ଦେଶ

ଅଣୁ ଭିତରେ ଗୋଟେ ଦେଶକୁ କଳ୍ପି ପାରିବାର ଏ କବିତା ।


ଏଇ ସେଲଫିରେ ଅବା କେତେ ଜଣ !
ମାତ୍ର ତମେ ଆଉ ମୁଁ ।

ହଁ, ଆମ ପଛରେ ଠିଆ ଗୋଟାଏ ଦେଶ,
ବାକି ଯାହା ସିଲହଟ୍ ରେ
ରାତିର ଉଡାଜାହାଜ ପରି
ଚିକ୍ ମିକ୍ ସ୍ୱପ୍ନ ।

ଏ ଦେଶ ବି ତ ଗୋଟାଏ ଟ୍ରକ୍,
ବୋହି ନଉଛି ଶୋଭାଯାତ୍ରା, ଅନଶନ,
ଇଭିଏମ୍ ମେସିନ୍ ଆଉ ଆମର ଟିପଚିହ୍ନ ।

ଏଇ ସେଲଫିରେ ଆମ ପଛରେ
ଗୋଟାଏ ବୁଲଡୋଜର୍, ଖୋଳି ଚାଲିଛି
ଆମର ଚେର, ଆମ ପାଦ ତଳ,
ଖଣି, ଖାଦାନ, ପାହାଡ଼, ଭିଟାମାଟି,
ବଡ଼ବଡୁଆ, ରାଇ ଶୀତଳେଇ ଆମେ
ସାଇତି ଥିବା, ବାପ ଜେଜେଙ୍କ ହାଡ଼ ।

ଏଇ ସେଲଫିରେ ଆମ ପଛରେ
କଂସେଇ ପରି ଖରା,
ଗୋଟେ ତରବାରୀ ଚକ୍ ଚକ୍ ଧାର କରୁଛି,
ଏତେ ଖରା ଯେ,
ଆମ ଫଟାେ ପୂରା କଳା ।