ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୩୦)

ନୂଆ ପ୍ରଜନ୍ମର କଥାକାର ଲୋପାମୁଦ୍ରା ମିଶ୍ରଙ୍କ ଉପନ୍ୟାସ "ଚିତ୍ରଲିପି" ଧାରାବାହିକ ଭାବେ ପ୍ରକାଶ ପାଉଛି । ପ୍ରତିଦିନ ଏହି ଉପନ୍ୟାସର ଏକ ଏକ ଅଧ୍ୟାୟ ଆପଣମାନେ "ବାଟୋଇ"ରେ ପଢୁଛନ୍ତି ।


(ପୂର୍ବ ପ୍ରକାଶିତ ଉତ୍ତାରୁ)

ରାତି ଘନେଇ ଆସୁଥିଲା, ହଷ୍ଟେଲର ପ୍ରାୟ ସବୁ ରୁମର ଆଲୁଅ ଲିଭିଗଲାଣି କେବଳ ଷ୍ଟାଡିରୁମ୍ ର ଆଲୁଅରେ କେତେଜଣ ଝିଅ ବହି ସହ ଘନିଷ୍ଠତା ବଢା଼ଉଛନ୍ତି । କେହି କେହି ମୋବାଇଲ ଫୋନକୁ ଖୁବ ଯତ୍ନରେ କାନ ପାଖରେ ରଖି ହସି ହସି କଥା ହେଉଛନ୍ତି ତ କେହି କେହି ସିଡ଼ି ପାଖରେ କାନରେ ଇୟର୍ ଫୋନ୍ ଲଗେଇ ଚାଲି ଚାଲି ଗୁଣୁଗୁଣୁ ହେଇ ରହସ୍ୟମୟ କାହାଣୀମାନ ନିଜ ଅତି ଆପଣାର ମଣିଷ କାହାକୁ ଶୁଣାଉଛନ୍ତି । ଏହି ସମୟରେ ଷ୍ଟଡିରୁମ୍ ବାହାର କରିଡର ଆଡୁ ଖୁବ୍ ବଡ଼ ପାଟିରେ କାହାର ଏକ ଚିତ୍କାର ଶୁଭିଲା । ପାଠପଢ଼ାରେ ଡିଷ୍ଟର୍ବ୍ ହେବାରୁ ତିନିଜଣ ଝିଅ ବାହାରି ଆସି ଦେଖିଲେ ସୁକନ୍ୟା ଫୋନରେ କାହା ଉପରେ ଖୁବ୍ ଜୋରରେ ଚିଲ୍ଲାଉଛି । ଫାଇନାଲ୍ ଇୟର୍ ର ଜଣେ ଝିଅ ସୁକନ୍ୟାକୁ ଗାଳିକଲା । ସୁକନ୍ୟା ଫୋନଟା ଧରି ସିଡ଼ିରୁ ଓହ୍ଲେଇ ତଳକୁ ଚାଲିଗଲା ।

ସୁକନ୍ୟା ତଥାପି ଫୋନ୍ କାଟିନଥିଲା । ଏଥର ଅପେକ୍ଷାକୃତ ଟିକେ ଧୀର ସ୍ୱରରେ କହୁଥିଲା, "ତନ୍ମୟ ତୁମର ପରୀକ୍ଷା ସମୟରେ ମୁଁ ତୁମକୁ କେତେ କୋଅପରେଟ୍ ନକରିଛି ! ମୁଁ ଦିନେ ବି ତୁମକୁ ଫୋନ କରି ଅଯଥା ଟେନସନ ଦେଇନି, କିନ୍ତୁ ତୁମେ ମୋ ପରୀକ୍ଷା ସମୟରେ ମୋ ଉପରେ ଏତେ ବାଜେ ଅଭିଯୋଗ ଆଣି ମୋର ସମୟ ବର୍ବାଦ କରିବା ସହ ମୋ ମନକୁ ବି କଷ୍ଟ ଦେଉଛ ! କୋଉ ଗୋଟେ ବାଜେ ପିଲାର କଥାରେ ପଡ଼ି ତୁମର ମୋ ଉପରେ ସନ୍ଦେହ କରିବା ବିଲକୁଲ ଗ୍ରହଣୀୟ ନୁହେଁ । ଏସବୁ ମୋର ବରଦାସ୍ତର ବାହାରେ । ବହୁତ ହେଇଗଲା । ମୋର ପରୀକ୍ଷା ସରିବା ଯାଏଁ ମୁଁ ମୋ ଫୋନ ବନ୍ଦ୍ ରଖିବି ।"

ତନ୍ମୟ ସେପଟୁ ଏକ ତାତ୍ସଲ୍ୟ ହସ ହସି କହିଲା, "ପରୀକ୍ଷା ! ହା ହା ହା ପ୍ଲେନ୍ ଗ୍ରାଜୁଏସନ୍ ପରୀକ୍ଷା ପୁଣି ଗୋଟେ ପରୀକ୍ଷା ! କାହିଁକି ହସାଉଛ କହିଲ! ଗୋଟେ ଦୁଇଟା ସିଲେକ୍ଟଭ୍ ପ୍ରଶ୍ନ ପ୍ରିପେୟାର କରି ପରୀକ୍ଷାରେ ଲେଖିଦେଲେ ଗଲା । ବାକି ବର୍ଷସାରା ସବୁଦିନ ତ ତୁମମାନଙ୍କର ଯାଏ ଖାଲି ବୁଲାବୁଲିରେ । ହା ହା ପରୀକ୍ଷା ! ଯେମିତି କୋଉ ଆଇ. ଏ. ଏସ୍ ର ମେନ୍ ରିଟିନ୍ ଅଛି, ସେମିତି କହୁଛ ତୁମେ ତୁମ ପରୀକ୍ଷାକୁ । ହା ହା..."

