ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୨୭)

ନୂଆ ପ୍ରଜନ୍ମର କଥାକାର ଲୋପାମୁଦ୍ରା ମିଶ୍ରଙ୍କ ଉପନ୍ୟାସ "ଚିତ୍ରଲିପି" ଧାରାବାହିକ ଭାବେ ପ୍ରକାଶ ପାଉଛି । ପ୍ରତିଦିନ ଏହି ଉପନ୍ୟାସର ଏକ ଏକ ଅଧ୍ୟାୟ ଆପଣମାନେ "ବାଟୋଇ"ରେ ପଢୁଛନ୍ତି ।


(ପୂର୍ବ ପ୍ରକାଶିତ ଉତ୍ତାରୁ)

କଲ୍ଲୋଳର ବଦଳି ହେଇଗଲା ତା' ନିଜ ଜିଲ୍ଲାକୁ । ସ୍ନେହା କହୁଥିଲେ ତା'ର ବାପା କୁଆଡ଼େ ତାଙ୍କର ଜଣେ ପରିଚିତ ରାଜନେତାଙ୍କ ସହାୟତାରେ ଖୁବ୍ ଚେଷ୍ଟା କରି ତାଙ୍କ ଏକମାତ୍ର ପୁଅକୁ ନିଜ ପାଖକୁ ନେଇଗଲେ । ମାଧବୀ ଶୁଣିଲେ, ଉଁ କି ଚୁଁ କିଛି କହିଲେ ନାହିଁ । ସ୍ନେହାଙ୍କ ଘରେ ତାଙ୍କ ଜାଗା ଆଗରୁ ଯେମିତି ଥିଲା ସେ ସେମିତି ସେହି ଜାଗାକୁ ସୁରକ୍ଷିତ ରଖିବାର ଚେଷ୍ଟାରେ ଅନବରତ ନିଜ କର୍ତ୍ତବ୍ୟ କରିଚାଲିଥିଲେ । ସ୍ନେହା ଓ ସୁକନ୍ୟାଙ୍କର କେବଳ ମାଧବୀଙ୍କ ପ୍ରତି ମନୋଭାବ ସାମାନ୍ୟ ବଦଳି ଯାଇଥିଲା । ମାଧବୀ ଯେ ଦିନେ ଜଣେ ଥିଲାବାଲା ଧନୀ ଲୋକର ପତ୍ନୀ ଥିଲେ ସେହି କଥା ଭାବିଲେ ସ୍ନେହା ଓ ସୁକନ୍ୟାଙ୍କୁ ଟିକେ ଅଡୁଆ ଲାଗେ । ସେମାନେ ମାଧବୀଙ୍କ ହାତରେ ଅଇଁଠା ବାସନ ଦେଖି ବେଳେବେଳେ ଲଜ୍ଜିତ ହୁଅନ୍ତି । ମାଧବୀ କିନ୍ତୁ ଅବିଚଳିତ ରହି ଘରର ସବୁ ଯାକ କାମର ବୋଝକୁ ନିଜ ଉପରକୁ ନେଇଯାଆନ୍ତି ।

ସୁକନ୍ୟାର ପ୍ଲସ୍ ଟୁ ସେକେଣ୍ଡ୍ ଇୟର୍ ଖୁବ୍ ଶୀଘ୍ର ଶୀଘ୍ର ସରିଯାଉଥିଲା । କଲେଜରେ ଥିଓରୀ କ୍ଲାସ୍, ପ୍ରାକ୍ଟିକାଲ୍ କ୍ଲାସ୍, କୋଚିଂ ସେଣ୍ଟରର କ୍ଲାସ୍, ଏକ୍ସଟ୍ରା କ୍ଲାସ୍, ଟେଷ୍ଟ୍ ଭିତରେ ଭୋର ପାଞ୍ଚରୁ କେତେବେଳେ ସନ୍ଧ୍ୟା ସାତ ବାଜିଯାଉଥିଲା ସୁକନ୍ୟା ଜାଣିପାରୁନଥିଲା । ଘରକୁ ଆସି ବି ଟିକେ ନିଶ୍ୱାସ ମାରିବାକୁ, ଆରମ୍ କରିବାକୁ ସମୟ ନଥାଏ । ପାଠ ସବୁ ସାରି ଶୋଉ ଶୋଉ ରାତି ବାର ବାଜିଯାଏ । ତନ୍ମୟ ସବୁବେଳେ କହେ, "ବେବି ତୁମେ ବେଶି କଥା ନହେଇ ଫୋନ୍ ରଖି ପଢ଼ । ପ୍ଲସ୍ ଟୁ ସାରି ମେଡିକାଲ୍ ପ୍ରିପାରେସନ୍ ପାଇଁ କଟକ ଆସିଯିବ । କୋଚିଂ ସେଣ୍ଟର ମୁଁ ବୁଝିଦେବି । ମୁଁ ତୁମକୁ ଗାଇଡ୍ କରିବି । ତୁମେ ମେଡିକାଲ୍ କଲେଜରେ ସିଟ୍ ଟାଏ ପାଇଗଲେ ଆମକୁ କେହି ବି ଅଲଗା କରିପାରିବେନାହିଁ । "

