ଫଟୋ ସୂତ୍ର - ୱିକିପିଡିଆ

ଚଳିତ ବର୍ଷ ଦେଶ ସ୍ୱାଧୀନତାର ୭୫ତମ ବର୍ଷ ପାଳନ କରୁଛି । ସ୍ୱାଧୀନତାର ରଙ୍ଗରେ ଆମେ ରଙ୍ଗୀନ । ଆମେ ସମସ୍ତେ ମୁକ୍ତ । ଆମ ସମ୍ବିଧାନ ଆମକୁ ସ୍ଵତଂତ୍ରତାର ଅଧିକାର ଦେଇଛି । ଆମେ କାହାରି ଦାସ ନୋହୁଁ । ଆମ ଅଧିକାର ଉପରେ କେହି ହସ୍ତକ୍ଷେପ କରି ପାରିବେ ନାହିଁ । ଅନେକ ବର୍ଷ ପୂର୍ବେ ସମୟ କିନ୍ତୁ ଏପରି ନଥିଲା । ପନିପରିବା, ଫଳମୂଳ ତଥା ମାଛ ପରି ମଣିଷମାନଙ୍କର କିଣାବିକା ହେଉଥିଲା । ଆଜି ସେପରି ଏକ କାହାଣୀ ।

ବଙ୍ଗଳା ଡାୟନାର ଦକ୍ଷିଣ ଆଫ୍ରିକା ଯାତ୍ରା । ପୃଥିବୀର ସର୍ବଶ୍ରେଷ୍ଠ ପୁରସ୍କାର ନୋବେଲ । ଏଇ ନୋବେଲ ସହିତ ଭାରତୀୟ ଡାୟନାର ସମ୍ପୃକ୍ତି । ଆଜିର କାହାଣୀ ନୋବେଲ ଶାନ୍ତି ପୁରସ୍କାର ଓ ବଙ୍ଗଳାର ଗୁଲାମ/ଦାସୀ ଡାୟନା ।

ଆଲୋକକୁ ଅନୁଭବ କରିବା ପାଇଁ ଅନ୍ଧାରର ସୁଡ଼ଙ୍ଗ ଦେଇ ଯିବାକୁ ପଡିଥାଏ । ପୁରାତନ ଯୁଗରେ ରାଜା ମହାରାଜାମାନେ ସୁଡ଼ଙ୍ଗ ତିଆରିଥିଲେ । ଯୁଦ୍ଧ କ୍ଷେତ୍ରରେ ଆସନ୍ନ ପରାଜୟ ପରିପ୍ରେକ୍ଷୀରେ ସୁଡ଼ଙ୍ଗ ଦେଇ ଏକ ଗୋପନ ତଥା ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଏହି ସୁଡ଼ଙ୍ଗର ଉପଯୋଗ କରାଯାଇଥାଏ । ନିଜ ସୁରକ୍ଷା ପାଇଁ ପ୍ରାଣୀ ସଦାସର୍ବଦା ଶତ ଯତ୍ନ କରିଥାଏ । କାଂଥ ଉପରେ ଓହଳି ଥିବା ଝିଟିପିଟିକୁ ଘଉଡାଇବା ପାଇଁ ଆମେ ଯେତେବେଳେ ପ୍ରୟାସ କରିଥାନ୍ତି, ଝିଟିପିଟି ନିଜ ଲାଙ୍ଗୁଡ଼ରୁ ଖଣ୍ଡେ ଛିଡା଼ଇ ଦେଇଥାଏ, ଆମେ ଲାଙ୍ଗୁଡକୁ ଦେଖିବାରେ ବ୍ୟସ୍ତ ରହିଯାଉ, ଝିଟିପିଟି ନିଜକୁ ସୁରକ୍ଷିତ ସ୍ଥାନରେ ରଖେ । ପ୍ରକୃତିର ଏହାହିଁ ନିୟମ । ଈଶ୍ବର ସମସ୍ତ ପ୍ରାଣୀଙ୍କୁ ନିଜ ସୁରକ୍ଷା ପାଇଁ ଢାଲ ଦେଇଥାନ୍ତି ।

