ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୨୧)

ନୂଆ ପ୍ରଜନ୍ମର କଥାକାର ଲୋପାମୁଦ୍ରା ମିଶ୍ରଙ୍କ ଉପନ୍ୟାସ "ଚିତ୍ରଲିପି" ଧାରାବାହିକ ଭାବେ ପ୍ରକାଶ ପାଉଛି । ପ୍ରତିଦିନ ଏହି ଉପନ୍ୟାସର ଏକ ଏକ ଅଧ୍ୟାୟ ଆପଣମାନେ "ବାଟୋଇ"ରେ ପଢୁଛନ୍ତି ।


(ପୂର୍ବ ପ୍ରକାଶିତ ଉତ୍ତାରୁ)

ପିଲାବେଳେ ସୁକନ୍ୟା ଯେବେ ବି ମମିଙ୍କ ସହ ମାମୁଁ ଘରକୁ ଯାଏ, ଗୋଟେ ଦିନ କିମ୍ବା ଗୋଟାଏ ରାତି ହିଁ ସେମାନେ ସେଠି ରହନ୍ତି । ସେତିକି ସମୟ ତକ ମାମୁଁଘରେ ମମିଙ୍କର କେବଳ ଯୁକ୍ତି ତର୍କ ଓ କଳି ଝଗଡାରେ ବିତିଯାଏ । ସୁକନ୍ୟା ତା' ବଡ଼ମାମୁଁଙ୍କ ଝିଅ ସହ ଖେଳେ । ଟିଭି ଦେଖେ । ମାଇଁଙ୍କ ଖଟ ଉପରେ ଚୁପଚାପ୍ ବସେ । ତାକୁ ସେଠି କେହି କୋଳେଇ ନିଅନ୍ତିନି କି ଗେହ୍ଲା କରନ୍ତିନି । ଆଈଙ୍କ ପାଖରୁ କେବେ ଭଲ ପାଇବା ପାଇଥିବା କଥା ସୁକନ୍ୟାର ଆଦୌ ମନେ ନାହିଁ । ବରଂ ଦୀପୁ ହେଲା ପରେ ଆଈ ଯେବେ ବି ଅଧଘଣ୍ଟା କି ଘଣ୍ଟାଟେ ପାଇଁ ତାଙ୍କ କ୍ୱାର୍ଟର୍ସକୁ ଆସନ୍ତି ଦୀପୁକୁ କୁଣ୍ଢେଇ ବସନ୍ତି । ଦୀପୁ ତାଙ୍କ କୋଳରେ ଥିବାବେଳେ ସୁକନ୍ୟା ସାମ୍ନାକୁ ଆସିଗଲେ ଆଈ ମମିଙ୍କୁ ଡାକି କୁହନ୍ତି, "ସିନି, ଚାକିରୀ ସହ ଦୁଇଟା ଛୁଆ ସମ୍ଭାଳିବା କମ କଷ୍ଟ ନୁହେଁ । ଏ ଝିଅ ତ ବଡ଼ ହେଇଗଲାଣି, ଏବେ ୟାକୁ କୋଉ ହଷ୍ଟେଲରେ ଛାଡ଼ିଦେଉନୁ?"

ସୁକନ୍ୟା ଅସହାୟ ଆଖିରେ ମମିଙ୍କୁ ଦେଖେ । ମମି ଆଈଙ୍କୁ କିଛି କହନ୍ତିନି । ସୁକନ୍ୟାର ହାତ ଧରି ତାକୁ ସେଠୁ ନେଇଯାଇ ଟିଭିରେ କାର୍ଟୁନ୍ ଚ୍ୟାନେଲ୍ ଲଗେଇ ତାକୁ ସେଇଠି ବସେଇ ଦିଅନ୍ତି ।

