ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୧୩)

ନୂଆ ପ୍ରଜନ୍ମର କଥାକାର ଲୋପାମୁଦ୍ରା ମିଶ୍ରଙ୍କ ଉପନ୍ୟାସ "ଚିତ୍ରଲିପି" ଧାରାବାହିକ ଭାବେ ପ୍ରକାଶ ପାଉଛି । ପ୍ରତିଦିନ ଏହି ଉପନ୍ୟାସର ଏକ ଏକ ଅଧ୍ୟାୟ ଆପଣମାନେ "ବାଟୋଇ"ରେ ପଢୁଛନ୍ତି ।


(ପୂର୍ବ ପ୍ରକାଶିତ ଉତ୍ତାରୁ)

ବହିର ଡାଏଗ୍ରାମ୍ ଟି ଦେଖି ସୁକନ୍ୟାକୁ ଭୟ ଲାଗିଲା । ପୁପୁନର ଖାତା ଉପରେ ଲେଖାହେଇଥିଲା 'ମେଲ୍ ରିପ୍ରଡକ୍ଟିଭ୍ ସିଷ୍ଟମ୍ ' । ସୁକନ୍ୟା ଚିତ୍ର ଆଙ୍କିବାକୁ ପେନସିଲ୍ ଧରିଛି ପୁପୁନ୍ ତାକୁ ଅଟକାଇ ଦେଇ କହିଲା, "ଆରେ ନଦେଖି କେମିତି ଆଙ୍କୁଛୁ ? ଦେଖିବୁନି ସତ ସତିକା କେମିତି ଦିଶେ ? କବାଟ ବନ୍ଦ୍ କରିବି ?"

ସୁକନ୍ୟା ରାଗରେ ଲାଲ୍ ପଡ଼ିଗଲା । ଘୃଣାରେ ଆଖି ବଡ଼ କରି ଦେଖିଲା ପୁପୁନ୍ କୁ । ପୁପୁନ୍ ଖୁବ୍ ଜୋରରେ ହସିଲା ଆଉ ହସି ହସି କହିଲା, "ଆରେ ମୁଁ ଥଟ୍ଟା କରୁଥିଲି ନା ! ତୁ ସତ ଭାବିଦେଲୁ କି ? ହେତ୍, ଏ ପାଠ ଆମର ସରିଲାଣି ଆର ବର୍ଷରୁ । ଏବେ ତ ମୋର ଫାଇନାଲ୍ ଇୟର୍ ପରୀକ୍ଷା ଅଛି । ନେ ଏଇ ପ୍ରାକ୍ଟିକାଲ୍ ରେକର୍ଡ୍ ଖାତାଟା ରଖ, ମୋର ଏସବୁ ଯେଉଁ ପେପର୍ ଅଛି, ଏହି ପେପେରରେ ସେହି ଖାତାରୁ କ୍ରମାନୁସାରେ ଚିତ୍ର ଗୁଡ଼ାକ ଆଙ୍କିପକା । ଯେମିତି ଅଛି ସେମିତି ଆଙ୍କିବୁ । ବେଶି ଟାଇମ୍ ଲାଗିବନି ମ, ଏଇ ସନ୍ଧ୍ୟା ଭିତରେ ସରିଯିବ । ମୁଁ ଯାଉଛି ପଢ଼ିବି । ତୁ ବସିକି ଡାଏଗ୍ରାମ୍ କର୍ ।"

ଡାଏଗ୍ରାମ୍ ସରୁନଥିଲା, ସୁକନ୍ୟାକୁ ଓଡ଼ିଆ ପଢ଼ିବାର ଥିଲା । ସେ କାନ୍ଦ କାନ୍ଦ ହେଇଯାଉଥିଲା । ସେତିକି ବେଳେ ରିଙ୍କୁନ୍ ଉପରକୁ ଆସିଲା, ଦେଖିଲା ସୁକନ୍ୟା ଜୁଲୋଜି ପ୍ରାକ୍ଟିକାଲ୍ ଖାତାରେ ବିଭିନ୍ନ ପ୍ରକାର ପ୍ଲାସେଣ୍ଟାର ଚିତ୍ର ଆଙ୍କୁଛି ।

-- ସୁକନ୍ ତୁ ଏ କ'ଣ କରୁଛୁ ?

