ସଂସ୍କୃତିର ନବ ରୂପାନ୍ତରଣ ଓ ଦାଦିବୁଢ଼ା

ସମଗ୍ର ଦାଦିବୁଢ଼ା ଉପନ୍ୟାସରେ ଦାଦିବୁଢ଼ା ହେଉଛି ଧର୍ମ, ବିଶ୍ୱାସ ଓ ଚିରନ୍ତନ ପରଂପରାର ପ୍ରତୀକ । କିନ୍ତୁ ତା ପାଖରେ ଥିବା ହୁଙ୍କାବୁଢ଼ା ହେଉଛି ସାମୟିକ ଅଥଚ ଚଳଚଞ୍ଚଳ ସଭ୍ୟତାର ଜୀବନୀଶକ୍ତିର ପ୍ରତୀକ । ଦାଦିବୁଢ଼ା କେବଳ ଅନେଇ ରହେ ।


ଫଟୋ - ୱିକି କମନ୍ସ

ଏକ

ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ‘ଦାଦିବୁଢ଼ା’ (୧୯୪୪) ଏକ କମ୍ ଜଣାଶୁଣା ଉପନ୍ୟାସ । 'ପରଜା', 'ଅମୃତର ସନ୍ତାନ', 'ଶିବଭାଇ' ପରି ଏହା ମଧ୍ୟ କୋରାପୁଟ କୈନ୍ଦ୍ରିକ, ପୁଣି ଏକ ଜନଜାତିର ଜୀବନ ଗାଥା । ପରଜା ଓ କନ୍ଧ ଜନଜାତିର ଜୀବନର ପ୍ରବାହ ଯେମିତି ପ୍ରକାଶ ପାଇଛି ଏ ଉପନ୍ୟାସରେ, ସେମିତି ରୂପ ପାଇଛି ଭୟ ପ୍ରଣୋଦିତ ଭକ୍ତିର ଆଦିମ କାହାଣୀ । ମଣିଷ ଯେତେବେଳେ ପ୍ରକୃତିର ପ୍ରତିଟି କର୍ମର ରହସ୍ୟ ବୁଝିପାରୁ ନ ଥିଲା, ଅଥଚ ଉତ୍ତର ଖୋଜୁଥିଲା ଅନ୍ତରଙ୍ଗ ଭାବରେ, ଦାଦିବୁଢ଼ାର କାହାଣୀ ତାର ସଫଳ ଆଲେଖ୍ୟ । ପ୍ରାଚୀନ ସାଂସ୍କୃତିକ ପରିମଣ୍ଡଳ ସହ ନୂତନ ସାମାଜିକ ରୂପାନ୍ତରଣର ଦ୍ୱନ୍ଦ୍ୱ ଏ ଉପନ୍ୟାସର କାହାଣୀର ଗୋଟିଏ ସ୍ତର । ଆଧୁନିକ ସଭ୍ୟତାର ଆଲୋକ କିପରି ଦିଗଭ୍ରଷ୍ଟ କରିଛି ସରଳ ଆଦିବାସୀ ଜନଜୀବନକୁ ତାହା କାହାଣୀର ଦ୍ୱିତୀୟ ସ୍ତର । ଧର୍ମ ନାମରେ ପରସ୍ପର ସଂଘର୍ଷ ନ କରି କିପରି ସହାବସ୍ଥାନର ସୂତ୍ର ଆବିଷ୍କାର କରିଛନ୍ତି ଉଭୟ ପରଜା ଓ ନୂତନ ଖ୍ରୀଷ୍ଟିଆନ ହୋଇଥିବା ଡମ୍ ଜାତି, ସେ କଥା ବି ଉପନ୍ୟାସର ଅନ୍ୟ ଏକ ଅନ୍ତରୀଣ ବିଭବ । ଯଥାର୍ଥରେ କୁହାଯାଇପାରେ ସ୍ଥାନ ଓ କାଳର ନିର୍ଦ୍ଦିଷ୍ଟତା ସତ୍ତ୍ୱେ ଘଟଣା ଓ ଚରିତ୍ରର ସସୀମତା ସତ୍ତ୍ୱେ 'ଦାଦିବୁଢ଼ା' ଉପନ୍ୟାସଟି ଚିରନ୍ତନ ମାନବ ଜାତିର ସଂଘର୍ଷ, ରୂପାନ୍ତରଣ ଓ ଆତ୍ମିକ ଉତ୍ତରଣର କାହାଣୀ ।

