ମୃତ୍ୟୁଶଯ୍ୟାରେ ଇନାୟତ ଖାଁ

ଇନାୟତ ଖାଁ’ଙ୍କ ମରଣକାଳୀନ ଛବି ଅଙ୍କା ଯିବାର ତିନିବର୍ଷ ଆଗରୁ ଜାହାଙ୍ଗୀର ତାଙ୍କର କୋର୍ଟକୁ ଆଜମେର୍ ଉଠେଇ ନେଇଥିଲେ । ଏଇଠି ତାଙ୍କର ସୁଫି ମତବାଦ ପ୍ରତି ବିଶ୍ୱାସ ବଢିଛି । ମଇଉଦ୍ଦିନ୍ ଚିସ୍ତିଙ୍କର ଭକ୍ତ ହେଇଛନ୍ତି ସେ ।


ଫଟୋ - ୱିକି କମନ୍ସ

ସେତେବେଳେ ଭାରତରେ ମୁଗଲ୍‌ରାଜ ଚାଲିଥାଏ । ସମ୍ରାଟ ଥାଆନ୍ତି ଜାହାଙ୍ଗୀର । ଇନାୟତ ଖାଁ ମୁଗଲ୍ ରାଜ ଦରବାରର ଜଣେ କର୍ମଚାରୀ । ରାଜ ଦରବାରରେ ଏମିତି ଅନେକ କର୍ମଚାରୀ ଥାଆନ୍ତି । କର୍ମଚାରୀ ବାପୁଡ଼ାର ମୃତ୍ୟୁ ମଧ୍ୟ ସେମିତି କିଛି ବିରାଟ କଥା ନଥିଲା । ଅବଶ୍ୟ ସମ୍ରାଟଙ୍କ ପାଖଲୋକ ଥିଲେ ସେ । ଏମିତି ଅନେକ ପାଖଲୋକ ଥିଲେ । କିନ୍ତୁ ଇନାୟତ ଖାଁ ଇତିହାସରେ ଚକା ପକେଇ ବସିଗଲେ କେମିତି ? କାରଣଟି ହେଲା, ସେଇ ସମୟର ମାନେ ୧୬୧୮ରେ ଅଙ୍କିତ ଦୁଇଖଣ୍ଡ ଛବି ପାଇଁ ଆମେ ଆଜି ଇନାୟତ ଖାଁଙ୍କୁ ମନେ ପକାଉଛେ । ଦୁଇଟି ଯାକ ଏକା ପରି ଦିଶୁଥିବା ଛବି । ଗୋଟେ ରଙ୍ଗ ବ୍ୟବହାର କରାଯାଇନଥିବା ପ୍ରାରମ୍ଭିକ ସ୍କେଚ୍ ଓ ଅନ୍ୟଟି ରଙ୍ଗଦିଆ ଚୂଡ଼ାନ୍ତ ଛବି । ଛବି ଦୁଇଟି ଆଙ୍କିଥିଲେ ସେତେବେଳର ପ୍ରଖ୍ୟାତ ମୁଗଲ୍ ଚିତ୍ରଶିଳ୍ପୀ ବାଲ୍‌ଚାନ୍ଦ ।

ମୁଗଲ୍ ମିନିଏଚର୍ ଛବି ଧାରାରେ ଏଇ ଛବିଟି ଅନେକ ଦିଗରୁ ବ୍ୟତିକ୍ରମ ଥିଲା ଓ ସେଇ କାରଣରୁ ଚର୍ଚ୍ଚିତ ମଧ୍ୟ । ମୁଗଲ୍ ଚିତ୍ରକଳାର ବିଶାରଦମାନେ ଛବିକୁ ମୁଗଲ୍ ଛବି ପରମ୍ପରାର ଧାରାରେ କେଉଁଠି ରଖିବେ ବୋଲି ଯେତିକି ଚିନ୍ତା କରନ୍ତି, ସେତିକି ଚିନ୍ତା ବି କରନ୍ତି ଯେ ଜାହାଙ୍ଗୀର ଏମିତି ଏକ ଛବି ଆଙ୍କିବାକୁ କାହିଁକି ତାଙ୍କ ଦରବାରୀ ଚିତ୍ରଶିଳ୍ପୀଙ୍କୁ ବରାଦ ଦେଇଥିଲେ ?