ତନ୍ମୟର ହୋ ହୋ ହେଇ ହସିବା ଓ ସୁକନ୍ୟାର ପରୀକ୍ଷାକୁ ତାତ୍ସଲ୍ୟ କରିବା ସୁକନ୍ୟାକୁ ପସନ୍ଦ ଆସିଲାନାହିଁ । ସେ ଫୋନଟା କାଟିଦେଲା ତନ୍ମୟକୁ କିଛି ନକହି । ଫୋନ୍ ଟା ବନ୍ଦ କରିଦେଇ ସବା ଶେଷ ପାହାଚରେ ବସିପଡ଼ିଲା । ଆଖିରୁ ତା'ର ଟୋପା ଟୋପା ଲୁହ ଖସି ପଡୁଥିଲା । ସେ ଲୁହ ପୋଛି ଠିଆ ହେଲା । ଷ୍ଟଡିରୁମ୍ ରେ ତା' ବହିପତ୍ର ପଡ଼ିରହିଛି । ଇଚ୍ଛା ହେଉନଥିଲା ଆଉ ସେଠିକୁ ଯିବାକୁ । ତନ୍ମୟ ସହ ଝଗଡା ପରେ ପାଠରେ ତା'ର ଆଉ ମନ ଲାଗିବ ବୋଲି ସେ ବିଶ୍ୱାସ କରୁନଥିଲା । ତଥାପି ତାକୁ ପରୀକ୍ଷା ପାଇଁ ପଢ଼ିବାକୁ ହେବ । ସେ ତଳେ ବେସିନ ପାଖକୁ ଯାଇ ମୁହଁ ଧୋଇଲା ଓ ସିଡ଼ି ଚଢି ପୁଣି ଷ୍ଟଡିରୁମକୁ ଗଲା ।

ବହି ଖୋଲୁ ଖୋଲୁ ତା'ର ପୁଣି ତନ୍ମୟ କଥା ମନେପଡ଼ିଲା । ସେ ଭାବୁଥିଲା, "ଏଇ କିଛି ଦିନ ଭିତରେ ପିଲାଟା ଏତେ ବଦଳିଗଲା କେମିତି ? ଆଗରୁ ତ ସେ ବିଲକୁଲ ଏମିତି ନଥିଲା! ଆଗରୁ ମୋର ପରୀକ୍ଷା ଥିଲେ ସେ ନିଜେ ମୋତେ ପଢ଼ାପଢି କରିବାକୁ ଉତ୍ସାହିତ କରୁଥିଲା କିନ୍ତୁ ଏବେ ଏମିତି କାହଁକି ବ୍ୟବହାର କରୁଛି ?" । ସୁକନ୍ୟାକୁ ଅନ୍ୟମନସ୍କ ଦେଖି ତା' ପାଖ ରୁମ୍ ର ବଟାନି ଅନର୍ସର ଝିଅ ଅର୍ପିତା ତାକୁ ହଲେଇଦେଲା । ସୁକନ୍ୟା ପ୍ରକୃତିସ୍ଥ ହୋଇ ବହି ଉପରେ ଧ୍ୟାନ ଦେବାକୁ ଚେଷ୍ଟା କଲା । କିନ୍ତୁ କିଛି ସମୟ ବାଦରେ ତାକୁ ପୁଣି ଇଚ୍ଛା ହେଲା ମୋବାଇଲ ଅନ୍ କରି ମେସେଜ୍ ଚେକ୍ କରିବାକୁ । ସେ ନିଜର ସେହି ଇଚ୍ଛାଟିକୁ ନିୟନ୍ତ୍ରଣ କଲା କିନ୍ତୁ ଆଉ ପଢ଼ିବାରେ ମନ ଦେଇପାରିଲାନି । ବହି ଧରି ଉଠିଆସିଲା । ରୁମ୍ ରେ ସମସ୍ତେ ଶୋଇ ସାରିଥିଲେ । ସିମ୍ଫୋନି ଫୋନରେ ବ୍ୟସ୍ତ ଥିଲା । ସୁକନ୍ୟା ତା'ଆଡେ ଆଜି ଦେଖିଲା ନାହିଁ । ବହି ଥାକରେ ରଖି ବେଡ୍ ଉପରକୁ ଯାଇ ପେଟେଇ ପଡ଼ି ଶୋଇବାକୁ ଚେଷ୍ଟା କଲା ।

ପରୀକ୍ଷା ଯେମିତି ଆରମ୍ଭ ହେଲା ସୁକନ୍ୟାର ଖିଆ, ପିଆ, ଶୋଇବା ସବୁ ଏପଟ ସେପଟ ହେବାକୁ ଲାଗିଲା । ସେ ତା' ଫୋନଟାକୁ ବନ୍ଦକରି କପବୋର୍ଡ ଭିତରେ ଲୁଚେଇ ଦେଲା । ତଥାପି ବେଳେବେଳେ ଇଚ୍ଛା ହେଉଥିଲା ମୋବାଇଲ ଆଣି ଚେକ୍ କରିବାକୁ । ସେ ମୋବାଇଲ ଆଣି ଅନ୍ କରୁଥିଲା, ତନ୍ମୟର ଗୋଟାଏ ବି ମେସେଜ ଦେଖୁନଥିଲା । ଘରକୁ ଫୋନ କରି ମମିଙ୍କ ସହ ଦୁଇମିନିଟ କଥା ହୋଇ ଫୋନ ବନ୍ଦ କରି ପୁଣି ରଖିଦେଉଥିଲା ।