ରମାମାଉସୀ ଆତ୍ମହତ୍ୟା କରିବାପରେ ମମି ଗୁଡ଼ାଏ ବର୍ଷ ଧରି ଆଈଙ୍କ ସହ କିମ୍ବା ମାମୁଁଘର ସହ ସମ୍ପର୍କ ରଖୁନଥିଲେ । ସେ ଘଟଣାକୁ ଅନେକ ଦିନ ବିତିଯାଇଥିବା ହେତୁ ଏବେ ପୁଣି ସବୁକିଛି ଆଗଭଳି ହେଇଗଲାଣି । ସ୍ନେହା ଦୁଇ ତିନିଥର ବାପଘର ଆଡ଼େ ଗଲେଣି । ଆଈ ଓ ମାମୁଁ ବି ଆସିଲେଣି । ସୁକନ୍ୟା କିନ୍ତୁ ଆଉ ସେଆଡ଼େ ଯାଏନି । ସ୍ନେହା ବି ସୁକନ୍ୟାକୁ ଯିବାକୁ ଡାକନ୍ତି ନାହିଁ । ମାମୁଁଘର ପ୍ରତି ସୁକନ୍ୟାର କୌଣସି ଆସକ୍ତି ନାହିଁ । ତାକୁ ସେଠି ଅଣନିଶ୍ୱାସୀ ଲାଗେ ।

ଆଈ ଆସିଛନ୍ତି, ସୁକନ୍ୟା ଆଦୌ ଉତ୍ସାହିତ ନୁହେଁ । ଦୀପୁ ପାଇଁ ନୂଆ ସାର୍ଟ୍ ପ୍ୟାଣ୍ଟ୍ ଆଣିଛନ୍ତି । ସୁକନ୍ୟା ପାଇଁ ସଲ୍ୱାର୍ ସୁଟ୍ ର କପଡ଼ା ସେଟ୍ ଟି ଆଈ ସ୍ନେହାଙ୍କ ହାତକୁ ବଢ଼େଇଦେଲେ । ସ୍ନେହା ସୁକନ୍ୟାକୁ ବଡ଼ ପାଟିରେ ଡାକି ଡାକି ତା' ରୁମ୍ କୁ ଗଲେ । କପଡ଼ା ସେଟକୁ ଖୋଲି ବେଡ୍ ଉପରେ ପକାଇ ସୁକନ୍ୟାକୁ ଦେଖେଇଲେ । ଖଇରୀରଙ୍ଗର କପଡ଼ା, ସାଧା ସିଧା ଚୁନରୀ ସୁକନ୍ୟାକୁ ଶସ୍ତା ଦିଶିଲା । ସେ ଦେଖିବାରେ ଆଉ ଆଗ୍ରହ ଦେଖାଇଲା ନାହିଁ । କପଡ଼ା ଉପରୁ ମୁହଁ ଫେରେଇଆଣି କହିଲା, "ମମି ତୁମର ଫେୟାର୍ କଲର୍ କୁ ଏ ରଙ୍ଗ ମାନିବ । ତୁମେ ତୁମ ପାଇଁ ବନେଇଦେବ ରଖ" ।

-- ଆଚ୍ଛା, ମୁଁ ଫେୟାର୍, ତୁ କଣ ଡାର୍କ୍ ?

-- ତୁମଭଳି ତ ଏତେ ବେଶି ଗୋରୀ ନୁହେଁ ନା !

-- ସେ ଫାଲତୁ କଥା କହନି । ମୁଁ କୋଉଠି ଆଉ ଡ୍ରେସ୍ ପିନ୍ଧୁଛି ଯେ ! ଯେତିକି ଶାଢି ଅଛି ସେତିକି ତ ପିନ୍ଧି ପାରୁନି । ତୁ ରଖ, ଆଈ କେଡ଼େ ଶ୍ରଦ୍ଧାରେ ଆଣିଛନ୍ତି, ତାଙ୍କ ମନ ଭାଙ୍ଗିଯିବ । ହଉ ଚାଲେ ଟିକେ ଆଈ ଆଉ ମାମୁଁଙ୍କ ପାଖରେ ବସିବୁ, ଏଠି କାହିଁକି ଏକୁଟିଆ ବସିଛୁ ? ଚାଲେ ।

