ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୨୬)

ନୂଆ ପ୍ରଜନ୍ମର କଥାକାର ଲୋପାମୁଦ୍ରା ମିଶ୍ରଙ୍କ ଉପନ୍ୟାସ "ଚିତ୍ରଲିପି" ଧାରାବାହିକ ଭାବେ ପ୍ରକାଶ ପାଉଛି । ପ୍ରତିଦିନ ଏହି ଉପନ୍ୟାସର ଏକ ଏକ ଅଧ୍ୟାୟ ଆପଣମାନେ "ବାଟୋଇ"ରେ ପଢୁଛନ୍ତି ।


(ପୂର୍ବ ପ୍ରକାଶିତ ଉତ୍ତାରୁ)

ଡ୍ରଇଂରୁମ୍ ର ଝର୍କା ଦେଇ ହାଲ୍କା ହାଲ୍କା ପବନ ପଶିଆସୁଛି । ଉପର ଫ୍ୟାନଟା କଟକଟ ଶବ୍ଦ କରି ଘୁରୁଛି । ଟିଭିରେ ସକାଳର ଖବର ଓ ରାଶିଫଳ ଚାଲିଛି । ସ୍ନେହାଙ୍କ କିଚେନ୍ ର ଗ୍ୟାସ୍ ଚୁଲ୍ଲାରେ ସକାଳୁ ଏହି ତୃତୀୟ ଥର ପାଇଁ ଚା' ଫୁଟୁଛି । ଚା' ବନେଇ ସାରି ମାଧବୀ ପ୍ଲେଟରେ ସିଙ୍ଗଡ଼ା ଓ ପକୁଡି ସଜାଡ଼ିଲେ । ସୁକନ୍ୟା ଆସି ରୋଷେଇ ଘର କାନ୍ଥକୁ ଆଉଜି ଠିଆ ହେଲା । ମାଧବୀ ତା' ହାତରେ ପ୍ଲେଟ୍ ଧରେଇ କହିଲେ, "ସେଇ ଯେଉଁ ବାବୁ ବସିଛନ୍ତି ମମିଙ୍କ ପାଖରେ, ଯାଅ ତାଙ୍କୁ ଦେଇଆସିବ । ମୁଁ ତୁମର ଆଉ ଦୀପୁବାବାଙ୍କର ଜଳଖିଆଟା ତିଆରି କରୁଛି । "

ପ୍ଲେଟଟା ହାତରେ ଧରୁ ଧରୁ ସୁକନ୍ୟା କହିଲା, "ବିରିବରା ବି ତ ଆସିଥିଲା । ସେଥିରୁ ଦୁଇଟା ଦେଉନ" । ମାଧବୀ ଚଟାପଟ କହିପକେଇଲେ, "ନା ନା ସେ ବିରିବରା ଖାଆନ୍ତିନି " ।

-- ତୁମେ କେମିତି ଜାଣିଲ ?

ମାଧବୀ ଆଉ କିଛି ନକହି ହଡବଡେଇ ଯାଇ ଦୁଇଟା ବରା ପ୍ଲେଟରେ ଥୋଇଦେଲେ ।

ସୁକନ୍ୟାକୁ ଡ୍ରଇଂରୁମ୍ ଆଡ଼କୁ ଆସୁଥିବାର ଦେଖି ସ୍ନେହା ଉଠିଗଲେ ଓ ପ୍ଲେଟଟା ତା' ହାତରୁ ଆଣୁ ଆଣୁ କହିଲେ, "ତୁ କାହଁକି ଆଣିଲୁ ? ମାଉସୀ କ'ଣ କରୁଛନ୍ତି କି ? "

-- ସେ ଆମ ପାଇଁ ପରଟା ତିଆରି କରୁଛନ୍ତି ।

ସେଣ୍ଟର୍ ଟେବଲ୍ ଉପରେ ଜଳଖିଆ ପ୍ଲେଟଟା ରଖି ସ୍ନେହା କଲ୍ଲୋଳକୁ ଖାଇବାକୁ କହିଲେ । କଲ୍ଲୋଳ ଲାଜେଇ ଯାଇ କହିଲା, "ମାଡାମ୍ ଏସବୁର କ'ଣ ଦର୍କାର ଥିଲା ? "

-- ଏଇ ଅଳ୍ପ ଟିକେ ଯାହା ।

-- ମାମ୍ ପ୍ଲିଜ୍ ମାଇଣ୍ଡ୍ କରିବେନି । ବିରିବରାଟା ନେଇଯାଆନ୍ତୁ । ମୁଁ ଖାଏନି, ତ କାହଁକି ନଷ୍ଟ କରିବି ?