ସୁକନ୍ୟା ପରୀକ୍ଷା ପାଇଁ ଯେତିକି ଚାପଗ୍ରସ୍ତ ଥିଲା ସିମ୍ଫୋନି ସେତିକି ବେଫିକର । ସେ ଖୁବ୍ ମନ ଲଗାଇ ଅଳ୍ପ ସମୟ ପଢୁଥିଲା, ଅମ୍ବିକେଶ ସହ ପୂର୍ବଭଳି ଗପୁଥିଲା ଓ ହସ ହସ ମୁହଁରେ ପରୀକ୍ଷା ଦେବାକୁ ଯାଉଥିଲା ଓ ଖୁସି ଖୁସି ଏକ୍ଜାମିନେସନ୍ ହଲ୍ ରୁ ବାହାରୁଥିଲା ମଧ୍ୟ । ତା'ର ଏତେ ବିନ୍ଦାସପଣିଆ ସୁକନ୍ୟାକୁ ଆଉ ଭଲ ଲାଗୁନଥିଲା । ସୁକନ୍ୟାର ଇର୍ଷା ହେଉଥିଲା ତାକୁ ଦେଖି । ସେ ସିମ୍ଫୋନି ସହ ସେକେଣ୍ଡ୍ ଇୟରରେ ରୁମ୍ ସେୟାର କଦାପି କରିବ ନାହିଁ ବୋଲି ମନେ ମନେ ସ୍ଥିର କଲା ।

ପରୀକ୍ଷା ସରିଲା । ସିମ୍ଫୋନି ସହ ସୁକନ୍ୟା ମାର୍କେଟ ଯାଇଥିଲା କିଛି କିଣାକିଣି କରିବାକୁ । ଗୋଟେ ଗହଣା ଦୋକାନକୁ ପାର କରି ଯାଉ ଯାଉ ସେ ଦୋକାନ ସାମ୍ନାରେ ଲାଗିଥିବା ଏକ ପୋଷ୍ଟର ପାଖରେ ଟିକେ ଅଟକିଗଲା । ପୋଷ୍ଟରରେ ଥିବା ମଡେଲକୁ ଭଲକରି ଦେଖିଲା । "ଆରେ ହଁ, ଇଏ ତ ଗୀତାଞ୍ଜଳି, ମାନେ ଗିତୁଦିଦିଙ୍କ ଫୋଟୋ!", ସୁକନ୍ୟା ମନେ ମନେ ନିଜକୁ କହିଲା । ସିମ୍ଫୋନି ପଚାରିଲା,"ଆରେ କ'ଣ ଦେଖୁଛୁ ?" । ସୁକନ୍ୟା ତାକୁ କହିଲା, "ଏଇ ଗହଣା ପିନ୍ଧା ଝିଅର ଫୋଟୋକୁ । ଜାଣିଛୁ ଇଏ ମୋ ଘର ପାଖର ଗୋଟେ କୋଚିଂ ସେଣ୍ଟରରେ ରିସେପ୍ସନିଷ୍ଟ ଥିଲେ । ଆମ ପଡିଶାଘର ଜଣେ ଅଙ୍କଲଙ୍କ ସହ ଆଫେୟାର୍ ବି ରଖିଥିଲେ । ୟାଙ୍କ ପାଇଁ ସେ ଅଙ୍କଲଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଦେଲା ପରେ ଇଏ ଇଆଡ଼େ ଆସି ମଡେଲ୍ ହେଇଗଲେଣି । ନିହାତି ବାଜେ ଝିଅଟା !"

ସିମ୍ଫୋନି ବି ଗୀତୁର ଫୋଟୋକୁ ଦେଖୁ ଦେଖୁ କହିପକେଇଲା, "ଆରେ ଝିଅଟା ତ' ସତରେ ଭାରି ସୁନ୍ଦରୀ ! କିନ୍ତୁ ଇଏ କେମିତି ବାଜେ ଝିଅ ହେଇଗଲା ? ଯଦି ଇଏ ତୁମ ପଡିଶାଘର କୋଉ ପୁରୁଷର ପ୍ରେମରେ ପଡିଥିଲା ତେବେ ଦୋଷଟା କେବଳ କଣ ଏ ଝିଅର, ସେ ମ୍ୟାରେଡ୍ ଲୋକର ଦୋଷ ନୁହେଁ ? ବାଜେ ହେଲା ସେହି ମ୍ୟାରେଡ୍ ଲୋକ । ସେ ନିଜ ସ୍ତ୍ରୀ ସହ ଅନ୍ୟାୟ କରୁଥିଲା । ତାଙ୍କ ସ୍ତ୍ରୀ ଆତ୍ମହତ୍ୟା ନକରି ସେ ଲୋକକୁ ଡିଭୋର୍ସ୍ ଦେଇଥିଲେ ସେଇଟା ସିନା ବେଷ୍ଟ୍ ଷ୍ଟେପ୍ ହେଇଥାନ୍ତା । ହଉ ଛାଡ୍ ତାଙ୍କ କଥା, ଏଠି ଏତେ ସମୟ ଠିଆ ହେଲେ ଆମକୁ କିଏ କ'ଣ ଭାବିବ, ଚାଲ୍ ଯିବା" ।

