ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୧୭)

ନୂଆ ପ୍ରଜନ୍ମର କଥାକାର ଲୋପାମୁଦ୍ରା ମିଶ୍ରଙ୍କ ଉପନ୍ୟାସ "ଚିତ୍ରଲିପି" ଧାରାବାହିକ ଭାବେ ପ୍ରକାଶ ପାଉଛି । ପ୍ରତିଦିନ ଏହି ଉପନ୍ୟାସର ଏକ ଏକ ଅଧ୍ୟାୟ ଆପଣମାନେ "ବାଟୋଇ"ରେ ପଢୁଛନ୍ତି ।


ବର୍ଷା କମୁନଥିଲା । ବର୍ଷାତି ଉପରେ ବର୍ଷା ଠୋପାମାନଙ୍କର ଟିପ୍ ଟପ୍ ଶବ୍ଦ ସୁକନ୍ୟାକୁ ବିବ୍ରତ କରୁଥିଲା । ସେ ସ୍କୁଟି ଚଲେଇବାରେ କଷ୍ଟ ଅନୁଭବ କରୁଥିଲା । ରାସ୍ତାର ଖାଲ ଢିପ ତାକୁ ଜଣାପଡୁନଥିଲା । ତା' ଆଖି ସାମ୍ନାରେ ଦିଶିଯାଉଥିଲା ସେହି ଛତାତଳର ଦୃଶ୍ୟ, ରୋଜି ଓ ପୁପୁନ୍ । ଅନ୍ୟମନସ୍କ ଭାବେ ସୁକନ୍ୟାର ସ୍କୁଟି ଗୋଟେ କାର୍ ସାମ୍ନାକୁ ଚାଲିଆସିଲା ଓ କାର୍ ଡ୍ରାଇଭର୍ ଗାଡି ରଖି ସୁକନ୍ୟା ଉପରେ ବିରକ୍ତ ହେଲା । ସେତେବେଳେ ଯାଇ ସୁକନ୍ୟା ପ୍ରକୃତିସ୍ଥ ହେଇ ଧୀରେ ଧୀରେ ଗାଡି ଚଲେଇ ଘରକୁ ଫେରିଲା ।

ଘରକୁ ଆସି ଦେଖିଲା ତାଙ୍କ ଘରେ ତା'ର ପୁରୁଣା ସ୍କୁଲର ସାଙ୍ଗ ମୋନାଲି ଓ ତା' ମମି ବସିଛନ୍ତି । ମୋନାଲିର ବାପା ସ୍ନେହାଙ୍କ ପୁରୁଣା ହସ୍ପିଟାଲରେ ତାଙ୍କ ଷ୍ଟାଫ୍ ଥିଲେ । ମୋନାଲି କମର୍ସ୍ ନେଇ ସୁକନ୍ୟାର କଲେଜରେ ଆଡିମିଶନ୍ ନେଇଛି । ରୋଜିର ହଷ୍ଟେଲରେ ରହୁଛି । ଆଜି ମୋନାଲିର ମମି ମୋନାଲିକୁ ସାଙ୍ଗରେ ନେଇ ଘରକୁ ଫେରୁଥିଲେ, ସ୍ନେହା ଦିଦି ଏଇଠି ରହନ୍ତି ମନେପଡିଯିବାରୁ ବୁଲିବାକୁ ଚାଲିଆସିଲେ ଓ ସେହିଭିତରେ ବର୍ଷା ବି ଆରମ୍ଭ ହେଇଗଲା । ସ୍ନେହା ଅଟୋବାଲାକୁ ବର୍ଷା ଛାଡ଼ିବା ଯାଏଁ ଅପେକ୍ଷା କରିବାକୁ କହିଲେ ।

ମୋନାଲି ସୁକନ୍ୟା ସହ ଯାଇ ତା' ପଢ଼ାଘରେ ବସିଲା । ଦୀପୁ ସହ କଥା ହେଲା । ସୁକନ୍ୟାକୁ ସେ ହଷ୍ଟେଲରେ ଅନେକ ଥର ଦେଖିଛି ବୋଲି କହିଲା । "ମୁଁ ତୋତେ ଦେଖିପାରିନି ରେ । ତୁ ମୋତେ ଦେଖିକି ଡାକିଲୁନି କାହଁକି ? ", ସୁକନ୍ୟା କହିଲା ।

