ଦିନ ଥିଲା

ଝୋଲା, ଡଙ୍ଗର ଓ ସେ ପୁରୁଣା ପୃଥିବୀ । ସେ ପୃଥିବୀ ଓ ଆଜିର ପୃଥିବୀ ଭିତରେ କେତେ ଦୂରତା ? ଏ କବିତା ବିସ୍ଥାପନ ଓ ବିସ୍ଥାପିତ ମଣିଷର ଭାଗ୍ୟକୁ ନେଇ ଲେଖା ହୋଇଥିବା ଅନ୍ଯତମ ଚମତ୍କାର କବିତା ।


ଫଟୋ - କେଦାର ମିଶ୍ର

ଦିନ ଥିଲା
ଏ ଝୋଲା ପାଣିରେ
ବହୁଥିଲା ଆମର ପୁରୁଣା ଦୁଃଖ

ଝୋ ଝୋ ବର୍ଷାରେ ଭିଜି ଯାଉଥିଲା
ମନ ତଳର ସେ ଶାଳବଣ
ଦିନ ଥିଲା
ସାରା ବନସ୍ତରେ ଧାଇଁ ଯାଉଥିଲା
ତା ଜୁଆନ୍ ଗୀତର ବିଜୁଳି
ଦିନ ଥିଲା

ଏ ପୋରୁହାଁ ପାହାଡର ଛାତିରେ
ଦୁଲକି ଯାଉଥିଲା ଆମ ସ୍ମୃତିର ମାଦଲ୍ ।

ମାଟିର ଲୁଣ
ଆକାଶର ଦେହ
ବାପଅଜାର ପାଦପକା ରାସ୍ତା
ଝାଳବତୁରା ମାଟିର ଦି ବଖରା ଘର

ଦିନ ଥିଲା
ମାତାଲ୍ ଦେହର କ୍ଲାନ୍ତିରେ
ଫେରି ଆସୁଥିଲା ବରଷ,
ଦେ’ ଦେବତା, ଜାନିଯାତ,
ପୁଷପୁନିର ସରୁ ନ ଥିବା ନାଚ !

ଏବେବି ଫେରୁଛି ବରଷ
ଟ୍ରକ୍ ଡାଲାରେ ବୁହା ହେଇ
ଧୂଳିର ଅଇଁଠା ଖାଇ
ଖଣିର ପେଟରୁ ପାଲଟା ଭୁତ ହେଇ
ଏବେବି ଫେରୁଛି ଦେଶ
ମାଗୁଛି ପାଉଣା
ମାଗୁଛି ଲୁଣର ବେନାମୀ ଖଜଣା ।

ବିଦେଶରେ ଇଟା ଗଢୁଛି
ଦୁଇଟି କଟା ହାତ
ଖାଲି ପିଠିରେ ଚାବୁକ୍ ମାଡର
ସେ ପ୍ରଖର ନନ୍ଦିଘୋଷ
ଗଛ ଡାଳରୁ ଝୁଲୁଥିବା
ଦୁଇଟି କଥାକୁହା ଶବ
ନାବାଳକର ରକ୍ତରେ ଲେଖା
ସୀମାନ୍ତର ତରଳ ଦେହ
ହାଜତରୁ ଶୁଭୁଥିବା
ଇତିହାସର ବୁକୁଫଟା କାନ୍ଦ
ମାତ୍ର ଅଢେଈ ବର୍ଷର ଲଢେଇ ପରେ
ଖିନ୍ ଭିନ୍ ଗୋଟେ ଦେଶଦ୍ରୋହୀ ଶବ !

ଏ ଝୋଲା ପାଣିରେ ଏବେବି
ଆକାଶର ମୁହଁ
କାନେଇ ଶୁଣ
ଏ ଖାଁ ଖାଁ ଡଂଗରର ଛାତିରେ
ଏବେବି ଶୁଭୁଛି ଚଇତ୍ ପରବ୍ ଗୀତ
ଅଳସୀ ଖେତର ବହଳ ଦୁଃଖରେ
ଏବେବି ସେ ପଖାଳି ଦେଉଛି ଗୀତ
ଖଣିଜ ଭୋକର କଢେଇ ଭିତରେ
ଏବେବି ଫୁଟୁଛି ତାର ଜୁଆନ୍ ଦେହର କ୍ଷତ !