ମାର୍କେଟରୁ ଫେରି ସୁକନ୍ୟା ପ୍ରତିମା ଆଣ୍ଟି ଓ ବିକି କଥା ବହୁତ ମନେପକେଇଲା । ଶେଷଥର ସେ ଦେଖିଥିଲା ବିକି ତା' ମାଆକୁ ଧରି କାନ୍ଦୁଥିଲା । ସେ ଦୃଶ୍ୟ ସୁକନ୍ୟାର ଆଖି ସାମ୍ନାରେ ନାଚି ଉଠିଲା । ତା' ଆଖି ତାକୁ ଓଦା ଓଦା ଲାଗିଲା । ସେ ଆଖି ତଳେ ଥରେ ଆଙ୍ଗୁଠି ବୁଲେଇଆଣିଲା । ଅନେକ ଦିନ ପରେ ରଙ୍ଗତୂଳୀ ଧରିଲା । ନିଜେ ଦେଖିଥିବା ସେହି ଶେଷଦୃଶ୍ୟର ଦୁଃଖିନୀ ମାଆ ଓ ଗେହ୍ଲା ପୁଅକୁ ନିଜ ଆଖି ସାମ୍ନାକୁ ଆଉଥରେ ଆଣି ଚିତ୍ରଟିଏ ଆଙ୍କିଲା । ସକାଳୁ ତା' ରୁମ୍ ରେ ସେ ଚିତ୍ରକୁ ଦେଖି ସମସ୍ତେ ଆଚମ୍ବିତ ହେଲେ । "ସୁକନ୍ୟା ତୁ ଏତେ ଜୀବନ୍ତ ଚିତ୍ର ଆଙ୍କିପାରୁ ? ୱାଓ! ଚମତ୍କାର ! ତୋର ଏ ଚିତ୍ର ତ କୋଉ ଏକ୍ଜିବିସନ୍ କୁ ଯିବା କଥା", ସିମ୍ଫୋନି କହିଲା । ସୁକନ୍ୟା ଟିକେ ହସିଦେଲା ଓ କହିଲା, "ଥାଉ ଥାଉ ପ୍ରଶଂସା ବେଶି ହେଇଯାଉଛି" ।

ସୁକନ୍ୟା ଚାହୁଁନଥିଲା ସିମ୍ଫୋନି ସହ ରହିବାକୁ । କିନ୍ତୁ ସେ କାହା ସହ ରହିବ ସ୍ଥିର କରିପାରିଲା ନାହିଁ । ଏ ଭିତରେ ସିମ୍ଫୋନି ସେକେଣ୍ଡ ଇୟରରେ ସୁକନ୍ୟା ଓ ଆଉ ତିନିଜଣ ଝିଅଙ୍କ ସହ ରହିବାକୁ ସ୍ଥିର କରି ମେଟ୍ରୋନଙ୍କୁ ଜଣେଇ ଦେଇଥିଲା । ନୂଆ ରୁମ୍ ଫାଙ୍କା ହେଇଗଲା । ସୁକନ୍ୟା ଆଉ କାହାକୁ କିଛି ନକହି ସିମ୍ଫୋନି ଓ ତାର ଚାରିଜଣ ସାଙ୍ଗଙ୍କ ସହ ମିଶି ନିଜ ଲଗେଜ୍ ଓ ବେଡିଂ ନେଇ ରୁମ୍ ନମ୍ବର ବାଇଶରେ ରଖିଦେଲା ।

ଏବେ ଛୁଟିରେ ଘରକୁ ଫେରିବାର ସମୟ । ସୁକନ୍ୟାର ବହୁତ ଇଚ୍ଛା ହେଉଥିଲା ତନ୍ମୟ ସହ ଦେଖା କରିବାକୁ । ସେ ତନ୍ମୟକୁ ଫୋନ୍ ଲଗେଇଲା । ତନ୍ମୟ ରିସିଭ୍ ନକରି କାଟିଦେଲା । ଦୁଇଥର କାଟିବା ପରେ ତୃତୀୟଥର ସେ ଫୋନ୍ ରିସିଭ୍ କଲା ଓ ଚଢ଼ାଗଳାରେ କହିଲା, "କ'ଣ ଦରକାର ? ଫୋନଟା କାଟୁଛି କ'ଣ ବୁଝିପାରୁନ ମୋର କଥା ହେବାକୁ ଇଚ୍ଛା ନାହିଁ ? ଫୋନ୍ ରଖ । ଆଉ ମୋତେ କଲ୍ କରି ବିରକ୍ତ କରିବନି" ।

ସୁକନ୍ୟାକୁ କାନ୍ଦ ଲାଗିଲା । ସେ ଭୋ ଭୋ ହୋଇ କାନ୍ଦିପକେଇଲା । ରୁମ୍ ରେ କେହିନଥିଲେ । ସମସ୍ତେ ଟିଭି ଦେଖିବାକୁ ଯାଇଥିଲେ । ସୁକନ୍ୟା ସମସ୍ତଙ୍କ ଅନୁପସ୍ଥିତିରେ ମନଭରି କାନ୍ଦିଲା । ତା'ପରେ ମୁହଁ ଧୋଇ ବାହାରିଲା ଲାଇବ୍ରେରୀରୁ ଆଣିଥିବା ବହି ଫେରେଇବାକୁ ଯିବା ପାଇଁ ।

ଲାଇବ୍ରେରୀରୁ ଫେରିଲା ବେଳେ ତା'ର ପୁଣି ଦେଖା ହେଲା ରୂପେଶ । ତା' ହାତରେ ଆଜି ବି ମୋଟା ମୋଟା ବହି ଦୁଇଟା ଥିଲା । ସୁକନ୍ୟାକୁ ଦେଖି ରୂପେଶ କହିଲା, "ମୁଁ ଦେଖୁଛି ବହୁତ ପଢ଼ାପଢି ଚାଲିଛି, ପରୀକ୍ଷା ପରେ ବି !"

