ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୧୬)

ନୂଆ ପ୍ରଜନ୍ମର କଥାକାର ଲୋପାମୁଦ୍ରା ମିଶ୍ରଙ୍କ ଉପନ୍ୟାସ "ଚିତ୍ରଲିପି" ଧାରାବାହିକ ଭାବେ ପ୍ରକାଶ ପାଉଛି । ପ୍ରତିଦିନ ଏହି ଉପନ୍ୟାସର ଏକ ଏକ ଅଧ୍ୟାୟ ଆପଣମାନେ "ବାଟୋଇ"ରେ ପଢୁଛନ୍ତି ।


କିଏ ତନ୍ମୟ ? ସୁକନ୍ୟା ସହ ତା'ର ସମ୍ପର୍କ କ'ଣ ? ସେ କାହଁକି ସୁକନ୍ୟାର ରେଜଲ୍ଟ୍ ଦେଖିଥିଲା ? ସ୍ନେହା ଆଉ ସେ ବିଷୟରେ କିଛି ଜାଣିବାକୁ ଚାହୁଁନଥିଲେ । ସେ ସୁକନ୍ୟାର ମାଟ୍ରିକ୍ ରେଜଲ୍ଟରେ ସନ୍ତୁଷ୍ଟ ଥିଲେ । ସୁବ୍ରତ୍ ମଧ୍ୟ ଇଣ୍ଟରନେଟରେ ରେଜଲ୍ଟ୍ ଦେଖି ଖୁସି ହେଇ ଫୋନ୍ କରିଥିଲେ । ସ୍ନେହା ତାଙ୍କ ଅଫିସ୍ ର ଜଣେ ଜୁନିୟର୍ ଷ୍ଟାଫଙ୍କୁ କିଛି ମିଠା ଧରି ଆସିବାକୁ ଫୋନ୍ କରି କହିଥିଲେ । ମିଠା ଆସିଲା, ସେହି ସମୟରେ ସୁକନ୍ୟାର ପ୍ରମୋଦ ମାମୁଁଙ୍କ ଫୋନ୍ ମଧ୍ୟ ଆସିଲା । ଭୂପେଶ୍ ସୁକନ୍ୟାଠାରୁ ବାର ମାର୍କ୍ ଅଧିକ ରଖି ସ୍କୁଲ୍ ଓ ସର୍କଲ୍ ଟପର୍ ହେଇଛି । ସୁକନ୍ୟାର ପାଟିକୁ ମିଠା ଗଲାନାହିଁ । ସେ ହଠାତ୍ ଉଦାସ ହେଇଗଲା । ତାକୁ ଲାଗିଲା ତାର ସବୁ ପରିଶ୍ରମ ବୃଥା ଯାଇଛି ।

କୋଚିଂ ସେଣ୍ଟରରୁ ଫେରିବା ବେଳେ ଟେଲିଫୋନ୍ ବୁଥ୍ ରୁ ସୁକନ୍ୟା ତନ୍ମୟକୁ ଫୋନ୍ କରୁଥିଲା । ରେଜଲ୍ଟ୍ ବାହାରିଲା ପରେ ସୁକନ୍ୟା ତନ୍ମୟକୁ ଫୋନ୍ କରି ତା' ମନରେ ଦୁଃଖ ଜଣାଇଲା । ତନ୍ମୟ ତାକୁ ଖୁବ୍ ବୁଝାଇଲା ଓ ତାକୁ କଟକରେ ହିଁ ଆଡ଼ମିଶନ୍ ନେବାକୁ ପରାମର୍ଶ ଦେଲା । ସୁକନ୍ୟା ଭାବୁଥିଲା ଘର ଲୋକଙ୍କୁ ବୁଝାଇବା ଦର୍କାର ପଡ଼ିବନି । ଏତେ ଭଲ ପର୍ସେଣ୍ଟେଜ୍ ଆଣିଛି ତ' ଘର ଲୋକ ନିଶ୍ଚୟ କଟକରେ ହିଁ ପଢିବାକୁ କହିବେ ।

