ପାଗେଳୀ ବୁଢ଼ୀଟେ, କେବେ କାନ୍ଦେ, କେବେ ହସେ, ଆଉ କେବେ ପୁଣି ସମ୍ପିଯାଏ । ସମ୍ପିବାଟା କଟକିଆ ଗାଉଁଲି ଶବ୍ଦ । ମାନେ, ଗାଳିଦେବା, ସୋଧିବା, ହୁଡ଼ିବା ଇତ୍ୟାଦି । ଦିନେ, ବୁଢ଼ୀ ଏମିତି ସମ୍ପୁଛି ତା ଘର ପାଖ ବ୍ୟାଙ୍କ ଆଗରେ । ବ୍ୟାଙ୍କ ଘରଟି ତା ନିଜର ଘର ଆଉ ସିଏ ଭଡା ଦେଇଛି ବ୍ୟାଙ୍କକୁ । ଦି ଚାରିଟା ନୂଆ ଟୋକା ଠିଆ ହେଇଛନ୍ତି ବୁଢ଼ୀ ଘର ପାଖ ଚା ଦୋକାନରେ । ଟୋକାଙ୍କୁ ଲାଗିଲା ବୁଢ଼ୀ ତାଙ୍କୁ ଗାଳି ଦଉଛି ବୋଲି । ଆପାଚି ବାଇକରେ ଆସିଥିବା ଟୋକାଟି ବୁଢ଼ୀ ପାଖକୁ ଗଲା, ଧମକେଇ କହିଲା ଚୁପ ରହ ।

ବୁଢ଼ୀ କେମିତି ଗୋଟେ ହେୟ ଜ୍ଞାନ କରି ଚାହିଁଲା ଟୋକାକୁ, ତାପରେ ବୁଢ଼ୀ ଗିହଣ ଆରମ୍ଭ କଲା ନନଷ୍ଟପ । ବୁଢ଼ୀ କହୁ କହୁ ଏମିତି କିଛି ପଦେ କହିଦେଲା । କଥାଟି ଦେହରେ ଲାଗିଗଲା ଚାରି ବାଇକଵାଲା ଟୋକାଙ୍କ ଭିତରୁ ଗୋଟାଏର ଦେହରେ । ଥାପଡ଼ଟେ ଦେଲା ସିଏ ବୁଢ଼ୀ ଗାଲରେ । ଆରମ୍ଭ ହେଲା ଚାରି ପୁଙ୍ଗବ ଓ ପାଗେଳୀ ବୁଢ଼ୀ ଭିତରେ ଖଣ୍ଡ ଯୁଦ୍ଧ । ବୁଢ଼ୀବି ପିଟୁଥାଏ, ଟୋକାଏ ମୁଥା ଜାବୁଡ଼ାରେ ପୋତି ପକେଇଲେ ବୁଢ଼ୀକୁ । ଏତିକିବେଳେ ବୁଢ଼ୀର ପୁଅ କୋଉଠି ଥିଲା କେଜାଣି, ଆସିଲା, ବୁଢ଼ୀ ଗାଲରେ ଆଉ ଦି ଜାବଡା ବସେଇଲା ଆଉ କହିଲା, ବୋଉ କେତେ ଥର ତତେ ମନା କରିଛି ଘରୁ ବାହାରକୁ ଆସିବୁନି ବୋଲି ?? ପୁଅ ତା ପାଗେଳୀ ବୋଉକୁ ଧରି ଘର ଭିତରକୁ ଗଲା ।

କାହାଣୀ ଏଇଠି ସରିବା କଥା। କିନ୍ତୁ ସେଠି ଚା ପିଉଥିଲା ଜଣେ ବ୍ୟାଙ୍କ କର୍ମଚାରୀ । ଯେମିତିକି ଭାନୁ । ଭାନୁ ଗପ ଲେଖେ । ଭାନୁର ପ୍ରଥମ ଗଳ୍ପ ସଂକଳନ ଆସିଲା ଏବେ । ତାହାଲେ ଭାନୁ ଗପରେ ସେ ପାଗେଳୀ ବୁଢ଼ୀ କଥା ରହିବା କଥା ?

ଭାନୁ ଶଙ୍କର ମହାନ୍ତିଙ୍କ ପ୍ରଥମ ଗଳ୍ପ ସଙ୍କଳନରେ ଏମିତି କିଛି କଥା ଅଛି କି ?

ନା, ଏମିତି କିଛି କଥା ନାହିଁ । ଆଉ ଏ କାହାଣୀଟି ସେ ଅଙ୍ଗେ ନିଭେଇଲେ ବି ଗପ ଭାବେ ଲେଖିବାର ସାହସ କରିନି । କାରଣ, ନିଜେ ନେଇ ଆଣି ଥୋଇ ନପାରୁଥିବା ଘଟଣାକୁ ଅଙ୍ଗେ ନିଭେଇଲେ ବି ଗପ ଭାବେ ପାଠକ ଉପରେ ଲଦିବାର ସାହସ ସିଏ ରଖେନି ।

ଚା ପିଉଥିବା, ଚା ପିଇବାବେଳେ ଘଟଣା ଦେଖି ତଟସ୍ଥ ହେଇ ପଡୁଥିବା, ବେଶୀରେ ବେଶୀ ଏମିତି ଘଟଣା ହବା କଥା ନୁହଁ ବୋଲି ଧୀର ଗଳାରେ କହୁଥିବା ବ୍ୟାଙ୍କର ଓ ଲେଖକ ସିଏ । ନିହାତି ଉଦାସୀନ, ନିରପେକ୍ଷ କିନ୍ତୁ ସମ୍ବେଦନଶୀଳ ।

'ଦେଖି ନଥିବା ଘରପୋଡିର ଦୃଶ୍ୟ'ରେ ତାହାଲେ ଅଛି କଅଣ ? କିଛି ନାହିଁ ମ । ଗୋଟାଏ ବିକଳ ଅସହାୟତା ଅଛି, ଯାହା ସହ ଲେଖକ ନୁହେଁ ଆମେ ସମସ୍ତେ କନେକ୍ଟ କରିପାରିବା, ଯିଏ ଏମିତି ଅନେକ କାହାଣୀର ନିରବଦ୍ରଷ୍ଟା ହେଇଥିବା ।

ବହିଟି ବର୍ଷା ପ୍ରକାଶନୀ ଛାପିଛନ୍ତି । ଅମାଜନ ଓ ନାରାୟଣୀ ବୁକ ଷ୍ଟୋରରେ ଉପଲବ୍ଧ ।