ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୨୨)

ନୂଆ ପ୍ରଜନ୍ମର କଥାକାର ଲୋପାମୁଦ୍ରା ମିଶ୍ରଙ୍କ ଉପନ୍ୟାସ "ଚିତ୍ରଲିପି" ଧାରାବାହିକ ଭାବେ ପ୍ରକାଶ ପାଉଛି । ପ୍ରତିଦିନ ଏହି ଉପନ୍ୟାସର ଏକ ଏକ ଅଧ୍ୟାୟ ଆପଣମାନେ "ବାଟୋଇ"ରେ ପଢୁଛନ୍ତି ।


(ପୂର୍ବ ପ୍ରକାଶିତ ଉତ୍ତାରୁ)

ଶରତ ଋତୁ ଆସିଯାଇଥିଲା । ଆକାଶ ନିର୍ମଳ, ଚତୁର୍ପାଶ୍ୱ ସବୁଜ, ସ୍ୱଚ୍ଛ ଓ ସୁନ୍ଦର ହେଇଉଠିଥିଲା । ସୁକନ୍ୟାର କଲେଜ୍ ଯିବା ରାସ୍ତାର କଡେ କଡେ ଧଳା ଧଳା କାଶତଣ୍ଡୀ ଫୁଲ ଝୁଲି ଝୁଲି ନାଚୁଥିଲେ । ଆଗକୁ ଥିଲା ଦୁର୍ଗା ପୂଜା ଛୁଟି । ସଭିଙ୍କ ଭିତରେ ଉତ୍ସବର ଉତ୍ସାହ, କିନ୍ତୁ ସୁକନ୍ୟା ସବୁବେଳେ ଉଦାସ ଉଦାସ ରହୁଥିଲା । ପଢ଼ାପଢ଼ିରେ ପଛେଇ ଯାଉଥିଲା । କୋଚିଂର ଟେଷ୍ଟରେ ଖରାପ କରୁଥିଲା ।

ମୋନାଲିକୁ ତା' ରଙ୍ଗ୍ ନମ୍ବର୍ ବୟଫ୍ରେଣ୍ଡ୍ ନଦେଖି ମଧ୍ୟ ଏତେ ଭଲ ପାଉଥିଲା ଯେ ସେ ଦିନରାତି କେବଳ ତାହାରି ଚିନ୍ତାରେ ମଗ୍ନ ରହୁଥିଲା । ସୁକନ୍ୟାର ଖୁବ୍ ଇର୍ଷା ହେଉଥିଲା ମୋନାଲି ଉପରେ । ସେ ମୋନାଲିର ହଷ୍ଟେଲକୁ ଯିବାକୁ ଇଚ୍ଛା ମଧ୍ୟ କରୁନଥିଲା । ରୋଜି ଠାରୁ ମଧ୍ୟ ସେମିତି ଦୂରେଇ ଦୂରେଇ ରହୁଥିଲା ।

ଲ୍ୟାଣ୍ଡଲାଇନକୁ କେହି ଜଣେ ରାତିରେ ବାରମ୍ବାର କଲ୍ କରୁଥିବାରୁ ସ୍ନେହା ଲ୍ୟାଣ୍ଡଫୋନର କନେକ୍ସନ୍ କାଟି ଦେଇଥିଲେ । ସୁକନ୍ୟା ଅନେକ ଦିନ ହେବ ତନ୍ମୟ ସହ କଥା ହେଇନଥିଲା । ତନ୍ମୟ ମଧ୍ୟ ନିଜ ଆଡୁ କୌଣସି ଦିନ ମିସ୍ଡ୍ କଲ୍ ଗୋଟେ ମମିଙ୍କ ମୋବାଇଲକୁ ଦେଇନାହିଁ । ସୁକନ୍ୟା ସବୁଦିନ ରାତିରେ ସ୍ନେହାଙ୍କ ମୋବାଇଲ୍ ଆଣି ଚେକ୍ କରେ ତନ୍ମୟର କିଛି ମିସ୍ଡ୍ କଲ୍ ଅଛି କି ନାହିଁ । ନଥାଏ । ସେ ମନ ଦୁଃଖ କରି ମୋବାଇଲ୍ ବନ୍ଦ୍ କରି ତକିଆରେ ମୁଣ୍ଡ ମାଡି ଶୋଇପଡ଼ିବାକୁ ଚେଷ୍ଟା କରେ । ଆଖି ବନ୍ଦ୍ କରୁ କରୁ ତା ଦୁଇ ଆଖି କୋଣରୁ ଦୁଇଧାର ଲୁହ ଝରି ଆସି ତକିଆକୁ ଭିଜେଇ ଦିଏ । ମନେ ମନେ ନିଜକୁ ଖୁବ୍ ଗାଳି କରେ ।

