ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୧୮)

ନୂଆ ପ୍ରଜନ୍ମର କଥାକାର ଲୋପାମୁଦ୍ରା ମିଶ୍ରଙ୍କ ଉପନ୍ୟାସ "ଚିତ୍ରଲିପି" ଧାରାବାହିକ ଭାବେ ପ୍ରକାଶ ପାଉଛି । ପ୍ରତିଦିନ ଏହି ଉପନ୍ୟାସର ଏକ ଏକ ଅଧ୍ୟାୟ ଆପଣମାନେ "ବାଟୋଇ"ରେ ପଢୁଛନ୍ତି ।


(ପୂର୍ବ ପ୍ରକାଶିତ ଉତ୍ତାରୁ)

"...ବିଭୂଦତ୍ତ ତାଙ୍କର ବଳିଷ୍ଠ ବାହୁର ବେଷ୍ଟନୀ ଭିତରେ ବନ୍ଦୀ କରିନେଲେ ସୁକେଶିନୀଙ୍କୁ । ଦୁହିଁଙ୍କ ନାକରୁ ଗରମ ନିଶ୍ୱାସ ବାହାରି ପରସ୍ପରଙ୍କ ମୁହଁରେ ପିଟିହେଉଥିଲା । ସୁକେଶିନୀଙ୍କ ଗୋଲାପି ଓଠ ଥରି ଉଠୁଥିଲା । ବିଭୂଦତ୍ତ ପ୍ରେୟସୀ ସୁକେଶିନୀଙ୍କୁ ଆହୁରି ନିବିଡ଼ ଭାବେ କୋଳେଇ ନେଇ ତାଙ୍କ ସୁନ୍ଦର କୋମଳ ଓଠରେ ଗାଢ ଚୁମ୍ବନ ଆଙ୍କିଦେଲେ । ସୁକେଶିନୀ ଆଖି ବନ୍ଦ୍ କରିଦେଇଥିଲେ ଓ ବିଭୂଙ୍କ ପ୍ରଶସ୍ତ ଛାତି ଉପରେ ଲୋଟି ପଡ଼ିଥିଲେ । ବିଭୂ ସୁକେଶିନୀଙ୍କ କାନକୁ, ଚି଼ବୁକ୍ କୁ ଚୁମି ଚୁମି ଯାଇ ତାଙ୍କ ଗଳା ପାଖରେ ଓଠ ଘଷିଲେ । ସୁକେଶିନୀଙ୍କ ସାରା ଶରୀର ଥରି ଉଠିଲା..." , ସେତିକିରୁ ବହିଟାକୁ ବନ୍ଦ୍ କରିଦେଇ ସୁକନ୍ୟା ରାଗରେ ଦାନ୍ତ କଡ଼ମଡ଼ କଲା । "ଛିଃ.. ଏ ବୁଢ଼ୀ ଏତେ ଅଲାଜୁକୀ । ଏଇଗୁଡ଼ା ସବୁ ପଢୁଛି ! କାଲି ମମିଙ୍କୁ ସବୁ କହିବି । ନା ନା, ମମି ଜାଣିଲେ ରାଗିକରି ତାକୁ ଘରୁ ବାହାର କରିଦେବେ । ବିଚାରୀ ଯିବ କୁଆଡ଼େ ? କେତେ ବଢ଼ିଆ ବଢ଼ିଆ ଖାଇବା ରାନ୍ଧିକରି ଆମକୁ ଖୁଆଉଛି । ମୋର କେତେ କାମ କରିଦେଉଛି । ସେ ଚାଲିଗଲେ କିଏ ଏସବୁ କରିବ ? ନା ସେ ଥାଉ ।"

ସୁକନ୍ୟା ବହିଟା ହାତରେ ଧରି ପାଦ ଚିପି ଚିପି ଯାଇ ବୈଠକ ଘରେ ଠିଆ ହେଲା । ମାଧବୀ ଘୁଙ୍ଗୁଡ଼ି ମାରି ଶୋଇଥିଲେ । ସେ ଆସ୍ତେ କରି ନଇଁପଡ଼ି ବହିଟି ତାଙ୍କ ତକିଆ ତଳେ ରଖିଦେଲା ଯେମିତି ଆଗରୁ ରଖାଯାଇଥିଲା ।