ମାତ୍ର ଶହେ ପୃଷ୍ଠାରେ ଉପନ୍ୟାସଟି ଆରମ୍ଭ ହୁଏ ମୁରାନ ନଈର ଉପତ୍ୟକାରୁ । ‘ଲୁଲ୍ଲା’ ଗାଁ ଆଡକୁ ହାତରେ ଖଣ୍ଡେଖଣ୍ଡେ ନିଆଁର ଗୋଜିଣା ଧରି ଚାଲିଛନ୍ତି ଚାରି/ପାଞ୍ଚ ଜଣ ମଣିଷ ରାମ ନାଇକ, ହରିଜାନି, ଚାଞ୍ଚେରିଡମ ଓ ଖ୍ରୀଷ୍ଟିଆନ୍ ସାହିର ଏଲିଓ ସୁନା । ସାମ୍ନାର ପାହାଡରେ ବିଜୁଳିର ବାଙ୍ଗୁଲି ଗାଁର ପରି ନିଆଁ । ସାରା ଆକାଶ ନିଆଁର ଅଳଂକାରରେ ମଣ୍ଡିତ । ଆକାଶରେ ତାରା ଓ ପାହାଡରେ ନିଆଁ । କୋରାପୁଟର ଫଗୁଣ ମାସ । ହରିଜାନି କହନ୍ତି ଏ ନିଆଁ ସବୁ ମଲାଲୋକ ଆମ ପୂର୍ବ ପୁରୁଷଙ୍କ କାମ । ମଝି ଆକାଶରେ ସେମାନେ ହିଁ ନିଆଁ ଲଗେଇ ଦିଅନ୍ତି ପାହାଡ଼ରେ । ଏଲିଓ ସୁନା କହିଲା ଦିନବେଳେ ଲୋକେ କାମପାଇଁ ଯାଇଥିଲେ ପାହାଡକୁ । ଏବେ ପାହାଡରେ ନିଆଁ ଲାଗିଛି ରାତି ବୋଲି ଦିଶୁଛି । ଡୁମା ଫୁମା କିଛିନାଇଁ । ଏଲିଓ ଏବଂ ହରିଜାନି ଓ ରାମ ନାଇକର ଏ ଯୁକ୍ତିରୁ ହିଁ ଆରମ୍ଭ ହୁଏ ଉପନ୍ୟାସ । ନୂଆଁ ଓ ପୁରୁଣା ଧର୍ମ ବିଶ୍ୱାସର ଦ୍ୱନ୍ଦ୍ୱ ଯେମିତି ଏଇ ଗାଁର ଏକ ଭିତ୍ତି । ସେମିତି “ଏ ଗାଁର ଗନ୍ଧ, ଗାଁର ଧୂଳି, ଗାଁର ଧୂଆଁ, ଜଙ୍ଗଲର ଦୂର ବାଟୋଇ ମନରେ ଆଶ୍ୱାସ ଦିଏ, ମା ବୁଢ଼ୀର କୋତରା ପଣତ ପରି ।” (ପୃଷ୍ଠା-୫) ଗୋପୀନାଥ ଯଥାର୍ଥରେ କହନ୍ତି ଅନେକ ସ୍ଥଳରେ ମୋ ଉପନ୍ୟାସର ସମସ୍ତ କାହାଣୀ ତାର ପ୍ରଥମ ପରିଚ୍ଛେଦର ପ୍ରଥମ ବାକ୍ୟରେ ହିଁ ନିହିତ (ରଥ: ୧୯୮୮:୨୫)

ତହିଁ ଆରଦିନ ଗାଁରେ ବସିଛି ପଞ୍ଚାୟତ । ଅନେକ ଗୋଜିଆ ପଥର ଓ ଚକାପଥରର ପାଖରେ ପଡିଛି କେତେ ଖଣ୍ଡ ପଥର ଚଟାଣ । ଏ ଗୋଜିଆ ପଥର ଓ ଚକାପଥର ସବୁ ମୃତ ପୁରୁଷ ସ୍ତ୍ରୀଙ୍କର ସ୍ମୃତି ଚିହ୍ନ । ଦିଶାରୀ ବୁଢ଼ାର ମନ୍ତ୍ର, ଗୁରୁମାଈର କାଳେସୀ, ଭିତରେ ଏ ଗାଁ କୁ ଓହ୍ଲେଇ ଆସିଛନ୍ତି ଦାଦିବୁଢ଼ା । ଗୁରୁମାଈ ଯେଉଁ ଖଜୁରୀ ଗଛଟିକୁ ସ୍ଥିର କରିଛି, ସେ ଗଛଟି ରୂପାନ୍ତରିତ ହୋଇଛି ଦାଦିବୁଢ଼ାର ରୂପରେ । ମୁଣ୍ଡ ଉପରେ ପଗଡି ବନ୍ଧା ହେଲା, ଚିତାଏ ଉଚ୍ଚରୁ କଟାହୋଇ ସେ ଦିନଠୁ ମୁଣ୍ଡିଆ ଉପରୁ ବଡ ବଡ ଆଖିକରି ତଳର ପଲ୍ଲୀକୁ ଅନେଇ ରହିଲା ଗାଁର ମୁରବୀ ପରି ଦାଦିବୁଢ଼ା ।

