ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୨୯)

ନୂଆ ପ୍ରଜନ୍ମର କଥାକାର ଲୋପାମୁଦ୍ରା ମିଶ୍ରଙ୍କ ଉପନ୍ୟାସ "ଚିତ୍ରଲିପି" ଧାରାବାହିକ ଭାବେ ପ୍ରକାଶ ପାଉଛି । ପ୍ରତିଦିନ ଏହି ଉପନ୍ୟାସର ଏକ ଏକ ଅଧ୍ୟାୟ ଆପଣମାନେ "ବାଟୋଇ"ରେ ପଢୁଛନ୍ତି ।


(ପୂର୍ବ ପ୍ରକାଶିତ ଉତ୍ତାରୁ)

ଦୁର୍ଘଟଣାରେ ଦୀପୁର ଯେତିକି ହାଡ଼ ଭାଙ୍ଗିଥିଲା,ତାକୁ ଯୋଡିବାକୁ ଯାଇ ସ୍ନେହା ଓ ସୁବ୍ରତଙ୍କର ସମସ୍ତ ଜମା ପୁଞ୍ଜି ବେସରକାରୀ ନର୍ସିଂହୋମ୍ କୁ ଚାଲିଗଲା । ଦୀପୁ ସମ୍ପୂର୍ଣ୍ଣ ସୁସ୍ଥ ହେଇ ଘରକୁ ଫେରିଲା । ସୁକନ୍ୟା ଫିଜିକ୍ସ୍ ଅନର୍ସ୍ ନେଇ ଗ୍ରାଜୁଏସନ୍ ପଢିବାକୁ କଟକ ଚାଲିଗଲା । ଏବେ ଘରେ ସୁକନ୍ୟାର ପଢ଼ାରୁମ୍ ରେ ଦୀପୁ ଶୁଏ ଓ ପଢ଼େ । ଅନେକ ଦିନ ସ୍କୁଲ୍ ବନ୍ଦ୍ କରି ଘରେ ଚିକିତ୍ସିତ ହେବା ପରେ ଦୀପୁ ସ୍କୁଲ୍ ଯିବା ଆରମ୍ଭ କରିଛି । ଦୀପୁକୁ ଘରେ ଟ୍ୟୁସନ୍ ପଢ଼େଇବା ପାଇଁ ଇଂରାଜୀ ଓ ଗଣିତ ଶିକ୍ଷକ ଦିନେ ଛାଡ଼ି ଦିନେ ସ୍ନେହାଙ୍କ ଘରକୁ ଆସନ୍ତି ।

ହଷ୍ଟେଲ୍ ରେ ନିଜକୁ ଆଡ଼ଜଷ୍ଟ୍ କରିବା ପାଇଁ ସୁକନ୍ୟାକୁ କିଛି ଦିନ ଲାଗିଗଲା । ତନ୍ମୟ ପ୍ରତ୍ୟେକ ଦିନ ତା' କ୍ଲାସ୍ ଓଭର୍ ହେଲା ପରେ ସୁକନ୍ୟାକୁ ଭେଟିବାକୁ ସୁକନ୍ୟାର ହଷ୍ଟେଲକୁ ଆସେ । ସୁକନ୍ୟା ତା' ସହ ଚାଲି ଚାଲି କଲେଜ୍ ଛକକୁ ଯାଏ । ଚାଟ୍, ଗୁପଚୁପ୍ ଖାଇ ହଷ୍ଟେଲକୁ ଫେରେ ।