ସୁକନ୍ୟା ହସି ହସି କହିଲା, "ମୁଁ ଆପଣଙ୍କୁ ଏକ୍ଜାକଟଲି ଏଇ କଥା କହିଥାନ୍ତି "।

ରୂପେଶ କହିଲା, "ମୋର ଏସବୁ ବହି ପଢ଼ାପଢି ସହ କଲେଜର ପରୀକ୍ଷା ସହ କୌଣସି ସମ୍ପର୍କ ନାହିଁ କହିଲେ ଚଳେ ।"

କହିସାରି ରୂପେଶ ପୁଣି ହସିଲା । ସୁକନ୍ୟା ରୂପେଶର ମୁହଁକୁ ଆଜି ସିଧା ଦେଖିଲା ଓ ସ୍ମିତ ହସଟେ ଓଠରେ ଖେଳେଇଦେଇ କହିଲା, "ମୋମୋ ଖାଇବାକୁ ଯିବେ ?"

ରୂପେଶ କହିଲା, "ହଁ ନିଶ୍ଚୟ, ତୁମେ ଯଦି ଖୁଆଇବ ମୁଁ ନିଶ୍ଚୟ ଖାଇବି " ।

ସୁକନ୍ୟା ମନେ ମନେ ହସିଲା ଓ ଭାବିଲା, "କେମିତି ପୁଅଟେ ଇଏ, ଝିଅକୁ କହୁଛି ଟଙ୍କା ଖର୍ଚ୍ଚ କରିବାକୁ ! କଞ୍ଜୁସଟା ହେଇଥିବ" ।

ସୁକନ୍ୟା ଓ ରୂପେଶ କଲେଜ ଛକ ଆଡ଼େ ଗଲେ । ମୋମୋ ଷ୍ଟଲ୍ ସାମ୍ନାରେ ସୁକନ୍ୟାକୁ ରୂପେଶ ସହ ଦେଖି ଅମ୍ବିକେଶ୍ ଗୋଟେ ରହସ୍ୟମୟ ହସ ହସି କଲେଜ ଗେଟ୍ ଭିତରକୁ ଚାଲିଗଲା ।

ମୋମୋ ଖାଉ ଖାଉ ସୁକନ୍ୟା ରୂପେଶକୁ ପଚାରିଲା, "ତୁମର ଏ ଯେଉଁ ବାଉଁଆ ପାର୍ଟି ସବୁବେଳେ କିଛି ନା କିଛି କାରଣକୁ ନେଇ ପ୍ରୋଟେଷ୍ଟ୍ କରୁଛନ୍ତି, ସେମାନଙ୍କର ଅସଲ ଉଦ୍ଦେଶ୍ୟ କ'ଣ ?"

ରୂପେଶ ହସି ହସି କହିଲା, "ସମତା ସେମାନଙ୍କର ଉଦ୍ଦେଶ୍ୟ " ।

ସୁକନ୍ୟା କିଛି ସମୟ ଚୁପ୍ ରହି ଖାଇଲା ପରେ କହିଲା, "ସମତା ମାନେ ଇକ୍ୱାଲିଟିର କଥା କହୁଛନ୍ତି ତ?"

ରୂପେଶ ମୁଣ୍ଡ ହଲେଇ କହିଲା, "ନା ନା ଇକ୍ୱାଲିଟି ନୁହେଁ ସେମାନେ ଇକ୍ଵିଟିର କଥା କହୁଛନ୍ତି ।"

ସୁକନ୍ୟା ମୋମୋ ବାଲାକୁ ଟଙ୍କା ପେ କରିସାରି ରୂପେଶର ମୁହଁକୁ ଅବୁଝା ଆଖିରେ ଦେଖିଲା । ରୂପେଶ କହିଲା, "କ'ଣ ହେଲା ? ବୁଝିନପାରିଲା ଭଳି ଦେଖୁଛ ?"

ସୁକନ୍ୟା କହିଲା, "ସେମାନେ ଇକ୍ୱାଲିଟିକୁ ଇମ୍ପୋଟାଣ୍ଟ୍ ଭାବୁନାହାଁନ୍ତି କେମିତି ? ସମାନତାର କଥା ଆମ ସମ୍ବିଧାନ ବି କହୁଛି" ।