ମାତ୍ର ସବୁବେଳେ ସମୟ ଠିକ ନଥାଏ । ବେଳେବେଳେ ଆମ ହାତରେ କିଛି ନଥାଏ । ପ୍ରତିରୋଧ କରିବାର କ୍ଷମତା ନଥାଏ । ସମୟ ସେତେବେଳେ ନିଜ ରଙ୍ଗ ବଦଳାଇ ଥାଏ । ଯାହା ଘଟିବାର ଥାଏ । ଘଟେ ।

ପଡୋଶୀ ପଶ୍ଚିମବଙ୍ଗର ଏକ ଗ୍ରାମ୍ୟ ବାଳିକା ଡାୟନା । ଡାୟନା କିପରି ବାଂଲାଦେଶର ଚିତ୍ତାଗଙ୍ଗକୁ ଆସିଗଲା ସେ ନିଜେ ବି ଜାଣି ପାରିନଥିଲା । ଚିତ୍ତାଗଙ୍ଗରୁ ଜାହାଜ ଜରିଆରେ ତାକୁ ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ ଅଣାଗଲା । ଡାୟନା ଆଖିରେ ଆଖିଏ ସ୍ବପ୍ନ ଥିଲା । ତା ସାମ୍ନାରେ ମେଞ୍ଚେ ଖୋଲା ଆକାଶ ଥିଲା । ସେ ଉଡିବାକୁ ଈଛିଥିଲା । ସେ ଜେ ଇଞ୍ଚ ଜାହାଜରେ ମଛଲିପଟ୍ଟନମ ଆସିଥଲା, ଜାହାଜର ଠିକଣା ସେଇଠି ନଥିଲା । ସାମୟିକ ସମୟର ରହଣି ସାରି ଜାହାଜ ଜାକର୍ତ୍ତା ତଥା ଇଣ୍ଡୋନେସିଆ ଆଡକୁ ମୁହେଁଇଲା ।

ଜାହାଜର ଲମ୍ବା ଯାତ୍ରା ସହିତ ଡାୟନାର ବୟସ ମଧ୍ୟ ବଢ଼ୁଥିଲା । ଏମିତିରେ ତ ସହଜେ ଝିଅ ପିଲାମାନଙ୍କ ବୟସ ଶୀଘ୍ର ବଢ଼ିଯାଇଥାଏ । କାହା କାହା ଆଖିରେ । ଆଖିର ନଜରରେ, ଝିଅର ବଢ଼ିଲା ଶରୀର ଭିତରେ ତା ବୟସ ଖୋଜାଯାଇଥାଏ ।

ଜାହାଜର ନାବିକ ପାଖରୁ ଆରମ୍ଭ କରି ଅନ୍ୟ କର୍ମଚାରୀମାନଙ୍କ ନଜର ଝିଅର ବଢ଼ିଲା ବୟସ ଉପରେ/ଝିଅର ଶରୀର ଉପରେ ଥିଲା । ଦୃଷ୍ଟି ନିବଦ୍ଧ ଥିଲା । ଏକ ଲୋଲୁପତାର ଦୃଷ୍ଟି । ଡାୟନା ଏ ସବୁ ଦୃଷ୍ଟିକୁ ଚିହ୍ନିପାରେନି । ସେ ତା ବିଶାଳ ସମୁଦ୍ର ଲହରୀରେ, ସମୁଦ୍ର ଶାନ୍ତତାରେ ନିମଗ୍ନ ଥାଏ । ଜାହାଜର ଡେ଼କ ଉପରେ ଠିଆ ହୋଇ ସେ ଦୂର ଦୂର ପର୍ଯ୍ୟନ୍ତ ଶାନ୍ତ ସମୁଦ୍ରର ଦିଗନ୍ତବିସ୍ତାରି ଜଳରାଶିକୁ ଦେଖୁଥାଏ । ସରୁନଥାଏ ପାଠ । ବଢୁଥାଏ ସ୍ବପ୍ନ । ଶେଷରେ ଜାହାଜ ପହଁଚିଲା ସାଉଥ ଆଫ୍ରିକା । କେପ ଅଫ ଗୁଡ଼ ହୋପ । ଏଇଠାରୁ ହିଁ ଯୋଡି ରହିଥିଲା ଡାୟନାର ଭବିଷ୍ୟତ ।

