ଚିତ୍ର ସୂତ୍ର - ୱିକିପିଡିଆ

ଆମର ଏହି ମହାପାର୍ବଣର ସାଂସ୍କୃତିକ ପ୍ରେକ୍ଷାପଟ୍ଟର ବିବର୍ତ୍ତନକୁ ବୁଝିବା ପାଇଁ ଏଇ ଲେଖାଟି ହେଉଛି ଗୋଟିଏ କ୍ଷୁଦ୍ର ପ୍ରୟାସ । ଏହାକୁ ସେହିଭଳି ସଦୟ ଦୃଷ୍ଟିରେ ଦେଖିବା ପାଇଁ ଅନୁରୋଧ ।

ଏହି ମହାପାର୍ବଣର ପ୍ରେକ୍ଷାପଟ୍ଟକୁ ଚର୍ଚ୍ଚା କଲାବେଳେ ପରଖ୍ୟାତ ଜନବାଦୀ ଗାୟକ କବୀର ସୁମନଙ୍କର ଗୋଟିଏ ପ୍ରସିଦ୍ଧ ଗୀତରୁ ଧାଡିଟିଏ ପ୍ରାସଙ୍ଗିକ ହେବ । ସେହି ଧାଡିଟି ହେଉଛି ଏହିପରି:

"ଅକାଲ ବୋଧନେ ଆମି
ତୋମାକେ ଚାଇ"

କହିବାର ତାତ୍ପର୍ଯ୍ୟ ହେଉଛି ଆମର ଯଦି କୌଣସି ଦୁଃସମୟରେ ଆବଶ୍ୟକତା ପଡେ ତେବେ ଆଗ ଆମେ ଯାହାକୁ ଆମର ସବୁଠାରୁ ବିଶ୍ୱାସଯୋଗ୍ୟ ବୋଲି ମନେ କରିଥାଉ ତାହା ପାଖକୁ ଯାଇଥାଉ । ଆମର ଆସ୍ଥା ଆଉ ବିଶ୍ୱାସର ଆଧାର ର ପ୍ରତିଷ୍ଠା ସେଇଠି ପୁନଃ ଆରୋପଣ ହୋଇଥାଏ । ଆଉ ଆମର ସେଥିରେ ଭାରି ଆନନ୍ଦ । ସେଇଠି ଅକାଳ ବୋଲି କିଛି ନାହିଁ । ଅନ୍ୟ ଭାବରେ କହିଲେ ଅକାଳ ବୋଧନ ବା ଅକାଳରେ ଦେବୀଙ୍କୁ ଆରାଧନା କରିବା ଭଳି ଏକ ଆବଶ୍ୟକତାର କଥା ଜନବାଦୀ ଗାୟକ କବୀର ସୁମନ ଏଇଠି କହିଛନ୍ତି ।

କାଳକ୍ରମରେ ଦେବୀକଥାରେ ଯୋଡିରହିଛି ଅକାଳ ବୋଧନ। ସେଇ କଥାକୁ ଆଧାର କରି କବିର ସୁମନଙ୍କର ଏଇ ପ୍ରସିଦ୍ଧ ଧାଡି ।

ଆମ ଭଳି ଯେଉଁମାନେ ମଣିଷ ଯୋନୀରୁ ହିଁ ସଂଭୂତ ତାଙ୍କ ପାଇଁ କଥାଟି ଭାରି ସରଳ। ଦରକାର ପଡିଲା ବୋଲି ଜଣକୁ ନିଦରୁ ଉଠେଇଲା ଭଳି କଥାଟିଏ ହେବ ଏଇ ଅକାଳ ବୋଧନ । ମଣିଷ ବ୍ୟତୀତ ଅନ୍ୟକେହି ଆଉ କାହାକୁ ତାହାର ନିଦରୁ ଉଠେଇଲା ଭଳି କାମଟିଏ କରିନଥାଏ । ତେଣୁ ଏଇଠି ଅକାଳ ବୋଧନର କାମଟି ମଣିଷ କରୁଛି ଆଉ ସେ ଯାହାକୁ ନିଦରୁ ଉଠାଇବା ଭଳି କାମଟି କରୁଛି ସେ କୌଣସି ମାନବୀ ନୁହଁ, ସେ ଦେବୀ, ଶାକମ୍ବରୀ, ମାଆ ଜଗତଜନନୀ ।