ସ୍ନେହା ସୁକନ୍ୟାର କଲେଜ୍ ଫର୍ମ୍ ହାତରେ ଧରି ବସିଥିଲେ । ସୁକନ୍ୟାକୁ ଦେଖି କହିଲେ, "ଆସେ ଫର୍ମଟା ପୂରଣ କରିଦେବା । ମୁଁ କାଲି ପକେଇଦେବି ।"

ସୁକନ୍ୟା ଦେଖିଲା ଫର୍ମଟା ତାଙ୍କ ଘରପାଖ ସିଟି କଲେଜର ନାମ ଲେଖା ଫର୍ମ୍ । ତାକୁ ଭଲ ଲାଗିଲାନି । ସେ ବିରକ୍ତ ହେଇ କହିଲା, "ମମି ମୋର ତ ଭଲ ମାର୍କ୍ସ୍ ଅଛି, ରେଭେନ୍ସାରେ ନିଶ୍ଚୟ ହେଇଯିବ । ଏଠି ଆଉ କାହିଁକି ପକେଇବି ଯେ ?"

--ଏଇଟା କ'ଣ ଖରାପ କଲେଜ୍ ? ବହୁତ ପୁରୁଣା ସରକାରୀ କଲେଜ୍ । ଏଠୁ ବି ବହୁତ ଭଲ ପିଲା ବାହାରି ଡାକ୍ତର, ଇଞ୍ଜିନିଅର, ଆଇ.ଏ.ଏସ୍., ଓ. ଏ.ଏସ୍. ହେଉଛନ୍ତି । ତୁ ବି ଏଇଠି ପଢ଼ିବୁ ।

-- ନା ମମି ମୁଁ କଟକ ଯିବି ।

-- କଟକ ଯାଇ କ'ଣ ଅଧିକଟା କରିପକେଇବୁ ?

-- ଆମ କୋଚିଂରୁ ସବୁ ଭଲ ପିଲା ରେଭେନ୍ସା ଯାଉଛନ୍ତି ମମି ।

-- ଯିଏ ଯାଉଛି ଯାଉ ତୁ କିନ୍ତୁ ଯିବୁନି । ଦୂରକୁ ଯାଇ ସବୁ ଥାର୍ଡ୍ ଡିଭିଜନ୍ ପାଇ ଫେରିବେ ଦେଖିବୁ ।

-- ଏସବୁ ଭୁଲ କଥା ମମି । ମୁଁ ଏଠି ପଢ଼ିବିନି ।

-- ଏଠି ପଢ଼ିବୁନି ଯଦି ନପଢ, ମୁଁ କିନ୍ତୁ ତୋର ଫର୍ମ୍ କଟକରେ ପକେଇପାରିବିନି । ତୁ ତୋ ନିଜ କାମ ନିଜେ ସବୁ କର୍ । ମୋତେ ଆଉ କେବେ କିଛି କହିବୁନି । ଆର ବର୍ଷ ଦୀପୁ ହାଇସ୍କୁଲକୁ ଯିବ । ତା ପଢ଼ାପଢି କିଏ ବୁଝିବ ? ସେଥିପାଇଁ ମୁଁ ତୋତେ କହୁଥିଲି ଏଇଠି ପଢ଼ିଲେ ମୋର ଚିନ୍ତା ଟିକେ କମ୍ ରହିଥାନ୍ତା । ତୋର ତ ଜିଦି ତୁ ଯିବୁ କଟକ । ହଷ୍ଟେଲ୍ ରେ ରହିବୁ, ହଉ ଯାଆ ।

ସୁକନ୍ୟାର ଜିଦ୍ ରହିଲାନି । ତା'ର ରେଭେନ୍ସାରେ ପଢ଼ିବାର ସ୍ୱପ୍ନ ଭାଙ୍ଗିଗଲା । ତା' ମନ ବି ମରିଗଲା ।

