ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୨୫)

ନୂଆ ପ୍ରଜନ୍ମର କଥାକାର ଲୋପାମୁଦ୍ରା ମିଶ୍ରଙ୍କ ଉପନ୍ୟାସ "ଚିତ୍ରଲିପି" ଧାରାବାହିକ ଭାବେ ପ୍ରକାଶ ପାଉଛି । ପ୍ରତିଦିନ ଏହି ଉପନ୍ୟାସର ଏକ ଏକ ଅଧ୍ୟାୟ ଆପଣମାନେ "ବାଟୋଇ"ରେ ପଢୁଛନ୍ତି ।


(ପୂର୍ବ ପ୍ରକାଶିତ ଉତ୍ତାରୁ)

"ହ୍ୟାଲୋ, ବୁନି । ମୁଁ କହୁଛି, ବିକି । ତୁମେ ଏବେ କୋଉଠି ଅଛ? ", ବିକି ଭୂପେଶର ଫୋନରୁ କହୁଥିଲା ।

ସୁକନ୍ୟା ଆସ୍ତେ କରି କହିଲା, "ବିକି ଭାଇ, ମୁଁ ସୁକନ୍ୟା । ବୁନି ଅପା ଆମ ଘରେ ଥିଲେ । ତାଙ୍କ ମାମା ଡାକିଲେ ତ ସେ ମୋତେ ତାଙ୍କ ମୋବାଇଲଟା ଧରେଇଦେଇ ଏବେ ଏଠୁ ଚାଲିଗଲେ । ସେ ଆସନ୍ତୁ କହିବି କଥା ହେବେ" ।

"ଆଚ୍ଛା ସେ ତୁମ ଘରେ ଥିଲା ! ହଉ ଠିକ୍ ଅଛି ସେ ଆସୁ ।", ବିକି ଫୋନ୍ କାଟିଦେଲା । ସୁକନ୍ୟା ମୋବାଇଲଟା ତା' ବହି ଥାକରେ ରଖିଦେଇ ବାହାରକୁ ଦେଖିବାକୁ ଗଲା ବୁନି କୋଉଠି ଅଛି । ଗେଟ୍ ପାଖରେ ବୁନି ନଥିଲା । ମାଧବୀ କହିଲେ, "ସେ ତାଙ୍କ ମାମାଙ୍କ ସାଙ୍ଗରେ ତାଙ୍କ ଘରକୁ ଚାଲିଗଲେ" । ସୁକନ୍ୟା ଟିକେ ଚିନ୍ତାରେ ପଡିଗଲା । ସେ ଡ୍ରଇଂରୁମରେ ବସିଥିଲା ସେହି ସମୟରେ ବୁନିର ମାମା ଆସି ବୁନିର ଖାତା ବହି ମାଗିଲେ । ମୋବାଇଲ୍ କଥା କିଛି କହିଲେ ନାହିଁ । ସୁକନ୍ୟାକୁ ଭୟ ଲାଗିଲା ମୋବାଇଲ୍ ଫେରେଇବାକୁ । ତାକୁ ଲାଗିଲା ବୁନି ଅପା ମୋବାଇଲ୍ ଲୁଚେଇ ରଖିଛନ୍ତି । ସେଥିପାଇଁ ସେ ବୁନିର ମାମାଙ୍କୁ କେବଳ ଖାତା ବହି ଫେରେଇ ଦେଇ ମୋବାଇଲଟି ନିଜ ପାଖରେ ରଖିଲା ।

ସେଦିନ ରାତିରେ ସେ ବୁନିର ମୋବାଇଲ୍ ଧରିଥିଲା । ରାତି ଦଶ ପରେ ଗୋଟେ ନମ୍ବରରୁ ବାରମ୍ବାର ମିସ୍ଡ୍ କଲ୍ ଆସିଲା । କଣ୍ଟାକ୍ଟ୍ ନେମ୍ ଥିଲା 'ପ୍ରୀତମ୍' । ସୁକନ୍ୟା ଜାଣିଗଲା ସେଇଟା ବିକିର ନମ୍ବର୍ । ସେ କିଛି ସମୟ ଛାଡ଼ି ସେହି ନମ୍ବରକୁ କଲ୍ ବ୍ୟାକ୍ କରି ଜଣେଇଦେଲା ମୋବାଇଲଟି ତା' ପାଖରେ ରହିଯାଇଛି ।