-- ପୁପୁନ୍ ଭାଇ କହିଛି ଏତିକି ସବୁ ସାରିବା ପାଇଁ । ମୁଁ ସ୍କୁଲ୍ ନଯାଇ ଘରେ ରହିଛି କ'ଣ ପାଇଁ କହିଲ ? ଏଇଥିପାଇଁ ? ମୁଁ ମୋ ନିଜ ପାଠ କିଛି ବି ପଢିନି ରିଙ୍କୁ ଭାଇ ।

-- ରହ ବାପା ଆସନ୍ତୁ ମୁଁ କହୁଛି ।

-- ମାମୁଁ ତ ସନ୍ଧ୍ୟାରେ ଆସିବେ, ସେତେବେଳକୁ ମୋର ଏସବୁ ଚିତ୍ର ଅଙ୍କା ସରିବଣି ।

-- ହଉ ତାହେଲେ ରହ, ମୁଁ ତୋ ସହ ମିଶି ଦୁଇଟା ଚିତ୍ର ଆଙ୍କି ଦେଉଛି ।

ସନ୍ଧ୍ୟା ପୂର୍ବରୁ ଘରକୁ ଫେରି ପ୍ରମୋଦ୍ ଦେଖିଲେ ସୁକନ୍ୟା ଓ ରିଙ୍କୁନ୍ ଜୁଲୋଜି ପ୍ରାକ୍ଟିକାଲ୍ ରେକର୍ଡ୍ ଖାତାରେ ଡାଏଗ୍ରାମ୍ କରୁଛନ୍ତି । ସେ ରାଗିଗଲେ ରିଙ୍କୁନ୍ ଉପରେ । ଖୁବ୍ ବଡ଼ ପାଟିରେ କହିଲେ, "ତା'ର ତ' ସବୁ ପାଠ ପ୍ରାୟ ସରିଲାଣି । ଆଜି ବି ପରୀକ୍ଷା ଦେଲେ ସେ ପଞ୍ଚାଅଶୀ ଶତକଡାରୁ ଅଧିକ ନମ୍ବର୍ ଆଣିବ । ସେଥିପାଇଁ ସେ ବସିକରି ତୋ ଭାଇର ଖାତାରେ ଚିତ୍ର ଆଙ୍କୁଛି । ତୁ ମୂର୍ଖ କୋଉ ଖୁସିରେ ବସି ପ୍ଲସ୍ ଥ୍ରୀ ବହିର ଚିତ୍ର ଆଙ୍କୁଛୁ ? ଯାଆ, ନିଜ ପାଠ ପଢ । ପ୍ଲସ୍ ଟୁ ଟା ଆଗ ପାସ୍ କର୍, ତାପରେ ଅନ୍ୟକୁ ସାହାଯ୍ୟ କରିବୁ । ଜଲ୍ଦି ଯାଆ ।"

ରିଙ୍କୁନକୁ ଗାଳି କରି ପ୍ରମୋଦ ପଳେଇଲେ । ସୁକନ୍ୟାକୁ ତା'ର ପ୍ରମୋଦ୍ ମାମୁଁ କିଛି ହେଲେ କହିଲେ ନାହିଁ । ସେଦିନ ପ୍ରଥମ କରି ମାମୁଁଙ୍କ ଉପରେ ସୁକନ୍ୟାର ଖୁବ୍ ରାଗ ଆସିଲା ।

