ଫଟୋ - ୱିକି ପିଡିଆ

ଫକୀରମୋହନ ସେନାପତିଙ୍କ ଗଦ୍ୟସାହିତ୍ୟ ସମକାଳର ସକଳ କ୍ରିୟା ପ୍ରତିକ୍ରିୟାର ସାହିତ୍ୟିକ ନକଲ । ପଦ୍ୟମୟ ଭାବବିହ୍ବଳ ରସିକ ପଣ୍ତିତଙ୍କୁ ଆଧ୍ୟାତ୍ମିକ, ଅତିକାଳ୍ପନିକ, ଯୋଗାଚାର ତନ୍ତ୍ରାଦି ସାଧନାରୁ ଉଦ୍ଧାରି ଗଦ୍ୟମୟ ଗହନ କାନନରେ ଚିନ୍ତନ, ମନନ କରିବାର ଏବଂ ମଣିଷ ଛାତିର ସ୍ବର ଓ ସ୍ବାକ୍ଷରକୁ ଛୁଇଁବାର ସାହାସିକତା ଦେଖାଇ ଯୁଗୀୟ ଧ୍ବନିକୁ ପାଠକଙ୍କୁ ଶୁଣାଇ ପାରିଥିଲେ ଫକୀରମୋହନ ସେନାପତି । ଫକୀରମୋହନଙ୍କ ସାହିତ୍ୟ କେବଳ ବିମୁଗ୍ଧ ଉଚ୍ଚାରଣ ନୁହଁ କିମ୍ବା ରସ ସୌନ୍ଦର୍ଯ୍ୟ ବିମଣ୍ତିତ କମନୀୟ ସ୍ବରୂପ ନୁହେଁ ବରଂ ତାହା ହେଉଛି ଯୁଗଧର୍ମୀ ମଣିଷମାନଙ୍କର ଆହ୍ବାନ । ମଣିଷକୁ ନେଇ ମଣିଷର ଅଧିକାର ପାଇଁ, ମଣିଷ ମଣିଷ ଭିତରର ଦ୍ବନ୍ଦ୍ବକୁ ନେଇ ତାଙ୍କ ସାହିତ୍ୟ ଭୋଗିଥାଏ ତର୍କବିତର୍କର ମହାନୁଭବ । ସେହିପରି ଏକ ତର୍କବିତର୍କର ମହାନୁଭବକୁ ନେଇ ରଚନା କରାଯାଇଥିବା ଫକୀରମୋହନଙ୍କ 'ଅଜାନାତି କଥା'ରେ କିପରି ଯୁଗୀୟ ଆହ୍ବାନ ଶୁଣିବାକୁ ମିଳେ ତାହା ବିଚାର୍ଯ୍ୟ ।

ଫକୀରମୋହନଙ୍କ 'ଅଜାନାତି କଥା' ୧୯୧୪ ମସିହା ଏପ୍ରିଲ୍ ମାସରେ ଉତ୍କଳ ସାହିତ୍ୟ ପତ୍ରିକାର ଊନବିଂଶ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ ବୋଲି ଫକୀରମୋହନ ସେନାପତି ନିଜେ ସ୍ବୀକାର କରିଛନ୍ତି । ଏଥିରେ ଅଜା ରାମ ଦ୍ବିବେଦୀ ଓ ନାତି ଗଣପତି ଦି'ଟା ଚରିତ୍ର । ସଂପୂର୍ଣ୍ଣ ଗଳ୍ପଟି କଥୋପକଥନ ଶୈଳୀରେ ରଚିତ । 'ଅଜାନାତି କଥା'ର କଥାଭାଗରୁ ଜଣାଯାଏ ଯେ ଏହି ଗଳ୍ପ(?)ର ସଂପର୍କ ଫକୀରମୋହନଙ୍କ ଆଉ ଏକ ଗଳ୍ପ 'ମୌନାମୌନି' ସହ ଜଡିତ ଯାହାକି ଜୁନ୍ ୧୯୦୭ ମସିହା ମୁକୁର ପତ୍ରିକାର ଦ୍ବିତୀୟ ବର୍ଷ ଦ୍ବିତୀୟ ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ଉକ୍ତ ମୌନାମୌନି ଗଳ୍ପରେ ବର୍ଣ୍ଣିତ ଦୁଇଜଣ ଚୋରଚୋରଣୀ ବାବାଜୀ ମାତାଜୀ ଭାବରେ ଖଣ୍ତଗିରିରେ ଲୁଚିରହି ତପସ୍ୟା କରିବା ଓ ପରବର୍ତ୍ତୀ ସମୟରେ ତାଙ୍କୁ ପୋଲିସ ଚାଲାଣ କରିବା ଘଟଣାକୁ ଅଜା ରାମ ଦ୍ବିବେଦୀ ସତ ଭାବି ପୁରୀ କଚେରୀରେ ଓକିଲମାନଙ୍କୁ ପଚରାଉଚୁରା କରିଛନ୍ତି ଏବଂ ଘଟଣାର ସତ୍ୟାସତ୍ୟ ବୁଝୁବୁଝୁ ଜାଣିଛନ୍ତି ଯେ ସେଠି ସେମିତି କିଛି ଘଟଣା ଘଟିନି । ନାତି ଗଣପତିଙ୍କୁ ଯେତେବେଳେ କହିଛନ୍ତି ଯେ ସେ ପଢି ଶୁଣାଇଥିବା କଥାଟି ମିଛ, ନାତି ଉତ୍ତର ଦେଇଛି - "ନାହିଁ ନାହିଁ ଅଜା ସେଇଟା ଗେଜେଟ୍ ନୁହେଁ, ସେଇଟା 'ସାହିତ୍ୟ' ମାସିକ ପତ୍ରିକା । ସେଥିରେ ମଉନାମଉନି ବୋଲି ଗୋଟିଏ ଗଳ୍ପ ଲେଖାଥିଲା ସେଇଟା ପଢି ଶୁଣାଉଥିଲି ।" ଉତ୍ତର ଶୁଣି ନାତି ପଢୁଥିବା ସାହିତ୍ୟକୁ ଅଜା ମିଛକଥା କହିବା ସହ ସେ ନିଜେ ପଢୁଥିବା ପୁରାଣରେ ଆଦୌ ମିଛ ଲେଖାଯାଏନି ବୋଲି ଦୃଷ୍ଟାନ୍ତ ଦେଇଛନ୍ତି । ଏହି ପୃଷ୍ଠଭୂମିରୁ ହିଁ ଉଭୟଙ୍କ ଭିତରେ ଯୁକ୍ତି ତର୍କ ଆରମ୍ଭ ହୋଇଛି । ନାତି ଗଣପତି ପୁରାଣର ବିଭିନ୍ନ ଘଟଣା ଚିତ୍ରରୁ ଉଦାହରଣ ନେଇ ପୁରାଣରେ କିପରି ମିଛକଥା ଲେଖାହେଲା ବୋଲି ଓଲଟ ପ୍ରଶ୍ନ କରିଛି ଏବଂ ନୂଆକରି ପାଦଥାପିଥିବା ସାହିତ୍ୟର ନୂତନ ବିଭାଗ (ଗଳ୍ପ, ଉପନ୍ୟାସ, ନାଟକ, ପ୍ରବନ୍ଧ) ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି କରିବାର ପ୍ରୟାସ କରିଛି । ନାତି ଗଣପତି କାନ୍ଥରେ ଅଙ୍କାହୋଇଥିବା କୃଷ୍ଣଙ୍କର ଚିତ୍ର, ମହାଭାରତର ବନପର୍ବର ଅଜଗର ସାପଟିଏ ଭୀମଙ୍କୁ ଗିଳିବା ଏବଂ ଯୁଧିଷ୍ଠିରଙ୍କ ସହ କଥାବାର୍ତ୍ତା ହେବା, ମହାଭାରତର ଅନ୍ୟ ଏକ କାହାଣୀ ଯାହାକି ଶୁଆକୁ କେନ୍ଦ୍ରକରି ଗଢିଉଠିଥିଲା ସେଇ ଶୁଆ ଚାଉଳ କୁଟିବା, ପୁଣି ପୁତନା ସଂପର୍କରେ ବିଭିନ୍ନ ପୁରାଣରେ ବର୍ଣ୍ଣିତ କଥାର ବୈଷମ୍ୟତା ଏବଂ ଯଦି ପୁତନା ଉଣେଇଶି ଯୋଜନ ମାଡିପଡିଥିଲା