ସୁକନ୍ୟା ତନ୍ମୟର କଥା ଶୁଣି ହସିଦିଏ । କିନ୍ତୁ ତାକୁ କହିପାରେନି, "ଧନ, ମୋର ବାୟୋଲୋଜି ଭଲ ହୁଏନି । ମୁଁ ବାୟୋଲୋଜି ପଢିବାକୁ ଭଲ ପାଏନି । ଫିଜିକ୍ସ୍ ଆଉ ମ୍ୟାଥରେ ମୋର ବହୁତ ଇଂଟରେଷ୍ଟ୍ । ମୁଁ ଇଞ୍ଜିନିୟରିଂ କରିବାକୁ ଚାହେଁ " । ସୁକନ୍ୟା ଏତିକି କହିପାରେନାହିଁ କାଳେ ତନ୍ମୟକୁ ଖରାପ ଲାଗିଯିବ ସେହି ଭୟରେ ।

ଚାହୁଁ ଚାହୁଁ ଡିସେମ୍ବରର ହାଡ଼ଥରା ଶୀତ ଆସିଗଲା । ସୁକନ୍ୟା ଜୀବନର ସତରତମ ଶୀତଋତୁ । ତା' ପ୍ରେମିକା ଜୀବନର ଦ୍ୱିତୀୟ ଶୀତ । ଗତ ବର୍ଷ ଭଳି ସେ କିନ୍ତୁ ଏବର୍ଷ ଶୀତୁଆ ସଞ୍ଜରେ ଘର ଆଗ ବଗିଚାର ଶୀତଦିନିଆଁ ଫୁଲ ଗଛ ପାଖରେ ଠିଆ ହୋଇ ବୁନିଅପାଙ୍କର ସଂଗୀତକୁ ଉପଭୋଗ କରୁନଥିଲା । ତା' ପାଖରେ ଏ ବର୍ଷ ସମୟ ଖୁବ୍ କମ୍ । ତା' ପାଇଁ ଏବର୍ଷର ସବୁ ଋତୁ କେବଳ ପଢିବାର ଋତୁ ।

କଲେଜରେ ଟେଷ୍ଟ୍ ପରୀକ୍ଷା ସରିଗଲା । ଏବେ କଲେଜ୍ ଯିବା ବନ୍ଦ୍ । କେବଳ ପାଠପଢ଼ା, ଘର ଆଉ କୋଚିଂ । ବୁନିଅପା କେତେବେଳେ କେମିତି ଆସିଯାଆନ୍ତି ତାଙ୍କ ପ୍ରୀତମ୍ ର ପ୍ରେମ କବିତା ଶୁଣେଇବା ପାଇଁ । କେବେକେବେ ମୋନାଲିର ଫୋନ୍ ବି ଆସିଯାଏ । ରୋଜି କିନ୍ତୁ ଥରଟେ ବି ଫୋନ୍ କରିନାହିଁ । ରିଙ୍କୁନ୍ ସହ ଦେଖା ହେଇଥିଲା ଗତ ଶନିବାର ସକାଳେ । ସେ ବସ୍ ଷ୍ଟାଣ୍ଡ୍ ଯିବାପାଇଁ ଅଟୋକୁ ଅପେକ୍ଷା କରିଥିଲା । ଶାମ୍ବଦଶମୀ ପାଇଁ ଘରକୁ ଯାଉଥିଲା । ତା' ଠାରୁ ଶୁଣିଲା ପୁପୁନ୍ ଏଥର ପଢିବାକୁ ଜେ.ଏନ୍.ୟୁ ପଳେଇଛି । ପୁପୁନ୍ ର ପାଠପଢ଼ାରେ ଏତେ ଶୀଘ୍ର ଏମିତି ଉନ୍ନତି ହେବା ସୁକନ୍ୟା ସହ୍ୟ କରିପାରିଲାନି । ସେ ରିଙ୍କୁନ୍ ସହ ଆଉ ବେଶି କଥା ନହେଇ ନିଜ ରାସ୍ତାରେ ଚାଲିଗଲା ।