ସୁକନ୍ୟାକୁ ଶୁଭିଲା "ବିରିବରା ମୁଁ ଖାଏନାହିଁ " । ମାଧବୀଙ୍କର ଆଜିର କଥାବାର୍ତ୍ତା ଓ ହାବଭାବ ଉପରେ ତା'ର ସନ୍ଦେହ ହେଲା । ଅତିଥି ଘରେ ଥିବାରୁ ସେ ସେତେବେଳେ ତାଙ୍କୁ କିଛି ପଚାରିଲାନାହିଁ ।

ଅଫିସ୍ ର କେତେଟା ଫାଇଲ୍ ଧରି ସ୍ନେହା ଓ କଲ୍ଲୋଳ ଡ୍ରଇଂରୁମ୍ ରେ ଦୁଇଘଣ୍ଟା ଯାଏଁ ବସି ଆଲୋଚନା କରି ବାକିଆ କାମ ସବୁ ସାରିଦେଲେ । କାମଟା ସ୍ନେହାଙ୍କର ଥିଲା ଓ କଲ୍ଲୋଳ ତାଙ୍କୁ ସାହାଯ୍ୟ କରିବାକୁ ଆସିଥିଲା । କାମ ସରିଲା ପରେ ସ୍ନେହା ଦୁଇ ଗ୍ଲାସ୍ କୋଲ୍ଡଡ୍ରିଙ୍କ୍ ଆଣି ଆସିଲେ । ଉଭୟ ପିଇଲେ । କଲ୍ଲୋଳ ହାତ ଘଣ୍ଟା ଦେଖି ଯିବାକୁ ଉଠିଲା । ସ୍ନେହା ତା'କୁ ଧନ୍ୟବାଦ ଜଣାଇ ଗେଟ୍ ପାଖକୁ ଗଲେ ବାଟେଇ ଦେଇ ଆସିବା ପାଇଁ ।

ଫେରିଆସି ଦେଖିଲେ ସୁକନ୍ୟା ଡ୍ରଇଂରୁମ୍ ରେ ବସି ଟିଭି ଦେଖୁଛି । ଦୀପୁ ବ୍ୟାଟ୍ ଧରି ଖେଳିବାକୁ ବାହାରିଛି । ସ୍ନେହାଙ୍କୁ ବିରକ୍ତି ଲାଗିଲା । ସେ ପ୍ରଥମେ ଦୀପୁ ଉପରେ ଚିଡ଼ିଉଠି କହିଲେ, "ଏଇ ସମୟରେ କିଏ ଖେଳିବାକୁ ଯାଏ ? ବ୍ୟାଟ୍ ରଖି ଯାଆ ପଢ଼ିବୁ " ।

ଦୀପୁ ବି ରାଗିଯାଇ କହିଲା, "ରବିବାରରେ ଦିନ ଏଗାରଟା ବେଳେ କିଏ ବହି ଖୋଲି ବସେ ? ମୁଁ ସକାଳୁ ପଢୁଛି, ଆଉ ପଢ଼ିବିନି । ଯାଉଛି ଖେଳିବାକୁ । ଘଣ୍ଟାଏ ଭିତରେ ପଳେଇଆସିବି" ।

"ଆରେ, ଏତେ ଖରାରେ କି ଖେଳ ? ଉପରବେଳା ଯିବୁ ରହ" ।, ସ୍ନେହା କଅଁଳେଇ କହିଲେ ।

ଦୀପୁ ଗୋଡ଼ ହାତ ଛାଟି କହିଲା, "ନାଇଁ ନାଇଁ ମୁଁ ଏବେ ଯିବି । ଏବେ ଖେଳ ହେଉଛି । ମୁଁ ଶୀଘ୍ର ଫେରିଆସିବି ।"