ସେଥର ଦୁର୍ଗା ପୂଜା ଛୁଟିରେ ସୁବ୍ରତ୍ ଆସିଲେ ନାହିଁ । ଟଙ୍କା ପଠେଇ ଦେଇଥିଲେ । ଆଈ ଫେରିଯିବା ପୂର୍ବରୁ ସ୍ନେହାଙ୍କୁ କହିଯାଇଥିଲେ ପୂଜାଛୁଟିରେ ଯେମିତି ହେଲେ ତାଙ୍କ ଘରକୁ ଯିବା ପାଇଁ । ଦୀପୁ ବହୁତ ଜିଦି କରୁଥିଲା ଆଈ ଘରକୁ ଯିବାକୁ । ସ୍ନେହା ସୁକନ୍ୟାକୁ ଯିବାକୁ ଡାକିଲେ । ସେ ମନାକଲା । ତା'ର କୋଚିଂ ମାତ୍ର ଗୋଟିଏ ଦିନ ଛୁଟିଥିଲା । ସେଥିପାଇଁ ଛୁଟିରେ କୁଆଡ଼େ ତା ପାଇଁ ବୁଲିଯିବା ସମ୍ଭବ ନଥିଲା । ମାଧବୀ ବାଧ୍ୟ ହେଇ ସୁକନ୍ୟାକୁ ଜଗିବା ପାଇଁ ଘରେ ହିଁ ରହିଲେ । ସେ ଚାହୁଁଥିଲେ ତାଙ୍କର ଜଣେ ବନ୍ଧୁଘରକୁ ଯିବାକୁ, ତାହା ବି ହେଇପାରିଲାନି ।

ସ୍ନେହା ବାପଘରକୁ ଗଲାପରେ ସୁକନ୍ୟା ମାଧବୀଙ୍କ ଫୋନ୍ ଆଣି ତନ୍ମୟକୁ ଫୋନ୍ ଲଗେଇଲା । ସେ ଉଠେଇଲା । ଏତେ ଦିନ ପରେ ଫୋନରେ ତନ୍ମୟର ସ୍ୱର ଶୁଣି ସୁକନ୍ୟାର ଆଖିରୁ ଲୁହ ଝରି ଆସିଲା । ତା କଣ୍ଠ ଥରୁଥିଲା । ସେ କିଛି କହିପାରୁନଥିଲା । ସୁକନ୍ୟା କିଛି କହୁନଥିବାରୁ ତନ୍ମୟ ନିଜ ଆଡୁ କଥା ଆରମ୍ଭ କଲା, "କେମିତି ଅଛ ? ଯାହାହେଉ ମୋ ନମ୍ବର୍ ମନେ ରଖିଛ । ମୁଁ ତ ଭାବିଥିଲି ଭୁଲିଯାଇଥିବ । ଏଇଟା କାହା ନମ୍ବର୍ ? ନୂଆ ମୋବାଇଲ୍ ନେଲ କି ? "

-- ମୁଁ ଏତେ ଶୀଘ୍ର କିଛି ଭୁଲି ଯାଏନାହିଁ । ଏଇଟା ଆମ ମାଧବୀ ମାଉସୀଙ୍କ ନମ୍ବର୍ ।

-- ରାଗିଛ ବହୁତ ?