ଲଳିତ୍ ଗୋଟେ ପାର୍ସଲ୍ ପଠେଇଛି ସୁକନ୍ୟା ନାଁରେ । ମୋନାଲି ଫୋନ୍ କରି କହିଲା, "ରାଗିବୁନି ରେ ସେ ଦିଲ୍ଲୀ ଯାଇଥିଲେ । ମୋ ପାଇଁ କ'ଣ ଗୋଟେ ଆଣିଛନ୍ତି । ଆମ ଘରକୁ ପଠେଇବାକୁ ଚାହୁଁଥିଲେ । ତୁ ତ ଜାଣୁ ମୋ ବାପାଙ୍କୁ । ମାରି ମାରି ମୋତେ ଶୁଖୁଆ କରିଦେବେ । ସେଥିପାଇଁ ମୁଁ ତୋ ଆଡ୍ରେସ୍ ଦେଇଦେଲି । ତୁ ଘରେ ଆଣ୍ଟିଙ୍କୁ କିଛି ଗୋଟେ କହି ଟିକେ ଆଡ୍ଜଷ୍ଟ୍ କରିଦେବୁ ପ୍ଲିଜ୍ । ମୁଁ ଆଉ ପନ୍ଦର ଦିନ ପରେ ହଷ୍ଟେଲ୍ ପଳେଇବି । ଗଲେ ତୋ ଠାରୁ ନେଇଆସିବି" । ସୁକନ୍ୟାର ଖୁବ୍ ରାଗ ହେଲା ମୋନାଲି ଉପରେ । "ମୋନାଲି ଏତେ ସ୍ୱାର୍ଥପର କେମିତି ହେଇଯାଉଛି ଯେ! " । ରାଗରେ ଦାନ୍ତ କଡ଼ମଡ କରି ରହିଲା ।

ଯେତେ ସତର୍କ ରହିଲେ ମଧ୍ୟ ପାର୍ସଲଟା ସ୍ନେହାଙ୍କ ହାତରେ ପଡିଗଲା । କୋରିୟର୍ ବାଲା ସ୍ନେହାଙ୍କ ଅଫିସରେ ଯାଇ ପାର୍ସଲ ଦେଇଆସିଥିଲା । ଖୋଲି ଦେଖିଲେ ସେଥିରେ ଭାଲେଣ୍ଟାଇନ୍ସ୍ ଡେ କାର୍ଡ୍ ଓ ଗୋଟେ ସୁନ୍ଦର ପଶମ ସାଲ୍ ଅଛି । କାର୍ଡରେ ମୋନାଲିର ନାଁ ।

ଭୟରେ ସୁକନ୍ୟା ମମିଙ୍କୁ ସବୁ ସତ କଥା କହିଦେଲା । ସ୍ନେହା ସୁକନ୍ୟା ଉପରେ ବିରକ୍ତ ହେଲେ । "ପରୀକ୍ଷା ମୁଣ୍ଡ ଉପରେ, ତୁ ପଢ଼ାପଢି ନକରି ମଧ୍ୟସ୍ଥି କାମ କରୁଛୁ ! ଏସବୁ ବାଜେ ଧନ୍ଦାରେ କେବେଠୁ ପଶିଲୁଣି ?"