ଖୁବ୍ ସକାଳୁ ସୁକନ୍ୟା ଉଠିଯାଇଥିଲା । କୋଚିଂ ପାଇଁ ପ୍ରସ୍ତୁତ ହେଇସାରିଥିଲା । ଗେଟ୍ ପାଖରେ ଠିଆ ହେଇ ଏପଟ ସେପଟ ହେଲା । ବୁନିକୁ ଦେଖିଲା ନାହିଁ । ଭାବିଲା କୋଚିଂରୁ ଫେରିଲେ ତାଙ୍କ ଘରକୁ ଯାଇ ମୋବାଇଲଟି ଲୁଚେଇ କରି ବୁନିକୁ ଦେଇଆସିବ । କୋଚିଂରେ ପ୍ରଥମ କ୍ଲାସର ସମୟ ହେଇଯାଉଥିଲା । ସେ ସ୍କୁଟି ବାହାର କଲା । କିଛି ଦୂର ଯାଇଛି ସାହୁବାବୁଙ୍କ ଘରଠୁ ଟିକେ ଆଗରେ ବାମ ପଟେ ଗୋଲାପି ନାଇଟ୍ ସୁଟ୍ ପିନ୍ଧି ଠିଆ ହେଇଥିଲା ବୁନି । ହାତ ଦେଖେଇ ସୁକନ୍ୟାକୁ ଅଟକାଇଲା । ସୁକନ୍ୟା ଗାଡ଼ି ରଖି ପଚାରିଲା, "ଏତେ ସକାଳୁ ଏଠି କ'ଣ କରୁଛ?

-- ମର୍ନିଙ୍ଗ୍ ୱାକରେ ଚାଲି ଆସିଛି । କାଲି ମାମା ଜବରଦସ୍ତ ଡାକିଆଣିଲା ତ' ଆଉ ତୁମ ଘର ଭିତରକୁ ଯାଇପାରିଲିନି ।

-- ମୁଁ ସକାଳୁ ମୋବାଇଲଟା ଧରି ଗେଟ୍ ପାଖରେ ବହୁତ ସମୟ ଅପେକ୍ଷା କଲି । ଏବେ ଏଇଠି ଦେବି ?

-- ନା ନା ତୁମେ ଯାଅ । ମୋବାଇଲଟା ବନ୍ଦ୍ କରିଦେବ । ମୁଁ ବାର ସାଢ଼େ ବାର ବେଳକୁ ଯିବି ତୁମ ପାଖକୁ । ପ୍ରୀତମର ଫୋନ୍ ଆସିଥିଲା ?

-- ହଁ, ମୁଁ ତାଙ୍କୁ କହିଦେଇଛି ତୁମର କ'ଣ ଅସୁବିଧା ହେଲା ।

-- ଆଚ୍ଛା ହଉ ତେବେ । ତୁମେ ଯାଅ ଲେଟ୍ ହେଉଛି ।

ସୁକନ୍ୟାର ସ୍କୁଟି ବୁନିକୁ ପଛ କରି ଆଗକୁ ଚାଲିଗଲା । କିନ୍ତୁ ମନଟା ତା'ର ବୁନିର ଅଦ୍ଭୁତ ପ୍ରେମିକା ପଣିଆ ପାଖରେ ଅଟକି ରହିଯାଇ ତାକୁ ଅନେକ କିଛି ଭାବିବାକୁ ବାଧ୍ୟ କରୁଥିଲା ।

କୋଚିଂରୁ ଫେରି ସୁକନ୍ୟା ଶୁଣିଲା ସୁବ୍ରତ ହଠାତ୍ ତତ୍କାଳରେ ଟିକଟ୍ କରି ଆସୁଛନ୍ତି । ଏକସଙ୍ଗେ ବିସ୍ମୟ, ଖୁସି ଓ ଭୟର ଏକ ମିଶାମିଶି ପ୍ରତିକ୍ରିୟା ସୁକନ୍ୟାର ମୁହଁରେ ଲେସି ହେଇଗଲା ।

ବାରଟା ବେଳକୁ ବୁନି ଆସି ସୁକନ୍ୟାର ରୁମ୍ ରେ ଭିତର ପଟୁ କବାଟ ଦେଇ ବିକି ସହ ଅନେକ ସମୟ କଥା ହେଲା । ସେ ସୁକନ୍ୟାକୁ ତା' ପ୍ରେମ ଓ ସଂଗୀତର କାହାଣୀ ଶୁଣେଇଲା । ସୁକନ୍ୟା ତାକୁ ତନ୍ମୟ ବିଷୟରେ କହିଲା । ଦୁଇ ତରୁଣୀ ତାରୁଣ୍ୟର ମସୃଣ ପଥରେ ନିଜ ନିଜ କୋମଳ ପାଦଟି ମାନ ଥାପି ଥାପି ଚୁପିଚୁପି ଆପଣା ଆପଣା ତରୁଣ ପ୍ରେମିକ ମାନଙ୍କର ମିଠା ମିଠା ପ୍ରେମକଥାର ଗପସପରେ ମସଗୁଲ୍ ହେଇଯାଉଥିଲେ । ମାତ୍ର ଦୁଇଟି ଦିନର ଆଳାପରେ ବୁନି ଓ ସୁକନ୍ୟାଙ୍କର ଅନ୍ତରଙ୍ଗତା ଖୁବ୍ ବଢ଼ିଯାଇଥିଲା ।

