ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୧୪)

ନୂଆ ପ୍ରଜନ୍ମର କଥାକାର ଲୋପାମୁଦ୍ରା ମିଶ୍ରଙ୍କ ଉପନ୍ୟାସ "ଚିତ୍ରଲିପି" ଧାରାବାହିକ ଭାବେ ପ୍ରକାଶ ପାଉଛି । ପ୍ରତିଦିନ ଏହି ଉପନ୍ୟାସର ଏକ ଏକ ଅଧ୍ୟାୟ ଆପଣମାନେ "ବାଟୋଇ"ରେ ପଢୁଛନ୍ତି ।


(ପୂର୍ବ ପ୍ରକାଶିତ ଉତ୍ତାରୁ)

ଘର ଭିତରକୁ ପଶୁ ପଶୁ ସୁକନ୍ୟାର ନାକରେ ଆଳୁଦମର ବାସ୍ନା ବାଜିଲା । ଘରେ ବୋଧେ କିଛି ବରା କିମ୍ବା ପକୁଡି ବନାହେଇଥିଲା, ସେହିଭଳି କିଛି ବାସ୍ନା ଘର ସାରା ଖେଳିଯାଇଥିଲା । ବୟସ୍କା ମହିଳା ଜଣକ ଡାଇନିଂ ଟେବଲ୍ ଉପରେ ସବୁ ଆଣିକି ଥୋଇଲେ । ସମସ୍ତେ ଧୁଆ ଧୋଇ ହୋଇ ଖାଇବାକୁ ବସିଲେ । ସିଙ୍ଗଡ଼ା, କୋବିର ପକୁଡ଼ି ଆଉ ଆଳୁଦମ୍ । ସ୍ୱାଦ ବହୁତ ଭଲ ଥିଲା ।

ସୁକନ୍ୟାର ପରୀକ୍ଷା ଅଳ୍ପଦିନ ଥିଲା । ସ୍ନେହାଙ୍କର ଅଫିସରେ ଅନେକ କାମ ରହୁଥିଲା । ସେ ଘର କାମ କରିବାକୁ ସମୟ ପାଉନଥିଲେ । ସେଥିପାଇଁ ସେ ମଣି ସହ କଥା ହେଇଥିଲେ ତାଙ୍କ ପାଖକୁ ଆସି ଘରର ଦାୟିତ୍ୱ ନେବା ପାଇଁ । ମଣି ନିଜେ ଆସିପାରିଲାନାହିଁ । ତାର ଏହି ନିରାଶ୍ରୟୀ ଭଉଣୀ ମାଧବୀକୁ ପଠେଇଥିଲା । ମାଧବୀ ଏବେ ସ୍ନେହାଙ୍କ ଘରେ ରୋଷେଇ, ବାସନମଜା, ଝାଡୁ, ପୋଛା ଠାରୁ ଆରମ୍ଭ କରି ଯାବତୀୟ ଛୋଟମୋଟ କାମ କରେ ଓ ରାତିରେ ଡ୍ରଇଂ ରୁମ୍ ରେ ଶୁଏ । ବେଳେବେଳେ ବି ସେ ସୁକନ୍ୟାର ରୁମ୍ ରେ ତଳେ ବିଛଣା କରି ଶୋଇପଡେ । ସ୍ନେହା ତ' ତାକୁ ଉପରେ ଶୋଇଯିବାକୁ କହନ୍ତି, ସେ କିନ୍ତୁ କହେ, "ଖଟ ଉପରେ ମୋତେ ନିଦ ହୁଏନି ।"

ସୁକନ୍ୟା ଆସିଯିବା ପରେ ମାଧବୀ ମାଉସୀ ସବୁଦିନ ଡ୍ରଇଂ ରୁମ୍ ରେ ଶୁଅନ୍ତି । "ମମି କାହିଁକି ମୋତେ ଏ ମାଉସୀଙ୍କ ବିଷୟରେ କହିନଥିଲ?", ସୁକନ୍ୟା ପଚାରିଲାରୁ ସ୍ନେହା କହିଲେ, "ମୁଁ ଆଉ କହିବାକୁ ସୁଯୋଗ କେତେବେଳେ ପାଇଲି ? ତୁ ତ ଯେତେବେଳେ ବି ଫୋନ୍ କଲେ ତୋ କଥା କହିସାରି ଦୀପୁ କଥା ପଚାରୁ । ସେତିକି କହିସାରିଲା ବେଳକୁ ଆଉ କ'ଣ ମାଧବୀ କଥା କହିବାକୁ ମୋର ମନେ ଥାଏ ?"

