ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୨୮)

ନୂଆ ପ୍ରଜନ୍ମର କଥାକାର ଲୋପାମୁଦ୍ରା ମିଶ୍ରଙ୍କ ଉପନ୍ୟାସ "ଚିତ୍ରଲିପି" ଧାରାବାହିକ ଭାବେ ପ୍ରକାଶ ପାଉଛି । ପ୍ରତିଦିନ ଏହି ଉପନ୍ୟାସର ଏକ ଏକ ଅଧ୍ୟାୟ ଆପଣମାନେ "ବାଟୋଇ"ରେ ପଢୁଛନ୍ତି ।


(ପୂର୍ବ ପ୍ରକାଶିତ ଉତ୍ତାରୁ)

ଗ୍ରୀଷ୍ମର ଉତ୍ତାପଠାରୁ ଉତ୍ତପ୍ତ ନିଜ ଚାରି କୋଠରୀ ବିଶିଷ୍ଟ ହୃଦୟକୁ ଶୀତଳ କରିବା ପାଇଁ ସୁକନ୍ୟା ରଙ୍ଗତୂଳୀ ଧରିଲା । ସେ ଘଣ୍ଟାଏ ହେଲା ଧ୍ୟାନସ୍ଥ ହୋଇ କିଛି ଗୋଟେ ଆଙ୍କୁଛି । ଦୀପୁ ଝଡ଼ ପରି ପଶିଆସି ତା' ଧ୍ୟାନ ଭାଙ୍ଗିଦେଲା ।

"ଦିଦି, କ'ଣ କରୁଛୁ ? ମୋର ଏହି ଅଙ୍କଗୁଡା ହେଉନି । ପ୍ଲିଜ୍ ଟିକେ କରିଦେ । ପ୍ଲିଜ୍ ଟିକେ ଜଲ୍ଦି କରିଦେ ।", ଦୀପୁ ଚଟାପଟ କହିପକେଇଲା ।

-- ଏବେ କରିପାରିବିନି । ତୁ ଯାଆ ବାପାଙ୍କୁ କହିବୁ ।

-- ବାପା ନାହାଁନ୍ତି । କାଲି ପଳେଇବେ ତ' କାହାକୁ ଜଣକୁ ଦେଖାକରିବାକୁ ଯାଇଛନ୍ତି । ତୁ କରିଦେ ଟିକେ ପ୍ଲିଜ୍ । କ'ଣ ଏମିତି କରୁଛୁ ଯେ ? ହା ହା.. କ'ଣ ଏଇଟା ଆଙ୍କିଛୁ?

ସୁକନ୍ୟାର ଚିତ୍ର ଦେଖି ଦୀପୁ ହସି ଉଠିଲା । ସୁକନ୍ୟାକୁ ଖରାପ ଲାଗିଲା । ସେ ରାଗିଯାଇ କହିଲା, "ଭାବିଥିଲି ତୋତେ ମ୍ୟାଥ୍ ରେ ହେଲ୍ପ୍ କରିଥାନ୍ତି । ବିଲକୁଲ କରିବିନି । ଯାଆ, ପଳା ଏଠୁ । ମୂର୍ଖ କୋଉଠିକାର ।"

"ହଁ ଯାଉଛି । ତୁ ତ ମନେ ମନେ ବଡ଼ ପଣ୍ଡିତଟା ଆଉ", ଏତିକି କହି ଦୀପୁ ଚାଲିଗଲା । ଟିକେ ଛାଡ଼ି ସ୍ନେହା ଆସି ସୁକନ୍ୟାକୁ ଗାଳି କରି କହିଲେ, "ଦିନ ରାତି ସେ ମୋବାଇଲଟା ଧରି ତ ବସି ରହୁଛୁ । ଘରେ କୌଣସି କାମରେ ବି ହାତ ଲଗାଉନୁ । କ'ଣ ଏ ସବୁ ବାଜେ ଆଜେ ଚିତ୍ର ଗାରା ଗାରି କରୁଛୁ ଯେ ସାନଭାଇଟାକୁ ଟିକେ ଗଣିତ ବୁଝେଇଦେବାକୁ ବି ତତେ ବାଧିଯାଉଛି !"