ପ୍ରିବୋର୍ଡ୍ ପରୀକ୍ଷା ସରିଗଲା । ସୁକନ୍ୟାର ସବୁ ପେପର୍ ଭଲ ହେଇଥିଲା । ପରୀକ୍ଷା ପରେ ସ୍କୁଲ୍ ବନ୍ଦ । କେବଳ ଏକ୍ସଟ୍ରା କ୍ଲାସ୍ ଚାଲିଥିଲା ଆଗଭଳି । ଟ୍ୟୁସନ୍ ରେ ସବୁଦିନ ଟେଷ୍ଟ୍ ପେପର୍ ରୁ ଅଭ୍ୟାସ କରାଯାଉଥିଲା ଓ ଡାଉଟ୍ କ୍ଲିଅରିଙ୍ଗ୍ କ୍ଲାସ୍ ହେଉଥିଲା । ବାକି ସମୟରେ ସୁକନ୍ୟା ଘରେ ରହି ପଢୁଥିଲା । ବିଷ୍ଣୁଅଜା ଓ ଆଈ ବାଙ୍ଗାଲୋର୍ ପଳେଇଥିଲେ ତାଙ୍କ ଝିଅ ପାଖକୁ । ଛଅମାସ ଯାଏଁ ତାଙ୍କର ଆସିବାର ନଥିଲା । ଘର ଫାଙ୍କା ଫାଙ୍କା ହେଇଯାଇଥିଲା । ସୁକନ୍ୟା ପାଠ ପଢ଼ାରେ ବୋର୍ ହେଇଗଲେ ରୋଜି ଘରକୁ ପଳାଉଥିଲା । ସେଠୁ ତନ୍ମୟର ମୋବାଇଲକୁ ଫୋନ୍ କରି କିଛି ସମୟ କଥା ହେଇଗଲେ ତା'କୁ ଟିକେ ଫ୍ରେସ୍ ଲାଗୁଥିଲା । ତନ୍ମୟ ସୁକନ୍ୟାକୁ ପାଠ ପଢ଼ିବାର ବିଭିନ୍ନ ଟ୍ରିକ୍ସ୍ ବତାଇ ଦେଉଥିଲା । କିନ୍ତୁ ଯେତେବେଳେ ବି ସେ ତା' ଭଉଣୀ ବିଷୟରେ କହୁଥିଲା, ସୁକନ୍ୟା ଚିଡ଼ିଯାଉଥିଲା ।

ସ୍କୁଲ୍ ଟେଷ୍ଟର ରେଜଲ୍ଟ ବାହାରିଲା । ମୋଟ ସାତଶହ ପଚାଶ ମାର୍କରୁ ସୁକନ୍ୟା ଛଅସହ ତେପନ ରଖି କ୍ଲାସରେ ପ୍ରଥମ ହେଇଥିଲା । ସେହି ସ୍କୁଲର ପ୍ରଥମ ପିଲା ଭୂପେଶ୍ ଦାସ୍ ସୁକନ୍ୟା ଠାରୁ ଏଗାର ନମ୍ବର ପଛରେ ରହିଯାଇଥିଲା । ଭୂପେଶର ମନ ଖୁବ୍ ଦୁଃଖ ଥିଲା । ସେ କାହାକୁ କିଛି ନକହି ନୋଟିସ୍ ବୋର୍ଡ୍ ପାଖରୁ ମୁହଁ ତଳକୁ କରି ଚାଲି ଯାଉଥିଲା, ଗେଟ୍ ପାଖରେ ରୋଜି ଓ ସୁକନ୍ୟାଙ୍କୁ ଦେଖି ରହିଗଲା ।

-- କଙ୍ଗ୍ରାଚୁଲେସନ୍ସ୍ ସୁକନ୍ୟା ।

-- ଥାଙ୍କ୍ ୟୁ ଆଣ୍ଡ୍ ସେମ୍ ଟୁ ୟୁ ଭୂପେଶ୍ ।

-- ମୁଁ ତ ସେକେଣ୍ଡ୍ ପିଲା ମୋତେ କ'ଣ କଂଗ୍ରାଜ୍ କହୁଛ ?