ସୁବ୍ରତ୍ ସୁକନ୍ୟା ପାଇଁ ସରପ୍ରାଇଜ୍ ରଖିଥିଲେ । ସୁକନ୍ୟା ହାତରେ ନୂଆ ମୋବାଇଲ୍ ସେଟ୍ ଟିଏ ଧରେଇଦେଲେ । ସ୍ନେହା ଘରେ ଥିଲେ ନିଶ୍ଚୟ ପ୍ରତିବାଦ କରିଥାନ୍ତେ । ସୁକନ୍ୟା ସେଥିପାଇଁ ମୋବାଇଲଟି ପାଇ ନିଜର ଖୁସି ଜାହିର କରିସାରିଲା ପରେ କହିଲା, "ବାପା, ମମି ଜାଣିଲେ ରାଗିବେ । ତାଙ୍କୁ ପଚାରିକି କିଣିଛ କି ନାହିଁ ?"

ସୁବ୍ରତ ହସିଦେଇ କହିଲେ, "ନା ପଚାରିନି । ମମି କିଛି କହିବେନି । ତୁ ମୋବାଇଲ୍ କୁ ମିସୟୁଜ୍ କଲେ ସିନା ମମି ରାଗିବେ । ତୁ ତ ସୁନାଝିଅଟେ, ମୋବାଇଲର ସଠିକ ବ୍ୟବହାର କରି ଜାଣୁ । ନା କ'ଣ ଭୁଲ କହିଲି ? "

ମୋବାଇଲଟାକୁ ହାତରେ ଧରି ସୁକନ୍ୟା ମୁରୁକି ହସି ସୁବ୍ରତଙ୍କ କଥାରେ ସମ୍ମତି ଜଣାଇଲା ।

ବାପା ଘରକୁ ଅଚାନକ୍ ଆସିଯାଇଛନ୍ତି ଶୁଣି ଦୀପୁ ଘରକୁ ଫେରିବାକୁ ବ୍ୟସ୍ତ ହେଲା । ବାପା ତା' ପାଇଁ କ'ଣ ସବୁ ଆଣିଛନ୍ତି ଫୋନ୍ କରି ବୁଝିଲା । ଦିଦିର ମୋବାଇଲ୍ ଫୋନ୍ ଆସିଛି ଶୁଣି ଟିକେ ମନ ଦୁଃଖ କଲା । ଦୀପୁର ବ୍ୟସ୍ତତାକୁ ବେଖାତିର କରି ସ୍ନେହା ବାପଘରେ ରହିଲେ, ଫେରିଲେ ନାହିଁ ।

ଛୁଟିରେ ସୁବ୍ରତ୍ ସୁକନ୍ୟାକୁ ସାଙ୍ଗରେ ଧରି ଆଖ ପାଖରେ ବୁଲେଇଲେ । ବାପା ଝିଅ ମିଶି କିଛି ରନ୍ଧା-ରନ୍ଧି ମଧ୍ୟ କଲେ । ସୁକନ୍ୟା ଖୁସି ଥିଲା । ନୂଆ ମୋବାଇଲରୁ ତନ୍ମୟକୁ ଫୋନ୍ କରୁଥିଲା । ବୁନିକୁ ମେସେଜ୍ କରି ଘରକୁ ଡାକୁଥିଲା ।

ଛୁଟି ସରିଗଲା । ସ୍ନେହା ଓ ଦୀପୁ ଘରକୁ ଫେରିଲେ । ସୁବ୍ରତ୍ ବି ତାଙ୍କ ବ୍ୟାଗ୍ ସଜାଡ଼ିଲେ ଫେରିଯିବାକୁ । ସେଥର ସୁକନ୍ୟା ଲକ୍ଷ୍ୟକଲା ମମି, ବାପା ବେଶି କଥାବାର୍ତ୍ତା ହେଉନାହାଁନ୍ତି କି କଳି ଝଗଡା ଆଦୌ ଲାଗୁନାହାଁନ୍ତି । ସୁବ୍ରତ ରିଟର୍ନ୍ ଟିକଟ୍ କରି ଆସିଥିଲେ । ଫେରିବା ବିଷୟରେ ତାଙ୍କର ଜଣେ ବନ୍ଧୁଙ୍କ ସହ କଥା ହେଉଥିଲେ, ସ୍ନେହା ଆସି ତାଙ୍କ ପାଖରେ ବସିଲାରୁ ସେ ଫୋନ୍ କାଟିଦେଲେ । ସ୍ନେହା ତାତ୍ସଲ୍ୟ କଲା ଭଳି ହସିଦେଇ କହିଲେ, "ଆରେ ଫୋନ୍ କାହଁକି ରଖିଦେଲ? ଏଠି କଥା ହେବାରେ କିଛି ଅସୁବିଧା ନାହିଁ, ତୁମେ ଆରାମରେ କଥା ହେଇପାରିବ । ବାହାରକୁ ଯିବା ଦର୍କାର ନାହିଁ । ମୁଁ ବିଲକୁଲ ବି ଖରାପ ଭାବିବିନି ।"

ସୁବ୍ରତ ଫୋନଟା ହାତରେ ଧରି ତଳକୁ ମୁହଁ କରି କହିଲେ, "ନାଇଁ ସେମିତି କିଛି କଥା ନାହିଁ । ବାସ୍ ଏଇ ଯିବା ଆସିବା କଥା ହେଉଥିଲି । କ'ଣ କିଛି କହିବ ?" ।

ସ୍ନେହା ଟିକେ ସମୟ ଚୁପ ରହିଲା ପରେ କହିଲେ, "ତୁମ ଆଉ ମୋ ଭିତରେ ଆଉ କ'ଣ କଥା ଅଛି କହିବାକୁ ? ଆରେ ହଁ ଅଛି ନା ଆମ ଭିତରେ ଆଉ ଗୋଟେ ସମ୍ପର୍କ, ନରୋତ୍ତମ୍ । ନରୋତ୍ତମ୍ ମନେ ଅଛନ୍ତି ତୁମର ?"

-- ଏତେ କଥା ମନେ ରଖିବାକୁ ମୋତେ ସମୟ କାହିଁ ସ୍ନେହା ? ହଁ ନାଁଟା ମନେ ଅଛି ।

-- ଖାଲି ନାଁ ମନେ ଅଛି ? ଆଉ କିଛି ନୁହେଁ ?

-- କ'ଣ କହିବାକୁ ଚାହଁ ତୁମେ ?

-- ଯାହା ତୁମେ କେବେ ଶୁଣିବାକୁ ଚାହିଁନ ।

-- ଓଃ.. ପ୍ଲିଜ୍ ସ୍ନେହା ତୁମେ ପୁଣି ସେସବୁ ଆରମ୍ଭ କରନାହିଁ । ତୁମକୁ ମୁଁ ଆଗରୁ କହିଥିଲି ମୋ ବିଷୟରେ । ତୁମେ ନିଜେ ହିଁ ସେତେବେଳେ କହିଥିଲ ତୁମେ ମୋ ସର୍ତ୍ତରେ ରାଜି ଅଛ ।

-- ନାଇଁ ତୁମେ ସେତେବେଳେ ତୁମ ବିଷୟରେ ସମ୍ପୂର୍ଣ୍ଣ କଥା କହିନଥିଲ । ତୁମର ପ୍ରକୃତ ରୂପଟା ତୁମେ ମୋ ଠାରୁ ଲୁଚେଇ ଥିଲ ।

-- ସେହିକଥା ତ' ମୁଁ ତୁମକୁ କହିଥିଲି, "ମୁଁ କ'ଣ ତୁମେ ଯଦି କେବେ ଜାଣ ତୁମେ ଆଘାତ ପାଇପାର" । କିନ୍ତୁ ତୁମେ ସେତେବେଳେ ଜାଣିବାକୁ ଚାହିଁଲ ନାହିଁ ।

-- ହଁ ମୁଁ ଜାଣିବାକୁ ଚାହିଁନଥିଲି । କାରଣ ମୁଁ ଭାବିଥିଲି ତୁମେ ତୁମ ଚାକିରୀ ବିଷୟରେ, ତୁମ ରୋଜଗାର ବିଷୟରେ କହୁଛ ।

-- ସେଥିରେ ମୋର ଭୁଲ କୋଉଠି ରହିଲା କୁହ ?