ଘଣ୍ଟାରେ ସାଢ଼େ ତିନି ବାଜିସାରିଥିଲା । ସୁକନ୍ୟାର ଆଖି ପୋଡ଼ିଲା । ସେ ଫୁଲ୍ ସ୍ପିଡରେ ଫ୍ୟାନ୍ ଲଗେଇ ପତଳା ଚଦରଟେ ଛାତିଯାଏଁ ଟାଣିଆଣି ଶୋଇପଡ଼ିଲା । ତାକୁ ଶୀଘ୍ର ଉଠିବାରେ ଥିଲା, କିନ୍ତୁ ନିଦ ଭାଙ୍ଗିଲାନାହିଁ । ଆଠ ପଇଁଚାଳିଶ ବେଳକୁ ମାଧବୀ ଆସି ତା' ଦେହରୁ ଚଦର ଟାଣିନେଇ କହିଲେ, "ଶୁକ ମାଆ, ଉଠ । ତୁମକୁ କିଏ ଫୋନରେ ଖୋଜୁଛନ୍ତି । ତୁମ ଟ୍ୟୁସନ୍ ସାଙ୍ଗ ଜଣେ । ଯାଅ ଦେଖ ।"

ଫୋନରେ ତନ୍ମୟ ଥିଲା । କହିଲା, "କ'ଣ କରୁଛ ? ମୁଁ ଆଉ ଅଧଘଣ୍ଟାଏ ଭିତରେ ପହଞ୍ଚିଯିବି । ତୁମେ କୋଚିଂର ବାହାନା କରି ଘରୁ ବାହାରି ଆସ ।" ସୁକନ୍ୟା 'ହୁଁ, ହାଁ' କହି ଫୋନ୍ ରଖି ବାଥରୁମ୍ ଆଡ଼େ ଗଲା ।

ସେ ରେଡ୍ ଫ୍ଲୋରାଲ୍ ପ୍ରିଣ୍ଟ୍ ର ଲଙ୍ଗ୍ ସ୍କର୍ଟ୍ ଓ ଲାଇଟ୍ ବ୍ଲୁ ଟପ୍ ପିନ୍ଧିନେଲା । ହେୟାର୍ ୱାସ୍ କରି ଡ୍ରାୟର୍ ରେ ଡ୍ରାୟ କଲା ଓ ବ୍ରସ୍ କରି ଖୋଲା ଛାଡ଼ିଦେଲା । ଓଠରେ ଗୋଲାପି ରଙ୍ଗର ହାଲ୍କା ଲିପିସ୍ଟିକ୍ ଓ ଦୁଇ ଆଖିର ଟିୟର୍ ଲାଇନରେ ସରୁ ସରୁ ଦୁଇ ଧାର କଜ୍ଵଳ ଲଗେଇଲା । କିଛି ଦିନ ପୂର୍ବରୁ ରୋଜି ତାକୁ ଗୋଟେ ହଳ ଲମ୍ବା ହ୍ୟାଙ୍ଗିଙ୍ଗ୍ ଇୟର୍ ରିଙ୍ଗ୍ ଗିଫ୍ଟ୍ କରିଥିଲା । ସେଇଟିକୁ କାନରେ ଝୁଲେଇ ମିରରରେ ନିଜକୁ ଭଲକରି ଦେଖିନେଲା । "ବାଃ, କେତେ ସୁନ୍ଦରୀ ମୁଁ !", ମିରରରେ ନିଜକୁ ଦେଖି ଅଳ୍ପ ହସି କହିଲା ।