ତେବେ ଗୋପପୁରର ଆୟତନ ଅନୁଯାୟୀ ସେଠି ତ ସମସ୍ତେ ଚାପିହୋଇ ଯିବାକଥା ବୋଲି ଇତ୍ୟାଦି ପ୍ରସଙ୍ଗକୁ ନେଇ ଅଜା ସହ ତର୍କ କରିଛି । ନାତି ଗଣପତି ଏ ସବୁ ତର୍କବିତର୍କ କରିସାରି ସାହିତ୍ୟର ଏକ ପରିଭାଷା ନିରୂପଣ କରି କହିଛି - "ଜାଣ ତ ଅଜା, ପୁରାଣ ବୋଲ କି ଉପନ୍ୟାସ କି ଗଳ୍ପ ବୋଲ, ଲୋକଶିକ୍ଷା ଲାଗି କବିମାନେ ଏହିପରି ଲେଖିଯାଇଛନ୍ତି । ପୁରାଣ ଅର୍ଥ କଣ ନା ପୁରୁଣା କଥା । ଆଜିକାଲି ଯେ ଉପନ୍ୟାସ ସବୁ ବାହାରୁଛି, ତାକୁ ହଜାର ବରଷ ଉତ୍ତାରେ ଲୋକମାନେ ପଢିଲେ, କେହି କେହି ସତ ବୋଲି ମଣିବା ଆଶ୍ଚର୍ଯ୍ୟ ନୁହଁ ।'' ନାତିର ଏତକ ଯୁକ୍ତିରେ ଅଜା ସାମାନ୍ୟ ନରମିଥିଲେ ସୁଦ୍ଧା ତାଙ୍କ ମନକୁ ବୁଝାଇ ପାରିନାହାନ୍ତି, ସେ କହିଛନ୍ତି ''ନାହିଁରେ ଗଣି । ମୋ ମନ ମାନୁ ନାହିଁ, ଆଚ୍ଛା ମୁଁ ପଣ୍ତିତ ରାମମିଶ୍ରଙ୍କୁ ଏକଥା ପଚାରି କହିବି ।'' ଏହା ହିଁ ହେଉଛି 'ଅଜାନାତି କଥା'ର କଥାବସ୍ତୁ । ତେବେ ଅନାଲୋଚିତ ଏଇ ଗଳ୍ପଟିକୁ ଆମେ ଆଲୋଚନା କଲାପରେ ହିଁ ତା ଭିତରେ ରହିଥିବା ମହତ୍ବବୋଧକୁ ଆମେ ଅନୁଭବ କରିପାରିବା । ତେଣୁ 'ଅଜାନାତି କଥା'କୁ ଉପଜୀବ୍ୟ କରି କିଛି ନୂତନ ଦିଗକୁ ଆଲୋକପାତ କରାଯାଇପାରେ ।

ପ୍ରଥମତଃ, ଊନବିଂଶ ଶତକରେ ସୃଷ୍ଟିଲାଭ କରିଥିବା ଗଦ୍ୟ ସାହିତ୍ୟ ପାଇଁ ମିଶନାରୀମାନଙ୍କ ଉଦ୍ୟମ ଓ ଓଡିଆ ଭାଷାପ୍ରେମୀଙ୍କ ଅକ୍ଲାନ୍ତ ପରିଶ୍ରମ ସଂର୍ପକରେ ଆମେ ସମସ୍ତେ ଅବଗତ । ମାତ୍ର ଉତ୍କଳୀୟ ସମାଜର ତୃଣମୂଳ ସ୍ତରରେ ଗଦ୍ୟ ସାହିତ୍ୟର ବିଭିନ୍ନ ବିଭାଗ ଯଥା - ଗପ, ଉପନ୍ୟାସ, ନାଟକ, ପ୍ରବନ୍ଧ, ଆଲୋଚନାର ପ୍ରଭାବ ଓ ପ୍ରତିକ୍ରିୟା କ'ଣ ଥିଲା ସେ ସଂର୍ପକରେ ଆମ ଇତିହାସ ସଂପୂର୍ଣ୍ଣ ନୀରବ ନହେଲେ ବି ଯଥେଷ୍ଟ ପ୍ରଗଲ୍ଭ ମନେହୁଏ ନାହିଁ । ଏ ପ୍ରଭାବ ଓ ପ୍ରତିକ୍ରିୟା ଏଥିପାଇଁ ଜରୁରୀ ମନେହୁଏ ଯେ ଉତ୍କଳୀୟ ପାଠକଙ୍କ ନିକଟରେ ଗଦ୍ୟସାହିତ୍ୟ ଏକବାରେ ନୂଆ ଏବଂ ସେଥିରେ ବର୍ଣ୍ଣିତ ମଣିଷ, ଭାଷା, ପରିବେଶ ଓ ଉପସ୍ଥାପନା କୌଶଳ ମହାଭାରତ, ଭାଗବତ, ରାମାୟଣ, ଲାବଣ୍ୟବତୀ, ରସକଲ୍ଲୋଳ ଇତ୍ୟାଦି କାବ୍ୟ ମହାକାବ୍ୟ, ପୁରାଣ ମହାପୁରାଣଠାରୁ ସ୍ବତନ୍ତ୍ର । ତେବେ ଯେଉଁମାନଙ୍କ ଶିକ୍ଷାଦୀକ୍ଷା ପୁରାଣାଶ୍ରିତ ଓ ପୁରାଣରେ ସୀମିତ ସେମାନେ ଏହି ନବସୃଷ୍ଟି ପ୍ରତି କେଉଁ ଦୃଷ୍ଟି ଅବଲମ୍ବନ କରିଥିବେ ଜାଣିବା ଆମ ପାଇଁ ଏକ ବଡ ପ୍ରଶ୍ନ । ଫକୀରମୋହନଙ୍କ ଛ'ମାଣ ଆଠଗୁଣ୍ଠ ପଢି ସେ ସମୟରେ କିଛି ମଫସଲିଆ ଲୋକ ତାକୁ ସତ ଘଟଣା ମାନି ରାମଚନ୍ଦ୍ର ମଙ୍ଗରାଜର ମକଦ୍ଦମା ଦେଖିବାକୁ କଟକ କଚେରୀକୁ ଆସିବା ଯେପରି ତତ୍କାଳୀନ ଜନସାଧାରଣଙ୍କ ମାନସରେ ନୂତନ ସାହିତ୍ୟର ପ୍ରଭାବକୁ ସ୍ପଷ୍ଟ କରେ ଠିକ୍ ସେହିପରି 'ଅଜାନାତି କଥା'ରୁ ମଧ୍ୟ ଗଦ୍ୟସାହିତ୍ୟର/ନବ୍ୟସାହିତ୍ୟର ପ୍ରଭାବ ସାଧାରଣ ଜନତାଙ୍କ ଉପରେ କିଭଳି ଥିଲା ଅନୁଭବ କରିହୁଏ । ନବ୍ୟଶିକ୍ଷିତ ମାନେ ନୂତନ ସାହିତ୍ୟର ନୂତନ ଦିଗଦର୍ଶନକୁ ସାଦରେ ଆପଣାଇ ନେଲାବେଳେ ମଫସଲିଆ ଓ ଋଢ଼ିବାଦୀ ଚିନ୍ତାଧାରୀଙ୍କ ମହଲରେ ତାହା 'ମିଛକଥା' ବୋଲି ଗ୍ରହଣ ହେଉଥିଲା । ସେହି ପ୍ରଭାବ କିପରି ଭାବରେ ଜନସମାଜରେ କୌତୁହଳ ଓ ଦ୍ବନ୍ଦ୍ବ ଉତ୍ପନ୍ନ କରୁଥିଲା 'ଅଜାନାତି କଥା' ଆରମ୍ଭର କିୟଦଂଶ ମାଧ୍ୟମରେ ଜାଣିହେବ -

"ଅଜା ରାମ ଦ୍ବିବେଦୀ ଏ - ଆରେ ଗଣି ! ଆମ ଜମିର ରୋଡ଼ସେସ୍ ଟଙ୍କା ଦାଖଲ ଲାଗି କଚେରୀକୁ ଯାଇଥିଲି । କାଲି ସଞ୍ଜବେଳେ ଘରକୁ ଫେରିଆସିଛି । ଆମ ମୁକ୍ତାର ରାମ ମିଶ୍ରେ, ଆଉ ଦି'ଚାରି ଜଣ ଓକିଲଙ୍କୁ ପଚାରିଲି, କାହିଁ କେହିତ ସେ ମକଦ୍ଦମା କଥା ଶୁଣିଥିବାର କହିଲେ ନାହିଁ ! ପୁରୀ ସହର ଭିତରେ ବି କେତେ ଲୋକଙ୍କ ସାଙ୍ଗରେ ଦେଖାହେଲା । ଯାହାକୁ ପଚାରିଲି, ସମସ୍ତେ କହିଲେ, ପୁରୀରେ ଏ କଥା ଶୁଣାନାହିଁ । ଏ କିମିତିକା କଥାରେ ?