ପ୍ରଥମ ଦୁଇଟି ପରିଚ୍ଛେଦ ସମୟକ୍ରମରେ ଦୁଇଟି ଘଟଣା ହେଲେ ହେଁ ମୂଳ କାହାଣୀର ଏହା ଭିତ୍ତିପ୍ରସ୍ତର । ଦାଦିବୁଢ଼ା ପାଖରେ ଗଡ଼ି ଉଠିଥିବା ହୁଙ୍କାବୁଢ଼ା ପରି ଏହା ସାମୟିକ । ପ୍ରକୃତ ଉପନ୍ୟାସର କାହାଣୀ ଆରମ୍ଭ ହୁଏ ତୃତୀୟ ପରିଚ୍ଛେଦରୁ । କିନ୍ତୁ ତୃତୀୟ ପରିଚ୍ଛେଦର ସମସ୍ତ ଘଟଣା ଯେମିତି ନିତ୍ୟନୈମିତ୍ତିକ । ଉପନ୍ୟାସର ବିନ୍ୟାସ ଦୃଷ୍ଟିରୁ ତୃତୀୟ ପରିଚ୍ଛେଦ ହେଉଛି ଅନେକ ଛୋଟ ଛୋଟ ଆନୁଭୂମିକ ଘଟଣା, ଯାହାର ବିସ୍ତୃତି ଅଛି କିନ୍ତୁ ଉଦ୍ଧ୍ୱାର୍ୟନ ନାହିଁ । ଯେମିତି “ଠେଙ୍ଗାଜାନିର ଆଖି ଆଗରେ ଭାସିଯାଆନ୍ତି ଧାଙ୍ଗଡି ପଲ । ହଳଦିଆ ଅଳସୀ କ୍ଷେତ ଉପରେ, ନେଳି, ସାବୁଜା ମାଣ୍ଡିଆ କ୍ଷେତ ଉପରେ ଧୋବଲା ହସର ମାୟା କୁହୁଡି ଭସେଇ ଦେଇ । ତାର ଦେହ ଟାଙ୍କ ହୋଇଉଠେ । ମନ ଧୂଆଁଳିଆ ହୋଇଯାଏ । ମରମର ଗହନ ଅନୁଭୂତି ଭିତରେ ଖୁନ୍ଦିଖାନ୍ଦି ହୋଇ ପଶେ କଣ୍ଟା ଓ ଫୁଲ ।" (ପୃଷ୍ଠା-୧୫) ଠେଙ୍ଗାଜାନି ସ୍ଥିର କରିପାରେ ନାହିଁ ତାର ପ୍ରେମ । ଠେଙ୍ଗାଜାନି ସ୍ଥିର କରିପାରେ ନାହିଁ ତାର ଜୀବନ ସାଥୀ । ସେତେବେଳେ ଆସିଛି ସଂତୋଷ କୁମାରୀ, ଅଳେଇ ବିରିଆ ଡମର ଝିଅ । ଲକ୍ଷ୍ୟ କରିବା କଥା, ସମଗ୍ର ବର୍ଣ୍ଣନାରେ ବ୍ୟବହୃତ ହୋଇଛି ଅଭ୍ୟାସିକ ବର୍ତ୍ତମାନ କ୍ରିୟା ଯାହା ଘଟଣାର କାଳ ପ୍ରଦାନ କରେ ନାହିଁ, ବରଂ ସବୁ ସମୟରେ ଘଟେ ବୋଲି ସୂଚାଇ ଦିଏ ।

ସମଗ୍ର ଦାଦିବୁଢ଼ା ଉପନ୍ୟାସରେ ଦାଦିବୁଢ଼ା ହେଉଛି ଧର୍ମ, ବିଶ୍ୱାସ ଓ ଚିରନ୍ତନ ପରଂପରାର ପ୍ରତୀକ । କିନ୍ତୁ ତା ପାଖରେ ଥିବା ହୁଙ୍କାବୁଢ଼ା ହେଉଛି ସାମୟିକ ଅଥଚ ଚଳଚଞ୍ଚଳ ସଭ୍ୟତାର ଜୀବନୀଶକ୍ତିର ପ୍ରତୀକ । ଦାଦିବୁଢ଼ା କେବଳ ଅନେଇ ରହେ । କିନ୍ତୁ କାହାର କାମନା ପୂରଣ ସେ କରେନାହିଁ । ଯାହା ଉଚିତ୍ ମଣିଷ ଜାତିପାଇଁ, ଯାହା ମଣିଷ ସମାଜକୁ ଆଗକୁ ନେବ ତାହା ହିଁ ସେ କରେ । "ଗାଁ ଲୋକେ ଦାଦିବୁଢ଼ା ଆଡେ ଅନେଇ ରହନ୍ତି । ଗାଁର ଝିଏ ଠେଙ୍ଗାଜାନିର ଗୀତ ଆଡକୁ ଅନେଇ ରହନ୍ତି । ଦାଦିବୁଢ଼ା ଅନେଇ ରହେ ଫାଙ୍କା ଆକାଶକୁ ନିଶ୍ଚଳ ନିଷ୍ପ୍ରଭ ହୋଇ । କେବଳ କୌତୁକ କରେ ହୁଙ୍କାବୁଢ଼ା । ତାହା ଉପରେ ଜୀବନୀ ଶକ୍ତିର ଚଳପ୍ରଚଳ ଲାଗେ । ଉଇମାନେ ଧାରକରି ଏମୁଣ୍ଡ ସେମୁଣ୍ଡ ଶୋଭାଯାତ୍ରା କରନ୍ତି । ଧାରମୁହଁରେ ଗୋଟିକିଆ ବେଙ୍ଗ ଗୋଟିଏ ଲେଖାଏଁ ଓରପାତି ଜିଭ ଲହଲହ କରନ୍ତି ପୁଞ୍ଜିପତି ସାହୁକାର ଭଳି । ଦାଦିବୁଢ଼ାର ହଲଚଲ ନାହିଁ ।" (ପୃଷ୍ଠା- ୨୩) ସଭ୍ୟତାର ଶୋଭାଯାତ୍ରାର କେଉଁ ଏକ ମୁଣ୍ଡରେ ଅପେକ୍ଷା କରି ବସିଥାଏ ବେଙ୍ଗ ପରି ପୁଞ୍ଜିପତି ସାହୁକାର । ଉଇ ପରି ଅଭିଯାତ୍ରୀମାନଙ୍କୁ ଶେଷରେ ଲହଲହ ଜିଭର ସାମ୍ନା କରିବାକୁ ପଡ଼େ । କିନ୍ତୁ ଦାଦିବୁଢ଼ା ହଲଚଲ ହୁଏ ନାହିଁ ଏ ଘଟଣାରେ । ମଣିଷର ସନାତନ ଧର୍ମ, ସନାତନ ବିଶ୍ୱାସ ଯାହା ସମୟ ଓ ଶ୍ରଦ୍ଧାରେ ନିର୍ମିତ ହୋଇଆସିଛି ତାହା ହେଉଛି ଦାଦିବୁଢ଼ାର ପ୍ରତୀକ କିନ୍ତୁ ମଣିଷ ଗଢ଼ି ଥିବା ହୁଙ୍କାବୁଢ଼ା ସକାମ ପ୍ରାର୍ଥନା ଓ ସ୍ୱାର୍ଥର ଦେବତା । ଲୋକେ ସେଠି ମାନସିକ କରନ୍ତି । ହୁଙ୍କାବୁଢ଼ାରୁ ବିଭୂତି ଆଣି ଖାଆନ୍ତି । ନୂଆଁ ନୂଆଁ ଗଢ଼ି ଉଠୁଥିବା ସ୍ୱାର୍ଥକୈନ୍ଦ୍ରିକ ଧର୍ମର ପ୍ରତୀକ ଏଇ ହୁଙ୍କାବୁଢା ।

ସଂତୋଷ କୁମାରୀ ଅନେକ ପରଜା ଝିଅ ପରି ନୁହେଁ । ତାର ଆଖିରେ ସହରୀ ସ୍ୱପ୍ନ । ମନର ଶୋଷ ତାର ଅସରନ୍ତି । ଜଙ୍ଗଲ ତା ପକ୍ଷରେ ମରୁଭୂମି ପରି । ଖାଲି ନିଦୁଆ ଜଙ୍ଗଲ, ପଥର ଓ ଗଛ । କୋରାପୁଟର ବତୀ ଜୁକୁଜୁକୁ ଧୋବଲା ସହର ତାକୁ ସ୍ୱପ୍ନ ବିଭୋର କରିଛି । ସଂଦିଗ୍ଧ ଓ ସରଳ ପ୍ରାଣର ଠେଙ୍ଗାଜାନିକୁ ଏଣୁ ସହଜରେ ସେ ପ୍ରଲୁବ୍ଧ କରିଛି, ଆସାମର ଚା ବଗିଚାକୁ ଚାଲିଯିବା ପାଇଁ । ସଂତୋଷ କୁମାରୀର ପ୍ରଲୋଭନରେ ଆକୃଷ୍ଟ ହୋଇ ପାରଂପରିକ ଗାଁ ଛାଡି ଠେଙ୍ଗାଜାନି ଚାଲିଯାଇଛି ଆସାମର ଚା ବଗିଚା । ଅଜଣାର ଆକର୍ଷଣ କେବଳ ନୁହେଁ, ସହରୀ କୁହୁକର ମାୟା ହିଁ ଏ ପଳାୟନର ମୂଳ ପ୍ରେରଣା । ଠେଙ୍ଗାଜାନି ଭିତରେ ଗାଁ ଛାଡି ଯିବାର ସ୍ମୃତି ଯେତେବେଳେ ବି ବିବ୍ରତ କରୁଛି ସଂତୋଷ କୁମାରୀର ପ୍ରଲୋଭନ ତାକୁ ଆହୁରି ଟାଣି ନେଉଛି ଦୂରକୁ । ଏ ପ୍ରସଙ୍ଗରେ ଗୋଟିଏ କଥା ପାଠକର ଦୃଷ୍ଟି ଆକର୍ଷଣ କରେ, ନୂଆ ନୂଆଁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବା କୋରାପୁଟ ଡମ ସଂପ୍ରଦାୟ ଭିତରେ ଥିବା ଚାରିତ୍ରିକତା ପ୍ରତି ଔପନ୍ୟାସିକଙ୍କ ଇଙ୍ଗିତ । ଏକ ଦିଗରେ ସେମାନେ ନୂତନ ଖ୍ରୀଷ୍ଟିଆନ ଧର୍ମ ପ୍ରତି ଆକୃଷ୍ଟ ଅନ୍ୟ ଦିଗରେ ପ୍ରାଚୀନ ଆଦିବାସୀ ଧର୍ମର ବିପକ୍ଷରେ ନାହାନ୍ତି । ଦାଦିବୁଢ଼ାକୁ ପ୍ରାର୍ଥନା କରନ୍ତି ଚୋରି କରି ଧରା ନ ପଡିବା ପାଇଁ । ପରଜାମାନଙ୍କର ନୃତ୍ୟ ଗୀତରେ ଗୁରୁମାଈର ନାଚ ଓ ଆଦେଶ ଶୁଣିଲାବେଳେ କରପଟିଆ ବସି କଥାବାର୍ତ୍ତା ହୁଅନ୍ତି, ଏମାନେ ସଇତାନର ପୂଜା କରନ୍ତି । ଦେବଦୂତଙ୍କ ମୁହଁ ଚାହିବେ ନାହିଁ । କିନ୍ତୁ "ଏଲିଓ ପ୍ରାଚୀନ ଦାଦିବୁଢ଼ା ଆଗରେ ମାଙ୍କଡଚିତ ମାଇଲେ, ସାଧନା ଭାଙ୍ଗିଲେ, ନାଚରେ ବେଙ୍ଗଳା ପଡୁଥିବା ଧାଙ୍ଗଡି ମାନେ ହସିହସିକା ପ୍ରଚୁର ଉତ୍ସାହ ଦେଲେ, ସଲମନ ଗୁରୁ ମଦ ପିଇପିଇ ବାଉଳା ହୋଇ ନାଟ କରିବାକୁ ଆରମ୍ଭ କଲେ ।" (ପୃଷ୍ଠା -୭୭) ମଦର ପ୍ରଲୋଭନ ଓ ସଭ୍ୟତାର ଆକର୍ଷଣ ସେମାନେ ଛାଡି ପାରନ୍ତି ନାହିଁ । ଦାଦିବୁଢ଼ାର କାହାଣୀ ଏହି ଦୁଇଧର୍ମ ଓ ଜନଜାତିର, ଏହି ଦୁଇ ଆଦର୍ଶର ସନାତନ ଓ ନୂତନତାର, ସଂଘର୍ଷ ଓ ସହାବସ୍ଥାନର କାହାଣୀ ।