-- ମୋର ରୁମ୍ ଟା ଉପର ଡର୍ମିଟୋରୀ । ସେଠୁ ଥାଇ ତୋତେ ଦେଖିଛି ତୁ ତଳକୁ ଯାଉଥାଉ । ଯେତେବେଳେ ମୁଁ ତୋତେ ଦେଖେ ତୁ ବାହାରକୁ ହିଁ ବାହାରୁଥାଉ । ଆଉ ବଡ଼ ପାଟି କରି ଡାକିପାରେନି । ଏବେ ତୁ ଗଲେ ମୋ ରୁମ୍ କୁ ସିଧା ପଳେଇବୁ । ରୁମ୍ ନମ୍ବର ବୟାଳିଶି, ମନେରଖିଥାଆ ।

-- ହଉ ଠିକ୍ ଅଛି । ଆଉ ତୁ ଟ୍ୟୁସନ୍ ହେବାକୁ କୋଉ କୋଚିଂ ସେଣ୍ଟରକୁ ଯାଉଛୁ ?

-- ମୁଁ ଟ୍ୟୁସନ୍ ହେଉନି । ଆରବର୍ଷ ଯିବି ଭାବୁଛି ।

-- ତୁମ କମର୍ସ ଷ୍ଟ୍ରିମର ବବିତା ମଲ୍ଲିକ୍କୁ ଚିହ୍ନିଛୁ ?

-- ହଁ ସେହି ଯେଉଁ ବୟ କଟ୍ ହେୟାର୍, ଚଷମାବାଲି ତ '?

-- ହଁ ସେଇ, ଆମ ସ୍କୁଲ୍ ର ପିଲା । ଭଲ ପଢ଼େ । ସିଏ ବି ତୁମ ହଷ୍ଟେଲରେ ରହୁଛି ।

-- ହଁ ସେ ତଳେ ରହୁଛି । ରୋଜି ଆଉ ବବିତା ଦୁଇଜଣ ବହୁତ ଭଲ ସାଙ୍ଗ । ସେମାନେ ସବୁଦିନ ଡାଇନିଂରେ ସାଙ୍ଗ ହେଇ ଖାଆନ୍ତି । ସାଙ୍ଗ ହେଇ ଷ୍ଟଡି ରୁମ୍ ଯାଆନ୍ତି ଆଉ ହଲରେ ବସି ଗପନ୍ତି ।

"ଏଁ.. ବବିତା ଆଉ ରୋଜି କେବେଠୁ ଭଲ ସାଙ୍ଗ ହେଲେ ? ଦଶମରେ ବବିତା ମୋତେ ଶତ୍ରୁ ଭାବୁଥିଲା ବେଳେ ରୋଜି ହିଁ ମୋର ଏକମାତ୍ର ଭଲ ସାଙ୍ଗ ଥିଲା । ଆଉ ଇଏ କ'ଣ କହୁଛି .. ", ସୁକନ୍ୟା ନିଜକୁ ଆସ୍ତେ କରି କହିଲା ଯେମିତି ମୋନାଲିକୁ ତା'ର ମନ କଥାଟା ନଶୁଭିବ । ରୋଜି, ବବିତା ସହ ସାଙ୍ଗ ହେଉଛି ଜାଣି ସୁକନ୍ୟାର ରୋଜି ଉପରେ ରାଗ ବଢିଗଲା । ସେ ମୋନାଲିକୁ ଆହୁରି ପଚାରିଲା, "ଆରେ ସେମାନେ ତ ପରଷ୍ପରକୁ ଏତେଟା ପସନ୍ଦ କରନ୍ତିନି । ଏବେ କେମିତି ସାଙ୍ଗ ହେଉଛନ୍ତି ? "

-- ନାଇଁ ତ ! ସେମାନେ ତ' ଆସିବା ଦିନରୁ ହିଁ ଭଲ ସାଙ୍ଗ । ଆଜି ତ ସକାଳୁ ସେମାନେ ସାଙ୍ଗ ହେଇ ବିୟୁଟି ପାର୍ଲର୍ ଯାଇଥିଲେ, ମୁଁ ଦେଖିଥିଲି ।

-- ଆଚ୍ଛା । ହଉ ତୁ କେବେ ଘରୁ ଫେରିବୁ ?