ଘର ପାଖ ସିଟି ଜୁନିୟର୍ କଲେଜରେ ସୁକନ୍ୟାର ନାଁ ଲେଖା ହେଇଗଲା । ରୋଜି ବି ଆସିଲା ସେଠିକୁ ପଢ଼ିବାକୁ । ସେ ହଷ୍ଟେଲରେ ରହିଲା । ଭୂପେଶ୍ ଗଲା ରେଭେନ୍ସା । ସୁକନ୍ୟାର ପୁରୁଣା ସ୍କୁଲର କେତେଜଣ ପୁରୁଣା ସାଙ୍ଗ ବି ଆସିଲେ ଏହି ସିଟି କଲେଜକୁ ପଢ଼ିବା ପାଇଁ ।

ରୋଜି ଆର୍ଟ୍ସ୍ ପଢୁଥିଲା । ତାର କ୍ଲାସ୍ ଟାଇମିଂ ଅଲଗା ଥାଏ । ସୁକନ୍ୟା ନିଜର ଫାଙ୍କା ସମୟରେ ରୋଜିର ହଷ୍ଟେଲକୁ ଯାଏ । ରୋଜି ବେଳେବେଳେ କ୍ଲାସ୍ ଯାଇଥାଏ ଆଉ ବେଳେବେଳେ ରୁମ୍ ରେ ଶୋଇଥାଏ । ରୋଜି ରୁମ୍ ରେ ନଥିଲେ ସୁକନ୍ୟା ତା' ବେଡ୍ ରେ ବସି ମ୍ୟାଥ୍ ସଲ୍ଭ୍ କରେ । ରୋଜି ଥିଲେ ତା' ମୋବାଇଲ୍ ନେଇ ତନ୍ମୟ ସହ କିଛି ସମୟ କଥା ହୁଏ ।

ରୋଜି ସେଦିନ କହିଲା ସେ ରିଙ୍କୁନ୍ କୁ କଲେଜରେ ଦେଖିଛି । ସୁକନ୍ୟାକୁ ଆଶ୍ଚର୍ଯ୍ୟ ଲାଗିଲା । ସେ କହିଲା, "ରିଙ୍କୁନ୍ ଭାଇ ତ କହୁଥିଲା ସେ ଭୁବନେଶ୍ୱରରେ ମେଡିକାଲ୍ ଏଣ୍ଟ୍ରାନ୍ସ୍ ପାଇଁ ପ୍ରସ୍ତୁତ ହେବ । ଏଠି କ'ଣ କରୁଛି ? "

-- ମେଡିକାଲ୍ ନା ଆଉକିଛି ? ଏଠି ପ୍ଲସ୍ ଥ୍ରୀ ଆର୍ଟ୍ସ୍ ରେ ଆଡିମିଶନ୍ ନେଇଛି ।

-- ଆଚ୍ଛା । କିନ୍ତୁ ସେ ଷ୍ଟ୍ରିମ୍ କାହିଁକି ଚେଞ୍ଜ୍ କଲା ?

-- ତୁ ତା ରେଜଲ୍ଟ୍ ଜାଣିନୁ କି ? ତୋ ଭାଇ ପରା ?

-- ନା ଜାଣିନି । ଆରେ ମୋ ମମି ଛବି ମାଇଁଙ୍କୁ ଫୋନରେ କ'ଣ ଏଣୁ ତେଣୁ କହିଦେଲେ ଯେ ମୁଁ ଡରିକରି ସେଠିକୁ ଆଉ ଫୋନ୍ କରିନି କି ରିଙ୍କୁ ଭାଇ ବିଷୟରେ କିଛି ବୁଝିପାରିନି ।

-- ରିଙ୍କୁନ୍ ର ସେକେଣ୍ଡ୍ ଡିଭିଜନ୍ ମାର୍କ୍ସ୍ ଆସିଲା ସେଥିପାଇଁ ପ୍ରମୋଦ୍ ସାର୍ ତାକୁ ଆର୍ଟ୍ସ୍ ପଢ଼ିବାକୁ ଫୋର୍ସ୍ କଲେ । ଆଉ ପୁପୁନ୍ ଯାଇଛି ବାଣୀବିହାର ପି.ଜି. କରିବାକୁ । ସେ ବାଣୀବିହାର ଏଣ୍ଟ୍ରାନ୍ସ୍ ଟପର୍ ବି ହେଇଛି । ଓହୋ, କି ଭାଉ କି ତୋ ଛବିମାଇଁର ! ବଜାର ସାରା ଲୋକଙ୍କୁ କହିସାରିଲାଣି ତାଙ୍କ ପୁଅ ବାଣୀବିହାର ଟପର୍ । ହା ହା ହା...