"କାହଁକି ରାଗିବି ? କାହା ଉପରେ ରାଗିବି ?", କହୁ କହୁ ସୁକନ୍ୟାର ଗଳା ଥରି ଉଠିଲା । କଥା କହୁ କହୁ ସେ ତା ଆଖିରୁ ଲୁହ ପୋଛିପକେଇଲା । ତନ୍ମୟ ଜାଣିପାରିଲା ସୁକନ୍ୟା କାନ୍ଦୁଛି । ସେ ଅତି ନରମ ସ୍ୱରରେ କହିଲା, "ସୁକନ୍ୟା, ପ୍ଲିଜ୍ ମୋ ଉପରେ ରାଗନି । ମୋର ଭୁଲ ହେଇଛି, ସେକଥା ମୁଁ ମାନୁଛି । ଆଇ ଆମ୍ ରିୟଲି ସରି । କିନ୍ତୁ ମୋର ଆଉ କିଛି ଉପାୟ ନଥିଲା । ପରୀକ୍ଷା ବୋଝ ମୋତେ ପାଗଳ କରିଦେଇଥିଲା । ଏତେ ଲମ୍ବା ସିଲାବସ୍, ସମୟ କମ୍, ସେଥିରେ ପୁଣି ତୁମ ସହ କଥାହେବା ମୋର ଗୋଟେ ଆଡିକ୍ସନ୍ ହେଇଯାଇଥିଲା । ସେଦିନ ସକାଳୁ ପଢ଼ା ଆରମ୍ଭ କରିବାକୁ ବସିଥିଲି କି ତୁମ ଫୋନ୍ ଆସିଗଲା । ସେଥିରେ ପୁଣି ତୁମର ଅବାନ୍ତର ଅଭିଯୋଗ । ମୋତେ ବହୁତ ରାଗ ଲାଗିଲା । ଅବଶ୍ୟ ମୋର ସେମିତି କହିବା ଉଚିତ ନଥିଲା । ସରି ବେବି । ଆଉ ରାଗନି" ।

ସୁକନ୍ୟା ଦୃଢ଼ ହେଇ କହିଲା, "ଆଚ୍ଛା, ମୁଁ ରାଗିବି କି ନରାଗିବି ସେଇଟା ବି ତୁମେ ଡିସାଇଡ୍ କରିବ ? ଏହି କଥାଟା ତ ସେତେବେଳେ ମଧ୍ୟ କହିପାରିଥାନ୍ତ ! ସେତେବେଳେ କେତେ ରୁକ୍ଷ ହେଇ ଗାଳିକଲ ମୋତେ ! ଟିକେ ବି ଚିନ୍ତା କଲନି ମୋ ଉପରେ କ'ଣ ବିତିବ ? ଫୋନ୍ ବି ଟିକେ ନିଜ ଆଡୁ କଲନାହିଁ । ଆଇ ହେଟ୍ ୟୁ ତନ୍ମୟ । ଆଇ ରିୟଲି ରିୟଲି ହେଟ୍ ୟୁ । ମୋନାଲିର ବୟଫ୍ରେଣ୍ଡକୁ ଦେଖ, ସେ ମୋନାଲିକୁ ନଦେଖି ବି କେତେ ଭଲ ପାଉଛି । ଆଉ ତୁମେ ? ଛାଡ଼.. "

-- ସରି ତ କହୁଛି । ଆଉ କ'ଣ କରିବି କୁହ ? କହିବ ତ ଏବେ କାନ ଧରି ଶହେ ଥର ଉଠବସ ହେବି । କ'ଣ କହୁଛ, କରିବି ?

-- ଦର୍କାର ନାହିଁ । ତୁମ, ପରୀକ୍ଷା କେମିତି ହେଲା ?

-- ବେକାର, ଭଲ ହେଲାନି । ଆଉ ଗୋଟେ ପେପର୍ ଅଛି । ବୁଧବାର ସରିବ । ତା'ପରେ ମୁଁ ଫ୍ରି । ପୂଜାରେ ଆସିବି ତୁମ ପାଖକୁ । ବୁଲିବା । କ'ଣ କହୁଛ ?