"ମମି ମୁଁ ତ ସବୁବେଳେ ପଢୁଛି । ମୋନାଲି ମୋତେ ନପଚାରି ଏମିତି କାମ କରିବ ବୋଲି ମୁଁ କ'ଣ ଜାଣିଥିଲି ? ", ସୁକନ୍ୟା କାନ୍ଦ କାନ୍ଦ ହେଇ କହିଲା ।

ସୁକନ୍ୟା ଠାରୁ ମୋନାଲିର ପ୍ରେମ କାହାଣୀ ଶୁଣି ସ୍ନେହାଙ୍କୁ ଚାରି ବର୍ଷ ତଳର ଘଟଣା ମନେପଡିଗଲା । "ସୁକନ୍ୟାକୁ ମହେଶ ସାର୍ ଭଲ ପାଉଛନ୍ତି ବୋଲି ଏଇ ମୋନାଲି ହିଁ ହସ୍ପିଟାଲ୍ କଲୋନୀ ସାରା ପ୍ରଚାର କରିଥିଲା । ସୁକନ୍ୟା ବାଧ୍ୟ ହେଇଥିଲା ବେକରେ ରଶି ଲଗେଇ ଆତ୍ମହତ୍ୟା ଉଦ୍ୟମ କରିବାକୁ । ସେଦିନ ଯଦି ଠିକ ସମୟରେ ଦୀପୁ କହି ନଥାନ୍ତା ! କ'ଣ ହେଇଥାନ୍ତା ଘରର ପରିସ୍ଥିତି ! ", ସ୍ନେହା ଏମିତି ସବୁ ପଛ କଥା ମନେ ପକାଉ ପକାଉ ମୋବାଇଲରେ ମୋନାଲିର ବାପାଙ୍କ ନମ୍ବର ଡାଏଲ୍ କଲେ ।

ମୋନାଲିର ଗିଫ୍ଟ୍ ତା' ବାପା ଆସି ନେଇଗଲେ । କହୁଥିଲେ ଯୋଉ ଠିକଣାରେ ଆସିଛି ସେହି ଠିକଣାକୁ ଫେରିଯିବ । ମୋନାଲିର ମୋବାଇଲ୍ ବନ୍ଦ୍ ରହିଲା । ସେ ସୁକନ୍ୟାକୁ କହିଥିଲା ପରୀକ୍ଷା ଦେଢ଼ ମାସ ଆଗରୁ ହଷ୍ଟେଲ୍ ଫେରିଆସିବ । କିନ୍ତୁ ଆସିଲାନାହିଁ । ପରୀକ୍ଷା ମାତ୍ର ତିନିଦିନ ଥିଲା ଆସିଲା । ତା ରୁମ୍ ମେଟ୍ ର ମୋବାଇଲରୁ ସୁକନ୍ୟାକୁ ଫୋନ୍ କରିଥିଲା । ସୁକନ୍ୟା ପରୀକ୍ଷା ପ୍ରସ୍ତୁତି ପାଇଁ ଖୁବ୍ ବ୍ୟସ୍ତ ଥିଲା । ହଷ୍ଟେଲ୍ ଯାଇପାରିବନି କହି ଫୋନ୍ କାଟିଦେଲା ।

ପରୀକ୍ଷା ଆରମ୍ଭ ହେଇଗଲା । ଓଡ଼ିଆ, ଇଂରାଜୀ ଓ ଫିଜିକ୍ସ୍ ପରୀକ୍ଷା ପରେ ସୁବ୍ରତ୍ ଆସି ପହଞ୍ଚିଲେ । ଦୁଇ ଦିନ ଗ୍ୟାପ୍ ପରେ କେମିଷ୍ଟ୍ରି ଫାର୍ଷ୍ଟ୍ ପେପର୍ । ଘରେ କୌଣସି ଗଣ୍ଡଗୋଳ ହେଲେ ସୁକନ୍ୟାର ପରୀକ୍ଷା ଉପରେ ପ୍ରଭାବ ପଡିପାରେ । ସେଥିପାଇଁ ସ୍ନେହା ସୁବ୍ରତଙ୍କୁ କିଛି କହୁନଥିଲେ । ସୁବ୍ରତ୍ ସୁକନ୍ୟାର ପଢ଼ା ପାଖରେ ଜଗି ରହୁଥିଲେ । ରାତିରେ ନିଜେ ରୋଷେଇ ଘରୁ କେବେ କେବେ କଫି ତ କେବେ ପୁଣି ହର୍ଲିକ୍ସ୍ ବନେଇ ଆଣି ଦେଉଥିଲେ । ବେଶି ରାତି ଯାଏଁ ନପଢି ଶୋଇପଡ଼ି ଭୋରୁ ଉଠିବାକୁ ପରାମର୍ଶ ଦେଉଥିଲେ । ସୁକନ୍ୟା ଡ୍ରଇଂରୁମ୍ ରେ ପଢୁଥିଲା । ସୁବ୍ରତ୍ ଡ୍ରଇଂରୁମ୍ ରେ ଶୋଉଥିଲେ । ସୁକନ୍ୟା ପଢିସାରି ନିଜ ରୁମ୍ କୁ ଶୋଇବାକୁ ଯାଉଥିଲା । ସେଠି ସୁକନ୍ୟା ଓ ମାଧବୀ ଶୋଉଥିଲେ । ବଡି ଭୋରୁ ମାଧବୀ ଚା' କରି ଆଣି ସୁକନ୍ୟାକୁ ଉଠାଉଥିଲେ ।