ରୋଜିର ହସ ସହ ହସ ମିଳେଇ ସୁକନ୍ୟା ମଧ୍ୟ ଅଳ୍ପ ହସିଲା କିନ୍ତୁ ପୁପୁନ୍ ବାଣୀବିହାର ଏଣ୍ଟ୍ରାନ୍ସ୍ ଟପର୍ ହେଇଛି ଜାଣି ଭିତରେ ଭିତରେ ତା' ମନ ଟିକେ କଷ୍ଟ ହେଲା ।

ସୁବ୍ରତ୍ ଆସିଥିଲେ । କିଛି ଗୋଟେ ଟଙ୍କା ପଇସା କଥାକୁ ନେଇ ସ୍ନେହା ଓ ସୁବ୍ରତଙ୍କ ଭିତରେ ଭୀଷଣ କଳି ଝଗଡା ହେଲା । ରବିବାର ସକାଳୁ ସୁବ୍ରତ ଘରେ କାହାକୁ କିଛି ନକହି କୁଆଡ଼େ ଚାଲିଗଲେ । ଦିନ ଗୋଟାଏ ବେଳେ ନୂଆ ସ୍କୁଟିଟେ ଧରି ଘରକୁ ଫେରିଲେ । ସୁକନ୍ୟା ସବୁଦିନ ଅଟୋରେ ଯିବା ଆସିବା କରି ସନ୍ଧ୍ୟାରେ ଥକ୍କିଯାଇ ଶୋଇପଡୁଥିଲା । ନିଜ ପାଖରେ ସ୍କୁଟି ଥିଲେ ଯିବା ଆସିବାରେ ଅସୁବିଧା ହେବନାହିଁ ବୋଲି ସୁକନ୍ୟା ସୁବ୍ରତଙ୍କୁ କହିଥିଲା । ନୂଆ ଗାଡି ଦେଖି ସ୍ନେହା ଆହୁରି ରାଗିଲେ । ଦୀପୁ ଓ ସୁକନ୍ୟା କିନ୍ତୁ ବେଶ୍ ଖୁସି ଥିଲେ ।

ସୁବ୍ରତ୍ ଏଥର ଫେରିଯିବା ପୂର୍ବଦିନ ରାତିରେ ସ୍ନେହାଙ୍କୁ କହୁଥିଲେ, "ତୁମେ ନିଜେ କୁହ, ମୁଁ କ'ଣ କରିବି ? ତୁମେ ଯାହା ଚାହିଁଛ ମୁଁ କରିଛି । ତୁମେ ନଚାହିଁଥିଲେ ମୁଁ କେବେ ତା' ଦାୟିତ୍ୱ ତୁମ ଉପରେ ଜୋର୍ କରି ଲଦି ଦେଇନଥାନ୍ତି । ତୁମେ କ'ଣ ଭୁଲି ଗଲଣି କି, ସେତେବେଳେ ତୁମେ ନିଜେ ହିଁ ମୋ ପାଖରେ ଅଳି କରିଥିଲ ! ଏବେ ଯଦି ସେ ତୁମକୁ ବୋଝ ପରି ଲାଗୁଛି, କହିଦିଅ । ମୁଁ ତା' ବ୍ୟବସ୍ଥା କରିବି । କିନ୍ତୁ ଏମିତି ସବୁ ଭୁଲ ଭାଲ ନିଷ୍ପତ୍ତି ନେଇ ତା' ଭବିଷ୍ୟତ ନଷ୍ଟ କରନାହିଁ । ମୁଁ ସବୁ ଟଙ୍କା ଦେବାକୁ ରାଜି ଅଛି । ତୁମେ ଆଉ ବିନୋଦିନୀକୁ କୌଣସି ଦିନ ଫୋନ୍ କରିବନି । ଆଉ ହଁ, ତୁମେ ଯଦି ତୁମ ବାପଘରକୁ ଯାଉଛ ଯାଅ, କିଛି କଥା ନାହିଁ । କିନ୍ତୁ ସୁକନ୍ୟା ସାଙ୍ଗରେ ଥିଲାବେଳେ ସେଠି ଯେମିତି କୌଣସି ଅଯଥା କଥା ଆଲୋଚନା ନହୁଏ । ସେଥିପ୍ରତି ଧ୍ୟାନ ରଖିବ ।"