ଡର୍ମିଟୋରୀରେ ଏତେ ଝିଅଙ୍କ ଭିତରେ ନିଜକୁ ଖାପଖୁଆଇ ରହିବାକୁ ସୁକନ୍ୟାକୁ ଯେତେବେଳେ ଅଡୁଆ ଲାଗୁଥିଲା, ସିମ୍ଫୋନି ସେତେବେଳେ ତାକୁ ସହଜ କରେଇଥିଲା । ସିମ୍ଫୋନି ରାୟ, ରାଉରକେଲାରୁ ଆସିଥିଲା । ଫାର୍ଷ୍ଟ ଇୟର୍ ଫିଜିକ୍ସ୍ ଅନର୍ସରେ ସୁକନ୍ୟାର ପ୍ରଥମ ସାଙ୍ଗ । ସିମ୍ଫୋନିର ଜଣେ ବୟଫ୍ରେଣ୍ଡ୍ ଥିବା ସେ ପ୍ରଥମଦିନ ହିଁ ରୁମ୍ ରେ ସମସ୍ତଙ୍କୁ କହିଦେଇଥିଲା । ସୁକନ୍ୟା ବ୍ୟତୀତ ସମସ୍ତେ ତା' ଉପରେ ଚିଡ଼ିଯାଇଥିଲେ ତାର ଏମିତି ଭଡ ଭାଡ଼ କଥା ଶୁଣି ।

ନୂଆ ନୂଆ ହଷ୍ଟେଲକୁ ଆସି ଫାର୍ଷ୍ଟ୍ ଇୟର୍ ଝିଅମାନେ ଖୁବ୍ ପଢ଼ାପଢି କରୁଥିଲେ । ସେମାନେ ସମସ୍ତେ ଟାଇମ୍ ଟେବଲ୍ ଅନୁଯାୟୀ ପଢୁଥିଲେ, ଖାଉଥିଲେ, ପ୍ରାର୍ଥନା କରୁଥିଲେ, କ୍ଲାସ୍ ଯାଉଥିଲେ ଓ ଶୋଉଥିଲେ । ସିମ୍ଫୋନି ପ୍ରଥମରୁ ହିଁ ସବୁ କାମରେ ଅନିୟମିତ । ସମସ୍ତଙ୍କ ନିୟମିତତା ଧିମା ହେଇଆସିଲା ବେଳକୁ ପ୍ରାୟ ସମସ୍ତେ ସିମ୍ଫୋନି ଭଳି ହେଇଯାଇଥିଲେ । ଅବଶ୍ୟ ଏକଦମ୍ ସିମ୍ଫୋନି ଭଳି ନୁହେଁ, ପାଖାପାଖି ତାହାରି ଭଳି ବେପରୁଆ ଓ ବିନ୍ଦାସ୍ । ସିମ୍ଫୋନି ହସି ହସି ସେମାନଙ୍କୁ କହୁଥିଲା, "ମୁଁ ଜାଣିଥିଲି ପ୍ରଥମେ ପ୍ରଥମେ ତୁମେମାନେ ବଡ଼ ଜୋଶରେ ଅଛ, ଏ ଜୋଶ୍ ବେଶି ଦିନ ନୁହେଁ" ।