ସ୍ନେହା ଆଉ କିଛି କହିଲେ ନାହିଁ । ଦୀପୁ ଦୌଡ଼ି ଦୌଡ଼ି ଚାଲିଗଲା । ସୁକନ୍ୟା ସୋଫା ଉପରେ ଗୋଡ଼ ଟେକି ବସି ଟିଭି ଦେଖୁଥିଲା । ସ୍ନେହା ତା' ପାଖକୁ ଯାଇ କହିଲେ, "ଭଲକରି ବସୁନୁ । ଏମିତି ଗୋଟେ କ'ଣ ବସିଛୁ ? ତୋର ପା ପରୀକ୍ଷା ? ତୁ ଟିଭି ପାଖରେ ବସିଗଲୁ କାହିଁକି ? "

"ମୋର ସବୁ ରିଭିଜନ୍ ସରିଲାଣି ମମି", କହିଦେଇ ଟିଭିକୁ ଅନେଇଲା ସୁକନ୍ୟା । ସ୍ନେହା ତାଙ୍କ ରୁମ୍ କୁ ଯାଇ ଲୁଗାପଟା ଓ ଟାୱେଲ ଧରି ବାଥରୁମ୍ ରେ ପଶିଗଲେ । ପ୍ରତି ରବିବାର ସେ ବାଳକୁ ସାମ୍ପୁ କରି ସଫା କରନ୍ତି ଓ ସନ୍ଧ୍ୟାରେ ପାର୍ଲର୍ ଯାଆନ୍ତି ।

ମାଧବୀ ରୋଷେଇ ସାରି ସୁକନ୍ୟାର ରୁମ୍ କୁ ଯାଇ ତା' ବହି ଖାତା ଓ ଡ୍ରେସ୍ ସଜାଡ଼ି ରଖିଦେଲେ । ସେଇଠି ସେ ଚଟାଣରେ ସପଟାଏ ପକେଇ ଗଡୁଥିଲେ ସୁକନ୍ୟା ଯାଇ ପହଞ୍ଚିଲା ।

"ମାଉସୀ, ତୁମେ ସେ ପିଲାକୁ କେମିତି ଚିହ୍ନିଲ? ", ସୁକନ୍ୟା ଚଢାଗଳାରେ ମାଧବୀଙ୍କୁ ପଚାରିଲା ।

ମାଧବୀ କିଛି ନଜାଣିଲା ଭଳି କହିଲେ, "କୋଉ ପିଲା କଥା କହୁଛ ସୁକମାଆ ? "

-- ସେଇ ଯିଏ ଆଜି ମମିଙ୍କ ପାଖକୁ ଆସିଥିଲା । ଯିଏ ବିରିବରା ଖାଏନାହିଁ । ସେହି ପିଲା । କ'ଣଟି ତା' ନାଁଟା... ହଁ ହଁ କଲ୍ଲୋଳ । ତା'କୁ କେମିତି ତୁମେ ଚିହ୍ନିଲ ?

ମାଧବୀ କିଛି ସମୟ ଆବାକ୍ ହୋଇ ସୁକନ୍ୟାକୁ ଚାହିଁରହିଲେ, କିଛି କହିଲେନାହିଁ । ସୁକନ୍ୟା ତାଙ୍କୁ ବାରମ୍ବାର ସେହି କଥା ପଚାରିଲାରୁ ସେ କହିଲେ, "ମୁଁ ତାକୁ ଜାଣେନି " ।

ସୁକନ୍ୟା କିନ୍ତୁ ଜୋର ଦେଇ କହିଲା, "ମୁଁ ଜାଣେ ତୁମେ ତାକୁ ଜାଣିଛ । ତୁମେ ମୋତେ କୁହ ତାକୁ କେମିତି ଜାଣିଲ, ମୁଁ ସତ କହୁଛି କାହାକୁ କହିବିନି । ଆଉ ଯଦି ମୋତେ ତୁମେ କହିବନାହିଁ, ମୁଁ ସିଧା ଯାଇ ସେ କଲ୍ଲୋଳକୁ ପଚାରିବି ।

ମାଧବୀ ଦ୍ଵିଧାରେ ପଡିଗଲେ । ଆସ୍ତେ କରି କହିଲେ, "ମୁଁ ଜାଣେ ତୁମେ କାହାକୁ କହିବନି । କିନ୍ତୁ ଏବେ କହିବାର ସମୟ ନୁହେଁ । ମୁଁ ପରେ କେବେ କହିବି ଯେବେ ତୁମ ମମି ଘରେ ନଥିବେ । ହେଲା " ।