"ହଁ ମୋତେ ବାଧିଯାଉଛି, ମୁଁ ବୁଝେଇ ପାରିବିନି । ସେ ତ କୋଚିଂ ଯାଉଛି, ସେଇଠି ଭଲକରି ବୁଝୁନି ? ମୁଁ କାହଁକି ତାକୁ ବୁଝେଇବି ?", ସୁକନ୍ୟା ରାଗରେ କହିଲା ଓ କହିସାରି ତା' ସଦ୍ୟ ଅଙ୍କା ଚିତ୍ରଟାକୁ ଚିରି ଚାରି ଖଣ୍ଡ କରି ଫିଙ୍ଗିଦେଲା ।

କଲିଂବେଲ୍ ବାଜିଉଠିଲା । ସ୍ନେହା କବାଟ ଖୋଲିବାକୁ ଉଠିଗଲେ । କବାଟ ସେପଟେ ଠିଆ ହେଇଥିଲା ବୁନି । ସ୍ନେହା କବାଟ ଖୋଲିଦେଇ ଦୀପୁକୁ ଡାକି ଡ୍ରଇଂରୁମ୍ ରେ ବସେଇ ତା' ନବମ ଶ୍ରେଣୀ ଆଲଜେବ୍ରାର ଏକ୍ଜାମ୍ପଲ୍ ଦେଖି ଅନୁଶୀଳନି କରିବାକୁ ଚେଷ୍ଟା କଲେ ।

ବୁନି ସୁକନ୍ୟାର ରୁମ୍ ରେ ବସିଥିଲା ଚୁପଚାପ୍ । ସୁକନ୍ୟା ତା'କୁ କିଛି ନକହି ଜେ.ଇ.ଇ ପାଇଁ କିଣିଥିବା ଟେଷ୍ଟପେପର୍ ଖୋଲି ପେନ୍ସିଲ୍ ରେ ଅପ୍ସନ୍ ଗୁଡ଼ାକରେ ଟିକ୍ ମାରିଚାଲିଥିଲା । କିଛି ସମୟ ବିତିଗଲା ପରେ ବୁନି କହିଲା, "ହଁ ତନ୍ମୟଙ୍କ ସହ କଥା ହେଉଥିଲି । ବିକିଙ୍କର ଗୋଟେ ନାଟକକୁ ସେମାନେ ତାଙ୍କ ମେଡିକାଲ୍ କଲେଜରେ ମଞ୍ଚସ୍ଥ କରିବେ । ନାଟକ ପାଣ୍ଡୁଲିପିଟା ତାଙ୍କ ସେକ୍ରେଟାରୀ ଆଉ ନାଟକ ଡିରେକ୍ଟରଙ୍କୁ ବହୁତ ପସନ୍ଦ ଆସିଛି ।"

ସୁକନ୍ୟା ତଥାପି କିଛି କହିଲାନାହିଁ । ବୁନି ପୁଣି କହିଲା,"ମୁଁ ବିକିଙ୍କ ବିଷୟରେ ସେଦିନ ତନ୍ମୟଙ୍କୁ କହିଥିଲି । ବିକି ନିଜେ ତାଙ୍କୁ ଦେଖାକରି ନାଟକର ପାଣ୍ଡୁଲିପି ଦେଇଛନ୍ତି । ସେହି କଥା କହିବାକୁ ଆଜି ତନ୍ମୟ ଫୋନ୍ କରିଥିଲେ ।"

"ଓହୋ, ଆଚ୍ଛା । ସେଇଟା ଗୁରୁତ୍ୱପୂର୍ଣ୍ଣ କଥା ତ ନିଶ୍ଚୟ । ସେଥିପାଇଁ ମୋ କଲ୍ ଟା କାଟିଦେଉଥିଲ । ନୁହେଁ ?", ସୁକନ୍ୟା ତାତ୍ସଲ୍ୟ କଲାଭଳି କହିଲା ।