ମାଆଙ୍କର ଶାକମ୍ବରୀ ରୂପରୁ କଥାଟି ଆରମ୍ଭ ହେଉ ।

ପ୍ରସଂଗକ୍ରମେ ଯେତେବେଳେ ଅକାଳ ବୋଧନ ମନକୁ ଆସିଲା ତାହା ସହିତ କେମିତି କେଜାଣି ହଠାତ୍ ଆସିଗଲା ପ୍ରସିଦ୍ଧ ଜନବାଦୀ ଗାୟକ କବୀର ସୁମନ ଗାଇଥିବା ଉପରେ ଉଲ୍ଲେଖ କରାଯାଇଥିବା ଏଇ ଧାଡିଟି । ସବୁବେଳେ ଗୀତମାନଙ୍କୁ କେବଳ ପ୍ରାଂଜଳ ପଢିପାରେ ବୋଲି ଅପଯଶ ଅର୍ଜନ କରିଥିବା କୁକଂଠର ଅଧିକାରୀ ଏଇ ଉପସ୍ଥିତ ଚରିତ୍ରଟି ନିଜ ଭିତରେ ଆଗ ଗୁଣୁଗୁଣୁ କରିଥିଲା ସେଇଧାଡିଟିକୁ । ଏମିତିରେ ବିଚାର କଲେ ଦେଖିବା ଯେଉଁ ଗୀତରୁ ଏଇ ଧାଡିଟି ଆସିଛି ସେଥିରେ ଗାୟକ ନିଜେ ନିଜର ଭୋଗୁଥିବା ସମସ୍ତ କ୍ଷେତ୍ର ବିଶେଷରେ ଏକାନ୍ତରେ ସାନ୍ନିଧ୍ୟ ଚାହିଁଛନ୍ତି ନିଜର ପ୍ରିୟତମ ଶ୍ରେଷ୍ଠତ୍ବର । ସେଇ ପ୍ରିୟତମ ଶ୍ରେଷ୍ଠତ୍ବର ପ୍ରତୀକ ହେଉଛି ରୂପହୀନ "ତୁମେ" ।

ଆଜି ପାର୍ବଣର ଏଇ ଶୁଭ ଅବସରରେ ଆପଣମାନଙ୍କର ସାନ୍ନିଧ୍ୟରେ କବୀର ସୁମନଙ୍କ ଗାଇଥିବା ସେଇ ଶ୍ରେଷ୍ଠତ୍ୱ "ତୁମେ" ରହିଥାଉ ବୋଲି କାମନା କରୁଛି ।

ଆପଣମାନଙ୍କର ବିଶ୍ବାସରେ ଦେବୀ ସବୁବେଳେ
"ସୃଷ୍ଟି ସ୍ଥିତି ବିନାଶାନାଂ ଶକ୍ତିଭୂତେ ସନାତନୀଂ/
ଗୁଣାଶ୍ରୟେ ଗୁଣମୟେ ନାରାୟଣୀ ନମୋସ୍ତୁତେ" ହୋଇ ରହିଥାନ୍ତୁ ଓ ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ ।

ଏଇଠି ଯେଉଁ ଦେବୀଙ୍କ କଥା ରହିବ ସେ ବିଶ୍ୱାସର ପରିଧି ଭିତରକୁ କେମିତି ଆସିଲେ ସେହି କଥାଟି ଅର୍ଥାତ ଦେବୀଙ୍କର ମାନବ ଆରାଧନାର ଐତିହାସିକ ବିବର୍ତ୍ତନର ସ୍ୱରୂପଟିକୁ ଦେଖିବାକୁ ଆଉ ବୁଝିବାକୁ ଚେଷ୍ଟା କରାଯାଉଛି । ତେଣୁ ଏହା ପାଠକମାନଙ୍କର ଧାର୍ମିକ ବିଶ୍ବାସରେ ସାମାନ୍ୟତମ ଆଘାତ ଆଣିବାକୁ ଅଭିପ୍ରେତ ନୁହଁ । ମାତ୍ର ଆମେ ଯେତେବେଳେ ବିଶ୍ବାସ ବନାମ ବିବର୍ତ୍ତନର ବ୍ୟାଖ୍ୟାଟି କରୁଥାଉ ସେତେବେଳେ କାହାକୁ କାହାର ବିଶ୍ବାସଟି ଆହତ ହେଲା ଭଳି ଲାଗିପାରେ । ବିଶ୍ୱାସକୁ ତାହା ସ୍ଥାନରେ ରହିବାକୁ ଦିଆଯାଉ ଯାହା ସବୁ ବିଚାର ଓ ପଢାପଢିରେ ଉର୍ଦ୍ଧ୍ବରେ ।