ସିମ୍ଫୋନି ଖୁବ୍ ଧନୀ ଘର ଝିଅ । ତା' ବାପା ଚିଫ୍ ଇଞ୍ଜିନିୟର୍ ଭାବେ ନଅ ବର୍ଷ ସରକାରୀ ଚାକିରୀ କଲାପରେ ତାଙ୍କ ପାରିବାରିକ ବ୍ୟବସାୟକୁ ଆଗେଇ ନେବା ପାଇଁ ଚାକିରୀ ଛାଡ଼ିଦେଇଥିଲେ । ସେ ଏବେ ରାଉରକେଲାରେ ଜଣେ ପ୍ରତିଷ୍ଠିତ ବିତ୍ତଶାଳୀ ବ୍ୟବସାୟୀ । ସେମାନଙ୍କର ଏକାଧିକ ବ୍ୟବସାୟ । ସିମ୍ଫୋନିର ମାଆ ସରକାରୀ ମହିଳା କଲେଜରେ ସାଇକୋଲାଜି ଅଧ୍ୟାପିକା ଓ ଲେଖିକା । ସିମ୍ଫୋନିର ଏକମାତ୍ର ଭାଇ ମଧ୍ୟ ଇଞ୍ଜିନିୟର୍ । ତାଙ୍କ ଘରେ ସମସ୍ତେ ଚାହୁଁଥିଲେ ସିମ୍ଫୋନି ପ୍ରାଇଭେଟ୍ ମେଡିକାଲ୍ କଲେଜରେ ଏମ୍.ବି.ବି.ଏସ୍ ଆଡ଼ମିଶନ୍ ନେଉ । ସିମ୍ଫୋନି କିନ୍ତୁ ନିଜେ ଜିଦି କରି ଗ୍ରାଜୁଏସନ୍ ପଢିବାକୁ ଆସିଛି । କଟକ ଆସି ଗ୍ରାଜୁଏସନ୍ ପଢ଼ିବାର କାରଣ ଅମ୍ବିକେଶ୍ । ଅମ୍ବିକେଶ ସହ ସେ ଦୁଇବର୍ଷ ହେବ ଫୋନରେ କଥା ହେଉଥିଲା । ପ୍ରେମ ବି ସେହି ଫୋନରୁ ଆରମ୍ଭ ହେଇ କଟକରୁ ରାଉରକେଲା ଯାଏଁ ଟ୍ରେନରେ ଯାଇ ସିମ୍ଫୋନିର କଲେଜରେ ପହଞ୍ଚିଯାଇଥିଲା । ଅମ୍ବିକେଶ୍ ଇଂରାଜୀ ପି.ଜି.ରେ ପଞ୍ଚମବର୍ଷର ଛାତ୍ର । ଇଂରାଜୀରେ ସୁନ୍ଦର ବକ୍ତବ୍ୟ ଦିଏ, ଭଲ ଗୀତ ଗାଏ, ଗୀଟାର୍ ବଜାଏ ଓ ସିମ୍ଫୋନିକୁ ପ୍ରାଣଭରି ଭଲପାଏ ।

ଅମ୍ବିକେଶ ଓ ସିମ୍ଫୋନିଙ୍କ ଭଲପାଇବାକୁ ସୁକନ୍ୟା ସବୁବେଳେ ତନ୍ମୟ ସହ ତା' ନିଜର ସମ୍ପର୍କକୁ ତୁଳନା କରେ । ତୁଳନାର ସେହି ତରାଜୁରେ ତାକୁ ପ୍ରତ୍ୟେକ ଥର ସିମ୍ଫୋନି-ଅମ୍ବିକେଶଙ୍କ ପାଲା ଭାରି ପଡିଗଲା ଭଳି ଲାଗେ । ତଥାପି ସେ ଏତେଟା ମନ କଷ୍ଟ କରେ ନାହିଁ । ସିମ୍ଫୋନି ପାଇଁ ଖୁସି ହୁଏ ।

ସିମ୍ଫୋନି ସହ ସୁକନ୍ୟାର ବନ୍ଧୁତା, ନିବିଡ଼ତାକୁ ତନ୍ମୟ ଏତେଟା ପସନ୍ଦ କରେନାହିଁ । ସେ ସୁକନ୍ୟାକୁ ପରାମର୍ଶ ଦିଏ, "ସେକେଣ୍ଡ ଇୟରକୁ ରୁମ୍ ବଦଳେଇଲେ ଏ ଝିଅ ସହ ବିଲକୁଲ ରହିବନି । ତୁମ ଭଲ ପାଇଁ କହୁଛି " ।

ଫାର୍ଷ୍ଟ୍ ଇୟର୍ ଆରମ୍ଭରେ ତନ୍ମୟ ସୁକନ୍ୟାକୁ ଯେତେ ସମୟ ଦେଇପାରୁଥିଲା ଶେଷ ଆଡ଼କୁ ଆଉ ସେତେ ସମୟ ଦେଇପାରିଲାନି । ତା'ର ସେ ବର୍ଷ ଏମ୍. ବି. ବି.ଏସ୍ ଶେଷବର୍ଷ । ଖୁବ୍ ପଢ଼ାପଢି କରିବାକୁ ପଡୁଥିଲା ତା'କୁ । ପ୍ରଥମେ ପ୍ରଥମେ ସୁକନ୍ୟା ମନ ଦୁଃଖ କରୁଥିଲା । ତନ୍ମୟ ଉପରେ ଅଭିମାନ କରୁଥିଲା । କିନ୍ତୁ ଧୀରେ ଧୀରେ ସେ ସିମ୍ଫୋନି ଓ ଅମ୍ବିକେଶଙ୍କ ସହ ସମୟ ବିତେଇବାକୁ ଲାଗିଲା ।

