ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୨୦)

ନୂଆ ପ୍ରଜନ୍ମର କଥାକାର ଲୋପାମୁଦ୍ରା ମିଶ୍ରଙ୍କ ଉପନ୍ୟାସ "ଚିତ୍ରଲିପି" ଧାରାବାହିକ ଭାବେ ପ୍ରକାଶ ପାଉଛି । ପ୍ରତିଦିନ ଏହି ଉପନ୍ୟାସର ଏକ ଏକ ଅଧ୍ୟାୟ ଆପଣମାନେ "ବାଟୋଇ"ରେ ପଢୁଛନ୍ତି ।


(ପୂର୍ବ ପ୍ରକାଶିତ ଉତ୍ତାରୁ)

ସୁକନ୍ୟା ଉଡୁଥିଲା ଆକାଶରେ । ଖୁବ୍ ଉଚ୍ଚରେ ଉଡ଼ୁ ଉଡ଼ୁ ତଳେ ଏକ ସୁନ୍ଦର ରାଜପ୍ରାସାଦ ଉପରେ ତା'ର ନଜର ପଡ଼ିଲା । ସୁକନ୍ୟା ହାତ ଓ ମୁଣ୍ଡ ତଳ ମୁହାଁ କଲା, ପବନକୁ ଆଡେଇ ଆଡେଇ ତଳକୁ ଖସିଲା । ରାଜପ୍ରାସାଦଟି ଥିଲା ବହୁତଳ ବିଶିଷ୍ଟ । ସେଥିରେ ବିରାଟ ବିରାଟ କବାଟ ଓ ଝର୍କା । ସବା ଉପର ମହଲାର ଝର୍କା ବାଟେ ସୁକନ୍ୟା ଭିତରକୁ ଦେଖିଲା । ରାଜକୁମାର ଶୋଇଥିଲେ । ତାଙ୍କ ମୁହଁରୁ ଜ୍ୟୋତି ବାହାରୁଥିଲା । ସେ ନିଶ୍ଚିନ୍ତରେ ଶୋଇଥିଲେ । ରାଜକୁମାରଙ୍କ ସୁନ୍ଦର ଆକର୍ଷଣୀୟ ଚେହେରା ଦେଖି ସୁକନ୍ୟାର ମନରେ ପ୍ରେମର ଛୋଟ ଫୁଲଟିଏ ଫୁଟିଉଠିଲା । ସେ ପବନକୁ ଠେଲି ଝର୍କାର ଆହୁରି ପାଖକୁ ଗଲା । ରାଜକୁମାରଙ୍କ ସୁସଜ୍ଜିତ କକ୍ଷକୁ ଆହୁରି ପାଖରୁ ଦେଖିଲା । ରାଜକୁମାରଙ୍କ ବାମ ପାର୍ଶ୍ୱକୁ ଦେଖି ସୁକନ୍ୟାର ମନ ବିଷାଦରେ ଭରିଗଲା । କିଛି ସମୟ ପୂର୍ବରୁ ତା' ମନରେ ଫୁଟିଉଠିଥିବା ପ୍ରେମର ସେହି ଛୋଟିଆ ଫୁଲଟି ମଉଳିଗଲା । ରାଜକୁମାରଙ୍କ ସୁନ୍ଦର ପଲଙ୍କର ମଖମଲ ବିଛଣା ଉପରେ ଆରପାର୍ଶ୍ୱକୁ ମୁହଁ କରି ଶୋଇଥିଲେ ଜଣେ ଅନିନ୍ଦ୍ୟ ସୁନ୍ଦରୀ ଯୁବରାଣୀ । ସୁକନ୍ୟା କାନ୍ଦି ପକେଇଲା । ତା କାନ୍ଦ ବୋଧେ ରାଜକୁମାର ଓ ତାଙ୍କ ଯୁବରାଣୀଙ୍କ କାନରେ ବାଜିଲା । ସେମାନଙ୍କ ନିଦ୍ରା ଭଙ୍ଗ ହେଇଗଲା । ସେହି ସଙ୍ଗେ ସଙ୍ଗେ ବଡ଼ ବଡ଼ ଖଣ୍ଡା ତଲୱାର୍ ଧରି କିଛି ଲୋକ ସୁକନ୍ୟାକୁ ଝର୍କା ଆଡୁ ଆକ୍ରମଣ କରିବାକୁ ଦୌଡ଼ି ଆସିଲେ । ସୁକନ୍ୟା ଉଡି ଚାଲିଯିବାକୁ ଚେଷ୍ଟା କଲା । କିନ୍ତୁ ପାରିଲାନାହିଁ । ତା' ମୁଣ୍ଡ ପାଖରୁ ଅଣ୍ଟା ଯାଏଁ ଝର୍କାର ମଝି ଅଂଶରେ ଲାଖି ଯାଇଥିଲା । ସେ ଚେଷ୍ଟା କରି ମଧ୍ୟ ସେଥିରୁ ନିଜକୁ ବାହାର କରିପାରୁନଥିଲା । ସୁକନ୍ୟା ଖୁବ୍ ଚେଷ୍ଟା କଲା ମୁକୁଳିବାକୁ । ଚିକମିକ୍ କରୁଥିବା ଧାରୁଆ ଖଣ୍ଡାଟା ତା' ବେକ ପାଖକୁ ଆସିଲା । ସୁକନ୍ୟା ଭୟରେ ଚିତ୍କାର କରିଉଠିଲା । ତା'ର ଚିତ୍କାରରେ ମାଧବୀଙ୍କ ନିଦ ଭାଙ୍ଗିଗଲା । ସେ ଉଠି ଲାଇଟ୍ ଅନ୍ କଲେ । ସୁକନ୍ୟା କହିଲା, "କିଛି ନାହିଁ, ଗୋଟେ ଖରାପ ସ୍ୱପ୍ନ ଦେଖିଲି । ତୁମେ ଶୋଇପଡ଼ ।"