-- ମୁଁ ତ ପ୍ରଣାମ କରିକି ଆସିଛି ! ହଉ ମୁଁ ଯିବି । ଏବେ ମୋର ଟିକେ ଜୁଲୋଜି ପ୍ରାକ୍ଟିକାଲ୍ ରେକର୍ଡ୍ ମେଣ୍ଟେନ୍ କରିବାର ଅଛି । ସାରିକି ଯାଉଛି ।

ଆଈଙ୍କ କାମ ସାରିଦେଇ ମାମୁଁ ଫେରିଗଲେ । ଆଈ ରହିଲେ । ମାଧବୀଙ୍କ ସହ ମିଶି ପିଠା ତିଆରି କଲେ, ସ୍ନେହାଙ୍କ ମନପସନ୍ଦର ପିଠା । ଦୀପୁକୁ ଖୁବ୍ ଗେହ୍ଲା କଲେ । ସୁକନ୍ୟା ସହ କଥା ହେବାକୁ କିନ୍ତୁ ଆଈ ସାହସ ଜୁଟେଇ ପାରୁନଥିଲେ । କାରଣ କ'ଣ ହେଇପାରେ, ତାହା କେବଳ ଆଈ ହିଁ ଜାଣିଥିବେ ।

ଘରେ ଆଈ ଅଛନ୍ତି । ତନ୍ମୟର ଫୋନ୍ ଆସୁନାହିଁ । କେହି ଜଣେ ବଦମାସ୍ ଲୋକ ବାରମ୍ବାର ଲ୍ୟାଣ୍ଡଫୋନକୁ ରିଙ୍ଗ୍ କରୁଥିବାରୁ ସ୍ନେହା ଫୋନ୍ ତାର କାଢ଼ି ରଖିଦେଇଛନ୍ତି । ଏସବୁ ଭିତରେ ଛଟପଟ ହେଉଛି ସୁକନ୍ୟା । ବହି ଖାତା ଧରି ବସୁଛି, କିନ୍ତୁ ପଢ଼ାରେ ଆଦୌ ମନ ଲାଗୁନାହିଁ ।

କୋଚିଂ ସେଣ୍ଟରର ସଣ୍ଡେ ଟେଷ୍ଟରେ ଏଥର ସୁକନ୍ୟା ଖରାପ ନମ୍ବର୍ ଆଣିଛି । ଫିଜିକ୍ସ୍ ଟିଚର୍ ବେଣୁସାର୍ ଖୁବ୍ ଗାଳି କରିଛନ୍ତି । ତନ୍ମୟର ଗାଳି, ରୋଜିର ମିଛ, ମୋନାଲିର ବୟଫ୍ରେଣ୍ଡ, ଟେଷ୍ଟ୍ ରେ ଖରାପ ନମ୍ବର୍ ଆଣିବା ଏସବୁ କଥା ସୁକନ୍ୟାର ଛାତିକୁ ଯେମିତି ରୁନ୍ଧି ପକାଉଥିଲେ । ତାକୁ ସେଦିନ ରାତିରେ ନିଦ ହେଲାନାହିଁ । ବିଛଣାରେ ଗଡ଼ି ଗଡ଼ି ଏକଡ ସେକଡ ହେଲା । ଉଠି ବସିଲା । ତଳକୁ ଦେଖିଲା । ଆଈ ଆସିଲାପରେ ଦିନସାରାର ଗଧ ଖଟଣି ଖଟି ମାଧବୀ ନିଘୋଡ଼ ନିଦରେ ଶୋଇଯାଇଛନ୍ତି । ସୁକନ୍ୟା ବେଡ୍ ରୁ ଉଠିଆସିଲା । ଡ୍ରଇଂ ରୁମ୍ ର ଫୋନ୍ ପାଖକୁ ଆସ୍ତେ ଆସ୍ତେ ଗଲା । ତାରଟା କନେକ୍ଟ୍ କରିବାର ଦୁଃସାହସ କରିବାକୁ ଯାଉଥିଲା ସ୍ନେହାଙ୍କ ରୁମ୍ ରୁ ଚାପା ସ୍ୱର ଶୁଭାଗଲା । ସେ ଫୋନ୍ ଥୋଇଦେଇ ଭାବିଲା, "ମମି ଚାହିଁଛନ୍ତି, ଯାଉଛି ମମି ଆଉ ଆଈଙ୍କ ପାଖରେ ଟିକେ ବସିବି । କହିବି ନିଦ ହେଉନି" ।