ରୂପେଶ ନିଜ ବହିଦୁଇଟାକୁ ବାଁ ହାତରେ ଧରି ଛାତିପାଖରେ ଜାକିଦେଲା ଓ କହିଲା, "ହଁ, ସମାନତା ନୁହେଁ ସେମାନେ ସମତାର କଥା କୁହନ୍ତି । ସମାନତାର ମାନେ କ'ଣ ? ଗୋଟାଏ ଜିନିଷକୁ ସମସ୍ତଙ୍କୁ ସମାନ ଭାଗରେ ବାଣ୍ଟିଦେବା । ଏୟା କି ନୁହେଁ ? ତୁମେ ତୁମ ପରିବାର କଥା ଚିନ୍ତାକର, ତୁମ ପରିବାରରେ ତୁମର ବାପା, ମାଆ, ଭାଇ, ଭଉଣୀ ଏମିତିକି ଜେଜେ, ଜେଜେମାଆ ବି ଥାଇ ପାରନ୍ତି । ତୁମ ପରିବାରର ସବୁ ସଦସ୍ୟଙ୍କର ସମାନ ପ୍ରକାରର ଆବଶ୍ୟକତା ଥାଏ କି ? ସମସ୍ତେ ସମାନ ପ୍ରକାର କାର୍ଯ୍ୟ କରିପାରନ୍ତି କି ? ନୁହେଁ ନା । କିନ୍ତୁ ସମସ୍ତେ ନିଜ ନିଜ ସାମର୍ଥ୍ୟ ଅନୁସାରେ କାମ କରନ୍ତି ଓ ଆବଶ୍ୟକତା ଅନୁଯାୟୀ ଜିନିଷ ପାଆନ୍ତି, ସମସ୍ତଙ୍କୁ ସମାନ ଜିନିଷ ମିଳେ ନାହିଁ କିମ୍ବା ସମସ୍ତଙ୍କୁ ଏକାଭଳି କାର୍ଯ୍ୟ କରିବାକୁ ବାଧ୍ୟ କରାଯାଏ ନାହିଁ । ଘରେ ଛୋଟ ଛୁଆଟେ ଅଛି, ସେ କ୍ଷୀର ଖାଇବ, କିନ୍ତୁ ସେ କିଛି କାମ କରିପାରିବନାହିଁ, ତାକୁ କ୍ଷୀର ମିଳେ କି ନାହିଁ ? ମିଳେ । ବୁଢ଼ା ଜେଜେ ଅଛନ୍ତି, ସେ ରୋଜଗାରକ୍ଷମ ନୁହଁନ୍ତି, କିନ୍ତୁ ତାଙ୍କର ସର୍ଜରୀ ହେବ ଏବଂ ହୁଏ ମଧ୍ୟ । ଏଇସବୁ ତ' ସମତା । ଯଦି ସମସ୍ତଙ୍କୁ ସମତା ବଦଳରେ ସମାନତା ଦିଆ ଯାଉଥାନ୍ତା ତେବେ ଭାବିଲ ଦେଖି ପରିବାରରେ କେତେ ଅସୁବିଧା ହେଉଥାନ୍ତା । ଆମ ପରିବାର ଭଳି ଆମ ସମାଜ । ଏଠି ବି ସମାନତା ନୁହେଁ ସମତାର ଅବଶ୍ୟକତା ଅଛି । ଏଠି ବି ଲୋକମାନେ ନିଜ ସାମର୍ଥ୍ୟ ଅନୁସାରେ ପରିଶ୍ରମ କରିବେ ଓ ଆବଶ୍ୟକତା ଅନୁସାରେ ଜିନିଷ ପାଇବେ । ଏମିତି ଠିକ ହେବ ନା ? ନା କ'ଣ କହୁଛ ?"

ସୁକନ୍ୟା ଚାଲୁ ଚାଲୁ ରହିଗଲା ଓ କହିଲା, "ଏଇ ସବୁ ପଢୁଛନ୍ତି ଆପଣ ସେ ବହିରୁ ? ହଁ ଠିକ ତ କହୁଛନ୍ତି ଆପଣ । ବହୁତ ଭଲ ଲାଗିଲା ଆପଣଙ୍କ ସହ କଥା ହେଇ । ମୁଁ ତ କାଲି ଘରକୁ ଯାଉଛି, ଛୁଟିରୁ ଫେରିଲେ ନିଶ୍ଚୟ ଭେଟ ହେବା" ।

ସୁକନ୍ୟା ଆଡ଼କୁ ଦେଖି ରୂପେଶ କହିଲା, "ହଁ ହିଁ ନିଶ୍ଚୟ । ଆମ ସେକ୍ରେଟାରୀ ମେସେଜ୍ ଦେଲେଣି ମୋତେ ଏବେ ଏଇଠୁ ଗୋଟେ ମିଟିଂ ପାଇଁ ଯିବାକୁ ହେବ, ତୁମ ସହ ତୁମ ହଷ୍ଟେଲ ପର୍ଯ୍ୟନ୍ତ ଯାଇପାରୁନାହିଁ । ସରି" ।

ସୁକନ୍ୟା କହିଲା, "କିଛି ଅସୁବିଧା ନାହିଁ । ମୁଁ ଚାଲିଯିବି" ।

ସୁକନ୍ୟା ଚାଲିଯାଉଥିଲା ରୂପେଶ ତାକୁ ପଛରୁ ଡାକି କହିଲା, "ସୁକନ୍ୟା ଯଦି କିଛି ଖରାପ ନଭାବିବ ତ' ତୁମ ଫୋନ ନମ୍ବର୍ ମୁଁ ରଖିପାରିବି କି ? ଯଦି କେବେ ସ୍ଟୁଡେଣ୍ଟଙ୍କ ରାଇଟ୍ସ୍ କୁ ନେଇ ଆମେ କୋଉଠି ପ୍ରୋଟେଷ୍ଟ କରିବୁ ତ' ତୁମକୁ ଫୋନ କିମ୍ବା ମେସେଜ କରି ଡାକିଲେ ଆସିପାରିବ?"