ସୁକନ୍ୟାର ସବୁ ପରୀକ୍ଷା ଭଲ ହେଲା । କେବଳ ବାୟୋଲୋଜି ପେପର୍ ଭଲ ହେଇନାହିଁ କହୁଥିଲା । ପ୍ରାକ୍ଟିକାଲ୍ ପରୀକ୍ଷା ପୂର୍ବରୁ କିଛି ଦିନ ଛୁଟି । ସେହି ଗ୍ୟାପରେ ବୁନି ଆସିଯାଉଥିଲା ତା' ମୋବାଇଲ୍ ଧରି । ସୁକନ୍ୟା ସହ ମାର୍କେଟ୍ ବି ଯାଉଥିଲା । ତନ୍ମୟ ଆସିବ କହିଥିଲା ରବିବାର ସକାଳେ । ଯୋଜନା ମୁତାବକ ସୁକନ୍ୟା ଓ ବୁନି ସକାଳୁ ବାହାରି ଯାଇଥିଲେ ବସ୍ ଷ୍ଟାଣ୍ଡ୍ ପାଖକୁ । ସେହି ପାଖ ଗୋଟେ ଛୋଟ ରେସ୍ତୋରାଁରେ ବ୍ରେକଫାଷ୍ଟ୍ ପାଇଁ ଅର୍ଡର୍ ଦେଇ ତିନିହେଁ ବସିଥିଲେ, ମୋନାଲି ଗୋଟେ ପିଲାର ହାତ ଧରି ଯାଉଥିବାର ସୁକନ୍ୟା ଦେଖିଲା । ପିଲାଟାର ମୁହଁ ଦେଖିବା ପୂର୍ବରୁ ସେମାନେ ସେଠୁ ଅଦୃଶ୍ୟ ହେଇଯାଇଥିଲେ ।

ତନ୍ମୟର ସେଦିନର ବ୍ୟବହାର ସୁକନ୍ୟାକୁ ଆଚମ୍ବିତ କରିଥିଲା । ତନ୍ମୟ ସେଦିନ ଟିକେ ଅଧିକ ନମ୍ର, ଅଧିକ ଯତ୍ନଶୀଳ ଓ ଅଧିକ ମାର୍ଜିତ ବ୍ୟବହାର ଦେଖାଇଥିଲା । ବୁନି ଆଡ଼କୁ ବାରମ୍ବାର ଦେଖୁଥିଲା ଓ ବୁନିକୁ ଆଉ କ'ଣ ଦରକାର ପଚାରୁଥିଲା । ବୁନି ଓ ତନ୍ମୟଙ୍କର ବାୟୋଲୋଜି ପାଠର ଗଭୀର ଆଲୋଚନା ଶୁଣି ସୁକନ୍ୟାର ଓଠରୁ ହସ ଉଡ଼ିଯାଇଥିଲା । ସେଦିନ ସେ ମନ ଭିତରେ ଅନେକ କଷ୍ଟ ଅନୁଭବ କରିଥିଲା । ତନ୍ମୟ କିମ୍ବା ବୁନି ସେ ବିଷୟରେ କିନ୍ତୁ ସାମାନ୍ୟ ଟିକେ ବି ଆଭାସ ପାଇନଥିଲେ ।

