ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୧୯)

ନୂଆ ପ୍ରଜନ୍ମର କଥାକାର ଲୋପାମୁଦ୍ରା ମିଶ୍ରଙ୍କ ଉପନ୍ୟାସ "ଚିତ୍ରଲିପି" ଧାରାବାହିକ ଭାବେ ପ୍ରକାଶ ପାଉଛି । ପ୍ରତିଦିନ ଏହି ଉପନ୍ୟାସର ଏକ ଏକ ଅଧ୍ୟାୟ ଆପଣମାନେ "ବାଟୋଇ"ରେ ପଢୁଛନ୍ତି ।


(ପୂର୍ବ ପ୍ରକାଶିତ ଉତ୍ତାରୁ)

ବହି ଥାକ ଉପରେ ସ୍ନେହାଙ୍କ ନଜର ପଡିଗଲା । ହାତ ବଢ଼େଇ ପ୍ୟାକେଟ୍ ଟା ଟାଣିଲେ । ଗୋଟେ ସୁନ୍ଦର ଲଙ୍ଗ୍ ଇୟରରିଙ୍ଗ୍, ମିଡିୟମ୍ ସାଇଜ୍ ର ପେନ୍ସିଲ୍ ପାଉଚ୍, ନୂଆ କଲର୍ ପେନ୍ସ୍ ଓ ଗୋଟେ ଚାବିରିଙ୍ଗ୍ ସହ କେତେଟା ଚକୋଲେଟ୍ସ୍ ଥିଲା ସେହି ପ୍ୟାକେଟରେ । ପ୍ୟାକେଟଟା ହାତରେ ଧରି ସ୍ନେହା ପାଟି କରି କହିଲେ, "କୋଚିଂ ବନ୍ଦ୍ ଥିଲା, ଘରକୁ ନଆସି ମାର୍କେଟ୍ ରେ ବୁଲିବା କ'ଣ ଦର୍କାର ଥିଲା ? ଏସବୁ ବାଜେ ଜିନିଷ କାହଁକି କିଣା ହେଉଛି ? ଟଙ୍କା ଅଧିକ ହେଇଯାଉଛି କି ? ଏ ଚକୋଲେଟ୍ସ୍ ଏତେ ଦୀପୁକୁ କାହଁକି ଦେଉଛୁ ?"

ସୁକନ୍ୟାକୁ ଟିକେ ଆଶ୍ୱସ୍ତ ଲାଗିଲା । ସେ ଉତ୍ସାହିତ ହେଇ କହିଲା, "ମୁଁ ମୋ ପକେଟମନିରୁ କିଣୁଛି ମମି । ତୁମେ ତ ଦୀପୁକୁ ଚକୋଲେଟ୍ସ୍ ଦେଉନ କି ବେଶି ଟଙ୍କା ବି ଦେଉନ, ସେଥିପାଇଁ ସେ ମୋ ପାଖରେ ଅଳି କରୁଛି । ଦେଖିଲ ମମି ଇୟରରିଙ୍ଗ୍ ଟା କେମିତି ହେଇଛି ?"

-- ହଁ ଭଲ, କିନ୍ତୁ ଏସବୁ ଏତେ ପିନ୍ଧିନା, କାନ ଝିଙ୍କି ନେବ, ବହୁତ ହେଭି ଅଛି ।

-- ସବୁବେଳେ ପିନ୍ଧୁଛି ନା କ'ଣ ଯେ ? ଏମିତି ଅକେଜନାଲି.. ମମି କ୍ଷୀରୋଦ୍ ଅଙ୍କଲ୍ ଙ୍କ ଘରେ ଆଜି ପାର୍ଟି ଥିଲା ନା ?

-- ହଁ, ବେକାର ପାର୍ଟି ।

-- ମାନେ ?