-- ନାଇଁ ତୁମର କିଛି ଭୁଲ ନାହିଁ । ସବୁ ଭୁଲ ମୋର ।

ସ୍ନେହାଙ୍କ ଗଳା ଥରି ଉଠିଲା । ଆଖିରୁ ଦୁଇବୁନ୍ଦା ଲୁହ ଖସି ପଡ଼ିଲା । ସେ ଆଖିରୁ ଲୁହ ପୋଛିଲେ । କିଛି ସମୟ ଚୁପ୍ ରହିଲା ପରେ କହିଲେ, "ତୁମେ ଏଠିକୁ କାହଁକି ଆସୁଛ ସୁବ୍ରତ୍ ? ତୁମେ ଆସିଲେ ମୁଁ ଆଘାତ ପାଉଛି" ।

-- ଆଗରୁ ତ ଏକଥା କହୁନଥିଲ ? ମୁଁ ତୁମମାନଙ୍କ ପାଇଁ ଆସୁଛି । ଦୀପୁ ଓ ସୁକନ୍ୟାଙ୍କ ପାଇଁ ଆସୁଛି । ମୋର ଆଉ କିଏ ଅଛି ଓଡିଶାରେ ?

-- ଆଗରୁ କହୁନଥିଲି, ଏବେ କହୁଛି । ଆଉ ଆସିବା ଦର୍କାର ନାହିଁ ।

-- ମୁଁ ଆଉ ନଆସିଲେ ତୁମକୁ ଲୋକେ କ'ଣ କହିବେ ? ପିଲାମାନଙ୍କୁ କ'ଣ କହିବ?

-- ସେକଥା ମୁଁ ବୁଝିବି ।

-- ଏ କ'ଣ କହୁଛ ତୁମେ ? ଆମର ଏ ଯେଉଁ ସମାଜ, ସେ କ'ଣ ଏଭଳି ପରିବାରକୁ ଭଲ ନଜରରେ ଦେଖିବ ଯେଉଁଠି ପିଲାଙ୍କ ବାପା ଘରକୁ ଆସୁନଥିବ, ପରିବାର ସହ ସମ୍ପର୍କ ରଖୁନଥିବ ?

-- ଓହୋଃ, ଛାଡ଼ ହେ ସେ ସମାଜକୁ । ବହୁତ ହେଇଗଲାଣି ନାଟକ । ମୋତେ ଆଉ ଭୟ ନାହିଁ ଏ ସମାଜକୁ ।

-- ସ୍ନେହା ପିଲାମାନଙ୍କର ଡେଣା ଲାଗିନି । ସେମାନେ ଏବେ କଅଁଳ ବୟସରେ । ଏ ସମୟରେ ତୁମେ ଯଦି ଏଭଳି ଚିନ୍ତା କରିବ, ତେବେ ପିଲାଙ୍କୁ ଗଢିବାକୁ ଆମେ କରିଥିବା ସଂକଳ୍ପ ଆମର ଭାଙ୍ଗିଯିବ ।

-- ଆମ ସଂକଳ୍ପ ? ହା ହା ହା.. ଆମର ବୋଲି କହିବାକୁ ତୁମକୁ ଖରାପ ଲାଗିବା କଥା ସୁବ୍ରତ୍ । ଛାଡ଼ ମୁଁ ତୁମ ସହ ଝଗଡ଼ା କରିବାକୁ ଚାହୁଁନି । ତୁମେ ଯାହା ବି ଭାବିପାର, କିନ୍ତୁ ମୁଁ ସତ କହୁଛି ତୁମର ଏଠିକୁ ଆସିବା ମୋତେ ଆଉ ଭଲ ଲାଗୁନି ।

-- ପିଲାମାନଙ୍କୁ ତ' ଭଲ ଲାଗୁଛି ।

-- ପିଲାମାନେ ଏବେ ଛୋଟ ସୁବ୍ରତ, ସେମାନେ କିଛି ଜାଣନ୍ତିନି । ଯେବେ ସତ ଜାଣିବେ ସେତିକି ସମ୍ମାନ, ସେତିକି ଭଲପାଇବା ତୁମକୁ ସେମାନେ ଦେଇପାରିବେ ତ ?