ସୁକନ୍ୟା କବାଟ ପାଖରେ ଠିଆହେଲା । ଠିଆହେଇ ଭାବୁଥିଲା ଖଟଖଟ କରିବକି ନାହିଁ । ତାକୁ ମମିଙ୍କ କାନ୍ଦ ଶୁଭିଲା । ଆଈ କହୁଥିଲେ, "ତୁ ସିନା କହୁଛୁ ତୋତେ ସୁବ୍ରତ ଧୋକା ଦେଇଛି, କିନ୍ତୁ ସେଠି ଲୋକେ କହୁଛନ୍ତି ତୁ ତାକୁ ଧୋକା ଦେଇ ନରୋତ୍ତମ ସହ ସମ୍ପର୍କ ରଖିଥିଲୁ" ।

-- କୋଉ ଲୋକ କହୁଥିଲା ? ତୋତେ କିଏ କହିଲା ?

-- ତୋ ଭାଉଜ କହୁଥିଲା, ନରୋତ୍ତମର ସ୍ତ୍ରୀ ତାକୁ ନିଜେ କହିଛି । ଅବଶ୍ୟ ମୁଁ ତାକୁ ଖୁବ୍ ଗାଳିକରିଛି । ଆରେ ମୁଁ କ'ଣ ଜାଣିନି ମୋ ଝିଅ କେମିତି ! ଗୋଟିଏ ଚାଉଳରେ ଗଢ଼ା ମୋ ଝିଅର କୋଉ ଗୁଣକୁ କିଏ ସରିହେବ ଯେ ! ସୁବ୍ରତ ନା ନରୋତ୍ତମ, କେହି ତୋ ପାଦତଳକୁ ବି ଯୋଗ୍ୟ ନୁହଁନ୍ତି । ଗୋଟେ ଅଖଞ୍ଜରେ ପଡ଼ି ସିନା ସୁବ୍ରତକୁ ତୁ ରାଜି ହେଲୁ, ନହେଲେ ତତେ କ'ଣ ବର ଅଭାବ ଥିଲେ ।

-- ବୋଉ, ସେ କଥା ଆଉ ଏବେ କାହଁକି ? ମୋତେ ଆଉ ସତରେ କିଛି ଭଲ ଲାଗୁନି ବୋଉ । ସୁବ୍ରତ ତ ଆଉ ଆସୁନାହାଁନ୍ତି । କେତେଦିନ ଆଉ ମୁଁ ବୋଝ ବୋହି ଚାଲିଥିବି ?

-- ମୁଁ ତୋତେ କେତେଥର କହିଛି, ସୁକନ୍ୟାକୁ ହଷ୍ଟେଲରେ ଛାଡେ ବୋଲି । ତୋର ତ ଜିଦି ପାଖରେ ରଖିବୁ ।

-- ନାଇଁ ବୋଉ ସୁକନ୍ୟା ମୋ ପାଇଁ ବୋଝ ନୁହେଁ । ସୁବ୍ରତଙ୍କ ସମ୍ପର୍କର ବୋଝ ମୁଁ ଆଉ ବୋହି ପାରୁନି ।

-- ତେବେ ?

-- ତେବେ ଆଉ କ'ଣ ? କିଛି ନୁହେଁ ବୋଉ । ଦାୟିତ୍ୱ ତୁଲଉଛି, ତୁଲାଉଥିବି । ଆଚ୍ଛା ବୋଉ, ନରୋତ୍ତମର ସ୍ତ୍ରୀ ସହ ଭାଉଜ କେମିତି ଭେଟ ହେଲେ ?