ପ୍ରାକ୍ଟିକାଲ୍ ପରୀକ୍ଷା ସରିବା ପୂର୍ବରୁ ସୁକନ୍ୟା ଲେଡିଜ୍ ହଷ୍ଟେଲକୁ ଥରେ ଯାଇଥିଲା । ମୋନାଲି ସହ ଦେଖାକଲା । ସେ ଭାବିଥିଲା ମୋନାଲି ତା' ଉପରେ ରାଗିଥିବ । କିନ୍ତୁ ନା, ମୋନାଲି ସୁକନ୍ୟା ଉପରେ ଆଦୌ ରାଗ ରଖିନଥିଲା । ବରଂ ସୁକନ୍ୟାକୁ ଦେଖି ଖୁବ୍ ଖୁସି ହେଇଗଲା । ମୋନାଲିର ବାପା ତା' ଠାରୁ ମୋବାଇଲ୍ ଛଡ଼େଇନେବା ପରେ ଲଳିତ୍ ତାକୁ ନୂଆ ମୋବାଇଲଟେ ଗିଫ୍ଟ୍ କରିଛି । ମୋନାଲି ହସି ହସି ତା' ନୂଆ ମୋବାଇଲ୍ ଦେଖେଇ କହୁଥିଲା । ମୋନାଲିର ହସ ହସ ମୁହଁକୁ ଦେଖି ସୁକନ୍ୟା ଭାବୁଥିଲା, "ପ୍ରେମ ସତରେ କ'ଣ କାହାକୁ ଏତେ ବଦଳେଇ ଦେଇପାରେ !"

ଦୁଇଦିନ ପରେ ମୋନାଲି ହଷ୍ଟେଲ୍ ଛାଡ଼ିଦେବ । ପ୍ଲସ୍ ଥ୍ରୀରେ କୋଉଠି ଆଡମିଶନ୍ ନେବ ସେକଥା ସେ ପରେ ଭାବିବ ବୋଲି କହିଲା । ସୁକନ୍ୟା ପ୍ଲସ୍ ଥ୍ରୀ ନପଢ଼ି ପ୍ରିପାରେସନ୍ କରିବା କଥା ତାକୁ କହିଲା । ଲଳିତ୍ ର ଏମ୍.ସି.ଏ ସରିଯାଇଛି । ସେ ଚାକିରୀ ପାଇଁ ସିଲେକ୍ଟ୍ ବି ହେଇଯାଇଛି । ଖୁବ୍ ଶୀଘ୍ର ହାଇଦ୍ରାବାଦ୍ ଚାଲିଯିବ । ମୋନାଲିକୁ ଥରେ ଦେଖାକରି ଯିବ ବୋଲି ମୋନାଲି ପରୀକ୍ଷା ପରେ ଘରକୁ ନଯାଇ ଆହୁରି ଦୁଇଦିନ ଅପେକ୍ଷା କରି ରହିଛି ।

ସୁକନ୍ୟା ସେଦିନ ମୋନାଲି ସହ ବହୁତ ଅଳ୍ପ କଥାବାର୍ତ୍ତା କଲା । ମୋନାଲି ଯାହା କହିଲା ବାସ୍ ସେତିକି ଶୁଣିଲା ଓ ଘରେ ବାପା ଅପେକ୍ଷା କରିଛନ୍ତି କହି ସେ ହଷ୍ଟେଲରୁ ବାହାରି ଆସିଲା । ଗେଟ୍ ପାଖରେ କାର୍ ଟେ ରହିଥିଲା । ସାତ ଆଠ ଜଣ ଝିଅ ଓ ରୋଷେଇ ମାଉସୀ ଗାଡ଼ିକୁ ଘେରି ଠିଆ ହେଇଥିଲେ । ସୁକନ୍ୟା ଟିକେ ପାଖରେ ପହଞ୍ଚି ଦେଖିଲା ରୋଜି ହଷ୍ଟେଲରୁ ବିଦାୟ ନେଉଛି । ତାକୁ ତା' ରୁମମେଟ୍ ମାନେ କୁଣ୍ଢେଇ ଧରି କାନ୍ଦୁଛନ୍ତି । ସୁକନ୍ୟା ଆଗେଇ ଯାଉଥିଲା ତା' ସ୍କୁଟି ଆଡ଼କୁ । ପଛରୁ ରୋଜି ଦୌଡ଼ି ଆସି ତା' ହାତକୁ ଧରି ପକେଇଲା । ସୁକନ୍ୟା ଦେଖିଲା ରୋଜିର ଆଖି ଲୁହରେ ଟଳମଳ । ସୁକନ୍ୟା କିଛି ସମୟ ସେମିତି ରୋଜିକୁ ଚାହିଁ ରହିଲା । ରୋଜି ବି କିଛି ନକହି ଲୁହ ଭର୍ତ୍ତି ଆଖିରେ ଠିଆ ହେଇଥିଲା । କିଛି ମିନିଟର ନୀରବତାକୁ ଭାଙ୍ଗି ରୋଜି କହିଲା, "ଯାଉଛି ସୁକନ୍ୟା । ଆଉ କେବେ ଦେଖା ହେବ କି ନାହିଁ କେଜାଣି" ।