-- ଏ କ୍ଲାସ୍ ପରୀକ୍ଷାରେ ଫାର୍ଷ୍ଟ୍, ସେକେଣ୍ଡ୍ କ'ଣ ଯେ ? ବୋର୍ଡ୍ ର ରେଜଲ୍ଟ୍ ଦେଖିବ ବିଲକୁଲ୍ ଅଲଗା ହେବ ।

-- ନାଇଁ ନାଇଁ ତୁମେ ବୋର୍ଡ୍ ରେ ବି ସ୍କୁଲ୍ ଟପର୍ ହେବ ।

-- ହଉ ଛାଡ଼,ସେକଥା ସେତେବେଳେ ଜଣାଯିବ । ତୁମର ପଢାପଢି କେମିତି ଚାଲିଚି ?

-- ହା ହା, ଏବେ ତ ସବୁଦିନ ଖେଳପଡିଆରେ ହିଁ ମୋର ପଢ଼ା ଚାଲିଛି । ତୁମ ରିଙ୍କୁନ୍ ଭାଇକୁ ପଚାରିଦେବ, ମୁଁ କେମିତି ପଢୁଛି । କିନ୍ତୁ ତୁମେ ତ' ବହି ପାଖରୁ ଉଠୁନ ବୋଲି ଶୁଣିଲି ।

ସୁକନ୍ୟାକୁ ଭୂପେଶର କଥା ବିରକ୍ତିକର ଲାଗିଲା । ସେ ହସି ହସି କହିଲା, "ପରୀକ୍ଷା ଆଉ ଦୁଇମାସ ରହିଲା ଭୂପେଶ୍, ଏବେ ଖେଳାଖେଳି ଛାଡ଼ି ଟିକେ ବହି ଧର । ହଁ ତୁମେ ଠିକ୍ ଶୁଣିଛ, ମୁଁ ବହି ପାଖରୁ ଉଠୁନି । ଘର ଛାଡ଼ି ଏଠିକି ଆସିଛି ପଢ଼ିବା ପାଇଁ, ନପଢି ଆଉ କରନ୍ତି କ'ଣ ?"

ସୁକନ୍ୟା ସାଇକେଲ୍ ବୁଲେଇଲା । ରୋଜି ବି ତା' ପଛେ ପଛେ ଆସିଲା । ରାସ୍ତାରେ ରୋଜି ସୁକନ୍ୟାକୁ କହିଲା, "ସୁକନ୍ୟା, ତୁ ଏମିତି କ'ଣ କହିଲୁ ଯେ ଭୂପେଶକୁ ? ଏତେ ଗର୍ବ ଭଲ ନୁହେଁ ?"

-- ଗର୍ବ ? କିଏ ଗର୍ବ କଲା ?

-- ତୁ କଲୁ । ତାକୁ ଯେଉଁ ଏମିତି କହିଲୁ, ଲାଗିଲା ତୁ ଫାର୍ଷ୍ଟ୍ ହେଇଯାଇଛୁ ବୋଲି ତାକୁ ପରିହାସ କରି କହିଲୁ ।

-- ଭଲ ହେଲା କହିଲି । ସେ କେମିତି ଆସିକି କହୁଥିଲା, ତୁ ଜାଣିପାରିଲୁନି, କେତେ ଈର୍ଷା ଥିଲା ତା' ମନରେ !

-- ନା, ତା' ମନରେ ଈର୍ଷା ନଥିଲା । ତୁ ତାକୁ ଭୁଲ ବୁଝିଛୁ । ମୁଁ ତାକୁ ଚତୁର୍ଥ ଶ୍ରେଣୀରୁ ଜାଣେ । ସେ ସେମିତି ଈର୍ଷାଳୁ ପିଲା ନୁହେଁ । ସେ କ୍ଲାସରେ ସବୁବେଳେ ଫାର୍ଷ୍ଟ୍ ହୁଏ, ପ୍ରଥମ ଥର ସେକେଣ୍ଡ୍ ହେଇଯାଇଛି, ତାକୁ ଟିକେ ଦୁଃଖ ଲାଗିବ କି ନାହିଁ କହିଲୁ ?