-- କ୍ଷୀରୋଦ ବାବୁ ଘରେ ନଥିଲେ । ତାଙ୍କୁ ଅପେକ୍ଷା କରି କରି ବହୁତ ଡେରି ହେଇଗଲା । ବର୍ଷାରେ ଭିଜି ଭିଜି ଆସିକି ପହଞ୍ଚିଲେ ଆମେ ଫେରିବା ବେଳକୁ । କହିଲେ, "କୋଚିଂ ସବୁ ଆଜି ଛୁଟି ଥିଲା । ମାର୍କେଟରେ କୋଚିଂର ପିଲାମାନେ ଭିଡ଼ କରୁଛନ୍ତି । ସୁକନ୍ୟାକୁ ଦେଖିଲି ବୁଲୁଥିଲା ।" ଯେତେ ସବୁ ବାଜେ ବାହାନା ।

ହାତରେ ଚକୋଲେଟ୍ସ୍ ଧରି ସ୍ନେହା ସୁକନ୍ୟାର ରୁମ୍ ରୁ ବାହାରି ଦୀପୁ ପାଖକୁ ଗଲେ ।

ସୁକନ୍ୟା ବେଡ୍ ଉପରେ ଗଡିପଡ଼ି ଆଖି ବୁଜିଦେଲା । ଆଖି ବନ୍ଦ୍ କରି ତନ୍ମୟକୁ ଦେଖିବାକୁ ଚେଷ୍ଟାକଲା ।

ସୋମବାର ଠାରୁ କଲେଜ୍, କୋଚିଂ ସେଣ୍ଟର୍ ର ପଢ଼ାପଢି ଆରମ୍ଭ ହେଇଗଲା । ସୁକନ୍ୟାକୁ ଆଉ ଫୁର୍ସତ୍ ନାହିଁ, ଆଗକୁ ଗୋଟେ ଟେଷ୍ଟ୍ ଅଛି । ରୋଜି ସହ ମଧ୍ୟ ଆଉ ଦେଖା ହୋଇନାହିଁ । ସେ ସେହି ତାଙ୍କ କୋଚିଂ ସେଣ୍ଟର୍ ପାଖ ଟେଲିଫୋନ୍ ବୁଥ୍ ରୁ ତନ୍ମୟ ସହ କଥା ହେଇଛି । ତନ୍ମୟକୁ ସାମାନ୍ୟ ସର୍ଦ୍ଦି ଜ୍ୱର । ଫୋନରେ ଦୁଇଥର ଛିଙ୍କିଲା ପରେ ସୁକନ୍ୟା ତାକୁ ଏକ ଦେଶୀ ଉପଚାର ବତେଇଲା ଯେଉଁଟା ମାଧବୀ ମାଉସୀ ଘରେ ଦୀପୁ ଆଉ ସୁକନ୍ୟାଙ୍କ ପାଇଁ ପ୍ରସ୍ତୁତ କରନ୍ତି । ତନ୍ମୟ ହସିଲା ଓ ନିଶ୍ଚୟ ସେମିତି କରିବ ବୋଲି କହିଲା ।

କୋଚିଂ ସେଣ୍ଟର୍ ରେ ପରୀକ୍ଷା ଦେଇସାରି ସୁକନ୍ୟା ଟେଲିଫୋନ୍ ବୁଥ୍ ଆଡ଼କୁ ଯାଉଥିଲା ପଛରୁ ଡାକିଲା ମୋନାଲି ।

-- ସୁକନ୍ୟା, କୁଆଡ଼େ ଆସିଥିଲୁ ?

-- କୋଚିଂ ଆସିଥିଲି ।

-- କାହାକୁ ଫୋନ୍ କରିବୁକି ?

-- ହଁ, କରିଥାନ୍ତି, ମୋ ମାଇଁଙ୍କ ପାଖକୁ, ଯାହାଙ୍କ ପାଖରେ ମୁଁ ଦଶମରେ ରହୁଥିଲି ।

-- ଓହୋ, ଆଚ୍ଛା । ହଉ ଯାଆ ତୁ ଫୋନ୍ କରିକି ଆସେ କଥା ହେବା ।

-- ଆରେ ନାଇଁ ଥାଉ । ଘର ଫୋନରୁ କଥା ହେଇଯିବି । ସେମିତି କିଛି ଅର୍ଜେନ୍ସି ନାହିଁ । ତୁ କୁଆଡ଼େ ଆସିଥିଲୁ ?