-- ଆଜି ବାର ତାରିଖ ନା ? ମୁଁ ଆସିବି ଷୋହଳରେ । ଚଉଦରେ ଜେଜେଙ୍କ ବର୍ଷିକିଆ ଅଛି । ଆଉ ଦୁଇଦିନ ରହି ପଳେଇଆସିବି । ସତର ତାରିଖ, ସୋମବାରକୁ ବହୁତ ଇମ୍ପୋର୍ଟାଣ୍ଟ୍ କ୍ଲାସ୍ ଅଛି ।

-- ତୁ ଆସେ, ମୁଁ ତୋ ରୁମ୍ କୁ ଯିବି । ବହୁତ କଥା ହେବା ।

ସୁକନ୍ୟା ଓ ମୋନାଲି କଥାବାର୍ତ୍ତା ହେଉଥିଲେ ମୋନାଲିର ମମି ଆସି ମୋନାଲିକୁ ଡାକିଲେ । ବର୍ଷା କମିଯାଇଥିଲା । ଅଟୋବାଲା ବ୍ୟସ୍ତ ହେଉଥିଲା । ସେମାନେ ଆଉ ବିଳମ୍ବ ନକରି ବିଦାୟ ନେଲେ ।

ରାତିରେ ସ୍ନେହା ଶୋଇପଡ଼ିଲା ପରେ ସୁକନ୍ୟା ତାଙ୍କ ମୋବାଇଲ୍ ଲୁଚେଇ ନେଇ ତନ୍ମୟକୁ ମିସ୍ଡ୍ କଲ୍ କରେ । ତନ୍ମୟ ଫୋନ୍ କରେ । କାହାକୁ ନଶୁଭିଲା ଭଳି ସେ ଧୀରେ ଧୀରେ ଗୁଣୁ ଗୁଣୁ ହେଇ କଥାବାର୍ତ୍ତା କରେ । ସାରାଦିନ କଲେଜ୍ ରେ ଘଟିଥିବା ସବୁ ଘଟଣା ସେ ତନ୍ମୟକୁ ଜଣାଏ । ତନ୍ମୟ ସୁକନ୍ୟାର ସବୁକଥା ଧୈର୍ଯ୍ୟର ସହ ଶୁଣେ ଓ ସେ ସୁକନ୍ୟାକୁ ଖୁବ୍ ଭଲପାଏ ବୋଲି ଫୋନରେ କହେ ।

ପୁପୁନ୍ ଓ ରୋଜିଙ୍କ କଥା ସୁକନ୍ୟା ସେହିଦିନ ରାତିରେ ତନ୍ମୟକୁ ଫୋନ୍ ରେ ଜଣାଇଲା । ତନ୍ମୟ ଆଶ୍ଚର୍ଯ୍ୟ ହେଇ କହିଲା, "କ'ଣ? ସେହି ଯେଉଁ ଡେଙ୍ଗୀ ରୋଜି ସହ ପୁପୁନ୍ ର ଚକ୍କର ଚାଲିଛି ? ମୁଁ ତ ବିଶ୍ୱାସ କରିପାରୁନି । କାରଣ ତାକୁ ଆମ ବ୍ୟାଚର ସମୀର ଭଲପାଉଥିଲା ଆଉ ସେ ତାକୁ ପ୍ରପୋଜ୍ ବି କରିଥାନ୍ତା । ଆମେ ସମସ୍ତେ ଜାଣିଥିଲୁ ଏକଥା । ତଥାପି କେମିତି ପୁପୁନ୍ ତାକୁ ପଟେଇଲା ?"

-- ସେ ପୁପୁନ୍ କୁ ତୁମେ ଜାଣିନ, ମୁଁ ଭଲକରି ଜାଣେ । ବଡ଼ ଅଭଦ୍ରଟା ସେ ।

-- ଆଚ୍ଛା, ସେ ଅଭଦ୍ର ବୋଲି ତୁମେ କେମିତି ଜାଣିଲ ?