-- ହଉ ହେଲା ସରି, ମୋର ଭୁଲ ହେଇଛି । ଚାଲ୍ ଯିବା ଚାଟ୍ ଠେଲା ପାଖକୁ ।

ସୁକନ୍ୟା ଘରକୁ ଫେରିଲା । ମାମୁଁ ଖୁସିରେ ତା' ମୁଣ୍ଡ ଆଉଁଶି ଦେଲେ । ସେ ଡେରିରେ ଫେରିଥିବାରୁ ମାଇଁ କିନ୍ତୁ ବିରକ୍ତ ହେଉଥିଲେ । ସେଦିନ ମାମୁଁ, ମାଇଁଙ୍କୁ ମାଇଁଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଗୋଟେ ଏକୋଇଶା ଭୋଜି ପାଇଁ ଯିବାରେ ଥିଲା । ମାଇଁ ରୁଟି କରି ରଖି ଦେଇଥିଲେ । ରିଙ୍କୁନ୍ କୁ କହିଥିଲେ ଧନିଆ ହୋଟେଲରୁ ଅଣ୍ଡା ତଡକା କିଣି ଆଣି ରୁଟି ଖାଇଦେବା ପାଇଁ ।

ପୁପୁନ୍ ଘରେ ନଥିଲା । ସାଙ୍ଗ ଘରକୁ ପଢ଼ିବାକୁ ଯାଇଥିଲା । ରାତି ଆଠ ବେଳକୁ ରିଙ୍କୁନ୍ ତଡ୍କା ଆଣିବାକୁ ବାହାରିଗଲା । ସୁକନ୍ୟା ଭିତରୁ କବାଟ ବନ୍ଦ୍ କରି ତନ୍ମୟକୁ ଫୋନ୍ ଲଗେଇଲା । ଅଳ୍ପ କଥା ହେଇଛି, କିଏ କବାଟ ପିଟିଲା । ତରବରରେ ସୁକନ୍ୟା ଫୋନ୍ ରଖିଦେଇ କବାଟ ଖୋଲିଦେଲା । ପୁପୁନ୍ ଭିତରକୁ ପଶି ଆସି ତା' କଲେଜ୍ ବ୍ୟାଗଟା କାନ୍ଧରୁ ଖସେଇ ଦେଇ ନିଜ ରୁମ୍ କୁ ଗଲା । ପାଞ୍ଚ ମିନିଟ୍ ରେ ବାହାରି ଆସି ଫୋନ୍ ରିସିଭର୍ ଉଠେଇ ନମ୍ବର୍ ରିଡାଏଲ୍ ମାରିଲା । ସେପଟୁ ତନ୍ମୟ କହିଲା, "ହଁ ସୁକନ୍ୟା କୁହ । କାଟିଦେଇଥିଲ କାହିଁକି ?"

ପୁପୁନ୍ ଫୋନ୍ ଟା ରଖିଦେଇ ସୁକନ୍ୟା ଆଡ଼କୁ ରାଗରେ ବୁଲିକି ଦେଖିଲା । ସୁକନ୍ୟା କିଛି ନକହି ଠିଆ ହେଇଥିଲା । ପୁପୁନ୍ ତା' ଡାହାଣ ହାତକୁ ଧରି ଘୋଷାରି ଘୋଷାରି ନେଇଗଲା ଅଜା, ଆଈଙ୍କ ବଖରାକୁ । ସୁକନ୍ୟା କାନ୍ଦି କାନ୍ଦି କହୁଥିଲା, "ପୁପୁନ୍ ଭାଇ ମୋତେ ଛାଡ଼ିଦିଅ । ମୁଁ ତୁମ ଭଉଣୀ । ପ୍ଲିଜ୍ ମୋତେ ଛାଡ଼ିଦିଅ । ମୁଁ ଆଉ ତୁମ ଫୋନ୍ ଛୁଇଁବିନି । ପ୍ଲିଜ୍ ଭାଇ, ପ୍ଲିଜ୍ ।"