ସୁକନ୍ୟାର ଆଖି ବି ଲୁହ ଛଳଛଳ ହେଇଗଲା । ସେ ଆସ୍ତେ କରି ରୋଜିର ହାତକୁ ଧରି କହିଲା, "ପୃଥିବୀ ଗୋଲ୍ ବୋଲି ଶୁଣିନୁ କି ? ଯୋଉଠି ହେଲେ ପୁଣି ଦେଖା ହେବ ଆମର । ଯାଉଛି ନୁହେଁ, ଆସୁଛି କହନ୍ତି" ।

ରୋଜି ଏଥର ଟିକେ ହସିଲା ଓ କହିଲା, "ଓକେ, ସରି, ଆସୁଛି । ମୋ ଉପରେ ରାଗିନୁ ତ ? "

ସୁକନ୍ୟା ମୁଣ୍ଡ ହଲେଇ 'ନା' କହିଲା ।

ପଛରୁ ରୋଜିର ବାପା ଡାକୁଥିଲେ । ସେ ଯିବାକୁ ବାହାରିଲା ବେଳେ ସୁକନ୍ୟାକୁ କହିଲା, "ହଉ ତାହେଲେ ଆସିଲି । ରାଗିନୁ ଯଦି ଆମ ଘର ନମ୍ବରରେ ଫୋନ୍ କରି ତୋ ନମ୍ବର୍ ଦେବୁ । ତୁ ଯୋଉଥିପାଇଁ ରାଗିଥିଲୁ ସେ ଆଉ ମୋ ସହ କଣ୍ଟାକ୍ଟ୍ ରେ ନାହିଁ । ସତ କହୁଛି ଲୋ ନାହିଁ" ।

ସୁକନ୍ୟା ଏଥର ଦେଖିଲା ରୋଜିର ଆଖିରେ ପଶ୍ଚାତାପର ଲୁହ, ଅବଶୋଷର ଲୁହ । ସୁକନ୍ୟା ତାକୁ ଟିକେ ସମୟ କୁଣ୍ଢେଇ ଧରି ଛାଡ଼ି ଦେଲା । ରୋଜି ହାତ ହଲେଇ ଗାଡ଼ିରେ ବସିଲା । ସୁକନ୍ୟା ସ୍କୁଟି ଷ୍ଟାର୍ଟ୍ କରି ଘର ଆଡ଼େ ଚାଲିଲା ।

ରବିବାର ସକାଳୁ ଖବରକାଗଜ ବାଲା ଖବରକାଗଜ ପକେଇଦେଇ ଯାଇଥିଲା । ସୁବ୍ରତଙ୍କର ଅଭ୍ୟାସ ଖୁବ୍ ସକାଳୁ ଉଠି ଚା' ପିଇ ପେପର୍ ପଢ଼ିବା । ସେ ପେପର୍ ପଢୁଥିଲେ । ରବିବାର ସାହିତ୍ୟ ପୃଷ୍ଠାରୁ କବିତାଟିଏ ପଢି ମୁଗ୍ଧ ହେଇ କହୁଥିଲେ, "ବାଃ ବାଃ ବାଃ..କି ସୁନ୍ଦର କବିତା ! ଆଜିକାଲିର ଯୁବ କବିମାନେ ଏତେ ସୁନ୍ଦର କବିତା ଲେଖୁଛନ୍ତି ନା ! ସତରେ ପ୍ରଶଂନୀୟ । "

ସୁକନ୍ୟା ଶୋଇକି ଉଠିଥିଲା । ଡ୍ରଇଂରୁମ୍ କୁ ଉଠିଯାଇ ପଚାରିଲା, "କାହାକୁ ଏତେ ପ୍ରଶଂସା କରୁଛ ବାପା ? "