-- ମୁଁ ଭାବିକି କହିବି । ଏବେ ରଖୁଛି । ଏହି ନମ୍ବରରେ ମିସ୍ଡ୍ କଲ୍ ଦେଲେ ଫୋନ୍ କରିବ । ବାୟ, ରଖୁଛି ।

ମାଧବୀଙ୍କୁ ଫୋନ୍ ଫେରେଇ ଦେଇ ସୁକନ୍ୟା ଗଲା ତା ପଢ଼ାଘରକୁ । ଆଜି ଅନେକ ଦିନ ପରେ ରଙ୍ଗ ତୂଳୀ ଧରି ଚିତ୍ର ଆଙ୍କି ବସିଲା । ପ୍ରେମର, ଆଦ୍ୟ ଯୌବନର ଓ ଅନ୍ୟମନସ୍କତାର ସେହି ସୁନ୍ଦର ତୈଳ ଚିତ୍ର ଉପରେ ହାଲ୍କା ହାଲ୍କା ରଙ୍ଗ ମାଖୁ ମାଖୁ ତା' ହୃଦୟ ଅଜଣା ଆନନ୍ଦରେ ପୁଲକିତ ହେଇ ଉଠୁଥିଲା ।

ମୋନାଲି ଆସିଥିଲା ତା' ରୁମମେଟ୍ ର ସାଇକଲ୍ ଚଲେଇ । ଛୁଟି ପାଇଁ ହଷ୍ଟେଲରୁ ସବୁ ପିଲା ଘରକୁ ଯାଇସାରିଲେଣି । ମୋନାଲି ଯାଇନାହିଁ ବୋଲି ସୁକନ୍ୟା ଜାଣିନଥିଲା । ମୋନାଲି ପାଇଁ କିଛି ଖାଇବାକୁ ଆଣି ସୁକନ୍ୟା ତା' ପାଖରେ ବସିଲା । ସେ ବ୍ୟସ୍ତ ବିବ୍ରତ ଦିଶୁଥିଲା । ତା' ବୟଫ୍ରେଣ୍ଡ୍ ଲଳିତ୍ ତାକୁ ଦେଖାକରିବାକୁ ଚାହେଁ ବୋଲି ସେ ସୁକନ୍ୟାକୁ କହିଲା । "ତୁ ଏତେ ବ୍ୟସ୍ତ କାହଁକି ହେଉଛୁ ? ଭଲ ପାଉଛୁ ତ ଦେଖାକରିବାରେ ଅସୁବିଧା କ'ଣ ?", ସୁକନ୍ୟା କହିଲା ।

-- ମୋତେ ବହୁତ ଭୟ ଲାଗୁଛିରେ ସୁକନ୍ୟା । ଫୋନରେ ସିନା କଥା ହେଇଯାଉଛି, କିନ୍ତୁ ସାମ୍ନାରେ ଦେଖିଲେ ମୁଁ ସତରେ କଥା ହେଇପାରିବିନି । ସେ କାଲି ଆସିବ କହୁଛି । ମୋତେ ବି ଘରୁ କାଲି ସନ୍ଧ୍ୟାରେ ନେବାକୁ ଆସିବେ । କ'ଣ କରିବି କିଛି ଠିକ୍ କରିପାରୁନି । ତୁ ପ୍ଲିଜ୍ ଚାଲେ ମୋ ସାଙ୍ଗରେ । ପ୍ଲିଜ୍... ପ୍ଲିଜ୍ ମନା କରେନାହିଁ ।

ସୁକନ୍ୟା ମୁହଁ ତଳକୁ କରି କିଛି ସମୟ ଭାବିଲା । ତାପରେ ପଚାରିଲା, "ସେ କେତେବେଳେ ଆସିବେ ?"

-- ସକାଳେ, ନଅଟା ଭିତରେ ଆସି ପହଞ୍ଚିଯିବେ ।

-- ମୋର ତ କାଲି କୋଚିଂରେ କ୍ଲାସ୍ ଓଭର୍ ହେବାକୁ ସାଢ଼େ ଦଶ ହେଇଯିବ !

-- ଓହଃ, ବହୁତ ଇମ୍ପୋରଟାଣ୍ଟ୍ କ୍ଲାସ୍ କି ?