-- ତୁଟା ମୋର କି ଭଉଣୀ ବେ ? ମମି କହନ୍ତି ତୋ ମାଆ ଗୋଟେ ଚରିତ୍ରହୀନା, ବାହାଘର ଆଗରୁ ତତେ ଜନ୍ମ କରିଥିଲା । ତୁ ବି ତୋ ମାଆ ଭଳି କ୍ୟାରେକ୍ଟର୍ଲେସ୍ । ଭୂପେସ୍ ଠିକ୍ କହୁଥିଲା, ସେ ତୋତେ ଦେଖିଥିଲା ଗୋଟେ ଟୋକା ସହ ଖେଳ ପଡିଆ ପାଖରେ । ସେଠି ତ ଭଲ ଡାରେ ନାରେ ହେଉଥିଲୁ ! ଆହୁରି କେତେ ଲୋକ ଦେଖିଛନ୍ତି ତୋତେ ଟୋକାଙ୍କ ସହ । ଏଡିକି ବକଟେ ହେବୁନି, ତୋର ଏତେ କୀର୍ତ୍ତି ନା ବେ ! ଛିଃ ଛିଃ.. ବେଲଜ୍ୟା ଟୋକୀ । କ୍ଲାସରେ ଫାର୍ଷ୍ଟ୍ ନା ଚୋପା ହେଇଛୁ ବେ ! ଆମ ଘରେ ରହି ମୋ ବାପାଙ୍କ ନାଁ ବଦନାମ କରୁଛୁ, ତୋତେ ଆଜି ଛାଡିବିନି ।

ସୁକନ୍ୟାର ମୁହଁକୁ ଗୋଟେ ହାତରେ ଚାପି ଧରି ପୁପୁନ୍ ତାକୁ ତଳେ ପକେଇ ଦେଲା । ସୁକନ୍ୟା ଯେତେ ଚେଷ୍ଟା କଲେ ମଧ୍ୟ ପୁପୁନର କବଳରୁ ଖସିଯାଇ ପାରୁନଥିଲା । ପୁପୁନ୍ ଅଭାଦ୍ରାମୀର ସୀମା ଟପି ଯାଉଥିଲା । ବାହାରେ କଲିଂ ବେଲ୍ ଟିଂ ଟିଂ ହେବାରୁ ପୁପୁନ୍ ସୁକନ୍ୟାକୁ ସେଇଠି ସେମିତି ଛାଡ଼ି ଦେଇ ଉଠିଗଲା ।

ସୁକନ୍ୟା ଉଠି ଭିତରୁ କବାଟ ବନ୍ଦ୍ କରିଦେଲା । ଲୁହ ପୋଛିଲା । ବାଳ ସଜାଡ଼ିଲା । ତା' ଟପର ବଟମ୍ ସବୁ ଖୋଲିଯାଇଥିଲା । ସେ ତା' ଟପ୍ ର ଆଗ ବୋତାମ ଲଗେଇ ବାହାରକୁ ଆସିଲା । ରିଙ୍କୁନ୍ ରୁଟି ଆଉ ତଡ୍କା ବାଢ଼ି କରି ସୁକନ୍ୟାକୁ ଅପେକ୍ଷା କରିଥିଲା । ପୁପୁନ୍ କିନ୍ତୁ ଟିଭି ପାଖରେ ବସି ଆରାମରେ ଖାଉଥିଲା ।

ପୁପୁନ୍ ଖାଇସାରି ଶୋଇବାକୁ ଗଲା ପର୍ଯ୍ୟନ୍ତ ରିଙ୍କୁନ୍ ସୁକନ୍ୟା ପାଖରେ ବୈଠକ ଘରେ ବସିରହିଲା । ପୁପୁନ୍ ଭିତରୁ କବାଟ ବନ୍ଦ୍ କରିବା ଆଗରୁ ରିଙ୍କୁନ୍ କୁ କହିଲା, "ଶୁଣ୍ ମମି, ବାପା ଆସିଲେ କବାଟ ଖୋଲିଦେବୁ, ମୁଁ ଯାଉଛି ଶୋଇବି । ଭୋରୁ ଉଠି ମୋତେ ପଢ଼ିବାର ଅଛି ।"