ସୁକନ୍ୟା ଘରେ ରହି ପଢ଼ାପଢି ଆରମ୍ଭ କରିଦେଲା । ସନ୍ଧ୍ୟାରେ ପାଖରେ ଥିବା ଗୋଟେ କୋଚିଂ ସେଣ୍ଟର୍ କୁ ଯାଏ ଅଭ୍ୟାସ କରିବା ପାଇଁ । ଦିନସାରା ଘରେ ରହି ପଢ଼େ । ବୋର୍ ଲାଗିଲେ ଅଳ୍ପ ସମୟ ପାଇଁ ଟିଭି ଦେଖେ । ତନ୍ମୟର ମୋବାଇଲକୁ ଫୋନ୍ କରି ଟିକେ ସମୟ କଥା ହେଇ ରଖିଦିଏ । ରୋଜିକୁ ମଧ୍ୟ ବେଳେବେଳେ ଫୋନ୍ ଲଗାଏ । ମାଧବୀ ରୋଷେଇ କରନ୍ତି, ସମସ୍ତଙ୍କ କପଡ଼ା ସଫାସଫି କରି ଶୁଖେଇ ଆଣି ସଜାଡ଼ି ରଖନ୍ତି । ତାଙ୍କ କାମ ସରିଲେ ସେ ତାଙ୍କ ଟିଣ ବାକ୍ସ ଭିତରୁ ବହି ବାହାର କରି ଆଣି ପଢି ବସନ୍ତି । ସେ ଯାହା ପଢ଼ନ୍ତି ତାହା ସମ୍ଭବତଃ ଯାତ୍ରା ପୂଜାରୁ କିଣା ହେଇଆସିଥିବା କାହାଣୀ ବହି ।

ସନ୍ଧ୍ୟାରେ କୋଚିଂକୁ ଗଲାବେଳେ ସୁକନ୍ୟା ଏକ୍ଲା ଯାଏ । ସେଠି ଏଯାଏଁ ତା'ର କେହି ସାଙ୍ଗ ହେଇନଥାନ୍ତି । ସେ ଚୁପଚାପ୍ ଯାଏ, ତା ଟାସ୍କ୍ ଶେଷ କରି ଫେରିଆସେ । କାହା ସହ ବେଶି ଗପସପ କରେନି । ଦିନେ ରାତି ପ୍ରାୟ ଆଠଟା ବେଳେ ଫେରିଲାବେଳେ ତାଙ୍କ କଲୋନୀର ଜଣେ ଭଦ୍ରବ୍ୟକ୍ତି ସୁକନ୍ୟାକୁ ଅଟକେଇଲେ ଓ ତାଙ୍କ ସ୍କୁଟର୍ ରେ ବସିବା ପାଇଁ କହିଲେ । ସୁକନ୍ୟା ପ୍ରଥମେ ମନା କରିଦେଲା ଓ ପରେ ସେ ବହୁତ ବାଧ୍ୟ କରିବାରୁ ତାଙ୍କ ପଛ ସିଟରେ ବସିଲା । ସେ ସୁକନ୍ୟାକୁ ଆଣି ଘରେ ଛାଡ଼ିଲେ । ସ୍ନେହା ତାଙ୍କୁ ଭିତରକୁ ଡାକିଲେ ଓ ମାଧବୀଙ୍କୁ ଚା' ବସେଇବାକୁ କହିଲେ । ଭଦ୍ରବ୍ୟକ୍ତି କହିଲେ ସେ ସୁକନ୍ୟାର ମାମୁଁ ପ୍ରମୋଦ ସାରଙ୍କୁ ଜାଣନ୍ତି । ତାଙ୍କ ପ୍ରକୃତ ଘର ସେଇଠି । ଏଠି ଚାକିରି କରୁଥିବାରୁ ସପରିବାରେ ଏଠାରେ ରହୁଛନ୍ତି । ଏଥର ପ୍ରିବୋର୍ଡ୍ ଟେଷ୍ଟରେ ସୁକନ୍ୟାର କ୍ଲାସରେ ସେକେଣ୍ଡ୍ ହେଇଥିବା ଭୂପେଶ୍ ତାଙ୍କ ପୁତୁରା । କ୍ଷୀରୋଦ୍ ବାବୁ (ଭୂପେଶ୍ ର କାକା) ଅଳ୍ପ ସମୟ କଥା ହୋଇ ସ୍ନେହା ଓ ସୁକନ୍ୟାକୁ ତାଙ୍କ ଘର ଆଡ଼େ ଯିବା ପାଇଁ ନିମନ୍ତ୍ରଣ କରି ଚାଲିଗଲେ ।

ସେବେଠାରୁ ସୁକନ୍ୟାକୁ ଯେତେବେଳେ କ୍ଷୀରୋଦ୍ ରାସ୍ତାରେ ଏକ୍ଲା ଆସୁଥିବା ଦେଖନ୍ତି ସ୍କୁଟର୍ ରେ ବସେଇ ନେଇ ଆସନ୍ତି । ସେହି କିଛିଦିନ ଭିତରେ କ୍ଷୀରୋଦ୍ ଙ୍କ ପତ୍ନୀ ପ୍ରତିମା ଆସିଥିଲେ ସ୍ନେହାଙ୍କୁ ତାଙ୍କ ପୁଅ ବିକେଶ୍ ର ଜନ୍ମଦିନ ପାଇଁ ନିମନ୍ତ୍ରଣ କରିବା ପାଇଁ । ସ୍ନେହା, ଦୀପୁ ଓ ସୁକନ୍ୟା ତିନିହେଁ ତାଙ୍କ ଘରକୁ ଯାଇଥିଲେ । କଲୋନୀର ଅନେକ ଲୋକଙ୍କ ସହ ସେଦିନ ସୁକନ୍ୟାର ଦେଖା ହେଇଥିଲା । ତା' ସମ ବୟସୀ କେତୋଟି ଝିଅଙ୍କ ସହ ସେ କଥାବାର୍ତ୍ତା କରି ଖୁସି ହେଇଥିଲା । ସେଦିନ ସେ ଜାଣିବାକୁ ପାଇଥିଲା କଲୋନୀରେ ବହୁତ ଲୋକ ତାକୁ ଜାଣିସାରିଲେଣି ସେ ଜଣେ ଭଲ ଷ୍ଟୁଡେଣ୍ଟ୍ ବୋଲି ।