ନାତି ଗଣପତି - କେଉଁ ମକଦ୍ଦମା କଥା ଅଜା ?

ଅଜା - ଆରେ, ତୁ ସେଦିନ ପରା ଗେଜେଟରେ ପଢ଼ି ଶୁଣାଉଥିଲୁ, ଗୋଟେ ମାଇକିନିଆ, ଗୋଟିଏ ପୁରୁଷ, ଦୁଇଜଣ ଚୋର - ଚୋରଣୀ, ମଉନା - ମଉନୀ ବାବାଜୀ ସାଜି ଖଣ୍ତଗିରିର ଗୋଟିଏ ଗୁହା ଭିତରେ ବସି ମିଛରେ ତପସ୍ୟା କରୁଥିଲେ । ପୁଲିସ ସେମାନଙ୍କୁ ଚଲାଣ ଦେଲା । ମେଜେଷ୍ଟର୍ ସାହେବ ଦି ଦି ବରଷ ମିଆଦ ଦେଲେ ।

ଗଣପତି - ହୋଃ ହୋଃ ହୋଃ ! ଏଇ କଥା ! ନାହିଁ ନାହିଁ ଅଜା, ସେଇଟା ଗେଜେଟ୍ ନୁହଁ, ସେଇଟା 'ସାହିତ୍ୟ' ମାସିକ ପତ୍ରିକା । ସେଥିରେ ମଉନା - ମଉନୀ ବୋଲି ଗୋଟିଏ ଗଳ୍ପ ଲେଖାଥିଲା, ସେଇଟା ପଢି ଶୁଣାଉଥିଲି ।

ଅଜା - ଆରେ, ଗେଜେଟରେ କ'ଣ ମିଛକଥା ଲେଖାହୁଏ ? ସେ ଗୁଡାକ ତୁ କ୍ୟାଁ ପଢୁ ? ମଲା ଯା ! ମୁଁ ଜାଣିଥିଲି ସରକାରରୁ ଯେତେ ଛପା ଗେଜେଟ୍ ଆସେ, ସେଥିରେ ସବୁ ସତକଥା ଲେଖାଥାଏ । ତେବେ ଏଇଭଳି ମିଛକଥା ଗୁଡାଏ ଥାଏ ? ସେ ଗୁଡାକ ତୁ କାଇଁ ପଢୁରେ ? ତୁମ ସ୍କୁଲରେ କ'ଣ ଏଇ ମିଛକଥାଗୁଡାକ ପଢ଼ା ହୁଏ ? ହେବ ନାହିଁ ? ମ୍ଲେଛ ପାଠ ତ ?"

ଦ୍ଵିତୀୟତଃ, ସତ୍ୟଘଟଣା ଉପରେ ଆଧାରିତ 'ଅଜାନାତି କଥା'କୁ ଶିଳ୍ପଧର୍ମ ଦୃଷ୍ଟିରୁ ଆଦୌ ଗଳ୍ପ କୁହାଯାଇ ପାରିବନାହିଁ । ଏହାକୁ ଆମେ ଫକୀରମୋହନଙ୍କ ଏକ ରିପୋଟିଂ ଭାବରେ ନେଇ ପାରିବା, ଯେଉଥିରେ ସାହିତ୍ୟର ସାମାନ୍ୟତମ ଛିଟା ପକାଇବାର ପ୍ରୟାସ କରାଯାଇଛି । ରିପୋଟିଂ ବା ଜର୍ନାଲିଜିମ୍ ମୁଖ୍ୟତଃ ସମାଜ ଚୈତନ୍ୟ ହୋଇଥିବାବେଳେ ସାହିତ୍ୟର ବିଶିଷ୍ଟ ଲକ୍ଷଣ ହେଉଛି ଜୀବନ ଚୈତନ୍ୟ । 