"ଆରେ ନା ନା, ଜାଣି ଜାଣି କାଟିନି", ବୁନି ଧିର ସ୍ୱରରେ କହିଲା ।

ସୁକନ୍ୟା ଥାକ ଉପରୁ ରବିବାର ସାହିତ୍ୟ ପୃଷ୍ଠାଟା ଟାଣି ଆଣି ବୁନି ଆଗରେ ପକେଇଦେଲା ।

ବୁନି କବିତାଟା ପଢିସାରି କହିଲା,"ଆଗରୁ ପଢ଼ିଥିଲି ଏଇଟା, କିନ୍ତୁ ଆଜି ଛପା ହେଇଛି ବୋଲି ଜାଣିନଥିଲି । ଥାଙ୍କ୍ସ୍ ସୁକନ୍ୟା । ଏଇଥିପାଇଁ ଫୋନ୍ କରିଥିଲ ନା ?" ।

ସୁକନ୍ୟା ହସିଲା ଏକ ମ୍ଳାନ ହସ । ଟିକେ ଛାଡ଼ି କହିଲା, "ପ୍ରୀତମ୍ ମହ୍ଲାରଙ୍କ କବିତା ତଳକୁ ଛୋଟ ଗପଟିଏ ବାହାରିଛି, ସେଇଟା ପଢିବାକୁ ଦେଲି । ପଢ଼ ।"

ବୁନି ଆଖି ପକେଇଲା ପେପର୍ ଉପରେ । ଆଖିରେ ପଢିଲା ଗଳ୍ପର ଶୀର୍ଷକ "ଛଳନା" । ତା' ଓଠରୁ ହସ ଓ ମୁହଁରୁ ରଙ୍ଗ ଉଡ଼ିଗଲା । ସୁକନ୍ୟା ଚେୟାର୍ ଉପରୁ ଉଠିପଡ଼ି ଦୁଇହାତକୁ ଛାତିର ତଳକୁ ଛନ୍ଦି ସିଧା ଦେଖିଲା ବୁନିର ମୁହଁକୁ । ବୁନି ମୁଣ୍ଡ ତଳକୁ ପୋତି ପେପରଟା ଦେଖୁଥିଲା, ହଠାତ୍ ଠିଆହେଇ ପଡ଼ି କହିଲା,"ମୁଁ ଆସୁଛି ସୁକନ୍ୟା । ପରେ ଆସିବି । କଥା ହେବା "।

ସୁକନ୍ୟା କହିଲା, "ସାହିତ୍ୟପୃଷ୍ଠାରେ କବି ପ୍ରୀତମ୍ ମହ୍ଲାରଙ୍କର ଯେଉଁ ମୋବାଇଲ୍ ନମ୍ବରଟି ଦିଆଯାଇଛି, ସେଇଟି ନିଶ୍ଚୟ ବୋଧେ ବିକି ଭାଇଙ୍କର ? ମୋର ବି ଟିକେ ତାଙ୍କ ସହ ପାଣ୍ଡୁଲିପି ବିଷୟରେ କଥା ହେବାର ଥିଲା " ।

ବୁନି ଯିବା ପାଇଁ ଠିଆ ହେଇପଡିଥିଲା, ସୁକନ୍ୟାର କଥା ଶୁଣି ଆଖି ବଡ଼ ବଡ଼ କରି କହିଲା, "କୋଉ ପାଣ୍ଡୁଲିପି ବିଷୟରେ କଥା ହେବ ? "

ସୁକନ୍ୟା ହସିଲା ଓ କହିଲା, "ସେହି ପାଣ୍ଡୁଲିପି ବିଷୟରେ, ତନ୍ମୟକୁ ଯୋଉଟା ଦିଆଯାଇଛି । ହଉ ଠିକ୍ ଅଛି ତୁମେ ଯିବ କହୁଥିଲ ପରା, ଯାଅ । ପରେ କଥା ହେବା" ।

ବୁନି ଅନ୍ୟମନସ୍କ ଦେଖାଗଲା । ସୁକନ୍ୟାକୁ ଆଉଥରେ ବୁଲିପଡ଼ି ଦେଖି କବାଟ ଆଡ଼କୁ ପାଦ ବଢ଼େଇଲା । ବାହାର ପଟୁ କବାଟଟା ଆଉଜେଇ ନେଲାପରେ ଆଉଥରେ ଖୋଲି ସୁକନ୍ୟାକୁ 'ବାୟ' କହିଲା ଓ ଡ୍ରଇଂରୁମ୍ ପାର କରି ଝଡ଼ ପରି ତାଙ୍କ ଘର ଆଡ଼କୁ ଚାଲିଗଲା ।