କ୍ଷୀରୋଦ୍ ଅଙ୍କଲ୍ ଙ୍କ ପୁଅ ବିକେଶ୍ ପାଖ କଲେଜରେ ପ୍ଲସ୍ ଟୁ ପଢ଼େ । ସେ ଭୂପେଶ୍ ଭଳି ଏତେ ଭଲ ପଢ଼େନି । ସେହି ଜନ୍ମଦିନ ପରେ ସୁକନ୍ୟା ଥରେ ଦୁଇଥର ତାଙ୍କ ଘରକୁ ଯାଇଛି ସ୍ନେହାଙ୍କ ସହ । ଯେବେ ବି ସେମାନେ ତାଙ୍କ ଘରକୁ ଯାଆନ୍ତି, ପ୍ରତିମା ଆଣ୍ଟି ତାଙ୍କ ପାଖରେ ଭୂପେଶ୍ ଓ ତା' ମାଆ ମିନାକ୍ଷୀ ଦିଦିଙ୍କ ବିରୁଦ୍ଧରେ ଗପନ୍ତି । ସେ କହନ୍ତି, "ଭୂପେଶ୍ ଘୋଷା ପିଲା । ଘୋଷି ଘୋଷି ଏତେ ବାଟ ଆସିଛି । ତା' ବଡ଼ ଭାଇ ରାକେଶ୍ ଟା ଗୋଟେ ନିହାତି ବାଜେ ଧରଣର ପିଲା । ମିନାକ୍ଷୀ ନାନୀଙ୍କ ଚରିତ୍ରଟା ବି ଭଲ ନୁହେଁ ।" ତାଙ୍କରି ପାଖରୁ ସୁକନ୍ୟା ଜାଣିବାକୁ ପାଇଥିଲା ଯେ ଭୂପେଶ୍ ର ବାପା ନାହାଁନ୍ତି । କେଉଁଆଡେ ଚାଲିଯାଇଛନ୍ତି । ତାଙ୍କ ମୁଣ୍ଡ ଖରାପ ହେଇଯାଇଥିଲା । ଔଷଧ ଖାଉଥିଲେ । ଦିନେ ସମସ୍ତେ ଘରେ ଶୋଇଥିବାବେଳେ ସେ ରାତିରୁ ଉଠି କେଉଁଆଡ଼େ ଚାଲିଗଲେ । ବହୁତ ଖୋଜାହେଲା । କିନ୍ତୁ ସେ ମିଳିଲେନି । ଆଠବର୍ଷ ହେଇଗଲାଣି, ସେ ନିଖୋଜ୍ ଅଛନ୍ତି । ପ୍ରତିମା ଆଣ୍ଟି କହୁଥିଲେ ଭୂପେଶର ବାପା କୁଆଡ଼େ ତା'ର ମାଆଙ୍କୁ କାହା ସହ ଅଶ୍ଲୀଳ ଅବସ୍ଥାରେ ଦେଖିଦେଇଥିଲେ । ଏସବୁ କଥା ଶୁଣି ସ୍ନେହା ପ୍ରତିମାଙ୍କ ଉପରେ ମନେ ମନେ ବିରକ୍ତ ହେଇଥିଲେ ଓ ଘରକୁ ଆସି ସୁକନ୍ୟାକୁ କହିଥିଲେ, "ସେ ବାଜେ ସ୍ତ୍ରୀଲୋକ ପ୍ରତିମା ପାଖକୁ ତୁ ଆଉ ଯିବୁନି । ସେ ଡାକିଲେ କହିଦେବୁ ତୋର ପଢିବାକୁ ଅଛି । ସେ ଭଲଲୋକ ନୁହେଁ । ଯେତେ ସବୁ ଫାଲତୁ କଥା ତା' ମୁଣ୍ଡରେ ଅଛି ।"

ସୁକନ୍ୟାକୁ ସେ ପ୍ରତିମା ଆଣ୍ଟି ବିଲକୁଲ୍ ପସନ୍ଦ ଲାଗନ୍ତିନି । କିନ୍ତୁ ତାକୁ ଭଲଲାଗେ ସେ ଯେତେବେଳେ କହନ୍ତି, "ଭୂପେଶ୍ ଗୋଟେ ଘୋଷା ପିଲା।" ସେଥିପାଇଁ ସେ ସେହିକଥା ଶୁଣିବାକୁ ବେଳେବେଳେ ଚାଲିଯାଏ ତାଙ୍କ ଘର ଆଡ଼େ । ଭୂପେଶ୍ ଓ ତା' ଘର ବିରୁଦ୍ଧରେ ପଦେ ଅଧେ କଥା ଶୁଣି ଫେରିଆସେ । ପ୍ରତିମା ସୁକନ୍ୟାକୁ କହନ୍ତି, "ତୁ ଭଲ କରି ଖୁବ୍ ମନଦେଇ ପାଠ ପଢ୍ । ନହେଲେ ସେ ଘୋଷା ବଳଦ ଭୂପେଶ୍ ଘୋଷା ଘୋଷି କରି ତୋ ଠୁ ଆଗେଇ ଯିବ ।"

