରେ ଚରିତ୍ରଙ୍କ ମୂର୍ଖତା ପ୍ରତି ଇଙ୍ଗିତ କଟାକ୍ଷଟେ ବି ଥାଏ । ପାଠୋଇ ବୋହୂରେ ସରସ୍ବତୀ ଦେବୀ 'ଭକ୍ତଦାୟିନୀ ସଭା'କୁ ଭଗବତୀ ଡାଆଣୀ ବୁଝି ସନ୍ଦେହ କରି ନାଟକୀୟ ପରିବେଶ ସୃଷ୍ଟି କରିବା, ପୁନର୍ମୁଷିକଭବରେ ରାମବାରିକର ସ୍ତ୍ରୀ ପରିସ୍ରା କରିଥିବା ମାଟିକୁ କଣାରାମ ସିଂ ଚାଖି ତାହା ହ୍ରଦର ବେଆଇନ ଭାବେ ମରାଯାଇଥିବା ଲୁଣ କହିବା ଏହି ପର୍ଯ୍ୟାୟର ହାସ୍ୟ ।

୭ - ଜଣକର ଚାରିତ୍ରିକ ମହତ୍ତ୍ବ ପ୍ରତିପାଦନ ସମୟରେ ବକ୍ତା ଗୋଟିଏ ଅର୍ଥରେ କହିଲାବେଳେ ଶ୍ରୋତା ଯଦି ଆଉଗୋଟେ କଥା ଯାହାକି ବକ୍ତାର ପରୋକ୍ଷରେ ପ୍ରେରିତ ଅର୍ଥକୁ ଗ୍ରହଣ କରିନିଏ ତାକୁ ବକ୍ରୋକ୍ତି ବୋଲି କହିଥାଉ । ଏହି ବକ୍ରୋକ୍ତି ଫକୀରମୋହନଙ୍କ ହାସ୍ୟ ସୃଷ୍ଟିର ମୁଖ୍ୟ ଅସ୍ତ୍ର । ଏ ପ୍ରକାର ହାସ୍ୟ ସୃଷ୍ଟି ସମୟରେ ଲେଖକଙ୍କ ଛଦ୍ମ ଗାମ୍ଭୀର୍ଯ୍ଯପଣ ହୃଦୟସ୍ପର୍ଶୀ । ଉଦାହରଣ ଭାବରେ 'ଧୂଳିଆ ବାବା' ଗଳ୍ପର ଦୃଷ୍ଟାନ୍ତ ନିଆଯାଉ ।

"ମନ୍ଦିରରେ ଏତେ ଧନ ଦୌଲତ, ଏତେ ପିଠା ଖଜା, କିଛି ଛୁଇଁବେ ନାହିଁ । ଦଶ ସେର ନିରୁତା ଦୁଧ ଆଉଟି ଆଉଟି ପାଞ୍ଚସେର ରହିବ - ଅଳତା ଫଡା ପରି ଉପରେ ସର ପଡିବ - ଦି'ପହର ଧୂପରେ ଠାକୁରଙ୍କ କତିରେ ଭୋଗ ଲାଗେ - ମହନ୍ତ ମହାରାଜ ତେତିକି ସେବା କରନ୍ତି । ଆଉ ତୋଳାଏ ଆପୁ, ପାଏ ଗଞ୍ଜେଇ ଖଞ୍ଜା ।

୮ - ସମାଜର ଅପୂର୍ଣ୍ଣତାକୁ ଏକ ସାମଗ୍ରିକ ରୂପ ପ୍ରଦାନ କରିବାକୁ ଯେଇ ଫକୀରମୋହନ ଅନ୍ଧତା, କୁ - ସଂସ୍କାର ସହ ନବ୍ୟଶିକ୍ଷିତ ନାମଧାରୀ ଉଚ୍ଛୃଙ୍ଖଳ ଯୁବଗୋଷ୍ଠୀଙ୍କୁ କଟାକ୍ଷ କରିଛନ୍ତି । ଏଥିରେ ପାଠକ ହାସ୍ୟ ସହ ନୀତି ଆଦର୍ଶ ପ୍ରତି ସଚେତନ ହୁଏ, ଠିକ୍ ଭୁଲ୍ କୁ ଚିହ୍ନିବାର ପ୍ରୟାସ କରେ । ଫକୀରମୋହନ ତାଙ୍କ ସାହିତ୍ୟର ପ୍ରତିଟି ବିଭାଗରେ ଏପରି ବ୍ୟଙ୍ଗର ପ୍ରୟୋଗ କରି ସୁନ୍ଦର ସମାଜର ପରିକଳ୍ପନା କରିଛନ୍ତି ।

ଉପସଂହାର-

ଫକୀରମୋହନଙ୍କ ଗଳ୍ପକାରିତାର ଆଲୋଚନା ଆହୁରି ଲମ୍ବା ହୋଇପାରେ । ମାତ୍ର କୋଡିଏଟି ଗଳ୍ପ ଭିତରେ ସେ ଯେଉଁ ବିସ୍ତାରର ସମ୍ଭାବନା ଆମ ପାଖରେ ଥୋଇଛନ୍ତି ତାହା ଅନୁଭବୀମାନେ ନିଶ୍ଚୟ ଅନୁଭବ କରୁଥିବେ । ଏହି ଆଲୋଚନାରେ ଗଳ୍ପକାରିତାର ମୁଖ୍ୟ ଗଳ୍ପଭାଷା ସଂପର୍କରେ ଆଲୋଚନା ହୋଇନି ତାକୁ ପରବର୍ତ୍ତୀ ଆଲୋଚନାରେ ସ୍ବତନ୍ତ୍ର ଭାବରେ କରାଯିବ । ସେହି ଆଲୋଚନାରେ ଆମେ ଦେଖିବା ବାଚନିକତାରେ ପ୍ରଗଲ୍ଭତା ସହ ଗାମ୍ଭୀର୍ଯ୍ଯତାର ଅପୂର୍ବ ସମନ୍ବୟରେ କିପରି ଫକୀରମୋହନ ଗଳ୍ପଭାଷା ସମୃଦ୍ଧ ହୋଇପାରିଛି ।