ଦାଦିବୁଢ଼ା ଉପନ୍ୟାସର କାହାଣୀ କାଳକୁ ବିଚାର କଲେ ଥରେ ଫଗୁଣର ଶେଷବେଳକୁ ଜନ୍ମ ନେଇଥିବା ଦାଦିବୁଢ଼ା, କେତେବର୍ଷ ପରେ ସେଇ ରାମ ନାଇକକୁ ଆଉ ଏକ ଗାଁକୁ ଚାଲିଯିବା ପାଇଁ ଆଦେଶ ଦେଇଛି ଗୁରୁମାଈ ମାଧ୍ୟମରେ । ଯେଉଁ ଦିଶାରୀ ଦାଦିବୁଢ଼ାକୁ ଗଢ଼ିଥିଲା ତାର ମୃତ୍ ୟୁଘଟିଛି । ବାଘ ଓ ରୋଗର ଦାଉରେ ଉଜୁଡି ଯାଇଛି ଗାଁ । ଏହାର କାରଣ ରୂପେ ନୂଆଁ ଦିଶାରୀ କହୁଛି, ଜାନିର ପୁଅ ପରଜା ଜାତି ଛାଡି ଡମ ଜାତିର ଝିଅ ସହ ଉଦୁଲିଆ ଯିବା । ପ୍ରକୃତି ସହ ଲଢ଼ିବାରେ ମଣିଷର ବିଫଳତା ତାକୁ ଭାଗ୍ୟ ବିଶ୍ୱାସୀ କରିଛି । ଆଉ ଏକ ଉପତ୍ୟକାରେ ନୂଆଁ ଦିଶାରୀ ଯାଇ ଚିହ୍ନଦେଇଛି ନୂଆଁ ଗାଁ । ଜଙ୍ଗଲ କଟା ହେବ, ନୂଆଁ ଗାଁ ବସିବ “ଆଉ କୁଦ ଉପରେ ଖଜୁରି ଗଛର ଦାଦିବୁଢ଼ା, ଯାହାକୁ ମଣିଷ ଗଢ଼ିଥିଲା, ଯାହାକୁ ମଣିଷ ଛାଡିଦେଇ ଚାଲିଗଲେ ତାର ପିଣ୍ଡ ବି ଏ ପରିତ୍ୟକ୍ତ ଧ୍ୱଂସ ଭିତରେ ଗୋଟାଏ ଶବ । ତାର ଅମର ଆତ୍ମା ଜନ୍ମ ହେବ ଯାଇ ଆଉ କେଉଁ ଗାଁରେ ।" (ପୃ-୯୯) କିନ୍ତୁ ଉପନ୍ୟାସର ଶେଷ ବାକ୍ୟଟି ସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ । “କୁଦ ଉପରେ ହୁଙ୍କାବୁଢ଼ା ଦାଦିବୁଢ଼ା ଉପରେ ମାଡିବସିଲା । ଦୁଇ ବୁଢ଼ା ହେଲେ ଏକ ଅଦ୍ୱୈତ ।" ସନାତନ ମାନବର ଧର୍ମ ବିଶ୍ୱାସ ଉପରେ ସଭ୍ୟତାର କୁହୁକ ଦ୍ୱାରା ଗଢ଼ାହୋଇଥିବା ହୁଙ୍କା ବୁଢ଼ା ମାଡି ବସିବା ଓ ଦୁହେଁ ଏକାକାର ହୋଇଯିବ ନୂଆଁ ଏକ ରୂପାନ୍ତରଣକୁ ସୂଚିତ କରେ । ପାହାଡର ଉପର ଉପତ୍ୟକାରୁ ବାଘର ଭୟରେ ତଳକୁ ଓହ୍ଲେଇଛି ଲୁଲ୍ଲା ଗାଁ, ସବୁଠୁ ଅଧିକ ଈପ୍ସିତ ଧାଙ୍ଗଡା ଠେଙ୍ଗାଜାନି, ନାୟକର ପୁଅ ହେବାସତ୍ତ୍ୱେ ଗାଁର ମୁରବୀପଣକୁ ପରିତ୍ୟାଗ କରି ଅନେକ ଧାଙ୍ଗଡି ମନର ସ୍ୱପ୍ନକୁ ଉଜାଡି ଦେଇ ସଂତୋଷ କୁମାରୀ ସହିତ ଚାଲିଆସିଛି ଆସାମର ଚା ବଗିଚା। ସ୍ଥାନ ଓ ପାତ୍ରର ଏହି ପରିବର୍ତ୍ତନ ପଛରେ ଥିବା କାଳ ବିଷୟରେ କିନ୍ତୁ ଔପନ୍ୟାସିକ ଅଧିକ ଗୁରୁତ୍ୱ ଦେଇ ନାହାନ୍ତି । ତାଙ୍କ ଔପନ୍ୟାସିକ ବର୍ଣ୍ଣନାରେ କେବଳ ସୂଚିତ କରିଛନ୍ତି ସମୟରେ ପରିବର୍ତ୍ତନର ପବନ ବୋହୁଛି । ରାମ ନାଇକର ସୃଷ୍ଟିର ଏହି ବିବର୍ତ୍ତନକୁ ତୁଳନା କରୁଛି କବିର କବିତା ସହ । କବି କି ଭାବେ ତାର କବିତାର ସାତ ପାଞ୍ଚ? ଚାଷୀ କି ଭାବେ ପାଚିର ଭବିଷ୍ୟତ? "ଏଇ ଫସଲର ଜଙ୍ଗଲ ଭିତରେକିଏ କେଉଁଠି ବସିପଡେ। ଏଇ ବିପୁଳ ସର୍ଜନକୁ ଦେଖୁଦେଖୁ ତାର ମନର ଟିକି ଓରମାନ, ସାନ ଦୁଃଖ ଗ୍ଲାନି କେଉଁଆଡେ ଉଭେଇ ଯାଏ ଫସର ଫାଟି ।" (ପୃ- ୮୫) ।

ଉପନ୍ୟାସ ରଚନାବେଳେ ଔପନ୍ୟାସିକ ଗୋପୀନାଥ ମହାନ୍ତି ଚରିତ୍ର ଘଟଣା, ବର୍ଣ୍ଣନା ଓ ଭାଷା ନିର୍ବାଚନରେ ଏତେ ସତର୍କ ଥିଲେ କି? ଏକଥା ବେଳେବେଳେ ପାଠକକୁ ଆଶ୍ଚର୍ଯ୍ୟ କରେ । ଔପନ୍ୟାସିକର ନିର୍ବାଚନ, ତାହା ଶବ୍ଦ ହେଉ, ବାକ୍ୟ ହେଉ, ସ୍ଥାନ ହେଉ, କାଳ, ଘଟଣା ଚରିତ୍ର କି ଘଟଣାର ବିନ୍ୟାସ ହେଉ ସମସ୍ତ ଭିନ୍ନ ଭିନ୍ନ ଅର୍ଥ ପ୍ରଦାନ କରନ୍ତି ଜଣେ ସଚେତନ ପାଠକ ନିକଟରେ । ଉପନ୍ୟାସର ସାମଗ୍ରିକ ଆବେଦନ ନିର୍ମାଣ କରନ୍ତି, ଏଇସବୁ ଉପାଦାନ ପାଠକ ହୃଦୟରେ । ଚିହ୍ନମାନଙ୍କରୁ ଅର୍ଥ ପାଠକ ହୃଦୟକୁ ସଂକ୍ରମିତ ହେଲାବେଳେ ଏକ ଶୃଙ୍ଖଳିତ ମୂର୍ଚ୍ଛନାରେ ପ୍ରଭାବ ବିସ୍ତାର କରନ୍ତି । ଏହା ଭାବର କୋଳାହଳ ନୁହେଁ, ସାଙ୍ଗିତିକ ଐକ୍ୟତାନ । ଯଦିଓ ଦ୍ୱନ୍ଦ୍ୱ ହେଉଛି ଉପନ୍ୟାସର ପ୍ରାଣ, ତେବେ କାହାଣୀର ଦ୍ୱନ୍ଦ୍ୱରେ ଥିବା ଚିରନ୍ତନତା ହିଁ ଉପନ୍ୟାସକୁ ସାର୍ବଜନୀନ ଓ ସାର୍ବକାଳିକ କରେ । ଏ ପ୍ରସଙ୍ଗରେ ଔପନ୍ୟାସିକ ଗୋପୀନାଥ କେତେ ସତର୍କ ତାଙ୍କ ସାକ୍ଷାତକାରର ଏକ ଉକ୍ତିର ସହଜରେ ବୁଝାପଡେ । “ଗଠନ ଶୈଳୀ କଥା ଉଠିଲେ ଆଗ କଥା ଉଠୁଛି ତାର ଉଦ୍ଦେଶ୍ୟ କଣ? ପ୍ରତ୍ୟେକ ଧାଡିରେ ଗଠନ ଶୈଳୀ ଅଛି । ତିନୋଟି ଶବ୍ଦ ପାଖେ ପାଖେ ବସିଲେ ଗୋଟିଏ ଗଠନ ଶୈଳୀ ହେଲା । ପ୍ରତି ପାରାଗ୍ରାଫର ପ୍ରତି ପରିଚ୍ଛେଦର, ସମୁଦାୟ ବହିର, ଏ ସମସ୍ତର justification ଅଛି । ଏହା କାହିଁକି ଏଇଠି ରହିଲା, ଏ ଶବ୍ଦଟି କାହିଁକି