-- ଏଇ ଟିକେ କିଣାକିଣି ଥିଲା ତ ଆସିଥିଲି । ଇଏ ମୋ ରୁମମେଟ୍ ଆନି ।

ଆନି ଓ ସୁକନ୍ୟା ପରସ୍ପରଙ୍କୁ 'ହେଲୋ' କହି ଅଭିବାଦନ ଜଣାଇଲା ପରେ ମୋନାଲି ଅଭିମାନ କରି କହିଲା, "ସୁକନ୍ୟା ତୁ କହିଥିଲୁ ନା ଆସିବୁ ମୋ ରୁମ୍ କୁ ? ଆସିଲୁନି କାହଁକି ?"

-- ଆରେ ମୋ କୋଚିଂ ଇନଷ୍ଟିଟ୍ୟୁଟରେ ଟେଷ୍ଟ୍ ଥିଲା ତ ଗ୍ୟାପରେ ଲାଇବ୍ରେରୀ ଯାଇ ପଢ଼ୁଥିଲି । ଆଜି ଟେଷ୍ଟ୍ ସରିଲା । କାଲି ସିଓର୍ ଯିବି । ହଉ ଆଜି ମୁଁ ଯାଏଁ, ବହୁତ ଡେରି ହେଲାଣି । କାଲି ଦେଖା ହେବା ।

ସୁକନ୍ୟା ସ୍କୁଟି ଷ୍ଟାର୍ଟ୍ କରି ଘର ମୁହାଁ ହେଲା । କୋଚିଂ ସେଣ୍ଟର୍ ରେ ସେହି ସପ୍ତାହର ପରୀକ୍ଷା ସରିଥିବାରୁ ତା' ମନ ଟିକେ ହାଲ୍କା ଲାଗୁଥିଲେ ମଧ୍ୟ ତନ୍ମୟ ସହ କଥା ହେଇପାରିନଥିବାରୁ ମୋନାଲି ଉପରେ ତାକୁ ଭୀଷଣ ବିରକ୍ତି ଆସୁଥିଲା । ସେ ଖୁବ୍ ସ୍ପିଡରେ ସ୍କୁଟି ଚଲେଇ ଘରକୁ ପଳେଇଆସିଲା । ଡୋର୍ ବେଲ୍ ଦେବାକୁ ପଡିଲାନି । ମାଧବୀ ଗେଟ୍ ପାଖରେ ଏପଟ୍ ସେପଟ୍ ହେଉଥିଲେ । ଏଇ ଅଳ୍ପ କେଇଦିନ ହେବ ସେ ତାଙ୍କ ନିଜ ହାତରେ ଲଗେଇଥିବା ଘର ଆଗ ଫୁଲଗଛମାନଙ୍କୁ ପରୀକ୍ଷା ନିରୀକ୍ଷା କରୁଥିଲେ । ସୁକନ୍ୟାକୁ ଦେଖି କହିଲେ, "ସୁକ ମାଆ ଆସିଗଲ ? ଦେଖିଲ ଏଇ ଗୋଲାପ ଗଛରେ କେତେ ସୁନ୍ଦର ଫୁଲ ଫୁଟିଲାଣି ! ତୁମେ କହୁଥିଲ ପା ଏ ମାଟିରେ ଫୁଲ ଫଳ କିଛି ହେବନି ? ଦେଖ ଦେଖ କେତେ କଢ଼ ଧରିଛି ।"

"ଆରେ ହଁ ତ", କହି ସୁକନ୍ୟା ସ୍କୁଟି ରଖି ପିଣ୍ଡା ଉପରକୁ ଚଢ଼ୁ ଚଢ଼ୁ ପଚାରିଲା, "ମାଉସୀ, ଏଇଟା କାହା ଚପଲ୍ ? ଘରକୁ କିଏ ଆସିଛନ୍ତି କି ?"