'ଅଜାନାତି କଥା'ରେ ଜର୍ନାଲିଜିମର ସମାଜ ଚୈତନ୍ୟ ଲକ୍ଷଣଟି ଦୃଶ୍ୟମାନ । ଯେହେତୁ ସାହିତ୍ୟ ଏକ ବିଶେଷ ପରିବେଶ ଓ କାଳଖଣ୍ତରେ ଲିଖିତ ହୋଇଥାଏ ପୁଣି ସାହିତ୍ୟିକ ନିଜେ ସାମାଜିକ ପ୍ରାଣୀଟିଏ ହୋଇଥିବାରୁ ସାହିତ୍ୟରେ ସାମାଜିକ ଚୈତନ୍ୟ ରହିବା ସ୍ବଭାବିକ କଥା । ମାତ୍ର ସାହିତ୍ୟ ସମାଜ ଚୈତନ୍ୟରେ ସ୍ଥିର ରହିଯାଇ ଜୀବନ ଚୈତନ୍ୟ ଆଡକୁ ଉନ୍ନୀତ ନହେଲେ ତାକୁ ରିପୋଟିଂ ହିଁ କୁହାଯିବ । 'ଅଜାନାତି କଥା' ରିପୋଟିଂ ଶୈଳୀରେ ରଚନା କରାଯାଇଛି ତା ଅର୍ଥ ଏହା ନୁହଁ ଯେ ତାର କୌଣସି ଉପଯୋଗିତା ନାହିଁ । 'ଅଜାନାତି କଥା' ଏପରି ଏକ ରିପୋଟିଂ ଯେଉଁଥିରେ ତତ୍କାଳୀନ ଓଡିଶା ସାହିତ୍ୟରେ ନବଜାଗରଣର ରଶ୍ମିଟିଏ ନେଇ ସୃଷ୍ଟିଲାଭ କରିଥିବା ଗଦ୍ୟସାହିତ୍ୟର ବିଜୟବାର୍ତ୍ତା ପ୍ରକାଶିତ । ଗଦ୍ୟର ଆତ୍ମପ୍ରକାଶରୁ ଦୀର୍ଘବର୍ଷର ନିଶ୍ଚଳ ଅନ୍ଧବିଶ୍ବାସ ବଦଳରେ କିପରି ବିଚାରବୋଧ ଓ ଯୌକ୍ତିକତା ପ୍ରସାର ଲାଭ କରିଛି, ଜାଗତିକ ଦୃଶ୍ୟବୋଧକୁ ଦେଖିବା ପାଇଁ ଖଞ୍ଜି ଦିଆଯାଇଥିବା ବିଶ୍ବାସର ଧର୍ମୀୟଚକ୍ଷୁ ବଦଳରେ କିପରି ବିଜ୍ଞାନର ତାର୍କିକ ନୟନ ହଳେକୁ ଆପଣାଇବା ଆରମ୍ଭ ହୋଇଛି ଇତ୍ୟାଦିର ଉତ୍ତର ଆମେ ଅଜାନାତି କଥା'ରୁ ପାଇଯାଇଥାଉ । ସେହିସବୁ ଦୃଷ୍ଟିରୁ ଉତ୍କଳୀୟ ସାହିତ୍ୟରେ ନୂଆକରି ପାଦ ଥାପିଥିବା ଗଦ୍ୟସାହିତ୍ୟର ସଂଘର୍ଷ ଓ ମହତ୍ତ୍ବ ପ୍ରତିପାଦିତ ହୋଇଥିବା 'ଅଜାନାତି କଥା'ର ଐତିହାସିକ ମହତ୍ବବୋଧକୁ ଅସ୍ବୀକାର କରାଯାଇ ପାରିବ ନାହିଁ ।

ତୃତୀୟତଃ, 'ଅଜାନାତି କଥା'ରେ ଦି'ଟା ଚେତନାର ସଂଘର୍ଷ ଦେଖିବାକୁ ମିଳେ । ଗୋଟିଏ ପାରମ୍ପରିକ ବିଶ୍ବାସବୋଧର ଆରକ ନବଜାଗୃତ ବିଚାରବୋଧର । ଫକୀରମୋହନଙ୍କ ଗଳ୍ପଜଗତକୁ ଦେଖିଲେ ଜାଣିପାରିବା ଯେ ଏହି ଚେତନାର ଦ୍ବନ୍ଦ୍ବ ତାଙ୍କ ପାଇଁ ଗୋଟାପଣେ ନୂଆ ନୁହଁ । ରେବତୀରୁ ଆରମ୍ଭ ହୋଇ ସଭ୍ୟ ଜମିଦାର, ଡାକମୁନସି ଯାଏଁ ଏହି