ସୁକନ୍ୟା ଗଲା ଅଜା, ଆଈଙ୍କ ରୁମ୍ କୁ ଶୋଇବାକୁ । ମାଇଁ ନଥିଲେ ରାତିରେ ଏକୁଟିଆ ଉପର ଘରକୁ ଯିବାକୁ ତାକୁ ଭୟ ଲାଗେ । ସୁକନ୍ୟାର ପଛେ ପଛେ ରିଙ୍କୁନ୍ ଗଲା । ସୁକନ୍ୟା ଥାକରୁ ବହିଟେ କାଢ଼ି ବେଡ୍ ଉପରକୁ ଉଠିଲା ଓ ରିଙ୍କୁନ୍ କୁ ଉଦ୍ଦେଶ୍ୟ କରି କହିଲା, "ତୁମେ କାହଁକି ଏଠିକି ଆସିଲ ? ଯାଉନ ଶୋଇବ ? ମାମୁଁ, ମାଇଁ ଆସିଲେ ମୁଁ କବାଟ ଖୋଲିଦେବି ।"

-- ସୁକନ୍, ସରି ।

-- ସରି କ'ଣ ପାଇଁ ?

-- ପୁପୁନର ବ୍ୟବହାର ପାଇଁ ।

--' ପୁପୁନ୍' କ'ଣ କହୁଛ, ସେ ପା ତୁମ ଭାଇ !

-- ହଁ, ଯାହା ହେଲେ ବି ଭାଇ । ସମସ୍ତେ ମୋତେ ବଦମାସ କହନ୍ତି, ତାକୁ କିନ୍ତୁ ବହୁତ ଭଲ ପାଆନ୍ତି । ତୋ କଥା କେହି ବିଶ୍ୱାସ କରିବେନି । ତୁ ଏବେ ତୁମ ଘରକୁ ପଳା । ଏଠି ରହିଲେ ପଢ଼ିପାରିବୁନି । ତୋର କୋର୍ସ୍ ତ' ସରିଛି, ଖାଲି ଯାହା ରିଭିଜନ୍ କରିବା କଥା । ତୁ ପଳା ପ୍ଲିଜ୍ । ତୋ ମମିଙ୍କୁ ଫୋନ୍ କର୍ ଆସିକି ତୋତେ ନେଇଯିବେ ।

-- ମମି ରାଜି ହେବେନି । ସେ ଭାବନ୍ତି ଏଠି ମାମୁଁ ଅଛନ୍ତି, ପୁପୁନ୍ ଅଛି, ଏମାନେ ମୋତେ ପଢ଼ାରେ ସାହାଯ୍ୟ କରୁଥିବେ ।

-- ତୁ ତାହେଲେ ତୋ ମମିଙ୍କୁ କହ, ତୋତେ ଏଠି ଘର କାମ କରିବାକୁ ପଡୁଛି ।

-- ମାଇଁଙ୍କ ନାଁରେ ମିଛ କେମିତି କହିବି ?

-- ସେଇଟା ଚଳିବ । କିନ୍ତୁ ସତ କହିଲେ ମୋ ଭାଇ ସହ ତୁ ବି ବଦନାମ ହେବୁ ।

-- ତୁମେ ଜାଣିଛ କି, ଭୂପେଶ୍ କେମିତି ପୁପୁନକୁ ଚିହ୍ନିଲା ?