ତନ୍ମୟ ଖୁବ୍ ହସିଲା । "ମୋ ବେଡ୍ ରେ ତୁମ ବ୍ୟତୀତ ଆଉ କାହାକୁ ଯାଗା ମିଳିବନି । ତୁମେ ଭୁଲ ସ୍ୱପ୍ନ ଦେଖିଛ", ତନ୍ମୟ ସେପଟୁ ଫୋନ୍ ରେ ସୁକନ୍ୟାକୁ କହୁଥିଲା ।

-- ନାଇଁ ମୁଁ ଦେଖିଛି ସେ ସୁନ୍ଦରୀ ଝିଅଟା ମୁଁ ନୁହେଁ ।

-- ତାହେଲେ ପୁଅଟା ବି ମୁଁ ହେଇନଥିବି ।

ସୁକନ୍ୟା କିଛି ସମୟ ଚୁପ୍ ରହିଲା । ତାକୁ ଲାଗିଲା ତନ୍ମୟ ତା' ମିଛ ଧରିନେଉଛି । "ସତରେ ତ ସେ ପୁଅଟା ତନ୍ମୟ ନଥିଲା", ସୁକନ୍ୟା ମନେ ମନେ ଭାବିଲା କିନ୍ତୁ ତନ୍ମୟକୁ କହିପାରିଲାନାହିଁ ।

ସୁକନ୍ୟା ଫୋନ୍ ରଖି କଲେଜକୁ ଫେରିଲା । କେମିଷ୍ଟ୍ରି ପ୍ରାକ୍ଟିକାଲ୍ କ୍ଲାସ୍ ଥିଲା । କ୍ଲାସ୍ ପରେ କୋଚିଂ କ୍ଲାସ୍ ଅଛି । ମଝିରେ ଅଧାଘଣ୍ଟାର ଗ୍ୟାପ୍ । ତା'ର କିନ୍ତୁ ଇଚ୍ଛା ନଥିଲା ଗ୍ୟାପ୍ ରେ ହଷ୍ଟେଲକୁ ଯିବାକୁ । ହଷ୍ଟେଲ୍ ଗଲେ ରୋଜି ସହ ଦେଖା ହେଇଯାଇପାରେ । ସେ ଚାହେଁନି ରୋଜିକୁ ଦେଖିବାକୁ । ମୋନାଲିର ରୁମ୍ କୁ ଯିବାକୁ ମଧ୍ୟ ତା'ର ଇଚ୍ଛା ହେଉନି । ସେ ଆଜିକାଲି ତା' ରଙ୍ଗନମ୍ବର୍ ବୟଫ୍ରେଣ୍ଡ୍ ସହ ଖୁବ୍ ଗପୁଛି ।

କ୍ଲାସ୍ ସାରି ସୁକନ୍ୟା କ୍ୟାଣ୍ଟିନ୍ କୁ ଗଲା । ତାକୁ ବହୁତ ଭୋକ ଲାଗୁଥିଲା । ଖାଇବା ଅର୍ଡର୍ କରି ବସିଥିଲା ରିଙ୍କୁନ୍ ଆସି ବସିଗଲା ତା' ସାମ୍ନାରେ ।

-- ସୁକନ୍, ଆମ ହଷ୍ଟେଲ୍ ନମ୍ବର୍ ଜାଣିନଥିଲୁ ନା ? କାଇଁ ସେଦିନ ତ ଫୋନ୍ କଲୁନି ?