"ଯାଉନ ଦେଖିବ", ମାଧବୀ କହିଲେ ଓ ଗେଟ୍ ବନ୍ଦ୍ କରିବାକୁ ପଛକୁ ବୁଲିପଡିଲେ ।

ଭିତରକୁ ପଶୁ ପଶୁ ଘରେ କଥାବାର୍ତ୍ତା ଓ ହସାହସି ଶୁଭିଲା । ଦୀପୁ ଟ୍ୟୁସନ୍ ଯାଇଥିଲା । ଘରେ ସ୍ନେହାଙ୍କ ସଙ୍ଗେ କ୍ଷୀରୋଦ୍ ବାବୁଙ୍କ ନବବିବାହିତା ପତ୍ନୀ ବସିଥିଲେ । ଦୁହେଁ କିଛି ଗୋଟେ ମଜାଳିଆ କଥା ବୋଧେ ହେଉଥିଲେ, ସୁକନ୍ୟାକୁ ଦେଖି ଚୁପ୍ ହେଇଗଲେ । ସୁକନ୍ୟା ଦେଖିଲା ସୋଫା କଡ଼ରେ ସୂତାର ଗୋଟେ ବଂଡଲ୍ ଓ କଇଁଚି ରଖାଯାଇଛି । ସେ ସ୍ନେହାଙ୍କ ମୁହଁକୁ ଦେଖିଲା । ସ୍ନେହାଙ୍କ ଭ୍ରୂଲତା ସୁନ୍ଦର ଭାବେ ସଜା ହେଇ ସେପ୍ ଦିଆଯାଇଛି । ସୁକନ୍ୟା ଭିତରେ ରୁମ୍ ରେ ବ୍ୟାଗ୍ ପକେଇଦେଇ ଆସି ସ୍ନେହାଙ୍କ ପାଖରେ ବସିଲା । କ୍ଷୀରୋଦଙ୍କ ପତ୍ନୀ ସୁକନ୍ୟାକୁ ଦେଖି ହସିଦେଲେ । ସୁକନ୍ୟା ମଧ୍ୟ ଅଳ୍ପ ହସିଲା । ସ୍ନେହାଙ୍କୁ ଅନେଇ କ୍ଷୀରୋଦଙ୍କ ପତ୍ନୀ କହିଲେ, "ଅପା, ଆପଣଙ୍କୁ ଦେଖିଲେ କେହି କହିବନି ଆପଣ ସୁକନ୍ୟାର ମମି । କେତେ ୟଙ୍ଗ୍ ଲାଗୁଛନ୍ତି ଆପଣ ! ସତରେ ଆପଣ ବହୁତ ସୁନ୍ଦର । ସୁକନ୍ୟା ବୋଧେ ତା' ବାପାଙ୍କ ଭଳି ?"

ସୁକନ୍ୟାକୁ ରାଗ ଲାଗିଲା । ସେ ଚଟାପଟ୍ କହିଦେଲା, "ଆଣ୍ଟି ଆପଣଙ୍କୁ ଦେଖିଲେ ବି କେହି କହିବନି ଆପଣ କ୍ଷୀରୋଦ୍ ଅଙ୍କଲ୍ ଙ୍କ ମିସେସ୍ । କେତେ ୟଙ୍ଗ୍ ଆପଣ ! ମୋତେ ତ ଖରାପ ଲାଗୁଛି ଆପଣଙ୍କୁ ଆଣ୍ଟି ଡାକିବାକୁ ।"

ସ୍ନେହା ବଡ଼ ବଡ଼ ଆଖି କରି ସୁକନ୍ୟାକୁ ଦେଖିଲେ ଓ କହିଲେ "ତୋତେ କିଏ କହିଲା ଏଠି ବସିବାକୁ ? ଯାଆ ଡ୍ରେସ୍ ଚେଞ୍ଜ୍ କରିବୁ ।"

କ୍ଷୀରୋଦଙ୍କ ପତ୍ନୀ ନୈନା ହସି ହସି କହିଲେ, "ଆରେ ଅପା ତା' ଉପରେ ରାଗୁଛନ୍ତି କାହଁକି ? ସେ ତ ଠିକ୍ କହିଛି, ମୁଁ ତାଙ୍କଠାରୁ ଏତେ ସାନ ଯେ ଯିଏ ଦେଖୁଛି ଭାବୁଛି ଆମେ ବାପ - ଝିଅ ।" କଥାଟା କହିସାରି ନୈନା ପୁଣି ହସିଲା । ସୁକନ୍ୟାକୁ ନୈନାର ହସ ଖୁବ୍ ବିରକ୍ତିକର ଲାଗିଲା । ସେ ମାଧବୀଙ୍କୁ ଡାକି ରୋଷେଇ ଘରକୁ ଗଲା । ମାଧବୀ ସୁକନ୍ୟା ପାଇଁ ଅଦା ପକା ଚା' ବସେଇଲେ । ସୁକନ୍ୟା ପିଆଜଟେ କାଟି ଆଖିରୁ ଲୁହ ଝରେଇ ନିଜ ପଢ଼ାଘରକୁ ପଳେଇ ଆସିଲା ।