ଚିତ୍ରରେ ଅଛି ଜଣେ କଙ୍କାଳସାର ମଣିଷ ଗୋଟେ ଖଟରେ ବସିଛି । ପିଠି ପଟରେ, ଡାହାଣ ପଟରେ ଓ ଗୋଡ଼ ପାଖରେ ବଡ଼ ବଡ଼ ତକିଆ ରହିଛି । ସେଇ ତକିଆମାନଙ୍କ ଢିରାରେ ଆଶ୍ରା ନେଇଛନ୍ତି ଲୋକଟିର ମୁଣ୍ଡ ଓ ହାତ । ଚିତ୍ରରେ ଥିବା ଏଇ ମଣିଷଟିର ନାଁ ହେଇଛି ଇନାୟତ ଖାଁ । ଇନାୟତ ଖାଁ ପିନ୍ଧିଥିବା ଢିଲା ଜାମା ତଳୁ ତାଙ୍କ ଦୁର୍ବଳିଆ ଦେହ ଫୁଟି ଦିଶୁଛି । ଗଣି ହେଇଯାଉଛି ଛାତିର ପଞ୍ଜରା । ମିଳୁଥିବା ପ୍ରାରମ୍ଭିକ ସ୍କେଚ୍‌ରେ ଖଟକୁ ସାମାନ୍ୟ ତେଢା କରି ରଖାଯାଇଛି । ଯେମିତିକି ତା’ ଉପରେ ଶୋଇଥିବା ଇନାୟତ ଖାଁଙ୍କ ଶରୀରର ଗଣ୍ଡି ଭାଗ ଦର୍ଶକଙ୍କ ଦିଗକୁ ଅଧିକ ଦୃଶ୍ୟମାନ ହେବ । ଜଣା ପଡ଼ୁଛି ଜାଣି ଜାଣି ଇନାୟତଙ୍କର ପିନ୍ଧା ଜାମାର ଆଗପଟ ଖୋଲା ରଖାଯାଇଛି, ଯେମିତିକି ତାଙ୍କ ହାଡ଼ୁଆ ଦେହ ଭଲରେ ଦିଶିଯିବ । ଏଇ ଛବିରେ ଶିଳ୍ପୀ ମୁଗଲ୍ ମିନିଏଚରରେ ସାଧାରଣରେ ବ୍ୟବହୃତ ହେଉଥିବା ଢାଞ୍ଚା ଓ କୁଟୁକମ ଆଦୌ ବ୍ୟବହାର କରିନାହାଁନ୍ତି । ପ୍ରାରମ୍ଭିକ ଛବିରେ ମୁଖ୍ୟ ବିଷୟର ପଛପାଖ ସମ୍ପୂର୍ଣ୍ଣ ଖାଲି ଥିବାବେଳେ ଚୂଡ଼ାନ୍ତ ଛବିରେ ଇନାୟତଙ୍କ ଖଟ ଜଣେ ଧନୀ ଲୋକର ଘର ଭିତରେ ରହିଛି । କାନ୍ଥଠଣାରେ ଅଛି ଦାମିକିଆ କାଚ ବୋତଲ । ଚଟାଣରେ ବିଛାଯାଇଛି ଗାଲିଚା । କୋଠରୀର ପରିବେଶ ଓ ପରିପାଟୀରୁ ଇନାୟତ ଖାଁ’ଙ୍କ ସାମାଜିକ ଓ ଆର୍ଥିକ ଅବସ୍ଥା ବୁଝା ପଡ଼ିଯାଉଛି । ମୃତ୍ୟୁକୁ ଅପେକ୍ଷା କରିଥିବା ଇନାୟତ ମୁଣ୍ଡରେ ହଳଦୀ ରଙ୍ଗର ଟୋପି ପିନ୍ଧିଛନ୍ତି, ଫୁଲ ପକା ସବୁଜିଆ ଜାମା ଓ କମଳା ରଙ୍ଗର ପାଇଜାମା ପରିଧାନ କରିଛନ୍ତି । ଜାହାଙ୍ଗୀର ତାଙ୍କ ଆତ୍ମଜୀବନୀ “ଜାହାଙ୍ଗୀରନାମା”ରେ ଇନାୟତ ଖାଁ’ଙ୍କ ମୃତ୍ୟୁ ବିଷୟରେ ଯେଉଁ ଲେଖାଟି ଲେଖିଥିଲେ, ସେଇ ଲେଖା ପାଇଁ ହିଁ ଛବି ଅଙ୍କାଯାଇଥିଲା ।