ଦଶଟା ପୂର୍ବରୁ ଦୀପୁ ଓ ସ୍ନେହା ଘରୁ ବାହାରି ଯାଆନ୍ତି । ମାଧବୀ ମାଉସୀ ଲୁଗାପଟା ସଫାସଫି କରନ୍ତି ଓ ରୋଷେଇ ବସାନ୍ତି । ସୁକନ୍ୟା ସେହି ସମୟରେ ତନ୍ମୟକୁ ଫୋନ୍ ଲଗାଏ । ବେଳେବେଳେ ତନ୍ମୟ କ୍ଲାସରେ ଥାଏ । କଥା ହେଇପାରେନି । ଗୋଟାଏ ବେଳକୁ ଫୋନ୍ କରିବ କହି ଫୋନ୍ ରଖିଦିଏ । ସୁକନ୍ୟା ପଢି ବସେ । ବୋର୍ ଲାଗିଲେ ଟିଭି ଖୋଲେ ନହେଲେ ମାଧବୀଙ୍କ ପାଖକୁ ରୋଷେଇ ଘରକୁ ଯାଇ ଦେଖେ ସେ କ'ଣ କରୁଛନ୍ତି ।

ସୁକନ୍ୟାର ଘରକୁ ଆସିବାର ଦୁଇମାସ ହେଇଯାଇଥିଲା । ମାଟ୍ରିକ୍ ପରୀକ୍ଷା ଆଉ ମାତ୍ର ମାସଟିଏ ଥାଏ । ସୁକନ୍ୟା ଆଉ ଏତେଟା ପ୍ରତିମାଙ୍କ ଘର ଆଡ଼େ ଯାଏନି । ସ୍ନେହା ମଧ୍ୟ ମାଧବୀଙ୍କୁ ତାଗିଦ୍ କରି କହିଥାନ୍ତି ସୁକନ୍ୟା ଉପରେ ଟିକେ ଆଖି ରଖିବା ପାଇଁ । ସେଦିନ ରବିବାର ଥିଲା । ସ୍ନେହା ସକାଳୁ ମାର୍କେଟ୍ ଯାଇଥିଲେ । ଦୀପୁ ଘରେ ଥିଲା । ଟେଲିଫୋନ୍ ବାଜିଉଠିଲା । ସୁକନ୍ୟା ଫୋନ୍ ଉଠେଇବାକୁ ଯିବା ଆଗରୁ ଦୀପୁ ରିସିଭ୍ କରିନେଲା । ସେପଟୁ ଫୋନରେ ଥିଲା ତନ୍ମୟ । ଦୀପୁର ସ୍ୱର ଶୁଣି ତନ୍ମୟ ଫୋନ୍ କାଟିଦେଲା । କିଛି ସମୟ ଛାଡ଼ି ପୁଣି ଫୋନ୍ କଲା । ଏଥର ଫୋନ୍ ଧରିଲା ସୁକନ୍ୟା । ତନ୍ମୟ ତାକୁ ପଚାରିଲା, "ଫୋନ୍ କିଏ ଉଠେଇଥିଲା? " -- ମୋ ସାନ ଭାଇ, ଦୀପୁ । -- ଓହଃ, ମୋ ଶଳା । -- ଶଳା ନା ଆଉ କିଛି !

ସୁକନ୍ୟା ଠାରରେ ଠାରରେ ତନ୍ମୟ ସହ ଅଳ୍ପ କଥା ହେଇ ଫୋନ୍ ରଖିଦେଲା, କିନ୍ତୁ ସେହି 'ଶଳା' କଥାଟା ତା' ମନରୁ ଯାଉନଥିଲା । ସେ ଏମିତି ଗୋଟେ ସ୍ୱପ୍ନବିଳାସୀ ବୟସରେ ଥିଲା ଯେ ସାମାନ୍ୟ ସାମାନ୍ୟ କଥା ତା' ଆଖିରେ ବଡ଼ ବଡ଼ ସ୍ୱପ୍ନର ଅଞ୍ଜନ ବୋଳି ଦେଉଥିଲା । ସେ ଭାବିବାକୁ ଲାଗୁଥିଲା, ସେ ବଡ଼ ହେଇଯାଇଛି, ତନ୍ମୟକୁ ବାହା ହେଇଛି, ଶାଢି ପିନ୍ଧି ଖୁବ୍ ସୁନ୍ଦରୀ ଦିଶୁଛି ଓ ଏମିତି ଆହୁରି ଅନେକ କିଛି ।