-- ସେ ଖାଲି ଅଭଦ୍ର ନୁହେଁ, ଚୋର ବି । ତୁମକୁ କହିନଥିଲି ସେ ମୋ ଡାଏରୀ ଚୋରି କରିଥିଲା ?

-- ଆରେ ହଁ ହଁ, କିନ୍ତୁ ସେ ତୁମ ଡ଼ାଇରୀରେ କାହଁକି ଏତେ ଇଂଟରେଷ୍ଟ୍ ନେଉଥିଲା ସେଇଟା ବୁଝିପାରିଲିନି ।

-- ସେଇଥିପାଇଁ ତ ମୁଁ କହେ ସେ ଗୋଟେ ଚୋର ଆଉ ଅଭଦ୍ର ।

-- କେମିତି ?

-- ଓହୋ ତନ୍ମୟ ମୁଁ ଏତେ କାହିଁକିର ଉତ୍ତର ଦେଇପାରିବିନି । ସେ ମୋତେ ଭଲଲାଗେନି, ବାସ୍ ।

-- ଆରେ ଆରେ ରାଗୁଛ କାହଁକି ? ହଉ ଛାଡ଼ ତାଙ୍କ କଥା । ତୁମ କଥା କୁହ । କ'ଣ ପିନ୍ଧିଛ ?

-- ଡ୍ରେସ୍ ପିନ୍ଧିଛି, ଆଉ କ'ଣ ପିନ୍ଧନ୍ତି ? ତୁମକୁ କେତେ ଥର କହିଛି ମୋତେ ସେ ପିନ୍ଧା ପିନ୍ଧି କଥା ପଚାରିବନି । ମୋତେ ଭଲଲାଗେନି ।

-- ତୁମକୁ ତ କିଛି ଭଲ ଲାଗୁନି, ଖାଲି ରାଗୁଛ । ହଉ ମୁଁ ଫୋନ୍ ରଖୁଛି । ତୁମେ ଶୋଇପଡ ।

ତନ୍ମୟ ଅଭିମାନ କରିବା ଜାଣିପାରି ସୁକନ୍ୟା ଗେହ୍ଲେକି କହିଲା, "ଶୁଣ ଶୁଣ, ମୋତେ ନିଦ ଲାଗୁନି । ଆଉ କ'ଣ କୁହନା" ।

-- ମୋର ତୁମକୁ ଦେଖିବାକୁ ବହୁତ ଇଚ୍ଛା ହେଉଛି ସୁକନ୍ୟା । ପ୍ଲିଜ୍ ତୁମେ କଟକ ଆସ ।

-- ପାଗଳ ନା କ'ଣ ? ମୁଁ କେମିତି ଯିବି ? ମମି ମୋତେ ମାରିପକେଇବେ ।

-- ହଉ ତାହେଲେ ମୁଁ ଯାଉଛି, ରବିବାର ଦିନ ।

-- ସତରେ ? ହଉ ଆସ । କିନ୍ତୁ ମୁଁ କେମିତି ଜାଣିବି ତୁମେ କୋଉଠି ଅଛ ? ମୁଁ ତ ଆଉ ରୋଜି ପାଖକୁ ଯିବିନି ବୋଲି ସ୍ଥିର କରିଛି । ମୋର ବି ମୋବାଇଲ୍ ନାହିଁ ।

-- ତୁମେ କାହଁକି ବ୍ୟସ୍ତ ହେଉଛ ? ମୁଁ ଯିବା ଆଗରୁ ତୁମ ଲ୍ୟାଣ୍ଡ୍ ଫୋନ୍ କୁ କଲ୍ କରିଦେଇ ବାହାରିବି । ତୁମେ ରେଡି ହେଇକି କଲେଜ୍ ଛକ ପାଖକୁ ପଳେଇ ଆସି ଅପେକ୍ଷା କରିଥିବ । ଦର୍କାର ହେଲେ ସେଇଠୁ ଟେଲିଫୋନ ବୁଥ୍ ରୁ ମୋତେ କଲ୍ କରିଦେବ । ହେଲା ।