-- ଓଭିଅସ୍ଲି, କୋଚିଂରେ ସବୁ କ୍ଲାସ୍ ଇମ୍ପୋରଟାଣ୍ଟ ।

-- ହଉ ଠିକ୍ ଅଛି, ମୁଁ ତାଙ୍କୁ କହିଦେବି, ସାଢ଼େ ଦଶରେ ଭେଟିପାରିବି । ନା କ'ଣ କହୁଛୁ ?

ସୁକନ୍ୟା ସମ୍ମତି ଜଣାଇଲା । ମୋନାଲି ପ୍ରସନ୍ନ ଦିଶିଲା । ସନ୍ଧ୍ୟା ଘନେଇ ଆସୁଥିଲା । ମୋନାଲିର ଫୋନ୍ ବାଜିଲା । ସେ ଲଳିତକୁ କୈଫତ୍ ଦେଉଥିଲା ଯେ ସେ କାହଁକି ଏଯାଏଁ ହଷ୍ଟେଲକୁ ଫେରିନାହିଁ । ମୋନାଲି ଫୋନ୍ ରଖି ଯିବାକୁ ବାହାରିଲା । ମାଧବୀ ଚା' କପ୍ ଧରି ଆସିଲେ । ମୋନଲି ଚାହା ପିଏନାହିଁ କହିଲା ଓ ପ୍ଲେଟରୁ ଗୋଟାଏ ସିଙ୍ଗଡ଼ା ଉଠେଇନେଇ ଠିଆ ହୋଇ ଖାଇ ଶେଷକରି ହାତ ପୋଛିପକେଇଲା । ସୁକନ୍ୟା ଗେଟ୍ ଯାଏଁ ତା' ପଛେ ପଛେ ଗଲା ।

ଅଦାପକା ଚାହାର କପ୍ ଧରି ସୁକନ୍ୟା ଠିଆ ହେଲା ଗେଟ୍ ପାଖରେ । ଶରତ ସନ୍ଧ୍ୟାର ଆକାଶ ଦିଶୁଥିଲା ଅତୀବ ମନୋରମ । ବାହାରର ହାଲ୍କା ହାଲ୍କା ଥଣ୍ଡା ପରିବେଶ ତା ଦେହ ଓ ମନକୁ ଉଲ୍ଲସିତ କରୁଥିଲା । ସାମ୍ନା ଘରର ଝର୍କା ଡେଇଁ ବୁନିଅପାଙ୍କ କଣ୍ଠରୁ 'ସା..ରେ..ଗା..ମା..' ର ସୁମଧୁର ସୁର ଭାସିଆସୁଥିଲା । ବୁନିଅପା ଚମତ୍କାର ଗୀତଟିଏ ଗାଇଲେ, ଅଚାନକ୍ ଆକାଶରେ ଲକ୍ଷେ ତାରା ଫୁଟିଉଠିଲେ । ସୁକନ୍ୟା ଆଚମ୍ବିତ ଓ ମୁଗ୍ଧ ହେଉଥିଲା । ତା' କପ୍ ରୁ ଚାହା ସରିଆସିଲା । ସେ ଗେଟ୍ ରେ ତାଲା ଲଗେଇବାକୁ ପିଣ୍ଡା ଉପରକୁ ଆସି ବେଞ୍ଚ ଉପରୁ ଚାବିକାଠି ଧରି ତାଲା ପକେଇ ଘର ଭିତରକୁ ଫେରିଗଲା ।

ସ୍ନେହା ମାଧବୀଙ୍କୁ ଫୋନ୍ କରି ଅଳ୍ପ ସମୟ କଥା ହେଲେ । ସୁକନ୍ୟାକୁ କହିଲେ ଶୋଇବା ଆଗରୁ ତାଙ୍କ ବେଡ୍ ରୁମରେ ତାଲା ଲଗେଇ ଆସିବା ପାଇଁ । ରାତି ଖାଇବା ସାରି ସୁକନ୍ୟା ସ୍ନେହାଙ୍କ ଶୋଇବାଘରେ ଚାବି ପକେଇ ନିଜ ପଢ଼ାଘରକୁ ଶୋଇବାକୁ ଆସିଲା । ମାଧବୀ ବାସନ କୁସନ ମଜାଧୁଆ କରି ବୈଠକ ଘର ଚଟାଣରେ ବିଛଣା ପାରି ବହିଟିଏ ଧରି ଗଡୁଥିଲେ । ସୁକନ୍ୟା ତନ୍ମୟକୁ କଲ୍ କରିବ ଭାବୁଥିଲା, ସେତିକିବେଳେ ମାଧବୀ ଆସି ସୁକନ୍ୟାର ପଢ଼ାଘର କବାଟ ଠକଠକ କଲେ ।