ତଥାପି ସୁକନ୍ୟାର ମନ ବୁଝିଲାନାହିଁ । ସେ ଜିଦ କଲା ଜାଣିବାକୁ କଲ୍ଲୋଳ ମାଧବୀଙ୍କର କ'ଣ ହୁଏ ।

ମାଧବୀ ବାଧ୍ୟ ହେଇ କହିଲେ, "ସେ ମୋ ପୁଅ । ସେ ଦିନେ ଥିଲା ମୋ ନୟନର ପିତୁଳା । ଏବେ ପାଇଁ ଖାଲି ଏତିକି ଜାଣିଥାଅ । ବାକି ପରେ କହିବି । ଯାଉଛି । ତୁମ ମମି ଗାଧୋଇ ସାରିବେଣି, ମାଛ ତରକାରୀଟା ତାଙ୍କୁ ଦେଖେଇବି । ଦୀପୁବାବାଙ୍କୁ ଖେଳ ପାଖରୁ ବି ଡାକିବାକୁ ଯିବାକୁ ପଡ଼ିବ" ।

ରବିବାର ସରିଗଲା । ମାଧବୀ ଭଲ ମାଛ ଝୋଳ ରାନ୍ଧନ୍ତି । ପ୍ରତି ରବିବାର ସ୍ନେହା ମାଧବୀଙ୍କୁ ମାଛ ରାନ୍ଧିବାକୁ କହିଥାନ୍ତି । ଏ ରବିବାରରେ କିନ୍ତୁ ମାଛ ତରକାରୀରେ ସେ ମାଧବୀ ମାର୍କା ସ୍ୱାଦ ନଥିଲା । ଦିନ ଯାକ ମାଧବୀ ଖୁବ୍ ଗୁମସୁମ୍ ରହୁଥିଲେ । ରାତିରେ ସେ ଡ୍ରଇଂରୁମ୍ ରେ ଶୋଇଲେ, ସୁକନ୍ୟାର ପଢ଼ାଘରକୁ ଆସିଲେନାହିଁ । ତନ୍ମୟ ସହ ଦଶମିନିଟ୍ କଥା ହେଇସାରି ସୁକନ୍ୟା ଗଲା ମାଧବୀଙ୍କ ପାଖକୁ । ସେ ପେଟେଇ ଶୋଇଥିବା ଭଳି ଅଭିନୟ କରୁଥିଲେ । ପ୍ରକୃତରେ ତକିଆରେ ମୁହଁ ମାଡ଼ି କାନ୍ଦୁଥିଲେ । ଅନ୍ଧାରରେ ଲୁହ ଆଉ ଦୁଃଖକୁ ଲୁଚେଇବାର ବୃଥା ଚେଷ୍ଟା ତାଙ୍କର ସୁକନ୍ୟା ଆଗରେ ଧରା ପଡିଗଲା । କିନ୍ତୁ ସୁକନ୍ୟାର ବୟସ କମ । ସେ ଛୋଟପିଲା । ତା' ପାଖରେ ନିଜ ଅତୀତର ଦୁଃଖ କାହାଣୀକୁ କହି ହାଲ୍କା ହେଇଯିବାକୁ ମାଧବୀ କୁଣ୍ଠାବୋଧ କଲେ । ସୁକନ୍ୟା ପୁଣି ନିଜ ରୁମ୍ କୁ ଫେରିଆସିଲା ।

ଶୋଇଲାବେଳେ ସୁକନ୍ୟା ଭାବୁଥିଲା, "ଏ ମାଧବୀ ମାଉସୀ ଜଣେ ରହସ୍ୟମୟୀ ନାରୀ । ତାଙ୍କ କଥାବାର୍ତ୍ତା, ଚାଲିଚଳନରୁ ଲାଗନ୍ତି ସେ ନିଶ୍ଚୟ ଜଣେ ଶିକ୍ଷିତ ପରିବାରର ମହିଳା ହେଇଥିବେ । ମୋନାଲି ବି କହୁଥିଲା, ତୁମ ମାଧବୀ ମାଉସୀ ତ କାହିଁ ଚାକରାଣୀ ଭଳି ଲାଗୁନାହାଁନ୍ତି ! କଲ୍ଲୋଳ ଯଦି ତାଙ୍କ ନିଜ ପୁଅ, ତାହେଲେ ଇଏ କାହଁକି ଆମ ଘରେ କାମ କରୁଛନ୍ତି ? କଲ୍ଲୋଳର ସରକାରୀ ଚାକିରୀ ଅଛି, ନେଇ ପାଖରେ ରଖୁନି କାହିଁକି ନିଜ ମାଆକୁ ? ଭଲ ହେଇଛି ନନେଉ, ଆମ ଘରେ ତ ସେ କେତେ ଭଲରେ ଅଛନ୍ତି । ଆମକୁ କେତେ ସ୍ୱାଦିଷ୍ଟ ଖାଇବା ରାନ୍ଧି ପରସିଦେଉଛନ୍ତି । ମମି କେବେ ବି ଏମିତି କରିପାରିବେନାହିଁ " ।