-- ସେ କୁଆଡ଼େ ତା କଲେଜ ସାଙ୍ଗ । ତୁ ଛାଡେ ତା କଥା ।

-- ସେ ଯଦି ଭାଉଜଙ୍କ କଲେଜ୍ ସାଙ୍ଗ, ତାହେଲେ ତ ଭାଉଜ ଭଲକରି ଜାଣିଥିବା କଥା କିଏ କାହାକୁ ଧୋକା ଦେଇଛି ?

-- ମାନେ ?

-- ବୋଉ ସେ ଯେଉଁ ନରୋତ୍ତମର ସ୍ତ୍ରୀ ଲିଜୁନ୍, ମୁଁ ତା'ର ଆବର୍ସନ୍ କରିଥିଲି । ସେତେବେଳେ ସେ ବାହା ହେଇନଥିଲା । ତାପରେ ସେ ପୁଣି ଆସିଲା । ସେଥର ବହୁତ ଡେରି ହେଇଯାଇଥିଲା । ଗର୍ଭନଷ୍ଟ କରିହେଲାନାହିଁ । ବହୁତ କାନ୍ଦିଲା । ଯୋଉ ପିଲା ତାକୁ ପ୍ରେଗନାଣ୍ଟ୍ କରିଥିଲା ସେ ବାହାହେବାକୁ ମନାକରିଦେଲା ଓ ପରେ ସେ ପିଲା ତାକୁ ବ୍ଲାକମେଲ୍ କରି ଟଙ୍କା ମାଗୁଥିବା କଥା ସେ ମୋତେ କହିଛି । ନରୋତ୍ତମ୍ କେବେ ବାପା ହେଇପାରିବନି ଜାଣି ମଧ୍ୟ ସେ ନରୋତ୍ତମଙ୍କୁ ବାହା ହେବାକୁ ରାଜି ହେଲା । ସେ ନରୋତ୍ତମଙ୍କ ସହ ରହୁଥିଲା କେବଳ ତା' ପୂର୍ବତନ ଧୋକାବାଜ ପ୍ରେମିକର ବ୍ଲାକମେଲିଙ୍ଗ୍ ର ଟଙ୍କା ନରୋତ୍ତମଙ୍କ ଠାରୁ ନେଇ ତାକୁ ଦେବା ପାଇଁ । ମୁଁ ସବୁ ଜାଣି ବି କେବେ କାହା ପାଖରେ କିଛି କହିନାହିଁ ।

-- ଆଉ ତା'ର ସେ ଛୁଆ, ଯୋଉଟା ନଷ୍ଟ ହେଇପାରିନଥିଲା ?

-- ମଲାପିଲାଟେ ଜନ୍ମ ହେଲା ବୋଉ । ମୁଁ ତାକୁ ଅନେକ ଥର କହିଛି, ଛୁଆ ଆଡପ୍ଟ୍ କରିବାକୁ ନଚେତ ନରୋତ୍ତମଙ୍କୁ ଡିଭୋର୍ସ କରି ଶାନ୍ତିରେ ରହିବାକୁ । କିନ୍ତୁ ସେ ହିଁ ମୋତେ ଶତ୍ରୁ ଭାବିଲା ।

-- କାହଁକି ?

-- ସେ ଭାବୁଥିବ ମୁଁ କାଳେ ତା' କଥା କୁଆଡ଼େ କହିଥିବି, ସେଥିପାଇଁ ବୋଧେ ସେ ମୋତେ ବଦନାମ କରିବାକୁ ଚାହୁଁଥିଲା ।

-- ଆଉ ନରୋତ୍ତମ ଯେଉଁ ତୁମ ଘରକୁ ଆସେ, ସେ କ'ଣ ତା ସ୍ତ୍ରୀ ବାବଦରେ କିଛି କହିବାକୁ ଆସେ ?