ତନ୍ମୟ ବାରମ୍ବାର ସୁକନ୍ୟା ଘର ଲ୍ୟାଣ୍ଡଲାଇନକୁ ଫୋନ୍ ଲଗାଉଥିଲା । ଲ୍ୟାଣ୍ଡ୍ ଫୋନ ଦୁଇଥର ରିଙ୍ଗ୍ ହେଇ କଟିଗଲେ, ତାହା ତନ୍ମୟ ତରଫରୁ ହିଁ ଆସିଥାଏ, ଏକଥା କେବଳ ସୁକନ୍ୟା ଜାଣେ । ସୁକନ୍ୟା ପାଇଁ ତାହା ମଧ୍ୟ ଗୋଟେ ବାର୍ତ୍ତା । ସେମିତି ରିଙ୍ଗ୍ ଶୁଣିଲେ ସୁକନ୍ୟାକୁ ଯେତିକି ବ୍ୟସ୍ତ ଲାଗେ ସେତିକି ଖୁସି ବି ଲାଗେ । ସେ ରିଙ୍ଗ୍ ତାକୁ ଜଣେଇଦିଏ ତାକୁ କେହିଜଣେ କଟକରୁ ଥାଇ ମନେପକାଉଛି । ସେହି ଜଣକ ତାକୁ ଖୁବ୍ ଭଲ ମଧ୍ୟ ପାଉଛି । ସେହି ମେଡିକାଲ୍ କଲେଜ୍ ର ମେଧାବୀ ଛାତ୍ରଟି ଏହି ଷୋହଳ ବୟସୀ ଛୋଟ ଝିଅଟିର କଣ୍ଠସ୍ୱରକୁ ଟିକେ ଶୁଣିବା ପାଇଁ ଛଟପଟ୍ ହେଉଛି ।

ମୋବାଇଲରେ ଆଲାର୍ମ୍ ଲଗେଇ ଶୋଇବା ବାହାନା କରି ସବୁଦିନ ରାତିରେ ସୁକନ୍ୟା ସ୍ନେହାଙ୍କ ମୋବାଇଲ୍ ଆଣି ପାଖରେ ରଖେ ଓ ସୁଯୋଗ ଦେଖି ତନ୍ମୟକୁ ମିସ୍ କଲ୍ କରି କଲ୍ ହିଷ୍ଟ୍ରିରୁ ତନ୍ମୟର ନମ୍ବର୍ ଡିଲିଟ୍ କରିଦିଏ । ସେଦିନ ମଧ୍ୟ ଆଣିଥିଲା । ମିସ୍ଡ୍ କଲ୍ ଦେଇସାରି ମୋବାଇଲ୍ ସାଇଲେଣ୍ଟରେ ରଖିଲା । ତନ୍ମୟ ଫୋନ୍ କଲା । ସୁକନ୍ୟା 'ହୁଁ' କହିଲା । ସବୁକଥାରେ ସେ କେବଳ 'ହୁଁ' କହୁଥିଲା । ସେଦିନ ତା' ରୁମ୍ ର ତଳେ ଚଟାଣ ଉପରେ ବିଛଣା ପକେଇ ମାଧବୀ ଶୋଇଥିଲେ । ସୁକନ୍ୟା କଥା ହେଇ ସାରି ଫୋନ୍ ରଖିଲାପରେ ମାଧବୀ କହିଲେ, "ସୁକ ମାଆ ଏ ପୁଅଜାତିଙ୍କୁ ଜମା ବିଶ୍ୱାସ କରିବନି । ଭଲକରି ପଢ଼ାପଢି କରି ଆଗ ନିଜ ଗୋଡ଼ରେ ଠିଆ ହୁଅ । ପୁଅମାନେ ସ୍ୱାର୍ଥପର । ମିଠା ମିଠା କଥା କହି ତୁମ ଜୀବନ ନଷ୍ଟ କରିଦେବେ । ଦେଖିବ ଆଉ କୋଉ ଚକଚକିଆ ଝିଅ ଦେଖିଲେ ସେ ପୁଅ ତୁମକୁ ଭୁଲିଯିବ ।"