ସ୍ନେହା ଘରକୁ ଫେରିଲା ପରେ ପରେ ପ୍ରତିମା ଗୋଟେ ଛୋଟ ଝିଅକୁ ପଠେଇ ଥିଲେ ସୁକନ୍ୟାକୁ ତାଙ୍କ ଘରକୁ ଡାକିନେବା ପାଇଁ । ସ୍ନେହା ସେ ଝିଅକୁ ମନାକରି ଫେରେଇଦେଲେ । ସୁକନ୍ୟାର ଦେହ ଭଲନାହିଁ କହି ତାକୁ ସଙ୍ଗେ ସଙ୍ଗେ ବିଦା କରିଦେଲେ । ସୁକନ୍ୟା ବୁଝିପାରୁନଥିଲା ପ୍ରତିମା ଆଣ୍ଟି କାହଁକି ତାକୁ ବାରମ୍ବାର ଡକାଇ ପଠାଉଛନ୍ତି । ସେଦିନ ସନ୍ଧ୍ୟାରେ ସେ କୋଚିଂରୁ ଶୀଘ୍ର ଫେରିଆସିଥିଲା । ଘରକୁ ନଯାଇ ସିଧା ଯାଇଥିଲା ପ୍ରତିମାଙ୍କ ଘରକୁ । ତାଙ୍କ ଘର ବାରଣ୍ଡାରେ ପ୍ରତିମାଙ୍କ ପୁଅ ବିକି ଗୋଟେ ମାଗାଜିନ୍ ଧରି ବସିଥିଲା । ସୁକନ୍ୟା ପ୍ରତିମାଙ୍କୁ ଯାଇ କିଚେନ୍ ରେ ଦେଖା କଲା । ପ୍ରତିମା ତାକୁ ସଙ୍ଗେ ସଙ୍ଗେ ତାଙ୍କ ବେଡ୍ ରୁମ୍ କୁ ଟାଣିନେଲେ । ଭିତରୁ କବାଟ ବନ୍ଦ୍ କରି ଆଲମିରା ଥାକରୁ ଗୋଟେ ଫୋଟୋ କାଢ଼ି ସୁକନ୍ୟାକୁ ଦେଖେଇଲେ ।

"ଦେଖିଲୁ, ଏ ଝିଅକୁ ତୁ ଚିହ୍ନିଛୁ କି ? ତୁମକୁ ସେ କୋଚିଂ ସେଣ୍ଟରରେ ପଢ଼ାଏ କି ?", ପ୍ରତିମା ବ୍ୟସ୍ତ ହେଇ ସୁକନ୍ୟାକୁ ପଚାରିଲେ ।

ଗୋରୀ, ତନୁପାତଳୀ ଓ ବଡ଼ ବଡ଼ ଆଖି ଥିବା ଏ ଝିଅଟି ସୁକନ୍ୟାଙ୍କ କୋଚିଂ ସେଣ୍ଟର୍ ର ରିସେପ୍ସନରେ ବସେ । ଝିଅଟିର ମୁହଁଟି ଯେମିତି ଗୋଲ୍ ଗାଲ୍, ଚିକ୍କଣ ଓ ସୁନ୍ଦର, ତା'ର କଥାଗୁଡ଼ିକ ମଧ୍ୟ ସେମିତି ଖୁବ୍ ମାର୍ଜିତ ଓ ମଧୁର । ଯାହାକୁ ବି ଦେଖନ୍ତି ସେ ପ୍ରଥମେ ସୁନ୍ଦର ହସଟିଏ ଓଠରେ ଖେଳେଇ ଦିଅନ୍ତି । ତାଙ୍କୁ ଦେଖିଦେଲେ ସୁକନ୍ୟାକୁ ଭାରି ଭଲଲାଗେ । ତାଙ୍କ ନାଁ ଗୀତାଞ୍ଜଳି । କୋଚିଂରେ ସମସ୍ତେ ତାଙ୍କୁ ଗୀତୁଦିଦି ଡାକନ୍ତି । ସୁକନ୍ୟା ସେହି କଥା ପ୍ରତିମାଙ୍କୁ କହିଲା । ପ୍ରତିମା ଆସ୍ତେ ଆସ୍ତେ କରି ସୁକନ୍ୟାକୁ ପଚାରିଲେ, "ଏ ଝିଅ କୋଉଠି ରହେ ଆଉ ତାଙ୍କ ଘରେ କିଏ କିଏ ଅଛନ୍ତି କିଛି ଜାଣିଛୁ କି ?"

-- ନାଇଁ ଆଣ୍ଟି ତାଙ୍କ ବିଷୟରେ ମୁଁ କିଛି ଜାଣେନି ।

-- ଆଉ କିଏ ଜାଣିଥିବ ?

-- ସମସ୍ତେ ଜାଣିଥିବେ । ମୁଁ ତ ଏଇ ଅଳ୍ପଦିନ ହେଲା ଯାଉଛି । ମୁଁ ସେଠି ପରମାନେଣ୍ଟ୍ ଷ୍ଟୁଡେଣ୍ଟ୍ ବି ନୁହେଁ । କେବଳ ପ୍ରାକ୍ଟିସ୍ ପାଇଁ ଯାଉଛି ।

-- ତୋ ସାଙ୍ଗମାନଙ୍କୁ ପଚାରିଲେ ସେମାନେ କହିପାରିବେନି ?

-- ମୋର ତ ଏଠି କେହି ସେମିତି ସାଙ୍ଗ ନାହାଁନ୍ତି । ତଥାପି ଚେଷ୍ଟା କଲେ ତାଙ୍କ ବିଷୟରେ ଜାଣିହେବ ।

-- ତୁ ଟିକେ ବୁଝୁ ତ ମାଆ । ପ୍ଲିଜ୍ ଟିକେ ଶୀଘ୍ର ବୁଝିକି କହ ମୋତେ । ଆଉ କାହାକୁ ପଚାରିବାକୁ ମୋତେ ଖରାପ ଲାଗିଲା । ଭାବିଲି ସୁକନ୍ୟା ତ ମୋର ନିଜର ଝିଅଟା, ତାକୁ ପଚାରିଲେ ଠିକ୍ ହେବ । ତୁ ଖାଲି ଟିକେ ବୁଝିକି କହ ସେ କୋଉଠି ରହେ । ଏତିକି ଟିକେ କରିଦେ ମୋ ମାଆଟା ।

ସୁକନ୍ୟା ପ୍ରଥମ କରି ଦେଖୁଥିଲା ପ୍ରତିମା ଆଣ୍ଟିଙ୍କ ଆଖିରେ ଅସହାୟ ଭାବ ଓ ସ୍ୱରରେ ବିକଳପଣ ।

"ଆଣ୍ଟି କାହଁକି ଗୀତୁଦିଦିଙ୍କ ବିଷୟରେ ଜାଣିବାକୁ ଚାହୁଁଛନ୍ତି ?", ଘରକୁ ଆସି ସୁକନ୍ୟା ବହୁତ ଭାବିଲା ସେ ବିଷୟରେ । ସ୍ନେହା ପ୍ରତିମାଙ୍କ ଉପରେ ଚିଡନ୍ତି ବୋଲି ତାଙ୍କୁ ସେ କିଛି କହିଲାନାହିଁ । ତାକୁ ଲାଗିଲା ବିକି ବୋଧେ ଗୀତୁଦିଦିଙ୍କୁ ଭଲ ପାଉଛି, ସେଥିପାଇଁ ଆଣ୍ଟି ବ୍ୟସ୍ତ ହେଇପଡିଛନ୍ତି । କାରଣ ଗୀତୁଦିଦି ବିକିଠାରୁ ବୟସରେ ବଡ଼ ହେବେ ।

କୋଚିଂ ସେଣ୍ଟରରେ ପରୀକ୍ଷା ହେବାରେ ଥିଲା । ସବୁଦିନ ଗୋଟେ ଗୋଟେ ବିଷୟର ପରୀକ୍ଷା । ପୂରା ନଅଦିନର ପରୀକ୍ଷା । ପଢ଼ାପଢି ଓ ପରୀକ୍ଷା ଦେବାକୁ ଯିବାରେ ସୁକନ୍ୟା ବ୍ୟସ୍ତ ହେଇଯାଇଥିଲା । ପ୍ରତିମାଙ୍କ କଥା ସେ ଭୁଲି ଯାଇଥିଲା । ଶେଷ ଦିନ ଭୂଗୋଳ ପରୀକ୍ଷା ଥିଲା । ଦିନ ଏଗାରଟାରୁ ଗୋଟାଏ ପର୍ଯ୍ୟନ୍ତ ସେ ପରୀକ୍ଷା ଦେଇସାରି କୋଚିଂ ସେଣ୍ଟରରୁ ବାହାରୁଥିଲା ଗେଟ୍ ପାଖରେ ଦେଖିଲା କ୍ଷୀରୋଦ୍ ଅଙ୍କଲ୍ ଗୀତୁଦିଦିଙ୍କୁ ସ୍କୁଟରରେ ବସେଇ ମାର୍କେଟ୍ ରାସ୍ତା ଆଡ଼କୁ ନେଇଗଲେ । ଝିଅଟିଏ ସୁକନ୍ୟା ସାଙ୍ଗରେ କୋଚିଂରୁ ବାହାରି ଗେଟ୍ ଆଡ଼କୁ ଆସୁଥିଲା । ସୁକନ୍ୟା ପିଙ୍କିକୁ ଗୀତୁ ଆଉ କ୍ଷୀରୋଦଙ୍କୁ ସ୍କୁଟରରେ ଯାଉଥିବାର ଦେଖେଇଲା । ପିଙ୍କି ପ୍ରଥମେ ଟିକେ ମୁରୁକି ହସିଲା ଓ ପରେ କହିଲା, "ତୁମେ ତ ଆଗରୁ ନଥିଲ, ଗୀତୁଦିଦିଙ୍କୁ ଭଲକରି ଜାଣିନ । ଆଗରୁ ସେ ରଂଜିତ ସାରଙ୍କ ସାଙ୍ଗରେ ବୁଲୁଥିଲେ । ଆମେ ଭାବିଥିଲୁ ରଞ୍ଜିତ୍ ସାର୍ ଗୀତୁଦିଙ୍କୁ ବାହା ହେବେ । କିନ୍ତୁ ରଂଜିତ ସାର୍ ନିଲୁ ମାଡାମଙ୍କୁ ବାହାହେବା ପରେ ଗୀତୁଦି କିଛିଦିନ ପାଇଁ କୋଚିଂ ଆସିବା ଛାଡ଼ିଦେଇଥିଲେ । ଏବେ ପୁଣି ଜଏନ୍ କରିଛନ୍ତି ଆଉ ଏଇ ବୁଢ଼ା ସହ ଛୁଟି ପରେ ସ୍କୁଟରରେ ବସି ବୁଲୁଛନ୍ତି । ଏ ବୁଢ଼ା କାଳେ ତାଙ୍କ ନୂଆ ବୟଫ୍ରେଣ୍ଡ୍", ପିଙ୍କି ପୁଣି ଚାପି ଚାପି ହସିଲା ।

-- କିନ୍ତୁ କାହଁକି ପିଙ୍କି ? ସିଏ ତ ଏତେ ବିୟୁଟିଫୁଲ୍ ଆଉ ୟଙ୍ଗ୍ ଅଛନ୍ତି, ଏମିତି ବୁଢା ସହ କାହଁକି ବୁଲୁଛନ୍ତି ?