ସୁକନ୍ୟା ଅଳ୍ପ ଅଳ୍ପ ଶୁଣିଥିଲା ମମି, ବାପାଙ୍କ କଥାବାର୍ତ୍ତା । ଅନେକ କିଛି ବୁଝିବାର ବୟସ ତାକୁ ହେଇଯାଇଥିଲେ ମଧ୍ୟ ସେ ବହୁତ କିଛି ବୁଝିବାକୁ ସକ୍ଷମ ହେଇପାରୁନନଥିଲା ।

ସବୁଥର ପରି ସେଥର ମଧ୍ୟ ସୁବ୍ରତ ଖୁବ୍ ସକାଳୁ ଉଠି ଚାଲିଯାଇଥିଲେ । ସେଥର ବାପା ଘରୁ ବାହାରିଗଲା ପରେ ସୁକନ୍ୟାକୁ କାହଁକି କେଜାଣି ଲାଗିଲା ସେ ଯେମିତି ଏହି ଘରେ କିଛି ଅଜଣା ଲୋକଙ୍କ ସହ ରହୁଛି । ହେଇପାରେ ତାହା ତା' ବୟସର ପ୍ରଭାବ କିମ୍ବା ମମି, ବାପାଙ୍କ ଅଦ୍ଭୁତ ବାର୍ତ୍ତାଳାପକୁ ବୁଝିନପାରିବାର ପରିଣାମ ।

ଶନିବାର ସନ୍ଧ୍ୟାରେ ଦୀପୁ ମାଧବୀ ମାଉସୀଙ୍କ ସହ ମାର୍କେଟ ଯାଇଥିଲା । ମମି ଘରେ ଏକୁଟିଆ ଥିଲାବେଳେ ସୁକନ୍ୟା ତାଙ୍କୁ ପଚାରିଲା, "ମମି, ବାପା ସେଦିନ ରାତିରେ ତୁମକୁ କାହା କଥା କହୁଥିଲେ ? "

-- କୋଉଦିନ ରାତିରେ ?

-- ଯୋଉଦିନ ବାପା ସକାଳୁ ଗଲେ, ତା' ପୂର୍ବଦିନ ରାତିରେ !

-- କାହିଁ କିଛି ତ' କହୁନଥିଲେ ।

-- ହଁ କହୁଥିଲେ, ତୁମକୁ କାହାର ଗୋଟେ ଦାୟିତ୍ୱ ଦେଇଛନ୍ତି କହୁଥିଲେ ।

ସ୍ନେହା ଟିକେ ଡରି ଗଲେ । ଛେପ ଢୋକିଲେ ଓ ସୁକନ୍ୟାକୁ ସିଧା ଦେଖି କହିଲେ, "ସବୁ କଥାରେ ମୁଣ୍ଡ ପୂରେଇବା ତୋର ଗୋଟେ ବଦଭ୍ୟାସ ହେଇଗଲାଣି । ଆମେ କ'ଣ କଥା ହେଉଥିଲୁ ତୁ କାହିଁକି ଲୁଚିକରି ଶୁଣୁଥିଲୁ ? ବଡ଼ମାନଙ୍କ କଥା ସବୁ ଏମିତି ଶୁଣନ୍ତି ? "

-- ନା ମମି ମୁଁ ଲୁଚିକରି ଶୁଣୁନଥିଲି । ମୁଁ ପାଣିପିଇବାକୁ ଉଠିଥିଲି, ମୋତେ ତୁମ କଥା ଶୁଭିଗଲା । ମମି କୁହନା ବାପା କାହା କଥା କହୁଥିଲେ ?