-- ହଁ ନମ୍ବର୍ ଟା ନଥିଲା ।

"ହଉ ମୋ ନୂଆ ମୋବାଇଲ୍ ନମ୍ବରଟା ରଖିଥା", ରିଙ୍କୁନ୍ ନମ୍ବରଟେ ଡାକିଲା । ସୁକନ୍ୟା ନମ୍ବରଟା ଟିପିସାରି କହିଲା, "ତୁମ ପୁରୁଣା ମୋବାଇଲଟା କ'ଣ ହେଲା କି ?"

-- ବାପା ଜାଣିଦେଲେ ପା, ନେଇଗଲେ । ପୁପୁନ୍ କୁ ଦେଇଦେଲେ । ଭାଇ ପାଖରେ ଅଛି । ତା'ର ଦୁଇଟା ମୋବାଇଲ୍ ।

-- ଏଇଟା ବି କ'ଣ ଲୁଚେଇ ରଖିଛ ?

-- ନା ନା ଏଇଟା ବାପା କିଣିଦେଇଛନ୍ତି ।

ସୁକନ୍ୟାର ଗୁଲୁଗୁଲା ଆଉ ତର୍କାରୀ ଆସିଯାଇଥିଲା । ସେ ରିଙ୍କୁନ୍ ସହ ନିଜ ପ୍ଲେଟ୍ ସେୟାର୍ କଲା । ଖାଉ ଖାଉ ସୁକନ୍ୟା ପଚାରିଲା, "ରୋଜି ପାଖକୁ ତୁମର କୋଉ ସାଙ୍ଗ ଗିଫ୍ଟ୍ ପଠେଇଥିଲା ?"

-- ରୋଜି ପାଖକୁ ?

-- ହଁ, ସେଦିନ ତ ତୁମେ ତା' ନାଁ ଆଉ ରୁମ୍ ନମ୍ବର୍ ବାହାଦୂରକୁ କହୁଥିଲ । ମୁଁ ଶୁଣିଛି ।

-- ହଁ ହଁ ସେଇ ରୋଜି, ମାନେ ତୋ ସାଙ୍ଗ ରୋଜି । ତାକୁ ମୋ ରୁମମେଟ୍ ଉପହାର ସ୍ୱରୂପ କିଛି ଗୋଟେ ଦେଇଥିଲା । ମୁଁ ଜାଣିନି ସେଥିରେ କ'ଣ ଥିଲା । ସେ ମୋତେ କହିଲା ତ' ମୁଁ ନେଇ ପହଞ୍ଚେଇଦେଲି, ବାସ୍ ।

କହିସାରି ରିଙ୍କୁନ୍ ଗ୍ଲାସେ ପାଣି ପିଇଗଲା । କପାଳ ଉପରର ବିନ୍ଦୁ ବିନ୍ଦୁ ଝାଳକୁ ରୁମାଲରେ ପୋଛି ପକେଇଲା ।

-- ମୁଁ କ'ଣ ପଚାରିଲି କି ସେଥିରେ କ'ଣ ଥିଲା ? ମୁଁ ଜାଣିବାକୁ ଚାହୁଁଛି ଯେ ତୁମ ଭାଉଜଙ୍କୁ ଆଉ କିଏ ଉପହାର ଦେଉଛି ? କିଏ ସେହି ତୁମର ସାଙ୍ଗଟି ?