-- ସେମାନେ ମୋ ପିଲା ।

-- କେବଳ କହିଦେଲେ ହେଇଯାଏନି । ସେମାନଙ୍କ ପାଇଁ କିଛି କରିବାକୁ ହୁଏ ।

-- ମୁଁ କରିବାକୁ ରାଜି ଥିଲି । ତୁମେ ତ ନିଜେ ମନା କଲ ସୁକନ୍ୟାକୁ ଛାଡ଼ିବାକୁ । ତୁମେ ନିଜେ ବିନୋଦିନୀକୁ ଫୋନ୍ କରି ମନାକରିଛ । କୁହ କୋଉ ସ୍ୱାର୍ଥରେ ତୁମେ ବିନୋଦିନୀକୁ ମନା କରିଥିଲ ? ତୁମେ ଏବେ ସବୁ ଦୋଷ ମୋ ଉପରେ ଲଦିଦେଇ ନିଜକୁ ନିଷ୍କଳଙ୍କ ବୋଲି ପ୍ରମାଣିତ କରୁଛ । ତୁମେ ଭୁଲିଯାଇଛ ବୋଧେ ସେ ସତର ବର୍ଷ ତଳର ଘଟଣା ! ତୁମ ଘର ଲୋକ ବି ତୁମକୁ ସାହାଯ୍ୟ କରିପାରିନଥିଲେ । ତୁମ ବାପା ତୁମକୁ ତେଜ୍ୟା କରିଦେବେ କହିଥିଲେ । ତୁମ ବାପାଙ୍କ ହାର୍ଟ୍ ଆଟାକ୍ ପାଇଁ ତୁମ ପରିବାର ତୁମକୁ ଦାୟୀ କରିଥିଲେ । ତୁମ ଭାଇ, ମାଆ ସମସ୍ତେ ତୁମ ଠାରୁ ମୁହଁ ବୁଲେଇ ନେଇଥିଲେ । ସେତେବେଳର ଘଟଣା ବୋଧେ ତୁମେ ଭୁଲିଗଲଣି ? ଏବେ ଦୁଇଦିନ ତୁମ ବାପାଘରେ ରହି ଆସିଲ ଯେ ସେମାନେ ତୁମର ଏତେ ହିତାକାଂକ୍ଷୀ ହେଇଗଲେ ? ସ୍ନେହା ଟିକେ ମନେ ପକାଅ, ତୁମ ଘରଲୋକ ଯେତେବେଳେ ତୁମକୁ ପର କରିଦେଇଥିଲେ ମୋ ବାପା ତୁମ ଉପରେ ସ୍ନେହ ଅଜାଡ଼ି ଦେଇଥିଲେ । ଝିଅ ଭଳି ଆପଣେଇ ନେଇଥିଲେ ।

-- ଝିଅ ? କିଏ କାହାର ଝିଅ ? ମୋତେ ଝିଅ କରିପାରିଲେ କିନ୍ତୁ ମନ୍ଦାକିନୀଙ୍କୁ... ଛାଡ଼ ଛାଡ଼..

-- ସ୍ନେହା, ତୁମେ କହିଥିଲ ଜୀବନରେ ଆଉ କେବେ ମନ୍ଦାକିନୀର ନାଁ ନେବ ନାହିଁ । ହଉ ମୁଁ ସବୁ ଛାଡ଼ିଲି । ମୋର ସବୁ ଭୁଲ ବୋଲି ବି ମାନିଲି । ତୁମେ କିନ୍ତୁ କହିପାରିବ କି ତୁମେ ନିଷ୍କଳଙ୍କ ଥିଲ ? କହିପାରିବ ତୁମର କିଛି ଭୁଲ ନଥିଲା । ପିଲାମାନଙ୍କୁ ତୁମ ଅତୀତ କଥା କହି ସାରିଲା ପରେ ବି ନିଜର କରି ରଖିପାରିବ ସବୁଦିନ ? ସେମାନେ ତୁମକୁ ଘୃଣା କରିବେ ସ୍ନେହା, ଘୃଣା । ମୋ ଠାରୁ ପିଲାଙ୍କୁ ଛଡ଼େଇ ନେବାର ପରିଣାମ କ'ଣ ହେବ ଟିକେ ସେ ବିଷୟରେ ଭାବ । ତା'ପରେ କହିବ ଏଠିକୁ ଆଉ ନଆସିବାକୁ ।

-- ମୋତେ ତୁମେ ଆଉ କେତେଦିନ ସେହିକଥା କହି ବ୍ଲାକମେଲ୍ କରିବ ସୁବ୍ରତ ? ମୁଁ ଆଉ ଭୟ କରୁନି ତୁମକୁ, ସମାଜକୁ । ମୁଁ ଥକି ଗଲିଣି ସୁବ୍ରତ, ଭୀଷଣ ଭାବେ ଥକି ଗଲିଣି । ଆଉ ପାରୁନାହିଁ । ତୁମକୁ ସହ୍ୟ କରିପାରୁନି ।