ସ୍ନେହା କିଛି ନଜାଣିଲା ପରି କହିଲେ, "ଆରେ କୋଉ କଥା, କ'ଣ, ମୋର କିଛି ମନେ ନାହିଁ । ତୁ ଗଲୁ ଏଠୁ, ମୋର ଗୋଟେ ଲିଷ୍ଟ୍ ବନେଇବାର ଅଛି । ଯାଆ, ଡିଷ୍ଟର୍ବ୍ କରନା । "

ମାଧବୀ ଘରକୁ ଫେରୁ ଫେରୁ ବଡ଼ ପାଟି କରି ସ୍ନେହାକୁ କହିଲେ, "ଦିଦି, ଦିଦି ମ, ସେ ବାବୁ ବାହା ହେଇଗଲେ । ଆଜି ଘରକୁ ଆଣିଛନ୍ତି ସେ ସ୍ତ୍ରୀଲୋକକୁ । ମୁଁ ଦେଖିକରି ଆସିଲି ପରା । ଛିଃ ଛିଃ ଛିଃ.. ଲାଜ ନାହିଁ । ସ୍ତ୍ରୀକୁ ମାରି, ଭେଣ୍ଡା ପୁଅକୁ ଘରୁ ବାହାର କରି ବେଲଜ୍ୟା କଷି କନିଆଁ ଧରି ଥେଇ ଥେଇ ହେଉଛି । ଛିଃ.. "

"କିଏ କି ହୋ ? କ୍ଷୀରୋଦ ବାବୁ ? ", ସ୍ନେହା ପଚାରିଲେ ।

"ହଁ ହଁ ସେଇ କ୍ଷୀରୋଦ ବାବୁ । ତା କାଣ୍ଡ ଦେଖି ରାଗରେ ତ ମୋ ହାଡ଼ ଜଳୁଛି" । ସ୍ନେହା ହସିଲେ । ହସି ହସି କହିଲେ, "କିହୋ ମାଧବୀ, ତୁମେ କାହଁକି ଏତେ ରାଗୁଛ ? ସେ ଆଉ କ'ଣ ଏମିତି ଏକା ଏକା ରହିଥାନ୍ତେ ? ଭଲ ହେଲା ନା କେହି ଜଣେ ମିଳିଗଲେ ତାଙ୍କ ଘର ସମ୍ଭାଳିବାକୁ । ଏବେ ତାଙ୍କ ପୁଅ ବି ଆସି ରହିପାରିବ । "

-- ହୁଁ, ପୁଅ ଆସିବ ? ଆଉ ଆସିବ ପୁଅ ? କ'ଣ ଆସିବ ବାପାର ରାସଲୀଳା ଦେଖିବାକୁ ? ସେ ଆଉ ଆସିବନି । ତା ମାଆ କହିଯାଇଛି ସେ ତା ବଡ଼ମାଆ ପାଖରେ ହିଁ ରହିବ ।

-- ହଉ ମ, ଛାଡ଼ ତାଙ୍କ କଥା । ଆମକୁ ସେଥିରୁ କ'ଣ ମିଳିବ ଯେ ? ତୁମେ ମୋ ସହିତ ଚାଲିଲ ରୋଷେଇଘରକୁ, ମିଶିକି ଶୀଘ୍ର ରନ୍ଧାରନ୍ଧି ସାରିଦେବା ।

ସ୍ନେହା ଓ ମାଧବୀ ରୋଷେଇଘରକୁ ଚାଲିଗଲେ । ସୁକନ୍ୟା ବହି ଧରି ବସିକରି ଭାବୁଥିଲା, "କ୍ଷୀରୋଦ୍ ଅଙ୍କଲ୍ ତାହେଲେ ଗୀତୁଦିଦିଙ୍କୁ ବାହା ହେଇଗଲେ ? କାଲି କଲେଜରୁ ଫେରିଲେ ଦେଖିବି " ।