"ଭାଉଜ ??", ରିଙ୍କୁନ୍ ବଡ ବଡ଼ ଆଖିରେ ସୁକନ୍ୟାକୁ ଚାହିଁଲା । ହାତରେ ଧରିଥିବା ଗୁଲୁଗୁଲାଟାକୁ ପ୍ଲେଟରେ ଥୋଇଦେଲା । ରିଙ୍କୁନର ଅବସ୍ଥା ଦେଖି ସୁକନ୍ୟା ଅଳ୍ପ ହସିଲା । ହାତ ଘଣ୍ଟାକୁ ଦେଖିଲା ଓ ହାତ ଧୋଇବାକୁ ଉଠିଗଲା ।

"ସୁକନ୍ ତୁ ଏମିତି ଚାଲିଯାଉଛୁ କ'ଣ ? ରହ ।"

-- ଟଙ୍କା ମୁଁ ଦେଇଦେଇଛି । ଟୋଟାଲ୍ ବାଇଶି ଟଙ୍କାର ଆମେ ଖାଇଛନ୍ତି । ଛଅଟା ଗୁଲୁଗୁଲାକୁ ବାରଟଙ୍କା ଆଉ ତରକାରୀ ଦଶଟଙ୍କାର ।

-- ମୁଁ ସେକଥା କହୁନି ।

-- ଆଉ କୋଉ କଥା ?

-- ଭାଉଜ, ରୋଜି ??

-- ହଁ ରୋଜି ହିଁ ତୁମ ଭାଉଜ ।

-- କେମିତି ? କହୁନୁ ?

-- ପରେ କହିବି, ଆଜି କ୍ଲାସ୍ ଟାଇମ୍ ହେଇଗଲାଣି । ଯାଉଛି ।

ସୁକନ୍ୟା ବ୍ୟାଗ୍ କାନ୍ଧରେ ପକେଇ ଅଧା ଚାଲି ଅଧା ଦୌଡ଼ି କ୍ୟାଣ୍ଟିନରୁ ବାହାରିଗଲା ।

ସେଦିନ ସନ୍ଧ୍ୟାରେ ସୁକନ୍ୟାର ମମିଙ୍କ ମୋବାଇଲକୁ ସୁକନ୍ୟା ନାଁରେ ଫୋନ୍ ଆସିଲା । ସେ ଭୟ ପାଇଗଲା । ଭାବିଲା ତନ୍ମୟ ହେଇଥିବ । କିନ୍ତୁ ଫୋନ୍ ରେ ହ୍ୟାଲୋ କହୁ କହୁ ସେପଟୁ ରୋଜି ଚଢାଗଳାରେ ପ୍ରଶ୍ନ କରିବା ଆରମ୍ଭ କରିଦେଲା, "କିରେ, ତୋର କ'ଣ ହେଇଛି କି ? ଆଜିକାଲି ଭାରି ଡିଷ୍ଟାନ୍ସ୍ ମେଣ୍ଟେନ୍ କରୁଛୁ ? ହଁ ସାଇନ୍ସ୍ ପିଲା ଆମ ଭଳି ଗଧିଆ ଆର୍ଟ୍ସ୍ ଷ୍ଟୁଡେଣ୍ଟ୍ ଙ୍କୁ କାହିଁକି ପଚାରିବ ? ହଁ କମର୍ସ୍ ପିଲା ହେଇଥିଲେ ହେଲେ ଚଳିଥାନ୍ତା । ନା କ'ଣ ଭୁଲ କହିଲି ?"

ସୁକନ୍ୟାର ବିଲକୁଲ୍ ଇଚ୍ଛା ନଥିଲା ରୋଜି ସହ ବକର ବକର ହେବାକୁ । ସେ ଧୀର ସ୍ୱରରେ କହିଲା, "ନାଇଁ ସେମିତି କିଛି ନୁହେଁ । କୋଚିଂର ସବୁ ଟାଇମିଂ ବଦଳିଯାଇଛି । ସେଥିପାଇଁ ତୋ ରୁମ୍ କୁ ଯାଇପାରୁନି ।"

-- କିନ୍ତୁ ଗ୍ୟାପ୍ ରେ କ୍ୟାଣ୍ଟିନରେ ଯାଇ ଖାଇପାରୁଛୁ, ନୁହେଁ ?

-- ଭୋକ ଲାଗିଲେ ଆଉ କ'ଣ କରିବି ? ହଉ ନହେଲେ କାଲିଠୁ ଟିଫିନ୍ ଧରିକି ଯିବି । ଆଚ୍ଛା, ତୁ ତ ମୋ ଖବର୍ ବେଶ୍ ରଖୁଛୁ ? ଭଲ ଭଲ । ବହୁତ ଭଲ । ଦୁଇ ଦୁଇଜଣ ଖବରଦାତା ରଖିଲେ ଖବର ତ ନିଶ୍ଚୟ ପାଇବୁ ।

-- ତୁ କ'ଣ କହୁଛୁ ମୁଁ କିଛି ବୁଝିପାରୁନି । ଏଇ ରବିବାର ଆସେ ଆମ ହଷ୍ଟେଲକୁ । କଥା ହେବା । ତୋତେ ବହୁତ କଥା କହିବାର ଅଛି । ଆଉ ଶୁଣୁ..