-- ଏ ବୁଢ଼ା ପାଖରେ ବହୁତ ଟଙ୍କା ଅଛି । ଗୀତୁଦିଙ୍କ ବାପାଙ୍କର କ'ଣ ଗୋଟେ ରୋଗ ହେଇଛି । ସେମାନଙ୍କର ଘର ଚଳିବାକୁ ଭାରି ଅସୁବିଧା ହେଉଛି । ଏ ବୁଢ଼ା ତାଙ୍କ ଫ୍ୟାମିଲିକୁ ଚଳାଉଛି । ଇଏ ଗୀତୁଦିଙ୍କୁ ବାହା ବି ହେବ ।

-- ହେ, ପାଗଳ ନା କ'ଣ ? ଏ ଅଙ୍କଲଙ୍କୁ ମୁଁ ଜାଣେ । ୟାଙ୍କର ସ୍ତ୍ରୀ ଅଛି, ଫ୍ୟାମିଲି ଅଛି । ଇଏ ବାହା ହେବେନି ।

-- ନା ନା ହେବେ । ତୁମେ ଜାଣିନ ବୋଧେ, ତାଙ୍କ ସ୍ତ୍ରୀଙ୍କ କଥା ।

-- କି କଥା ?

-- ଆମେ ଶୁଣିଥିଲୁ ତାଙ୍କର କିଛି ଗୋଟେ ବେମାରୀ ଅଛି ।

-- ବେକାର କଥା, ସେ ଭଲ ଅଛନ୍ତି ।

-- ହଁ ଛାଡ଼ ତାଙ୍କ କଥା । ଆମର ସେଥିରୁ କ'ଣ ଯାଉଛି ?

-- ହଁ ଛାଡ଼ । ଆଚ୍ଛା ଏ ଗୀତୁଦି ରହନ୍ତି କୋଉଠି ?

-- ଏଇ ଟାଉନରେ । ୱେମେନ୍ସ୍ କଲେଜ୍ ଗଳିରେ ଗୋଟେ ଘର ଭଡ଼ାନେଇ ରହୁଛନ୍ତି । ଆଗରୁ କଚେରୀ ବଜାର ଆଡ଼େ ରହୁଥିଲେ ।

-- ଆଉ ତାଙ୍କ ବାପାମାଆ ?

-- ସେମାନେ ବୋଧେ ତାଙ୍କ ଗାଁରେ ରହନ୍ତି । ଏଠି ଇଏ ଏକ୍ଲା ରହନ୍ତି ।

ସୁକନ୍ୟା ଓ ପିଙ୍କି କଥା ହେଉ ହେଉ କୋଚିଂ ସେଣ୍ଟରର ଇଂଲିଶ୍ ଟିଚର୍ ଆସିଗଲେ । ସେ ସୁକନ୍ୟାକୁ କହିଲେ, "କାହାକୁ ଅପେକ୍ଷା କରିଛ କି ? ବାପା ଆସିବେ ନେବା ପାଇଁ ?"

ସୁକନ୍ୟା କହିଲା, "ନାଇଁ ସାର୍ ମୁଁ ଚାଲିକରି ପଳେଇବି" । ସୁକନ୍ୟା ସେଇଠୁ ପିଙ୍କିକୁ 'ବାୟ' କହି ଘର ଆଡ଼େ ମୁହାଁଇଲା ।