ସୁକନ୍ୟାର ଫୁସଫୁସ୍ ହେଇ କଥା ହେବା ବୋଧେ ମାଧବୀଙ୍କୁ ଶୁଭିଗଲା । ସେଦିନ ସେ ସୁକନ୍ୟାର ରୁମ୍ ରେ ତଳେ ବିଛଣା ପକେଇ ଶୋଇଥିଲେ । ଉଠିପଡ଼ି ବସିଲେ ଓ ଗୁଣୁଗୁଣୁ ହେଇ କହିଲେ, "ମୋତେ କିଛି କହୁଥିଲ କି ମାଆ ? " । ସୁକନ୍ୟା କିଛି କହିଲା ନାହିଁ । ମୋବାଇଲଟା ତକିଆ ତଳେ ଲୁଚେଇ ଦେଇ ଆଖି ବୁଜି ଶୋଇପଡିବାର ଅଭିନୟ କଲା । ମାଧବୀ ଭାବିଲେ ସୁକନ୍ୟା ବୋଧେ ସ୍ୱପ୍ନରେ କ'ଣ ବିଳିବିଳି ହେଉଥିଲା । ସେ ପାଣିପିଇବାକୁ ଗଲେ ଓ ଫେରିଆସି କବାଟ ବନ୍ଦ୍ କରି ଶୋଇପଡିଲେ ।

ରବିବାର ଆଉ ମାତ୍ର ଚାରିଦିନ ବାକି ଅଛି । ସୁକନ୍ୟାକୁ ଲାଗୁଥିଲା ବୋଧେ ଦିନଗୁଡା ସରୁନି । ରବିବାର ଆଗକୁ ଆଗକୁ ଆହୁରି ଘୁଞ୍ଚି ଘୁଞ୍ଚି ଯାଉଛି । ତା'ର ମନେପଡିଯାଉଥିଲା ଫିଜିକ୍ସ୍ ସାର୍ ବୁଝେଇଥିବା 'ଥିଓରୀ ଅଫ୍ ରିଲେଟିଭିଟି' । "ସତରେ ଆମେ ଆମ ପସନ୍ଦର କାମ କଲା ବେଳେ ସମୟ ଆଦୌ ଜଣାପଡ଼େନି । ଦେଖ ମୁଁ କେମିତି ତନ୍ମୟଙ୍କ ସହ ଘଣ୍ଟା ଘଣ୍ଟା କଥା ହେଇଯାଉଛି ମୋତେ ଟାଇମ୍ ବିଲକୁଲ ଜଣାପଡୁନି । ଲାଗୁଛି ଯେମିତି ଏହି ଦୁଇମିନିଟ୍ ହେଲା କଥା ହେଇଛି । କିନ୍ତୁ ବାଓଲୋଜି କ୍ଲାସରେ ପାଞ୍ଚମିନିଟ୍ ବସିଲା ପରେ ଏତେ ବୋରିଂ ଲାଗୁଛି,ଯେମିତିକି ମୁଁ ବର୍ଷ ବର୍ଷ ହେଲା ସେହି କ୍ଲାସରେ ବସିଛି । ସେହିଭଳି ଏଇ ରବିବାରଟା ଏବେ ଲାଗୁଛି, ଯେମିତି ବହୁତ ଦୂରରେ ଅଛି । ଆଉ ଯେତେବେଳେ କୋଚିଂ ସେଣ୍ଟରରେ ସଣ୍ଡେକୁ ଟେଷ୍ଟ୍ ରହୁଛି ଲାଗୁଛି ରବିବାର ଶୀଘ୍ର ହେଇଗଲା", ସୁକନ୍ୟା ବସି ବସି ଏମିତି ବକ୍ ବକ୍ ହେଉଥିଲା, ମାଧବୀ ମାଉସୀ ତା' ପାଇଁ ପକୁଡ଼ି ଧରି ଆସିଲେ । ଟି'ପୟ ଉପରେ ପ୍ଲେଟ୍ ଟା ରଖିଦେଇ କହିଲେ, "ତୁମର କୋଉ ରବିବାର ଶୀଘ୍ର ହେଇଗଲା କି? "

-- କାଇଁ, ନାଇଁ ତ ?

-- ରବିବାର ତୁମର ଟ୍ୟୁସନ୍ ଛୁଟି କି ?