ରୋଜିର କଥା ସରିନି ସୁକନ୍ୟା ଫୋନ୍ କାଟିଦେଲା । ରୋଜିର ଫୋନ୍ କାଟିଦେଲା ପରେ ସୁବ୍ରତଙ୍କ ଫୋନ୍ ଆସିଲା । ସେ ସୁକନ୍ୟାକୁ ତା' ପଢ଼ାପଢି କଥା ପଚାରିଲେ ଓ ସ୍ନେହାଙ୍କୁ ଫୋନ୍ ଦେବା ପାଇଁ କହିଲେ । ସ୍ନେହା କଥା ହେଉ ହେଉ ଘର ପଛପାଖକୁ ପଳେଇଲେ । ସେଇଠି କ'ଣ ଯୁକ୍ତିତର୍କ ଲାଗିଥିଲେ । ଦୀପୁ ଶୁଣିକି ଆସି ସୁକନ୍ୟାକୁ କହିଲା,"ଦିଦି ତୋ ପାଇଁ ମମି, ବାପା କାହିଁକି ସବୁବେଳେ ଝଗଡ଼ା ଲାଗନ୍ତି ? ଏବେ ଫୋନରେ ଲାଗିଛନ୍ତି । ମମି କହୁଥିଲେ ତୋତେ ବଢ଼େଇ କୁଢ଼େଇ ଏଡ଼େଟେ କରିଛି ଯେହେତୁ ତୋର ସବୁକିଛି ଉପରେ କେବଳ ମମିର ହିଁ ଅଧିକାର ଅଛି । ଆଚ୍ଛା ଦିଦି ମମି କ'ଣ ମୋତେ ବଡ଼ କରିନାହାଁନ୍ତି ?"

-- ତୋତେ ଆଉ କେତେବେଳେ ମମି ବଡ଼ କଲେ ? ତୋତେ ତ ରମା ମାଉସୀ, ମଣି ମାଉସୀ ଆଉ ଏଇ ମାଧବୀ ମାଉସୀ ବଡ଼ କରିଛନ୍ତି । ମମି କେବଳ ମୋତେ ବଡ଼ କରିଛନ୍ତି ।

-- ଦିଦି ରମା ମାଉସୀ କିଏ ?

-- ରମା ମାଉସୀ ତୋର ମନେ ନାହାଁନ୍ତି ? ହଁ ତୋର କେମିତି ମନେ ରହିବ ? ତୁ ତ ବହୁତ ଛୋଟ ହେଇଥିଲୁ ଯେତେବେଳେ ସେ ଆମର ପୁରୁଣା ଘରେ ରହୁଥିଲେ ।

-- ସେ କୁଆଡ଼େ ଗଲେ ?

-- ସେ ଆମ ଘରୁ ଗଲାପରେ ବାହା ହେଇଯାଇଥିଲେ । କିନ୍ତୁ କ'ଣ ହେଲା କେଜାଣି ସେ ତାଙ୍କ ଶାଶୁଘରେ ରଶି ଲଗେଇ ଆତ୍ମହତ୍ୟା କରିଦେଲେ ।