ବ୍ୟବହାର କରାଗଲା story ଟା ଏଭଳି କାହିଁକି ଗଲା, story ଭିତରେ ଅନ୍ୟ କଣ ଆସିଲା, ଏ ସବୁକୁ କେଉଁ ଉଦ୍ଦେଶ୍ୟ ନେଇ ଔପନ୍ୟାସିକ ଏପରି କଲା, ଏସବୁ କଥା ଉଠିବ” (ପୃ୨୪) । “ମୁଁ ଯେଉଁ ଷ୍ଟାଇଲ ଆରମ୍ଭ କଲି, ତାର ମୂଳ ହେଲା ପଢ଼ିବା, ପଢ଼ିଲେ ତାର ମ୍ୟୁଜିକ ଆସିବ । ସେ ଯେଉଁ passage ଟା ଆମେ ପଢିଲେ, ସେ ଗୋଟିଏ picture ଦେବ । ତାପରେ ସେ ସବୁର ଅର୍ଥ ଅଛି । ସେ ଅର୍ଥ ସଂପର୍କରେ ମଣିଷର ଅନୁଭୂତି ସବୁ ରହିଛି । ଏସବୁ ଯେତେବେଳେ ଏକା ହୋଇଯିବ, ପ୍ରତ୍ୟେକ ଈନ୍ଦ୍ରିୟବାଟେ ଜଣେ ପାଠକ ମୋର ଉପନ୍ୟାସକୁ ଉପଭୋଗ କରିବ । ପୁଣି ଶେଷରେ ମନ ଭିତରେ ତାର ଯେଉଁ ବିସ୍ତୃତ ମନ ଅଛି, ପୁଣି ତାର super sensory ଶକ୍ତି ଅଛି, ତାହା ମାଧ୍ୟମରେ ବି ସେ ଉପନ୍ୟାସରୁ ଗ୍ରହଣ କରିବ । ସେଇ ଚେଷ୍ଟା ମୁଁ କରିଛି" (ରଥ-ନାଏକ- ୧୯୮୮:୨୮)

ଆପାତତଃ ଗୋପୀନାଥ ମନେହୁଅନ୍ତି ଜଣେ ପ୍ରଗଳ୍ଭ କଥକ । କିନ୍ତୁ କାହାଣୀର ସମୟ, ସ୍ଥାନ ଓ ଚରିତ୍ର ସହ ସେ ଏତେ ନିବିଡ ଓ ଅନ୍ତରଙ୍ଗ ଯେ, ତାଙ୍କ ବର୍ଣ୍ଣନା ହୋଇପଡେ ପରିବେଶର ସାଂସ୍କୃତିକ ପରିମଣ୍ଡଳ ଦ୍ୱାରା ଆପ୍ଲୁତ । ଦାଦିବୁଢ଼ା ଉପନ୍ୟାସର ସମସ୍ତ ବର୍ଣ୍ଣନା ଯଦିଓ ଔପନ୍ୟାସିକ ନିଜେ ହିଁ କରୁଛନ୍ତି, ଦିଗ, ସମୟ, ଉପମା ଓ ସମାଜିକତା ବର୍ଣ୍ଣନା କଲାବେଳେ ପରଜା ଜନଜାତିର ପରିଚିତ ଶବ୍ଦମାନଙ୍କୁ ହିଁ ସେ ଆଶ୍ରା କରିଛନ୍ତି । ଏ ଶବ୍ଦମାନଙ୍କର ବ୍ୟବହାରରେ ରହିଛି ଏକ ସାଂସ୍କୃତିକ ସଂକେତ । ଯେମିତି ପୂର୍ବ ଦିଗ ନ କହି କହିଛନ୍ତି ବେଳ ଉଦିବା ବାଟ, ବାଇଶି ନ ଲେଖି ଲେଖିଛନ୍ତି କୋଡିଏ ଦୁଇ, ମେଘୁଆ ଋତୁ, ପାଗର ଦିନ, ବର୍ଷା କାଳ, ବେଳ ବୁଡା ସମୟ ଏମିତି ଅନେକ ଶବ୍ଦ ମାଧ୍ୟମରେ ଓ କୋରାପୁଟର ଭାଷିକ ପରିମଣ୍ଡଳରେ ବ୍ୟବହୃତ ଉପାଦାନକୁ ବ୍ୟବହାର କରି ବର୍ଣ୍ଣନାକୁ ଔପନ୍ୟାସିକ କରିଛନ୍ତି ବାସ୍ତବକଳ୍ପ ଓ ଜୀବନ୍ତ ।