ଚେତନାର ଲଢେଇ ଦୃଶ୍ୟମାନ ହୋଇଥାଏ, ଫରକ ଏତିକି ସେଗୁଡିକ ରସାଳ ଅଭିବ୍ୟକ୍ତିରେ ପ୍ରସ୍ଫୁଟିତ ହୋଇପାରିଲେ, 'ଅଜାନାତି କଥା' ରସ ସୌନ୍ଦର୍ଯ୍ୟ ଘେନି ବୈଚିତ୍ର୍ୟମୟତାକୁ ଆପଣାର କରି ନପାରି ଜର୍ନାଲିଜମ୍ ପାଲଟିଗଲା । ମାତ୍ର ଏକଥାକୁ ମଧ୍ୟ ଅସ୍ବୀକାର କରାଯାଇ ପାରିବନି ଯେ 'ରେବତୀ', 'ଡାକମୁନସୀ', 'ଧୂଳିଆବାବା', 'ସଭ୍ୟ ଜମିଦାର' ପ୍ରଭୃତି ଗଳ୍ପ ଅପେକ୍ଷା ଗାଳ୍ପିକ ଫକୀରମୋହନ ଭେଟିଦବାକୁ ଚାହୁଁଥିବା ନବଜାଗରଣର ଅନୁଭବକୁ ସଫଳ ଓ ସାହାସିକତାର ସହ ପାଠକ ପାଖକୁ ସଞ୍ଚରିତ କରିପାରିଛି ସ୍ବକୀୟ ଅଜାନାତି କଥାରେ । 'ଅଜାନାତି କଥା'ରେ ଫକୀରମୋହନଙ୍କ ଅଭିବ୍ୟକ୍ତି ସଂଶୟ ମୁକ୍ତ ହେବାର ସୁଯୋଗ ପାଇଛି ।

ଚତୁର୍ଥତଃ, 'ଅଜାନାତି କଥା'ରେ ଫକୀରମୋହନଙ୍କ ଆତ୍ମବ୍ୟକ୍ତିତ୍ବର ସଫଳ ପ୍ରତିଫଳନ ଘଟିଛି । ଯେହେତୁ 'ଅଜାନାତି କଥା'ର ଶୈଳୀ ସଂଳାପଧର୍ମୀ ଫକୀରମୋହନଙ୍କ ବକ୍ତବ୍ୟ ସିଧାସଳଖ ଆଧୁନିକତାର ବାର୍ତ୍ତାବହ ନାତିଟୋକାର ମାଧ୍ୟମରେ ପରିପ୍ରକାଶ ଘଟିଛି । ନାତି ଗଣପତି ହିଁ ଫକୀରମୋହନଙ୍କ ବ୍ୟକ୍ତିତ୍ବର ପ୍ରତିଫଳନ ଏବଂ ତାର ଅଭିବ୍ୟକ୍ତି ହିଁ ଫକୀରମୋହନଙ୍କ ମରମର ଭାଷା । ତେଣୁ ନାତିଟୋକା ସାହିତ୍ୟ, ପୁରାଣ, ପତ୍ରିକା ସଂପର୍କୀୟ ଦେଇଥିବା ମନ୍ତବ୍ୟ ସ୍ବୟଂ ଫକୀରମୋହନଙ୍କର । କିଛିକଥା ସିଧାସଳଖ ବକ୍ତବ୍ୟ ମାଧ୍ୟମରେ ଏବଂ କିଛିକଥା ବ୍ୟଙ୍ଗ, ବିଦ୍ରୂପ, କଟାକ୍ଷ ଓ ଇଙ୍ଗିତ ମାଧ୍ୟମରେ ନାତିଟୋକା ଦେଇଥିବା ବାର୍ତ୍ତା ହିଁ ଫକୀରମୋହନଙ୍କ ବାର୍ତ୍ତା ।