-- ନାଇଁ, ସେ ସୁବ୍ରତଙ୍କ ବାବଦରେ ଶୁଣିବାକୁ, ବୁଝିବାକୁ ଆସେ । ବୋଉ ସୁବ୍ରତ ଏକା ମୋତେ ନୁହଁନ୍ତି, ନରୋତ୍ତମଙ୍କୁ ବି ଧୋକା ଦେଇଛନ୍ତି ।

-- କେମିତି ?

-- ତୁ ସେକଥା ବୁଝିପାରିବୁନି ବୋଉ । ମୋ ଜୀବନ କେମିତି ନର୍କ ହେଇଯାଇଛି,ସେକଥା ମୁଁ ତୋତେ ବୁଝେଇ ପାରିବିନି ।

ସ୍ନେହା ପୁଣି କାନ୍ଦିଲେ । ସୁକନ୍ୟାକୁ ବି କାନ୍ଦ ଲାଗିଲା । ସେ ପାଦ ଟିପି ସେଠୁ ଚାଲିଆସି ଶୋଇବାକୁ ଚେଷ୍ଟା କଲା ।

ଆଈଙ୍କ ଉପରେ ସୁକନ୍ୟାର ଆଉ କୌଣସି ରାଗ କିମ୍ବା ଅଭିମାନ ନଥିଲା । ଆଈ ତାକୁ ଟିକେ ଭଲପାଆନ୍ତୁ, କୋଳେଇ ନିଅନ୍ତୁ, ଗେହ୍ଲା କରନ୍ତୁ ଏଭଳି କିଛି ଆଶା କରିବା ସେ ଛାଡିଦେଲା । ତାକୁ ଖୁବ୍ ହାଲ୍କା ଲାଗିଲା । ଘରେ ଆଈଙ୍କ ଉପସ୍ଥିତି ବି ତାକୁ ଆଉ ଜଣାପଡ଼ିଲା ନାହିଁ ।

କ୍ଲାସ୍ ସାରି ମୋନାଲି ପାଖକୁ ଯାଇଥିଲା ସୁକନ୍ୟା । ନରୋତ୍ତମ୍ ଅଙ୍କଲଙ୍କ ବିଷୟରେ ତାକୁ ପଚାରିଲା । ସେ କହିଲା,"ଲିଜୁନ୍ ଆଣ୍ଟିଙ୍କର ଚିକିତ୍ସା ଚାଲିଛି । ସେ ଶୀଘ୍ର ମାଆ ହେବେ । "

-- କିନ୍ତୁ ନରୋତ୍ତମ୍ ଅଙ୍କଲ୍ ତ ବାପା ହେବାର କ୍ଷମତା ରଖନ୍ତିନି ।

-- ତୋତେ କିଏ କହିଲା ?

-- ମୁଁ ଶୁଣିଥିଲି ।

-- ମୁଁ ତ ଜାଣିନି ଏକଥା । ନରୋତ୍ତମ୍ ଅଙ୍କଲ୍ ବାପା ହେଇପାରିବେନି ? ତାଙ୍କ ଫ୍ୟାମିଲି ତ ତାହେଲେ ସତରେ ବହୁତ କଷ୍ଟରେ ଅଛନ୍ତି । ଲିଜୁନ୍ ଆଣ୍ଟିଙ୍କ ଶାଶୂଙ୍କୁ କ୍ୟାନ୍ସର୍ । ସେ ବି ଟ୍ରିଟମେଣ୍ଟ୍ ହେଉଛନ୍ତି କଟକରେ । କେମୋ ନେଉଛନ୍ତି ।