ଆରମ୍ଭରୁ ସବୁ ପ୍ରାଚୀନ ଗୋଷ୍ଠୀର ଧର୍ମବିଶ୍ଵାସରେ ଧରିତ୍ରୀ ଆଉ ନାରୀକୁ ଏକ ବୋଲି ଗଣା ଯାଇଛି । ତାହାର କାରଣ ହେଉଛି ଶସ୍ୟ ଓ ସନ୍ତାନକୁ ମଣିଷର ପ୍ରାଥମିକ ଆବଶ୍ୟକତାର ଏକକ ହିସାବରେ ଗ୍ରହଣ କରିବାର ମନୋଭାବ । ଧରିତ୍ରୀ ହେଉଛି ଶସ୍ୟ ପ୍ରଦାନକାରିଣୀ ଆଉ ନାରୀ ପ୍ରଦାନ କରେ ସନ୍ତାନ । ତେଣୁ ସ୍ୱାଭାବିକ ଭାବେ ପୃଥିବୀ ଓ ନାରୀ ଅଭିନ୍ନ ଏବଂ ପରସ୍ପର ସହ ତୁଳନୀୟ । ନିଜର ବ୍ୟକ୍ତିଗତ ଅନୁଭବରେ ନାରୀର ସନ୍ତାନଜନ୍ମର ପ୍ରକ୍ରିୟାକୁ ବିବେଚନା କରି ତାହାକୁ ପୃଥିବୀର ଶସ୍ୟ ଉତ୍ପାଦନ ପ୍ରକ୍ରିୟାରେ କାଳ୍ପନିକ ବିନ୍ଯାସ ଓ ପ୍ରକ୍ଷେପଣ କରିବା ଫଳରେ ପ୍ରାଚୀନ ଗୋଷ୍ଠୀର ଧର୍ମ ବିଶ୍ୱାସରେ ଧରିତ୍ରୀ ନାରୀ ସ୍ୱରୂପିଣୀ ହୋଇଗଲା । ସେଇଥିପାଇଁ ପ୍ରାଚୀନ ମିଶରରେ ଆଇସିସ୍, ମେସୋପୋଟାମିଆରେ ଇସ୍ତାର୍, ଆଉ ଗ୍ରୀକ୍ ମାନଙ୍କର ଦିମିତର ଭଳି ମାତୃକାଦେବୀମାନେ ଉଦ୍ଭବ ହେଲେ । ସେମାନେ ସମସ୍ତେ ସେ ସମୟର ସବୁ ପ୍ରମୁଖ ସଂସ୍କୃତିର ଶସ୍ୟଦାୟିନୀ ଦେବୀ । ସେମାନଙ୍କୁ ଆରାଧନା କରାଯାଉଥିଲା ଭରପୂର ଶସ୍ୟ ନିର୍ବିଘ୍ନରେ ଯେମିତି ମଣିଷକୁ ଉପଲବ୍ଧ ହେଉ ସେଇଥିପାଇଁ ।

ଏଇଠେ ଉଲ୍ଲେଖ କରିବା ଅପ୍ରାସଂଗିକ ହେବ ନାହିଁ, ସର୍ବଦା ମଣିଷର ଯାବତୀୟ ଚିନ୍ତା ଚେତନାକୁ ଆନ୍ଦୋଳିତ କରିରଖିଥାଏ ତିନୋଟି କଥା, କ୍ଷୁଧା, ଯୌନତା ଓ ମୃତ୍ୟୁଭୟ । ଆମର ଦେବଦେବୀମାନେ ସେହି କାରଣରୁ ଆମ ମନଭିତରେ ଜନ୍ମ ନିଅନ୍ତି ଆଉ ତାହାର ଫଳଶ୍ରୁତି ଆମର ଯାବତୀୟ ଧର୍ମାଚରଣ । ତେଣୁ ଖାଦ୍ୟ ବା ଶସ୍ୟ - କାମନା ଆମର ଧର୍ମାଚାର ସହ ଆରଂଭରୁ ଅଂଗାଂଗୀ । ଅନ୍ୟ ଭାବରେ କହିଲେ ଆମର ଆଦିମ ମାତୃକା ଉପାସନାର ଧାରା କୃଷିପୂର୍ବ କାଳଠାରୁ ପ୍ରବାହିତ ହେଇ ପ୍ରାଚୀନ କାଳରେ ଶସ୍ୟ - କାମନାର ଧର୍ମାଚାରରେ ମିଶିଯାଇଛି ।

ବହୁ ପରେ ସେଇ ଦେବୀମାତୃକା ପୌରାଣିକ ଦୁର୍ଗାର ରୂପ ନେଇଛନ୍ତି, କହିବାକୁ ଗଲେ ବିବର୍ତ୍ତିତା ହୋଇଛନ୍ତି ଏମିତି ଏକ ରୂପରେ । ସେହି ରୂପ ଭିତରୁ ଗୋଟିଏ ପ୍ରଧାନ ରୂପ ହେଉଛି ଶାକମ୍ବରୀ ରୂପ । ମାର୍କଣ୍ଡେୟ ପୁରାଣ ଅନୁସାରେ ଦେବୀ ସ୍ୱୟଂ ନିଜକୁ "ଶାକମ୍ବରୀ"ରୂପରେ ପରିଚିତା କରାଇଛନ୍ତି । ଏହି ପୁରାଣର "ଦେବୀ ମାହାତ୍ମ୍ୟ" ଅଂଶରେ ସେ ନିଜର ଶରୀରରୁ ଫଳ, ମୂଳ, ଶାଗ, ଶସ୍ୟ ଆଦି ସମୁତ୍ପନ୍ନ କରି ଜଗତକୁ ପରିପାଳନ କରିବାର ପ୍ରସଂଗ ଉତଥାପନ କରିଛନ୍ତି । ତେଣୁ ସେ ଶସ୍ଯଦେବୀ ଆଉ ଯେହେତୁ ଏଇ ସବୁ ଦ୍ରବ୍ୟର ମୌଳିକ ମାଲିକାନାଟି କୌଣସି ବୃକ୍ଷବିଶେଷରେ ଉପଲବ୍ଧ ହୋଇଥାଏ ସେଦୃଷ୍ଟିରୁ ଆମର ଶାକମ୍ବରୀ ଶସ୍ୟଦେବୀ ସହିତ ଏଇ ବୃକ୍ଷର ପ୍ରତୀକାତ୍ମକ ରୂପ ବିଶେଷ ।