ଇନାୟତ ଖାଁ ସମ୍ରାଟ ଜାହାଙ୍ଗୀରଙ୍କର ନିକଟତମ ପରିଚାରକ ଥିଲେ । ବୟସ ବଢ଼ିବା ସହ ସେ କ୍ରମେ ଅଫିମଖୋର ଓ ମଦୁଆ ହେଇଯାଇଥିଲେ । ମାତ୍ରାଧିକ ଅଫିମ ସେବନ ଓ ମଦ୍ୟପାନ ପାଇଁ ଧିରେଧିରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାକୁ ଲାଗିଲା । ୧୬୧୦ରେ ଅଙ୍କିତ ଏକ ମିନିଏଚର୍ ଛବିରେ ସେ ବେଶ୍ ହଟାକଟା ସବଳ ଥିଲେ ବୋଲି ଜଣା ପଡୁଥିଲେ ମଧ୍ୟ ଏଇ ୧୬୧୮ ମସିହାର ଛବିରେ ଅତ୍ୟନ୍ତ ଦୁର୍ବଳ ଦିଶୁଛନ୍ତି । ମାତ୍ର ଆଠ ବର୍ଷର ସମୟ ବ୍ୟବଧାନରେ ତାଙ୍କର ଏମିତି ଅବସ୍ଥା ହେଇଯାଇଥିଲା । ସ୍ୱାସ୍ଥ୍ୟବସ୍ଥାରେ ଅବନତି ପରେ ଇନାୟତ ନିଜ ପୈତୃକ ଘର ଆଗ୍ରା ଫେରିଯିବା ପାଇଁ ସମ୍ରାଟ ଜାହାଙ୍ଗୀରଙ୍କର ଅନୁମତି ଭିକ୍ଷା କଲାବେଳେ ହିଁ ତାଙ୍କ ରୂପ ଦେଖି ଜାହାଙ୍ଗୀର ବିଚଳିତ ହୋଇଯାଇଥିଲେ ଓ ଚିତ୍ରଶିଳ୍ପୀଙ୍କୁ ଆଦେଶ ଦେଇଥିଲେ ଇନାୟତଙ୍କର ଏକ ଆଲେଖ୍ୟ ଆଙ୍କିବାକୁ । ବିଡ଼ମ୍ବନା ହେଲା ଯେଉଁ ଅଫିମ ଓ ମଦ ପାଇଁ ଇନାୟତଙ୍କର ଏପରି ଅବସ୍ଥା ହେଇଥିଲା ଓ ଚିତ୍ର ଅଙ୍କା ଯାଇଥିଲା ସେଥିରୁ କିନ୍ତୁ ଖୋଦ୍ ଜାହାମ୍ପନା କିଛିବି ଶିଖିନଥିଲେ ।