ମୋନାଲି ସହ ଅଳ୍ପ କଥା ହେଇସାରି ସୁକନ୍ୟା ତା' ଠାରୁ ତା' ମୋବାଇଲ୍ ଆଣି ତନ୍ମୟର ନମ୍ବର୍ ଡାଏଲ୍ କଲା । ତା' ଫୋନ୍ ସୁଇଚ୍ଡ୍ ଅଫ୍ ଥିଲା । ସେ ମୋନାଲିକୁ ମୋବାଇଲଟା ଫେରେଇଦେଲା ଓ ଉଠି ଠିଆହେଲା ଫେରିଆସିବା ପାଇଁ । ମୋନାଲି କହିଲା, "ଆଉ ଟିକେ ବସ୍ କଥା ହେବା " । ସୁକନ୍ୟାକୁ ଅସ୍ଥିର ଲାଗୁଥିଲା । ସେ ବସିପାରିଲାନି । ଉଠି ଚାଲିଆସିଲା ।

ଆଈଙ୍କ ଆସିବାର ପନ୍ଦର ଦିନ ହେଇଗଲାଣି । ଆଈ ଯିବାକୁ ବାହାରୁଛନ୍ତି, କିନ୍ତୁ ସ୍ନେହା ଓ ଦୀପୁ ଅଟକାଇ ଦେଉଛନ୍ତି । ସୁକନ୍ୟା ଆଈଙ୍କ ଠାରୁ କେବଳ ଦୂରତା ବଜାୟ ରଖିବାପାଇଁ ବେଶି ସମୟ ବହି ପାଖରେ ବସି ରହୁଛି । ସେହି ଶନିବାର ସନ୍ଧ୍ୟାରେ ଆଈ ସ୍ନେହାଙ୍କ ସହ ବଜାର ଯାଇଥିଲେ । ସୁକନ୍ୟା ବୁଲୁଥିଲା ଘର ଆଗ ଛୋଟ ବଗିଚାଟିରେ । ମାଧବୀ ଆସି ତା ପାଖରେ ଠିଆ ହେଲେ । ସୁକନ୍ୟା ତାଙ୍କୁ ଉଦାସ ଉଦାସ ଚାହାଣୀରେ ଦେଖିଲା । ମାଧବୀ ଧିର କଣ୍ଠରେ କହିଲେ, " ଏଠି ଭାରି ମଶା, ଭିତରକୁ ଚାଲ, ମୁଁ ତୁମ ପାଇଁ ଅଦାବାଲା ଚା' କରିଦେବି । ମୁଁ ଜାଣେ ତୁମେ ଆଈଙ୍କ ଡରରେ କିଛିଦିନ ହେଲା ଚା' ପିଉନ । ଚାଲ ପିଇବ, ଆଜି ସେ ନାହାଁନ୍ତି । "

ସୁକନ୍ୟା ଗୋଟେ ଫୁଲକୁ ଧରି ଆସ୍ତେ କରି ଆଉଁଶିଦେଲା ଓ କିଛି ନକହି ଘର ଭିତରକୁ ଚାଲିଗଲା । ମାଧବୀ ଚା' ଆଣି ଆସିଲେ । ସୁକନ୍ୟା ଟିଭି ଖୋଲିଥିଲା, ମାଧବୀ ଆସି ତା' ପାଖରେ ବସିଲେ ଓ କହିଲେ, "ସୁକମାଆ, ତୁମ ବାବାଙ୍କ ଘର ଆଡୁ ତୁମର କେହି ବନ୍ଧୁ ବାନ୍ଧବ ନାହାଁନ୍ତି କି ? ଯେମିତି କି ପିଉସୀ, କାକା, ବଡବାପା ଏମିତି କେହି ନାହାଁନ୍ତି ? "

"ନା, ବାପା ଜେଜେଙ୍କର ଗୋଟିଏ ପୁଅ । ତାଙ୍କର କେହି ଭାଇ ଭଉଣୀ ନାହାଁନ୍ତି", ଚା' ପିଉ ପିଉ ସୁକନ୍ୟା କହିଲା । ମାଧବୀ କିଛି ସମୟ ଚୁପ୍ ରହିଲା ପରେ ପୁଣି ପଚାରିଲେ, "ଜେଜେଙ୍କ ସହ ତୁମ ମମିଙ୍କର ସମ୍ପର୍କ କେମିତି ଥିଲା ?"