ତନ୍ମୟ ଫୋନ୍ କରୁଥିଲା ବାରମ୍ବାର । ସୁକନ୍ୟାର ଫୋନ୍ ସବୁବେଳେ ସାଇଲେଣ୍ଟରେ ରହୁଥିଲା । ସେ ତନ୍ମୟର କଲ୍ ରିସିଭ୍ କରୁନଥିଲା । ପରଦିନ ସନ୍ଧ୍ୟାରେ ବୁନି ଆସି ସୁକନ୍ୟାକୁ କହିଦେଇ ଗଲା, "ତନ୍ମୟ ବ୍ୟସ୍ତ ହେଉଛନ୍ତି । ଫୋନ୍ ଉଠାଇ କଥା ହୁଅ" । ସୁକନ୍ୟା "ହୁଁ" କହି ପାଠ ବହି ଧରି ପଢିବସିଲା ।

ଜଏଣ୍ଟ୍ ଏଣ୍ଟ୍ରାନ୍ସ୍ ପରୀକ୍ଷା ପୂର୍ବରୁ ତନ୍ମୟ "ବେଷ୍ଟ୍ ଅଫ୍ ଲକ୍", ମେସେଜ୍ କରିଥିଲା । ସୁକନ୍ୟା ରିପ୍ଲାଇ ଦେଇଥିଲା, "ଥ୍ୟାଙ୍କ୍ ୟୁ । କିନ୍ତୁ ମୁଁ ଆଉ ଲକ୍ ରେ ବିଶ୍ୱାସ ରଖୁନି" ।

ଏଣ୍ଟ୍ରାନ୍ସ୍ ପରୀକ୍ଷା ସରିଗଲା । ପ୍ଲସ୍ ଟୁ ପରୀକ୍ଷା ରେଜଲ୍ଟ୍ ବି ଆସିଗଲା । ସୁକନ୍ୟା ଏକାଅଶୀ ପ୍ରତିଶତ ନମ୍ବର୍ସ୍ ଆଣିଲା । କଲେଜରେ ସେ ତୃତୀୟ ସ୍ଥାନରେ ରହି ମଧ୍ୟ ବେଶ୍ ଖୁସି ଥିଲା ।

ଇଂଜିନିୟରିଂ ପାଇଁ ସୁକନ୍ୟାର ଭଲ ରାଙ୍କ୍ ଥିଲା । ତା'ର ଖୁବ୍ ଇଚ୍ଛା ଇଞ୍ଜିନିୟରିଂ ପଢିବାକୁ । ତନ୍ମୟ କିନ୍ତୁ ସବୁବେଳେ ତାକୁ କହେ ମେଡିକାଲ୍ ପାଇଁ ଚେଷ୍ଟା କରିବାକୁ । ସୁକନ୍ୟାର ପରୀକ୍ଷା ଫଳ ଓ ପଢ଼ା ବିଷୟରେ କିଛି ନିଷ୍ପତ୍ତି ନେବା ପାଇଁ ସୁବ୍ରତ ଫୋନ୍ କରି ସ୍ନେହାଙ୍କ ସହ ଘଣ୍ଟାଏ କଥା ହେଲେ ।