-- ନା ନା, ବିଲକୁଲ ନୁହେଁ । ମୋର ଏ ରବିବାର ଛୁଟି ନାହିଁ । କାହଁକି ତୁମେ ପଚାରୁଛ?

-- ଏଇ ଯେଉଁ କ୍ଷୀରୋଦ୍ ବାବୁ ନୂଆ ବାହା ହେଇଛନ୍ତି, ତାଙ୍କ ସ୍ତ୍ରୀ ପା ଘରେ ବିୟୁଟି ପାର୍ଲର ଖୋଲିବ । ଆଜି ଦୋକାନରେ ଦେଖା ହେଲା ତ କହୁଥିଲା ରବିବାର ଦିନ ତାଙ୍କ ପାର୍ଲରର ଉଦ୍ଘାଟନ ହେବ । ସେ ଆସିବ ନିମନ୍ତ୍ରଣ କରିବାକୁ ।

-- ଆଚ୍ଛା, ସେ ପାର୍ଲର ଖୋଲିବେ ! ୱାଓ ବଢ଼ିଆ ତ । ମମିଙ୍କୁ ଆଉ ମାର୍କେଟ୍ ଯିବାକୁ ପଡ଼ିବନି ।

-- କାହଁକି ତୁମେ ବି ତା ପାଖରେ ବାଳ କାଟିବନି କି ?

-- ନା ନା, ମୁଁ ମୋ କଲେଜ୍ ପାଖ ଲାବଣ୍ୟ ବିୟୁଟି ପାର୍ଲରରେ ଖୁସି ଅଛି । ମୋର ଆଉ କୁଆଡ଼େ ଯିବା ଦର୍କାର ନାହିଁ ।

ସୁକନ୍ୟା ପକୁଡି ପ୍ଲେଟ୍ ଉଠେଇ ଆଣି ଖାଇବାକୁ ଲାଗିଲା । ମାଧବୀ ଟିକେ ଦୂରରେ ବସିଲେ, ଗୋଟେ ବହି ହାତରେ ଧରି । ବହି ଉପରେ ମଲାଟ ଦିଆଯାଇଥିଲା । ସୁକନ୍ୟା କିଛି ସମୟ ମାଧବୀଙ୍କ ବହିପଢ଼ାକୁ ଲକ୍ଷ୍ୟ କଲା ପରେ ପଚାରିଲା, "ମାଉସୀ ତୁମେ ସେ ବହିରୁ କ'ଣ ପଢୁଛ ସବୁବେଳେ ? "

"ଏଇ ଗୋଟେ ଗପ ବହି", ମାଧବୀ ତରବର ହେଇ କହିପକେଇଲେ ଓ ବହିଟା ବନ୍ଦକରି ହାତରେ ଧରି ସେଠୁ ଉଠି ପଳେଇଲେ । ସୁକନ୍ୟାକୁ ଅଜବ ଲାଗିଲା । ମାଧବୀ କାହଁକି ତାଙ୍କ ବହିକୁ ଏମିତି ଲୁଚେଇ ରଖନ୍ତି ? 'କି ଗପ' ବୋଲି ପଚାରିଦେଲେ ବହି ବନ୍ଦ୍ କରିଦିଅନ୍ତି । ବେଳେବେଳେ ଦିନବେଳା ଘରେ କେହି ନଥିବା ବେଳେ ବହି ପଢ଼ୁଥାନ୍ତି, ସୁକନ୍ୟା କଲେଜରୁ ଫେରି ବେଲ୍ ମାରିଲେ କବାଟ ଖୋଲି ଆଗ ବହି ନେଇ ବାକ୍ସରେ ଭରିଦେଇ ଆସନ୍ତି । "ଅଦ୍ଭୁତ ଲୋକ ତୁମେ ମାଉସୀ ", ସୁକନ୍ୟା ହସି ହସି ବଡ଼ ପାଟି କରି ମାଧବୀଙ୍କ ଉଦ୍ଦେଶ୍ୟରେ କହିଲା ।