କଲେଜରେ ତର୍କ ପ୍ରତିଯୋଗିତା ହେଉଥିଲା । ଅମ୍ବିକେଶ୍ ଯାଉଥିଲା ଡିବେଟ୍ କରିବାକୁ । ସେ ସିମ୍ଫୋନିକୁ ଡାକିଥିଲା । ସିମ୍ଫୋନି ସହ ସୁକନ୍ୟା ମଧ୍ୟ ଗଲା । ଡିବେଟର ଟପିକ୍ ଶୁଣି ସୁକନ୍ୟାକୁ କିଛି କହିବାକୁ ଇଚ୍ଛା ହେଲା । ସେ ନିଜ ନାଁ ଦେଇ ଦେଲା ପ୍ରତିଯୋଗିତା ପାଇଁ । ସିମ୍ଫୋନି କହୁଥିଲା, "ଆରେ ତୁ ତ କିଛି ପ୍ରସ୍ତୁତି କରିନାହୁଁ, କହିପାରିବୁ ତ ?" ସୁକନ୍ୟା କହିଲା, "ଯାହା ମନକୁ ଆସିବ କହିଦେବି, ତୁ ବ୍ୟସ୍ତ ହନା ।"

ଠିକ ସମୟରେ ଅମ୍ବିକେଶର ନାଁ ଡାକ ହେଲା, ସେ ସୁନ୍ଦର ଭାବେ ନିଜର ତର୍କ ଉପସ୍ଥାପନା କଲା । ଅମ୍ବିକେଶ ପରେ ଚାରିଜଣ କହିଲେ । ତାପରେ ପଡ଼ିଲା ସୁକନ୍ୟାର ପାଳି । ସୁକନ୍ୟା ରହି ରହି କହୁଥିଲା, ଟିକେ ହଡ଼ବଡେଇ ଯାଉଥିଲା, କିନ୍ତୁ ଶେଷ ଯାଏଁ ଯେତିକି କହିବା କଥା କହିସାରି ସେ ସିମ୍ଫୋନି ପାଖକୁ ଫେରି ଆସିଲା ଓ ପାଣି ବଟଲରୁ ସବୁତକ ପାଣି ଢକଢକ କରି ପିଇଦେଲା ।

ସିମ୍ଫୋନିର ମାଆ ଫୋନ୍ କରିଥିଲେ । ତା'ର ସମ୍ପର୍କୀୟା ମାଉସୀ ଜଣେ ତାକୁ ହଷ୍ଟେଲରେ ଅପେକ୍ଷା କରିଛନ୍ତି କହିଲେ । ସେ ସୁକନ୍ୟାକୁ ଏକ୍ଲା ଛାଡ଼ିଚାଲିଗଲା । ସୁକନ୍ୟା ବସିରହିଲା ଶେଷ ଯାଏଁ ।