ସ୍ନେହା ଆଦୌ ଚାହୁଁନଥିଲେ ସୁକନ୍ୟା ଇଞ୍ଜିନିୟରିଂ ଆଡ଼ମିଶନ୍ ନେଉ । ସୁବ୍ରତଙ୍କର ଇଚ୍ଛା ଥିଲା ସୁକନ୍ୟାକୁ ବର୍ଷଟାଏ ମେଡିକାଲ୍ କୋଚିଂ ପାଇଁ ଛାଡିବାକୁ । ସ୍ନେହା ସେଥିରେ ବି ରାଜି ହେଲେ ନାହିଁ । ଭବିଷ୍ୟତରେ ଚାକିରୀରୁ ରିଟାଏର୍ଡମେଣ୍ଟ୍ ନେଲାପରେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ କହି ସ୍ନେହା ଖୁବ୍ ମନ କଷ୍ଟ କଲେ । ନିଜର ଘରଟାଏ ନିହାତି ଦରକାର, ସେଥିପାଇଁ ସେ କିଛି ଟଙ୍କା ସଞ୍ଚୟ କରୁଛନ୍ତି ଓ ସେଥିରୁ ସୁକନ୍ୟାର କୋଚିଂ ପାଇଁ ସେ ଖର୍ଚ୍ଚ କରିଦେଲେ ଆଉ ଜାଗା କିଣିବାକୁ ଟଙ୍କା ରଖିବା ତାଙ୍କ ପାଇଁ ଅସମ୍ଭବ ହେଇଯିବ କହିଲେ ଓ ସୁବ୍ରତଙ୍କୁ ସୁକନ୍ୟାର ପଢ଼ାଖର୍ଚ୍ଚ ବହନ କରିବାକୁ ଅନୁରୋଧ କଲେ । ସୁବ୍ରତଙ୍କ ହାତରେ ଟଙ୍କାଟାଏ ବି ନଥିଲା । ସେ ନିରୁପାୟ ହେଇ କହିଲେ, "ହଉ ମୁଁ ଦେଖୁଛି । ବିନୋଦିନୀ ସହ କଥା ହୁଏ । ସୁକନ୍ୟାର ଅରିଜିନାଲ୍ ବାର୍ଥ୍ ସାର୍ଟିଫିକେଟଟା ଯଦି ଆମ ପାଖରେ ଥାନ୍ତା ତେବେ ବିନୋଦିନୀ କ'ଣ ତା ସ୍ୱର୍ଗୀୟା ମାଆ, ବାପା ବି ଆସି ଆମ ପାଖରେ ଟଙ୍କା ଅଜାଡ଼ି ଦେଇଥାନ୍ତେ । କିଛି ଡକୁମେଣ୍ଟ୍ ତ ଆମେ ରଖିନେ । ସେଠୁ ଆସିବା ବି ଅନେକ ବର୍ଷ ହେଇଗଲାଣି । ସେଠିକୁ ଯିବାକୁ ବି ଆଉ ଭଲ ଲାଗୁନି । ତୁମେ ବି ତ ଦିନେ ହେଲେ ସୁକନ୍ୟା ସହ ବିନୋଦିନୀକୁ କଥା କରେଇଲ ନାହିଁ । ସମ୍ପର୍କରେ ଥିଲେ ହୁଏତ... ହଉ ଦେଖାଯାଉ କ'ଣ ହେଉଛି । କିଛି ନହେଲେ ମୁଁ ଲୋନ୍ କରି କୋଚିଂ ସେଣ୍ଟରର ଫିସ୍ ଦେଇଦେବି । ବର୍ଷଟେ ପ୍ରିପେୟାର୍ କଲେ ସେ ଡାକ୍ତରୀ ପାଇଯିବ ଯେ ।"

ଘରେ ଟଙ୍କା ପଇସାର ଅଭାବ ଯେ ଏତେ ଅଛି, ସୁକନ୍ୟା କେବେ ସେକଥା ଅନୁଭବ କରିନଥିଲା । ମମିଙ୍କ ପାଇଁ ଜାଗା କିଣିବା ସୁକନ୍ୟାର ପଢ଼ାପଢି ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଇପାରେ ଭାବି ସୁକନ୍ୟା ଖୁବ୍ ଦୁଃଖୀ ହେଇଗଲା ।

ସୁବ୍ରତ୍ ଟଙ୍କା ପଠେଇବେ କହି ଆଉ ପଠେଇଲେ ନାହିଁ । ରେଜଲ୍ଟ୍ ବାହାରିକି ସପ୍ତାହଟେ ପୂରିଗଲାଣି । ଇଞ୍ଜିନିୟରିଂ ନାମଲେଖାର ସମୟ ମଧ୍ୟ ଗଡ଼ିଯାଉଛି । ସବୁ କିଛି ପାଇଁ ବେଶିରୁ ବେଶି ବିଳମ୍ବ ହେଇଯାଉଥିଲା କିନ୍ତୁ ସୁବ୍ରତ ଟଙ୍କା ଦେବା କଥା ଆଉ କିଛି କହୁନଥିଲେ । ସ୍ନେହା ସୁକନ୍ୟାକୁ ଆସି ପଚାରିଲେ, "ତୁ ଏ ବର୍ଷ ଜେନେରାଲ୍ କଲେଜରେ ଗ୍ରାଜୁଏସନ୍ ଆଡିମିଶନ୍ ନେଇ ଇଣ୍ଡିଭିଜୁଆଲ୍ କୋଚିଂ ନେଲେ କେମିତି ହୁଅନ୍ତା ? ସେଥିରେ ଅଳ୍ପ ଖର୍ଚ୍ଚ ହେବ । ଆମ ଅଫିସରେ ସେ ଓଝାବାବୁଙ୍କ ଝିଅ ଦୁଇବର୍ଷ ସେମିତି ପ୍ରିପେୟାର୍ କଲାପରେ ପାଇଗଲା । ସେ ମୋତେ କହୁଥିଲେ । ତୁ କ'ଣ କହୁଛୁ ?"