ସୁକନ୍ୟା ହସି ହସି କହିଲା, "ୟେସ୍, ଅଫକୋର୍ସ୍ ଆସିବି । ମୋ ନମ୍ବର୍ ରଖିଥାନ୍ତୁ । ଆପଣ ଗୋଟେ ମିସକଲ୍ ଦେଇ ଦିଅନ୍ତୁ ମୁଁ ଆପଣଙ୍କ ନମ୍ବର୍ ସେଭ୍ କରିଦେବି ।"

ସୁକନ୍ୟା ହଷ୍ଟେଲକୁ ଫେରିଆସିଲା । ଅନେକ ସମୟ ବିଛଣାରେ ଗଡି ଗଡି ରୂପେଶ କଥା ଭାବିଲା । ରୂପେଶର ଭବିଷ୍ୟତ ତାକୁ ଧୂଆଁଳିଆ ଦିଶୁଥିଲା କିନ୍ତୁ ସେହି ଧୂଆଁର ଆସ୍ତରଣ ଭିତରେ ଥାଇ ରୂପେଶର ହସ ହସ ମୁହଁ ଉଜ୍ଜ୍ୱଳ ଦୀପଶିଖା ଭଳି ଝଟିକି ଉଠୁଥିଲା ।

ସୁକନ୍ୟା ଘରକୁ ଯିବାକୁ ଜିନିଷ ପ୍ୟାକ୍ କରୁଥିଲା । ସିମ୍ଫୋନି ଆସି ତାକୁ ସାହାଯ୍ୟ କରୁ କରୁ କହିଲା, "ସେ ପିଲା ସହ ବେଶି ମିଶେନା । ଭଲ ନୁହଁନ୍ତି ସେମାନେ । ଅମ୍ବିକେଶ ସେମାନଙ୍କୁ ଭଲକରି ଜାଣନ୍ତି । ସେମାନଙ୍କର ଚରିତ୍ର ବି ଭଲ ନୁହେଁ ।"

ସୁକନ୍ୟା କିଛି କହିଲାନି, କେବଳ "ହୁଁ" କହି ନିଜ କାମରେ ଲାଗିପଡ଼ିଲା । ସିମ୍ଫୋନି ସୁକନ୍ୟା ଠାରୁ ଆଶାନୁରୂପ ପ୍ରତିଉତ୍ତର ନପାଇ ପୁଣି କହିଲା, "ତନ୍ମୟଙ୍କ ସହ ତୁ କଥା ହେଉନୁ କାହଁକି ?"

ସୁକନ୍ୟା ଏଥର ମୁହଁ ଉଠେଇ କହିଲା, "କ'ଣ ତୁ କହୁଛୁ, ମୁଁ ତା' ଗୋଡ଼ ଧରିବାକୁ ଯିବି ନା କ'ଣ !"

ସିମ୍ଫୋନି ଆଶ୍ଚର୍ଯ୍ୟ ହେଇ କହିଲା, "କ'ଣ କିଛି ହେଇଛି କି ତୁମ ଭିତରେ ?"

ସୁକନ୍ୟା ବ୍ୟାଗ୍ ଟାକୁ ବନ୍ଦ୍ କରିଦେଇ ବେଡ୍ ଉପରେ ବସିଗଲା ଓ କହିଲା, "ଛାଡ୍ କ'ଣ ମିଳିବ ସେ କଥାରୁ । ତନ୍ମୟ ବୋଲି ଗୋଟେ ପିଲା ମୋ ଜୀବନରେ କେବେ ଆସିଥିଲା ମୁଁ ଭୁଲିଯିବାକୁ ଚାହେଁ । ମୁଁ ସେ ନାଁଟା ଆଉ ଶୁଣିବାକୁ ଚାହୁଁନି । ପ୍ଲିଜ୍ ତୁ ଖରାପ ଭାବିବୁନି, ତା ନାଁ ଆଉ ମୋ ଆଗରେ କହିବୁନି" ।

ସିମ୍ଫୋନି ଆଶ୍ଚର୍ଯ୍ୟ ହେଇ କହିଲା, "କ'ଣ ସେ ଭିକାରୀ ରୂପେଶ ପାଇଁ ତୁ ତନ୍ମୟକୁ ଭୁଲିଯିବାକୁ ଚାହୁଁ ?"

ସୁକନ୍ୟାକୁ ଖୁବ ଚିଡ଼ିଲାଗିଲା ସିମ୍ଫୋନିର କଥା । ସେ କିନ୍ତୁ ନିଜ କ୍ରୋଧକୁ ନିଜ ଆୟତରେ ରଖିବାକୁ ଚେଷ୍ଟା କରି ବେଡ୍ ଉପରେ ମୁହଁ ମାଡ଼ି ଚୁପଚାପ ଶୋଇରହିଲା ।

ଘରକୁ ଯିବା ପୂର୍ବରୁ ସୁକନ୍ୟା ତା' ବାପାଙ୍କୁ ଫୋନ୍ ଲଗେଇଲା । ସୁବ୍ରତ ଅଫିସ୍ କାମରେ ମୁମ୍ବାଇ ଯାଇଥିଲେ । କହିଲେ, "ମାଆରେ ତୁ ଘରକୁ ଯାଆ । ମୁଁ ତୋତେ ପରେ ଫୋନ୍ କରିବି । ଆରାମରେ ଯିବୁ । ମୁଁ ବି ମୁମ୍ବାଇରୁ ଫେରିଲେ ତୁମମାନଙ୍କୁ ଦେଖା କରିବାକୁ ଘରକୁ ନିଶ୍ଚୟ ଯିବି" ।