ଫାର୍ଷ୍ଟ୍ ଇୟର୍ ପରୀକ୍ଷାରେ ସୁକନ୍ୟା ଭଲ କରିଥିଲା । ଖରା ଛୁଟିରେ ହଷ୍ଟେଲ୍ ବନ୍ଦ୍ । ମୋନାଲି ଘରକୁ ପଳେଇଥିଲା । ହଷ୍ଟେଲ୍ ପିଲାମାନେ ସମସ୍ତେ ଘରକୁ ପଳେଇଥିଲେ । କୋଚିଂ କିନ୍ତୁ ଖୋଲା ରହିଥିଲା । ଲୋକାଲ୍ ପିଲା ଯାଉଥିଲେ । ଯେଉଁମାନଙ୍କ ଘର ବେଶି ଦୂର ନୁହଁ ସେମାନେ ବି ବସ୍, ଟ୍ରେକର୍ ରେ ଆସୁଥିଲେ । କିନ୍ତୁ ଦୂର ପିଲାମାନେ ଆଉ ଆସୁନଥିଲେ । କଲେଜ୍ ଛକରେ କୋଳାହଳ କମି ଯାଇଥିଲା । ଦୀପୁ ସେ ବର୍ଷ ଅଷ୍ଟମକୁ ଯାଇଥିଲା । ସେ ମଧ୍ୟ ସୁକନ୍ୟାର କୋଚିଂସେଣ୍ଟରକୁ ପଢ଼ିବାକୁ ଯିବା ଆରମ୍ଭ କରିଦେଇଥିଲା । ଭାଇ, ଭଉଣୀଙ୍କର ସମୟ ଅଲଗା ଅଲଗା । ଦୀପୁର ଆଗ ଛୁଟି ହେଇଯାଏ, ସେ ସବୁଦିନ ଦିଦିକୁ ଅପେକ୍ଷା କରି ଇନ୍ଷ୍ଟିଟ୍ୟୁଟ୍ ର ସ୍କୁଟର୍, ସାଇକଲ୍ ଷ୍ଟାଣ୍ଡରେ ଦିଦିର ସ୍କୁଟି ଉପରେ ବସିଥାଏ ।

ସେଦିନ ଦୀପୁ ସାଇକଲ୍ ଷ୍ଟାଣ୍ଡରେ ଦିଦିକୁ ଅପେକ୍ଷା ନକରି ରାସ୍ତା ଆରପଟ ଭେରାଇଟି ଷ୍ଟୋରକୁ ଚାଲିଯାଇଥିଲା । ଦେଖିଲା ଦୋକାନ ଠାରୁ ଟିକେ ଦୂରରେ ମାଧବୀ ମାଉସୀ କାହା ସହ କଥା ହେଉଛନ୍ତି । ଭଲକରି ଦେଖିଲାରୁ ଜାଣିଲା ପିଲାଟା ତାଙ୍କ ଘରକୁ ମମିଙ୍କ ପାଖକୁ ଦିନେ ଆସିଥିଲା । ସେ ପିଲାଟା କିଛି ଟଙ୍କା ମାଧବୀଙ୍କ ହାତରେ ଗୁଞ୍ଜିଦେଲା । ମାଧବୀ ଟଙ୍କା ତକ ରଖି ପିଲାଟାର ଗାଲ ଓ ମୁଣ୍ଡରେ ହାତମାରି ରାସ୍ତା ପାରକରି ଆରପଟ ପରିବା ଦୋକାନ ଆଡକୁ ଚାଲିଗଲେ ।