ବୟସ ବଢ଼ିବା ସହ ସେ ନିଜେ ମଧ୍ୟ ଅଫିମ ନିଶାରେ ବେଶ୍ ଭଲରେ ମସଗୁଲ୍ ରହିଲେ ଓ ସେଇ ଅଫିମ ପାଇଁ ମଧ୍ୟ ତାଙ୍କର ମୃତ୍ୟୁ ହେଇଥିଲା । ଜାହାଙ୍ଗୀର ଅଫିମ ପାଇଁ ଅଲଗା ଓ ମଦ ପାଇଁ ଅଲଗା ପରିଚାରକ ନିଯୁକ୍ତ କରିଥିଲେ । ସେତେବେଳର ରାଜକୀୟ ବିଳାସ ଆସରରେ ମଦ ଓ ଅଫିମର ବେଶ୍ ଭଲ ପ୍ରଚଳନ ଥିଲା । ମଦ ଓ ଅଫିମ ନିଶାର କୁପରିଣାମ ବିଷୟରେ ଜାହାଙ୍ଗୀର ଭଲରେ ଆଗରୁ ଅବଗତ ନଥିଲେ ସେ କଥା ନୁହେଁ । ସେ ସିଂହାସନ ଆରୋହଣ କରିବାର ଆଗରୁ ତାଙ୍କ ଦୁଇ ସାନଭାଇ ମାତ୍ରାଧିକ ମଦିରା ପାନ ଯୋଗୁଁ ମୃତ୍ୟୁବରଣ କରିସାରିଥିଲେ । ଜାହାଙ୍ଗୀର ନିଜେ ଏସବୁ ନିଶାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଅବଗତ ଥିଲେ । ମଦ ଓ ଅଫିମ ସେବନ କାରଣରୁ ଆଜମେର୍‌ରେ ଥିବା ସମୟରେ ଏକଦା ଜାହାଙ୍ଗୀରଙ୍କ ଜ୍ୱର ଓ ମୁଣ୍ଡ ବିନ୍ଧା କମିଲାନି । ସେ ଏକଥା ତାଙ୍କ ପାରିଷଦ ଓ ବୈଦ୍ୟଙ୍କୁ ଲୁଚେଇଥିଲେ । ଏମିତିକି ତାଙ୍କ ହାରେମ୍‌ରେ ବି କେହି ଜାଣିନଥିଲେ । କାରଣ ଥିଲା ଡର । ତାଙ୍କର ଅସୁସ୍ଥତା ଖବର ଦେଶ ପାଇଁ ଭଲ ନୁହେଁ ବୋଲି ସେ ଜାଣିଥିଲେ । ତାପରେ ବୈଦ୍ୟଙ୍କ ସହାୟତାରେ ଔଷଧ ନେଲା ପରେ ରୋଗର ଉପଶମ ନହେବାରୁ ଜାହାଙ୍ଗୀର ସୁଫି ସନ୍ଥ ମଇଉଦ୍ଦିନ ଚିସ୍ଥିଙ୍କ ଦରଘାରେ ଯାଇଁ ପ୍ରାର୍ଥନା କଲେ ଓ କ୍ରମେ ସୁସ୍ଥ ହେଲେ । କୁହାଯାଏ ନିଶା ସେବନ କରି ଅସୁସ୍ଥ ହେବା ଓ ପରେ ସୁସ୍ଥ ହେବା ପ୍ରକ୍ରିୟା ସହ ଜାହାଙ୍ଗୀରଙ୍କ ନିଜର ମାନସିକ ଅବସ୍ଥତି ଓ ଆଧ୍ୟାତ୍ମିକ ଅନୁଭବ, ଇନାୟତ ଖାଁଙ୍କ ମୃତ୍ୟୁକୁ ଅପେକ୍ଷା କରିଥିବା ଶରୀର ସହ କିଛିନା କିଛି ସମ୍ପର୍କ ରହିଛି ।