ତେଣୁ ଆମେ ଏଯାଏଁ ଯେଉଁ ଦେବୀମାତୃକାର ବିବର୍ତ୍ତନର ସ୍ୱରୂପଟିକୁ ଦେଖିଲେ ତାହା ଏହିପରି, ପ୍ରଥମରେ ଗୋଟିଏ ଲୌକିକ ସ୍ତ୍ରୀ - ଦେବତା ଯାହା ଗୋଟିଏ ସାଧାରଣ ନାରୀଟିର ଛାଂଚରେ ତିଆରି ହୋଇଛି, ତାହାପରେ କ୍ରମଶଃ ସେ ମଣିଷର ଶିକାର ଓ ଖାଦ୍ଯ ସଂଗ୍ରହ ସୁନିଶ୍ଚିତ କରିବାର ଦେବୀ, ଶସ୍ୟଦେବୀ ଏବଂ ଏକ ବୃକ୍ଷର ପ୍ରତୀକ ।

ଇତିହାସ ଦୃଷ୍ଟିରୁ ମଣିଷର ଲୌକିକ ରୀତିଗୁଡିକ ରୂପାନ୍ତରିତ ହୋଇ ତାହାର ନିଜର ଗୋଷ୍ଠୀ - ଭାବନାରେ ସଂଗୁପ୍ତ ହୋଇ ରହିଥାଏ । ଏଇ ରୂପାନ୍ତରଗୁଡିକ ମଣିଷର ବାହାରର କିଛି ଆଚାର ଅନୁଷ୍ଠାନରେ ପ୍ରକାଶ ପାଇଥାଏ । ମଝିରେ ମଝିରେ କିଛି କିଛି ପୌରାଣିକ କାହାଣୀ ଆରୋପିତ ହୋଇ ଏଇ ଲୌକିକ ରୀତିଗୁଡିକର ରୂପାନ୍ତରିତ ପ୍ରକ୍ରିୟାଗୁଡିକୁ ଏକ ପ୍ରକାରର ସାଂସ୍କୃତିକ ବୈଧତା ପ୍ରଦାନ କରିଥାଏ ।

ସଂସ୍କୃତି ସର୍ବଦା ଏକ ଗତିଶୀଳ ଏବଂ ସମସ୍ତ ପ୍ରକାରର ବାହ୍ୟ ପ୍ରଭାବକୁ ଆତ୍ମସ୍ଥ କରି ପାରିବାର ଏକ ଅବଧାରଣା । ସେହି ମହାସମୁଦ୍ରରେ ସବୁ ପ୍ରଥା, ଆଚାର ଅନୁଷ୍ଠାନ ଓ ସଂସ୍କାର ଆଦି ମିଶିଥାଏ । ତାହାକୁ ଆଖିଆଗରେ ରଖି ଦେଖିଲେ ଆମେ ଆମର ଏଇ ପରମପ୍ରିୟ ଶାକମ୍ବରୀ ଅର୍ଥାତ୍ ଶସ୍ଯ ଦେବୀକୁ କେଉଁ ସମୟରେ ଆବାହନ କରିବାକୁ ଆବଶ୍ୟକ ମନେକରିବା ?

ଏମିତିରେ ଦେଖିଲେ ଦେବୀପୂଜାର ପ୍ରାରମ୍ଭିକ ଅନୁଷ୍ଠାନ ହିସାବରେ ଦେବୀଙ୍କର ଆବାହନ ଅର୍ଥାତ୍ ଜାଗରଣ ତଥା ବୋଧନର ପ୍ରଥା ପ୍ରଚଳିତ ହୋଇ ଆସୁଅଛି । ପ୍ରାଥମିକ ଭାବେ ଦେବୀଦୁର୍ଗାଙ୍କ ପୂଜା ବସନ୍ତକାଳରେ ହେଉଥିଲା । କାରଣ ଶୀତ ଶେଷରେ ନୂଆକରି ଶିକାର ଓ ଖାଦ୍ଯ ସଂଗ୍ରହର ଆଦିମ ଅଭ୍ୟାସକୁ ଭିତ୍ତି କରି ଏମିତି ଏକ ଧର୍ମଧାରାର ବିବର୍ତ୍ତନ ହୋଇ ଆସିଥିଲା । ବସନ୍ତକାଳରେ ଖାଦ୍ୟର ଅମଳ ଜନିତ ସୁଲଭତା ପର୍ବ ପାଳନକୁ ଏକ ଆନନ୍ଦମୁଖର ପରିବେଶ ପ୍ରଦାନ କରୁଥିଲା । କୌଣସି ପର୍ବ ପାଳନବେଳେ ଯଦି ଚରିତ୍ରଟି ନିଶ୍ଚିନ୍ତ ହୋଇ ରହିବାର ମନଃସ୍ଥିତିରେ ଥାଏ ତେବେ ସେହି ପର୍ବ ପାଳନର ବିଭୋରତାର ମାତ୍ରା ଯଥେଷ୍ଟ ଅଧିକ । ତେଣୁ ପୃଥିବୀର ସବୁ ଗୋଷ୍ଠୀର ସମସ୍ତ ମୁଖ୍ୟ ଗୋଷ୍ଠୀଭିତ୍ତିକ ଉତ୍ସବ ଗୁଡିକ ଶସ୍ଯ - ଅମଳ ହୋଇସାରିବାର ଠିକ୍ ପରେ ପରେ ଅନୁଷ୍ଠିତ ହୋଇଥାଏ । ଏ ଗୁଡିକ ସବୁ ଯେମିତି ଶସ୍ୟ ଅମଳ ପାଇଁ ଦେବଦେବୀଙ୍କୁ ଧନ୍ୟବାଦ ପ୍ରଦାନ କରିବାର ଉତ୍ସବ । ଆଜିବି ଆମର ବିଭିନ୍ନ ସ୍ଥାନରେ ବାସନ୍ତୀ ଦୁର୍ଗାପୂଜାର ବିଧାନ ଅନୁସୃତ ହେଉଛି ।