ସୁକନ୍ୟା କିନ୍ତୁ ପରଦିନ କଲେଜରୁ ଫେରିଲା ପରେ କ୍ଷୀରୋଦଙ୍କ ଘରକୁ ଯିବା କଥା ଭୁଲିଗଲା । ତିନିଦିନ ଛାଡ଼ି ସେ ଦିନେ ତା' ସ୍କୁଟି ଚଲେଇ ପାଖ ମାର୍କେଟ୍ ଆଡ଼େ ଯାଉଥିଲା ଗୋଟେ ଛୋଟ ଦୋକାନ ଆଗରେ କ୍ଷୀରୋଦଙ୍କୁ ଦେଖିଲା । ସେ ଓ ତାଙ୍କ ନୂଆ ସ୍ତ୍ରୀ ସେହି ଦୋକାନରୁ କ'ଣ କିଣାକିଣି କରୁଥିଲେ । ସୁକନ୍ୟା ସ୍କୁଟି ସ୍ଲୋ କରି ଦେଖିଲା ସେ ମହିଳା ଗୀତୁଦିଦି ନୁହଁନ୍ତି । ଆଉଜଣେ କେହି । ଅଳ୍ପ ବୟସୀ, ଗୋଲ ମୁହିଁ, କମ୍ ଉଚ୍ଚତା ବିଶିଷ୍ଟା ସୁନ୍ଦରୀ ନୂଆବୋହୂଟି ସବୁଜ ଶାଢି ପିନ୍ଧି ଖୁବ୍ ଆକର୍ଷଣୀୟା ଦିଶୁଥିଲା । "ଏତେ ଛୋଟ ଝିଅଟା କ୍ଷୀରୋଦ୍ ଅଙ୍କଲଙ୍କୁ ବାହା ହେବାକୁ ରାଜି ହେଲା କାହଁକି? ", ସୁକନ୍ୟା ମନେ ମନେ ଏତିକି କହି ସ୍କୁଟିର ସ୍ପିଡ୍ ବଢ଼େଇ ଆଗକୁ ଚାଲିଗଲା ।

କଲେଜ୍ ପାଖ ବହିଦୋକାନ ଆଗରେ ଠିଆ ହେଇଥିଲା ରୋଜି । କାହାକୁ ବୋଧେ ଅପେକ୍ଷା କରିଥିଲା । ସୁକନ୍ୟା ତା' ପାଖରେ ସ୍କୁଟି ଅଟକେଇଲା ।

-- ରୋଜି ! ଏକା ଆସିଛୁ ନା ଲକି ଅଛି ତୋ ସହ ?

-- ଏକା ଆସିଥିଲି, ଟିକେ କାମ ଥିଲା ।

-- କି କାମ ? ମୁଁ ଜେରକ୍ସ୍ କରିବାକୁ ଆସିଥିଲି । ଦୋକାନରେ ଦେଇଆସିଛି । ଚାଲ୍ ଯିବା ଚାର୍ଟ୍ ଠେଲା ପାଖକୁ । ତୋ କାମ ସରିଲେ ତୋତେ ତୁମ ହଷ୍ଟେଲ୍ ପାଖରେ ଛାଡ଼ିଦେବି ।

ରୋଜିର ମୁହଁରେ ହଠାତ୍ ବିରକ୍ତି ଭାବ ଫୁଟିଉଠିଲା । ସେ ଟିକେ ଉଚ୍ଚା ଗଳାରେ କହିଲା, "ଆରେ ନା ନା ମୁଁ ଚାର୍ଟ୍ ଖାଇବିନି । ପେଟ ଭଲନାହିଁ । ତୁ ଯାଆ । କାଲି ଆସିବୁ ହଷ୍ଟେଲ୍ ରେ କଥା ହେବା" ।