କୋଚିଂରୁ ଫେରିବା ବାଟରେ ଦୀପୁ ସୁକନ୍ୟାକୁ କହିଲା, "ଜାଣିଛୁ ଦିଦି, ଏ ମାଧବୀ ମାଉସୀ ନା ଭାରି ବଦମାସ । ଆମେ ତାଙ୍କୁ ଟଙ୍କା ପଇସା ଦେଉନୁ କହି ସେ ମମିଙ୍କ ଷ୍ଟାଫଙ୍କୁ ଟଙ୍କା ମାଗୁଛନ୍ତି । ଛିଃ, କେତେ ବାଜେ ଲୋକ ମ ସେ ! ଆଜି ମୁଁ ମମିଙ୍କୁ କହିବି ।"

ଦୀପୁର କଥା ଶୁଣି ସୁକନ୍ୟା ବୁଝିଗଲା ମମିଙ୍କର ସେ ଷ୍ଟାଫ୍ କଲ୍ଲୋଳ ବ୍ୟତୀତ ଆଉ କେହି ନୁହେଁ । ସେ ଦୀପୁକୁ ଅନୁରୋଧ କଲା, "ନା ନା ପ୍ଲିଜ୍ ତୁ ମମିଙ୍କୁ କିଛି କହିବୁନି । ମମି ଜାଣିଲେ ମାଉସୀଙ୍କୁ ଘରୁ ବାହାର କରିଦେବେ । ମାଉସୀ ପଳେଇଲେ ତୋତେ ସକାଳୁ ସକାଳୁ ଆଳୁ ପରଟା କରି କିଏ ଖୁଆଇବ ? ସନ୍ଧ୍ୟାରେ ଆମ ପାଇଁ ଆଳୁଦମ୍, ବରା କିଏ ବନେଇବ ? ତୋତେ ଆଉ ମୋତେ ଯାହା ଯାହା ଭଲ ଲାଗେ କିଏ ରାନ୍ଧନ୍ତି ? ମାଉସୀ ନା ? ମମି କ'ଣ କରିବେ ? ଦୋକାନରୁ ଆଣି ଦେଇଦେବେ । ବୁଝୁଛୁ କି ନାହିଁ ? ମାଉସୀ ଯାହା କରୁଛନ୍ତି କରନ୍ତୁ ଆମକୁ ତ ଭଲ ପାଉଛନ୍ତି ନା !"

ଦୀପୁ 'ହୁଁ ' କହି ଚୁପ୍ ରହିଲା । ତଥାପି ସୁକନ୍ୟାର ଭୟ ଥିଲା କାଳେ ଦୀପୁ ଘରେ କିଛି କହିଦେବ । ଦୀପୁ କିନ୍ତୁ ସବୁକଥା ଖୁବ୍ ଶୀଘ୍ର ଭୁଲିଯାଏ । ସେ ସେକଥାକୁ ଭୁଲିଗଲା । ସୁକନ୍ୟା କିନ୍ତୁ ଏକୁଟିଆ ଦେଖି ମାଧବୀଙ୍କୁ କଲ୍ଲୋଳ ଠାରୁ ଟଙ୍କା ଆଣିବା କଥା ପଚାରିଲା । ମାଧବୀ ଥରିଲା ଗଳାରେ କହିଲେ, "ମୁଁ ତାକୁ ମାଗିନାହିଁ । ସେ ରାସ୍ତାରେ ଦେଖା ହେଇଗଲା, ମୋତେ ରହିବାକୁ କହିଲା । ମୁଁ ମନାକରୁଥିଲି, ସେ କିନ୍ତୁ ବାଧ୍ୟକରି ମୋତେ ଟଙ୍କା ଦେଲା । "

ସୁକନ୍ୟା ଆଶ୍ଚର୍ଯ୍ୟ ହେଉଥିଲା ମାଧବୀଙ୍କ କଥା ଶୁଣି । ସେ ପୁଣି କହିଲା , "ମାଉସୀ ତୁମେ ମୋତେ ପଚାରିବାକୁ ମନା କରିଛ ବୋଲି ପଚାରୁନି କି କାହାକୁ କିଛି କହୁନାହିଁ । କିନ୍ତୁ ମୁଁ ନକହିଲେ ବି ତୁମ ମିଛ ଦିନେ ଧରା ପଡ଼ିବ । ଆଜି ତୁମକୁ ଦୀପୁ ଦେଖିଲା । କାଲି ମମି ଦେଖିବେ । ତୁମେ ମମିଙ୍କୁ ସବୁ ସତ କହିଦେଉନ କାହଁକି ? ମୁଁ ଜାଣେ ମମି ସତ ଜାଣିଲେ ତୁମକୁ କେବେ ବି ଚାକିରୀରୁ ବାହାର କରିବେନାହିଁ । କିନ୍ତୁ କୋଉଦିନ ଯଦି ତୁମ ମିଛ ତାଙ୍କ ପାଖରେ ଧରା ପଡ଼ିଯାଏ, ତେବେ.. " ।