ଦୀପୁ ଆଉ ସୁକନ୍ୟା ପାଠ ନପଢ଼ି ଗପୁଥିବା ସ୍ନେହା ଆସି ଦେଖିଲେ ଓ ସେମାନଙ୍କୁ ଖୁବ୍ ଗାଳିକଲେ । ତାଙ୍କ ମୁଣ୍ଡ ବିନ୍ଧା ହେଉଥିଲା । ସେ ମୁଣ୍ଡକୁ ଚାପି ଧରି ଡ୍ରଇଂ ରୁମ୍ କୁ ଗଲେ । ମାଧବୀ ଚା' କପ୍ ଟେ ନେଇ ସ୍ନେହାଙ୍କ ପାଖରେ ଥୋଇଲେ । ତାଙ୍କ ମୁଣ୍ଡରେ ବାମ୍ ଲଗେଇଦେଲେ । ସେମାନେ ଧୀରେ ଧୀରେ କ'ଣ କଥା ହେଉଥିଲେ ସୁକନ୍ୟାକୁ ଅଳ୍ପ ଅଳ୍ପ ତା' ପଢ଼ାଘରକୁ ଶୁଭୁଥିଲା । ସେ ଶୁଣିବାକୁ ଇଚ୍ଛା କରୁନଥିଲା, କବାଟ ଭିତରୁ ବନ୍ଦ୍ କରିଦେଲା । ଦୀପୁର ସେଦିନ ଟ୍ୟୁସନ୍ ନଥିଲା । ସେ ମମିଙ୍କ ରୁମ୍ ରେ ପଢ଼ୁଥିଲା । ସେ ପୁଣିଥରେ ସୁକନ୍ୟା ପାଖକୁ ଦୌଡ଼ି ଆସି କବାଟ ଠକ୍ ଠକ୍ କଲା । ସୁକନ୍ୟା ଭାବିଲା ଦୀପୁ ତା' ପାଖରୁ ଗଣିତ ବୁଝିବାକୁ ଆସିଛି । ସେ କବାଟ ଖୋଲିଦେଇ କହିଲା, "କହ କୋଉ ଅଙ୍କ ବୁଝିପାରୁନୁ ?"

-- ଅଙ୍କ ନୁହେଁ ଦିଦି ।

-- ଆଉ କ'ଣ ସାଇନ୍ସ୍, ନା ଇଂଲିଶ୍ ?

-- ନା ସେସବୁ କିଛି ନୁହେଁ ।

-- ଆଉ କ'ଣ ?

-- ଆଈ ଆଉ ମାମୁଁ ଆସିବେ ଶନିବାର ଦିନ ।

-- କୋଉଠିକୁ ?

-- ଏଇଠିକୁ ।

-- କାହଁକି ?

-- ଆଈର କ'ଣ କଚେରୀ କାମ ଅଛି ବୋଲି ମାମୁଁ ଫୋନରେ ମମିଙ୍କୁ କହୁଥିଲେ । ଜାଣିଛୁ ଆଈ ଏଠି କିଛିଦିନ ପାଇଁ ରହିବ । କେତେ ମଜା ହେବ ନା ? ଆମ ଘରକୁ କେବେ କେହି ଗେଷ୍ଟ୍ ଆସୁନାହାଁନ୍ତି । ବାପା ବି ବହୁତ ଦିନ ହେଲା ଆସିନାହାଁନ୍ତି । ଆଈ ଆସିଲେ ମୋତେ ବହୁତ ଭଲ ଲାଗିବ ।

-- ହଁ ତୋତେ ସେ ବହୁତ ଭଲ ପାଆନ୍ତି । ଭଲ ତ ତୋତେ ନିଶ୍ଚୟ ଲାଗିବ । ହଉ ତୁ ଏବେ ସିଆଡେ ଯାଆ ଖୁସି ହେବୁ । ମୋର ପଢ଼ିବାର ଅଛି ।

ସୁକନ୍ୟା ଚିଡିଚିଡ଼ି ହେଇ ଦୀପୁକୁ ରୁମ୍ ରୁ ବାହାର କରିଦେଇ ପୁଣି କବାଟ ବନ୍ଦ କରିଦେଲା ।

ରାତି ନଅଟାରେ ଲ୍ୟାଣ୍ଡ୍ ଫୋନ୍ ଦୁଇଥର ରିଙ୍ଗ୍ ହେଇ କଟିଗଲା । ଦୁଇମିନଟ୍ ଛାଡ଼ି ଫୋନ୍ ଆଉଥରେ ରିଙ୍ଗ୍ ହେଇ କଟିଲା । ଦୀପୁ ଓ ସୁକନ୍ୟା ଖାଉଥିଲେ । ସୁକନ୍ୟାର ତଣ୍ଟିରେ ଖାଇବା ଅଟକିଗଲା । ସେ ଖୁଁ ଖୁଁ ହେଇ କାଶି ପାଣି ଗ୍ଲାସ୍ ଉଠେଇନେଇ ପିଇଲା । ସ୍ନେହା ମାଧବୀଙ୍କୁ କହିଲେ, "ମାଧବୀ କିଏ ସବୁଦିନ ଏମିତି ଫୋନ୍ କରି କାଟୁଛି ? ଲାଗୁଛି କେହି ଗୋଟେ ବାଜେ ପିଲା ଆମ ନମ୍ବର୍ ପାଇ ଏମିତି ବଦମାସୀ କରୁଛି । ଏ ଲ୍ୟାଣ୍ଡଲାଇନଟା ଆଉ କୋଉ କାମକୁ ନୁହେଁ । ମୋବାଇଲ୍ ଆସିଲା ପରେ ବେକାରଟାରେ ଇଏ ପଡ଼ି ରହିଛି । ଭାବୁଛି କନେକ୍ସନ୍ କାଟିଦେବି ।"