ଜାହାଜରୁ ଓହ୍ଲାଇବା ପରେ ଡାୟନାକୁ ନିଜ ବୟସର ଅନେକ ଝିଅମାନଙ୍କ ସହିତ ଧାଡି କରି ଠିଆ କରାଗଲା । ଯେଉଁଠାରେ ଝିଅମାନଙ୍କୁ ବିକ୍ରି କରାଯାଉଥିଲା । ଲାଗିଥିଲା ଯିବାଆସିବା । ବିକାକିଣା । ଅନେକ ଆସୁଥିଲେ, ଝିଅମାନଙ୍କୁ ଦେଖୁଥିଲେ । ପସନ୍ଦ ଆସିଲେ ମୁଲାଉଥିଲେ । ତା ପରେ ଉଚିତ ଦାମ ଦେଇ ନିଜ ସହ କିଣି ନେଇ ଯାଉଥିଲେ ।

ଠିକ ସେପରି ଡାୟନାକୁ ବି ଜଣେ ଯୁବକ ପସନ୍ଦ କରି କିଣିନେଲେ । ସେ ଯୁବକ ଜଣକ ଜଣେ ସୈନିକ ଥିଲେ । ସେ ତାକୁ ଚର୍ଚ୍ଚକୁ ନେଇଗଲେ ତା ନାଁ ମାରିଆ ରଖିଲେ । ସେବେଠୁ ସେ ହୋଇଗଲା ମାରିଆ । ମାରିଆ ଦଶବର୍ଷ ପର୍ଯ୍ୟନ୍ତ ସେଇ ସୈନିକଂକର ଗୁଲାମ ହୋଇ ରହିଲେ । ଜର୍ମାନୀ ଶିଖିଲେ। ଭୁଲିଗଲେ ବଙ୍ଗାଳି । ମାରିଆ ଏବେ ଜଣେ ଅଶ୍ବେତ - ଜର୍ମାନ ମହିଳା ଭାବେ ବଦଳିଯାଇଥିଲେ । ସୈନିକ ଜଣକ ମାରିଆଙ୍କ ବ୍ୟବହାରରେ ଅତ୍ୟନ୍ତ ଖୁସି ଥିଲେ । ଏହି ଦଶବର୍ଷ ମଧ୍ୟରେ ମାରିଆ ନିଜ ଆଚାର ତଥା ବ୍ୟବହାରରେ ସୈନିକଙ୍କ ବିଶ୍ଵାସଭାଜନ ହୋଇ ପାରିଥିଲେ । ଅତଏବ ସୈନିକଙ୍କର ମନରେ ଦିନେ ପରିବର୍ତ୍ତନ ଆସିଲା । ସେ ମାରିଆଙ୍କୁ ମୁକ୍ତ କରିଦେଲେ । ସ୍ୱାଧୀନ କରିଦେଲେ । ଆଜି ପର୍ଯ୍ୟନ୍ତ ମାରିଆ ଗୁଲାମ ଥିଲା । ସେ ବୋଧହୁଏ ଏକଥା ଜାଣି ହିଁ ନଥିଲା । ତା ପାଇଁ ଏସବୁ ଏକ ସ୍ବପ୍ନ ଥିଲା । ମୁକ୍ତ ହେଲାପରେ ମାରିଆର କଣ ହେଲା । ସେ କୁଆଡେ ଗଲା । ସେ ପ୍ରଶ୍ନର ଉତ୍ତର ନାହିଁ । ହୁଏତ ଗୋପନୀୟ ରଖାଯାଇଛି ।

ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଏଫ ଡବ୍ଲୁ ଡି କ୍ଲର୍କ ନିଜ ଆତ୍ମଜୀବନୀରେ ସ୍ୱୀକାର କରିଛନ୍ତି ଯେ ତାଙ୍କ ପୂର୍ବଜ ଗଣ ବଙ୍ଗାଳି ଥିଲେ । ଡାୟନା ନାମକ ଜଣେ ବଙ୍ଗାଳି ଗୁଲାମ ଯାହାକୁ ଆମେ ଦାସୀ କହିଥାଉ, ସେ ହିଁ ତାଙ୍କର ପୂର୍ବଜ ଥିଲେ । ପଶ୍ଚିମବଙ୍ଗରୁ ଡାୟନାର ସାଉଥ ଆଫ୍ରିକା ଯାତ୍ରା କିଛି ଲୋମହର୍ଷକ କାହାଣୀରୁ କମ ନୁହେଁ । ପୂର୍ବ ଭାରତରୁ ହଜାର ହଜାର ସଂଖ୍ୟକ ପୁରୁଷ ତଥା ମହିଳାମାନଙ୍କୁ ଦାସ - ଦାସୀ କରି କିଣି ନିଆଯାଉଥିଲା । ୧୬୬୭ ମସିହାରେ ଅଗସ୍ତିନ ବକ୍କାର୍ଟ ନାମକ ଜଣେ ବ୍ୟକ୍ତି ବେଙ୍ଗଲର ଡାୟନାଙ୍କୁ ଦାସୀ ଭାବେ କିଣିଥିଲେ । ତାଙ୍କ ନାତୁଣୀ ଏଞ୍ଜେଲା ୧୭୩୭ ମସିହାରେ ଏଫ ଡବ୍ଲୁ ଡି କ୍ଲର୍କଙ୍କ ପୂର୍ବଜ ବରଏଣ୍ଡ ଡି କ୍ଲର୍କଙ୍କୁ ବିବାହ କରିଥିଲେ । ସେ ତାଙ୍କର ଆତ୍ମଜୀବନୀରେ ଠାଏ ଲେଖିଛନ୍ତି କି ଏହା ହିଁ ହେଉଛି ତାଙ୍କ ବଂଶାବଳୀର କଥା, ଯାହା ଦକ୍ଷିଣ ଆଫ୍ରିକାରେ କମ ଆଲୋଚନା ହୁଏ । କିନ୍ତୁ ସତ ଏୟା । ପିଲାଦିନେ ଏ କଥା ମୋତେ ଜଣାଇ ଦିଆଯାଇନଥିଲା । ଯାହା ମୋତେ ଜାଣିବାର ଆବଶ୍ୟକତା ଥିଲା । ବିଳମ୍ବ ହେଉ ପଛେ ଜାଣିଲି ।

୧୯୯୩ ମସିହାରେ ନେଲସନ ମାଣ୍ଡେଲା ଜେଲରୁ ମୁକ୍ତି ପାଇଲେ । ଦକ୍ଷିଣ ଆଫ୍ରିକାରେ ରଙ୍ଗଭେଦ ସମାପ୍ତ କରିଥିବା ଯୋଗୁଁ ତାଙ୍କୁ ଯୁଗ୍ମ ଭାବେ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଗଲା । ପ୍ରଥମ ଭାରତୀୟ ମହିଳା ଗୁଲାମ/ଦାସୀ ଥିଲେ ମୀରା । ଆଗ୍ରାର ଏକ ମୁସଲମାନ କୁଳୀନ ପରିବାରରେ ଜନ୍ମିତ ମୀରାଙ୍କୁ ୧୬୬୯ରେ କିଛି ଜଳଦସ୍ୟୁ ଅପହରଣ କରିନେଇ ବିକ୍ରି କରି ଦେଇଥିଲେ । କୁହାଯାଇଥାଏ କି ପରବର୍ତ୍ତୀ ସମୟରେ ସେ ଦାସତ୍ୱରୁ ମୁକ୍ତି ପାଇଁ ଖ୍ରୀଷ୍ଟିଆନ ଧର୍ମର ପ୍ରଚାରିକା ସାଜିଥିଲେ । ମେକ୍ସିକୋ ସଂସ୍କୃତିରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ଥିଲା । ମେକ୍ସିକୋର ରାଷ୍ଟ୍ରୀୟ ତଥା ପାରମ୍ପରିକ ପୋଷାକ ଚୀନା ପୋବଳନା ମୀରାଙ୍କ ସହିତ ଜଡିତ ବୋଲି କୁହାଯାଇଥାଏ ।

ହେଲେ ଏପରି ଅନେକ ମୀରା ଓ ମାରିଆ ତଥା ଡାୟନାମାନେ ଇତିହାସର ପୃଷ୍ଠାରେ କେଉଁଠି ହଜିଯାଇଛନ୍ତି ।