କାଳକ୍ରମେ ଏଇ ପ୍ରାଚୀନ ବାସନ୍ତୀ ଦେବୀମାତୃକାର ପୂଜାର ବଦଳରେ ଅକାଳ ବୋଧନର ସୃଷ୍ଟି ହେଲା ।

ଗୋଟିଏ ଶସ୍ୟର ଜୀବନରେ ଦୁଇଟି ସମୟ ଗୁରୁତ୍ୱପୂର୍ଣ୍ଣ, ଯେତେବେଳେ ମଂଜିରୁ ତାହାର ଅଙ୍କୁରୋଦଗମ ଘଟିଲା ଓ ଆରଟି ହେଉଛି ଯେତେବେଳେ ସେ ତାହାର ପୂର୍ଣ୍ଣ ରୂପଟିରେ ଶସ୍ୟ ଆକାରରେ କୃଷକର ଅକ୍ତିଆରକୁ ଆସିଲା । ଆଗରୁ କୁହାଯାଇଛି ଯେ ମଣିଷ ଶସ୍ୟ ଅମଳ ପରବର୍ତ୍ତୀ ସମୟକୁ ଉତ୍ସବମୁଖର କରୁଥିଲା ବା ସେଇଭଳି ପର୍ବର ବ୍ୟବସ୍ଥାରେ ଅଭ୍ୟସ୍ତ ଥିଲା । ବର୍ତ୍ତମାନ କିନ୍ତୁ ବର୍ଷା ପରବର୍ତ୍ତୀ ଶସ୍ୟଶ୍ୟାମଳା ସମୟକୁ ସେ ଉତ୍ସବରୂପରେ ପାଳନ କରିବାକୁ ଲାଗିଲା । ଏଇ ପରିବର୍ତ୍ତିତ ବିଧି ବ୍ୟବସ୍ଥାର କାରଣ ହିସାବରେ କୁହାଯାଇପାରିବ ଯେ ଏହା ମଣିଷର ଦୁଇଟି ଭିନ୍ନଜାତୀୟ ଭୂମି - ସଂପର୍କ ଭିତରର ପାରସ୍ପରିକ ସଂଘାତର ଉପଜ । ମଣିଷର ପ୍ରାଚୀନତମ ଭୂମି - ସଂପର୍କ ହେଉଛି ଖାଦ୍ୟ ସଂଗ୍ରହ ଆଉ ତଦନୁଯାୟୀ ମଣିଷର ମାନସିକତା । ପରବର୍ତ୍ତୀ ଭୂମି - ସଂପର୍କ ହେଉଛି ଭୂମିରୁ ଖାଦ୍ୟ ଉତ୍ପାଦନ କରିବାର ମାନସିକତା । ଏଇ ଦୁଇ ମାନସିକତା ସମାନ ନୁହଁ । ଥେସିସ୍ ଆଉ ଆଣ୍ଟିଥେସିସ୍ ର ସଂପର୍କ । ତେଣୁ ବର୍ଷାର ପରବର୍ତ୍ତୀ ସମୟରେ ଅକାଳ ବୋଧନ ହେଲା । ଲୌକିକ ଶସ୍ୟଦେବୀର ନାରୀ ମୂର୍ତ୍ତୀଟି କ୍ଲାସିକାଲ ଦୁର୍ଗାର ରୂପଗ୍ରହଣ କଲେ ଆମର ମାର୍କଣ୍ଡେୟ ପୁରାଣ ତଥା ଅନ୍ୟାନ୍ୟ ଦେବୀ ପୁରାଣରେ ।

ଆଶ୍ୱିନର ଶୁକ୍ଳା ଷଷ୍ଠୀ ତିଥିରେ ମାଆ ଦୁର୍ଗାଙ୍କର ଅକାଳ ବୋଧନ ବା ଆବାହନ କରାଗଲା ବୃକ୍ଷ ରୂପରେ । ମାର୍କଣ୍ଡେୟ ପୁରାଣର ଦେବୀ ଶାକମ୍ବରୀକୁ ଆଉ କେଉଁ ବିଶେଷ ପ୍ରତୀକରେ ଯଥାଯୋଗ୍ୟ ଆବାହନ କରାଯାଇ ପାରନ୍ତା ଗୋଟିଏ ବୃକ୍ଷ ବ୍ୟତୀତ ?