-- ଭୂପେଶ୍ ର ବଡ଼ ଭାଇ ରାକେଶ୍ ପୁପୁଭାଇର ସାଙ୍ଗ ।

-- ଓହଃ ଆଚ୍ଛା.. ହଉ ମୁଁ କାଲି ଟ୍ୟୁସନ୍ ସାରଙ୍କ ଘରୁ ମମିଙ୍କୁ ଫୋନ୍ କରିବି ।

-- ଆରେ ନା ନା ସେଠୁ ଫୋନ୍ କଲେ ସାର୍ ଶୁଣିକି କହିବେ ଏଇଠି ରହିବା ପାଇଁ । ତୁ ମୋ ମୋବାଇଲରୁ ଫୋନ୍ କରିଦେବୁ ।

-- ତୁମ ମୋବାଇଲ୍ ? ତୁମ ପାଖରେ ମୋବାଇଲ୍ ଅଛି ?

-- ହଁ ଅଛି, କାହାକୁ କହିବୁନି । ମୁଁ କିଣିଛି ସେକେଣ୍ଡ୍ ହ୍ୟାଣ୍ଡ୍ ଫୋନ୍ ଟେ ।

ସ୍ନେହା ସୁକନ୍ୟାକୁ ନେବାକୁ ଆସିଲେ । ପ୍ରମୋଦ୍ ଚାହୁଁନଥିଲେ ସୁକନ୍ୟା ଯାଉ ବୋଲି । ସେ ବହୁତକରି ସ୍ନେହାଙ୍କୁ ବୁଝେଇ କହିଲେ ଆଉ ଦୁଇଟା ମାସ ଛାଡ଼ି ପରୀକ୍ଷା ସରିଲା ପରେ ଆସି ସୁକନ୍ୟାକୁ ନେଇଯିବା ପାଇଁ । ସ୍ନେହା କିନ୍ତୁ କହିଲେ ଯେ ସେଠି ସୁକନ୍ୟାର ପଢ଼ା ବ୍ୟବସ୍ଥା ସେ କରିଦେଇଛନ୍ତି, ତେଣୁ ସେ ଏଠୁ ଗଲେ ମଧ୍ୟ ତା'ର କୌଣସି ଅସୁବିଧା ହେବନାହିଁ । ଘରେ ରହିଲେ ତା'ର ମନ ବି ଭଲ ରହିବ ଓ ସେ ଭଲରେ ପଢ଼ାପଢି କରିପାରିବ ।

ବିଷ୍ଣୁଅଜାଙ୍କ ଘର ଛାଡିଲାବେଳକୁ ସୁକନ୍ୟା ରୋଜିକୁ ମଧ୍ୟ ଦେଖା କରି ଆସିଲା । ରୋଜିର ମନ ଖୁବ୍ କଷ୍ଟ ହେଲା । ସେ କାନ୍ଦିପକେଇଲା । ପରୀକ୍ଷା ଦେବାକୁ ଆସିଲେ ସେମାନେ ସାଙ୍ଗ ହୋଇ ରହି ପରୀକ୍ଷା ଦେବେ ବୋଲି କଥା ହେଲେ । ରୋଜି କହିଲା ସେ ସବୁଦିନ ସୁକନ୍ୟାକୁ ଫୋନ୍ କରିବ ।

ସ୍କୁଲ୍ ଓ ଟ୍ୟୁସନ୍ ର ଟିଚର୍ ମାନଙ୍କୁ ଦେଖାକରି ସୁକନ୍ୟା ମମି ଓ ଦୀପୁଙ୍କ ସହ ମମିଙ୍କ କ୍ୱାର୍ଟର୍ସକୁ ଫେରିଲା ।

ଘରକୁ ଫେରି ସୁକନ୍ୟା ଦେଖିଲା ଘରେ ତାଲା ପଡିନି, ଭିତରୁ କବାଟ ବନ୍ଦ ଅଛି । କଲିଂ ବେଲ୍ ଟିପିବାରୁ ବୟସ୍କା ମହିଳା ଜଣେ କବାଟ ଖୋଲିଲେ ।

କ୍ରମଶଃ....
ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୧୨)