ଏକଥା ବି କୁହାଯାଏ, ଜାହାଙ୍ଗୀର ବିଶେଷ କରି ତାଙ୍କୁ ଉପହାର ଭାବରେ ମିଳୁଥିବା ବିଭିନ୍ନ ବିଦେଶୀ ପଶୁପକ୍ଷୀମାନଙ୍କୁ ଦେଖି ଚରମ କୌତୂହଳରେ ଆଙ୍କିବାକୁ ତାଙ୍କ ରାଜଦରବାରର ଚିତ୍ରଶିଳ୍ପୀମାନଙ୍କୁ ବରାଦ ଦେଉଥିଲେ । ଜେବ୍ରା, ଡୋଡୋ, ଚାମେଲିୟନ, ବଡ଼ ବୁଢ଼ିଆଣୀ, ସାଇବେରିଆର ବଗ ଆଦିଙ୍କୁ ଅଙ୍କାଇଲା ପରି ସେ ଇନାୟତଙ୍କ ଛବି ହୁଏତ ଅଙ୍କାଇଛନ୍ତି । ପଶୁ, ପକ୍ଷୀ, ଗଛ - ବୃଛ, ଫୁଲ - ଫଳ ନେଇ ଜାହାଙ୍ଗୀରଙ୍କର ବଡ଼ ଆଗ୍ରହ ଥିଲା । ଜଣେ ବୈଜ୍ଞାନିକ ପରି ସେସବୁ ବିଷୟରେ ଜାଣିବାକୁ ଓ ଖବର ରଖିବାକୁ ଭଲପାଉଥିଲେ ସେ । ହୁଏତ ସେହି ଧାରାରେ ସେ ମୃତ୍ୟୁକୁ ମଧ୍ୟ ଆଣିବାକୁ ଚାହିଁଥାଇ ପାରନ୍ତି । ମୁଗଲ୍ ମିନିଏଚର୍‌ରେ ଆଲେଖ୍ୟ ଆଙ୍କିବାର ପରମ୍ପରାରେ ଏଇଟି ସମ୍ପୂର୍ଣ୍ଣ ଅଲଗା ଥିଲା, ଯାହାର ବିଷୟ ଥିଲା ମୃତ୍ୟୁ । ୧୬୦୫ରେ ରାଜକୁମାର ସଲିମ୍ ଜାହାଙ୍ଗୀର ନାମ ଧରି ସିଂହାସନ ଆରୋହଣ କଲାବେଳକୁ ମୁଗଲ୍ ମିନିଏଚର୍ ଶୈଳୀର ଛବି ତା’ର ନିଜସ୍ୱ ରାସ୍ତା ବାଛି ନେଇ ସାରିଲାଣି । ଜାହାଙ୍ଗୀରଙ୍କ ସମୟରେ ତାହା ଆଉ କେଇପାଦ ଆଗକୁ ବଢିଛି । ଜାହାଙ୍ଗୀର ତାଙ୍କର ଅଲଗା ଆଗ୍ରହ ନେଇ ମୁଗଲ୍ ମିନିଏଚର୍‌ରେ ଅନେକ ନୂଆ କଥା ସାମିଲ୍ କରିଛନ୍ତି । ମୁଗଲ୍ ମିନିଏଚର୍‌ରେ ନିଜ ପରିଷଦ ଓ କର୍ମଚାରୀମାନଙ୍କର ଆଲେଖ୍ୟ ବା ପୋଟ୍ରେଚର୍ ଆଙ୍କିବାର ପରମ୍ପରା ସମ୍ରାଟ ଆକବର ଆରମ୍ଭ କରିଥିଲେ । ଜାହାଙ୍ଗୀର ତାଙ୍କ ବାପାଙ୍କ ପଦାଙ୍କ ଅନୁସରଣ କରିଥିଲେ ଓ ତାଙ୍କ ରାଜ ଦରବାରର ଅନେକଙ୍କ ଆଲେଖ୍ୟ ବରାଦ ଦେଇ ‘ଜାହାଙ୍ଗୀରନାମା’ ପାଇଁ ଅଙ୍କାଇଥିଲେ ।

ଇନାୟତ ଖାଁ’ଙ୍କ ମରଣକାଳୀନ ଛବି ଅଙ୍କା ଯିବାର ତିନିବର୍ଷ ଆଗରୁ ଜାହାଙ୍ଗୀର ତାଙ୍କର କୋର୍ଟକୁ ଆଜମେର୍ ଉଠେଇ ନେଇଥିଲେ । ଏଇଠି ତାଙ୍କର ସୁଫି ମତବାଦ ପ୍ରତି ବିଶ୍ୱାସ ବଢିଛି । ମଇଉଦ୍ଦିନ୍ ଚିସ୍ତିଙ୍କର ଭକ୍ତ ହେଇଛନ୍ତି ସେ । ଆଧ୍ୟାତ୍ମିକ ଓ ଭୌଗାେଳିକ ପରିବର୍ତ୍ତନ ତାଙ୍କ ଛବି ପ୍ରତି ଥିବା ଆଗ୍ରହକୁ ମଧ୍ୟ ବଦଳେଇ ଦେଇଛି । ଜାହାଙ୍ଗୀରଙ୍କର ଯେଉଁ ଆଠୋଟି ବିଖ୍ୟାତ ଆଲିଗୋରିକାଲ୍ ଛବି ରହିଛି ତାହା ପଛରେ ଅଛି ସୁଫିବାଦର ବଳିଷ୍ଠ ପ୍ରଭାବ । ସେଇ ଆଠୋଟି ଛବି ବିଷୟରେ ପରେ ଆଲୋଚନା କରିବା ।

Report an Error