ସୁକନ୍ୟା ବେଶି ସଜେଇ ହୁଏନି । ଅଳ୍ପ ଟିକେ ସଜବାଜ ହେଇଗଲେ ଅପୂର୍ଵ ଦିଶେ । ରାତିରୁ ବ୍ୟାଗ୍ ସଜାଡ଼ି ରଖିଥିଲା । ବ୍ୟାଗ୍ ଉଠେଇ ସ୍କୁଟି ଚାବି ଧରି ଘରୁ ବାହାରୁଥିଲା, ସ୍ନେହା ଓ ମାଧବୀ ଉଭୟ ତାକୁ ଆଶ୍ଚର୍ଯ୍ୟ ହେଇ ଚାହିଁଲେ । ମାଧବୀ କହିଲେ, "ଶୁକ ମାଆ, ଆଜି ଭାରି ସୁନ୍ଦର ଦିଶୁଛ । ରୁହ ମୁଁ ତୁମ ମଥାରେ ଟିକେ ଚଉଁରା ମାଟି ଲଗେଇ ଦିଏ । ସୁକନ୍ୟା ହସି ହସି କହିଲା, "ନାଇଁ ନାଇଁ ମୁଁ ମାଟି ଲଗେଇବିନି ମାଉସୀ ।" ସ୍ନେହା ଖବରକାଗଜଟା ଟି - ପୟ ଉପରେ ଥୋଇ ଦେଇ କହିଲେ, "କୋଚିଂକୁ ଏ ଡ୍ରେସ୍ ପିନ୍ଧି କାହଁକି ଯାଉଛୁ ? ଭଲ ଲାଗୁନି । ଯାଆ ବଦଳେଇକି ଆଉ ଗୋଟେ ପିନ୍ଧିକି ଯାଆ । ସିନେମା ଦେଖିବାକୁ ବାହାରିଲା ଭଳି ଲାଗୁଛୁ । ଆଉ ହଁ ସେ ବାଳକୁ ବାନ୍ଧିକରି ଯାଆ ।"

ସ୍ନେହାଙ୍କ କଥା ଶୁଣି ସୁକନ୍ୟାକୁ ରାଗ ଲାଗିଲା । ବ୍ୟାଗରୁ ରବର ବ୍ୟାଣ୍ଡଟେ ବାହାରକରି ବାଳକୁ ପଛପାଖରୁ ବାନ୍ଧିନେଲା ଓ ମନେ ମନେ କହିଲା, "ଏବେ ଏମିତି ଥାଉ, ପରେ ସୁବିଧା ଦେଖି ଖୋଲିଦେବି ।"

-- ହୁଁ ଏବେ ହେଲା । ଆଉ ଡ୍ରେସଟା ବଦଳେଇକି ଯାଉନୁ ?

"ନାଇଁ ମମି ଡେରି ହେଇଗଲାଣି । ମୁଁ ଯାଉଛି । ଆଉ ଚେଞ୍ଜ୍ କରିପାରିବିନି ।", ତରବର ହେଇ ସୁକନ୍ୟା ଘରୁ ବାହାରିଗଲା ।

ହାତ ଘଡିରେ ନଅ ପଇଁଚାଳିଶ । ନିର୍ଦ୍ଧାରିତ ସମୟ ପୂର୍ବରୁ ସୁକନ୍ୟା ପହଞ୍ଚିସାରିଛି । ତାକୁ ବିରକ୍ତ ଲାଗିଲାଣି । ସେ ଭେରାଇଟି ଷ୍ଟୋର୍ ବାଲା ତିନିଥର ପଚାରିଲାଣି, "କ'ଣ ନେବେ କୁହନ୍ତୁ ?" ଦୋକାନ ଆଗରେ ଆଉ ଅପେକ୍ଷା ନକରି ସୁକନ୍ୟା ସାମ୍ନା ଜେରକ୍ସ୍ ଓ ଟେଲିଫୋନ୍ ବୁଥ୍ କୁ ଗଲା । ତନ୍ମୟର ନମ୍ବର୍ ଡାଏଲ୍ କଲା । ସେ ଉଠେଇଲା ନାହିଁ । ଆଉଥରେ ଲଗେଇଲା, ତନ୍ମୟ କାଟିଦେଲା । ସୁକନ୍ୟାରେ ରାଗ ବଢିଲା । ରିସିଭର୍ ଥୋଇଦେଲା ଓ ସ୍କୁଟି ଚାବି ଧରି ପଛକୁ ବୁଲି ପଡ଼ି ବାହାରିଲା ଘରକୁ ଫେରିଯିବା ପାଇଁ । ତାହାରି ପଛରେ ହସ ହସ ମୁହଁରେ ଠିଆ ହେଇଥିଲା ତନ୍ମୟ । ସୁକନ୍ୟା ତାକୁ ରାଗିକରି ଦେଖିଲା । ତନ୍ମୟ ପ୍ରଥମେ ନିଜର ଦୁଇକାନକୁ ଧରି କ୍ଷମା ମାଗିଲା ଓ ପରେ ଡାହାଣ ହାତଟା ସୁକନ୍ୟା ଆଡ଼କୁ ବଢ଼େଇଦେଲା । ଉଭୟ ହାତମିଳେଇଲେ । ସୁକନ୍ୟା ତା' ସ୍କୁଟି ଚାବି ତନ୍ମୟକୁ ଦେଲା । ତନ୍ମୟ ଗାଡି ଷ୍ଟାର୍ଟ୍ କଲା, ସୁକନ୍ୟା ପଛରେ ବସିଲା ।