ସୁକନ୍ୟାକୁ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଛାଡିବାକୁ ଆସିଥିଲେ ତାର ରୁମମେଟ୍ସ୍ । ସୁକନ୍ୟା ବସରେ ବସିଲା ପରେ ଝର୍କା ପାଖରେ ଠିଆ ହୋଇ ସିମ୍ଫୋନି ସୁକନ୍ୟାକୁ କହିଥିଲା, "ତନ୍ମୟ ଉପରେ ରାଗ ରଖି କେତେ ଦିନ ଭିତରେ ଭିତରେ କାନ୍ଦୁଥିବୁ ? ଘରକୁ ଗଲେ ତା' ସହ ଶାନ୍ତିରେ କଥା ହେଇଯିବୁ" । ସୁକନ୍ୟା ହସି ହସି "ହଉ" କହିଲା ବେଳକୁ ବସ୍ ଛାଡ଼ିଦେଲା ।

ସ୍ନେହା ଏବେ ସୁକନ୍ୟାର ସ୍କୁଟିକୁ ସଜାଡି ନେଇ ନିଜେ ଚଲାଉଥିଲେ ଓ ଅଫିସ୍ ଯାଉଥିଲେ । ସେଦିନ ସୁକନ୍ୟା ବସରୁ ଓହ୍ଲେଇ ଦେଖିଲା ସ୍ନେହା ତାକୁ ବସ୍ ଷ୍ଟପ୍ ପାଖରେ ଅପେକ୍ଷା କରିଛନ୍ତି । ସ୍ନେହା ସୁକନ୍ୟାକୁ ନେଇ ଘରକୁ ଆସୁଥିଲା ବେଳେ ରାସ୍ତାରେ ସେ ବୁନିକୁ ଭେଟିଲା । ସୁକନ୍ୟା ବୁନିକୁ ଦେଖି ସାମାନ୍ୟ ହସିଲା କିନ୍ତୁ ବୁନିର ମୁହଁ କାନ୍ଦୁରା ଦିଶୁଥିଲା । ସ୍ନେହା କହୁଥିଲେ, "ଝିଅଟା ପାଠ ପଢୁଛି, ଭଲ ଗୀତ ବି ଗାଉଛି । ତା'ର ଭବିଷ୍ୟତ ଭଲ ଅଛି କିନ୍ତୁ ଏ ବାପା, ମାଆମାନଙ୍କୁ କଣ ହେଇଛି କେଜାଣି ଏଡିକି ଛୋଟ ଛୋଟ ଝିଅଙ୍କୁ ବାହା କରେଇଦେବା ପାଇଁ ଏତେ ତତ୍ପର ହେଉଛନ୍ତି ?"

ସୁକନ୍ୟା ପଚାରିଲା, "କାହା କଥା କହୁଛ ମମି ?"

ସ୍ନେହା କହିଲେ, "ଏଇ ବୁନିକୁ ଦେଖିବାକୁ ପରା ପୁଅଘର ଲୋକ ଆସୁଛନ୍ତି । ବିଚାରୀ ଝିଅଟା ବହୁତ ମନ ଦୁଃଖ କରୁଛି । ପଢିବାକୁ ତା'ର ବହୁତ ଇଚ୍ଛା ଅଛି । କାଲି ମୁଁ ତୁମର ସେହି କଲେଜ ଛକ ପାଖର ବିୟୁଟି ପାର୍ଲରକୁ ଯାଇଥିଲି, ସେଇଠି ବି ସେ କାନ୍ଦୁଥିଲା ତାର ଗୋଟେ ସାଙ୍ଗକୁ ଏଇ ବିଷୟରେ କହି । ତତେ ସେ ଆଉ ଫୋନ ଫାନ୍ କରୁନି କି ରେ?" ।

ସୁକନ୍ୟା କହିଲା, "ନା ମୋତେ ଆଉ ଏତେଟା ସେ ଫୋନ୍ କରନ୍ତିନି । ମୁଁ ତାଙ୍କ ବିଷୟରେ କିଛି ଜାଣେନି" ।

କଥାବାର୍ତ୍ତା ହେଇ ଆସୁ ଆସୁ ସୁକନ୍ୟା ଓ ସ୍ନେହା ଖୁବ କମ ସମୟ ଭିତରେ ଘରେ ପହଞ୍ଚିଗଲେ । ସୁକନ୍ୟା ଗୋଡ଼ ହାତ ଧୁଆ ଧୋଇ ହୋଇ ଡ୍ରଇଂ ରୁମ୍ ରେ ବସିଥିଲା ମାଧବୀ ତା' ପାଇଁ ସର୍ବତ ଆଣିଦେଲେ ଓ ହାତକୁ ଗୋଟାଏ କାର୍ଡ ବଢ଼େଇ ଦେଲେ । ସୁକନ୍ୟା ପାଖକୁ ବାହାଘର କାର୍ଡ ଆସିବା ସୁକନ୍ୟା ପାଇଁ ସତରେ ଆଶ୍ଚର୍ଯ୍ୟର କଥା ଥିଲା । ସେ କାର୍ଡଟା ଖୋଲିବା ପୂର୍ବରୁ ଉପରେ ଲେଖା ହେଇଥିବା କନ୍ୟା ପାତ୍ରୀର ନାଁଟା ପଢି ସ୍ତବ୍ଧ ହେଇଗଲା । "ରୋଜିର ବାହାଘର!! ଏତେ ଜଲ୍ଦି!ଏଇ ମାସ ଆଠ ତାରିଖରେ ?", ସୁକନ୍ୟା ଆଶ୍ଚର୍ଯ୍ୟ ହେଇ ନିଜକୁ ନିଜେ କହିଲା ଓ ସର୍ବତ ଗ୍ଲାସଟାକୁ ଢକ ଢକ କରି ପିଇଗଲା ।

(କ୍ରମଶଃ...)

ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୨୯)