ସ୍ନେହା କାନ୍ଦିବାକୁ ଲାଗିଲେ । ସୁବ୍ରତ ଚୁପଚାପ ତଳକୁ ମୁହଁ ପୋତି ବସିଲେ । କିଛି ସମୟ ନୀରବରେ ବିତେଇଲା ପରେ ସୁବ୍ରତ କହିଲେ, "ସରି ସ୍ନେହା । ହଉ ଠିକ୍ ଅଛି ମୁଁ ଏଠିକୁ ଆଉ ନଆସିବାକୁ ଚେଷ୍ଟା କରିବି । କିନ୍ତୁ କ'ଣ କରିବି କୁହ ? ସୁକନ୍ୟା ଆଉ ଦୀପୁଙ୍କ କଥା ମୋର ଯେତେବେଳେ ମନେପଡ଼େ ମୁଁ ଶାନ୍ତିରେ ରହିପାରେନି । ତୁମେ ବ୍ୟସ୍ତ ହୁଅନି, ସୁକନ୍ୟା ଆଉ ଟିକେ ବଡ଼ ହେଇଯାଉ, ମୁଁ ତାକୁ ବୁଝେଇବାକୁ ଚେଷ୍ଟା କରିବି । ସେ ବୁଝିବାର ଝିଅ, ନିଶ୍ଚୟ ସବୁ ବୁଝିବ । ବିନୋଦିନୀ ସହ ବି କଥା ହେଇଛି, ସୁକନ୍ୟାର ପ୍ରାପ୍ୟ ସେ ତା'କୁ ଫେରେଇଦେବ ।

-- ତୁମେ ସତ କହୁଛ ? ବିନୋଦିନୀ ରାଜି ଅଛି ?

-- ଏବେ ତ ରାଜି ହେଇଛି, ଆଗକୁ ପୁଣି କ'ଣ କହିବ କେଜାଣି ?

-- ହୁଁ.. ଆରେ ହଁ, ମୁଁ ନରୋତ୍ତମଙ୍କ କଥା କହୁଥିଲି ପରା ! ଜାଣିଛ ? ନରୋତ୍ତମଙ୍କ ମାଆ କ୍ୟାନ୍ସରରେ ଚାଲିଗଲେ । ତାଙ୍କ ପତ୍ନୀ ଲିଜୁନ୍ ନରୋତ୍ତମଙ୍କୁ ଡିଭୋର୍ସ ଦେବ । ନରୋତ୍ତମ୍ ତାଙ୍କୁ ନିଜେ କହିଲେ ଛାଡ଼ପତ୍ର ନେଇ ପ୍ରପର୍ଟିରୁ ଭାଗ ନେଇ ଚାଲିଯିବା ପାଇଁ ।

-- ଆଚ୍ଛା ? ଆଉ ଲିଜୁନ୍ ରାଜି ବି ହେଇଗଲା ?

-- ରାଜି ହେବନି କାହଁକି ? ଆଉ କୋଉ ସ୍ୱାର୍ଥରେ ସେ ସେଠି ପଡ଼ି ରହିବ? ସେ ନରୋତ୍ତମଙ୍କ କଥା ମାନି ବି.ଏଡ୍ କରିଦେଇଥିଲା । ଏବେ ଚାକିରୀ ବି ପାଇଯାଇଛି । ନରୋତ୍ତମ୍ ବାପା ହେବାର କ୍ଷମତା ରଖନ୍ତି ନାହିଁ ବୋଲି ନିଜେ ସମସ୍ତଙ୍କ ସାମ୍ନାରେ ମାନିଗଲେ, ତାଙ୍କ ମାଆଙ୍କ ଦେହାନ୍ତ ପରେ । ଏବେ ମ୍ୟୁଚୁଆଲ୍ ଡିଭୋର୍ସ୍ ଆରାମରେ ହେଇଯିବ । ମୁଁ ତ ବହୁତ ଆଗରୁ ସେମାନଙ୍କୁ ସେହି ପରାମର୍ଶ ଦେଉଥିଲି । ସେମାନେ ବିଳମ୍ବ କରିଦେଲେ । କେବଳ ନରୋତ୍ତମଙ୍କ ମାଆଙ୍କ ପାଇଁ ଲିଜୁନ୍ ଓ ନରୋତ୍ତମ୍ କିଛି ନିଷ୍ପତ୍ତି ନେଇପାରୁନଥିଲେ । ଯାହା ହେଉ ଯାହା ହେଲା ଭଲ ହେଲା । ନା କ'ଣ କହୁଛ ?