ପ୍ରଥମେ ସେମାନେ ନିକଟସ୍ଥ ଗୋଟେ ମନ୍ଦିରକୁ ଗଲେ । ମନ୍ଦିରରେ ବହୁତ ଭିଡ଼ ଥିଲା । ସେମାନେ ସେଠୁ ଅଳ୍ପ ସମୟ ଭିତରେ ବାହାରି ଆସିଲେ । ସହରର ସବୁଠାରୁ ଭଲ ରେଷ୍ଟୁରାଣ୍ଟ୍ ଆଗରେ ତନ୍ମୟ ସ୍କୁଟି ରଖିଲା । ତନ୍ମୟର ହାତଧରି ସୁକନ୍ୟା ଯେତେବେଳେ ପାହାଚ ଚଢ଼ୁଥିଲା ତାକୁ ଲାଗୁଥିଲା ସେ ଯେମିତି ଗୋଟେ ବିରାଟ ସଫଳତାର ସିଢି ଚଢ଼ୁଛି ।

"ସୁକନ୍ୟା, ତୁମେ ଏତେ ବେଶି ସୁନ୍ଦରୀ କାହଁକି ହେଲ ? ମୁଁ ତୁମ ଉପରୁ ଆଖି ଫେରେଇପାରୁନି । ଏ ଡ୍ରେସଟା ତୁମକୁ ଖୁବ୍ ମାନୁଛି ।", ଖାଇବା ଅର୍ଡର୍ କରି ବସିଥିଲା ବେଳେ ତନ୍ମୟ ପ୍ରଥମେ ମୁହଁ ଖୋଲି କହିଲା । ସୁକନ୍ୟା ଲାଜରେ ମୁହଁ ତଳକୁ କରିଦେଲା । ତନ୍ମୟ ସୁକନ୍ୟାର ହାତ ଧରିଲା ଓ ନିଜ ହାତରେ ଆସ୍ତେ ଆସ୍ତେ ଆଉଁସୁ ଆଉଁସୁ ଓଠ ପାଖକୁ ଉଠେଇ ନେଇ ଚୁମାଦେଲା । ସୁକନ୍ୟା ଏକଦମ ଚୁପ୍ ହେଇଯାଇଥିଲା । ତନ୍ମୟ ସୁକନ୍ୟାର ବାଳକୁ ନିଜ ଆଙ୍ଗୁଠି ସାହାଯ୍ୟରେ ତା' ସୁନ୍ଦର ମସୃଣ ଗାଲ ଉପରୁ ଉଠେଇ ନେଇ ତା' କାନ ପଛପଟେ ଖୋସି ଦେଉ ଦେଉ କହିଲା, "ସୁକନ୍ୟା ୟୁ ଆର୍ ମାଇଁ ଲାଇଫ୍ । ଆଇ କାଣ୍ଟ୍ ଲିଭ୍ ଉଇଦାଉଟ୍ ୟୁ । ପ୍ଲିଜ୍ ମୋତେ ଛାଡ଼ି କେବେ କୁଆଡ଼େ ଯିବନି । ମୁଁ ମରିଯିବି । ମୁଁ ତୁମକୁ ବହୁତ ଭଲପାଏ । ଲଭ୍ ୟୁ ସୋ ସୋ ସୋ ମଚ୍ ।"