ସୁକନ୍ୟା ଡରିଗଲା । ମୋବାଇଲଟା ତକିଆ ତଳେ ଲୁଚେଇଦେଇ ଥଙ୍ଗ ଥଙ୍ଗ ହେଇ କହିଲା, "କୋଉ ପୁଅ ? ତୁମେ କାହା କଥା କହୁଛ ମାଉସୀ ।"

-- ଏଇ ଯାହା ସହ ତୁମେ କଥା ହେଉଥିଲ । ଯାହାକୁ ଦେଖାକରିବାକୁ ଯାଇଥିଲ ସେଦିନ, ସେହି ପୁଅ କଥା ମୁଁ କହୁଛି ।

ସୁକନ୍ୟା ଆହୁରି ଭୟ ପାଇଗଲା । ଉଠିକି ବସିପଡ଼ିଲା ଓ କାନ୍ଦିବାକୁ ଲାଗିଲା । ମାଧବୀ ମଧ୍ୟ ଉଠିଆସି ସୁକନ୍ୟା ପାଖରେ ବସିଲେ । ତା' ଆଖିରୁ ଲୁହ ପୋଛିଦେଇ କହିଲେ, "ନା ନା କାନ୍ଦନି । ମୁଁ ମମିଙ୍କୁ କିଛି କହିନି । ବ୍ୟସ୍ତ ହୁଅନା, ତାଙ୍କୁ କିଛି କହିବିନି । ତୁମେ ଏବେ ବହୁତ ଛୋଟ ଅଛ । ଠକିଯିବ ସୁକ ମାଆ । ସେ ପୁଅଠାରୁ ଏବେ ଟିକେ ଦୂରେଇ ରୁହ । ଡେଲି ମମିଙ୍କ ମୋବାଇଲ୍ ଆଣି କଥା ହେଉଛ । କୋଉଦିନ ଯଦି ମମି ଜାଣିବେ କ'ଣ ହେବ ଜାଣିଛ ?"

ସୁକନ୍ୟା କିଛି କହିଲା ନାହିଁ । ଚୁପଚାପ୍ ଖଟ ଉପରେ ବସିରହିଲା । ମାଧବୀ ମଧ୍ୟ ଆଉ କିଛି ନକହି ତଳକୁ ତାଙ୍କ ବିଛଣା ଉପରକୁ ଓହ୍ଲେଇ ଆସିଲେ । ସୁକନ୍ୟାକୁ ଶୋଇପଡ଼ିବାକୁ କହି ନିଜେ ଶୋଇପଡ଼ି ଘୁଙ୍ଗୁଡ଼ି ମାରିବା ଆରମ୍ଭ କରିଦେଲେ ।

ସୁକନ୍ୟା ଯେତେ ଡେରି ରାତିରେ ଶୋଇଥିଲେ ମଧ୍ୟ ତାକୁ ଭୋରୁ ଉଠିବାକୁ ପଡ଼େ । ମ୍ୟାଥ୍ କୋଚିଂ କ୍ଲାସ୍ ସକାଳ ଛଅରୁ । ସାଢ଼େ ପାଞ୍ଚରୁ ଉଠି ସବୁ କାମ ସାରି କୋଚିଂ ଓ କଲେଜ ପାଇଁ ପ୍ରସ୍ତୁତ ହୁଏ ସୁକନ୍ୟା । କୋଚିଂ ପରେ କଲେଜରେ କ୍ଲାସ୍ । କ୍ଲାସ୍ ସାରି ପୁଣି କୋଚିଂ । ଘରକୁ ଫେରୁ ଫେରୁ ଦିନେ ଦିନେ ସନ୍ଧ୍ୟା ହେଇଯାଏ । ମଝିରେ ଗ୍ୟାପ୍ ଥିଲେ ସେ ରୋଜି ପାଖକୁ ଚାଲିଯାଏ । ଏବେ ଏଇକିଛି ଦିନ ହେବ ରୋଜି ସହ ସେ ଆଦୌ ଦେଖା କରିନି ।