-- ତୁମକୁ କିଏ ଏତେ ସବୁ କଥା କହିଲା ? ତୁମେ କ'ଣ ତାଙ୍କ କଣ୍ଟାକ୍ଟରେ ଥିଲ ?

-- ଲିଜୁନ୍ ମୋ ଭାଉଜଙ୍କ କଲେଜ୍ ସମୟର ସାଙ୍ଗ । ଭାଉଜଙ୍କ ପାଖରୁ ସବୁ କଥା ଶୁଣିଲି । ସତରେ ନରୋତ୍ତମଙ୍କ ସାହସକୁ ମୁଁ ପ୍ରଶଂସା ନକରି ରହିପାରୁନି ।

ସୁବ୍ରତ୍ ଦେଖିଲେ ଡ୍ରଇଂରୁମ୍ ଆଡ଼କୁ ଦୀପୁ ଆସୁଛି । ସେ ସ୍ନେହାଙ୍କୁ ଠାରି ଦେଲେ । ସ୍ନେହା ଚୁପ୍ ହେଇଗଲେ । ସୁବ୍ରତ୍ ଫୋନ୍ ଧରି ବାହାରକୁ ଚାଲିଗଲେ ।

ସେଥର ସୁବ୍ରତ୍ ଯିବାବେଳକୁ ସୁକନ୍ୟାକୁ ଧରି ଆଖି ଛଳ ଛଳ କରି କହିଗଲେ, "ଆଉ କେବେ ଆସିବି କିଛି କହିପାରୁନି । ତୁ ମନ ଲଗେଇ ପଢ଼ୁଥିବୁ । ମୋବାଇଲକୁ ମିସୟୁଜ୍ କରିବୁନି । ତୋ ଉପରେ ମୋର ବିଶ୍ୱାସ ଓ ଭରସା ଅଛି" ।

ସୁବ୍ରତ୍ ଫେରିଗଲେ । ସ୍ନେହା ତାଙ୍କ ଅଫିସ୍ କାମରେ ବ୍ୟସ୍ତ ହେଇପଡିଲେ । ସୁକନ୍ୟାର ଦିନ ଓ ରାତି କୋଚିଂ, କଲେଜ୍ ଓ ତନ୍ମୟ ଭିତରେ ସରିଯାଉଥିଲା । କେବେ କେବେ ବୁନିଅପାଙ୍କ ସହ ବି ସମୟ ବିତୁଥିଲା ।

ଶରତ, ହେମନ୍ତ, ଶୀତ, ବସନ୍ତ ସରି ପୁଣି ଗ୍ରୀଷ୍ମ ଋତୁ ଆରମ୍ଭ ହେବାକୁ ଯାଉଥିଲା । ବସନ୍ତ ଚାଲିଯାଉଥିଲା କିନ୍ତୁ ବୁନି, ସୁକନ୍ୟା ଓ ମୋନାଲିମାନଙ୍କ ପାଇଁ ସାରାଟା ବର୍ଷ ଥିଲା କେବଳ ପ୍ରେମର ଋତୁ ।

ଆଗକୁ ଫାର୍ଷ୍ଟ୍ ଇୟର୍ ପରୀକ୍ଷା । ସୁକନ୍ୟା ପଢ଼ାପଢିରେ ବ୍ୟସ୍ତ । ତନ୍ମୟ ବି ତା' ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଉଭୟଙ୍କର ଫୋନରେ କଥାବାର୍ତ୍ତା ବହୁତ କମିଯାଇଛି । କୋଚିଂ କିଛିଦିନ ପାଇଁ ବନ୍ଦ୍ । ସୁକନ୍ୟା ଘରେ ରହି ପଢ଼ାପଢି କରୁଛି । ରବିବାର ସକାଳୁ ଘରର କଲିଂବେଲ୍ ବାଜି ଉଠିଲା । ମାଧବୀ କବାଟ ଖୋଲିବାକୁ ଗଲେ । ବାହାରେ ପିଲାଟିଏ ଠିଆ ହେଇଥିଲା । ମାଧବୀ ଭୟ ପାଇଲା ଭଳି କହିଲେ, "ତୁ ଏଠି କେମିତି "? ପିଲାଟି କିଛି ନକହି ପଳେଇଯାଉଥିଲା ସ୍ନେହା ତରବର ହେଇ ଆସି କହିଲେ, "ମାଧବୀ, କିଏ କି ? ଆରେ କଲ୍ଲୋଳ ଆସ, ଆସ । ମୁଁ ତୁମକୁ ହିଁ ଅପେକ୍ଷା କରିଥିଲି" ।

କ୍ରମଶଃ...

ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୨୪)