-- ଏଇ କବିତାଟାକୁ ଆଉ ତାକୁ ଲେଖିଥିବା କବି ପ୍ରୀତମ୍ ମହ୍ଲାରଙ୍କୁ ।

ପ୍ରୀତମ୍ ମହ୍ଲାର ନାଁ ଶୁଣି ସୁକନ୍ୟା ଚମକି ଉଠିଲା । ପେପର୍ ଟା ସୁବ୍ରତଙ୍କ ହାତରୁ ଟାଣିନେଇ ଦେଖିଲା । କବିତାଟା ପଢିଲା । କିଛି ବୁଝିପାରିଲାନି । ମନେ ମନେ ଭାବିଲା, "ଏସବୁ କବିତାର ଶବ୍ଦ ଓ ଧାଡ଼ିର ମାନେ ଲୋକମାନେ କେମିତି ବୁଝନ୍ତି ଯେ ? "

ସୁବ୍ରତ ପଚାରିଲେ, "କ'ଣ ବୁଝିଲୁ? "

"ଛେନାଗୁଡ଼ ", ସୁକନ୍ୟା କହିଲା ଓ ସେଇଠି ସୋଫା ଉପରେ ସୁବ୍ରତଙ୍କ ପାଖରେ ବସିଗଲା । ସୁବ୍ରତ ହସି ହସି ସୁକନ୍ୟାର ମୁଣ୍ଡ ଆଉଁସି ଦେଲେ । ସୁକନ୍ୟା ତା'ପରେ ପଚାରିଲା, "ଆଚ୍ଛା ବାପା, ତୁମେ କେମିତି ଜାଣିଲ ଇଏ ଜଣେ ଯୁବ କବି ? ଏଠି ତ କବିଙ୍କର ଫୋଟୋ ଛପା ହେଇନି କି କବିଙ୍କ ଜନ୍ମ ତାରିଖ ବି ଲେଖା ହେଇନି । କେମିତି ଜାଣିଲ ?"

"ଉପରେ ପା କବିଙ୍କ ବିଷୟରେ ଅଳ୍ପ ଲେଖା ହେଇଛି । ତାଙ୍କ ଜନ୍ମ ତାରିଖ ଆଉ ଶିକ୍ଷାଗତ ଯୋଗ୍ୟତା ବି । ହେଇ ଦେଖୁନୁ ", କହି ସୁବ୍ରତ ଏକ ନିର୍ଦ୍ଧିଷ୍ଟ କୋଣରେ ଟିପ ଲଗେଇ ସୁକନ୍ୟାକୁ ଦେଖେଇଦେଲେ ।

ସୁକନ୍ୟା ସାହିତ୍ୟ ପୃଷ୍ଠାଟା ଧରି ନିଜ ପଢ଼ାଘରକୁ ଯାଇ ବୁନିକୁ ଫୋନ୍ ଲଗେଇଲା । ବୁନିର ଫୋନ୍ ୱେଟିଂ ବତେଇଲା । ପେପରଟାକୁ ଟେବଲ୍ ଉପରେ ଥୋଇ ଦେଇ ସୁକନ୍ୟା କିଛି ସମୟ ମୋବାଇଲଟା ଧରି ଟିପାଟିପି କଲା ପରେ ତନ୍ମୟ ସହ କଥା ହେବାକୁ କବାଟ ବନ୍ଦ୍ କରି ତନ୍ମୟର ନମ୍ବର୍ ଲଗେଇଲା । ତନ୍ମୟ ମଧ୍ୟ କାହା ସହ ବ୍ୟସ୍ତ ଅଛି । ସେ ପୁଣି ବୁନିର ନମ୍ବର୍ ଡାୟେଲ୍ କଲା । ବୁନିର ନମ୍ବର୍ ବ୍ୟସ୍ତ ଥିବା କହୁଥିଲା କିନ୍ତୁ ସେହି ସଙ୍ଗେ ସଙ୍ଗେ ସେ ହଠାତ୍ ସୁକନ୍ୟାର କଲକୁ କାଟିଦେଲା । ସୁକନ୍ୟା ଆଶ୍ଚର୍ଯ୍ୟ ଓ ରାଗରେ ଫୋନଟାକୁ ବେଡ୍ ଉପରେ କଚାଡ଼ି ଦେଇ ସାହିତ୍ୟ ପୃଷ୍ଠାର ସେହି କବିତା "ତୁମେ ଅଛ ଅଥଚ ନାହଁ" କୁ ଆଉଥରେ ପଢି ବୁଝିବାକୁ ଚେଷ୍ଟା କଲା ।

(କ୍ରମଶଃ...)

ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୨୬)