ଘରକୁ ଆସି ସୁକନ୍ୟା ଗୀତୁଦିଦି ଓ କ୍ଷୀରୋଦ ଅଙ୍କଲ୍ ଙ୍କ କଥା ଭାବୁଥିଲା । ପ୍ରତିମା ଆଣ୍ଟିଙ୍କୁ ଏସବୁ କହିବା ଉଚିତ୍ ହେବ କି ନାହିଁ ଚିନ୍ତା କଲା । ସେଦିନ ସନ୍ଧ୍ୟାରେ କୋଚିଂ ବନ୍ଦ୍ ଥିଲା । ସୁକନ୍ୟା ସେଦିନ ପ୍ରତିମାଙ୍କ ଘରକୁ ଯିବାକୁ ଚାହୁଁଥିଲା । କିନ୍ତୁ ସ୍ନେହା ସେଦିନ ସୁକନ୍ୟାକୁ କହିଲେ ରାତିରେ ଦୀପୁକୁ ଗଣିତ ବୁଝେଇଦେବା ପାଇଁ । ସେ ସେଦିନ ଆଉ ଯାଇପାରିଲାନି । ପରଦିନ ଶନିବାର ଥିଲା । ସ୍ନେହା ଅଫିସ୍ ବାହାରିଯିବା ପରେ ସୁକନ୍ୟା ମାଧବୀଙ୍କୁ କହି ପ୍ରତିମାଙ୍କ ଘର ଆଡ଼େ ଗଲା । ପ୍ରତିମାଙ୍କ ଘର ମୁଖ୍ୟ ଦରଜା ଖୋଲାଥିଲା । ସୁକନ୍ୟା ଆଉ କଲିଂ ବେଲ୍ ନଟିପି ଭିତରକୁ ପଶିଗଲା । ବିକିର ରୁମ୍ ରୁ ପାଟି ଶୁଭୁଥିଲା । ବିକି ତା ମାଆଙ୍କ ପାଖରେ କାନ୍ଦୁଥିଲା ଆଉ ପ୍ରତିମା ତା' ଆଖିର ଲୁହକୁ ଲୁଗାକାନିରେ ପୋଛି ପକେଇ ତାକୁ ନକାନ୍ଦିବାକୁ ବୁଝାଉଥିଲେ । ସୁକନ୍ୟା ସେମାନଙ୍କୁ କନ୍ଦାକଟା କରୁଥିବାର ଦେଖି ପଳାଇ ଆସୁଥିଲା ପ୍ରତିମା ତାକୁ ଅଟକେଇ କହିଲେ, "ଆସେ ରେ ମାଆ । ଭିତରକୁ ଆସେ ।" ବିକି କିନ୍ତୁ କାନ୍ଦୁରା ସ୍ୱରରେ କହିଲା, "ନାଇଁ ନାଇଁ ସୁକନ୍ୟା ତୁମେ ଏବେ ଯାଅ । ପରେ ଆସିବ।" ସୁକନ୍ୟାକୁ ଖରାପ ଲାଗିଲା । ସେ ସେଠାରୁ ପଳେଇ ଆସିଲା ।

ରବିବାର ଦିନ ଦିନବେଳା ସୁକନ୍ୟା ସ୍ନେହାଙ୍କ ସହ ମାର୍କେଟ୍ ଗଲା । ସନ୍ଧ୍ୟାରେ କୋଚିଂ । ରାତିରେ ପୁଣି ପଢ଼ାପଢି । ସେ ଆଉ ପ୍ରତିମାଙ୍କ ଘର ଆଡ଼େ ଯାଇନି । ଏମିତିରେ ତା'ର ମଧ୍ୟ ଆଉ ଯିବାକୁ ଇଚ୍ଛା ହେଲାନାହିଁ । ସେ ଭାବିଲା, "ଆଣ୍ଟି ନିଶ୍ଚୟ ସବୁ ଜାଣିଥିବେ । ମୋର କହିବା କିଛି ଦର୍କାର ନାହିଁ ।"

ସୋମବାର ଦିନ ଭୋରୁ ମାଧବୀ ବାହାରକୁ ଫୁଲ ତୋଳିବାକୁ ଯାଇ ଫେରିଆସି ସ୍ନେହାଙ୍କୁ ଉଠେଇ କ'ଣ ଗୋଟେ କହିଲେ । ସ୍ନେହା ଉଠିଆସି ଦାଣ୍ଡଘରେ ବସିଲେ । କବାଟ ଖଟଖାଟ୍ ଶବ୍ଦରେ ସୁକନ୍ୟାର ନିଦ ଭାଙ୍ଗିଗଲା । ସେ ମଧ୍ୟ ବିଛଣାରୁ ଉଠି ଆସିଲା । ବାହାରେ କିଛି ଲୋକଙ୍କ ପାଟିଗୋଳ ଶୁଭୁଥିଲା । ଡ୍ରଇଂରୁମ୍ ରେ ସ୍ନେହା ମୁଣ୍ଡରେ ହାତ ଦେଇ ବସିଥିଲେ । ମାଧବୀ କବାଟ ଖୋଲିବାକୁ ଯାଉଥିଲେ ସ୍ନେହା ତାଙ୍କୁ ଅଟକେଇ ଦେଇ କହିଲେ, "ନା ନା ଏବେ ଖୋଲନି । ଦୀପୁ ଏକ୍ଲା ଶୋଇଛି, ଶବ୍ଦ ଶୁଣି ଉଠିପଡ଼ିବ।"

ସୁକନ୍ୟା କିଛି ବୁଝିନପାରି ମମିଙ୍କୁ ପଚାରିଲା ସେମାନେ ଏମିତି କାହଁକି ବସିଛନ୍ତି । ମାଧବୀ କିଛି କହି ଆସୁଥିଲେ ସ୍ନେହା ତାଙ୍କୁ ଠାରି ଦେବାରୁ ସେ ଚୁପ୍ ହେଇଗଲେ । ସୁକନ୍ୟା ପୁଣିଥରେ ପଚାରିବାରୁ ସ୍ନେହା କହିଲେ, "ଚାଲ୍ ତୋ ରୁମ୍ କୁ । ମୁଁ ବି ଆଉ ଟିକେ ଶୋଇପଡିବି ତୋ ପାଖରେ । ମାଧବୀ ମାଉସୀ ଦୀପୁକୁ ଜଗିଥାନ୍ତୁ । ପୂରା ଫର୍ଚ୍ଚା ହେଇଯାଉ ଉଠିବା ।"

କ୍ରମଶଃ... ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୧୩)