ସୁକନ୍ୟାର କଥା ସରିନାହିଁ ସ୍ନେହା ଆସି ରୋଷେଇ ଘରେ ସେମାନଙ୍କ ପାଖରେ ଠିଆ ହେଇଗଲେ । ମାଧବୀ ଭୟରେ ଆଖି ବଡ଼ ବଡ଼ କରି ସୁକନ୍ୟାକୁ ଦେଖିଲେ । ସ୍ନେହା ମାଧବୀଙ୍କ କାନ୍ଧରେ ହାତ ରଖି କହିଲେ, "ଭୟ କରିବାରେ କ'ଣ ଅଛି ? ତୁମେ ମଣିର ନିଜ ଭଉଣୀ ନୁହଁ ସେକଥା ମୁଁ ଜାଣେ । କଲ୍ଲୋଳ ଯେ ତୁମ ପୁଅ ସେ କଥା ବି ମୁଁ ଜାଣେ । ତୁମେ ଯେତେଦିନ ଚାହିଁବ ଏଠି ରହିପାରିବ, ମୋର କିଛି ଅସୁବିଧା ନାହିଁ । "

ମାଧବୀ ଓ ସୁକନ୍ୟାଙ୍କ ଆଶ୍ଚର୍ଯ୍ୟାନ୍ବିତ ମୁହଁ ଦୁଇଟିକୁ ଦେଖି ସ୍ନେହା କହିଲେ, "ମୋତେ ତୁମେମାନେ ଲୁଚେଇବାର କାରଣ କ'ଣ ? ମୁଁ କ'ଣ ଏତେ ହୃଦୟହୀନା ? ହଁ, କଲ୍ଲୋଳ ମୋତେ କହିଛନ୍ତି ମାଧବୀ ତାଙ୍କ ମାଆ । ହଁ ସେ ଏକଥା ବି କହିଛନ୍ତି ସେ ମାଧବୀ ମାଉସୀଙ୍କୁ ପାଖରେ ରଖିବାକୁ ଭୟ କରୁଛନ୍ତି, ଲଜ୍ଜ୍ୟା ଅନୁଭବ କରୁଛନ୍ତି । ଛିଃ, ଏଭଳି ପୁଅ ଜନ୍ମ କରି ଲାଭ କ'ଣ ଯିଏ ନିଜ ମାଆକୁ ମାଆ କହିବାକୁ ଲଜ୍ଜ୍ୟା ବୋଧ କରୁଥିବ ! କଲ୍ଲୋଳଙ୍କର ସ୍ବୀକାରୋକ୍ତି ଓ ମାଉସୀଙ୍କୁ ନେଇ ଅପମାନ ବୋଧ କରିବା ଶୁଣି ମୋର ତ ସେହିଦିନ ତାଙ୍କ ଉପରେ ଘୃଣା ଆସିଯାଇଥିଲା " ।

ସ୍ନେହାଙ୍କ ମୁହଁରୁ କଲ୍ଲୋଳ ବିରୁଦ୍ଧରେ କଥା ଶୁଣି ମାଧବୀ ଲୁଗା କାନିରେ ନିଜ ମୁହଁକୁ ଚାପି ଧରିଲେ ଓ କିଛି ସମୟ ଛାଡ଼ି କହିଲେ, "ନା ମାଆ ନା, ସେ ସେମିତି ପିଲା ନୁହେଁ । ତାକୁ ଆପଣ ଭୁଲ ବୁଝିଛନ୍ତି । ସେ ଖୁବ୍ ଭଲ, ଖୁବ୍ । ତାକୁ ଏମିତି କୁହନ୍ତୁନି । ମୁଁ ଶୁଣିପାରିବିନି " ।

ଏତିକି କହି ମାଧବୀ ରୋଷେଇ ଘରୁ ବାହାରି ଚାଲିଗଲେ ।

(କ୍ରମଶଃ...)

ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୨୫)