"ଲଭ୍ ୟୁ ଠୁ ତନ୍ମୟ", ସୁକନ୍ୟା ତନ୍ମୟକୁ ସିଧା ଅନେଇ କହିଲା । ତନ୍ମୟ ପାଇଁ ଆଣିଥିବା କାର୍ଡଟି ସେ ତା' ହାତରେ ଦେଲା । ଖାଇବା ଆସିବା ଭିତରେ ଦୁହେଁ କଥାବାର୍ତ୍ତାରେ ମଜ୍ଜି ଯାଇଥିଲେ । ହଠାତ୍ ସାମ୍ନା ଟେବଲ୍ ଉପରେ ସୁକନ୍ୟାର ନଜର ପଡିଲା । ସେଠି ବସିଥିଲେ ତାଙ୍କ କଲୋନୀର କ୍ଷୀରୋଦ୍ ଅଙ୍କଲ୍ ଓ ତାଙ୍କ ପାଖରେ ଜଣେ ଯୁବତୀ ବସି ମେନୁ ଦେଖୁଥିଲେ । ଯୁବତୀ ଜଣକ ତାଙ୍କ ଦ୍ୱିତୀୟ ପତ୍ନୀ ନୁହଁନ୍ତି ବୋଲି ସୁକନ୍ୟା କନଫର୍ମ୍ ହେଇଗଲା । ତନ୍ମୟକୁ କହିଲା, "ଆମ ଘର ପାଖର ଜଣେ ଲୋକ ସେଠି ବସିଛନ୍ତି । ମୋତେ ଭୟ ଲାଗୁଛି, ଚାଲ ପଳେଇବା ।"

ତନ୍ମୟ ସୁକନ୍ୟାକୁ ସ୍ଥାନ ବଦଳକରିବାକୁ ପରାମର୍ଶ ଦେଇ ନିଜ ଜାଗାରୁ ଉଠି ଆସିଲା । ସୁକନ୍ୟା କ୍ଷୀରୋଦ୍ ଙ୍କୁ ପିଠିକରି ବସିଲା । ତଥାପି ତାକୁ ଭୟ ଲାଗୁଥିଲା । ସେମାନେ ଖାଇସାରି ବିଲ୍ ପେମେଣ୍ଟ୍ କରି ଖୁବ୍ ଶୀଘ୍ର ସେଠୁ ଚାଲିଆସିଲେ । ସେମାନେ ଗଲେ ଗୋଟେ ଛୋଟିଆ ପାର୍କକୁ । ବର୍ଷାଦିନ ଯୋଗୁଁ ପାର୍କରେ ବେଶି ଭିଡ଼ ନଥିଲା । ଗୋଟେ ବେଞ୍ଚରେ ସୁକନ୍ୟାର ଦେହକୁ ଲାଗିକରି ତନ୍ମୟ ବସିଗଲା । ସୁକନ୍ୟାକୁ ଟିକେ ଅଡୁଆ ଲାଗିଲା । ସେ ଆଉ ଟିକେ ଦୂରକୁ ଘୁଞ୍ଚିଗଲା । ତନ୍ମୟ ସୁକନ୍ୟାର ହାତକୁ ଧରି ଆଉଁସିବାରେ ଲାଗିଲା । ସୁକନ୍ୟା ମୁହଁ ତଳକୁକରି ବସିଥିଲା । ତନ୍ମୟ ସୁକନ୍ୟାର ସୁନ୍ଦର ମୁହଁଟାକୁ ନିଜ ହାତରେ ତୋଳି ଧରିଲା ଓ ଆସ୍ତେ କରି କହିଲା, "ବେବି, ଗୋଟେ କିସ୍ !" । ସୁକନ୍ୟା ହଠାତ୍ ଉଠି ଠିଆ ହୋଇପଡ଼ି କହିଲା, "ତନ୍ମୟ ବହୁତ ଡେରି ହେଇଗଲାଣି । ମୋତେ ଘରେ ଖୋଜୁଥିବେ । ମମି ବୋଧେ କୋଚିଂ ସେଣ୍ଟରକୁ ଫୋନ୍ କରିସାରିଥିବେ । ପ୍ଲିଜ୍ ଚାଲ ଏବେ ଏଠୁ ।"