"କ'ଣ ହେଲା ମାଉସୀ ? ଏଇଠି ଶୋଇବ କି ?", ସୁକନ୍ୟା କବାଟ ଖୋଲୁ ଖୋଲୁ ପଚାରିଲା ।

-- ନାଇଁ ସୁକମା' । ତୁମେ ଯେଉଁ ନମ୍ବରକୁ କଲ୍ କରିଥିଲ ସେଠୁ ଗୋଟେ ମିସ୍ କଲ୍ ବୋଧେ ଆସିଲା କି କ'ଣ । ଟିକେ ଦେଖିଲ ।

ସୁକନ୍ୟା ମୋବାଇଲ୍ ନେଇ ଦେଖିଲା । ତନ୍ମୟର ନମ୍ବରରୁ ସାତ ମିନିଟ ପୂର୍ବରୁ ଗୋଟାଏ ମିସ୍ଡ୍ କଲ୍ ଆସିଛି । ସୁକନ୍ୟାର ସରୁ ଓଠରେ ସ୍ମିତହାସ୍ୟଟେ ଖେଳିଗଲା । ସେ ମୁହଁ ଉପରକୁ ଉଠେଇ କହିଲା, "ହଁ ମିସ୍ଡ୍ କଲ୍ ଗୋଟେ ଅଛି " ।

-- କିନ୍ତୁ ମୋ ଫୋନରେ ତ ପଇସା ନାହିଁ ସୁକମା' !

-- କିଛି ଅସୁବିଧା ନାହିଁ, ସେପଟୁ ଫୋନ୍ ଆସିବ । ମୋ ପାଖରେ ଫୋନ୍ ଅଛି, ତୁମେ ଯାଅ ଶୋଇବ । ମୁଁ ତୁମ ମୋବାଇଲରୁ ଗୋଟେ ବି ପଇସା ସାରିବିନି । ହେଲା ।

ମାଧବୀ ମୋବାଇଲ୍ ଦେଇ ଚାଲିଗଲେ । ସୁକନ୍ୟା ଦୁଇଥର ଛୋଟ ଛୋଟ ରିଙ୍ଗ୍ କରି କାଟିଦେଲା ପରେ ତନ୍ମୟ ତରଫରୁ କଲ୍ ଆସିଲା । ବେଡ୍ ରେ ଗଡି ଗଡି ସୁକନ୍ୟା ହସି ହସି କଥା ହେଉଥିଲା । ଦୁହିଁଙ୍କ ମନ ଭିତରୁ ସବୁ ମାନ ଅଭିମାନ ଦୂରେଇ ଯାଇଥିଲା । ସୁକନ୍ୟା ତନ୍ମୟକୁ କହିଲା, କାଲି ଛୁଟିପରେ ସେ ଯିବ ମୋନାଲିର ରଙ୍ଗ୍ ନମ୍ବର୍ ବୟଫ୍ରେଣ୍ଡକୁ ଦେଖାକରିବାକୁ । ତନ୍ମୟ ହଠାତ୍ ରାଗିଗଲା । "ତୁମେ କାହଁକି ଯିବ ତା ଅଜଣା ଅଶୁଣା ବୟଫ୍ରେଣ୍ଡକୁ ଦେଖା କରିବାକୁ ?", ତନ୍ମୟ ଚିଡ଼ିଉଠି କହିଲା ।

-- ସେ ଏକା ଯିବାକୁ ଭୟ କରୁଛି ।

-- ବେକାର କଥା । ଅଜଣା ଲୋକ ସହ ଫୋନରେ ପ୍ରେମ କଥା ହେବାକୁ ଡର ଲାଗୁନି, ଦେଖା କରିବାକୁ ଡର ଲାଗିଯାଉଛି ? ମୁଁ କହିଦେଉଛି ତୁମେ ଯାଇପାରିବନି ତା' ସହ ।

-- କିନ୍ତୁ କାହଁକି ?