ପ୍ରତିଯୋଗିତାର ଶେଷ ପ୍ରତିଯୋଗୀ ଥିଲା ରୂପେଶ । ରୁପେଶ ମଞ୍ଚ ଉପରକୁ ଉଠୁ ଉଠୁ କରତାଳିରେ ହଲ୍ ଟା ପ୍ରକମ୍ପିତ ହୋଇଉଠିଲା । ରୂପେଶ ତା'ର ଡିବେଟ୍ ଆରମ୍ଭ କଲା । ତା' ସ୍ୱରରେ ଏକ ଭାରିପଣ ଥିଲା । ତା'ର ଅକାଟ୍ୟ ଯୁକ୍ତି, କଥନ ଶୈଳୀ, ଶବ୍ଦ, ବାକ୍ୟ ସବୁକିଛି ଥିଲା ଖୁବ୍ ପ୍ରଭାବଶାଳୀ । ସୁକନ୍ୟା ମନ୍ତ୍ରମୁଗ୍ଧ ହୋଇ ରୂପେଶର ଡିବେଟ୍ ଶୁଣୁଥିଲା, ରୂପେଶର ମୁହଁକୁ ଦେଖୁଥିଲା । ରୂପେଶର ଚେହେରାରେ ଅଦ୍ଭୁତ ଏକ ଆକର୍ଷଣ ଥିଲା । ତାର ସୌମ୍ୟକାନ୍ତ ମୁହଁ ଓ ବଡ଼ ବଡ଼ ଦୁଇଟି ଗଭୀର ଆଖିରେ କିଛି ଗୋଟେ ବ୍ୟଥା ଲୁଚି ରହିଥିବା ଭଳି ସୁକନ୍ୟାକୁ ପ୍ରଥମେ ଲାଗିଥିଲା ।

ସେଦିନ ସେହି ତର୍କ ପ୍ରତିଯୋଗିତାରେ ରୂପେଶ ପ୍ରଥମ ସ୍ଥାନ ପାଇଥିଲା ଓ ଅମ୍ବିକେଶ ଦ୍ୱିତୀୟ ସ୍ଥାନରେ ରହିଥିଲା ।

ସେଦିନର ପ୍ରତିଯୋଗିତା ପରେ ସୁକନ୍ୟା ରୂପେଶକୁ ଆଉଥରେ କଲେଜରେ ଦେଖିବାକୁ ବହୁତ ଇଚ୍ଛା କରିଛି, କିନ୍ତୁ କେବେ ଅମ୍ବିକେଶ କିମ୍ବା ସିମ୍ଫୋନିଙ୍କୁ ଏକଥା କହିପାରିନି । କେବଳ ଏତକ ସେ ଅମ୍ବିକେଶକୁ କହିଥିଲା ଯେ ପିଲାଟାର ଯୁକ୍ତି ତାକୁ ବେଶ୍ ଭଲଲାଗିଥିଲା । ସେତକ ଶୁଣି ଅମ୍ବିକେଶ ଦୁଃଖୀ ହୋଇଗଲା ଭଳି ସୁକନ୍ୟାକୁ ଅନୁଭବ ହେଇଥିଲା । ଉତ୍ତର ଦେବାକୁ ଯାଇ ଅମ୍ବିକେଶ କହିଥିଲା, "ସେମାନେ ସବୁ ବାଉଁଆଁ ଦଳ । ତାଙ୍କ ଯୁକ୍ତି ସବୁ ଅବାନ୍ତର, ତଥାପି ସେହିମାନେ ହିଁ ତର୍କରେ ଜିତନ୍ତି । ଜିତନ୍ତି ନୁହେଁ, ଜିତାଯାଏ ସେମାନଙ୍କ " ।

ବାଉଁଆ ଦଳ କ'ଣ ଜାଣିବାକୁ ଚାହିଁ ସୁକନ୍ୟା ସିମ୍ଫୋନିକୁ ପଚାରିଲା । ସିମ୍ଫୋନି ହସି ହସି କହିଲା, "କିରେ ତୋର କଲେଜ୍ ଇଲେକ୍ସନରେ ଷ୍ଟାଣ୍ଡ୍ କରିବାକୁ ଇଚ୍ଛା ହେଲାଣି କି ? ବାଉଁଆଁମାନେ କମ୍ୟୁନିଷ୍ଟ୍ ପାର୍ଟି । 'ବାମପନ୍ଥୀ' ନାଁ ଶୁଣିନୁ ତୁ ? ବାମପନ୍ଥୀଙ୍କୁ ଚିଡ଼େଇବା ପାଇଁ ଦକ୍ଷିଣପନ୍ଥୀମାନେ ବାଉଁଆ କହନ୍ତି । ତୁ ସେକଥା ଛାଡେ ସେମେସ୍ଟର ପାଇଁ ଶୀଘ୍ର ପ୍ରିପାରେସନ୍ ଆରମ୍ଭ କରିଦେ, ପରୀକ୍ଷା ପାଇଁ କାଲି ସୁଦ୍ଧା ନୋଟିସ୍ ବାହାରିଯିବ" ।