ତନ୍ମୟର ମୁହଁ ଶୁଖିଲା ଦିଶିଲା । ସେ ମଧ୍ୟ ଉଠି ଠିଆ ହେଲା । ଦୁହେଁ ହାତ ଧରାଧରି ହୋଇ ପାର୍କରୁ ବାହାରି ଆସିଲେ । ତନ୍ମୟ ସ୍କୁଟି ଷ୍ଟାର୍ଟ୍ କଲା । ସେମାନେ ଅଳ୍ପ କିଛି ବାଟ ଆସିଛନ୍ତି ଆକାଶକୁ କଳାହାଣ୍ଡିଆ ମେଘ ଘୋଡେଇ ପକେଇଲା । କେଇ ସେକେଣ୍ଡ୍ ଭିତରେ ବରକୋଳିଆ ଟୋପାମାନ ଖସିପଡ଼ି ଦୁହିଁଙ୍କୁ ଭିଜେଇବାରେ ଲାଗିଲା । ତନ୍ମୟ ଗାଡି ରଖି ସୁକନ୍ୟାକୁ ପଚାରିଲା, "ତୁମ ରେନକୋଟ୍ ?"

-- ଡ଼ିକିରେ ଅଛି । କିନ୍ତୁ ମୋ ପାଖରେ ତ କେବଳ ଗୋଟାଏ ହିଁ ଅଛି, ସେଇଟା ପୁଣି ଲେଡିଜ୍ ରେନକୋଟ୍ ।

ତନ୍ମୟ ଆଉ ବିଳମ୍ବ ନକରି ଡ଼ିକିରୁ ରେନକୋଟ୍ ବାହାର କରି ସୁକନ୍ୟାକୁ ପିନ୍ଧିପକେଇବା ପାଇଁ କହିଲା । ସେ ସୁକନ୍ୟାର ରେନକୋଟ୍ ର ବୋତାମ୍ ସବୁ ଲଗେଇଦେଲା ଓ ମୁଣ୍ଡର କ୍ୟାପ୍ ର ଲେସ୍ କୁ ଭଲକରି ବାନ୍ଧିଦେଇ କହିଲା, "ଏବେ ବସ ।"

ସୁକନ୍ୟା ଦେଖୁଥିଲା ନିଜେ ସମ୍ପୂର୍ଣ୍ଣ ଭିଜିଯାଇଥିଲେ ବି ତନ୍ମୟ ତାକୁ ବର୍ଷାତି ପିନ୍ଧେଇ ଭୀଷଣ ବର୍ଷାରେ ଗାଡି ଚଲାଉଛି । ସୁକନ୍ୟାକୁ ତନ୍ମୟ ପାଇଁ ଖୁବ୍ କଷ୍ଟ ଲାଗୁଥିଲା । ପ୍ରଥମ ଥର ପାଇଁ ତା' ମନରେ ପ୍ରେମର ସୁନ୍ଦର ଫୁଲଟେ ଫୁଟିଉଠୁଥିଲା । ଏହା ପୂର୍ବରୁ ସେ ତନ୍ମୟ ପ୍ରତି ଆକର୍ଷିତ ହେଇଥିଲା କେବଳ ତା'ର ପାଠପଢାରେ ଥିବା ଟ୍ୟାଲେଣ୍ଟ୍ ପାଇଁ, କିନ୍ତୁ ଏଥର ସେ ତନ୍ମୟର କୋମଳ ଓ ସୁନ୍ଦର ହୃଦୟ ଆଡ଼କୁ ଆକର୍ଷିତ ହେବାକୁ ଲାଗିଲା । ଏ ଆକର୍ଷଣ ଭିନ୍ନ ଏକ ଆକର୍ଷଣ, ଭାରି ମଧୁର ଓ ମଜବୁତ୍ ମଧ୍ୟ ।

ଛୋଟ ସ୍କୁଟି ଗାଡିଟି ରାସ୍ତାରେ ପାଣି ଭିତରେ ଉଚ୍ଚ ଖାଲ ଅତିକ୍ରମ କରି ଆଗକୁ ଗଡୁଥିଲା ବେଳେ ସୁକନ୍ୟା ତନ୍ମୟକୁ ପଛ ପଟୁ ନିଜ ପତଳା ପତଳା ଦୁଇଟି ହାତରେ ଜଡେଇ ଧରିଥିଲା ।

ବସ୍ ଷ୍ଟାଣ୍ଡ୍ ଆଡ଼େ ନଯାଇ ତନ୍ମୟ ସୁକନ୍ୟାର ଘର ଆଡ଼କୁ ସ୍କୁଟି ବୁଲେଇଲା ।

-- ତନ୍ମୟ, ଇଆଡ଼େ କୁଆଡ଼େ ଯାଉଛ ? ତୁମେ କଟକ ଫେରିବନି କି ?