-- ସେ ପିଲାକୁ ତୁମେମାନେ କେହି ଜାଣିନ, ସେ ଯଦି କ୍ରିମିନାଲ୍ ଟେ ହେଇଥିବ ! ସାଙ୍ଗରେ ଯଦି ଗୁଣ୍ଡା ଆଣିଥିବ ! ଝିଅଙ୍କୁ ଅପହରଣ କରିବା ଗ୍ୟାଙ୍ଗର ଲୋକ ହେଇଥିବ ! ତେବେ ? କ'ଣ ହେବ ତେବେ ? ତୁମେ ଯିବନି, ବୁଝିଲ ? ବାସ୍ ଏ ବିଷୟରେ ମୁଁ ଆଉ କିଛି କହିବିନି ।

-- ଆରେ ନାଇଁ, ଲଳିତ୍ ସେମିତି ପିଲା ନୁହେଁ । ମୁଁ ମୋନାଲିକୁ କଥା ଦେଇଛି । ସେ ବିଚାରୀ ମୋ ଭରସାରେ ଥିବ । ପ୍ଲିଜ୍ ତନ୍ମୟ ବୁଝିବାକୁ ଚେଷ୍ଟା କର ।

-- ନାଇଁ ନାଇଁ ମୁଁ କିଛି ବୁଝିବିନି । ସେ ପିଲା ଲଳିତ୍ ତୁମକୁ ଦେଖିଲା ପରେ ଯଦି ମୋନାଲିକୁ ଛାଡ଼ି ତୁମକୁ ଭଲପାଇଯାଏ ? ତାହେଲେ ମୁଁ କ'ଣ କରିବି ?

ତନ୍ମୟର କଥା ଶୁଣି ସୁକନ୍ୟା ହୋ ହୋ ହୋଇ ହସିଉଠିଲା । ସୁକନ୍ୟାର ହସ ତନ୍ମୟକୁ ରଗେଇଦେଲା । ତନ୍ମୟର ରାଗକୁ ଶାନ୍ତ କରିବା ପାଇଁ ସୁକନ୍ୟା କହିଦେଲା, "ହଉ ବାବା ମୁଁ କାଲି ଛୁଟି ପରେ ସିଧା ଘରକୁ ଆସିବି । କୁଆଡ଼େ ଯିବିନାହିଁ । ତୁମେ ଆଉ ଏମିତି ରାଗନାହିଁ ।"

ସୁକନ୍ୟା କଡ଼ ଲେଉଟାଇଲା ଆରାମରେ କଥା ହେବାକୁ । ସେହି ସମୟରେ ମୋବାଇଲ୍ ଟୁଁ ଟୁଁ ହେଲା । ସ୍ନେହାଙ୍କ ନମ୍ବର୍ କଲ୍ ୱେଟିଂରେ ଅଛି । ସୁକନ୍ୟା ଡରିଗଲା । କାନ୍ଥ ଘଣ୍ଟାର ଟିକଟିକ ଶବ୍ଦ ସୂଚେଇ ଦେଉଛି, ସମୟ ରାତି ସାଢ଼େ ଏଗାର । "ଏତେ ରାତିରେ ମମି କାହଁକି ଫୋନ୍ କଲେ ? କିଏ, କାହା ସହ କଥା ହେଉଥିଲା ପଚାରିଲେ କ'ଣ କହିବି ? ", ଭାବୁ ଭାବୁ ସୁକନ୍ୟା ତନ୍ମୟକୁ ମମିଙ୍କ କଲ୍ ଆସିବା କଥା କହି ତା' ଫୋନ୍ କାଟିଲା ଓ ମୋବାଇଲଟା ଧରି ମାଧବୀଙ୍କ ପାଖକୁ ଦୌଡ଼ିଲା ।

କ୍ରମଶଃ...

ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୨୧)