ପରୀକ୍ଷା କଥା ଶୁଣି ସୁକନ୍ୟା ଟିକେ ଚମକି ପଡ଼ିଲା କାରଣ ସେ ସେତେବେଳକୁ ସେମେସ୍ଟର୍ ପାଇଁ ବିଲକୁଲ ବି ପ୍ରସ୍ତୁତ ହେଇନଥିଲା । ସେହିଦିନ ସିମ୍ଫୋନି ଠାରୁ ନୋଟିସ ବାହାରିବାର ଆଗୁଆ ସୂଚନା ପାଇ ସେ ନିଜ ବହି ଖାତା ସଜାଡ଼ିବା ଆରମ୍ଭ କରିଦେଲା । ରାତି ଖାଇବା ଖାଇ ସାରି ଷ୍ଟଡିରୁମ୍ କୁ ପଢିବାକୁ ଚାଲିଗଲା । ସକାଳୁ ଡେରିରେ ଉଠି ଦାନ୍ତ ନଘଷି ବହି ଖାତା ଖୋଲି ରାତିର ଅଧୁରା ପାଠକୁ ଶେଷ କରିବାରେ ଲାଗିପଡ଼ିଲା ।

ସିମ୍ଫୋନି କହିବା ଅନୁସାରେ ପରୀକ୍ଷା ପାଇଁ ନୋଟିସ ବାହାରି ପଡ଼ିଲା । ଆଉ ମାତ୍ର ପନ୍ଦର ଦିନ ପରେ ପରୀକ୍ଷା । ସୁକନ୍ୟା ଆଖିରୁ ନିଦ ଉଡିଯାଉଥିଲା । ସିମ୍ଫୋନି କିନ୍ତୁ ସେହି ପୂର୍ବଭଳି ବିନ୍ଦାସ ରହୁଥିଲା,ଖୁସି ଖୁସି ଦିଶୁଥିଲା । ସେ ବେଶି ବ୍ୟତିବ୍ୟସ୍ତ ନହୋଇ ପରୀକ୍ଷା ପାଇଁ ପଢ଼ାପଢି ସହ ଅମ୍ବିକେଶ ସହ ବୁଲାବୁଲି ବି କରୁଥିଲା । ସିମ୍ଫୋନି ସୁକନ୍ୟାକୁ ବୁଲିବାକୁ ଡାକୁଥିଲା,ସୁକନ୍ୟା ଯାଇପାରୁନଥିଲା । ତା'ର ସେବେ ଅଧିକାଂଶ ସମୟ କାଟୁଥିଲା ହଷ୍ଟେଲ ଷ୍ଟଡିରୁମ୍ ରେ ଓ କଲେଜ ଲାଇବ୍ରେରୀରେ । ତନ୍ମୟ ସହ କଥାବାର୍ତ୍ତା ହେବାଟା ତ ବହୁତ କମିଯାଇଥିଲା, ତନ୍ମୟ ନିଜେ ହିଁ କଥା ହେବା ପ୍ରାୟ ବନ୍ଦ କରିଦେଇଥିଲା ତା'ର ଶେଷବର୍ଷ ପରୀକ୍ଷା ପାଇଁ ।