-- ଆଗ ତୁମକୁ ତୁମ ଛକରେ ଛାଡ଼ିଦିଏ, ମୁଁ ଅଟୋରେ ଚାଲିଯିବି ।

-- କିନ୍ତୁ...

-- କିନ୍ତୁ ଫିନ୍ତୁ କିଛି ନାହିଁ ।

-- ଆରେ ତୁମେ ବର୍ଷାରେ ପୂରା ଓଦା ହେଇଗଲଣି ! ତାଛଡା ଆମ ଛକରେ ଯଦି କେହି ଦେଖିବେ ?

-- କେହି ଦେଖିବେନି । ମୁଁ ଛକ ପୂର୍ବରୁ ପଳେଇବି ।

ସୁକନ୍ୟାର ସ୍କୁଟି ଡ଼ିକିରୁ ତନ୍ମୟ ତା' ବ୍ୟାଗ୍ କାଢ଼ିଲା ଓ ଧିରେ ଧିରେ ଗାଡି ଚଲେଇ ପଳେଇବା ପାଇଁ ସୁକନ୍ୟାକୁ ନିର୍ଦ୍ଦେଶ ଦେଲା । ସୁକନ୍ୟା ସ୍କୁଟି ଉପରେ ବସି ତନ୍ମୟକୁ ପାଖକୁ ଡାକିଲା ଓ ତା' ଗାଲକୁ ହାଲ୍କା ଚୁମ୍ବନଟେ ଦେଇ ସ୍କୁଟି ନେଇ ପଳେଇଲା ।

ଘରକୁ ଫେରି ସୁକନ୍ୟା ଧୁଆଧୋଇ ହୋଇ ନିଜ ରୁମ୍ ରେ ବସିଲା । ମାଧବୀ ଆସି କହିଲେ, "ଶୁକ ମାଆ, ଏତେ ବର୍ଷାରେ କାହଁକି ଆସୁଥିଲ ? ଟିକେ ରହିଗଲନି । ମମି ଆଉ ଦୀପୁ ଯାଇଛନ୍ତି କ୍ଷୀରୋଦ୍ ବାବୁଙ୍କ ଘରକୁ । ତାଙ୍କ ସ୍ତ୍ରୀର ଆଜି ପାର୍ଲର୍ ଉଦ୍ଘାଟନ ତ ସେଥିପାଇଁ । ତୁମ ପାଇଁ ଅଦାବାଲା ଚା' ଆଣିଦେଵି କି "

ସୁକନ୍ୟା କେବଳ ଏତିକି କହିଲା "ହଁ ଆଣିଦିଅ" ଓ ପୁଣି ତନ୍ମୟର ଭାବନାରେ ହଜିଗଲା ।

ଚା' କପ୍ ରେ ଓଠ ଲଗେଇ ଗୋଟାଏ ଢ଼ୋକ ନେଇଛି ସ୍ନେହା ହଠାତ୍ ସୁକନ୍ୟାର ରୁମ୍ କୁ ପଶିଆସି କହିଲେ, "ତୋର ଆଜି କୋଚିଂ ଛୁଟି ହେଇଯାଇଥିଲା ? ଘରକୁ ପଳେଇଆସିଲୁନି, ମାର୍କେଟରେ କାହଁକି ବୁଲୁଥିଲୁ ? କ୍ଷୀରୋଦ୍ ବାବୁ କହୁଥିଲେ ତତେ ସେ କୋଉଠି ଦେଖିଥିଲେ ! କୁଆଡ଼େ ବୁଲୁଥିଲୁ ?"

ଭୟରେ ସୁକନ୍ୟାର ଛାତି ଥରି ଉଠିଲା । ମମିଙ୍କୁ କ'ଣ ଉତ୍ତର ଦେବ ସେ କିଛି ଚିନ୍ତା କରିପାରିଲାନି ।

କ୍ରମଶଃ
ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୧୭)