-- ମୁଁ ଜାଣିନି । ଦୀପୁ ଓ ମୁଁ ଆମେ ଦୁଇଜଣ ଛୋଟ ହେଇଥିଲୁ ଜେଜେ ମରିଗଲେ । କିନ୍ତୁ ତୁମେ କାହଁକି ଏସବୁ କଥା ମୋତେ ପଚାରୁଛ ?

ମାଧବୀ ଟିକେ ଥଙ୍ଗ ଥଙ୍ଗ ହେଇ କହିଲେ, "କିଛି ନାହିଁ, ଏମିତି ପଚାରିଦେଲି । ତୁମ ମମି କେବେ ତାଙ୍କ ଶାଶୂଘର କଥା କହନ୍ତିନି ତ ସେଥିପାଇଁ ପଚାରିଲି । ତୁମେ ରାଗିଲ କି ?"

-- ନା ନା, ମୁଁ ରାଗିନି । ମମି କେବେ ସେଆଡ଼େ ଯାଆନ୍ତିନି । ମୁଁ ଥରେ ଯାଇଥିଲି ଜେଜେଙ୍କ ଘରକୁ । ବହୁତ ବେଶି ସୁନ୍ଦର ଆମ ବାପାଙ୍କର ଗାଁ ଓ ଘର । ସେଠି ଏବେ କେହି ନାହାଁନ୍ତି ।

ମାଧବୀ ଓ ସୁକନ୍ୟା କଥା ହେଉଥିଲେ ମାଧବୀଙ୍କ ଅଣ୍ଟା ପାଖରୁ ଟିଂ ଟିଂ ଶବ୍ଦ ବାହାରିଲା । ସୁକନ୍ୟା ଆଶ୍ଚର୍ଯ୍ୟ ହେଇଗଲା । ମାଧବୀ ଅଣ୍ଟା ଖୋଷଣୀରୁ ଛୋଟିଆ ମୋବାଇଲଟେ ବାହାରକଲେ । ଦାଣ୍ଡ ପାଖକୁ ଯାଇ " ହୁଁ, ହାଁ" ହେଇ କିଛି କଥା ହେଲେ । କଥା ହେଇସାରି ଭିତରକୁ ଆସିଲା ବେଳକୁ ସୁକନ୍ୟା ତାଙ୍କୁ ସନ୍ଦେହ ଦୃଷ୍ଟିରେ ଚାହିଁରହିଛି ।

"ଫୋନ୍ କୋଉଠୁ ଆଣିଲ ? " ସୁକନ୍ୟା ଚଢାଗଳାରେ ପଚାରିଲା ।

-- ମୋ ପୁଅ ଆଜି ଦେଲା । ବଜାରକୁ ଯାଇଥିଲି, ତା' ସହ ଦେଖା ହେଲା, ସେ ଜୋରକରି ଧରେଇ ଦେଲା ।

-- ପୁଅ ? ତୁମର ପୁଅ କୋଉଠୁ ଆସିଲା ? କୁହ ତୁମର ପୁଅ କୋଉଠୁ ଆସିଲା ? ତୁମର ତ କେହି ନାହାଁନ୍ତି କହୁଥିଲ ? ପୁଣି ପୁଅ..?

"କଲ୍ଲୋଳ.. ", ମାଧବୀ ଏତିକି କହିଛନ୍ତି କଲିଂ ବେଲ୍ ବାଜିଉଠିଲା । ମାଧବୀ କବାଟ ଖୋଲିବାକୁ ଯିବା ପୂର୍ବରୁ ସୁକନ୍ୟାକୁ ଅନୁରୋଧ କଲାଭଳି କହିଲେ, " ମୋବାଇଲଟା କିଏ ଦେଇଛି ମମିଙ୍କୁ କହିବନି । ମୁଁ ତାଙ୍କୁ କହିଛି ମୋ ଦରମା ଟଙ୍କାରେ ମୋତେ ମଣି କିଣିଦେଇଛି " ।

କ୍ରମଶଃ...

ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୨୦)