ସେଦିନ ସୁକନ୍ୟା କଲେଜ ଲାଇବ୍ରେରୀରେ ଭେଟିଲା ରୂପେଶକୁ । ରୂପେଶ ସୁକନ୍ୟାକୁ ଦେଖି ହସିଦେଲା । ରୂପେଶ ତାକୁ ମନେରଖିଛି ଜାଣି ସୁକନ୍ୟା ଖୁସି ହେଇ ମୁରୁକି ହସଟେ ଫେରେଇଲା ରୂପେଶ ଉଦ୍ଦେଶ୍ୟରେ । ଲାଇବ୍ରେରୀରୁ ଫିଜିକ୍ସ୍ ବହିଟେ ଧରି ସୁକନ୍ୟା ବାହାରିଆସିଲା । ହଷ୍ଟେଲ ଆଡ଼େ କିଛି ବାଟ ଆଗେଇ ଗଲା ପରେ ତାକୁ ଅନୁଭବ ହେଲା ତା' ପଛେ ପଛେ କେହି ଜଣେ ଆସୁଛି । ବୁଲିକରି ଦେଖିଲା ରୂପେଶ ଦୁଇଟି ବହି ଧରି ଠିକ ତା'ରି ପଛରେ ଆସୁଛି । ସୁକନ୍ୟା ରହିଗଲା । ରୂପେଶ୍ ପାଖାପାଖି ହେଇଗଲାରୁ ସୁକନ୍ୟା କହିଲା, "ଆପଣଙ୍କ ତର୍କ ସେଦିନ ମୋତେ ବହୁତ ଭଲ ଲାଗିଥିଲା । ସେହିଦିନ କହିବାକୁ ଚାହୁଁଥିଲି, କିନ୍ତୁ ଆଉ ଆପଣଙ୍କୁ ଦେଖା ମିଳିଲାନି ।"

ରୂପେଶ ହସି ହସି କହିଲା, "ତୁମେ ବି ଖୁବ ଯୁକ୍ତିଯୁକ୍ତ ବକ୍ତବ୍ୟ ରଖିଥିଲ । ଆଗକୁ ଭଲ କହିପାରିବ ।"

ସୁକନ୍ୟା ଚାଲୁ ଚାଲୁ କହିଲା, "ନା ନା, ମୁଁ କେବେ କୋଉଠି କିଛି କହେନି । ସେଦିନ ଏମିତି ଖାଲି ନାଁ ଦେଇଥିଲି । ମୋ ଦ୍ୱାରା ସେସବୁ ହୁଏନି" ।

"କିଏ କହିଲା ହୁଏନି ? ତୁମେ ଠିକ କଥା ତ କହିଥିଲ,କିନ୍ତୁ କେବଳ ଯାହା କିଛି ବଳିଷ୍ଠ ତଥ୍ୟର ଅଭାବ ଥିଲା ତୁମ ଡିବେଟରେ । ଆଉ ହଁ, ଟିକେ ଖାଲି ସାହିତ୍ୟିକ ଶବ୍ଦର ପ୍ରୟୋଗ କରିବାର ଥିଲା ତୁମକୁ । ତୁମ ସ୍ୱରରେ ଗୋଟେ ଭାରି ପଣର ଅଭାବ ମଧ୍ୟ ବାରିହେଉଥିଲା । ନହେଲେ ତୁମ କହିବା ଶୈଳୀ ତ ଚମତ୍କାର ଥିଲା ।"

ସୁକନ୍ୟା ହସିଲା ଓ ରୂପେଶର ହାତରେ ଥିବା ବହିକୁ ଲକ୍ଷକରି କହିଲା, "ଇଏ କ'ଣ ଆପଣଙ୍କର ସେ ବାଉଁଆ ଦଳର ବହି ?"

ରୂପେଶ ହସିଲା ଖୁବ ଜୋରରେ । କେଇ ସେକେଣ୍ଡ ହସିଲା ପରେ ହସ ବନ୍ଦକରି କହିଲା, "ଅମ୍ବିକେଶ ଭାଇଙ୍କଠାରୁ ତେବେ ଜାଣିନେଇଛ ଆମେ ବାଉଁଆ ଲୋକ । ଭଲ କଥା ।"

ସୁକନ୍ୟା କହିଲା, "ଆପଣଙ୍କୁ ଚିଡ଼ି ଲାଗିଲାନି ?"