କନେକ୍ସନ୍ କଟିଯିବା କଥା ଶୁଣି ସୁକନ୍ୟାର ମନ ଦୁଃଖ ହେଇଗଲା । ସେ ଧୀରେ ଧୀରେ କହିଲା, "ମମି ମୁଁ କେମିତି ମୋ କ୍ଲାସ୍ ବିଷୟରେ ଫୋନ୍ କରି ବୁଝିବି ? ତୁମେ ତ ତୁମ ମୋବାଇଲ୍ ନେଇ ଅଫିସ୍ ପଳାଉଛ । ଲ୍ୟାଣ୍ଡଲାଇନ୍ କାଟନି, ଥାଉ । ଯଦି କାଟିଦେବ ତାହେଲେ ମୋତେ ମୋବାଇଲ୍ କିଣିଦେଇ ସାରି କାଟିବ ।"

"ମୋବାଇଲ୍ ? ନା ନା । ଏବେ ମୋବାଇଲ୍ ଫୋବାଇଲ୍ କିଛି ନୁହେଁ । ପ୍ଲସ୍ ଟୁ ସରୁ ମୋବାଇଲ୍ ବ୍ୟବହାର କରିବୁ ।", ସ୍ନେହା କହିଲେ ଓ ତର୍କାରୀ କଡେଇଟା ଉଠେଇ ନେଇ କିଚେନ୍ କୁ ଚାଲିଗଲେ ।

ସୁକନ୍ୟା ସେଦିନ ରାତିରେ ସ୍ନେହାଙ୍କ ମୋବାଇଲ୍ ନିଜ ପାଖରେ ରଖିନଥିଲା । ପଢ଼ାପଢି ସାରି ଶୋଇବାକୁ ଗଲା । ତଳେ ମାଧବୀ ଶୋଇଥିଲେ । ସୁକନ୍ୟାର ଆଖି ଟିକେ ବୁଜିହେଇଆସିଛି ଲ୍ୟାଣ୍ଡ୍ ଫୋନ୍ ବାଜିଉଠିଲା । ସ୍ନେହା ଉଠିକରି ଡ୍ରଇଂରୁମ୍ କୁ ଗଲେ । ଫୋନ୍ କଟିଗଲା । ପୁଣି ବାଜିଲା । କିଛି ସମୟ ଅନ୍ତରରେ ଲ୍ୟାଣ୍ଡ୍ ଫୋନ୍ ରିଙ୍ଗ୍ ହେଉଥିଲା । ସ୍ନେହା ବାଧ୍ୟ ହେଇ ଫୋନ୍ ର ରିସିଭର୍ ଉଠେଇ ଥୋଇ ଦେଇ ଶୋଇବାକୁ ଗଲେ । ସୁକନ୍ୟା ଖୁବ୍ ଡରିଯାଇଥିଲା । ମନେ ମନେ ତନ୍ମୟକୁ ବହୁତ ଗାଳି କଲା । ସକାଳୁ କଲେଜ ଗଲେ ଆଗ ତନ୍ମୟକୁ ଫୋନ୍ କରି ଖୁବ୍ ଗାଳି କରିବ ବୋଲି ମନସ୍ଥ କରି ଶୋଇପଡ଼ିଲା ।

ପରଦିନ ଶୀଘ୍ର ଶୀଘ୍ର କୋଚିଂ କ୍ଲାସ୍ ପାଇଁ ବାହାରିଗଲା ସୁକନ୍ୟା । ମ୍ୟାଥ୍ କ୍ଲାସ୍ ସରୁ ସରୁ ଟେଲିଫୋନ୍ ବୁଥ୍ ଆଡ଼କୁ ଦୌଡ଼ିଲା । ବୁଥ୍ ବାଲା ତାକୁ ଚିହ୍ନିସାରିଥିଲା । କହିଲା, "ହେଇ ତ ଏବେ ଦୋକାନ ଖୋଲିଲା । ତୁମେ ଆଜି ଫାର୍ଷ୍ଟ୍ କଷ୍ଟମର୍ ।"