ରୋଜି ତରବର ହେଇ ବହି ଦୋକାନ ଆଗରୁ ଚାଲି ଚାଲି ଆଗକୁ ପଳେଇଲା । ସୁକନ୍ୟା ରୋଜି ଠାରୁ ଏମିତି ଅଜବ ବ୍ୟବହାର ଆଶା କରିନଥିଲା । ତା'ର ମନ ଦୁଃଖ ହେଇଗଲା । ସେ ଏକା ଏକା ଗଲା ଚାର୍ଟ୍ ବାଲା ପାଖକୁ । ଚାର୍ଟ୍ ଖାଇସାରି ଜେରକ୍ସ୍ ଦୋକାନକୁ ଗଲା । ସେଠୁ ଘରକୁ ଫେରୁଥିଲା ମନେ ପଡ଼ିଲା ଦୀପୁ କହିଥିଲା ତା' ପାଇଁ ଚକୋଲେଟ୍ ନେଇକରି ଯିବାକୁ । ସେ ପୁଣି ପଛକୁ ସ୍କୁଟି ବୁଲେଇଲା । ରଙ୍ଗୋଲି ଭେରାଇଟି ଷ୍ଟୋର୍ ପାଖରେ ସ୍କୁଟି ରଖି ଭିତରକୁ ଗଲା । ଡାଏରୀ ମିଲ୍କ୍ ଚକୋଲେଟ୍, କଲର୍ ପେନ୍ସିଲ୍ ଓ ବାନାନା ଚିପ୍ସ୍ କିଣିସାରି ସୁକନ୍ୟା ପର୍ସରୁ ଟଙ୍କା ବାହାର କରିଦେଉଥିଲା ହଠାତ୍ ଖୁବ୍ ଜୋରରେ ବର୍ଷା ଉଠେଇଲା । ଚାହୁଁ ଚାହୁଁ ଆକାଶରୁ ବରକୋଳିଆ ଠୋପା ଖସି ପଡ଼ି ରାସ୍ତା ଓଦା ହେବାକୁ ଲାଗିଲା । ସ୍କୁଟିରେ ରେନକୋର୍ଟ୍ ଥିଲା । ସେ ଦୋକାନୀ ଭାଇଙ୍କୁ ତାଙ୍କ ଛତା ମାଗି ସ୍କୁଟି ଡ଼ିକିରୁ ରେନକୋର୍ଟ୍ ବାହାର କରି ଆଣିଲା ଓ ଦୋକାନ ବାରଣ୍ଡାରେ ଠିଆ ହେଲା ପିନ୍ଧିବା ପାଇଁ । ସାମ୍ନାକୁ ଦେଖିଲା, ବର୍ଷାରେ ରାସ୍ତା ଆଉ ଭଲ ଦିଶୁନାହିଁ । ବର୍ଷାରେ ଧୂଆଁଳିଆ ଦିଶୁଥିବା ସେହି ରାସ୍ତା ଉପରେ ଗୋଟିଏ ଲେଡିଜ୍ ଛତା ତଳେ ପୁଅଟିଏ ଓ ଝିଅଟିଏ ଅଧା ଅଧି ଭିଜି ଭିଜି ଚାଲୁଛନ୍ତି । ସୁକନ୍ୟା ଦୁହିଁଙ୍କୁ ଭଲକରି ଦେଖିଲା । ତା' ଆଖିକୁ ବିଶ୍ୱାସ ହେଲାନାହିଁ । ରୋଜି ତାହେଲେ ଏଥିପାଇଁ ତାକୁ ମିଛ କହିଥିଲା ? ସୁକନ୍ୟା ରାଗରେ ଦାନ୍ତ କଡ଼ମଡ଼ କରି ମନେ ମନେ କହିଲା, "ରୋଜି ତୋ ପେଟ ନୁହେଁ ମୁଣ୍ଡ ଖରାପ ହେଇଛି । ନହେଲେ ତୁ ପୁପୁନ୍ ଭଳି ଗୋଟେ ଚରିତ୍ରହୀନ ପିଲା ସହ ବର୍ଷାରେ ଭିଜୁନଥାନ୍ତୁ " ।

କ୍ରମଶଃ...

ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୧୫)