ହଷ୍ଟେଲ୍ ଭିତରକୁ ପଶୁ ପଶୁ ଦେଖା ହେଇଗଲା ରୋଜି । କମନ୍ ରୁମ୍ ରେ ଠିଆ ହେଇଥିଲା କାନରେ ମୋବାଇଲ୍ ଗେଞ୍ଜି । ସୁକନ୍ୟା ତା'ଆଡ଼େ ନଦେଖି ସିଧା ଚାଲିଲା ସିଡ଼ି ପାଖକୁ । ମୋନାଲିର ରୁମ୍ କବାଟ ଖଟଖଟ୍ କଲାରୁ ଆନି କବାଟ ଖୋଲିଲା । ରୁମ୍ ରେ ଆହୁରି ଛଅ ସାତଜଣ ଝିଅ ନିଜ ନିଜ ବେଡ୍ ରେ ଥିଲେ । କିଏ ପଢୁଥିଲା ତ କିଏ ଶୋଇଥିଲା । ବାକି ଖାଲି ଥିବା ବେଡ୍ ର ଝିଅମାନେ ବୋଧେ କ୍ଲାସ୍ କରିବାକୁ ଯାଇଥିଲେ । ମୋନାଲି ପଛପଟ କାନ୍ଥକୁ ମୁହଁ କରି ଫୋନ୍ ରେ କାହା ସହ ଗପୁଥିଲା । ସୁକନ୍ୟା ତା ବେଡ୍ ରେ ଆସି ବସିବାର ଦଶ ମିନିଟ୍ ଯାଏଁ ମଧ୍ୟ ମୋନାଲି ତା' ଆଡ଼େ ଦେଖିନଥିଲା । ସୁକନ୍ୟା ତା ବହି ଖାତା ଖୋଲି ମ୍ୟାଥ୍ ସଲ୍ଭ୍ କରିବାକୁ ଲାଗିଲା । କିନ୍ତୁ ଗଣିତରେ ତା'ର ମନ ଲାଗୁନଥିଲା । ସେ ଆଶ୍ଚର୍ଯ୍ୟ ହେଉଥିଲା ମୋନାଲିର ବ୍ୟବହାରରେ । ମୋନାଲି ଆଗରୁ ଏମିତି ଏତେ ଧୀର କଥା ହେବା ସୁକନ୍ୟା କେବେ ଶୁଣିନଥିଲା । କିନ୍ତୁ ଏବେ ସେ ମୋବାଇଲରେ ଏତେ ଆସ୍ତେ ଆଉ ଚାପିଚାପି କଥା ହେଉଥିଲା ଯେ ସୁକନ୍ୟା ତା' ପାଖରେ ବସି ଥାଇ ମଧ୍ୟ ବୁଝିପାରୁନଥିଲା ସେ କାହା ସହ କ'ଣ କଥା ହେଉଛି । ପାଖାପାଖି ଦଶ ମିନିଟ୍ ପରେ ମୋନାଲି ଫୋନ୍ ରଖିଲା । ସୁକନ୍ୟାକୁ ଦେଖି ହସିଲା । ସୁକନ୍ୟା କିଛି କହିଲାନି । ମୋନାଲି ତାକୁ ବାହାରକୁ ଡାକିଲା । ସୁକନ୍ୟା ଟିକେ ପରେ ଯିବ କହି ଅଧା କଷିଥିବା ଗଣିତରେ ମନୋନିବେଶ କଲା । କିଛି ସମୟ ଛାଡ଼ି ସେ ତା' ଖାତା ବହି ବ୍ୟାଗରେ ଭର୍ତ୍ତି କରି ବ୍ୟାଗଟା ବେଡ୍ ଉପରେ ଥୋଇ ମୋନାଲି ସହ କରିଡରକୁ ଆସିଲା । ମୋନାଲି ପ୍ରଥମେ କହିଲା, "ଏ ଝିଅଗୁଡା ଭାରି ବଦମାସ । ଏମିତି ପାଠ ପଢ଼ୁଛନ୍ତି ଯେ ଟିକେ ବଡ଼ ପାଟିରେ କଥା ହେଇଗଲେ ୟାଙ୍କର ଖାଲି ଡିଷ୍ଟର୍ବାନ୍ସେସ୍ ହେଇଯାଉଛି ।"

-- ଓହୋ ସେଥିପାଇଁ ତୁ ଏତେ ଧୀରେ କଥା ହେଉଥିଲୁ ?