ସୁକନ୍ୟା ହସିଦେଇ ଭିତରକୁ ପଶିଗଲା । ତନ୍ମୟର ମୋବାଇଲ୍ ଥରେ ରିଙ୍ଗ୍ ହେଇଛି ସେ ଫୋନ୍ ଉଠେଇଦେଇ କହିଲା, "ବେବି, ଆଜି ଏତେ ସକାଳୁ ? କାଲି ପୁଣି କିଛି ସ୍ୱପ୍ନ ଦେଖିଲ କି ? ଏଥର କିଏ ଶୋଇଥିଲା ମୋ ବେଡ୍ ରେ ? ମୁଁ ରାଜକୁମାର ଥିଲି ନା ସିନେମା ହିରୋ, ନା ଆଉ କିଛି ?"

-- ଛାଡ଼ ସେ ବେକାର୍ କଥା । କାଲି ଆମ ଲ୍ୟାଣ୍ଡ୍ ଲାଇନକୁ ବାରମ୍ବାର କାହିଁକି ଫୋନ୍ କରୁଥିଲ ? ମମି କେତେ ରାଗିଲେ ଜାଣିଛ ? ସେ ସନ୍ଦେହ କଲେଣି । ସେ ମାଧବୀ ବୁଢ଼ୀ ସବୁ ଜାଣିଛି । କେତେବେଳେ ମମିଙ୍କୁ କହିଦେବ ଠିକ୍ ନାହିଁ । କାଲି ମମି କହୁଥିଲେ ଲ୍ୟାଣ୍ଡଲାଇନ୍ କାଟିଦେବେ । ତୁମର କ'ଣ କାଲି ମୁଣ୍ଡ ଖରାପ ହେଇଯାଇଥିଲା କି ? କାହିଁକି ରାତିସାରା ଏମିତି କରୁଥିଲ ?

-- ଆରେ ତୁମେ ଏ କ'ଣ କହୁଛ ? ମୋର କ'ଣ କିଛି କାମ ନାହିଁ ରାତିସାରା ତୁମ ଲ୍ୟାଣ୍ଡ୍ ଫୋନକୁ ରିଙ୍ଗ୍ କରୁଥିବି ? ମୁଁ ନଅଟା ବେଳେ ଥରେ ରିଙ୍ଗ୍ କରି କାଟିଦେଇଥିଲି । ତାପରେ ତ ଆଉ କରିନି। କାଲି ମୁଁ ଲାଇବ୍ରେରୀରେ ଥିଲି । ମୋର ପରୀକ୍ଷା ଅଛି, ପଢ଼ାପଢି କରୁଥିଲି । ଆଉ ହଁ, ତୁମେ ବି ପଢ଼ାପଢି କର । ରାତିରେ ଆଉ ମୋତେ ଫୋନ୍ କରିବନି । କିଏ ଗୋଟେ ତୁମ ଲଭର୍ ତୁମକୁ ରାତିରେ ଫୋନ୍ କରୁଛି, ବେକାରଟାରେ ମୋତେ ଦୋଷ ଦେଉଛ । ଫୋନ୍ ରଖ ମୁଁ କଲେଜ ପାଇଁ ରେଡି ହେବି ।

ସୁକନ୍ୟାର ବିଶ୍ୱାସ ହେଉନଥିଲା ଯେ ସେ ତନ୍ମୟ ସହ କଥା ହେଉଥିଲା । ତନ୍ମୟର ଏଭଳି କଥାବାର୍ତ୍ତା ତାକୁ ଖୁବ୍ ବାଧିଲା । ସେ ବୁଥ୍ ରେ ବସିଥିବା ଲୋକକୁ ଟଙ୍କା ଦେଇ ରେଜା ନନେଇ ପଳେଇଆସୁଥିଲା । ବୁଥ୍ ବାଲା ଟଙ୍କା ଫେରେଇବାକୁ ପଛରୁ ଡାକୁଥିଲା । ସୁକନ୍ୟା ଆଖିର ଲୁହକୁ ବିଶି ଆଙ୍ଗୁଠିରେ ଲୁଚେଇ କରି ପୋଛିପକେଇ କହିଲା, "ଭାଇନା ଲେଟ୍ ହେଇଗଲାଣି, ରଖିଥାଅ ପରେ ନେଇଯିବି ।"

କ୍ରମଶଃ...
ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୧୯)