ସୁକନ୍ୟା ତନ୍ମୟକୁ ସବୁକଥା କହିଲା । ତନ୍ମୟ ଆଶ୍ଚର୍ଯ୍ୟ ହେଇ କହିଲା, "ସୁକନ୍ୟା ତୁମେ ସତ କହୁଛ, ତୁମ ଘର ଲୋକ ତୁମ କୋଚିଂ ସେଣ୍ଟର୍ ପାଇଁ ଟଙ୍କା ଦେବାକୁ ରାଜି ହେଉନାହାଁନ୍ତି ? ତୁମେ ଏତେ ଭଲ ପରସେଣ୍ଟେଜ୍ ଆଣିଲା ପରେ ବି ତୁମ ମମି, ବାପା ସନ୍ଦେହରେ ଅଛନ୍ତି ତୁମକୁ କୋଚିଂ ପାଇଁ ଛାଡ଼ିବେ କି ନାହିଁ ? ମୁଁ ତ ଆଶ୍ଚର୍ଯ୍ୟ ହେଉଛି ଶୁଣିକି । ସେମାନେ କ'ଣ ତୁମକୁ ଭଲପାଆନ୍ତି ନାହିଁ କି ? ତୁମ ପ୍ୟାରେଣ୍ଟ୍ସ୍ କି ଅଜବ ଲୋକ ମ ! ସବୁ ମାଆବାପା ଚାହାଁନ୍ତି ତାଙ୍କ ପିଲା ଡାକ୍ତରୀ ପଢ଼ୁ, ଅଥଚ ତୁମ ମମି, ବାପା..ଛାଡ଼, କ'ଣ ଆଉ କହିବି ? ତୁମେ ତୁମ କଲେଜରେ ଜଣେ ବ୍ରିଲିଆଣ୍ଟ୍ ସ୍ଟୁଡେଣ୍ଟ୍, ତୁମେ ଚାହିଁଲେ କିଛି ବି କରିପାରିବ । ଏକଥା କ'ଣ ତୁମ ଘର ଲୋକ ଜାଣନ୍ତିନି ? ଜାଣିଛ ମୁଁ କୋଚିଂ ନେଉଥିବା ବେଳେ ମୋ ସାଙ୍ଗରେ ଏମିତି ବହୁତ ପିଲା ଥିଲେ ଯେଉଁମାନେ ସେକେଣ୍ଡ୍ ଡିଭିଜନ୍ ପାଇକରି ଆସିଥିବା ଆଭରେଜ୍ ସ୍ଟୁଡେଣ୍ଟସ୍ । ଜାଣିଛ, ସେମାନେ ବର୍ଷ ବର୍ଷ କୋଚିଂ ନେଇକରି ବି ପାଉନଥିଲେ, କିନ୍ତୁ ତାଙ୍କ ବାପାମାଆ ତାଙ୍କ ପାଇଁ ଟଙ୍କା ଖର୍ଚ୍ଚ କରୁଥିଲେ । ସେମାନଙ୍କ ଭିତରୁ କେତେଜଣ ବି ଏବେ ମେଡିକାଲ୍ ପଢ଼ୁଛନ୍ତି । ତୁମେ ନିଜେ ତୁମ ବାପାଙ୍କୁ ଫୋନ୍ କର, ଆଉ କୁହ ତୁମେ କୋଚିଂ ନେବାକୁ ଚାହଁ । ଗ୍ରାଜୁଏସନ୍ ଆଡମିଶନ୍ ନେଇଗଲେ ତୁମକୁ ଆଉ ଇଚ୍ଛା ହେବନି ମେଡିକାଲ୍ ପାଇଁ । ମୋ କଥା ବୁଝୁଛ ନା ନାହିଁ ?"