-- ହଁ ପା । କାହା ସହ କଥା ହେଉଥିଲି ଜାଣିଛୁ ?

-- ମୁଁ କେମିତି ଜାଣିଲି ? ତୁ କହୁନୁ କିଏ ସେ ?

-- ଆରେ ଗୋଟେ ରଙ୍ଗ୍ ନମ୍ବର୍ । ଭୁବନେଶ୍ୱରରେ ଏମ୍. ସି.ଏ କରୁଛି । ମୋତେ ଭଲ ପାଉଛି କହୁଛି । ହି ହି ହି..

-- ଏଁ.. ତୁ ତାକୁ ଦେଖିଛୁ ନା ଦେଖିନୁ ?

-- ନା ନା ଦେଖିନି, ଖାଲି କଥା ହେଉଛି ।

-- କଥା ହେଇକି ଭଲ ପାଉଛି ?

-- ହଁ, ସବୁବେଳେ ଫୋନ୍ କରୁଛି ।

-- ତା ନାଁ କ'ଣ ?

-- ଲଳିତ୍ । ହେଇ ଲୋ ସେ ପୁଣି ଫୋନ୍ କଲାଣି । ତୁ କଥା ହେବୁ କି ?

-- ମୁଁ ? ମୁଁ କ'ଣ କଥା ହେବି ? ତୁ କଥା ହ, ମୁଁ ଯାଉଛି, ମୋ କ୍ଲାସ୍ ଟାଇମ୍ ହେଇଗଲାଣି ।

ସୁକନ୍ୟା ମୋନାଲିର ବୟାଳିଶ ନମ୍ବର୍ ରୁମ୍ ରୁ ନିଜ ବ୍ୟାଗ୍ ଧରି ବାହାରିଆସିଲା । ମୋନାଲି ହାତ ହଲେଇ 'ବାୟ ବାୟ' କହିଲା । ତଳେ କମନ୍ ରୁମ୍ ରେ ରୋଜି ବସିଥିଲା । ସୁକନ୍ୟାକୁ ଅଟକାଇଲା । ସୁକନ୍ୟା ତରବରରେ 'କ୍ଲାସ୍ ଅଛି, ପରେ ଆସିବି' କହି ଖୁବ୍ ଜୋରରେ ପାଦ ପକେଇ ହଷ୍ଟେଲରୁ ବାହାରି ଆସିଲାବେଳକୁ ଦେଖିଲା ଗେଟ୍ ପାଖରେ ରିଙ୍କୁନ୍ ହାତରେ ଗୋଟେ ପ୍ୟାକେଟ୍ ଧରି ଠିଆ ହେଇଛି ।

ସୁକନ୍ୟା ରିଙ୍କୁନ୍ କୁ ଦେଖି ହସିଲା ଓ କହିଲା, "ଆରେ ତୁମେ ଏଠି ?"

-- ଏଇ ପ୍ୟାକେଟଟା ମୋର ଜଣେ ସାଙ୍ଗ ପଠେଇଛି ଗୋଟେ ଝିଅ ପାଖକୁ, ଦେବାକୁ ଆସିଥିଲି ।

-- ହଉ ମୁଁ ଆସେ । ମୋର କ୍ଲାସ୍ ଟାଇମ୍ ହେଇଗଲାଣି । ସନ୍ଧ୍ୟାରେ ତୁମ ହଷ୍ଟେଲକୁ କଲ୍ କରିବି, ତୁମ ନମ୍ବର୍ ଦେବ କଥା ହେବା ।

ସୁକନ୍ୟା ରିଙ୍କୁନ୍ କୁ ପଛ କରି ଚାଲିଯାଉଥିଲା ପଛରୁ ରିଙ୍କୁନ୍ ର ଧିର କଣ୍ଠସ୍ୱର ଶୁଭିଲା, "ଭାଇନା ଟିକେ ରୋଜାଲିନ୍ କୁ ଡାକିଦେବେ । ରୁମ୍ ନମ୍ବର୍ ଏଗାର, ପ୍ଲସ୍ ଟୁ ଫାର୍ଷ୍ଟ୍ ଇୟର୍ ଆର୍ଟ୍ସ୍ ।"

କ୍ରମଶଃ...
ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୧୮)