ଧଉଳି ଦେଖା

ଇତିହାସ ଓ ବର୍ତ୍ତମାନ ଏ କବିତାରେ ହାତ ଛନ୍ଦାଛନ୍ଦି ହୋଇ ଚାଲିଛନ୍ତି । ଧଉଳି ଇତିହାସର କେବଳ ଏକ ପ୍ରତୀକ ନୁହଁ, ଏହା ଆଜିର ସମୟ ଲାଗି ଏକ ଆହ୍ଵାନ ମଧ୍ୟ ।


କେତେ ଆଉ
ସେଇ ସେଇ କଥାକୁ ଘୋଷି ହେଉଥିବା !

ଯୁଆଡେ ଗଲେ ଖାଲି
ରାଜନୀତି, ହତ୍ଯା, ଧର୍ଷଣର କାକଳୀ
ଅଭାବ, ବେକାରୀ, ମହଙ୍ଗାଈର କରତାଳି

ବରଂ ଚାଲ, ଘଡେ ବୁଲିଆସିବା
ଶାନ୍ତିସ୍ତୂପ ଧଉଳି

ଆମେ ଯିବା ତ’
ଦୟା ନଈର ପାଣିରେ
ମୁହଁ ଧୋଇବା ପୂର୍ବରୁ
ଜମା ନଜର ଦେବାନି
ରାସ୍ତାକଡରେ ବିକା ହେଉଥିବା
ନଈ ପୋହଳା ଓ ସଜ ଜରାଳୀ,
ସିଧା ଯିବା ଚାଲିଚାଲି

ଆମେ ଯିବାନି
ସେଇ ଗହଳି ରାସ୍ତାରେ

ନୂଆ ରାସ୍ତାଟିଏ ଖୋଜିବା
ନିରୋଳା, ଚୁପଚାପ, ଶୁନ୍ ଶାନ୍,

ଅନ୍ତତଃ ଯେଉଁ ରାସ୍ତାରେ
ପତଙ୍ଗର ଶବ୍ଦ
ପକ୍ଷୀର ଡାକ
ସାପର ଛନକା
ଝୁଣ୍ଟି ପଡିବାର ଆତଙ୍କ
ରାସ୍ତା ଗୁପି ଯିବାର ଭୟ
ଇତ୍ଯାଦି, ଇତ୍ଯାଦି, ସବୁ ଥିବ
ଆମ ସାଙ୍ଗରେ

ସହରରୁ ମୁକୁଳି
ଆମେ ଯେ ଏକ ଶାନ୍ତି ଖୋଜିବାକୁ ବାହାରିଛେ,
ଏକଥା ଯେମିତି
କେହି ସନ୍ଦେହ କରିବା ଉଚିତ ନୁହେଁ

ଏମିତି ବି ଶାନ୍ତି
କୌଣସି ସ୍ତୂପରେ ଫଳି ନଥାଏ,
ଯେମିତି ଦୂରତା ଜମାଟ ବାନ୍ଧି ନ ଥାଏ
ରାସ୍ତା କଡରେ ପୋତା ଯାଇଥିବା
ମାଇଲ ଖୁଣ୍ଟରେ

ପହଂଚି
ଘଡିଏ ବସିବା,
ଥକାନ୍ ନେବା କୌଣସି ଏକ ପଥର ଉପରେ

ଆମେ କ’ଣ ସତରେ ଚିହ୍ନିପାରିବା
ସେଇ ପଥରକୁ
ଯେଉଁଠି ଦିନେ ବସିଥିଲେ ହାଲିଆ ହୋଇ ଅଶୋକ
କଳିଙ୍ଗ ଯୁଦ୍ଧ ପରେ ?

କିଛି ଫରକ୍ ପଡିବନି
ଆମେ ଚିହ୍ନିବା କି ନ ଚିହ୍ନିବାରେ

“ସେଇ ନିର୍ଦ୍ଦିଷ୍ଟ ପଥର କଣରେ ଯେ
ଉପଦେଶର ଥାଳ ଧରି
ଆମ ପାଇଁ ଠିଆ ହୋଇଛନ୍ତି ଉପଗୁପ୍ତ”

ଏପରି ଭାବିବା ଇଁ
ବର୍ତ୍ତମାନର ଧର୍ମାନ୍ଧ ସମୟ ପାଇଁ
ଏକ ବଡ ଧକ୍କା ହୋଇପାରେ !

ଅବଶ୍ଯ
ଆମକୁ ଭେଟି ଭିକ୍ଷୁ ଉପଗୁପ୍ତ ଚିବର୍ ଯାଚିଲେ ବି
ଆମେ କୋଉ ଗ୍ରହଣ କରିବାର ଲୋକ ଯେ ?

ଆମେ ତ’
ହିଂସାକୁ ଇ ଆଦର କରୁଥିବା ସଂସାରୀ

ସହରୀ ଜଂଜାଳରୁ ଘଡିଏ ମୁକୁଳି
ରାସ୍ତାକଡରେ ଚା’ ପିଇ
କାଗଜ କପ୍ କୁ ଫୋପାଡି ଦେବାପରି
ଧଉଳି ଦେଖା,
ଆମର ଯେ କେବଳ ଔପଚାରୀ !

Report an Error