ଆପଣମାନେ ଜାଣନ୍ତି ବର୍ଷା ଚାରିମାସ ଆମର ଦେବଦେବୀଙ୍କର ବିଶ୍ରାମର ସମୟ । ସାଧାରଣତଃ ଆମେ ସ୍ୱାର୍ଥାନ୍ୱେଷୀ ମଣିଷମାନେ ଦେବଦେବୀଙ୍କୁ ଘଡିଏ ହେଲେ ବିଶ୍ରାମର ସୁଯୋଗ ଦେବାକୁ ପ୍ରସ୍ତୁତ ନଥାଉ । ଠିକ୍ ସେହିଭଳି ମଣିଷମାନଙ୍କର ସ୍ୱାର୍ଥରେ ଦେବୀ ଦୁର୍ଗାଙ୍କର ଆବାହନ ବା ଅକାଳ ବୋଧନ କରିବାକୁ ପଡିଲା ।

ବାଲ୍ମିକୀ କୃତ ରାମାୟଣରେ ଏଇ ଘଟଣାର ଉଲ୍ଲେଖ ନାହିଁ । ଅନ୍ୟାନ୍ୟ କିଛି ପୁରାଣରେ ଏହାର ଉଲ୍ଲେଖ ଅଛି । ମହାପ୍ରତାପୀ ବିଶ୍ରବା ନନ୍ଦନ ରାବଣର ଅତ୍ୟାଚାରରେ ଅତିଷ୍ଠ ହୋଇ ତାହାର ନିବାରଣ ପାଇଁ ପ୍ରଭୁ ଶ୍ରୀରାମଚଂଦ୍ର ଦେବୀ ଦୁର୍ଗାଙ୍କ ଅକାଳ ବୋଧନ କଲେ । ଆରାଧନା କଲେ । ଦେବୀଙ୍କ କୃପାରୁ ନବମୀ ତିଥିରେ ରାବଣ ବଧ ହେଲା ଆଉ ତାହାପରେ ସମସ୍ତ ଦେବକୂଳ ଦେବୀ ଦୁର୍ଗାଙ୍କୁ ସସମ୍ମାନେ କୈଳାଶପୁରକୁ ବିଦାୟ ଦେଲେ ।

ଏହି ଶାରଦୀୟ ଦୁର୍ଗାପୂଜାର ଅବସରରେ ଆମକୁ ଆଉ ଏକ ପକ୍ଷକୁ ଦେଖିବାକୁ ପଡିବ। ତାହାକୁ ଅତି ସଂକ୍ଷେପରେ ଆପଣମାନଙ୍କ ଆଗରେ ରଖୁଛି । ଶାରଦୀୟ ଦୁର୍ଗାପୂଜାର ଅବସରରେ ଆମ ଆଗରେ ଦଶପ୍ରହରଣ ଧାରିଣୀ ମାଆଙ୍କର ଆବିର୍ଭାବ ହେବାର ରୂପ ଏବଂ କାହାଣୀ ପଛରେ ଭାରତୀୟ ଦେବୀତତ୍ତ୍ୱର ଏକ ସଂଗୁପ୍ତ ପ୍ରତୀକାତ୍ମକତାକୁ ଲକ୍ଷ୍ୟ କରିବାକୁ ପଡିବ । ନିଜର ଉପନ୍ୟାସମାଳାରେ ପ୍ରସିଦ୍ଧ ଲେଖକ ବଙ୍କିମଚନ୍ଦ୍ର ମା ଦୁର୍ଗାଙ୍କୁ ବସ୍ତୁତଃ ଦେଶମାତୃକାର ପ୍ରତିରୂପ ହିସାବରେ ବିବେଚନା କରିଆସିଛନ୍ତି । ଯାହାର ପାଦତଳେ ଉଦ୍ଧତ ଅସୁର, ଉଦ୍ଧତ ସିଂହ ଏବଂ ଗଣେଶ, କାର୍ତ୍ତିକ, ଲକ୍ଷ୍ମୀ ତଥା ସରସ୍ୱତୀ ଆକାରରେ ସିଦ୍ଧି, ବୀର୍ଯ୍ୟ, ସମୃଦ୍ଧି ଆଉ ଜ୍ଞାନର ଚାରୋଟି ପ୍ରତୀକ ଅବସ୍ଥିତି ତାହାକୁ ଆମେ ଅନେକ ପୌରାଣିକ କଥା କାହାଣୀରେ ରୂପାନ୍ତରିତ କରିପାରୁ ମାତ୍ର ସେ ଦେଶମାତୃକା ଭଳି ପ୍ରତୀକରେ ହିଁ ସବୁବେଳେ ଝଲମଲ କରୁଥିବ । ସେଇଥିପାଇଁ ଅର୍ଥାତ୍ ସେହି ଦେଶମାତୃକାର ପ୍ରତୀକାତ୍ମକତାରୁ ମାଆ ଦୁର୍ଗାଙ୍କର ସାର୍ବଜନୀନ ପ୍ରିୟବୋଧଟି ଆସିଛି ବୋଲି କହିଲେ କଥାଟି ସେତେ ଭୁଲ ହୋଇଯିବ ନାହିଁ । ଏଇଠି ଏଇ କଥାଟି କହିଲେ ଚଳିବ ଯେ, ଆମେ ଯେତେବେଳେ କଥାକାହାଣୀ (ପଦ୍ୟ ବି) କହୁ ସେତେବେଳେ ଆମ ଆଗରେ ଗୋଟିଏ ମୁଖ୍ୟ ଚିତ୍ରକଳ୍ପ ରହିଥାଏ ଆଉ ଆମେ ସେହି ମୁଖ୍ୟ ଚିତ୍ରକଳ୍ପକୁ ଆମର ସୃଜନରେ ବାରଂବାର ସଜାଉଥାଉ ବା ବାରଂବାର ଭାଙ୍ଗୁଥାଉ (ବିନିର୍ମାଣ କହିଲେ ସୁନ୍ଦର ଶୁଭିବ) । ମା ଦୁର୍ଗା ତେଣୁ ମୂଳ ପ୍ରତୀକ ଆକାରରେ ଦେଶମାତା । ଋଗବେଦର ଦେବୀସୂକ୍ତ ଅନୁସାରେ ସମସ୍ତ ଦେବଗଣର ସମ୍ମିଳିତ ଶକ୍ତିର ଉପଜ ସେ । ଦେଶ ସେମିତି ହେଉଛି ସମ୍ମିଳିତ ଶକ୍ତିର ସୁନ୍ଦର ରୂପ । ଏହାଛଡା ମାଆ ଦୁର୍ଗାଙ୍କର ଯେଉଁ ମହାଶକ୍ତି, ମହାମାୟା, ଭଗବତୀ ଦୁର୍ଗାଙ୍କର ରୂପ କଥା କୁହାଯାଏ ସେ ସମସ୍ତ ଅସଲରେ ହେଉଛନ୍ତି ରାଷ୍ଟ୍ରର ଅଧୀଶ୍ୱରୀ ।