ତନ୍ମୟର କଥା ସୁକନ୍ୟାକୁ ଅନେକ କିଛି ଭାବିବାକୁ ବାଧ୍ୟ କଲା । ସେ ମମିଙ୍କ ପାଖକୁ ଯାଇ କହିଲା, "ମମି, ମୋର ନିଜର ଡାକ୍ତରୀ ପଢିବାକୁ ଇଚ୍ଛା ନାହିଁ । ମୁଁ ମେଡିକାଲ୍ କୋଚିଂ ନେବାକୁ ଚାହେଁନାହିଁ କି ଗ୍ରାଜୁଏସନ୍ ପଢ଼ିବାକୁ ଚାହେଁନାହିଁ । ମୁଁ ଇଞ୍ଜିନିୟରିଂ ପଢ଼ିବି । ମୋତେ ଇଞ୍ଜିନିୟରିଂ ପଢିବାକୁ ଦିଅ" ।

ସୁକନ୍ୟାର ଇଞ୍ଜିନିୟରିଂ ପଢ଼ା ପାଇଁ ଖର୍ଚ୍ଚ ବହନ କରିବେ କହି ସୁବ୍ରତ କାଉନ୍ସେଲିଂ ପୂର୍ବରୁ ଘରେ ଆସି ପହଞ୍ଚିଲେ । କାଉନ୍ସେଲିଂ ଦୁଇଦିନ ପୂର୍ବରୁ ଦୀପୁ ସୁକନ୍ୟାର ସ୍କୁଟି ନେଇ ମାର୍କେଟ୍ ଯାଇଥିଲା । ସନ୍ଧ୍ୟାରେ ଘରକୁ ଫେରୁଥିଲା । ଟିଭିରେ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହେଇଯିବା ଆଗରୁ ଦୀପୁକୁ ଘରେ ପହଞ୍ଚିବାରେ ଥିଲା । ସେ ସ୍କୁଟିର ସ୍ପିଡ୍ ବଢ଼େଇଲା । ଅଫିସ୍ ଛକ ପାଖ ବୁଲାଣି ଆଡୁ ଟ୍ରକ୍ ର ହର୍ନ୍ ତାକୁ ଶୁଭିଲାନାହିଁ କି ରାସ୍ତାର ହମ୍ସ୍ କୁ ସେ ଖାତିର୍ କଲାନାହିଁ ।

ଟ୍ରକ୍ ଚାଲିଯାଇଥିଲା ଆଗକୁ । ଦୀପୁର ରକ୍ତାକ୍ତ ଶରୀର ରାସ୍ତା କଡ଼କୁ ଛିଟକି ପଡିଥିଲା । ଟିକେ ଛାଡ଼ି ସ୍କୁଟିଟା ବି ଭାଙ୍ଗିରୁଜି ଗଡ଼ି ପଡିଥିଲା । ଲୋକଙ୍କ ହୋ ହାଲ୍ଲା ଓ ଗହଳିର ବୃତ୍ତ ଭିତରୁ ବାହାରି ଆସି କେହି ଜଣେ ସ୍ନେହାଙ୍କ ନମ୍ବର୍ ଡାଏଲ୍ କରି କହିଲା, "ମାଡାମ୍ ଅଫିସ୍ ଛକ ପାଖରେ ଆପଣଙ୍କ ପୁଅର ଆକ୍ସିଡେଣ୍ଟ୍ ହେଇଯାଇଛି । ଆମେ ତାକୁ ସିଟି ହସ୍ପିଟାଲ୍ ନେଇଯାଉଛୁ, ସେଇଠିକୁ ଆସନ୍ତୁ" ।

କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହେବା ପାଇଁ ଟସ୍ ପଡୁଥିଲା, ସ୍ନେହା ସୁବ୍ରତଙ୍କ ହାତରୁ ଟିଭିର ରିମୋଟଟା ଛଡ଼େଇ ନେଇ ଟିଭି ବନ୍ଦ୍ କରିଦେଲେ ଓ ବଡ଼ ପାଟିରେ କାନ୍ଦିଉଠିଲେ ।

(କ୍ରମଶଃ...)

ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୨୭)