ଶନିବାର କଲେଜରୁ ଫେରିବା ବେଳେ ସୁକନ୍ୟା ଲାବଣ୍ୟ ପାର୍ଲୋର୍ ଯାଇ ଆଇବ୍ରୋ ସେପିଂ କଲା ଓ ହେୟାର୍ ଟ୍ରିମ୍ କଲା । ରଙ୍ଗୋଲି ଭେରାଇଟି ଷ୍ଟୋରରୁ ଚକୋଲେଟ୍ସ୍ କିଣିଲା । ଗିଫ୍ଟ୍ ଆଇଟମ୍ସ୍ ଦେଖିଲା । ଗୋଟେ ଛୋଟିଆ ତାଜମହଲ ତାକୁ ବହୁତ ପସନ୍ଦ ଆସିଲା । ସେଇଟି ପ୍ୟାକ୍ କରିବାକୁ କହିଲା । ସବୁ ଜିନିଷ ବ୍ୟାଗରେ ଭରି ଟଙ୍କା ଦେଇ ଘରକୁ ଫେରିଲା ।

ସେଦିନ ରାତିରେ ତନ୍ମୟ ସହ ଅନେକ ବେଳ ଯାଏଁ କଥା ହେଲା । ତନ୍ମୟକୁ ଖୁବ୍ ସକାଳୁ ଉଠି ସୁକନ୍ୟା ପାଖକୁ ଆସିବା ପାଇଁ ବସ୍ ଧରିବାକୁ ଥିଲା । ସେ ଫୋନ୍ ରଖି ଶୋଇପଡ଼ିଲା । ସୁକନ୍ୟା ଆଖିକୁ ନିଦ ଆସୁନଥିଲା । ସେ ଅନେକ ସମୟ ଯାଏଁ ମୋବାଇଲରେ ସ୍ନେକ୍ ଗେମ୍ ଖେଳିଲା । ତାପରେ ସେ ତନ୍ମୟ ପାଇଁ ବନେଇଥିବା କାର୍ଡରେ ଆହୁରି ଦୁଇ ତିନି ଧାଡ଼ି ଇଂରାଜୀରେ ଲେଖା ଲେଖି କରି ଯୋଡ଼ିଲା । ତଥାପି ରାତି ସରୁନଥିଲା କି ସୁକନ୍ୟାକୁ ଥକ୍କା ଲାଗୁନଥିଲା । ସେ ପାଣିପିଇବାକୁ ଗଲା । ଡ୍ରଇଂ ରୁମ୍ ରେ ମାଧବୀ ଶୋଇଥିଲେ । ତାଙ୍କ ତକିଆ ତଳେ ବହିଟିଏ ଗେଞ୍ଜା ହେଇଥିବା ଅଳ୍ପ ଦିଶୁଥିଲା । ସୁକନ୍ୟା ପାଣିପିଇସାରି ଆସି ମାଧବୀଙ୍କ ତକିଆ ତଳୁ ଆସ୍ତେ କରି ବହିଟି କାଢ଼ି ଆଣିଲା । ତାପରେ ସେ ରୁମ୍ କୁ ଆସି ପଢ଼ା ଟେବଲ୍ ପାଖକୁ ଯାଇ ଟେବଲ୍ ଲ୍ୟାମ୍ପ୍ ଅନ୍ କଲା ଓ ମାଧବୀଙ୍କ ବହିକୁ ଖୋଲି ପଢ଼ିବାକୁ ଆରମ୍ଭ କଲା ।

ସେ ବହିରୁ ଚାରି - ପାଞ୍ଚ ପୃଷ୍ଠା ପଢିସାରିଲା ବେଳକୁ ସୁକନ୍ୟାର ମୁଣ୍ଡ ଗୋଳମାଳ ହେଇସାରିଥିଲା । "ଏ ପୁଣି କେମିତିକା ଗପ ବହି ? ଆରେ ଏ ମାଉସୀ ଏ କ'ଣ ସବୁ ପଢୁଛନ୍ତି ? ", ସୁକନ୍ୟା ଆଶ୍ଚର୍ଯ୍ୟ ହେଇ ନିଜକୁ ପ୍ରଶ୍ନ କଲା ଓ ଆଗକୁ ପଢ଼ିବକି ପଢ଼ିବନି ସେହି କଥା ବସି ଭାବିଲା ।

କ୍ରମଶଃ...

ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୧୬)