ମହିଷାସୁର ସହ ମାଆଙ୍କର ସେହି ଦର୍ପଦଳନ ଯୁଦ୍ଧ ଆମସମସ୍ତଙ୍କର ଏକ ପ୍ରିୟ କଥା । ଆମର ଏଇ ପରିଚିତ ସଂଗ୍ରାମର ପୌରାଣିକତା ରହିଛି ମାତ୍ର ଏହାର କୌଣସି ନିର୍ଦ୍ଦିଷ୍ଟ ଭୌଗାେଳିକତା ନାହିଁ । ଆପଣମାନେ ଜାଣନ୍ତି କୌଣସି ପ୍ରତୀକର କୌଣସି ନିର୍ଦ୍ଦିଷ୍ଟ ଭୌଗାେଳିକତା ନଥାଏ । ଆମେ ସେଥିରେ ଭୌଗାେଳିକତା ଆରୋପଣ କରିବାକୁ ସୁଖ ପାଉ ।

ସାଧାରଣତଃ ରାଜାମାନେ ଯୁଦ୍ଧ ବିଗ୍ରହ କାଳରେ ଦୁର୍ଗାଙ୍କୁ ଯୁଦ୍ଧଜୟ ନିମନ୍ତେ ଆରାଧନା କରିଥାନ୍ତି । ଏହାର ଏକମାତ୍ର କାରଣ ହେଉଛି ଦେବୀ ଦୁର୍ଗା ସମ୍ମିଳିତ ଶକ୍ତିର ଉପଜ ହୋଇଥିବାକୁ ଅପରାଜେୟ । ତାଙ୍କର ଅବସ୍ଥିତି ଆଳରେ ଆମ ଭାରତର ଦେବତତ୍ତ୍ୱରେ ପ୍ରବାହିତ ବହୁଧାରା ତଥା ବହୁ ପ୍ରବୀରଙ୍କ ଭିନ୍ନ ଭିନ୍ନ ଗତିପଥକୁ ନିୟନ୍ତ୍ରିତ ତଥା ଗୋଟିଏ ଲକ୍ଷ୍ୟ ଅଭିମୁଖୀ କରିବାର ପ୍ରଚେଷ୍ଟା କରାଯାଇଛି । ଅନ୍ୟ ଭାବରେ କହିଲେ ଭାରତର ଭିନ୍ନ ଭିନ୍ନ ସମୟରେ ବହୁଈଶ୍ୱରବାଦ ବା ପଲିଥେଇଜମ୍ କୁ ସଫଳ ଆଉ ନିର୍ଣ୍ଣାୟକ ଏକେଶ୍ୱରବାଦ ବା ମନୋଥେଇଜମ୍ ରେ ଦେଖିବାର ପ୍ରଚେଷ୍ଟା କରାଯାଇଛି । ସେଇ ସମସ୍ତ ଏକେଶ୍ୱରବାଦୀ ଧର୍ମଧାରଣାମାନଙ୍କ ମଧ୍ୟରେ ମାଆ ଦୁର୍ଗା ହେଉଛନ୍ତି ସର୍ବୋତ୍ତମ, ସର୍ବଶ୍ରେଷ୍ଠ ଆଉ ସର୍ବଜନପ୍ରିୟ । ମାଆ ଦୁର୍ଗା ଅଛନ୍ତି ମାନେ ଯେମିତି ଆଖପାଖରେ ସବୁ ଦେବତା ମାଆଙ୍କର ଅଲୌକିକତାର ନୀରବ ଦର୍ଶକ । ସେ ଯାହାହେଉ ପ୍ରଥମେ ରାଜା ବା କ୍ଷମତାର ଇଷ୍ଟଦେବୀ ହିସାବରେ ପୂଜିତ ମା ଦୁର୍ଗା କ୍ରମଶଃ ସର୍ବସାଧାରଣଙ୍କର ପ୍ରିୟ ଦେବୀ ହୋଇଗଲେ । ଏହି ପରିବର୍ତ୍ତନଟି କ୍ଷମତାର ସାର୍ବଜନୀକତା ପ୍ରତିଷ୍ଠିତ ହେବା ସହିତ ସମ୍ଭବପର ହୋଇଛି ।