ରୂପେଶ ମୁଣ୍ଡ ହଲେଇ କହିଲା, "ବିଲକୁଲ ନୁହେଁ" ।

ସୁକନ୍ୟା କହିଲା, "ଆପଣଙ୍କର ବି ପରୀକ୍ଷା ଅଛି ନା ? ପାଠ ବହି ନନେଇ ଏ କି ବହି ପଢୁଛନ୍ତି ?"

"ଦ କମ୍ୟୁନିଷ୍ଟ ମେନିଫେଷ୍ଟୋ, ମୁଁ ପଢିସାରିଛି । ଆଉଜଣଙ୍କୁ ପଢ଼େଇବାକୁ ନେଉଛି", ରୂପେଶ କହିଲା ।

ସୁକନ୍ୟା ପଚାରିଲା, "ଅଥର୍ ଙ୍କ ନାଁ ?"

"କାର୍ଲ ମାର୍କ୍ସଙ୍କୁ ଜାଣ ?", ରୂପେଶ ପଚାରିଲା ।

ସୁକନ୍ୟା କହିଲା, "କୋଉଠି ଗୋଟେ ନିଶ୍ଚୟ ପଢିଛି ନାଁଟା । ବୋଧେ ସ୍କୁଲର ହିଷ୍ଟ୍ରି ବହିରେ । ଠିକରେ ମନେ ପଡୁନି" ।

ରୂପେଶ ଅଳ୍ପ ହସି କହିଲା, "ହଁ ହେଇଥିବ ଇତିହାସ ବହିରେ । ସେହି ମାର୍କ୍ସ ଓ ଫେଡେରିକ୍ ଏଙ୍ଗଲ୍ସ୍ ମିଳିତ ଭାବେ ଏ ବହିଟି ଲେଖିଛନ୍ତି ।"

ସୁକନ୍ୟା ଆଉ କ'ଣ କହିଥାନ୍ତା ବୋଧେ, କିନ୍ତୁ ସେତେବେଳକୁ କଥା ହେଉ ହେଉ ଲେଡିଜ ହଷ୍ଟେଲ୍ ପାଖରେ ସେମାନେ ପହଞ୍ଚିଯାଇଥିଲେ । ରୂପେଶ ସୁକନ୍ୟାକୁ କହିଲା, "ତୁମ ହଷ୍ଟେଲ ଆସିଗଲା । ଶୀଘ୍ର ଭିତରକୁ ଯାଅ, ଗେଟ ବନ୍ଦ ହେଇଯିବ ନହେଲେ । ପରେ ପୁଣି କେବେ କଥା ହେବା ବାଉଁଆଙ୍କ ବହି ବିଷୟରେ" ।

ସୁକନ୍ୟା ହସିଲା ଅଳ୍ପ ଓ 'ବାୟ' କହି ଭିତରକୁ ଚାଲିଗଲା ।

ସେହିଦିନ ରାତିରେ ତନ୍ମୟ ଫୋନ୍ କରିଥିଲା । ସୁକନ୍ୟା ଷ୍ଟଡି ରୁମ୍ ରେ ଥିଲା । ଏତେ ଦିନ ପରେ ତନ୍ମୟର କଲ୍ ଦେଖି ଖୁବ୍ ଖୁସି ହେଇ ବାହାରକୁ ଚାଲିଆସିଲା କଥା ହେବାକୁ । ହାଲୋ କହୁ କହୁ ତନ୍ମୟ ଗୋଟେ ଚଢ଼ା ଗଳାରେ ପ୍ରଶ୍ନ କଲା , " ସେ ଟୋକା କିଏ ? "

ସୁକନ୍ୟା ଆଶ୍ଚର୍ଯ୍ୟ ହୋଇ ପଚାରିଲା, "କାହା କଥା ତୁମେ କହୁଛ?"

ତନ୍ମୟ କହିଲା, "ଯାହା ସହ ଆଜି ସନ୍ଧ୍ୟାରେ ହସି ହସି ଗପି ଗପି ଲାଇବ୍ରେରୀରୁ ବାହାରି ହଷ୍ଟେଲ ଯାଏଁ ଆସୁଥିଲ ।"

(କ୍ରମଶଃ...)

ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୨୮)