ଚତୁର୍ଥ, ଊନବିଂଶ ଶତାବ୍ଦୀରେ ଇଂରେଜଙ୍କ ଦ୍ବାରା ମୁଣ୍ତଟେକିଥିବା ଶିକ୍ଷାନୀତି ଓ ନବ୍ୟଶିକ୍ଷିତଙ୍କୁ ନେଇ ଋଢିବାଦୀଙ୍କର ଦୃଷ୍ଟିଭଙ୍ଗୀକୁ ମଧ୍ୟ ଅଜାନାତି କଥାରୁ ଜାଣିହୁଏ । ଅଜା ରାମ ଦ୍ବିବେଦୀ ନାତି ପଢୁଥିବା ପାଠକୁ ମ୍ଲେଛପାଠ କହି କଟାକ୍ଷ କରିଛନ୍ତି ଏବଂ ସେହି ମ୍ଲେଛପାଠ ହିଁ ନବପିଢ଼ିର ଅଧୋଃପତନର ପ୍ରମୁଖ କାରଣ ଭାବରେ ଚିନ୍ତା କରିଛନ୍ତି । ନୂତନଶିକ୍ଷାକୁ ନେଇ ଅଜାଙ୍କ ଦୃଷ୍ଟିକୋଣ ହେଉଛି "ମୁଁ ଜାଣିଥିଲି ସରକାରରୁ ଯେତେ ଛାପା ଗେଜେଟ୍ ଆସେ ସେଥିରେ ସବୁ ସତକଥା ଲେଖାଥାଏ । ତେବେ ଏଇଭଳି ମିଛକଥା ଗୁଡାଏ ଥାଏ ? ସେଗୁଡାକ ତୁ କାଇଁ ପଢୁରେ ? ତୁମ ସ୍କୁଲରେ କ'ଣ ଏଇ ମିଛକଥାଗୁଡାକ ପଢା ହୁଏ ? ହବ ନାହିଁ ? ମ୍ଲେଛ ପାଠ ତ ?"

ପୁଣି - ତୁ କିମିତିକା ଓଲା ଟୋକାଟାରେ । ହବ ନାହିଁ କ୍ୟାଁ ? ? ମ୍ଲେଛ ପାଠ ପଢି ତୁମମାନଙ୍କ ବୁଦ୍ଧି ବିଗିଡି ଯାଇଛି ।

ସାମଗ୍ରିକ ଭାବରେ 'ଅଜାନାତି କଥା'ରୁ ଫକୀରମୋହନଙ୍କ ସମକାଳରେ ଆରମ୍ଭ ହୋଇଥିବା ନବଚେତନାର ପ୍ରଭାବ ସହ ଋଢ଼ିବାଦୀ ଚେତନାର ପ୍ରତିକ୍ରିୟା ସ୍ପଷ୍ଟ ଭାବରେ ଅନୁଭବ କରିପାରୁ । ନୂତନ ଭାବରେ ସୃଷ୍ଟି ଲାଭ କରିଥିବା ଗଦ୍ୟ ସାହିତ୍ୟ ଯେତେବେଳେ ମାଟିମଣିଷର ଅଧିକାର କଥା କହିଲା, ଆଧ୍ୟାତ୍ମ ଛାଡି ମାନବ ଧର୍ମରେ ଦୀକ୍ଷିତ ହବା କଥା କହିଲା, ସେତେବେଳେ ତାହା ହଜାର ହଜାର ବର୍ଷରୁ ଗଢିହୋଇ ଆସିଥିବା ପରମ୍ପରା ନାମକ ସ୍ଥାପତ୍ୟରେ କେମିତି କୁଠାରଘାତ କରିଛି 'ଅଜାନାତି କଥା' ତାର ଏକ ଐତିହାସିକ ଦଲିଲ୍ । କଳାତ୍ମକତାର ଗୌରବରୁ ବଞ୍ଚିତ ହେଲେ ହେଁ 'ଅଜାନାତି କଥା'ର ଭାଷା ଉଦ୍ଦାତ୍ତ । ସାହିତ୍ୟ କେବଳ ଗାନ ବା ଶ୍ରବଣ କରି ଆହ୍ଲାଦିତ ହବା ନୁହଁ ସାହିତ୍ୟ ହେଉଛି ମାନବଧର୍ମ ପାଳନ, ବିଶ୍ବାସର ଅନ୍ଧାନୁସରଣ ନୁହଁ ବିଚାରର ନବନବ ଅନ୍ବେଷଣ, ଏହା ହିଁ 'ଅଜାନାତି କଥା'ର ଅନ୍ତର୍ନିହିତ ଧ୍ବନି ।