ଆଉ ଗୋଟିକ କଥା ସହ ଏଇ ଲେଖାର ଉପସଂହାର । ଆପଣ ଜାଣନ୍ତି ଭାରତରେ ଦୁର୍ଗାପୂଜା ଅଧିକ ଧୂମଧାମରେ ପଶ୍ଚିମବଙ୍ଗ ଆଉ ଓଡିଶାରେ ପାଳିତ ହୋଇଥାଏ । କହିବାକୁ ଗଲେ ଏହି ଅଂଚଳ ସହିତ ଦେବୀ ଦୁର୍ଗାଙ୍କର ସେମିତି କୌଣସି ପୌରାଣିକ ସଂପୃକ୍ତି ନାହିଁ । ମାତ୍ର ଏଇ ଦୁଇଟି ସ୍ଥାନ ଯେମିତି ମାଆ ଦୁର୍ଗାଙ୍କର ଆବାହନ ପାଇଁ ବର୍ଷସାରା ଅପେକ୍ଷା କରି ରହିଥାଆନ୍ତି । ଏମିତି ହେବାର କାରଣ କ'ଣ ? ଏହାର ସଂକ୍ଷିପ୍ତତମ ଉତ୍ତର ହେବ, ଲୌକିକତା । ଦେବୀ ଦୁର୍ଗା ତେଣୁ ଏଇଠି ଆମର ମାଆ ଆଉ ଆମର ଝିଅ, ଉଭୟ ।

ଯେଉଁଠି ପୁରାଣ ନାହିଁ ସେଇଠି ଲୋକପୁରାଣ ରଚିତ ହୁଏ । ପ୍ରବଳ ଆଗ୍ରହ ଆଉ ନିଷ୍ଠାର ସହ ରଚିତ ହୋଇଥାଏ ସେ ଲୋକପୁରାଣ । ଆଉ ଆମେ ତାହାକୁ ବିଶ୍ୱାସ କରୁ, ଯେମିତି ଏହାଠାରୁ ବଡ ସତ ଆଉ କିଛି ନାହିଁ ।

ଏଥର ଗାେଟିଏ ଚିତ୍ରକଥା ।

ଲିଥୋଗ୍ରାଫ୍ ଟି ୧୮୯୫ ମସିହାର । ଏହା ବ୍ରିଟିଶ ମ୍ୟୁଜିୟମରେ ସଂରକ୍ଷିତ ହୋଇ ରହିଛି । ଏଥିରେ ଆଗରୁ ଉଲ୍ଲେଖ କରାଯାଇଥିବା ରାମକାହାଣୀଟି ଚିତ୍ରିତ ହୋଇଛି । ଦେବୀ ଦୁର୍ଗାଙ୍କର ଆରାଧନା ପାଇଁ ଆବଶ୍ୟକ ହେଉଥିବା ୧୦୮ ଗୋଟି ନୀଳପଦ୍ମରୁ ଦେଖାଗଲା ଅଭାବ ରହିଛି ମାତ୍ର ଗୋଟିକର ।

ରାମଙ୍କ ଏଇ ଦେବୀ ଆରାଧନା ଦେଖିବା ପାଇଁ ବାନର ସେନା ସମେତ ସମସ୍ତେ ଉପସ୍ଥିତ ।

ଦେବୀପୂଜାକୁ ନିର୍ବିଘ୍ନରେ ସମାହିତ କରିବା ପାଇଁ ପ୍ରଭୁ ଶ୍ରୀରାମଚନ୍ଦ୍ର ଶହେଆଠତମ ନୀଳପଦ୍ମଟି ପାଇଗଲେ ହଠାତ୍ ।

ସେ ଶର ସଂଧାନ କଲେ ନିଜର ଗୋଟିଏ ଆଖି ଉଦ୍ଦେଶ୍ଯରେ । କାରଣ ତାଙ୍କର ଆଖିକୁ ନୀଳପଦ୍ମ ବୋଲି ଆମର ଜଣାଣ ଆଦିରେ କୁହାଯାଇଛି ।

ଦେବୀ ଦୁର୍ଗା ତାହାପରେ ପ୍ରସନ୍ନ ହୋଇ ମୃଣ୍ମୟୀରୁ ନିଜ ସ୍ୱରୂପରେ ଆବିଭୂତା ହୋଇ ରାବଣବିନାଶର ବର ପ୍ରଦାନ କରିବାର ପରବର୍ତ୍ତୀ କାହାଣୀ ଆମ ସମସ୍ତଙ୍କୁ ଗୋଚର ।

ସମସ୍ତ ପୌରାଣିକ କାହାଣୀ ଆମମାନଙ୍କୁ ଉତ୍ତରାଧୀକାର ସୂତ୍ରରେ ମିଳିଛି ।